ଆଦିବାସୀଙ୍କ ପାଇଁ ଦିନଟିଏ

ଆଜି ହେଉଛି ଆନ୍ତର୍ଜାତିକ ଜନଜାତି ଦିବସ । ଆଦିବାସୀଙ୍କ ପାଇଁ ଦିନଟିଏ । ଏହି ଦିନଟି ପୃଥିବୀର ଆଦିବାସୀମାନଙ୍କ ଅଧିକାରର ସୁରକ୍ଷା ପାଇଁ ପାଳନ କରାଯାଏ । ଏହି ଦିବସକୁ ନେଇ କିଛି କଥା ....


ଆଜି ହେଉଛି ଆନ୍ତର୍ଜାତିକ ଜନଜାତି ଦିବସ । ଏହାକୁ ମଧ୍ୟ ଆଦିବାସୀ ଦିବସ କୁହାଯାଏ । ୧୯୮୨ ମସିହାରେ ଆଦିବାସୀଙ୍କ ଭାଷା, ସଂସ୍କୃତି, ମୌଳିକ ଅଧିକାର ପାଇଁ ସଂଯୁକ୍ତ ରାଷ୍ଟ୍ର ସଂଘ ଏକ କମିଟି ଗଠନ କରିଥିଲା । ଏହି କମିଟିର ପ୍ରଥମ ବୈଠକ ୧୯୮୨ ମସିହା ଅଗଷ୍ଟ ୯ ତାରିଖରେ ବସିଥିଲା । ସେବେଠାରୁ ପ୍ରତ୍ୟେକ ବର୍ଷ ଅଗଷ୍ଟ ୯ ତାରିଖକୁ ଆଦିବାସୀ ଦିବସ ରୂପେ ସମଗ୍ର ବିଶ୍ବରେ ପାଳନ କରାଯାଉଛି । ବିଶେଷକରି ଏହି ଦିନଟି ପୃଥିବୀର ଆଦିବାସୀମାନଙ୍କ ଅଧିକାରର ସୁରକ୍ଷା ପାଇଁ ପାଳନ କରାଯାଏ । ଏଇ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆଦିବାସୀଙ୍କ ଶିକ୍ଷା, ସଂସ୍କୃତି, ଅର୍ଥନୈତିକ ଏବଂ ସାମାଜିକ ବିକାଶ, ପରିବେଶ ଏବଂ ଏହି ସମ୍ପ୍ରଦାୟର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପ୍ରସଙ୍ଗଗୁଡ଼ିକ ଉପରେ କାର୍ଯ୍ୟ କରିବା । ଶିକ୍ଷା, ସ୍ବାସ୍ଥ୍ଯ ଓ ବିକାଶ ସମ୍ପର୍କରେ ସଚେତନ କରି ସେମାନଙ୍କୁ ସମାଜର ମୁଖ୍ଯସ୍ରୋତରେ ସାମିଲ୍ କରାଇବା । ଆଦିବାସୀ ସମ୍ପ୍ରଦାୟର ଅବଦାନ ଏବଂ ସଫଳତାକୁ ବିଶ୍ୱସ୍ତରୀୟ କରିବା ମଧ୍ୟ ଏହି ଦିବସର ଅନ୍ଯତମ ଲକ୍ଷ୍ଯ ।

ତେବେ ପ୍ରତିବର୍ଷ ମିଳିତ ଜାତିସଂଘ ଏହି ଦିବସ ପାଳନ ପାଇଁ ଏକ ଥିମ୍ ବା ବିଷୟବସ୍ତୁ ଚୟନ କରିଥାନ୍ତି । ସେଇ କ୍ରମରେ ଚଳିତ ବର୍ଷର ବିଷୟବସ୍ତୁ ରହିଛି ‘ପାରମ୍ପରିକ ଜ୍ଞାନର ସଂରକ୍ଷଣ ଏବଂ ପ୍ରସାରରେ ଆଦିବାସୀ ମହିଳାଙ୍କ ଭୂମିକା’। ଏହି ଥିମ ଜରିଆରେ ଆଦିବାସୀ ସମ୍ପ୍ରଦାୟର ମହିଳାମାନେ ସେମାନଙ୍କର ପରମ୍ପରା ଏବଂ ସଂସ୍କୃତିକୁ ଆଗେଇ ନେବାରେ ଯେଉଁ ଭୂମିକା ଗ୍ରହଣ କରନ୍ତି ତାହା ଉପରେ ଗୁରୁତ୍ୱାରୋପ କରାଯିବ ।

