ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ: କେବେ ଓ କାହିଁକି

ଆଜି ହେଉଛି ଅନ୍ତର୍ଜାତୀୟ ବାଘ ଦିବସ । ଜୀବଜଗତରେ ଅସ୍ତିତ୍ଵ ସଙ୍କଟରେ ପଡିଥିବା ବାଘଙ୍କର ବଂଶ ରକ୍ଷା ଲାଗି ସଚେତନତା ଦିବସ ଭାବେ ଆଜିର ଦିନକୁ ପାଳନ କରାଯାଉଛି ।


ଆଜି ହେଉଛି ଅନ୍ତର୍ଜାତୀୟ ବାଘ ଦିବସ । ଜୀବଜଗତରେ ଅସ୍ତିତ୍ଵ ସଙ୍କଟରେ ପଡିଥିବା ବାଘଙ୍କର ବଂଶ ରକ୍ଷା ଲାଗି ସଚେତନତା ଦିବସ ଭାବେ ଆଜିର ଦିନକୁ ପାଳନ କରାଯାଉଛି । ବାଘକୁ କିଏ ଅବା ନ ଜାଣେ । ବାଘ ହେଉଛି ବିରାଡି ପ୍ରଜାତିର ସର୍ବବୃହତ ଜୀବ । ନିଜ ଦେହର ସ୍ୱତନ୍ତ୍ର ସୁନ୍ଦର ରଙ୍ଗ ତଥା ଜଙ୍ଗଲରେ ନିଜର ଅଦ୍ଭୁତପୂର୍ବ ରାଜକୀୟ ଠାଣି ପାଇଁ ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ମହଲରେ ବାଘ ଖୁବ୍ ଲୋକପ୍ରିୟ । ଆମ ଓଡ଼ିଆରେ ବାଘକୁ ବାଘମାମୁଁ ବୋଲି କୁହାଯାଏ । ଆମ ଗପ କାହାଣୀରେ ବାଘ ବେଶ୍ ଲୋକପ୍ରିୟ । ବିଶେଷତଃ ଶିଶୁ କାହାଣୀରେ ବାଘମାମୁଁ ଏକ ପରିଚିତ ନାମ । ଭାରତୀୟ ପୁରାଣ, କିମ୍ବଦନ୍ତୀ, ଲୋକକଥାରେ ବାଘକୁ ନେଇ ଅନେକ କାହାଣୀ ରହିଛି । ପୁଣି ଦେବୀ ଦୁର୍ଗାଙ୍କ ବାହନ ହେଉଛି ବାଘ । ବାଘ ହେଉଛି ଭାରତ, ବାଂଲାଦେଶ, ମାଲେସିଆ ଓ ଦକ୍ଷିଣ କୋରିଆ ପ୍ରଭୃତି ଦେଶର ଜାତୀୟ ପଶୁ ।

ବାଘ ସଂରକ୍ଷଣ ପ୍ରତି ସଚେନତନା ବୃଦ୍ଧି କରିବା ଓ ବାଘ ରହୁଥିବା ପରିବେଶକୁ ସୁରକ୍ଷିତ ରଖିବା ଦିଗରେ ଲୋକଙ୍କ ମଧ୍ୟରେ ଜନସଚେତନତା ସୃଷ୍ଟି କରିବା ଲାଗି ପ୍ରତି ବର୍ଷ ଜୁଲାଇ ୨୯କୁ ‘ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ’ ଭାବେ ପାଳନ କରାଯାଉଛି । ୨୦୧୦ ମସିହା ଜୁଲାଇ ୨୯ ତାରିଖରେ ରୁଷିଆର ସେଣ୍ଟପିଟର୍ସବର୍ଗ ଶିଖର ସମ୍ମିଳନୀରେ ଏନେଇ ପ୍ରସ୍ତାବ ଗୃହୀତ ହେବା ପରେ ବିଶ୍ୱବାସୀ ‘ବାଘ ଦିବସ’ ପାଳନ କରିଆସୁଛନ୍ତି । ଏହି ସମ୍ମିଳନୀରେ ୧୩ଟି ଦେଶ ଅଂଶଗ୍ରହଣ କରିଥିଲେ । ଏବଂ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଥିବା ଦେଶ ସମୂହ ୨୦୨୨ ସୁଦ୍ଧା ବାଘବଂଶକୁ ଦୁଇଗୁଣା ଲକ୍ଷ୍ୟ ନେଇ ମିଳିତ ଭାବେ ପ୍ରୟାସ ଜାରି ରଖିବା ପାଇଁ ଏକ ବୁଝାମଣା ପତ୍ର ସ୍ବାକ୍ଷର କରିଥିଲେ । କ୍ରମାଗତ ଭାବେ ବାଘ ସଂଖ୍ୟା ହ୍ରାସ ପାଉଥିବାରୁ ଏହାକୁ ସୁରକ୍ଷା ଦେବା ସହିତ ଏହି ପ୍ରଜାତିକୁ ବିଲୁପ୍ତ ହେବାରୁ ରୋକିବା ଲକ୍ଷ୍ୟ ନେଇ ଏହି ଦିବସ ପାଳନ କରାଯାଉଛି ।

