ହିନ୍ଦୀ ଦିବସ

ପ୍ରତିବର୍ଷ ସେପ୍ଟେମ୍ବର ୧୪ତାରିଖକୁ ହିନ୍ଦୀ ଦିବସ ଭାବରେ ପାଳନ କରାଯାଏ । ହିନ୍ଦୀ ଭାଷାର ମହତ୍ତ୍ବ ବଜାୟ ରଖିବା ତଥା ଏହାକୁ ପ୍ରୋତ୍ସାହିତ କରିବା ହେଉଛି ଏହି ଦିବସର ଉଦ୍ଦେଶ୍ୟ ।


ଆଜି ହେଉଛି ହିନ୍ଦୀ ଦିବସ । ପ୍ରତିବର୍ଷ ସେପ୍ଟେମ୍ବର ୧୪ତାରିଖକୁ ହିନ୍ଦୀ ଦିବସ ଭାବରେ ପାଳନ କରାଯାଏ । ହିନ୍ଦୀ ଭାଷାର ମହତ୍ତ୍ବ ବଜାୟ ରଖିବା ତଥା ଏହାକୁ ପ୍ରୋତ୍ସାହିତ କରିବା ହେଉଛି ଏହି ଦିବସର ଉଦ୍ଦେଶ୍ୟ । ପ୍ରସିଦ୍ଧ ହିନ୍ଦୀ ସାହିତ୍ୟିକ ରାଜେନ୍ଦ୍ର ସିଂହ ହିନ୍ଦୀକୁ ରାଷ୍ଟ୍ରଭାଷା କରିବାକୁ ପ୍ରଥମେ ବହୁ ପ୍ରୟାସ କରିଥିଲେ । ଏଥିପାଇଁ ତାଙ୍କ ଜନ୍ମଦିବସକୁ ହିନ୍ଦୀ ଦିବସ ରୂପେ ସାରା ଭାରତବର୍ଷରେ ପାଳନ କରାଯାଏ । ହିନ୍ଦୀ ଏକ ଭାଷା ନୁହେଁ ଏହା ହେଉଛି ଅଭିବ୍ୟକ୍ତି ବା ଭାବ ବିନିମୟର ଏକ ମାଧ୍ୟମ । ଯେଉଁ ଦେଶର ଭାଷା ଯେତେ ସମୃଦ୍ଧ, ସେ ଦେଶ ସେତେ ଉନ୍ନତ । ଭାରତ ଏକ ବହୁ ଭାଷୀୟ ଦେଶ । ତେବେ ହିନ୍ଦୀ ଭାଷାର ସରଳତା, ସହଜତା, ଏବଂ ସମ୍ବେଦନଶୀଳତା ସର୍ବଦା ଆକର୍ଷିତ କରିଥାଏ । ୧୯୪୯ରେ ସମ୍ବିଧାନ ସଭା ଦ୍ବାରା ଦେବନାଗରୀ ଲିପିରେ ଲିଖିତ ହିନ୍ଦୀକୁ ଦେଶର ସରକାରୀ ଭାଷା ଭାବେ ଗୃହୀତ କରାଯିବା ପରେ ଏହାକୁ ବିଧିବଦ୍ଧ ଭାବେ ପ୍ରଥମଥର ପାଇଁ ୧୯୫୩ ମସିହା ସେପ୍ଟେମ୍ବର ୧୪ରେ ଲାଗୁ କରାଯାଇଥିଲା । ସେବେଠାରୁ ଏହି ଦିନକୁ ହିନ୍ଦୀ ଦିବସ ଭାବେ ପାଳନ କରାଯାଉଛି ।

ବିଶ୍ବର ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ଭାଷାମାନଙ୍କ ମଧ୍ୟରେ ହିନ୍ଦୀ ଅନ୍ଯତମ । ହିନ୍ଦୀର ମହତ୍ତ୍ବ ବଜାୟ ରଖିବା ସହ ଏହାର ପ୍ରଚାର ପ୍ରସାର ପାଇଁ ଜାନୁଆରୀ ୧୦ତାରିଖକୁ ବିଶ୍ବ ହିନ୍ଦୀ ଦିବସ ଭାବରେ ପାଳନ କରାଯାଏ । ବିଶ୍ବରେ ହିନ୍ଦୀ ଭାଷାର ପ୍ରଚାର ଓ ପ୍ରସାର ଏହି ଦିବସର ମୁଖ୍ୟ ଲକ୍ଷ୍ୟ।

