ସ୍ୱାଧୀନ ଭାରତର ଜନ୍ମତିଥି

ଆଜି ୭୬ତମ ସ୍ବାଧୀନତା ଦିବସ । ସ୍ୱାଧୀନ ଭାରତର ଜନ୍ମତିଥି ଅଗଷ୍ଟ ୧୫ । ସ୍ବାଧୀନତା ଉତ୍ସବ ପାଇଁ ଦିଲ୍ଲୀରୁ ପଲ୍ଲୀ ସବୁଠି ଉତ୍ସବମୁଖର ।


ଆଜି ୭୬ତମ ସ୍ବାଧୀନତା ଦିବସ । ସ୍ୱାଧୀନ ଭାରତର ଜନ୍ମତିଥି ଅଗଷ୍ଟ ୧୫ । ସ୍ବାଧୀନତା ଉତ୍ସବ ପାଇଁ ଦିଲ୍ଲୀରୁ ପଲ୍ଲୀ ସବୁଠି ଉତ୍ସବମୁଖର । ଦେଶବାସୀଙ୍କ ପାଇଁ ଏହା ଐତିହାସିକ ଓ ସଂକଳ୍ପର ଦିନ । ସବୁଠି ଫର ଫର ହୋଇ ଉଡୁଛି ତ୍ରିରଙ୍ଗା । ସ୍ୱାଧୀନତା ପାଇଁ କେତେ ତ୍ୟାଗ ଓ ବଳିଦାନ ଦିଆଯାଇଛି, ତାହାର ଠିକଣା ନାହିଁ ।

ଆମର ପବିତ୍ର ଜନ୍ମଭୂମି ଭାରତବର୍ଷ ପ୍ରାୟ ୨୦୦ ବର୍ଷ ଧରି ଇଂରେଜ ଶାସନାଧୀନ ହୋଇ ରହିଥିଲା । ଆଜକୁ ୭୫ ବର୍ଷ ପୂର୍ବେ ଏହି ଦିବସରେ ଆମେ ଗୋରା ଶାସକମାନଙ୍କ କବଳରୁ ମୁକ୍ତ ହୋଇ ସ୍ୱାଧୀନତାର ସ୍ୱାଦ ଅନୁଭବ କରିଥିଲୁ । ୧୯୪୭ ଅଗଷ୍ଟ ୧୫ରେ ଦେଶ ସ୍ବାଧୀନତା ପାଇଲା । ଏହି ଦିନଠାରୁ ଗୋଟିଏ ନୂତନ ଯୁଗର ସୂତ୍ରପାତ ହେଲା । ସାରା ବିଶ୍ୱ ପାଇଁ ଏହି ଦିନଟି ଗୁରୁତ୍ୱପୂର୍ଣ୍ଣ । କାରଣ ଏହା ସମଗ୍ର ମାନବ ଜାତି ପାଇଁ ରାଜନୈତିକ, ସାମାଜିକ, ସାଂସ୍କୃତିକ ଏବଂ ଆର୍ଥନୀତିକ ସ୍ତରରେ ଏକ ଅଭିନବ ଚେତନା ଜାଗ୍ରତ କରି ଏକ ନୂତନ ଯୁଗର ଦିଗ୍‌ଦର୍ଶନ ଦେଲା । ଏହି ଦିନ ସ୍ୱାଧୀନ ଏବଂ ଗଣତାନ୍ତ୍ରିକ ଭାରତର ଏକ ନୂତନ ଅଭ୍ଯୁଦୟର ପରିଚୟ ଦେଇଥିଲା ।