ବାଘଙ୍କ ସଂଖ୍ୟା ଆଶ୍ଚର୍ଯ୍ୟଜନକ ଭାବେ କମିବା ପରେ ୧୯୭୩ରେ ଭାରତ ସରକାର ‘ପ୍ରୋଜେକ୍ଟ ଟାଇଗର୍’ ବା 'ବ୍ୟାଘ୍ର ପରିଯୋଜନା' ଆରମ୍ଭ କରିଥିଲେ । ଯାହାର ମୂଳ ଉଦ୍ଦେଶ୍ୟ ଥିଲା, କମୁଥିବା ବାଘ ସଂଖ୍ୟାକୁ କିଭଳି ରୋକାଯିବ । ଏଥିସହ ବାଘ ବାସସ୍ଥଳୀକୁ ମଧ୍ୟ ସୁରକ୍ଷିତ ରଖିବାକୁ ଉଦ୍ୟମ ଆରମ୍ଭ ହୋଇଥିଲା । ବାଘଙ୍କ ସୁରକ୍ଷା ଓ ବିକାଶଦ୍ୱାରା ଦେଶର ଅର୍ଥନୈତିକ, ପାରିବେଶିକ, ସାଂସ୍କୃତିକ ମହତ୍ତ୍ୱ ବଜାୟ ରଖିବା ମଧ୍ୟ ଏହି ପରିଯୋଜନାର ଅନ୍ଯ ଏକ ଲକ୍ଷ୍ଯ ରହିଛି । ତେବେ ସାରା ବିଶ୍ୱରେ ଥିବା ବାଘ ସଂଖ୍ୟାର ୭୦ ପ୍ରତିଶତ ଭାରତରେ ଅଛନ୍ତି । ତେବେ ବଡ କଥା ହେଉଛି, ଏବେ ବି ବାଘଙ୍କ ପ୍ରତି ବିପଦ କିଛି କମ୍ ନାହିଁ । ଜଳବାୟୁ ପରିବର୍ତ୍ତନ, ଅବୈଧ ଶିକାର ଓ ପରିବେଶର କ୍ଷତି ପାଇଁ ବାଘଙ୍କ ସଂଖ୍ୟାରେ ଅହେତୁକ ହ୍ରାସ ହେଉଛି । ଏହି ଦିଗରେ ଯତ୍ନବାନ ହେବା ସହ ଶିକାରକୁ ରୋକିବା ସହ ବାଘ ସରଂକ୍ଷଣ ପ୍ରତି ପ୍ରତିବଦ୍ଧ ହେବା ନେଇ ଏହି ଦିବସ ପାଳନ କରାଯାଇଥାଏ ।

ଭାରତରେ ପ୍ରାୟ ୩୦୦ ପ୍ରକାରର ବଣୁଆ ବାଘ ଦେଖାଯାନ୍ତି । ସେହିପରି ବିରଳ ପ୍ରଜାତିର ବେଙ୍ଗଲ ଟାଇଗର କେବଳ ଭାରତ, ବାଂଲାଦେଶ, ନେପାଳ ଓ ଭୁଟାନରେ ଦେଖାଯାନ୍ତି । ପ୍ରାୟତଃ ବାଘମାନଙ୍କ ମଧ୍ୟରେ ୯ ପ୍ରକାରର ପ୍ରଜାତି ଦେଖାଯାନ୍ତି । ସେମାନଙ୍କ ମଧ୍ୟରେ - ବେଙ୍ଗଲ ଟାଇଗର, ସାଇବେରିଆନ ଟାଇଗର, ସାଉଥ ଚାଇନା ଟାଇଗର, ଇଣ୍ଡୋ ଚୀନ ଟାଇଗର, ମାଲାୟାନ ଟାଇଗର, ସୁମାତ୍ରାନ ଟାଇଗର, ବାଲି ଟାଇଗର, କାସପିଆନ୍ ଟାଇଗର, ଜାଭାନ୍ ଟାଇଗର ପ୍ରମୁଖ । ବର୍ତ୍ତମାନ ପର୍ଯ୍ୟନ୍ତ ବାଲି ଟାଇଗର, କାସପିଆନ୍ ଟାଇଗର, ଜାଭାନ୍ ଟାଇଗର ପ୍ରଜାତି ବିଲୁପ୍ତ ହୋଇଯାଇଛନ୍ତି । ତେଣୁ ଆମକୁ ବାଘ ସଂରକ୍ଷଣ ଉପରେ ଅଧିକ ଧ୍ୟାନ ଦେବା ଉଚିତ୍ ।

ବାଘ ସଂରକ୍ଷଣ ପ୍ରସଙ୍ଗରେ ଧ୍ୟାନ ଦେବାର ଅନ୍ଯ ଏକ ଜରୁରୀ କାରଣ ହେଉଛି - ଏହା ଆମ ଇକୋସିଷ୍ଟମର ସନ୍ତୁଳନକୁ ବଜାୟ ରଖିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ସମ୍ପ୍ରତି ଏବେ ମଣିଷ ଏବଂ ବାଘ ଉଭୟ ଶାନ୍ତିରେ ବଞ୍ଚି ରହିବାର ନିଶ୍ଚିତତା କରିବାର ସମୟ ଆସିଛି । ଅନ୍ତର୍ଜାତୀୟ ଟାଇଗର ଦିବସ ବା ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ଅବସରରେ ବାଘଙ୍କ ପ୍ରାକୃତିକ ବାସସ୍ଥାନର ସଂରକ୍ଷଣ ଓ ସଶକ୍ତିକରଣ ନିମନ୍ତେ ଅତ୍ୟାଧୁନିକ ପଦ୍ଧତି ବିକାଶ ଦିଗରେ ଗୁରୁତ୍ବ ଦେବା ଉଚିତ୍ ।

Report an Error