ବୁଦ୍ଧ ଜୟନ୍ତୀ ଓ ଚନ୍ଦନ ପୂର୍ଣ୍ଣିମା

ଆଜି ହେଉଛି ବୈଶାଖ ପୂର୍ଣ୍ଣିମା । ଏହାକୁ ବୁଦ୍ଧ ଜୟନ୍ତୀ ବା ଚନ୍ଦନ ପୂର୍ଣ୍ଣିମା ରୂପେ ପାଳନ କରାଯାଏ । ଆଜିର ଏହି ବିଶେଷ ଦିବସକୁ ନେଇ ଏକ ଛୋଟ ଆଲେଖ ।


ବୈଶାଖ ପୂର୍ଣ୍ଣିମାକୁ ସାରା ଭାରତରେ ବୁଦ୍ଧ ଜୟନ୍ତୀ ଭାବେ ପାଳନ କରାଯାଉଥିବାବେଳେ ଓଡ଼ିଶାରେ ଏହା ଚନ୍ଦନ ପୂର୍ଣ୍ଣିମା ଭାବେ ବେଶ ଲୋକପ୍ରିୟ । ଗୋଟିଏ ପଟେ ବୌଦ୍ଧତ୍ୱର ମାର୍ଗ ଆଉ ଗୋଟିଏ ପଟେ ଶୀତଳତାର ସ୍ପର୍ଶ । ଆଧ୍ୟାତ୍ମିକ ଜଗତରେ ଏହି ଅପୂର୍ବ ସମନ୍ୱୟ ସତରେ ବିରଳ ।

ଆଜି ହେଉଛି ବୈଶାଖ ପୂର୍ଣ୍ଣିମା ବା ବୁଦ୍ଧ ଜୟନ୍ତୀ । ଆଜିର ଦିନଟି ହେଉଛି ସମଗ୍ର ଏସିଆର ଆଲୋକ ରୂପେ ପରିଚିତ ତଥା ଅହିଂସାର ପ୍ରତୀକ ଗୌତମ ବୁଦ୍ଧଙ୍କ ଜନ୍ମ ଜୟନ୍ତୀ । ବୁଦ୍ଧ ଜୟନ୍ତୀ ଦିବସର ତାତ୍ପର୍ଯ୍ୟ ହେଲା ଏହି ଦିନ ବୌଦ୍ଧ ଧର୍ମର ପ୍ରତିଷ୍ଠାତା ଗୌତମ ବୁଦ୍ଧ ଜନ୍ମଗ୍ରହଣ କରିଥିଲେ ।

ବୌଦ୍ଧଧର୍ମରେ ଯଦିଓ ପର୍ବପର୍ବାଣି ଓ ଆଡମ୍ବର କମ୍ ରହିଛି, ତେବେ ଏହି ଧର୍ମରେ ପୂର୍ଣ୍ଣିମାଟି ବେଶ ଗୁରୁତ୍ୱପୂର୍ଣ୍ଣ । କାରଣ ପୂର୍ଣ୍ଣିମା ତିଥିରେ ଗୌତମ ବୁଦ୍ଧଙ୍କ ଜନ୍ମ, ନିର୍ବାଣ, ପରିନିର୍ବାଣ ଆଦି ଘଟିଥିଲା । ସେଥିପାଇଁ ପୂର୍ଣ୍ଣିମା ତିଥିରେ ବୌଦ୍ଧଧର୍ମାବଲମ୍ବୀମାନେ ଉପାସନା, ଆରାଧନା, ଧ୍ୟାନ ଓ ସାଧନା ଆଦି କରିଥାନ୍ତି ।

