କାହା ଦେହର ଏ ଗନ୍ଧ !!

ଏ ଗପର କୌଣସି ଶେଷକଥା ନାଇଁ । ଏ ଗପର ପରିଣତିରେ ଆପଣ ଇ ସ୍ଥିର କରିବେ କାହା ଦେହର ଗନ୍ଧ ଅଛି ଏଇଠି !!


ଏମିତି ଦିନ ବି ଥାଏ, କହୁଚି ଗୋଟିଏ ଅଜବ ଦିନର କଥା । ମୋ କ୍ଷୁଦ୍ର ଚାକିରୀ ଜୀବନର ଗୋଟିଏ ଦିନ । କମ୍ପାନୀଟିଏ ଖୋଲିଲା ମୋ ସହରରେ । କିଛି ଶିକ୍ଷିତ ଲୋକ ପଦବୀ ପାଇଲେ । କିଛି ରୋଜଗାର ଆରମ୍ଭ ହେଲା । ମୁଁ ଥାଏ ଚିଫ୍ ଏକଜିକ୍ୟୁଟିଭ ଅଫିସର । ନା, ଏତେ ଖୁସିହେବା କିଛି ଦରକାର ନାଇଁ । ଆଗକୁ ଶୁଣନ୍ତୁ । ନା, ମୁଁ ସେ ଚାକିରୀ ମୋ ଶିକ୍ଷାଗତ ଯୋଗ୍ୟତା ବା ଅନୁଭବ ପାଇଁ ପାଇ ନ ଥିଲି । ସେତେବେଳେ ମାତ୍ର ଗ୍ରାଜୁଏଟ ଥିଲି । ମୋର କୁଆଡେ ସେ ଅଞ୍ଚଳରେ କିଛି ସାମାଜିକ କାର୍ଯ୍ୟକଳାପ ଭଲଥିଲା ବୋଲି ସେ କମ୍ପାନୀର କର୍ମକର୍ତ୍ତାଙ୍କ ହୃଦୟଙ୍ଗମ ହେଇଥିଲା ।

ମୋ ହିସାବରେ ଏହା ମୋ ପାଇଁ ଏକ ବଡ ସମ୍ମାନ ଓ ଦାୟିତ୍ବର କଥା ଥିଲା । ମୁଁ ଗମ୍ଭୀର ଭାବେ ନେଇଥିଲି ଏହି ପଦ ଓ ତାର ମର୍ଯ୍ୟାଦାକୁ । ଯେତିକି ବୁଝୁଥିଲି ସୁନ୍ଦର ଭାବେ ମୋ କାମ ମନଦେଇ କରୁଥିଲି ।

ଗୋଟିଏ ଇଣ୍ଟରଭ୍ୟୁ ପାଇଁ ମତେ କୁହାଗଲା । ଯେହେତୁ ମୁଁ ଏକଦମ୍ ସମର୍ପିତ ଭାବରେ କାମ କରୁଥିଲି, ମୁଁ ବ୍ୟକ୍ତିଗତ ଭାବେ ସବୁକିଛି ଦେଖି ଭାବି ବିଚାରି ମୂଲ୍ୟାଙ୍କନ କରୁଥାଏ । ଶିକ୍ଷାଗତ ଯୋଗ୍ୟତା, ମାର୍ଜିତ ବ୍ୟବହାର, ବ୍ୟକ୍ତିତ୍ବ ଏହି ସମସ୍ତ ଦିଗକୁ ଅବଲୋକନ କରି ବାଛିବା ଭାରି କଷ୍ଟ ହେଲେ ବି ଠିକ୍ ଭାବେ ମୁଁ କରି ଚାଲିଥାଏ । ଜଣେ ଯୁବକଙ୍କ ଶିକ୍ଷାଗତ ଯୋଗ୍ୟତା ଉତ୍କୃଷ୍ଟ ଥାଏ । ଲେଖା ପରୀକ୍ଷା ମଧ୍ୟ ଭଲ ଭାବରେ ଯାଇଥାଏ । ପୁଣି ତଥ୍ୟ ଯାହା ମୁଁ ଏକାଠି କଲି ଯେ ସେ ଆମ ଦରକାରୀ କ୍ଷେତ୍ରରେ କାମ କରିଛନ୍ତି । ତେଣୁ ସାକ୍ଷାତକାର ତାଲିକାରେ ସେ ଅଗ୍ରାଧିକାର ପାଇଲେ ।

