ନାରୀ ନାରୀର ଶତ୍ରୁ ନୁହେଁ

ଏକାଭଳି ଦୁଃଖ ଭୋଗୁଥିବା ଦୁଇଟି ମଣିଷ ପରସ୍ପର ପ୍ରତି ସହାନୁଭୂତି ରଖନ୍ତି, କେବେ ପରସ୍ପରର ଶତ୍ରୁ ହେଇ ପାରନ୍ତିନି ।


ଫଟୋ - ୱିକି ମିଡିଆ କମନ୍ସ

ଏହି ଗୋଟିଏ ବାକ୍ୟ - "ନାରୀଟିଏ ହିଁ ନାରୀର ଶତ୍ରୁ" ପିଲାଦିନରୁ ଶୁଣି ଆସୁଛି । କିନ୍ତୁ ଆଜିଯାଏଁ ନିଜ ଆଖପାଖରେ ପ୍ରାୟତଃ ଦେଖିନାହିଁ ନାରୀମାନେ ପରସ୍ପର ସହ ଶତ୍ରୁତା କରି ହିଂସାକାଣ୍ଡ ଘଟେଇବାର । ବରଂ ଦେଖିଛି ରକ୍ତର ସମ୍ପର୍କ ନଥାଇ ବି ନାରୀମାନେ ପରଘରେ ନିଜର ତମାମ ଜୀବନ କାଟିଦିଅନ୍ତି ଶାଶୁ, ବୋହୂ, ନଣନ୍ଦ ସମ୍ପର୍କରେ ବାନ୍ଧି ହୋଇ । ଯଦି ସତରେ ନାରୀଟିଏ ନାରୀର ଶତ୍ରୁ ହେଇଥାନ୍ତା ପରିବାର କଦାପି ସମ୍ଭବ ହେଇ ପାରିନଥାନ୍ତା । ତେବେ ଏ ବାକ୍ୟ କିଏ ଆଉ କେଉଁ ଉଦ୍ଦେଶ୍ୟରେ ପ୍ରଚାର କରିବା ଆରମ୍ଭ କରିଥିଲେ ?

'ନାରୀ ହିଁ ନାରୀର ଶତ୍ରୁ' ଏ ବାକ୍ୟ ଏକ ଷଡଯନ୍ତ୍ର ତମାମ ନାରୀଜାତି ଉଦ୍ଦେଶ୍ୟରେ, ସେମାନଙ୍କୁ ଏକତ୍ରିତ ହୋଇ ସେମାନଙ୍କ ଅଧିକାର ପାଇଁ ଲଢେଇ କରିବାରୁ ବଞ୍ଚିତ କରିବା ପାଇଁ । 'ନାରୀ ହିଁ ନାରୀର ଶତ୍ରୁ' ଏ ନାରା ପୁରୁଷବାଦର ଘୃଣ୍ୟ ମାନସିକତାରୁ ଜାତ । ପୁରୁଷବାଦୀ ମାନସିକତା ଚାହେଁନି ନାରୀମାନେ ସଂଗଠିତ ହୁଅନ୍ତୁ, ସେମାନେ ସମାନତାର କଥା କୁହନ୍ତୁ, ସେମାନେ ନିଜକୁ ମଣିଷ ବୋଲି ଚିହ୍ନନ୍ତୁ । ନାରୀର ଯାବତୀୟ ଦୁର୍ଦ୍ଦଶା ପାଇଁ ପ୍ରକୃତ ଦୋଷୀ ପୁରୁଷବାଦୀ ସମାଜ, ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବା ପାଇଁ ଏ ବାକ୍ୟ 'ନାରୀ ହିଁ ନାରୀର ଶତ୍ରୁ' କୁ ଅସ୍ତ୍ର ଭାବେ ବ୍ୟବହାର କରେ ଏବଂ ସେହି ଅସ୍ତ୍ରର ପ୍ରୟୋଗ ଦ୍ୱାରା ନାରୀ ନିଜର ଅସଲ ଦୋଷୀକୁ ଚିହ୍ନିବାରେ ଅନେକ ସମୟରେ ଭୁଲ କରେ ।

