ଭାରତୀୟ ପରମ୍ପରାରେ ତୁଳସୀ

ଭାରତୀୟ ସଂସ୍କୃତିରେ ତୁଳସୀ ଏକ ପବିତ୍ର ବୃକ୍ଷ । ଏହା ଭାରତୀୟ ଜନଜୀବନ ସହିତ ଅତି ପରିଚିତ । ଏହି ବୃକ୍ଷ ଭାରତୀୟ ଧର୍ମ ଓ ସଂସ୍କୃତିରେ ଏକ ପବିତ୍ର ସ୍ଥାନ ଅଧିକାର କରିଛି ।


ଭାରତୀୟ ସଂସ୍କୃତିରେ ତୁଳସୀ ଏକ ପବିତ୍ର ବୃକ୍ଷ । ଏହା ଭାରତୀୟ ଜନଜୀବନ ସହିତ ଅତି ପରିଚିତ । ଏହି ବୃକ୍ଷ ଭାରତୀୟ ଧର୍ମ ଓ ସଂସ୍କୃତିରେ ଏକ ପବିତ୍ର ସ୍ଥାନ ଅଧିକାର କରିଛି । ଏହା ଭାରତରେ ସର୍ବତ୍ର ଦେଖିବାକୁ ମିଳେ । ଓଡ଼ିଶାର ପୁରପଲ୍ଲୀରେ ସମସ୍ତଙ୍କ ଘର ଆଗରେ ତୁଳସୀ ଚଉରାଟିଏ ତ ନିଶ୍ଚିତ ରହିଥାଏ । ଏହା ଶୁଭ କାରକ ବୋଲି ଲୋକେ ମାନିଥାନ୍ତି ଓ ପ୍ରତିଦିନ ସଞ୍ଜବେଳେ କୁଳବଧୂଟିଏ ତୁଳସୀ ଚଉରାମୂଳେ ସନ୍ଧ୍ୟାବତୀ ଦେଇଥାଏ । ଓଡ଼ିଶାରେ ତୁଳସୀ ଚଉରାକୁ ବୃନ୍ଦାବତୀ ଭାବରେ ପୂଜା କରାଯାଏ । ତୁଳସୀ ପୂଜା କଲେ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ଲୋକେ ବିଶ୍ୱାସ କରନ୍ତି ।

ସବୁଦିନ ସକାଳେ ସନ୍ଧ୍ୟାରେ ତୁଳସୀ ଚଉରାକୁ ପୂଜା କରାଯାଉଥିବାବେଳେ କୁମାର ପୂର୍ଣ୍ଣମୀ ହେଉ କି କାର୍ତ୍ତିକ ମାସ ଅବା ସାବିତ୍ରୀ ଅମାବାସ୍ୟା ଦିନ ତୁଳସୀ ଚଉରା ନିକଟରେ ବିଶେଷ ପୂଜା କରାଯାଇଥାଏ । ଓଡ଼ିଆ ଘରେ ବିଭିନ୍ନ ପୂଜା ପାର୍ବଣରେ ତୁଳସୀ ଚଉରା ମୂଳେ ବିଶେଷ ପୂଜା ହୁଏ । ସେହିପରି ଓଡ଼ିଆ ନବବର୍ଷ ବା ପଣା ସଙ୍କ୍ରାନ୍ତି ଦିନ ସୂର୍ଯ୍ୟଙ୍କୁ ପୂଜା କରିବା ପାଇଁ ଏହିଦିନଠାରୁ ଏକମାସ ପର୍ଯ୍ୟନ୍ତ ପ୍ରତ୍ୟେକ ଓଡ଼ିଆ ଘର ଚଉରାରେ ଠେକି ଵସାଯାଇ ପାଣି ଢଳାଯାଇଥାଏ । ଛତୁଆ, ଦହି, ଗୁଡ଼କୁ ମିଶାଇ ତୁଳସୀ ଚଉରା ପାଖରେ ଭୋଗ କରାଯାଏ ।

