ଆଜିର ଯୋଗ: ଖାଇବା ପୂର୍ବରୁ ଭୋଜନ ଚୟନ

ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ । ସ୍ୱାସ୍ଥ୍ୟ ଲାଗି ଯୋଗ ଏବେ ବଡ଼ ଆବଶ୍ୟକତା ପାଲଟିଛି । ଯୋଗ କହିଲେ କେବଳ ଆସନ ବା ଶାରୀରିକ ବ୍ୟାୟାମ ନୁହେଁ ବରଂ ଉପଯୁକ୍ତ ଖାଦ୍ୟ ଗ୍ରହଣ କରିବା ମଧ୍ୟ ଏକ ପ୍ରକାରର ଯୋଗ ।


ଜୀବନରେ ଘଟିଥିବା ଅନେକ ଘଟଣା ମଧ୍ୟରେ ମୋର ମନେପଡେ ପର୍ବପର୍ବାଣୀ ସମୟରେ ମୁଁ ଯେତେବେଳେ ଅଚିହ୍ନା ସହରରେ ଦୁଇ ଖଣ୍ଡ ସାଣ୍ଡୱିଚ୍ ପାଇଁ କାରରୁ ଓହ୍ଲାଉଥାଏ । ମୋତେ ଭୋକ ଲାଗୁଥାଏ ଆଉ ମୋର ଛୋଟ ପେଟକୁ ଭରିବା ସେଇ ସମୟରେ ଯାହାର ଆବଶ୍ୟକତା ଥିଲା, ତାହା ହେଉଛି ଖାଦ୍ୟ । ଏବଂ, ଏକଥା ବି ମୋର ମନେପଡେ ଯେ ମୁଁ ଯେତେବେଳେ ବ୍ୟକ୍ତିଗତ କିମ୍ବା ବ୍ୟବସାୟିକ ବନ୍ଧୁମିଳନ ପାଇଁ ଯୋଜନା କରେ, ସେତେବେଳେ କେଉଁ କେଉଁ ବିଷୟ ପ୍ରତି ଅଧିକ ଧ୍ୟାନ ଦିଏ । ବାମ ପାର୍ଶ୍ଵରେ ବ୍ରେଡ ପ୍ଲେଟକୁ ରଖି ଆମେରିକୀୟ ଶୈଳୀ ବା କଣ୍ଟିନେଟାଲ ଷ୍ଟାଇଲରେ ଖାଇବା ପାଇଁ କଣ୍ଟା ଚାମଚ ବ୍ୟବହାର କରିବାର ଉପାୟ ବା ସମ୍ପୂର୍ଣ୍ଣ ବିଦେଶୀ ଖାଇବା ଶୈଳୀକୁ ଗ୍ରହଣ କରିବା ଆଦିକୁ ଧ୍ୟାନ ଦିଏ । ତେବେ ଖାଇବାକୁ ନେଇ ଉଭୟ ଦିଗ ବିଷୟରେ ଜାଣିବା ଭଲ - ଯେମିତିକି ଆମେ ବଞ୍ଚିବା ପାଇଁ ଖାଇବା; ଏବଂ ଦ୍ୱିତୀୟରେ, ଆମେ ରହୁଥିବା ଲୋକଙ୍କ ମଧ୍ୟରେ ସମ୍ମାନ, ଆତ୍ମ ସମ୍ମାନ ଏବଂ ପାରସ୍ପରିକ ସମ୍ମାନର ସହିତ ବଞ୍ଚିବା ପାଇଁ ଭୋଜନ କରିବା ।

