ପୁରୁଷଙ୍କ ପାଇଁ ଦିନଟିଏ

ଭାରତରେ ୨୦୦୭ ମସିହାରେ ପ୍ରଥମଥର ପାଇଁ ଅନ୍ତର୍ଜାତୀୟ ପୁରୁଷ ଦିବସର ପାଳନ କରାଯାଇଥିଲା । ଏହି ଦିବସ ପାଳନର ମୂଳ ଉଦ୍ଦେଶ୍ୟ ହେଉଛି ପୁରୁଷମାନଙ୍କ ସମସ୍ୟା ବିଷୟରେ ମୌଳିକ ସଚେତନତା ସୃଷ୍ଟି କରିବା ।


ଆଜି ହେଉଛି ଅନ୍ତର୍ଜାତୀୟ ପୁରୁଷ ଦିବସ । ସଂସାର ଚକରେ ନାରୀ ଓ ପୁରୁଷ ଦୁଇଟି ଚକ । ଉଭୟଙ୍କର ସହଭାଗିତା ହିଁ ଏକ ସୁସ୍ଥ ସଂସାର ସୃଷ୍ଟି କରିଥାଏ । ସମାଜରେ ନାରୀର ଯେତିକି ଗୁରୁତ୍ୱ ରହିଛି ଜଣେ ପୁରୁଷର ବି ସେତିକି ଗୁରୁତ୍ୱ ରହିଛି ।

ପୁରୁଷ ହେବା ଏତେ ସହଜ ନୁହେଁ, ଜୀବନର ପ୍ରତ୍ୟେକ ସୋପାନରେ ସେ ନିଜକୁ ସଠିକ ପ୍ରମାଣିତ କରିବା ପାଇଁ ଅନେକ ସଙ୍ଘର୍ଷ କରେ । ଭାରତୀୟ ସମାଜରେ ପୁରୁଷ ହେଉଛି ଘରର ମେରୁଦଣ୍ଡ । ପରିବାର ମୁଖିଆ ରୂପେ ସେ ଅନେକ ଦାୟିତ୍ୱ ଗ୍ରହଣ କରେ । ବାପା ରୂପେ ସେ ପରିବାରର ସମସ୍ତ ଦାୟିତ୍ୱ ତୁଲାଉଥିବାବେଳେ ଭାଇ, ସ୍ୱାମୀ, ପୁଅ ଆଦି ସବୁ ଭୂମିକାରେ ସେ ନିଜର ତ୍ୟାଗ ଓ ବଳିଦାନର ପରାକାଷ୍ଠା ଦେଖାଏ । ପ୍ରତ୍ୟେକ ଦିନ ରୋଜଗାର ଚିନ୍ତାରେ ସେ ନିଜକୁ ଭୁଲିଯାଏ । ନିଜ କାମକୁ ନେଇ ତତ୍ପରତା ଦେଖାଏ । ପିଲାଟି ଦିନରୁ ବଡ ହେବା ଯାଏ ପ୍ରତ୍ୟେକ ସୋପାନରେ ସେ ନିଜକୁ ପ୍ରତିପାଦିତ କରେ ।

ତେବେ ଭାରତରେ ୨୦୦୭ ମସିହାରେ ପ୍ରଥମଥର ପାଇଁ ଏହି ଦିବସର ପାଳନ କରାଯାଇଥିଲା । ଏହି ଦିବସ ପାଳନର ମୂଳ ଉଦ୍ଦେଶ୍ୟ ହେଉଛି ପୁରୁଷମାନଙ୍କ ସମସ୍ୟା ବିଷୟରେ ମୌଳିକ ସଚେତନତା ସୃଷ୍ଟି କରିବା ସହ ପୁରୁଷ ଆଦର୍ଶକୁ ଆଲୋକିତ କରିବା ଏବଂ ପୁରୁଷତ୍ୱର ସକରାତ୍ମକ ଅଭିବ୍ୟକ୍ତିକୁ ପ୍ରୋତ୍ସାହିତ କରିବା । ଚଳିତ ବର୍ଷ ଅନ୍ତର୍ଜାତୀୟ ପୁରୁଷ ଦିବସର ପ୍ରସଙ୍ଗ ରହିଛି - "ହେଲପିଙ୍ଗ ମେନ ଆଣ୍ଡ ବଏଜ ଅର୍ଥାତ ପୁରୁଷ ଏବଂ ବାଳକମାନଙ୍କୁ ସାହାଯ୍ୟ କରିବା"।