ଖ୍ରୀଷ୍ଟପୂର୍ବ ୫୬୩ରେ ଗୌତମ ବୁଦ୍ଧ ନେପାଳର କପିଳବାସ୍ତୁ ନିକଟବର୍ତ୍ତୀ ଲୁମ୍ବିନୀ ଉପବନରେ ଜନ୍ମ ଗ୍ରହଣ କରିଥିଲେ । ଶାକ୍ୟବଂଶୀୟ କ୍ଷତ୍ରିୟମାନଙ୍କର ଏକ କ୍ଷୁଦ୍ର ରାଜ୍ୟ ହେଉଛି କପିଳାବାସ୍ତୁ । ଆଜିର ଦିନ ଅର୍ଥାତ ବୈଶାଖ ପୂର୍ଣ୍ଣିମାରେ ରାଜା ଶୁଦ୍ଧୋଦନ ଓ ମାୟାଦେବୀଙ୍କ କୋଳମଣ୍ଡନ କରିଥିଲେ ଗୌତମ ବୁଦ୍ଧ । ମାତ୍ର ଜନ୍ମ ଲାଭ କରିବାର ଏକ ସପ୍ତାହ ପରେ ମାୟାଦେବୀଙ୍କର ମୃତ୍ୟୁ ହୋଇଥିଲା । ପରେ ମାଉସୀ ଗୌତମୀଙ୍କ ଦ୍ୱାରା ସେ ପରିପାଳିତ ହୋଇଥିଲେ । ରାଜ ପରିବାରରେ ଜନ୍ମଗ୍ରହଣ କରି ସୁଦ୍ଧା ଗୌତମ ସଂସାରର ମାୟା ମୋହରୁ ଦୂରେଇ ରହୁଥିଲେ । ସେ ସର୍ବଦା ସଂସାର ବିରାଗୀ ରହୁଥିଲେ । ପୁତ୍ରର ଏତାଦୃଶ ବ୍ୟବହାର ଦେଖି ପିତା ଯଶୋଧାରା ନାମ୍ନୀ ଏକ ସୁନ୍ଦରୀ କନ୍ୟାଙ୍କ ସହ ତାଙ୍କର ବିବାହ କରାଇଥିଲେ । ବିବାହ ପରେ ଗୌତମଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ଜାତ ହୋଇଥିଲା । ସ୍ତ୍ରୀ ଓ ସନ୍ତାନ ସୁଖ ପାଇଁ ମଧ୍ୟ ଗୌତମଙ୍କର ମନ ପରିବର୍ତ୍ତନ ହୋଇନଥିଲା । ଥରେ ସେ ନଗର ଭ୍ରମଣ କରୁଥିବାବେଳେ ଜଣେ ଜରାଗ୍ରସ୍ତ ଲୋକ, ଏକ ରୁଗ୍ଣ ବ୍ୟକ୍ତି ଓ ଏକ ଶବକୁ ଦେଖି ବିଚଳିତ ହୋଇପଡିଥିଲେ । ଏବଂ ଏହାପରେ ସେ ସଂସାରର ସମସ୍ତ ମାୟା ମୋହ ତୁଟାଇ ସନ୍ୟାସୀ ହୋଇ ରାଜପ୍ରସାଦ ତ୍ୟାଗ କରିଥିଲେ । ସେ ଦିନରାତି ତପସ୍ୟା କରି ଶେଷରେ ବୌଦ୍ଧତ୍ୱ ପ୍ରାପ୍ତି କଲେ । ସାରା ସଂସାରକୁ ଏକ ନୂତନ ଧର୍ମର ରାସ୍ତା ଦେଖାଇଲେ । ତାଙ୍କର ଦ୍ୱାରା ପ୍ରସାରିତ ହୋଇଥିବା ଧର୍ମ ହେଉଛି ବୌଦ୍ଧ ଧର୍ମ । ଏବଂ ସେ ବୁଦ୍ଧତ୍ୱ ପ୍ରାପ୍ତି କରି ହେଲେ ବୁଦ୍ଧ । ଯାହାର ଅର୍ଥ ହେଉଛି ଆଲୋକିତ କରିବା । ତାଙ୍କର ସମସ୍ତ ଆଦର୍ଶ ଓ ଧର୍ମ ପାଲି ଭାଷାରେ ଲିପିବଦ୍ଧ ହୋଇଛି । ଗୌତମ ବୁଦ୍ଧଙ୍କ ସତ୍ୟ, ଅହିଂସା ଓ କରୁଣାର ବାଣୀ ରାଷ୍ଟ୍ର, ଧର୍ମ ନିର୍ବିଶେଷରେ ସମସ୍ତଙ୍କୁ ପ୍ରଭାବିତ କରିପାରିଛି । ନେପାଳ, ଭାରତ ସମେତ ଶ୍ରୀଲଙ୍କା, ଭୁଟାନ, ଚୀନ, ମିଆଁମାର, କାମ୍ବୋଡିଆ, ଜାପାନ, ମଙ୍ଗୋଲିଆ, ସିଙ୍ଗାପୁର, ତାଇୱାନ, ଥାଇଲାଣ୍ଡ, ଭିଏତନାମ ଆଦି ଦେଶରେ ବୌଦ୍ଧ ଧର୍ମ ବହୁଳ ପରିମାଣରେ ଦେଖିବାକୁ ମିଳେ । ସମଗ୍ର ବିଶ୍ୱ ଜନସଂଖ୍ୟାର ସାତରୁ ଆଠ ପ୍ରତିଶତ ଲୋକ ବୌଦ୍ଧ ଧର୍ମରେ ବିଶ୍ୱାସ କରନ୍ତି ।