ଜଣେ ନାରୀ କେବେହେଲେ ଅନ୍ୟ ଜଣେ ନାରୀର ଶତ୍ରୁ ନୁହେଁ (ଅଳ୍ପ କିଛି ବ୍ୟତିକ୍ରମ ଥାଇପାରେ), ବରଂ ସେମାନେ ସମଦୁଃଖୀ, ସମଭାବରେ ସମାଜର ଯାବତୀୟ ଶୋଷଣର ପୀଡିତା । ସବୁ ନାରୀଙ୍କର ପୀଡା, ଯନ୍ତ୍ରଣା, ଶୋଷଣ, କଷଣ ପ୍ରାୟତଃ ଏକା ପ୍ରକାର । ସମାଜର ସବୁ ବର୍ଗର ନାରୀଙ୍କ ପାଇଁ ପ୍ରାୟତଃ ଏକପ୍ରକାର ନୀତି ନିୟମ, ଶୃଙ୍ଖଳ ଓ ବନ୍ଧନ ସମାଜ ତିଆରି କରିଥିଲା । ସବୁ ନାରୀଙ୍କୁ ଶାରୀରିକ ଓ ମାନସିକ ଭାବେ ଗୋଲାମ ବନେଇ ରଖିବାର ହୀନ ଚକ୍ରାନ୍ତ କରିଥିଲା ପୁରୁଷବାଦୀ ମାନସିକତା । ସବୁ ନାରୀ ଯେତେବେଳେ ନିଜ ଦୁଃଖ, ଦୁର୍ଦ୍ଦଶାର କାରଣ ଖୋଜିବାରେ ଲାଗିଲେ, ସେତେବେଳେ ଆଶଙ୍କା ରହିଲା ଯେ ସେମାନେ ସଂଗଠିତ ହେଇଯିବେ । ଏକ ଲମ୍ବା ସମୟ ଯାଏଁ ଶୋଷଣର ଶିକାର ହେଉଥିବା ଏକ ନିର୍ଦ୍ଦିଷ୍ଟ ଦୁର୍ବଳ ଶ୍ରେଣୀ ଯେତେବେଳେ ଏକତ୍ରିତ ହୁଅନ୍ତି ସେତେବେଳେ ସେମାନେ ଏକ ବିରାଟ ପରିବର୍ତ୍ତନ ଆଣିବାର ସାମର୍ଥ୍ୟ ରଖିପାରନ୍ତି । କେବଳ ଏହି ସଂଗଠନ ଓ ବିପ୍ଳବର ଭୟରେ ହିଁ ପୁରୁଷବାଦୀ ସମାଜ ନାରୀଙ୍କୁ ସଂଗଠିତ ହେବାରୁ ଅଟକାଇଛି ଏହା କହି ଯେ "ତୁମେମାନେ ନିଜେ ନିଜ ଦୁଃଖ, ଦୁର୍ଦ୍ଦଶା ପାଇଁ ଦାୟୀ । ତୁମେ ନାରୀମାନେ ହିଁ ନାରୀମାନଙ୍କର ଶତ୍ରୁ ।"

ମୋର କହିବାର ଉଦ୍ଦେଶ୍ୟ ଏହା ନୁହେଁ ଯେ ନାରୀ ନାରୀର ଶତ୍ରୁ ନୁହେଁ, ପୁରୁଷ ନାରୀର ଶତ୍ରୁ । ମୋର ଉଦ୍ଦେଶ୍ୟ ଏହା ବି ନୁହେଁ ଯେ ପୁରୁଷ ହିଁ ନାରୀର ଦୁର୍ଦ୍ଦଶା ପାଇଁ ଦାୟୀ । ନା, ତାହା ଆଦୌ ନୁହେଁ । ପୁରୁଷ ନୁହେଁ ବରଂ ପୁରୁଷବାଦୀ ମାନସିକତା ନାରୀର ଦୁର୍ଦ୍ଦଶା ଓ ଯାବତୀୟ ଅସମାନତା ପାଇଁ ଦାୟୀ । ପୁରୁଷବାଦୀ ହେବା ପାଇଁ ମଣିଷଟେ ପୁରୁଷ ହେବା ଜରୁରୀ ନୁହେଁ, ନାରୀଟିଏ ବି ପୁରୁଷବାଦୀ ମାନସିକତାର ବାହକ ହେଇପାରେ । ଆଉ କେବଳ ନାରୀଟିଏ ଯେ ସବୁବେଳେ ନାରୀବାଦୀ ହେବ ତାହା ବି ଠିକ ନୁହେଁ, ଅନେକ ପୁରୁଷ ଅଛନ୍ତି ଯେଉଁମାନେ ନାରୀବାଦୀ । ସେମାନେ ନାରୀଙ୍କ ଅଧିକାର, ନାରୀଙ୍କ ସମ୍ମାନ, ସୁରକ୍ଷା, ସମାନତା ପାଇଁ ଅନେକ ଚେଷ୍ଟା କରିଛନ୍ତି ଓ କରୁଛନ୍ତି । ମୋ ମତରେ ଯେଉଁ ନାରୀ ନିଜେ କହେ, 'ନାରୀ ହିଁ ନାରୀର ଶତ୍ରୁ' ସେ ନାରୀ ସେହି ଘୃଣ୍ୟ ପୁରୁଷବାଦୀ ମାନସିକତାକୁ ଧାରଣ କରିଥାଏ ଏବଂ ସେ ନିଜେ ହିଁ ନିଜ ଭଳି ନାରୀଟେକୁ ଶତ୍ରୁ ଭାବିପାରେ ।

