୬୮ତମ ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର ଓ କାଲି ପାଇଁ କାଲିର ସିନେମା

୬୮ତମ ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାରରେ ଦକ୍ଷିଣ ଭାରତୀୟ ସିନେମା ବାଜିମାତ କରିଛି । ତେବେ ଏହି ପୁରସ୍କାରରେ ଓଡ଼ିଆ ସିନେ ପୁସ୍ତକ ସ୍ୱତନ୍ତ୍ର ପୁରସ୍କାରର ଯାେଗ୍ଯତା ହାସଲ କରି ଏକ ନୂତନ ସମ୍ଭାବନା ସୃଷ୍ଟି କରିଛି । ଚଳଚ୍ଚିତ୍ର ପୁରସ୍କାର ଓ କାଲି ପାଇଁ କାଲିର ସିନେମାକୁ ନେଇ ଏକ ଆଲେଖ ।


ଫଟାେ - ୱିକିପିଡିଆ ଓ ଫେସବୁକ୍

ଗତକାଲି ୬୮ତମ ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଛି । ଏଇ ଚଳଚ୍ଚିତ୍ର ପୁରସ୍କାରରେ ଦକ୍ଷିଣ ଭାରତୀୟ ସିନେମାର ଦବଦବା ଦେଖିବାକୁ ମିଳିଛି । ଶ୍ରେଷ୍ଠ ସିନେମା, ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ଅଭିନେତ୍ରୀ, ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ଗୀତିକାର, ଶ୍ରେଷ୍ଠ ସହ ଅଭିନେତା ଓ ଶ୍ରେଷ୍ଠ ସହ ଅଭିନେତ୍ରୀର ପୁରସ୍କାର ଦକ୍ଷିଣ ଭାରତୀୟ ସିନେମା ହାତେଇଥିବାବେଳେ ହିନ୍ଦୀ ସିନେମା ମାତ୍ର ୪ଟି ପୁରସ୍କାର ପାଇଛି । ୨୦୨୦ ମସିହା ପାଇଁ ଦିଆଯିବାକୁ ଥିବା ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାରରେ ହିନ୍ଦୀ ସିନେମା ‘ତାନାଜୀ - ଅନସଙ୍ଗ ହିରୋ’ ପାଇଁ ଅଜୟ ଦେବଗନ ଏବଂ ‘ସୋରାରାଇ ପୋଟ୍ରୁ’ ପାଇଁ ସୂରିୟାଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ମନୋନୀତ କରାଯାଇଥିବାବେଳେ ଅପର୍ଣ୍ଣା ବାଲମୁରଲୀ (ସୋରାରାଇ ପୋଟ୍ରୁ)ଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଘୋଷଣା କରାଯାଇଛି । ଅନ୍ୟପକ୍ଷ‌ରେ ‘ସୋରାରାଇ ପୋଟ୍ରୁ’ ଶ୍ରେଷ୍ଠ ଚଳଚ୍ଚିତ୍ର ରୂପେ ବିବେଚିତ ହୋଇଛି । ଶ୍ରେଷ୍ଠ ଗୀତିକାର ପାଇଁ ମନୋଜ ମୁନ୍ଥାଶିର (ସାଇନା - ହିନ୍ଦୀ)ଙ୍କ ନାମ ଘୋଷଣା କରାଯାଇଛି ।

ସେହିପରି ଶ୍ରେଷ୍ଠ ସହ - ଅଭିନେତ୍ରୀ ପାଇଁ ଲକ୍ଷ୍ମୀପ୍ରିୟା ଚନ୍ଦ୍ରମୌଲୀ (ଶିବରଞ୍ଜନିୟମ୍ ଇନୁମ୍ ସିଲା ପେଙ୍ଗାଲମ୍- ତାମିଲ), ଶ୍ରେଷ୍ଠ ସହ - ଅଭିନେତା ପାଇଁ ବିଜୁ ମେନନ୍ (ଏକେ ଆୟାପ୍ପାନମ୍ କୋଶିୟମ୍ - ମାଲାୟାଲମ୍), ଶ୍ରେଷ୍ଠ ନିର୍ଦ୍ଦେଶନା ପାଇଁ ସଚ୍ଚିଦାନନ୍ଦନ୍ କେଆର୍ (ଏକେ ଆୟାପ୍ପାନମ୍ କୋଶିୟମ୍)ଙ୍କ ନାମ ଘୋଷଣା କରାଯାଇଛି ।

