କୁକୁର ଆଉ ମଣିଷ - ନିଆରା ସମ୍ପର୍କ

କୁକୁର ଆଉ ମଣିଷର ସମ୍ପର୍କ ବେଶ ନିଆରା । ଏହି ଦୁହିଁଙ୍କ ଭଲପାଇବା ସବୁବେଳେ ଚର୍ଚ୍ଚାରେ ରହିଥାଏ । ବିଶ୍ୱସ୍ତ ପ୍ରାଣୀ ଭାବେ କୁକୁର ମଣିଷର ସବୁବେଳେ ଉତ୍ତମ ବନ୍ଧୁ ହୋଇ ରହିଛି । ବିଶ୍ୱସ୍ତ ପ୍ରାଣୀ କୁକୁରକୁ ନେଇ କିଛି କଥା ।


ବିଶ୍ୱସ୍ତ ପ୍ରାଣୀ ଭାବେ କୁକୁର ମଣିଷର ସବୁବେଳେ ଉତ୍ତମ ବନ୍ଧୁ ହୋଇ ରହିଛି । ଆଜି ଏହି ବିଶ୍ୱସ୍ତ ପ୍ରାଣୀ କୁକୁରର ଦିନ । ଗୃହପାଳିତ ପଶୁ ଏବଂ ପରିବାର ଜୀବନଶୈଳୀ ବିଶେଷଜ୍ଞ ତଥା କୁକୁର ପ୍ରଶିକ୍ଷକ କୋଲିନ ପୈଜଙ୍କ ଦ୍ବାରା ୨୦୦୪ରୁ ଆଜିର ଦିନକୁ ଜାତୀୟ କୁକୁର ଦିବସ ଭାବେ ଘୋଷଣା ହୋଇଥିଲା । ସେବେଠାରୁ ଅଗଷ୍ଟ ୨୬କୁ ଅନ୍ତର୍ଜାତୀୟ କୁକୁର ଦିବସ ଭାବେ ପାଳନ କରାଯାଉଛି । ଏଥି ସହ କୁକୁର ପାଳନ କରିବା ତଥା କୁକୁର ପାଳନ କରୁଥିବା ମାଲିକଙ୍କୁ ଉତ୍ସାହିତ କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ । ଏହା ସହ ଏହି ଦିବସଟି କୁକୁରଙ୍କୁ ଉଦ୍ଧାର କରିବା ସହ କୁକୁର ସୁରକ୍ଷା ଅଭିଯାନକୁ ପ୍ରୋତ୍ସାହିତ କରିଥାଏ ।

କୁକୁର ଆଉ ମଣିଷର ସମ୍ପର୍କ ବେଶ ନିଆରା । ଏହି ଦୁହିଁଙ୍କ ଭଲପାଇବା ସବୁବେଳେ ଚର୍ଚ୍ଚାରେ ରହିଥାଏ । ୟେ ଏମିତି ଏକ ସମ୍ପର୍କ ଯେଉଁଥିରେ ସ୍ୱାର୍ଥ ନାହିଁ, କି ଲୋଭ ନାହିଁ । ମଣିଷ ଓ କୁକୁରର ସମ୍ପର୍କ ବହୁ ପୁରୁଣା । ମହାଭାରତ ହେଉ କି ରାମାୟଣ ସବୁଠି କୁକୁରର ଅବତାରଣା କରାଯାଇଛି । ପାଣ୍ଡବମାନେ ସ୍ୱର୍ଗ ଗମନ ସମୟରେ ପଂଚୁ ପାଣ୍ଡଵଙ୍କ ସହ କୁକୁର ମଧ୍ୟ ଯାଇଥିଲା । ସେହିପରି ରାମାୟଣରେ ଏକ ଆଖ୍ୟାନ ଅନୁସାରେ କୁକୁର ଓ ବ୍ରାହ୍ମଣର କାହାଣୀ ସର୍ବଜନବିଦିତ । ଭାରତୀୟ ପରମ୍ପରାରେ କୁକୁରର ବିବାହ ମଧ୍ୟ ଦେଖାଯାଏ । ଦାମ୍ପତ୍ୟ ଜୀବନରେ ଆସୁଥିବା ସମ୍ଭାବ୍ୟ ବିପଦକୁ ଦୂର କରିବା ପାଇଁ କୁକୁର ବିବାହ କରାଯାଏ ।