ତେବେ କାର୍ତ୍ତିକ ମାସରେ ଶୁକ୍ଳ ଦ୍ୱାଦଶୀ ଦିନ ତୁଳସୀ ବିବାହ ଅନୁଷ୍ଠିତ ହୁଏ । ଅର୍ଥାତ ଏହି ଦିନ ଭଗବାନ ବିଷ୍ଣୁଙ୍କ ସହ ତୁଳସୀ ବୃକ୍ଷର ବିବାହ ସମ୍ପନ୍ନ ହୁଏ । କେଉଁଠି କେଉଁଠି ଶୁକ୍ଳ ଏକାଦଶୀ ଦିନ ମଧ୍ୟ ଏହି ବିବାହ ଅନୁଷ୍ଠିତ ହୁଏ । ପଦ୍ମ ପୁରାଣରେ ତୁଳସୀ ବିବାହ ଓ ତାର ନୀତି ନିୟମ ବିଷୟ ଲିଖିତ ଅଛି ।

ପୌରାଣିକ ଆଖ୍ୟାନ ଅନୁସାରେ ତୁଳସୀ ବୃକ୍ଷ ପୂର୍ବ ସମୟରେ ବୃନ୍ଦା ନାମ୍ନୀ ଜଣେ ମହିଳା ଥିଲେ । ସେ ଅସୁର ରାଜା ଜଳନ୍ଧରକୁ ବିବାହ କରିଥିଲେ । ତାଙ୍କର ସତୀତ୍ୱ ଓ ବିଷ୍ଣୁ ଭକ୍ତି ବଳରେ ଜଳନ୍ଧର ଅଜେୟ ରହିଥିଲା । ଦେବତାମାନେ ମଧ୍ୟ ତାଙ୍କୁ ପରାଜିତ କରିପାରୁନଥିଲେ । ଭଗବାନ ବିଷ୍ଣୁ ମାୟାବିସ୍ତାର କରି ଜଳନ୍ଧର ଦୈତ୍ୟର ବିନାଶ ପାଇଁ ବୃନ୍ଦାଙ୍କ ସତୀତ୍ବକୁ ନଷ୍ଟ କରିଥିଲେ ଏବଂ ଶିବଙ୍କ ଦ୍ବାରା ଜଳନ୍ଧରର ବଧ ହେଲା । ବିଷ୍ଣ୍ଣୁଙ୍କ ଛଳନା ଜାଣିପାରି ବୃନ୍ଦା ବିଷ୍ଣୁଙ୍କୁ ପଥର ହେବା ଅଭିଶାପ ଦେଲେ । ଭକ୍ତ ତୁଳସୀଙ୍କ ଆଭିଶାପକୁ ଭଗବାନ ବିଷ୍ଣୁ ସ୍ୱୀକାର କରିବା ସହ ଶାଳଗ୍ରାମରେ ପରିଣତ ହୋଇଗଲେ । ସୃଷ୍ଟିର ପାଳନକର୍ତ୍ତା ଶାଳଗ୍ରାମ ହୋଇଯିବାପରେ ବ୍ରହ୍ମାଣ୍ଡରେ ଅସନ୍ତୁଳନ ଦେଖାଗଲା । ଏହା ଦେଖି ସମସ୍ତ ଦେବୀ ଦେବତା ଦେବୀ ବୃନ୍ଦାଙ୍କୁ ପ୍ରାର୍ଥନା କରିଥିଲେ ଶାପମୁକ୍ତ କରିବା ପାଇଁ । ବୃନ୍ଦା ଭଗବାନଙ୍କୁ ଶାପମୁକ୍ତ କରିବା ପାଇଁ ସ୍ୱୟଂ ଆତ୍ମଦାହ କରିଥିଲେ ଏବଂ ତୁଳସୀ ରୂପେ ଜନ୍ମିଥିଲେ । ବିଷ୍ଣୁଙ୍କ ପ୍ରିୟ ହୋଇଥିବାରୁ ସେ ସର୍ବଦା ତାଙ୍କ ନିକଟରେ ରୁହନ୍ତି । ସେଥିପାଇଁ କାର୍ତ୍ତିକ ମାସରେ ତୁଳସୀ ବିବାହ କରାଯାଇଥାଏ ।