ସେହିପରି ଯୋଗ ମଧ୍ୟ । ହିନ୍ଦୁ ଜୀବନଧାରାରେ ଯୋଗ ହେଉଛି ଏକ ଅବିଚ୍ଛେଦ୍ୟ ଅଙ୍ଗ, ଏବଂ ଅନନ୍ତ କାଳରୁ ହିନ୍ଦୁ ଧର୍ମର ମୂଳ ବିଶ୍ୱାସ ମଧ୍ୟରେ ଏହାକୁ ଗଣାଯାଏ । ଏହାର ଅର୍ଥ ମନର ସ୍ଥିରତା; ଏବଂ ମନର ବିଘ୍ନ ଦୂର କରିବା ପାଇଁ ଏକ ମାଧ୍ୟମ । ଯୋଗ ଆତ୍ମାକୁ ଅସୀମତା ସହିତ ସଂଯୁକ୍ତ କରିବା ସହିତ ପରମାତ୍ମାକୁ ଖୋଜିବାରେ ସାହାଯ୍ୟ କରିଥାଏ । ଯୋଗ ମଣିଷକୁ ଅନ୍ତର୍ନିହିତ ଆତ୍ମାକୁ ଚିହ୍ନିବାରେ କରିବାରେ ସାହାଯ୍ୟ କରେ ଏବଂ ଆତ୍ମାର ଚରମ ଲକ୍ଷ୍ୟ ହାସଲ କରିବାକୁ ଯୋଗ ଆଠଟି ସୋପାନ ବା ଚରଣର ନିର୍ଦ୍ଦେଶ ଦେଇଥାଏ । ଏହା ଜୀବନରେ ନୈତିକ ମୂଲ୍ୟବୋଧ (ଯମ)ରୁ ଆରମ୍ଭ ହୁଏ, ଏବଂ ଶରୀର ଏବଂ ମନ (ନିୟମ) ପାଇଁ ଅନୁଶାସନ ଆପଣାଇବା ପାଇଁ ସୁଯୋଗ ଦିଏ । ତୃତୀୟ ସୋପାନରେ ଏହା ଆସନର ନିୟମିତ ଅଭ୍ୟାସକୁ ଦର୍ଶାଏ । ଏହାପରେ ପ୍ରାଣାୟାମ (ଶ୍ୱାସ ନିୟନ୍ତ୍ରଣ) ଆସେ, ଏବଂ ଏହା ପୂର୍ବ ନିୟମ ସହିତ ଶାରୀରିକ କାର୍ଯ୍ୟକଳାପ ସହ ଜଡିତ ରହେ । ତେବେ ଏତିକିରେ ଏହାର ପ୍ରକ୍ରିୟା ବନ୍ଦ ହୁଏ ନାହିଁ, ବରଂ ଭୌତିକ ସମ୍ବନ୍ଧତା (ପ୍ରତ୍ୟାହାର) ଏବଂ ସ୍ୱୟଂର ପ୍ରତ୍ୟାବର୍ତ୍ତନ ଓ ସ୍ଥିରତା (ଧାରଣା) ଉପରେ ଧ୍ୟାନ ଦେବାର କାର୍ଯ୍ୟ ସହିତ ଚାଲିଥାଏ । ଅନ୍ତିମ ଦୁଇଟି ପର୍ଯ୍ୟାୟରେ ଏହା ଧ୍ୟାନ (ଧ୍ୟାନ)ଏବଂ ପରମାତ୍ମା (ସମାଧି) ସହିତ ସିଧାସଳଖ ଯାେଗସୂତ୍ର କରିବାରେ ସହାୟକ ହୁଏ । ଏହା ହେଉଛି ଯୋଗ ଦର୍ଶନର ପ୍ରଣେତା ପତଞ୍ଜଳିଙ୍କ ନିର୍ଦ୍ଦିଷ୍ଟ ଅଷ୍ଟାଙ୍ଗ ଯୋଗ ।

ପ୍ରକୃତ ହିନ୍ଦୁ ମାର୍ଗରେ କଠୋରତାକୁ ତ୍ୟାଗ କରାଯାଏ । ପରିତ୍ରାଣ ବା ମୋକ୍ଷର ଏକକ ପନ୍ଥା ପାଇଁ ଭଗବତ୍ ଗୀତା ଅଧିକ ଗ୍ରହଣୀୟ ଉପାୟର ବର୍ଣ୍ଣନା କରିଥାଏ । ଏହା ଆମକୁ ଚାରୋଟି ମାର୍ଗ ପ୍ରଦାନ କରିଥାଏ ଯଥା - ଭକ୍ତି (ଭକ୍ତି), ସାଂସାରିକ କର୍ତ୍ତବ୍ୟ (କର୍ମ), ଜ୍ଞାନ ଅନ୍ୱେଷଣ ଏବଂ ପ୍ରସାର (ଜ୍ଞାନ) ଓ ଧ୍ୟାନ ଅଥବା ଆତ୍ମନିର୍ଭରଶୀଳ (ରାଜ ଯୋଗ, ପତଞ୍ଜଳିଙ୍କ ପରାମର୍ଶ ଅନୁଯାୟୀ ) । ଆହୁରି ମଧ୍ୟ ଏଠାରେ ଶାରୀରିକ ଆସନ (ହଠ ଯୋଗ) ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥାଏ । ତେବେ ପ୍ରଥମ ପର୍ଯ୍ୟାୟରେ ରାଜ ଯୋଗର ପ୍ରଥମ ଚାରୋଟି ଚରଣ ନିର୍ଦ୍ଧାରିତ ହୋଇଥାଏ ଏବଂ ଅନ୍ୟ ଚାରୋଟିର ପରବର୍ତ୍ତୀ ସ୍ତର ସମ୍ପର୍କରେ ପରାମର୍ଶ ଦେଇଥାଏ ।