ସେହିପରି ଅଣ ଫିଚର ବର୍ଗରେ ଶ୍ରେଷ୍ଠ ପାରିବାରିକ ମୂଲ୍ୟବୋଧ ଭିତ୍ତିକ ସିନେମା ଭାବେ 'କୁମକୁମାରଚରନ', ପରିବେଶ ଭିତ୍ତିକ ସିନେମା ଭାବେ 'ତାଲଦେଣ୍ଡା', ଶ୍ରେଷ୍ଠ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସିନେମା ଭାବେ 'ଅନ ଦ ବ୍ରିଙ୍କ ସିଜିନ - ୨', ଶ୍ରେଷ୍ଠ ଶିକ୍ଷା ଭିତ୍ତିକ ସିନେମା ଭାବେ 'ଡ୍ରିମିଙ୍ଗ ଅଫ ୱାର୍ଡସ', ଶ୍ରେଷ୍ଠ ସାମାଜିକ ସମସ୍ୟା ଭିତ୍ତିକ ସିନେମା ଭାବେ 'ଜଷ୍ଟିସ ଡିଲେଏଡ଼ ବଟ ଡେ଼ଲିଭର୍ସ' ଓ 'ଥ୍ରୀ ସିଷ୍ଟର୍ସ', ଶ୍ରେଷ୍ଠ ଅଣ ଫିଚର ସିନେମା ଭାବେ 'ଟେଷ୍ଟାମନି ଅଫ ଆନ୍ନା', ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ 'ଓ ଦ୍ଯାଟ୍ସ ଭାନୁ' ପାଇଁ ଆର ଭି ରମାନି, ସଂଗୀତ ନିର୍ଦ୍ଦେଶକ ଭାବେ ଵିଶାଲ ଭରଦ୍ୱାଜଙ୍କୁ ପୁରସ୍କାର ମିଳିବା ନେଇ ଘୋଷଣା ହୋଇଛି । ନବାଗତ ନିର୍ଦ୍ଦେଶକ ପାଇଁ ଇନ୍ଦିରା ଗାନ୍ଧି ପୁରସ୍କାର ପାଇଁ 'ମଣ୍ଡେଲା' ଯାେଗ୍ଯ ବିବେଚିତ ହାେଇଛି । ଶ୍ରେଷ୍ଠ ଶିଶୁ ସିନେମା ଭାବେ 'ସୁମି' (ମରାଠୀ) ଓ ଶ୍ରେଷ୍ଠ ଶିଶୁ କଳାକାର ପାଇଁ ଅନିଶ୍ ମଙ୍ଗେସ୍ ଗୌସ୍ବାବୀ (ତକ୍-ତକ୍), ଆକାଂକ୍ଷା ପିଙ୍ଗଲେ ଓ ଦିବ୍ଯେଶ ଇନ୍ଦୁଲକର (ସୁମି)ଙ୍କ ନାମ ମନୋନୀତ ହୋଇଛି । ସେହିପରି 'ତୁଲସୀଦାସ ଜୁନିଅର୍'ର ଶିଶୁ କଳାକାର ବରୁଣ ବୁଦ୍ଧଦେବଙ୍କୁ ସ୍ବତନ୍ତ୍ର ପୁରସ୍କାର, କିଶ୍ବର ଦେସାଇଙ୍କ ପୁସ୍ତକ 'ଦ ଲଙ୍ଗେଷ୍ଚ କିସ୍' କୁ ବେଷ୍ଚ ବୁକ୍ ଅନ୍ ସିନେମାର ସମ୍ମାନ ମିଳିବା ନେଇ ଘୋଷଣା ହୋଇଛି ।