ଭାରତରେ ସମ୍ବିଧାନ ସ୍ବୀକୃତ ୨୨ଟି ଭାଷା ରହିଛି । ଏହା ବାଦ୍ ଦେଶରେ ଶହେରୁ ଉର୍ଦ୍ଧ୍ବ କଥିତ ଭାଷା ଓ ଅନେକ ଉପଭାଷା ରହିଛି । ବହୁ ଭାଷାଭାଷୀର ରାଷ୍ଟ୍ର ଭାରତରେ ସ୍ୱାଧିନତା ପରେ ଭାଷାକୁ ନେଇ ବଡ଼ ବିବାଦ ଦେଖାଯାଇଥିଲା । ପ୍ରଥମେ ହିନ୍ଦୀ ଓ ଇଂରାଜୀ ଦୁଇଟି ଯାକ ଭାଷାକୁ ରାଷ୍ଟ୍ରଭାଷା ଭାବେ ସ୍ୱୀକାର କରାଯାଇଥିଲା । ଆଜି ଆମେ ଯେଉଁ ଭାଷାକୁ ହିନ୍ଦୀ ରୂପେ ଜାଣିଛୁ, ତାହା ଆଧୁନିକ ଆର୍ଯ୍ୟ ଭାଷା ମଧ୍ୟରୁ ଗୋଟିଏ । ଗୋଟିଏ ଦେଶରେ ଏତେ ସଂଖ୍ୟକ ଭାଷା ଏବଂ ବିବିଧତା ମଧ୍ୟରେ ହିନ୍ଦୀ ହେଉଛି ଏକମାତ୍ର ଭାଷା ଯାହା ଭାରତକୁ ଏକତ୍ର କରିଥାଏ । ବର୍ତ୍ତମାନ ସମୟରେ ସବୁଠୁ ଅଧିକ କୁହାଯାଉଥିବା ଭାଷା ମଧ୍ୟରେ ଇଂରାଜୀ ଓ ଚୀନ ଭାଷା ପରେ ତୃତୀୟରେ ହିନ୍ଦୀ ଭାଷା ରହିଛି । ଦେଶରେ ପ୍ରାୟ ୭୭ ପ୍ରତିଶତ ଲୋକ ହିନ୍ଦୀ କୁହନ୍ତି । ହିନ୍ଦୀ ଭାଷାକୁ ଜନତାଙ୍କ ଭାଷା ବୋଲି ମହାତ୍ମା ଗାନ୍ଧୀ କହିଥିଲେ । ହିନ୍ଦୀ ହେଉଛି ଦେଶର ସବୁଠାରୁ ଲାେକପ୍ରିୟ କଥିତ ଭାଷା । ଏହାକୁ ଦୃଷ୍ଟିରେ ରଖି ବିଧାନସଭାରେ ହିନ୍ଦୀକୁ ସରକାରୀ ଭାଷା କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏଥିପାଇଁ ୧୪ ସେପ୍ଟେମ୍ବର ୧୯୪୯ରେ ବିଧାନସଭା ହିନ୍ଦୀକୁ ସରକାରୀ ଭାଷା କରିବାକୁ ପ୍ରସ୍ତାବ ଦିଆଯାଇଥିଲା । ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଦେଶର ପ୍ରତ୍ୟେକ ଅଞ୍ଚଳର ଲୋକଙ୍କୁ ହିନ୍ଦୀ ଭାଷା ମାଧ୍ୟମରେ ଯୋଡିବା ।

ହିନ୍ଦୀ ନାମ ପାର୍ସୀ ଭାଷାରୁ ଉତ୍ପନ୍ନ । ହିନ୍ଦୀ ଅର୍ଥ ହେଉଛି ସିନ୍ଧୁ ନଦୀର ଭୂମି । ସମସ୍ତେ ଜାଣନ୍ତି ଯେ ଭାରତର ଇଣ୍ଡସ୍ ଭ୍ୟାଲି ସଭ୍ୟତା ବହୁ ପ୍ରାଚୀନ ଥିଲା । ଏହା ସିନ୍ଧୁ ନଦୀ କୂଳରେ ଅବସ୍ଥିତ ଥିଲା । ତେଣୁ ପାରସ୍ୟମାନେ ସିନ୍ଧୁ ନଦୀ କୂଳରେ ବାସ କରୁଥିବା ଲୋକଙ୍କୁ ହିନ୍ଦୁ ଏବଂ ସେମାନଙ୍କ ଦ୍ୱାରା କଥିତ ଭାଷାକୁ ହିନ୍ଦୀ ବୋଲି କହିଥିଲେ । ହିନ୍ଦୀ ଭାଷା କେବଳ ଭାରତୀୟ ଅଞ୍ଚଳରେ ସୀମିତ ନୁହେଁ । ଭାରତ ବ୍ୟତୀତ ମରିସସ୍, ଫିଜି, ନେପାଳ ଭଳି ଦେଶରେ ହିନ୍ଦୀ ମଧ୍ୟ ବହୁଳ ଭାବରେ ପ୍ରଚଳିତ । ତେବେ ହିନ୍ଦୀ ଭାଷାଟି ସାଧାରଣରେ ସରଳ ଓ ସମୃଦ୍ଧ ଭାଷା । ସାରା ଭାରତରେ ଯୋଗସୂତ୍ରକାରୀ ଭାଷା ହେଉଛି ହିନ୍ଦୀ । ଭାରତରେ ଆହୁରି ଅନେକ ଭାଷା ରହିଛି ଯାହା ବିଲୁପ୍ତ ହେବାକୁ ବସିଲାଣି । ଯାହା ଏବେ ଚିନ୍ତାର କାରଣ ପାଲଟିଛି । ଭାଷାର ବିଲୁପ୍ତି ସହିତ ସେଇ ଭାଷାର ସଂସ୍କୃତି ମଧ୍ୟ ଲାେପ ପାଉଛି । ତେଣୁ ଭାଷାକୁ ବଞ୍ଚାଇ ରଖିବା ଆମର ଦାୟିତ୍ବ ଓ କର୍ତ୍ତବ୍ଯ ମଧ୍ୟ । ତେବେ ହିନ୍ଦୀ ଦିବସ ଅବସରରେ ଦେଶରେ ନିବନ୍ଧ ପ୍ରତିଯୋଗିତା ସହିତ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯାଏ । ସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନମାନଙ୍କରେ ‍୧୫ ଦିନ ପର୍ଯ୍ୟନ୍ତ ହିନ୍ଦୀ ପକ୍ଷ ପାଳନ କରାଯାଏ ।

Report an Error