ପୋଷା ପଶୁ ମଧ୍ୟରେ କୁକୁରର ଚାହିଦା ସବୁଠାରୁ ଅଧିକ । ଆଜିକାଲି ପ୍ରାୟ ସମସ୍ତଙ୍କ ଘରେ କୁକୁର ଦେଖିବାକୁ ମିଳେ । ମଣିଷ ଭଳି କୁକୁର ମଧ୍ୟ ଘରେ ରୁହେ ଆଉ ଭଲ ପାଇବା ପାଏ । ଆଜିକାଲିର ଏକାକୀ ଜୀବନରେ କୁକୁର ନୂଆ ସମ୍ଭାବନା ଆଣିଦେଉଛି । କୁକୁର ମଣିଷର ଭାବାବେଗକୁ ଅତି ସହଜରେ ବୁଝିପାରେ । ମାଲିକ ପ୍ରତି ତାର ଦାୟିତ୍ୱକୁ ସେ ଉତ୍ତମ ରୂପେ ପାଳନ କରେ । ଆଜିକାଲି ସମୟରେ ସହରୀ ଜୀବନରେ କୁକୁର ପୋଷିବା ଯଦିଓ ଏକ ସଉକର ବିଷୟ ହୋଇଛି, ମାତ୍ର କୁକୁର ପାଳିବାର ବିଭିନ୍ନ ସକାରତ୍ମକ ଦିଗକୁ ମଧ୍ୟ ଅଣଦେଖା କରିହେବ ନାହିଁ । ଏକୁଟିଆ ରହିବା ସମୟରେ କୁକୁର ଆପଣଙ୍କୁ ସୁରକ୍ଷା ଦେବା ସହ ଆପଣ କୁକୁର ପାଇଁ ମଧ୍ୟ ମାନସିକ ଓ ଶାରୀରିକ ସ୍ତରରେ ସକ୍ରିୟ ରହିପାରିବେ ।

ତେବେ କୁକୁର ମଣିଷର ସମ୍ପର୍କ ଯେମିତି ମଧୁର, ସେମିତି ଏହି ସମ୍ପର୍କରେ ମଧ୍ୟ ସଂଘର୍ଷ ଦେଖିବାକୁ ମିଳେ । କେବେକେବେ ମଣିଷ ଅଵିଵେକୀ ଭାବେ କୁକୁରକୁ ବିଷ ଦେବା ପରି ଘଟଣା ହେଉ କି ଗାଡି ଚଢାଇ କୁକୁରଙ୍କୁ ମାରିଦେବା ପରି ଖବର ମଧ୍ୟ ଆମ ସାମ୍ନାକୁ ଆସେ । ଆହୁରି ପୁଣି ଗାଡି ଚାଳକମାନଙ୍କ ଅସାବଧାନତା ଯୋଗୁଁ କୁକୁରମାନେ ଅସୁବିଧାରେ ପଡୁଛନ୍ତି । ଅପରପକ୍ଷରେ ବୁଲା କୁକୁରଙ୍କ ଦୌରାତ୍ମ୍ଯ ମଧ୍ୟ ଦୃଷ୍ଟିଗାେଚର ହୁଏ । ତେବେ ବୁଲା କୁକୁରଙ୍କ ବଂଶ ହ୍ରାସ ପାଇଁ ସରକାରୀ ସ୍ତରରେ ଯୋଜନା ଥିବା ସତ୍ତ୍ୱେ ଏହା କାର୍ଯ୍ୟକାରୀ ସଠିକ ଭାବେ ହେଉନାହିଁ, ଯାହାଫଳରେ ବୁଲା କୁକୁରଙ୍କ ବଂଶ ବୃଦ୍ଧି ପାଇଚାଲିଛି । ଏନେଇ ସରକାରୀ ସ୍ତରରେ ଯଥେଷ୍ଟ ପଦକ୍ଷେପ ନେବା ଜରୁରୀ ।