ଏହାର ବିପରୀତରେ, ଯୋଗ ଆଜି ଦେଶ ଦୁନିଆରେ ଲୋକପ୍ରିୟ ହେବା ସହ ଆମର ଦୁର୍ବଳ ଅଙ୍ଗକୁ ବିଭିନ୍ନ ଉପାୟରେ ସବଳ ଓ ସକ୍ଷମ କରାଇବା ଏବଂ ଗଭୀର ନିଶ୍ୱାସ ନେଇ ପେଟକୁ ସଞ୍ଚାଳିତ କରିବାରେ ସୀମିତ ହୋଇଯାଇଛି । ବାସ୍ତବରେ, ଏହା ଅସୁସ୍ଥ ଶରୀର ପାଇଁ ଏକ ବିକଳ୍ପ ସ୍ୱାସ୍ଥ୍ୟ ଚିକିତ୍ସା ଭାବରେ ଧାର୍ଯ୍ୟ କରାଯାଇଛି - ତେବେ ବିଶ୍ବରେ ଯୋଗକୁ ଉପଯୋଗୀ ମଣୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ଓ ଏହାର ଲୋକପ୍ରିୟତାର ମଧ୍ୟ ବଢୁଛି ।

ହିନ୍ଦୁ ସଂସ୍କୃତିର ମୌଳିକତା ହେଉଛି - ଏହା ସବୁପ୍ରକାର ଭିନ୍ନତା ଓ ବିବିଧତାକୁ ସମାବେଶ କରିପାରେ ଓ ସବୁ ପ୍ରକାର ଭିନ୍ନତାକୁ ସହଜରେ ଗ୍ରହଣ କରିପାରେ । ହିନ୍ଦୁଧର୍ମର ଏହି ଉଦାର ଏବଂ ସମାବେଶୀ ଦର୍ଶନ ଏହାକୁ ଅଧିକ ଗ୍ରହଣୀୟତା ଦେଇଛି । କୌତୂହଳର ବିଷୟ ଏହା ଯେ ଯୋଗ ଏବେ ବାବାମାନଙ୍କର ବ୍ୟବସାୟ ପାଲଟିବା ସହିତ ସମଗ୍ର ବିଶ୍ୱରେ ଏକ ବୃହତ ବ୍ୟବସାୟୀ ଅନୁଷ୍ଠାନ ନିର୍ମାଣ କରିଛି ।

ଏହି ସମସ୍ତ ବାସ୍ତବତାକୁ ବୁଝିବା ସତ୍ତ୍ୱେ ମୁଁ ବିଶ୍ୱାସ କରେ ଯେ ଆମ ଜୀବନକାଳରେ ବିଶେଷ ଭାବରେ ହିନ୍ଦୁମାନଙ୍କୁ ଯୋଗର ପ୍ରାଚୀନ ରୂପ ଓ ଭାବନା ସମ୍ପର୍କରେ ସଚେତନ କରିବା ସହିତ ଏହାର ଅଭ୍ୟାସ ଉପରେ ଗୁରୁତ୍ଵ ଦେବାର ଆବଶ୍ୟକତା ରହିଛି । ଯେମିତିକି ଆମ ନିଜର ଦ୍ରୁତ ଗତିଶୀଳ ଜୀବନରେ ଭଲ ବା ସ୍ଵାଦିଷ୍ଟ ଖାଇବାର ଇଚ୍ଛା ସର୍ବଦା କରୁ, ଏବଂ କେବେକେବେ କିଛି ଖାଇବା ଆମକୁ ଆରାମ ଦେବା ସହିତ ଖୁସି ମଧ୍ୟ କରିଥାଏ ।

Translated from Yoga Today - Choosing to Eat over Dining

(ପ୍ରବନ୍ଧର ଅନୁବାଦ ପାଇଁ ମୁଁ ବାଟୋଇ ହବ୍ ର ବନ୍ଧୁମାନଙ୍କୁ ଧନ୍ୟବାଦ ଜଣାଉଛି ।)