ଆଦିବାସୀ ଶବ୍ଦର ଅର୍ଥ ହେଉଛି କୌଣସି ଦେଶ ବା ରାଜ୍ୟରେ ବସବାସ କରୁଥିବା ମୂଳ ନିବାସୀ । ଆଦିବାସୀ ହେଉଛନ୍ତି ଆମ ସଭ୍ୟତାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ପ୍ରକୃତିର ଉପାସକ ହେଉଛନ୍ତି ଆଦିମ ଆଦିବାସୀ । ପ୍ରକୃତିପ୍ରେମୀ ଆଦିବାସୀମାନଙ୍କ ପାଖରେ ପାରମ୍ପରିକ ଜ୍ଞାନର ଏକ ଭଣ୍ଡାର ରହିଥାଏ । ସେଇ ଜ୍ଞାନ ଆମ ସମୟ ଓ ସମାଜ ପାଇଁ ଅତ୍ୟନ୍ତ ଉପାଦେୟ ।

ସମ୍ପ୍ରତି ଭାରତର ପ୍ରଥମ ନାଗରିକ ପଦ ଅଳଙ୍କୃତ କରିଥିବା ମହାମହିମ ରାଷ୍ଟ୍ରପତି ଜଣେ ସାନ୍ତାଳ ଆଦିବାସୀ । ଆଦିବାସୀ ସମ୍ପ୍ରଦାୟର ଝିଅ ଦ୍ରୌପଦୀ ମୁର୍ମୁଙ୍କ ଭାରତର ସର୍ବୋଚ୍ଚ ସାମ୍ବିଧାନିକ ପଦବୀକୁ ଯାତ୍ରା ଭାରତରେ ଆଦିବାସୀଙ୍କ ଗଣତାନ୍ତ୍ରିକ ଯାତ୍ରାର ଏକ ନୂତନ କାହାଣୀ କହୁଛି । ଆଧୁନିକ ସମୟରେ ଆଦିବାସୀମାନେ ସମାଜର ମୁଖ୍ଯସ୍ରୋତରେ ନିଜକୁ ସାମିଲ କରି ଆଗକୁ ବଢୁଛନ୍ତି । ସେହିପରି ପଦ୍ମଶ୍ରୀ ଉପାଧିରେ ସମ୍ମାନିତ ହୋଇଥିବା କର୍ଣ୍ଣାଟକର ତୁଳସୀ ଗୌଡ଼ା ହୁଅନ୍ତୁ ଅଥବା ତୁଳସୀ ମୁଣ୍ଡା । ଆଦିବାସୀ ମହିଳା ଭାବେ ସମାଜ ପାଇଁ ସେମାନେ କାମ କରି ବେଶ ଚର୍ଚ୍ଚାରେ । କର୍ଣ୍ଣାଟକର ହାଲକ୍କି ଜନଜାତିର ତୁଳସୀ ଗୌଡ଼ା ବୃକ୍ଷମାତା ରୂପେ ପରିଚିତା । ସେ ୩୦,୦୦୦ରୁ ଉର୍ଦ୍ଧ୍ବ ଗଛ ଲଗାଇ ପାଲଟିଛନ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ । ତେବେ ସବୁଠୁ ଚର୍ଚ୍ଚାର ବିଷୟ ହେଉଛି ତାଙ୍କ ସରଳ ଜୀବନଯାପନ । ଜଣେ ଆଦିବାସୀ ଭାବେ ପ୍ରକୃତି ଓ ପରିବେଶ ପ୍ରତି ତାଙ୍କ ଅବଦାନ ସତରେ ଅତୁଳନୀୟ । ଆଦିବାସୀ ଜୀବନ ଓ ସଂସ୍କୃତିକୁ ଭଲ ପାଉଥିବା ତୁଳସୀ ଲେଖାପଢ଼ା ଜାଣିନଥିଲେ ବି ବୃକ୍ଷ ଆଉ ଜଡିବୁଟିରେ ରହିଛି ତାଙ୍କର ଅସାଧାରଣ ଦକ୍ଷତା । ସରଳ ଆଦିବାସୀମାନେ ପ୍ରାୟ ଏମିତି । ପ୍ରକୃତିର ମଣିଷ । ପ୍ରକୃତିକୁ ଭଲ ପାଆନ୍ତି, ପ୍ରକୃତିକୁ ପୂଜା କରନ୍ତି ଆଉ ପ୍ରକୃତି ଭିତରେ ରୁହନ୍ତି । ସେହିପରି ଓଡ଼ିଶାର ତୁଳସୀ ମୁଣ୍ଡା । ଜଣେ ସମାଜସେବୀ ଭାବେ ଆଦିବାସୀ ପିଲାଙ୍କ ଶିକ୍ଷା ଓ ଅଧିକାର ପାଇଁଁ ସେ ସର୍ବଦା ତତ୍ପର ଓ ଆଗ୍ରହୀ । ମୁକ୍ତ ଶିକ୍ଷାଦାନ ଦେବାଠାରୁ ଆରମ୍ଭ କରି ଆବାସିକ ବିଦ୍ୟାଳୟ ସ୍ଥାପନ କରି ସେ ସମାଜ ପାଇଁ ସୃଷ୍ଟି କରିଛନ୍ତି ଉଦାହରଣ । ଆସନ୍ତୁ ଆମେ ଆଜି ଆଦିବାସୀ ଦିବସ ଅବସରରେ ପ୍ରକୃତି ମଣିଷ ଆଦିବାସୀମାନଙ୍କ ସମ୍ପର୍କରେ କିଛି ଆଲୋଚନା କରିବା ।