ଶୁଣିଥିଲି ଏକାଭଳି ଦୁଃଖ ଭୋଗୁଥିବା ଦୁଇଟି ମଣିଷ ପରସ୍ପର ପ୍ରତି ସହାନୁଭୂତି ରଖନ୍ତି, କେବେ ପରସ୍ପରର ଶତ୍ରୁ ହେଇ ପାରନ୍ତିନି । ଯେଉଁମାନେ କହନ୍ତି ନାରୀ ହିଁ ନାରୀ ପ୍ରତି ଈର୍ଷା ମନୋଭାବ ରଖେ ସେମାନେ କେବେ ଦେଖିନଥିବେ ଈର୍ଷା ମନୋଭାବ ରଖି ଝିଅମାନେ ଝିଅଙ୍କ ଉପରେ ଠେଙ୍ଗା ବାଡ଼ି ଧରି ଆକ୍ରମଣ କରୁଛନ୍ତି (ବ୍ୟତିକ୍ରମ ବ୍ୟତିରକେ) । ଏ ଆକ୍ରମଣ ଓ ହିଂସାକାଣ୍ଡ ପୁଅମାନେ କରନ୍ତି । କିଛି ଲୋକ କୁହନ୍ତି ପୁଅମାନେ ମାଡ଼ଗୋଳ କରନ୍ତି କିନ୍ତୁ ପୁନଶ୍ଚ ମିଶିଯାଆନ୍ତି, ଝିଅମାନେ ଦୀର୍ଘଦିନ ଧରି ରାଗ ରଖନ୍ତି, ଅନେକ ଦିନ ଯାଏଁ କଥାବାର୍ତ୍ତା ବନ୍ଦ କରି ରଖନ୍ତି । ତେଣୁ ଝିଅମାନଙ୍କ ଶତ୍ରୁତା ବେଶି ଖରାପ । ଝିଅମାନେ ତ ହିଂସାକାଣ୍ଡ କରନ୍ତିନି, ପରସ୍ପର ପ୍ରତି ଆକ୍ରମଣାତ୍ମକ ହୁଅନ୍ତି ନାହିଁ, କେହି କାହାକୁ ଶାରୀରିକ ଭାବେ କଷ୍ଟ ଦିଅନ୍ତିନି, ତେବେ ସେମାନେ ପରସ୍ପରର ଘୋର ଶତ୍ରୁ ବୋଲି ଆମେ କେମିତି କହି ପାରିବା ? ହଁ, ଯଦି କେବଳ ପରସ୍ପର ସହ କଥା ବନ୍ଦ କରି ସେମାନେ ପରସ୍ପର ପ୍ରତି ଶତ୍ରୁତା ଆଚରଣ କରୁଛନ୍ତି ତେବେ ସେ ଠେଙ୍ଗା ବାଡ଼ି, ଗୋଳା ବାରୁଦ, ହିଂସାକାଣ୍ଡ, ହତ୍ୟାକାଣ୍ଡର ଶତ୍ରୁତାଠାରୁ ଝିଅଙ୍କର କଥାବାର୍ତ୍ତା ବନ୍ଦ ଶତ୍ରୁତା ଲକ୍ଷେ ଗୁଣ ଭଲ ।