ଆମ ଗପ ଆଉ କାହାଣୀରେ କୁକୁର ଏକ ଲୋକପ୍ରିୟ ପାତ୍ର । କେବଳ କାହାଣୀରେ ନୁହେଁ, ପରଦାରେ ମଧ୍ୟ କୁକୁର କୌଣସି ସୁପର ହିରୋ ଠୁ କମ ନୁହେଁ । ମଣିଷ ଆଉ କୁକୁରର ଅନାବିଳ ସମ୍ପର୍କକୁ ନେଇ ଅନେକଗୁଡିଏ ଭାରତୀୟ ସିନେମା ନିର୍ମାଣ ହୋଇଛି । ଏହି କ୍ରମରେ ରାଜଶ୍ରୀ ପ୍ରଡକସନର ଲୋକପ୍ରିୟ ସିନେମା ତଥା ସଲମାନ ଖାନ - ମାଧୁରୀ ଦୀକ୍ଷିତଙ୍କ ଅଭିନୀତ ‘ହମ ଆପକେ ହୈ କୌନ’ ସିନେମାରେ କୁକୁରର ଚିତ୍ରଣ ବେଶ ବଳିଷ୍ଠ । ଏହି ସିନେମାରେ ଥିବା କୁକୁର ଟଫି ଦର୍ଶକଙ୍କ ପ୍ରିୟଭାଜନ ହୋଇପାରିଥିଲା । ସେହିପରି ଜାକି ଶ୍ରଫଙ୍କ ଅଭିନୀତ ‘ତେରୀ ମେହେରବାନିୟାଁ’ରେ ବ୍ରାଉନି ହେଉ ବା 'ବୋଲ ରାଧା ବୋଲ'ର ମୋତି, 'ମା' ସିନେମାର ଡ଼ବି, 'ଚିଲ୍ଲର ପାର୍ଟି'ର ଭିଡୁ ହେଉ କିମ୍ବା ଅକ୍ଷୟ କୁମାରଙ୍କ ଅଭିନୀତ ‘ଏଣ୍ଟରଟେନମେଣ୍ଟ’ ସିନେମାର ଏଣ୍ଟରଟେନମେଣ୍ଟ ଆଜି ବି ବେଶ ଲୋକପ୍ରିୟ । କେବଳ ହିନ୍ଦୀ ସିନେମା ନୁହେଁ ଅନ୍ୟାନ୍ୟ ଭାଷାରେ ନିର୍ମିତ ସିନେମାଗୁଡିକରେ ମଧ୍ୟ କୁକୁର ବେଶ ପ୍ରଭାବଶାଳୀ ଭାବେ ପରଦାରେ ଉଭା ହୋଇଛନ୍ତି । କନ୍ନଡ ଭାଷାରେ ପ୍ରସ୍ତୁତ ସିନେମା 'ଚାର୍ଲି'ରେ ମଣିଷ ଆଉ କୁକୁରର ନିଆରା ସମ୍ପର୍କ ଦେଖିବାକୁ ମିଳିଥିଲା । ସେହିପରି ଓଡ଼ିଆରେ ନିର୍ମିତ ‘କୃଷ୍ଣା କାବେରୀ’, ‘ବାବୁ ଆଇ ଲଭ ୟୁ’, ‘ଯେ ପାଞ୍ଚେ ପର ମନ୍ଦ’ ପରି ସିନେମାରେ କୁକୁରର ଜଲୱା ଦେଖିବାକୁ ମିଳିଥିଲା । ତେବେ ଆସନ୍ତୁ ଆଜି ଅନ୍ତର୍ଜାତୀୟ କୁକୁର ଦିବସ ଅବସରରେ ପୋଷା କୁକୁର ତଥା କୁକୁର ମାଲିକଙ୍କ ପ୍ରତି ସହନଶୀଳ ହେବା ।

Report an Error