ଅତୀତର ଆଇନା: ସଂଗ୍ରହାଳୟ

ସଂଗ୍ରହାଳୟ ହେଉଛି ଗୋଟିଏ ଜାତିର ଦର୍ପଣ ସଦୃଶ । ସଂଗ୍ରହାଳୟର ଗୁରୁତ୍ୱ ଓ ଏହା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ମଇ ୧୮ ତାରିଖକୁ ‘ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ’ ରୂପେ ପାଳନ କରାଯାଏ ।


ଫଟୋ - ୱିକିପିଡିଆ

ଆଜି ହେଉଛି ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ । ସଂଗ୍ରହାଳୟ ହେଉଛି ଏକ ଦେଶ ବା ଜାତିର ସଂସ୍କୃତି ଓ ସ୍ୱାଭିମାନର ପ୍ରତୀକ । ପୁଣି ଏହା ହେଉଛି ସଭ୍ୟତାର ମୂକସାକ୍ଷୀ । ସଂଗ୍ରହାଳୟ ହେଉଛି ଗୋଟିଏ ଜାତିର ଦର୍ପଣ ସଦୃଶ । ନିଜ ଜାତିର ଐତିହ୍ୟ, ସଂସ୍କୃତିର ଇତିହାସ ସମ୍ପର୍କରେ ସଂଗ୍ରହାଳୟରୁ ଜାଣି ହୋଇଥାଏ । ସଂଗ୍ରହାଳୟର ଗୁରୁତ୍ୱ ଓ ଏହା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ମଇ ୧୮ ତାରିଖକୁ ‘ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ’ ରୂପେ ପାଳନ କରାଯାଏ ।

ଭାରତରେ ସଂଗ୍ରହାଳୟର ସ୍ଥାପନା ଓ ବିକାଶ ପ୍ରାୟତଃ ଇଂରେଜୀ ଶାସନ ସମୟରେ ହୋଇଥିଲା । ମୋଗଲ ଶାସନ ପରେ ଯେତେବେଳେ ଭାରତରେ ଇଂରେଜ ଶାସନର ମୂଳଦୁଆ ପଡିଥିଲା, ସେତେବେଳେ ମୋଗଲ ସଂସ୍କୃତିର ସଂରକ୍ଷଣ ଆରମ୍ଭ ହୋଇଥିଲା । ଏହାପରେ ଇଂରେଜ ଶାସନ ସମୟରେ ମଧ୍ୟ ଭାରତର ସଂସ୍କୃତିକୁ ସଂରକ୍ଷିତ ରଖିବାର ପ୍ରୟାସ କରାଯାଇଥିଲା । ଭାରତୀୟ ସାଂସ୍କୃତିକ ସମ୍ପତ୍ତି ଦ୍ୱାରା ପ୍ରଭାବିତ ହୋଇ ୧୭୮୪ ମସିହାରେ ସାର ୱିଲିୟମ ଜୋହାନ୍ସ ଏସିଆଟିକ ସୋସାଇଟିର ସ୍ଥାପନା କରିଥିଲେ । ଏସିଆଟିକ ସୋସାଇଟିର ସତତ ପ୍ରୟାସରେ ସନ ୧୮୧୪ରେ କଲିକତାଠାରେ ଦେଶର ପ୍ରଥମ ସଂଗ୍ରହାଳୟ ସ୍ଥାପନ ହୋଇଥିଲା । ଏହାପରେ ଭାରତବର୍ଷରେ ସଂଗ୍ରହାଳୟ ସ୍ଥାପନ ପ୍ରକ୍ରିୟା ଆରମ୍ଭ ହେଲା । ଆମ ରାଜ୍ୟ ଓଡିିଶାରେ ଅନେକ ଛୋଟ ବଡ ସଂଗ୍ରହାଳୟମାନ ରହିଛି । ଏହା ମଧ୍ୟରେ ଭୁବନେଶ୍ୱରଠାରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ, ଓଡିଶା ରାଜ୍ୟ ଜନଜାତି ସଂଗ୍ରହାଳୟ, ଆଂଚଳିକ ପ୍ରାକୃତିକ ସଂଗ୍ରହାଳୟ, କଟକରେ ନେତାଜୀ ସଂଗ୍ରହାଳୟ, ଉତ୍କଳ ଗୌରବ ସଂଗ୍ରହାଳୟ, ନୌବାଣିଜ୍ୟ ସଂଗ୍ରହାଳୟ, କୋଣାର୍କଠାରେ ପୁରାତତ୍ତ୍ୱ ସର୍ବେକ୍ଷଣ ସଂଗ୍ରହାଳୟ, କୋରାପୁଟଠାରେ ଆଦିବାସୀ ସଂଗ୍ରହାଳୟ ଆଦି ରହିଛି ।

ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଆମ ଦେଶର ଏକ ପୁରୁଣା ସଂଗ୍ରହାଳୟ । ପ୍ରଫେସର ନିର୍ମଳ ଚନ୍ଦ୍ର ବାନାର୍ଜୀ ଏବଂ ପ୍ରଫେସର ଘନଶ୍ୟାମ ଦାସଙ୍କ ତତ୍ତ୍ବାବଧାନରେ ୧୯୩୨ ମସିହାରେ ଏହା ଆରମ୍ଭ ହୋଇଥିଲା । ସେତେ‌ବେଳେ ରେଭେନ୍‌ସା କଲେଜ ପରିସରରେ ଏହାର ପ୍ରାରମ୍ଭ କରାଯାଇଥିଲା । ତେବେ ଆଜିର ସଂଗ୍ରହାଳୟ ସୌଧଟିର ଭିତ୍ତି ପ୍ରସ୍ତର ସ୍ଥାପନ ୧୯୫୭ ମସିହା ଡିସେମ୍ବର ୨୯ରେ ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦଙ୍କ ଦ୍ୱାରା ହୋଇଥିଲା । ପ୍ରାୟ ଏଗାରଟି ବିଭାଗ ଏଠାରେ ରହିଥିବାବେଳେ ଓଡିଶା ରାଜ୍ୟ ସଂଗ୍ରହାଳୟ ନିଜର କଳେବର ବୃଦ୍ଧି କରିଚାଲିଛି ।

ଇତିହାସକୁ ସାଉଁଟି ରଖିବାରେ ସଂଗ୍ରହାଳୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଅତୀତର ଦର୍ପଣ ଭାବେ ଏହା ଭବିଷ୍ୟତ ଓ ବର୍ତ୍ତମାନ ସହ ଯୋଡି ହୋଇ ରହିଛି । ସମାଜର ଉନ୍ନତିରେ ସଂଗ୍ରହାଳୟର ଭୂମିକାକୁ ଏଡାଇ ଦେଇ ହେବନାହିଁ । ସାଂସ୍କୃତିକ ଭାବ ବିନିମୟ ପାଇଁ ମ୍ୟୁଜିୟମ୍‌ ବା ସଂଗ୍ରହାଳୟଗୁଡିକର ବେଶ୍ ଗୁରୁତ୍ୱ ରହିଛି, ତେଣୁ ସଂଗ୍ରହାଳୟକୁ ନେଇ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଇଣ୍ଟରନ୍ଯାସନାଲ କାଉନସିଲ ଅଫ ମ୍ୟୁଜିୟମ ୧୯୭୭ ମସିହାରେ ଏହି ଦିବସର ଆରମ୍ଭ କରିଥିଲା । ସେହି ବର୍ଷଠାରୁ ପ୍ରତିବର୍ଷ ଏହି ଦିବସ ପାଳନ ହୋଇ ଆସୁଛି ।

ପ୍ରତିବର୍ଷ ଏହି ଦିବସ ପାଇଁ ନୂଆ ନୂଆ ଥିମ୍‌ ରଖାଯାଇଥାଏ । ଚଳିତ ବର୍ଷ ଏହି ଦିବସର ଥିମ୍‌ ରହିଛି - ଦ ପାୱାର ଅଫ ମ୍ୟୁଜିୟମ ବା ସଂଗ୍ରହାଳୟର ଶକ୍ତି । ଅତୀତକୁ ଚିହ୍ନାଇ ଭବିଷ୍ୟତକୁ ବାଟ କଢାଇବାରେ ବେଶ ସାହାଯ୍ୟ କରେ ସଂଗ୍ରହାଳୟ । ଏକ ଜାତି ବା ଦେଶର ଶକ୍ତି ଭାବେ ମଧ୍ୟ ଉଭା ହୋଇଥାଏ ସଂଗ୍ରହାଳୟ । ସଂଗ୍ରହାଳୟରେ ରହିଥିବା ଅତୀତର ଅନେକ ଗହନ କଥା ଆମ ସ୍ୱର୍ଣ୍ଣିମ ଭବିଷ୍ୟତ ପାଇଁ ବେଶ ଉପାଦେୟ । ତେଣୁ ଆଜିର ଦିନରେ ସଂଗ୍ରହାଳୟର ଶକ୍ତିକୁ ଚିହ୍ନିବା ଆମ ସମୟର ସବୁଠୁ ବଡ ଆବଶ୍ୟକତା । ଏବେ ବି ଅତୀତର କିଛି ସ୍ମାରକୀଗୁଡ଼ିକ କେତେକ ସ୍ଥାନରେ ଅବହେଳିତ, ଅଲୋଡ଼ା ତଥା ନଷ୍ଟ ହେବା ଅବସ୍ଥାରେ ରହିଛି । ତେବେ ଆସନ୍ତୁ ଆଜିର ଏହି ଦିବସରେ ଅବହେଳିତ ଓ ନଷ୍ଟ ହୋଇଯାଉଥିବା ଅତୀତର ସ୍ମାରକୀଗୁଡିକର ସୁରକ୍ଷା ଦିଗରେ ସମସ୍ତେ ମିଳିମିଶି କାର୍ଯ୍ୟ କରିବା ।