ଭାରତବର୍ଷରେ ସର୍ବାଧିକ ଜନଜାତି ଥିବା ରାଜ୍ୟ ହେଲା ଓଡ଼ିଶା । ଓଡ଼ିଶାରେ ପ୍ରାୟ ୬୨ଟି ଆଦିବାସୀ ସମ୍ପ୍ରଦାୟର ଲୋକ ବସବାସ କରନ୍ତି । ତେବେ ୬୨ ପ୍ରକାରର ଜନଜାତି ମଧ୍ୟରୁ ଏବେ ୨୫ ପ୍ରକାରର ଜନଜାତି ରହିଥିବାର ସୂଚନା ରହିଛି । ଓଡ଼ିଶା ଜନସଂଖ୍ୟାର ପ୍ରାୟ ୨୪ ପ୍ରତିଶତ ହେଉଛନ୍ତି ଆଦିବାସୀ । ରାଜ୍ୟରେ ରହିଛି ୯ଟି ଆଦିବାସୀ ବହୁଳ ଜିଲ୍ଲା ।

ବିଶେଷକରି ଓଡ଼ିଶାର କୋରାପୁଟ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, କନ୍ଧମାଳ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି ସମେତ ନବରଙ୍ଗପୁରରେ ପ୍ରାୟ ୫୦ ପ୍ରତିଶତ ଆଦିବାସୀ ବସବାସ କରନ୍ତି । ଚାଷ କରିବା, ଶିକାର କରିବା, ଜଙ୍ଗଲଜାତ ଦ୍ରବ୍ୟର ସଂଗ୍ରହ କରିବା ଏମାନଙ୍କର ମୁଖ୍ୟ କାର୍ଯ୍ୟ । ତେବେ ନିଆରା ଏମାନଙ୍କର ଜୀବନଶୈଳୀ । ଏମାନେ ବି ପର୍ବ ପାଳନ୍ତି, ପୂଜା କରନ୍ତି, ପ୍ରକୃତିର ଖୁସିରେ ଝୁମି ଯାଆନ୍ତି । ସରଳ, ନିଷ୍କପଟ ଏହି ଆଦିବାସୀମାନେ ଆମ ଦେଶ ତଥା ଜାତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ।