ଏହି ଦିନ ପାଇଁ ସମଗ୍ର ଅଞ୍ଚଳର ସମସ୍ତ ଧର୍ମର ନରନାରୀଙ୍କୁ ଏକତ୍ର କରି ଗାନ୍ଧିଜୀ ବ୍ରିଟିଶ ଶାସନ ବିରୁଦ୍ଧରେ ଏକ ଜାତୀୟ ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ଭାରତର ଜନଗଣଙ୍କୁ ସେ ଅହିଂସା ମନ୍ତ୍ରରେ ଦୀକ୍ଷିତ କରିଥିଲେ । ସ୍ବାଧୀନତା ପାଇଁ ଭାରତର ଅଗଣିତ ନରନାରୀ ସ୍ୱାଧୀନତା ସଂଗ୍ରାମରେ ନିଜକୁ ଉତ୍ସର୍ଗ କରିଥିଲେ । ଫଳରେ ସେମାନଙ୍କୁ କାରାବରଣ କରିବାକୁ ପଡ଼ିଥିଲା । ବ୍ରିଟିଶ ପୋଲିସ୍‌ର ଅମାନୁଷିକ ଅତ୍ୟାଚାର ତଥା ଲାଠି ଓ ଗୁଳିର ଶିକାର ହେବାକୁ ପଡ଼ିଥିଲା । ଦେଶମାତୃକା ପାଇଁ ଭାରତମାତାର ବରପୁତ୍ରମାନେ ବୀରତ୍ୱର ପରାକାଷ୍ଠା ପ୍ରଦର୍ଶନ କରି ହସି ହସି ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ।

ସ୍ୱାଧୀନତାର ୭୬ତମ ଦିନରେ ଆମର ମନେପଡେ ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମର ଏନ୍ତୁଡ଼ିଶାଳ ସାଜିଥିବା ସ୍ୱରାଜ ଆଶ୍ରମ କଥା । ପରାଧୀନ ଭାରତକୁ ଇଂରେଜମାନଙ୍କ କବଳରୁ ମୁକ୍ତ କରିବାପାଇଁ ଦେଶର ବିଭିନ୍ନ ପ୍ରାନ୍ତରେ ସଂଗ୍ରାମୀମାନେ ତିଆରି କରିଥିଲେ ବୈଠକଖାନା । ଠିକ ସେହିପରି ଓଡ଼ିଶାର ସ୍ୱରାଜ ଆଶ୍ରମ ଥିଲା ଏହି କେନ୍ଦ୍ରମାନଙ୍କ ମଧ୍ୟରେ ଅନ୍ୟତମ ପ୍ରମୁଖ ସ୍ଥଳୀ । ଦେଶକୁ ସ୍ୱାଧୀନତା ଆଣିଦେବାକୁ ସଂଗ୍ରାମରେ ଝାସ ଦେଇଥିବା ଓଡ଼ିଶାର ତୁଙ୍ଗ ନେତାମାନେ ଏଠାରେ ବିଚାର ବିମର୍ଶ କରୁଥିଲେ । ଜାତିର ପିତା ମହାତ୍ମା ଗାନ୍ଧୀ ଏହି ଆଶ୍ରମକୁ ଦୁଇଦୁଇ ଥର ଆସିଛନ୍ତି । ପ୍ରଥମେ ବାପୁଜୀ ୧୯୨୧ ମସିହା ମାର୍ଚ୍ଚ ୧୩ରେ ଏଠାରେ ରାତ୍ରିଯାପନ କରିଥିଲେ । ଏହିଠାରେ ଓଡ଼ିଶାର ତୁଙ୍ଗ ନେତାଙ୍କୁ ଭେଟି ସ୍ୱାଧୀନତା ପାଇଁ ମାନସ ମନ୍ଥନ କରିଥିଲେ । ଏବଂ କାଠଯୋଡ଼ି ନଦୀରେ ତାଙ୍କ ବିରାଟ ସଭା ଓ ବାର୍ତ୍ତା ଅଗଣିତ ଓଡ଼ିଆଙ୍କ ମଧ୍ୟରେ ସଂଗ୍ରାମ ପାଇଁ ଆତ୍ମବଳ ଯାେଗାଇଦେଇଥିଲା । ଯାହାର ସ୍ମୃତି ଏବେ ଆଶ୍ରମରେ ଦେଖିବାକୁ ମିଳେ । ସେହିପରି ୩ୟ ଥର ଓଡ଼ିଶା ଗସ୍ତ ସମୟରେ ବାପୁ ପୁଣିଥରେ ଏହି ଆଶ୍ରମକୁ ଆସିଥିଲେ । ସେତେବେଳେ ଗାନ୍ଧିଜୀ ସାରାଦେଶରେ "କୁଟି ଖାଅ କାଟି ପିନ୍ଧ"ର ନାରା ଦେଉଥିବାବେଳେ ଏହି ଆଶ୍ରମରେ ଏକ ଖଦି ଭଣ୍ଡାର ତାଙ୍କ ଦ୍ଵାରା ଉଦ୍ଘାଟିତ ହୋଇଥିଲା । ସ୍ୱାଧୀନତାର ଲଢେଇରେ ସାମିଲ ହୋଇ ଦେଶ ସ୍ୱାଧୀନତାର ମୂକ ସାକ୍ଷୀ ଭାବେ ସ୍ୱରାଜ ଆଶ୍ରମ ଅନେକ ବଳିଦାନ ଦେଖିଛି । ଏବେବି ଏହି ଆଶ୍ରମ ସ୍ୱାଧୀନତା ସଂଗ୍ରାମୀଙ୍କ ବୀରତ୍ୱର କଥା ଚିତ୍କାର କରି କହୁଛି । ଯଦିଓ ଏବେ ଏହା ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଅଧୀନରେ ରହିଛି । ଏହାର ପୁନରୁଦ୍ଧାର କରାଯାଇ ଏଠାରେ ଏବେ ଏକ ଲାଇବ୍ରେରୀ କରାଯାଇଛି ।

