କାର୍ତ୍ତିକ ମାସ ଓ ରାଇ ଦାମୋଦର ବ୍ରତ

ଏହି ମାସର ସାଂସ୍କୃତିକ ମହତ୍ତ୍ୱ ଅତୁଳନୀୟ । ଏହି ମାସ ଶ୍ରୀହରିଙ୍କର ଅତୀବ ପ୍ରିୟ । ଆଦିକବି ଶୁଦ୍ରମୁନି ସାରଳା ଦାସ ରଚିତ ମହାଭାରତର ଆଦିପର୍ବରେ କାର୍ତ୍ତିକ ମାସର ପବିତ୍ରତା ସମ୍ପର୍କରେ ବର୍ଣ୍ଣନା ରହିଛି । ଏହି ମାସ ହେଉଛି ଆଧ୍ୟାତ୍ମିକ ଉଦବେଳନର ପ୍ରକୃଷ୍ଟ ମାହେନ୍ଦ୍ର ବେଳା ।


"ନା କାର୍ତ୍ତିକ ସମୋ ମାସୋ ନ କୃତେନ ସମଂ ଯୁଗମ୍ବ ନ ବେଦ ସଦୃଶଂ ଶାସ୍ତ୍ରଂ ନ ତୀର୍ଥଂ ଗଙ୍ଗାୟା ସମମ୍ "। ଅର୍ଥାତ କାର୍ତ୍ତିକ ପରି ମାସ ନାହିଁ, ସତ୍ୟଯୁଗ ପରି ଯୁଗ ନାହିଁ, ବେଦ ସଦୃଶ ଶାସ୍ତ୍ର ନାହିଁ ଏବଂ ଗଙ୍ଗା ପରି ତୀର୍ଥ ନାହିଁ । କାର୍ତ୍ତିକ ମାସ ଭଗବାନ ବିଷ୍ଣୁଙ୍କର ଅତିପ୍ରିୟ ମାସ ।

ହିନ୍ଦୁ ଧର୍ମରେ ବର୍ଷକୁ ବାରଟି ମାସରେ ବିଭକ୍ତ କରାଯାଇଛି । ବୈଶାଖଠାରୁ ଆରମ୍ଭ କରି ଚୈତ୍ର ପର୍ଯ୍ୟନ୍ତ ଗୋଟିଏ ବର୍ଷ ବା ବାରମାସ । ଏହି କ୍ରମରେ ସପ୍ତମ ମାସ ହେଉଛି କାର୍ତ୍ତିକ ମାସ । ବିଭିନ୍ନ ପୁରାଣ ଅନୁସାରେ ପ୍ରତ୍ୟେକ ମାସର ସ୍ୱତନ୍ତ୍ର ଧାର୍ମିକ ମହତ୍ତ୍ୱ ରହିଛି । ତେବେ ବିଭିନ୍ନ ଉତ୍ସବ ଦୃଷ୍ଟିରୁ ବୈଶାଖ, ଆଷାଢ, ଆଶ୍ୱିନ ଓ ଫାଲ୍‌ଗୁନ ମାସର ବିଶେଷ ମହତ୍ତ୍ୱ ରହିଛି । କିନ୍ତୁ ନିଷ୍ଠା ଓ ବ୍ରତ ଆଚରଣ ଦୃଷ୍ଟିରୁ କାର୍ତ୍ତିକ ମାସର ବିଶେଷତ୍ବ ଅଧିକ । ଏହି ମାସର ସାଂସ୍କୃତିକ ମହତ୍ତ୍ୱ ଅତୁଳନୀୟ । ଏହି ମାସ ଶ୍ରୀହରିଙ୍କର ଅତୀବ ପ୍ରିୟ । ଆଦିକବି ଶୁଦ୍ରମୁନି ସାରଳା ଦାସ ରଚିତ ମହାଭାରତର ଆଦିପର୍ବରେ କାର୍ତ୍ତିକ ମାସର ପବିତ୍ରତା ସମ୍ପର୍କରେ ବର୍ଣ୍ଣନା ରହିଛି । ଏହି ମାସ ହେଉଛି ଆଧ୍ୟାତ୍ମିକ ଉଦବେଳନର ପ୍ରକୃଷ୍ଟ ମାହେନ୍ଦ୍ର ବେଳା । ବିଶ୍ୱାସ ଅଛି, ଏ ମାସରେ ପ୍ରାଣୀମାନେ ଦେହତ୍ୟାଗ କଲେ ବୈକୁଣ୍ଠ ପ୍ରାପ୍ତ ହୁଅନ୍ତି । ଏହି ମାସରେ ପ୍ରତ୍ୟୁଷ ସ୍ନାନ, ବ୍ରତ ପାଳନ, ପୂଜା, ସଂକୀର୍ତ୍ତନ, ଜପ, ମେଳା, ମହୋତ୍ସବ ଓ ଦେବ ପୂଜନର ଧର୍ମୀୟ ଭାବଧାରା ସର୍ବତ୍ର ପରିବ୍ୟାପ୍ତ ହାେଇଥାଏ ।