ସଂଖ୍ୟାତ୍ମକ ଦୃଷ୍ଟିରୁ କନ୍ଧ ଜନଜାତି ହେଉଛି ଆମ ରାଜ୍ୟର ସବୁଠାରୁ ବଡ ଜନଜାତି । ସେମାନଙ୍କର ଜନସଂଖ୍ୟା ପ୍ରାୟ ଏକ ନିୟୁତ ଏବଂ ସେମାନେ ମୁଖ୍ୟତ କନ୍ଧମାଳ ଏବଂ ଏହାର ସଂଲଗ୍ନ ଜିଲ୍ଲା ଯଥା ରାୟଗଡ଼ା, କୋରାପୁଟ, ବଲାଙ୍ଗୀର ଏବଂ ବୌଦ୍ଧ ଜିଲ୍ଲାମାନଙ୍କରେ ବସବାସ କରନ୍ତି । ପ୍ରାୟତଃ ଚାରିପ୍ରକାରର କନ୍ଧ ଅଛନ୍ତି । ସେମାନେ ହେଲେ - କୁଟିଆ କନ୍ଧ, ଡଙ୍ଗରିଆ କନ୍ଧ, ଜଙ୍ଗଲୀ କନ୍ଧ ଓ ଦେଶିଆ କନ୍ଧ । ଏମାନେ ମୁଖ୍ୟତଃ କନ୍ଧମାଳ ଜିଲ୍ଲା, ରାୟଗଡା ଜିଲ୍ଲାର ନିୟମଗିରି ପର୍ବତଶ୍ରେଣୀ ଓ କଳାହାଣ୍ଡି ଅଞ୍ଚଳରେ ଦେଖାଯାନ୍ତି । ଏମାନେ ଶାନ୍ତିପ୍ରିୟ ଓ ଅତି ସରଳ ଜୀବନ ଯାପନ କରନ୍ତି । ଏମାନେ ଏକ ବିଶେଷ ଭାଷା ବ୍ୟବହାର କରନ୍ତି, ଯାହାକୁ ‘କୁଇ’ କୁହାଯାଏ ।

କନ୍ଧଙ୍କ ପରେ ଜନସଂଖ୍ୟା ଦୃଷ୍ଟିରୁ ସାନ୍ତାଳମାନଙ୍କ ସଂଖ୍ୟା ଅଧିକ ରହିଛି । ଏମାନେ ମୁଖ୍ୟତଃ ମୟୂରଭଞ୍ଜ ଜିଲ୍ଲାରେ ବାସ କରନ୍ତି । ସେହିପରି ଓଡ଼ିଶାର ରାୟଗଡ଼ା ଓ ଗଜପତି ଜିଲ୍ଲାର ମାଳ ଅଞ୍ଚଳରେ ବିଶେଷକରି ଲାଞ୍ଜିଆ ସଉରାମାନେ ବହୁ ସଂଖ୍ୟାରେ ଦେଖିବାକୁ ମିଳନ୍ତି । ସଉରା ଜାତିର ଆଦିବାସୀମାନେ ଆମ ଦେଶର ସବୁଠାରୁ ଆଦିମ ଜନଜାତି ବୋଲି ବିଶ୍ବାସ କରାଯାଏ । ସେହିପରି ହୋ ଜନଜାତିର ଅଧିକ ସଂଖ୍ୟକ ଲୋକ ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ବାଲେଶ୍ଵର, ଭଦ୍ରକ, ସମ୍ବଲପୁର, ସୋନପୁର, ଦେବଗଡ଼, ଢେଙ୍କାନାଳ, ଅନୁଗୋଳ, ଝାରସୁଗୁଡ଼ା, ସୁନ୍ଦରଗଡ଼, କନ୍ଧମାଳ ଜିଲ୍ଲାମାନଙ୍କରେ ବସବାସ କରନ୍ତି । ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ‘ବଣ୍ଡା’ ନାମକ ଏକ ଆଦିବାସୀ ସଂପ୍ରଦାୟ ବାସ କରନ୍ତି । ଏହି ଜନଜାତିର ସ୍ବାତନ୍ତ୍ର୍ୟ ହେଲା ସେମାନଙ୍କର ବେଶଭୂଷା ଓ ଦୁର୍ଦ୍ଧଷ ଜୀବନଶୈଳୀ । ବଣ୍ଡା ପୁରୁଷମାନେ ପ୍ରାୟ ସବୁବେଳେ ଧନୁତୀର ପାଖରେ ରଖିଥାନ୍ତି । ମହିଳାମାନେ ଗଳାରେ ଧାତବ ବଳା ପିନ୍ଧନ୍ତି ଓ ବେକରୁ ମାଳି ଗୋଛାଏ ଝୁଲାଇଥାନ୍ତି ।