ସେହିପରି ଭାରତ ସମେତ ଓଡ଼ିଶାରେ ମଧ୍ୟ ବୌଦ୍ଧଧର୍ମର ବେଶ ପ୍ରଭାବ ଦେଖିବାକୁ ମିଳେ । ବୌଦ୍ଧ ଧର୍ମର ସିଦ୍ଧାନ୍ତ, ସଂସ୍କୃତି, ସାହିତ୍ୟ ଓ ଆଚାର ବ୍ୟବହାର ଓଡ଼ିଆ ସାହିତ୍ୟ ଓ ସଂସ୍କୃତିରେ ଦେଖିବାକୁ ମିଳେ । ପୁଣି ବିଷ୍ଣୁଙ୍କ ଦଶ ଅବତାର ମଧ୍ୟରେ ବୁଦ୍ଧ ମଧ୍ୟ ଏକ ଅବତାର ରୂପେ ସ୍ଥାନ ପାଇଛନ୍ତି ।

ଏତଦ ବ୍ୟତୀତ ଏହି ଦିନକୁ ଓଡ଼ିଶାରେ ଚନ୍ଦନ ପୂର୍ଣ୍ଣିମା ରୂପେ ପାଳନ କରାଯାଏ । ଶ୍ରୀକ୍ଷେତ୍ରରେ ପାଳିତ ହେଉଥିବା ସମସ୍ତ ପର୍ବପର୍ବାଣି ମଧ୍ୟରେ ଏହା ଅନ୍ୟତମ । ଚନ୍ଦନ ପୂର୍ଣ୍ଣିମା ହେଉଛି ଶୀତଳତାର ଅନ୍ୟତମ ପ୍ରତୀକ । ଚନ୍ଦନ, ଚନ୍ଦ୍ରମା ହେଉଛନ୍ତି ଶୀତଳର ପ୍ରତୀକ । ପୁଣି ଏହି ପୂର୍ଣ୍ଣିମାରେ ମହାପ୍ରଭୁଙ୍କର ଆଶୀର୍ଵାଦ ସମସ୍ତ ମାନବ ଜୀବନରେ ଶୀତଳତା ଭରି ଦିଏ ।

ବୁଦ୍ଧ ଜୟନ୍ତୀରେ ବୁଦ୍ଧଙ୍କ ନୀତି ଓ ବାଣୀ ଆମକୁ ମୋକ୍ଷର ମାର୍ଗ ଆଡକୁ ନେଉଥିବାବେଳେ ଚନ୍ଦନ ପୂର୍ଣ୍ଣିମା ଆମ ମନ ଓ ଶରୀରରେ ଶୀତଳତା ଭରି ଦିଏ । ମୋକ୍ଷ ଆଉ ଶୀତଳତାରେ ଏଇ ଅପୂର୍ବ ସଂଯୋଗରେ ଆମ ଜୀବନ ସାର୍ଥକ ହେଉ ଏହାହିଁ କାମନା ।