ଶ୍ରେଷ୍ଠ ଆଞ୍ଚଳିକ ଭାଷାର ଚଳଚ୍ଚିତ୍ରରେ 'ଜେଟିଜ୍' (ଟୁଲୁ), 'ଦାଦା ଲକ୍ଷ୍ମୀ' (ହରିୟାଣୀ), 'କଲର ଫଟୋ'(ତେଲୁଗୁ ), 'ଶିବରଞ୍ଜନିୟମ୍ ଇନୁମ୍ ସିଲା ପେଙ୍ଗାଲମ୍' (ତାମିଲ), 'ସେମଖୋର' (ଦିମାସା), 'ତିଙ୍କାଲାଚା ନିଶ୍ଚୟମ୍' (ମାଲାୟାଲମ୍), 'ଗୋଶଟା ଏକତା ପାଏଥାନିଚି' (ମରାଠୀ), 'ଡୋଲୁ' (କନ୍ନଡ), 'ତୁଲସୀଦାସ ଜୁନିଅର୍' (ହିନ୍ଦୀ), 'ଅଭିଯାତ୍ରୀକ' (ବଙ୍ଗଳା), 'ବ୍ରିଜ' (ଆସାମୀ) ପ୍ରମୁଖ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଚଳିତ ବର୍ଷ ରାଷ୍ଟ୍ରୀୟ ପୁରସ୍କାରରେ ଓଡ଼ିଆର କୌଣସି ସିନେମା ଶ୍ରେଷ୍ଠ ଆଞ୍ଚଳିକ ଭାଷାର ଚଳଚ୍ଚିତ୍ର ବର୍ଗରେ ସାମିଲ ହୋଇପାରିନାହିଁ, ତେବେ ଓଡ଼ିଆରେ ଲିଖିତ ସିନେମା ସମ୍ଵନ୍ଧିତ ପୁସ୍ତକ କିନ୍ତୁ ପୁରସ୍କାର ହାତେଇଛି । ଚଳଚ୍ଚିତ୍ର ସମ୍ଵନ୍ଧିତ ଆଞ୍ଚଳିକ ଭାଷାର ପୁସ୍ତକ ଭାବେ ଓଡ଼ିଶାର ସିନେ - ସମୀକ୍ଷକ ସୂର୍ଯ୍ୟ ଦେଓଙ୍କ ଲିଖିତ ତଥା ପକ୍ଷୀଘର ପ୍ରକାଶନୀ ଦ୍ୱାରା ପ୍ରକାଶିତ ‘କାଲି ପାଇଁ କାଲିର ସିନେମା’ ଶ୍ରେଷ୍ଠ ସିନେମା ପୁସ୍ତକର ସ୍ବତନ୍ତ୍ର ପୁରସ୍କାର ପାଇଁ ମନୋନୀତ ହୋଇଛି । ପ୍ରଥମ ଥର ପାଇଁ ଓଡିଆ ଭାଷାରେ ଲିଖିତ ଚଳଚ୍ଚିତ୍ର ସମ୍ଵନ୍ଧିତ ପୁସ୍ତକ ଜାତୀୟ ସିନେ ସମ୍ମାନରେ ସମ୍ମାନିତ ହୋଇ ଏକ ନୂତନ ଆଶା ସୃଷ୍ଟି କରିଛି ।

ଓଡ଼ିଆ ସିନେମାର ଇତିହାସ ଯେ ସ୍ୱର୍ଣ୍ଣାଭ ଏଥିରେ ସନ୍ଦେହ ନାହିଁ । ଭବିଷ୍ୟତ ପାଇଁ ଯେ ଅତୀତ ଅପରିହାର୍ଯ୍ୟ ତାହା ପୁଣିଥରେ ପ୍ରମାଣିତ ହୋଇଛି । ଆସନ୍ତାକାଲି ପାଇଁ ଗତକାଲିର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ତାହା ‘କାଲି ପାଇଁ କାଲିର ସିନେମା’ ପୁସ୍ତକ ପ୍ରମାଣ କରି ଦେଖାଇଛି । ସିନେମା କହିଲେ କେବଳ ମନୋରଞ୍ଜନକୁ ବୁଝାଏ ନାହିଁ, ଏହା ଏକ ଜାତିର ଚଳନ୍ତି ଇତିହାସକୁ ବୁଝାଏ । ସୂର୍ଯ୍ୟ ଦେଓଙ୍କ ଲିଖିତ ଏହି ପୁସ୍ତକରେ ୨୧ଟି ଚଳଚ୍ଚିତ୍ରର ସମ୍ପୂର୍ଣ୍ଣ ରୂପରେଖ ରହିଛି । ଲଳିତାଠାରୁ ଆରମ୍ଭ କରି ଭକ୍ତ ସାଲବେଗଙ୍କ ପର୍ଯ୍ୟନ୍ତ ୨୧ଟି ଓଡ଼ିଆ କ୍ଲାସିକ ସିନେମାର ଇତିବୃତ୍ତି ଏହି ପୁସ୍ତକରେ ରହିଛି । ଏହି ପୁସ୍ତକରେ ୨୧ଟି ସିନେମାର କାହାଣୀ, ସିନେମାର ଇତିହାସ, ସିନେମାକୁ ନେଇ ରୋଚକ ଘଟଣା ଓ ଏଇ ସବୁ ସିନେମାରେ ଜଡିତ ଥିବା ବ୍ୟକ୍ତିବିଶେଷଙ୍କ ଅନୁଭୂତିମାନ ରହିଛି ।

ସମ୍ପ୍ରତି ଓଡ଼ିଆ ସିନେମା ନିଜର ମୌଳିକତା ହରେଇଛି । ଓଡ଼ିଆ ପରମ୍ପରା ଓ ଇତିହାସ ତଥା ମୌଳିକତାକୁ ନେଇ ଏବେ କୌଣସି ଓଡ଼ିଆ ସିନେମା ତିଆରି ହେଉନାହିଁ । ଆଜିକାଲିର ଡବିଂ ଯୁଗରେ ଓଡ଼ିଆ ସିନେମା ଏକପ୍ରକାର ରୁଗ୍ଣ ହୋଇପଡିଛି । ଏହି ସମୟରେ ‘କାଲି ପାଇଁ କାଲିର ସିନେମା’ ଏକ ନୂଆ ସମ୍ଭାବନା ତିଆରି କରୁଛି ।

Report an Error