ଓଡ଼ିଶାର କୋରାପୁଟ ଅଂଚଳକୁ ଛାଡିଦେଲେ ଆଉ କୋଉଠି ପରଜା ଜନଜାତି ଦେଖାଯାନ୍ତି ନାହିଁ । ଏହି ଜନଜାତିର ବହୁ ପ୍ରକାର ରହିଥିବାବେଳେ ଓଡ଼ିଶାରେ ବିଶେଷକରି ଛଅ ପ୍ରକାରର ଜନଜାତି ଦେଖାଯାନ୍ତ୍ତି । ଏମାନେ ଅନ୍ୟ ପାହାଡିଆ ଜନଜାତିଙ୍କ ଅପେକ୍ଷା ଅଧିକ ଉନ୍ନତ । ପାଲଲହଡ଼ା ଓ କେଉଁଝରରେ ଭୂୟାଁ ଜନଜାତି ଦେଖାଯାନ୍ତି । ଏମାନେ ଉଚ୍ଚ ପର୍ବତ ଓ ଘୋର ଜଙ୍ଗଲ ଭିତରେ ରହିବାକୁ ବେଶ ପସନ୍ଦ କରନ୍ତି ।

ସେହିପରି ଖଡ଼ିଆ, ମାଙ୍କଡ଼ିଆ ପରି ଜନଜାତିମାନେ ମୟୂରଭଞ୍ଜ, କେନ୍ଦୁଝର ଆଦି ସ୍ଥାନରେ ଦେଖାଯାନ୍ତି । ସବୁଠୁ ବଡ କଥା ହେଲା ଏହି ଆଦିବାସୀ ଜନଜାତି ମଧ୍ୟରେ ଜାତିଭିତ୍ତିକ ଶ୍ରେଣୀ ବା ଵୃତ୍ତିଭିତ୍ତିକ ଶ୍ରେଣୀ ବିଭାଜନ ଦେଖାଯାଏ ନାହିଁ । ନିଜ ସଂସ୍କାର, ସଂସ୍କୃତି ଓ ଜୀବନାଦର୍ଶକୁ ନେଇ ଭିନ୍ନ ଭିନ୍ନ ପର୍ବ ପାଳନ କରନ୍ତି । ଓଡ଼ିଶାର ଆଦିବାସୀ ସମାଜରେ କରମା, ରଜ, ମକର, ପୌଷ, ମାଘ, ଚଇତି, ଗହ୍ମା, ନବାନ୍ନ ପରି ମୁଖ୍ୟ ପର୍ବ ସହିତ ସେମାନଙ୍କର ଗ୍ରାମଦେବୀ ଓ ଠାକୁରାଣୀଙ୍କ ଉତ୍ସବ ପାଳନ କରାଯାଏ । ପ୍ରକୃତିର ପୂଜା ଭାବେ କୋୟା ଜନଜାତିମାନେ ପୃଥିବୀ ଓ ସୂର୍ଯ୍ୟଦେବଙ୍କୁ ପୂଜା କରିବା ପାଇଁ ବିଜାମାଣ୍ଡୁ ପର୍ବ, କନ୍ଧମାନେ ଏକୁଡ଼ି ପର୍ବ, ଭୂୟାଁମାନେ ବିହୁଡା ଓ ଆମ୍ବଖିଆ ପର୍ବ ପାଳନ କରନ୍ତି ।

ଆଦିବାସୀଙ୍କ ଗୋଷ୍ଠିଜୀବନକୁ ମଧୁମୟ କରିଥାଏ ସଂଗୀତ ଓ ନୃତ୍ୟ । ଗୀତ ଓ ନୃତ୍ୟ ବିନା ଆଦିବାସୀ ଜୀବନକୁ ପରିକଳ୍ପନା କରାଯାଇପାରେନାହିଁ । ସେଥିପାଇଁ ସବୁ ସନ୍ଧ୍ୟାରେ ସେ ଗୀତ ଆଉ ନୃତ୍ୟରେ ମଜ୍ଜିଯାନ୍ତି ।