ମୋର ଏଇ ଛୋଟ ଜୀବନକାଳ ଭିତରେ ମୁଁ କୋଉଠି ଦେଖିନି ଝିଅଟିଏ ମୋ ସହ ଶତ୍ରୁତା ରଖି ମୋର ବିରାଟ କ୍ଷତି କରି ପକେଇଛି ଅବା ମୋତେ ହଇରାଣ କରିଛି । ବରଂ ମୋ ଆଖପାଖର ମୋ ପରିଚିତ ନାରୀମାନେ ମୋ ଜୀବନକୁ ସରସ ସୁନ୍ଦର କରି ଗଢି ତୋଳିବା ପାଇଁ ମୋତେ ଖୁବ୍ ପ୍ରେରଣା ଦେଇଛନ୍ତି । ମୋ ମାଆ, ଭଉଣୀ, ଭାଉଜଙ୍କଠୁ ଆରମ୍ଭ କରି ମୋର ସାଙ୍ଗମାନେ, ଏ ସୋସିଆଲ ମିଡିଆର ମୋର ବାନ୍ଧବୀମାନେ ସବୁବେଳେ ମୋତେ ପ୍ରେରିତ କରିଛନ୍ତି । କେବେ ମୋ ସହ ଶତ୍ରୁତା କରିନାହାଁନ୍ତି । କିନ୍ତୁ ପ୍ରାରମ୍ଭିକ ସମୟରେ ମୋ ଲେଖାକୁ ବିରୋଧ କରି ମୋତେ ଗାଳି ଗୁଲଜ କରିଥିବା ଲୋକମାନେ ଥିଲେ ମୋର କିଛି ପୁଅସାଙ୍ଗ । ଅବଶ୍ୟ ମୋ ପାଇଁ ଲଢେଇ କରିବାକୁ, ସେହି ଅସହିଷ୍ଣୁ ପୁଅଙ୍କ ଘୃଣ୍ୟ ମାନସିକତାକୁ ଜବାବ ଦେବାକୁ ଆଗେଇ ଆସିଥିବା ମଣିଷଙ୍କ ଭିତରେ ମୋର ମହିଳା ବନ୍ଧୁଙ୍କୁ ଛାଡ଼ି କିଛି ଜଣ ସମ୍ବେଦନଶୀଳ ପୁରୁଷ ମଧ୍ୟ ଥିଲେ । ତେବେ ମୁଁ କାହାକୁ ମୋର ଶତ୍ରୁ କହିବି ? ମୋତେ ଅହରହ ପ୍ରେରିତ କରୁଥିବା ମହିଳାଙ୍କୁ ତ ମୁଁ କେବେ ମୋର ଶତ୍ରୁ ବୋଲି କହିପାରିବିନି ।

ଏବେ ରୁଷ୍ - ୟୁକ୍ରେନ ଯୁଦ୍ଧ ଚାଲିଛି । ଉଭୟ ଦେଶର ରାଷ୍ଟ୍ରମୁଖ୍ୟ ପୁରୁଷ । ଯଦି ନାରୀ ନାରୀର ଶତ୍ରୁ ଆଉ ପୁରୁଷ ପୁରୁଷର ମିତ୍ର, ତାହେଲେ ଏ ପୁରୁଷ - ପୁରୁଷ କେମିତି ପରସ୍ପରର ଏଭଳି ଶତ୍ରୁ ହେଇଯାଉଛନ୍ତି ଯେ ନିଜର ଆଧିପତ୍ୟ ପାଇଁ ଯୁଦ୍ଧ କରି ସାଧାରଣ ଲୋକଙ୍କ ଜୀବନ ସହ ଖେଳୁଛନ୍ତି !!