ବିଷ୍ଣୁ ଭଗବାନଙ୍କର ଅତି ପ୍ରିୟ ତୁଳସୀ । ତୁଳସୀ ପତ୍ର ବିନା ବିଷ୍ଣୁଙ୍କୁ ଭୋଗ ଅର୍ପଣ କରାଯାଏ ନାହିଁ । ସେଥିପାଇଁ ତ ତୁଳସୀଙ୍କ ନାମ ବୈଷ୍ଣବୀ, ବିଷ୍ଣୁ ବଲ୍ଲଭା, ହରିପ୍ରିୟା । ତୁଳସୀ ବୃକ୍ଷ ମୂଳରେ ଗଙ୍ଗା ଓ ଏହାର ଡାଳପତ୍ରରେ ଅନ୍ୟାନ୍ୟ ଦେବତାମାନେ ବାସ କରନ୍ତି ବୋଲି ଲୋକୋକ୍ତି ରହିଅଛି । ସେଥିପାଇଁ ଭକ୍ତମାନେ ବିଷ୍ଣୁଙ୍କୁ ସନ୍ତୁଷ୍ଟ କରିବା ପାଇଁ ୧୦୦୦ ତୁଳସୀ ମାଳ ଗୁନ୍ଥି ଅର୍ପଣ କରନ୍ତି । କେବଳ ସେତିକି ନୁହେଁ ହିନ୍ଦୁ ଜଗତର ଆରାଧ୍ୟ ଦେବତା ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ସେବା ପୂଜାରେ ତୁଳସୀର ବ୍ୟବହାର ଏକ ଅତ୍ୟନ୍ତ ମହତ୍ତ୍ଵପୂର୍ଣ୍ଣ ପ୍ରଥାରେ ପରିଣତ ହୋଇଛି ।

ଗୁଣ ଦୃଷ୍ଟିରୁ ତୁଳସୀ ସାତ ପ୍ରକାରର ହୋଇଥିଲେ ବି ପତ୍ରର ରଙ୍ଗଭେଦରେ ତୁଳସୀ ବୃକ୍ଷ ଦୁଇ ପ୍ରକାରର ଯଥା - ଶ୍ଵେତ ତୁଳସୀ ଓ କୃଷ୍ଣ ତୁଳସୀ । ଶ୍ଵେତ ତୁଳସୀର ପତ୍ର ଶ୍ଵେତ ଓ ସବୁଜ ମିଶ୍ରିତ ବର୍ଣ୍ଣ ହୋଇଥିବାବେଳେ କୃଷ୍ଣ ତୁଳସୀର ପତ୍ରର ବର୍ଣ୍ଣ ଈଷତ କଳା ବା ଈଷତ ବାଇଗଣୀ ରଙ୍ଗ ହୋଇଥାଏ ।

ତୁଳସୀ କେବଳ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ତାହା ନୁହେଁ, ବରଂ ଏହାର ବହୁ ଔଷଧୀୟ ମହତ୍ତ୍ଵ ରହିଛି । ତୁଳସୀ ଗଛର ବୈଜ୍ଞାନିକ ନାମ ହେଉଛି Ocimum tenuiflorum । ତୁଳସୀର ଧାର୍ମିକ ଓ ଆଧ୍ୟାତ୍ମିକ ମହତ୍ତ୍ୱ ଯେତିକି, ତାଠାରୁ ଅଧିକ ଏହାର ଔଷଧୀୟ ଗୁଣ । ଆୟୁର୍ବେଦ ଔଷଧ ତିଆରିରେ ତୁଳସୀ ଏକ ମୁଖ୍ୟ ଉପାଦାନ । ପ୍ରତିଦିନ କିଛି ତୁଳସୀ ପତ୍ର ଚୋବାଇ ଖାଇଲେ ଥଣ୍ଡା ଜ୍ୱର ରୋଗରୁ ଉପଶମ ମିଳେ । ଆଜିକାଲି ତୁଳସୀ ପତ୍ରଯୁକ୍ତ ହର୍ବାଲ ଟି ସମସ୍ତଙ୍କର ପ୍ରିୟ ହୋଇଛି ।

Report an Error