ଆଦିବାସୀଙ୍କ ସମାଜ ଅତି ଶୃଙ୍ଖଳିତ । ସେମାନଙ୍କ ଜୀବନଶୈଳୀ ସରଳ ଓ ନିରଳସ । ଏମାନେ ଅନୁଶାସନପ୍ରିୟ । ଏଠି ଯୌତୁକପ୍ରଥା ନାହିଁ କି ଲିଙ୍ଗଗତ ପ୍ରଭେଦ ନାହିଁ । ଏଠି ନାରୀକୁ ସବୁକ୍ଷେତ୍ରରେ ସ୍ୱାଧୀନତା ମିଳେ । ଯାହା ଆମ ସମାଜ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । ଆମେ ଯଦି ଓଡ଼ିଶାର ସଂସ୍କୃତିକୁ ଦେଖିବା ପ୍ରଥମେ ଆମ ଆରାଧ୍ୟ ଜଗନ୍ନାଥଙ୍କ ନାମ ମନକୁ ଆସେ । ଓଡ଼ିଆଙ୍କର ଇଷ୍ଟଦେବ ଜଗନ୍ନାଥ ହେଉଛନ୍ତି ଆଦିବାସୀ ସମାଜର ଆଦିଦେବତା । ସେ ହିଁ ଶବରରାଜାର ନୀଳମାଧଵ । ସେ ପୁଣି ଦାରୁ ଦେବତା । ଯାହା ଆଦିବାସୀଙ୍କର ମୂଳ ଦେବତା । ଆମର ଧର୍ମ, ସଂସ୍କୃତି ଓ ସାହିତ୍ୟରେ ଆଦିବାସୀ ଜୀବନଚର୍ଯ୍ୟାର ପ୍ରତିଫଳନ ସର୍ବଦା ଦୃଶ୍ୟମାନ ହୁଏ ।

ଆଦିବାସୀ କଲ୍ୟାଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ଯ ସରକାର ବହୁଗୁଡ଼ିଏ ଯୋଜନା କରିଥିବା ସତ୍ତ୍ୱେ ସେମାନେ ଆଜିବି ପଛରେ ରହିଛନ୍ତି । ବହୁ ଆଦିବାସୀ ବହୁଳ ଅଂଚଳକୁ ବିକାଶ ଛୁଇଁପାରିନାହିଁ । ସରକାର ଏ ଦିଗରେ ଅଧିକ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି । ତେବେ ଆଦିବାସୀ ସମାଜର ଉନ୍ନତି ଲାଗି ଆଦିବାସୀ ମହିଳାଙ୍କୁ ଶିକ୍ଷିତ କରାଇବାରେ ଅଧିକ ପଦକ୍ଷେପ ଗ୍ରହଣ କରିବା ଉଚିତ । ଜଣେ ନାରୀ ଶିକ୍ଷିତ ହେଲେ ହିଁ ଗାେଟେ ସମାଜ ଶିକ୍ଷିତ ହାେଇପାରେ । ଆଦିବାସୀ ନାରୀ ତଥା ମହିଳାଙ୍କ ପାଇଁ ବିଶେଷ କାର୍ଯ୍ୟକ୍ରମମାନ ପ୍ରସ୍ତୁତି କରି ଆଦିବାସୀ ସମାଜର ଉନ୍ନତି କରିବା ଆଜିର ସମୟ ପାଇଁ ଏକ ବଡ଼ ଆବଶ୍ଯକତା ପାଲଟିଛି । ଠିକ୍ ସେହିପରି ସେମାନଙ୍କ ପାଖେ ଥିବା ପାରମ୍ପରିକ ଜ୍ଞାନର ସଦୁପଯୋଗ କରି ଆମ ସମାଜର ଉନ୍ନତି କରିବା ଆମ ସମୟ ପାଇଁ ଏକ ଆହ୍ୱାନ ପାଲଟିଛି ।

Report an Error