ସ୍ୱାଧୀନ ଭାରତରେ ଏମିତି ଅନେକ ମୂକସାକ୍ଷୀ ରହିଛି, ଯାହା ଆମକୁ ସ୍ୱାଧୀନତା ଲଢ଼େଇର ଗାଥା ନିରବରେ କହୁଛି । ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସାରା ଭାରତ “ଆଜାଦୀ କା ଅମୃତ ମହୋତ୍ସବ” ପାଳନ କରୁଛି । ଏହି ପରିପ୍ରେକ୍ଷୀରେ ସବୁ ଐତିହ୍ୟ ଓ ସ୍ମାରକରେ ବିଶେଷ କାର୍ଯ୍ୟକ୍ରମମାନ କରାଯାଉଛି ।

ତେବେ ସ୍ୱାଧୀନତାର ୭୫ ବର୍ଷ ପରେ ବି ଆମେ କେତେ ସ୍ୱାଧୀନ, ଆଜି ପୁଣିଥରେ ଏଇ ପ୍ରଶ୍ନ ଆମ ସମସ୍ତଙ୍କ ମନରେ ଆସିବାର ଆବଶ୍ୟକତା ରହିଛି । ଆମର ବୀର ସଂଗ୍ରାମୀଙ୍କ ବୀରତ୍ୱ ଫଳରେ ଆମେ ସ୍ୱାଧୀନ ରାଷ୍ଟ୍ର ପାଇଥିଲେ । କିନ୍ତୁ ଏହି ସ୍ୱାଧୀନ ରାଷ୍ଟ୍ରକୁ ଆମେ ସ୍ୱାଧୀନ ରଖିବାରେ କେତେ ସଫଳ ହୋଇଛେ, ଏବେ ପ୍ରଶ୍ନ ପଚାରିବାର ବେଳ ଆସିଛି । ନୂତନ ଗଣତନ୍ତ୍ର ରାଷ୍ଟ୍ରରେ ଆଜି ଗଣ କେତେ ଉପେକ୍ଷିତ, କେତେ ନିର୍ଯାତିତ ତାହାର ଉତ୍ତର ଏବେ ଆମ ସମସ୍ତଙ୍କ ସାମ୍ନାରେ ରହିଛି । ତେବେ ମଣିଷର କହିବାର ଅଧିକାର ଅକ୍ଷୁଣ୍ଣ ରହୁ ଆଜିର ଦିନର ଏହି ଅନୁଚିନ୍ତା ହେଉ । ଦେଶର ୭୬ତମ ଜନ୍ମଦିବସ ଅବସରରେ ସାରା ଦେଶବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ।

Report an Error