ସମାଜ ପ୍ରତି ପୁରୁଷଙ୍କ ଉତ୍ତରଦାୟିତ୍ବ ତଥା ସେମାନଙ୍କର ଅବଦାନ ପାଇଁ ଗୋଟିଏ ଦିନ ପାଳନ କରାଯିବା ଉଚିତ । ଏଥିପାଇଁ ଅନ୍ତର୍ଜାତୀୟ ପୁରୁଷ ଦିବସର ପରିକଳ୍ପନା । ଆହୁରି ମଧ୍ୟ ଅନ୍ତର୍ଜାତୀୟ ପୁରୁଷ ଦିବସ ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହିତ କରିଥାଏ । ତେବେ ଆଜିର ଦିନରେ ସମାଜ ପ୍ରତି ପୁରୁଷମାନଙ୍କ ଅବଦାନ ତଥା ଆମ ଜୀବନରେ ରହିଥିବା ସମସ୍ତ ପୁରୁଷଙ୍କ ଅବଦାନକୁ ମନେପକାଇବାର ଆବଶ୍ୟକତା ରହିଛି ।

ସମଗ୍ର ବିଶ୍ୱରେ ନାରୀ ସ୍ୱାଧୀନତା ଓ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ନେଇ ଯେଉଁ ଉତ୍ସାହ ପରିଲକ୍ଷିତ ହୁଏ, ତାହା ଅନ୍ତର୍ଜାତୀୟ ପୁରୁଷ ଦିବସରେ ଦେଖିବାକୁ ମିଳେ ନାହିଁ । ପୁରୁଷ ପ୍ରଧାନ ସମାଜରେ ଯେ ପୁରୁଷ ସବୁବେଳେ କଠୋର ଓ ଦୃଢ ବୋଲି ଏକ ବଦ୍ଧ ଧାରଣା ଆମର ରହିଆସିଛି । କିନ୍ତୁ ସତରେ କଣ ପୁରୁଷର ଜୀବନ ଏତେ ସହଜ । ସତରେ କଣ ପୁରୁଷ କେବେ ବି ଘରୋଇ ହିଂସାର ଶିକାର ହୁଏ, କଣ ପୁରୁଷ ପାଇଁ ଏକ କମିଶନର ଆବଶ୍ୟକତା ଅଛି । ପୁରୁଷ ପାଇଁ କଣ ଆମର ନ୍ୟାୟିକ ପ୍ରଣାଳୀରେ କିଛି ପରିବର୍ତ୍ତନ ହେବାର ଆବଶ୍ୟକତା ରହିଛି । ନିଶ୍ଚିତ ରୂପେ ହଁ, କାରଣ ଆଜିର ସମାଜରେ ପୁରୁଷ କେଉଁଠି ନା କେଉଁଠି ହିଂସାର ଶିକାର ହେଉଛି । ପୁରୁଷ ବି ମାନସିକ ସ୍ତରରେ ଉପେକ୍ଷିତ ହେଉଛି । ପୁରୁଷ ବି ନିର୍ଯାତିତ ହେଉଛି । ନାରୀ ପରି ପୁରୁଷକୁ ମଧ୍ୟ ନିଜ ପାଇଁ ସ୍ୱର ଉଠାଇବାର ଆବଶ୍ୟକତା ରହିଛି । ଆସନ୍ତୁ ଆଜିର ଦିନରେ ଜଣେ ପୁରୁଷର ତ୍ୟାଗ ଓ ବଳିଦାନକୁ ହୃଦୟଙ୍ଗମ କରିବା ସହ ଆମ ଜୀବନର ପ୍ରତିଟି ପୁରୁଷକୁ ଆଜି ଦିନର ଶୁଭକାମନା ଜଣାଇବା ।

Report an Error