ଅନେକ ସ୍ଥାନରେ ଦେଖିଥିବେ ଜମି, ବାଡ଼ି, ସମ୍ପତ୍ତି ପାଇଁ ଭାଇ - ଭାଇ ଭିତରେ ଭୀଷଣ ଗଣ୍ଡଗୋଳ ଲାଗି ହଣାକଟା ପର୍ଯ୍ୟନ୍ତ କଥା ଚାଲିଯାଏ । କିନ୍ତୁ କେବେ କେହି ଦେଖି ନଥିବେ ଭଉଣୀ - ଭଉଣୀ ଶତ୍ରୁତା କରି ହଣାକଟା ହେଉଛନ୍ତି (ବ୍ୟତିକ୍ରମ ଖୁବ୍ କମ୍) । ଭଉଣୀ ଭଉଣୀର ଏତେ ଭଲ ସାଙ୍ଗ ହେଇଥାଏ ଯେ ମଲାଯାଏଁ ସେମାନେ ପରସ୍ପରଙ୍କ ଗୋପନ କଥା ଛାତି ଭିତରେ ଚାପି ରଖିଥାନ୍ତି । କିଛି ଜଣ କହି ପାରନ୍ତି ଭାଇ ଭାଇର ଶତ୍ରୁ ନଥାଏ, ବିବାହ କଲାପରେ ସ୍ତ୍ରୀ ବୁଦ୍ଧିରେ ପଡ଼ି ଭାଇ ଭାଇର ଶତ୍ରୁ ହେଇଯାଏ । ଏକଥା କହୁଥିବା ଲୋକ ଭୁଲି ଯାଆନ୍ତି ଯେ ଭଉଣୀମାନେ ବି ବିବାହ କରନ୍ତି, କିନ୍ତୁ ସେମାନେ ବିବାହ ପରେ ସେମାନଙ୍କ ସ୍ୱାମୀମାନଙ୍କ କଥାରେ ପଡ଼ି ନିଜ ଭାଇ, ଭଉଣୀଙ୍କୁ କେବେ ଶତ୍ରୁ ଭାବନ୍ତି ନାହିଁ ।

ନାରୀମାନେ ଆଗରୁ କ୍ଵଚିତ୍ ଘରୁ ଗୋଡ଼ କାଢ଼ୁଥିଲେ । ଘର ବାହାରର ଦୁନିଆ ଦେଖୁନଥିଲେ । ତେଣୁ ସେମାନେ ସେହି ବାକ୍ୟ 'ନାରୀ ହିଁ ନାରୀର ଶତ୍ରୁ'କୁ ବିଶ୍ୱାସ କରି ନେଉଥିଲେ । ଏବେ ସମୟ ବଦଳିଯାଇଛି । ଝିଅମାନେ ଶିକ୍ଷିତା ହେଲେଣି, ଆତ୍ମନିର୍ଭରଶୀଳ ହେଲେଣି । ସେମାନେ ବୁଝିଗଲେଣି ତାଙ୍କର ପ୍ରକୃତ ଶତ୍ରୁ କିଏ । ଝିଅମାନେ ଏବେ ପରସ୍ପରଙ୍କର ଉନ୍ନତିରେ ପରସ୍ପରଙ୍କ ପାଇଁ ପ୍ରେରଣା ସାଜୁଛନ୍ତି । ପରସ୍ପରଙ୍କ ଦୁଃସମୟରେ ପରସ୍ପରଙ୍କ ପାଇଁ ଢାଲ ହେଇ ଠିଆ ହେଉଛନ୍ତି । ଆଜିର ନାରୀ ଉନ୍ନତି, ପ୍ରଗତିର ଶିଖରରେ ପହଞ୍ଚି ପାରିଛି । ନାରୀର ଏହି ଉନ୍ନତି ପଛରେ ନାରୀଙ୍କ ନିଜସ୍ଵ ପ୍ରଚେଷ୍ଟା ସମେତ ସେହି ଉନ୍ନତ ମାନସିକତାଧାରୀ ପୁରୁଷଙ୍କ ଉଦ୍ୟମକୁ ମଧ୍ୟ ଅଣଦେଖା କରିହେବନାହିଁ । କିନ୍ତୁ ଆଉ ଏ ସମୟରେ ନାରୀକୁ ନାରୀର ଶତ୍ରୁ କହିଲେ ନାରୀମାନେ କେବେ ବିଶ୍ୱାସ କି ବରଦାସ୍ତ କରିବେ ନାହିଁ । ଏବେ ଏ ବାକ୍ୟ ଯିଏ କହିବ ସେ କେବଳ ନାରୀଙ୍କର ଶତ୍ରୁ ନୁହେଁ, ତାଙ୍କୁ ସମ୍ପୂର୍ଣ୍ଣ ମାନବ ସମାଜର ଶତ୍ରୁ କୁହାଯିବ ।