ଭଗବାନ ବିଷ୍ଣୁଙ୍କର ପ୍ରିୟ ମାସ ଭାବେ ପରିଚିତ ଏହି ମାସରେ ଭଗବାନ ଶିବଙ୍କ ପୂଜା ଲାଗି ମଧ୍ୟ ଏହା ଅତ୍ଯନ୍ତ ଗୁରୁତ୍ବପୂର୍ଣ୍ଣ । ଧାର୍ମିକ ବିଶ୍ବାସ ରହିଛି ଯେ କାର୍ତ୍ତିକ ମାସ ସାେମବାର ଦିନ ଦେବ ଦେବ ମହାଦେବଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିବା ସହିତ ମାନସିକ ଶାନ୍ତି ମିଳିଥାଏ । ଏହାକୁ ଧର୍ମ ମାସ ଭାବରେ ଓଡ଼ିଆମାନେ ବେଶ ନିଷ୍ଠା ସହକାରେ ପାଳନ କରି ଆମିଷ ଭକ୍ଷଣ ବର୍ଜନ କରିଥାନ୍ତି । ଯଦି କେହି ଏହି ମାସକୁ ମାସସାରା ପାଳି ନ ପାରିଲେ ତେବେ ପଞ୍ଚୁକ ପାଞ୍ଚଦିନ ପାଳନ୍ତି । କାର୍ତ୍ତିକ ମାସରେ ଦୀପାବଳି, ରାଧା ଦାମୋଦର ପୂଜା, ବଡ଼ଓଷା, ଅଁଳା ନବମୀ, ଦେବତ୍ଥାପନ ଏକାଦଶୀ, ତୁଳସୀ ବିବାହ, ବୋଇତ ବନ୍ଦାଣ ଆଦି କରାଯାଇଥାଏ । ଏହି ମାସରେ ସବୁଠୁ ବଡ ଆକର୍ଷଣ ହେଉଛି ଆକାଶଦୀପ ଓ ଚଉରା ପୂଜନ ।

ଏହି ମାସରେ ପାଳନ କରାଯାଉଥିବା ରାଇ ଦାମୋଦର ବ୍ରତ ଅନ୍ଯ ଏକ ଆକର୍ଷଣ । ‘ନାରଦ ପୁରାଣ’ରେ ଏହି ମାସଟିକୁ ଦାମୋଦରଙ୍କ ପ୍ରିୟ ବୋଲି କୁହାଯାଇଛି । ବିଷ୍ଣୁଙ୍କ ବାରଟି ନାମ ମଧ୍ୟରୁ ଦାମୋଦର ନାମ ଆସିଥାଏ ସପ୍ତମ କ୍ରମାଙ୍କରେ । କାର୍ତ୍ତିକ ମଧ୍ୟ ହେଉଛି ସପ୍ତମ ମାସ । ଦାମର ଅର୍ଥ ହେଉଛି ବିଶ୍ୱ । ସମଗ୍ର ବିଶ୍ୱ ଯାହାଙ୍କ ଉଦରରେ ସେ ହିଁ ଦାମୋଦର । ତେବେ କାର୍ତ୍ତିକ ମାସର ଧାର୍ମିକ ଗୁରୁତ୍ବ ସଂପର୍କରେ ଏତିକି କୁହାଯାଇପାରେ ଯେ, ପ୍ରଭୁ ଦାମୋଦର ହେଉଛନ୍ତି ଏହି ମାସର ଆରାଧ୍ୟ ଦେବତା ।

କୁମାର ପୂର୍ଣ୍ଣମୀ ପରଠାରୁ ବ୍ରତଧାରୀ ହବିଷ୍ୟାଳିମାନେ ସଙ୍କଳ୍ପ କରି ବ୍ରତ ଆରମ୍ଭ କରନ୍ତି । ପ୍ରତିଦିନ ପ୍ରତ୍ଯୁଷରେ ସ୍ନାନ ସାରି ବାଲୁକା ପୂଜା କରି ସାରି ଚଉରା ପୂଜା କରନ୍ତି । ଚଉରା ମୂଳେ ବ୍ରତଚାରିଣୀମାନେ ମିଳିତ ହୋଇ ରାଧା ଦାମୋଦର ଗୀତ ଗାନ କରନ୍ତି । ରାଧାକୃଷ୍ଣଙ୍କୁ ଦୋଳିରେ ଝୁଲାଇବା ସହ ଦଧିମନ୍ଥନ ମଧ୍ୟ କରିଥାନ୍ତି । ପୂଜା ପରେ ବ୍ରତଚାରିଣୀମାନେ ‘କାର୍ତ୍ତିକ ମାହାତ୍ମ୍ୟ’ ପୁରାଣ ଶୁଣନ୍ତି । ଦିନକରେ ଥରେ ମାତ୍ର ହବିଷ୍ୟା ଅନ୍ନ ସେବନ କରି ପୁଣି ସଂଧ୍ୟାବେଳେ ମନ୍ଦିର ମନ୍ଦିର ବୁଲି ଦୀପ ଜାଳି, ପୁରାଣ ଶୁଣି ଖୁସିରେ ସମୟ କାଟନ୍ତି । ତୁଳସୀଚଉରା ମୂଳରେ ମୁରୁଜ ପକାଇ କାର୍ତ୍ତିକର ପ୍ରଥମ ୨୫ଦିନ ରାଧା ଦାମୋଦର ପୂଜା କରାଯାଇଥାଏ । ଏବଂ କାର୍ତ୍ତିକର ଶେଷ ପାଞ୍ଚଦିନ ଲକ୍ଷ୍ମୀନାରାୟଣ ପୂଜା କରାଯାଏ ।

କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ମଧ୍ୟ ସ୍ବତନ୍ତ୍ର ନୀତିକାନ୍ତି ଦେଖିବାକୁ ମିଳେ । ଆଶ୍ୱିନ ଶୁକ୍ଳ ଏକାଦଶୀ ତଥା ପବିତ୍ର ଦଶହରା ପରଦିନଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ରତ୍ନ ସିଂହାସନ ଅବସ୍ଥିତ ଶ୍ରୀବିଗ୍ରହମାନଙ୍କର ଆକର୍ଷଣୀୟ ରାଧା ଦାମୋଦର ବେଶ ଅନୁଷ୍ଠିତ ହୋଇଥାଏ । ଦୈନିକ ଅବକାଶ ନୀତି ପରେ ଏହି ବେଶ କରାଯାଏ । ବିଷ୍ଣୁ ଓ ଶ୍ରୀଜଗନ୍ନାଥ ଯେହେତୁ ଏକ ଓ ଅଭିନ୍ନ, ତେଣୁ କାର୍ତ୍ତିକ ମାସରେ ଶ୍ରୀଜଗନ୍ନାଥଙ୍କୁ ‘ଦାମୋଦର’ ରୂପେ ଆରାଧନା କରାଯାଇଥାଏ । ଏକମାସ ଧରି ଶ୍ରୀମନ୍ଦିରରେ ପାଳିତ ରାଧା ଦାମୋଦର ବେଶରେ ପ୍ରଭୁ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥ ତ୍ରିକଚ୍ଛ ବସ୍ତ୍ର ପରିଧାନ କରିଥାନ୍ତି । ଶ୍ରୀହସ୍ତରେ ସୁବର୍ଣ୍ଣ ନଳୀଭୁଜ ଲାଗି ହୋଇଥାଏ । ବାଉଁଶ ପାତିଆ ଓ କନାରେ ନିର୍ମିତ ‘ଚୂଳ ତ୍ରିମୁଣ୍ଡି’ ଶ୍ରୀମସ୍ତକ ଉପରେ ରହିଥାଏ । ଚୂଳର ଅଗ୍ରଭାଗରେ ଚନ୍ଦ୍ରିକା ଶୋଭା ପାଉଥାଏ । କର୍ଣ୍ଣରେ କୁଣ୍ଡଳ, କଟିତଟରେ ଓଡ଼ିଆଣୀ, ମସ୍ତକରେ ତଡ଼ଗୀ, ଚନ୍ଦ୍ର, ସୂର୍ଯ୍ୟ ଏବଂ ଚିତା ଇତ୍ୟାଦି ସ୍ବର୍ଣ୍ଣ ଅଳଙ୍କାରରେ ପ୍ରଭୁ ଭୂଷିତ ହୋଇଥାନ୍ତି । ଏତଦ୍ ବ୍ୟତୀତ ବିଭିନ୍ନ ପୁଷ୍ପ ଅଳଙ୍କାର, ବାରଲାଗି ପାଟଶାଢ଼ୀ, ଫୁଟା, ଶିରକ ପଡ଼ା, ପହରଣ, ବଳା, ଅଧର ଓ ଉତ୍ତରୀୟ ବସ୍ତ୍ରରେ ସଜ୍ଜିତ ହୋଇଥାନ୍ତି ଶ୍ରୀଜୀଉମାନେ।

ମହାପୁଣ୍ୟ ତଥା ପବିତ୍ର ମାସ କାର୍ତ୍ତିକ ମାସଟି ହେଉଛି ଭଗବତ ଉପାସନା, ଓଷାବ୍ରତ ଏବଂ ପରମାତ୍ମା ଜାଗୃତିର ମାସ । କାୟିକ, ବାଚନିକ ତଥା ମାନସିକ ସ୍ତରରେ କଳୁଷ ଅବା ଆବିଳତା ମୁକ୍ତ ରହି ଆଚମନ ପୂର୍ବକ ବ୍ରତ ଯେଉଁ ମାସରେ କରାଯାଏ, ତାହା ହେଉଛି ଏହି ଶ୍ରେଷ୍ଠ କାର୍ତ୍ତିକ ମାସ । କୁମାର ପୂର୍ଣ୍ଣିମା ପରେ ଆରମ୍ଭ ହୋଇ ଏହି କାର୍ତ୍ତିକ ବ୍ରତ କାର୍ତ୍ତିକ ପୂର୍ଣ୍ଣିମା ଦିନ ସମାପନ ହୋଇଥାଏ ।

Report an Error