ତ୍ୟାଗ ଓ ଶକ୍ତିର ଦେବୀ ମା’ ବ୍ରହ୍ମଚାରିଣୀ

ଆଜି ହେଉଛି ଶାରଦୀୟ ନବରାତ୍ରୀର ଦ୍ବିତୀୟ ଦିବସ । ନବରାତ୍ରୀର ଦ୍ବିତୀୟ ଦିବସରେ ମା ଦୁର୍ଗାଙ୍କର ଦ୍ବିତୀୟ ସ୍ବରୂପ ବ୍ରହ୍ମଚାରିଣୀଙ୍କର ଉପାସନା କରାଯାଇଥାଏ ।


ଫଟାେ - ୱିକିପିଡିଆ

ନବରାତ୍ରରେ ନବଦୁର୍ଗା ପୂଜାରେ ସତ୍ତ୍ୱ, ରଜ, ତମର ପ୍ରତୀକ ତିନି ଦେବୀଙ୍କୁ ଆରାଧନା କରାଯାଏ । ପ୍ରଥମ ତିନି ଦିନ ଅସୀମ ଶକ୍ତିର ଅଧିକାରିଣୀ ମା’ ଦୁର୍ଗା ରୂପେ, ଦ୍ୱିତୀୟ ତିନି ଦିନ ଆଧ୍ୟାତ୍ମିକ ସଂପଦ ପ୍ରଦାୟିନୀ ମା’ ଲକ୍ଷ୍ମୀ ରୂପେ ଏବଂ ଶେଷ ତିନିଦିନ ପ୍ରଜ୍ଞା ଓ ଜ୍ଞାନର ଅଧିକାରିଣୀ ମା’ ସରସ୍ୱତୀ ରୂପେ ପୂଜା ପାଇଥାନ୍ତି । ବ୍ରହ୍ମାଙ୍କ କଥନ ଅନୁସାରେ ନବଦୁର୍ଗାଙ୍କ ନଅଗୋଟି ରୂପ ରହିଛି । ଏହି ନଅଟି ରୂପକୁ କ୍ରମାନ୍ୱୟରେ ନବରାତ୍ରୀରେ ପୂଜା କରାଯାଇଥାଏ ।

ଆଜି ହେଉଛି ଶାରଦୀୟ ନବରାତ୍ରୀର ଦ୍ବିତୀୟ ଦିବସ । ନବରାତ୍ରୀର ଦ୍ବିତୀୟ ଦିବସରେ ମା ଦୁର୍ଗାଙ୍କର ଦ୍ବିତୀୟ ସ୍ବରୂପ ବ୍ରହ୍ମଚାରିଣୀଙ୍କର ଉପାସନା କରାଯାଇଥାଏ । ଦ୍ୱିତୀୟ ଦିବସରେ ତପ, ତ୍ୟାଗ ଓ ଶକ୍ତିର ଦେବୀ ମା’ ବ୍ରହ୍ମଚାରିଣୀ ସ୍ୱରୂପରେ ପୂଜା ପାଇଥାନ୍ତି । ଏହି ବେଶରେ ମା’ଙ୍କ ଡାହାଣ ହାତରେ ମନ୍ତ୍ର ଜପାମାଳି ଓ ବାମ ହାତରେ କମଣ୍ଡଳୁ ଶୋଭାପାଏ । ଦେବୀଙ୍କ ଏହି ରୂପ ତପସ୍ୟାର ତେଜରେ ତେଜୋଦୀପ୍ତ ହୋଇଥାଏ ।

ମାଆ ବ୍ରହ୍ମଚାରିଣୀ ଭଗବାନ ଶିବଙ୍କୁ ସ୍ବାମୀ ରୂପରେ ପ୍ରାପ୍ତ କରିବା ପାଇଁ ଘୋର ତପସ୍ୟା କରିଥିଲେ । କଠିନ ତପସ୍ୟା କରିଥିବାରୁ ମାଆ ତପଶ୍ଚାରିଣୀ ଅର୍ଥାତ ବ୍ରହ୍ମଚାରିଣୀ ନାଁରେ ପରିଚିତ । ବ୍ରହ୍ମଚାରିଣୀଙ୍କ ଅର୍ଥ ବହୁ ଗଭୀର । ବ୍ରହ୍ମର ଅର୍ଥ ତପସ୍ୟା ଓ ଚାରିଣୀର ଅର୍ଥ ଆଚରଣ । ଅର୍ଥାତ ଦେବୀ ତପ ଆଚରଣ କରିଥାନ୍ତି । ଧାର୍ମିକ ମାନ୍ୟତା ଅନୁଯାୟୀ, ମା’ ବ୍ରହ୍ମଚାରିଣୀଙ୍କୁ ପୂଜା କଲେ ତପ ତ୍ୟାଗ, ବୈରାଗ୍ୟ, ସଦାଚାର ଓ ସଂଯମ ବୃଦ୍ଧି ପାଇଥାଏ । ଆଜିର ଦିନରେ ମା'ଙ୍କୁ ସ୍ମରଣ କଲେ ତପ, ତ୍ୟାଗ, ବୈରାଗ୍ୟ, ସଦାଚାରରେ ବୃଦ୍ଧିହୁଏ । ମା' ବ୍ରହ୍ମଚାରିଣୀଙ୍କୁ ଜ୍ଞାନ ଓ ବୁଦ୍ଧିର ଦେବୀ ବୋଲି ମଧ୍ୟ କୁହାଯାଏ । ତାଙ୍କ କୃପା ଦ୍ବାରା ସମସ୍ତ ସମସ୍ୟା ଦୂର ହୋଇଥାଏ ।

ଶାରଦୀୟ ନବରାତ୍ର ପାଇଁ ଓଡ଼ିଶାର ସମସ୍ତ ଶକ୍ତିପୀଠଗୁଡିକ ବେଶ ଚଳଚଂଚଳ ହୋଇପଡିଛି । ଶକ୍ତିପୀଠଗୁଡିକରେ ମା'ଙ୍କର ବିଭିନ୍ନ ବେଶ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରୁଛି । ସ୍ୱତନ୍ତ୍ର ନୀତିକାନ୍ତିରେ ପୂଜା ପାଉଛନ୍ତି ମା’ । ପାର୍ବଣର ଏହି ମଧୁର ଲଗ୍ନରେ ସାରା ପରିବେଶ ପାର୍ବଣମୟ ହୋଇପଡିଛି । ଚାରିଆଡେ ଶୁଭ୍ରତାର ଝଲକ ସହ ମାଙ୍କ ଆରାଧନା ଏକ ଭକ୍ତିମୟ ପରିବେଶ ସୃଷ୍ଟି କରୁଛି । ଆସନ୍ତୁ ନବରାତ୍ରର ଏଇ ଦ୍ଵିତୀୟ ଦିବସରେ ମା ବ୍ରହ୍ମଚାରିଣୀଙ୍କ ଆଶୀର୍ବାଦ ଘେନିବା ।

Report an Error