ବର୍ତ୍ତମାନ ସେ ରୁମ୍ ରେ ପ୍ରବେଶ କଲେ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ସୁନ୍ଦର ଭାବେ ଦଉଥାଆନ୍ତି । ମୁଁ ଖୁସିଥାଏ । ଅଚାନକ୍ ଏକ ଅତ୍ୟନ୍ତ କଦର୍ଯ୍ୟ ଗନ୍ଧ ମୁଁ ଅନୁଭବ କଲି । କ୍ରମେ ସେ ଗନ୍ଧରେ ମତେ ବାନ୍ତି ଉଠେଇଲା । ମୁଁ ତତକ୍ଷଣାତ୍ ତାଙ୍କ ସାକ୍ଷାତକାର ସାରିବା ପାଇଁ ବାଧ୍ୟ ହେଲି ।

ସେ ଯିବାପରେ ଝରକା କବାଟ ସବୁ ଖୋଲିଦେଇ ଦେଖିଲି ଆଉ ସେ ଉତ୍କଟ ଗନ୍ଧ ନାହିଁ । କିଛି ସମୟ ପରେ ସେହି ବ୍ୟକ୍ତିଙ୍କୁ ନେଇ ମତେ ଚେୟାରମ୍ୟାନଙ୍କ ପାଖକୁ ଯିବାର ଥିଲା । ମୋ ଅଫିସଠାରୁ ଦୂର ପାଖାପାଖି ତିରିଶ କିଲୋମିଟର ହବ । ଗାଡିରେ ପଛ ସିଟରେ ମୁଁ ଓ ସେଇ ବ୍ୟକ୍ତି ଜଣକ । ଆଗରେ ଡ୍ରାଇଭର । ପୁଣି ସେଇ ଉତ୍କଟ ଗନ୍ଧ । ଏବେ ଜାଣିଲି ଏଇ ଯେଉଁ ପଚାମାଛ ଭଳି ବାସୁଚି ତାହା ଆଉ କିଛି ନୁହଁ, ସେହି ମହାଶୟଙ୍କ ମୋଜାରୁ ଆସୁଛି ।

କେମିତି କହିବି ତାଙ୍କୁ । ସେ ଭଦ୍ରାମି ଦୃଷ୍ଟିରୁ ମୋ ପାଖରୁ ଘୁଞ୍ଚି ଏକ ବ୍ୟବଧାନରେ ବସିଚନ୍ତି । ସମ୍ଭାବ୍ୟ ଚାକିରୀ ଆଶାରେ ମୁହଁ ଉଜ୍ଜ୍ବଳ ଦେଖାଯାଉଛି । ହସହସ ମୁହଁରେ ବାହାରକୁ ଚାହିଁଛନ୍ତି । ମୁଁ ରୁମାଲ ନାକରେ ଦେଇ ବସିଚି ।

'ଆଛା! ଆପଣଙ୍କୁ କିଛି ଗନ୍ଧ ହଉନି ?'

'କାଇଁ ନାଇଁ ତ' ସେ ସହାସ୍ୟ ବଦନରେ କହିଲେ ।

ତା ପରେ ଆଉ କଣ କହିବି ।

'ଜବ୍ ପାଇଁ ଏକଦମ୍ ଫିଟଫାଟ୍ ହେଇ ଫ୍ରେସ୍ ସ୍ମେଲ୍ ସହିତ ଆସିବା ଆମ ଚେୟାରମ୍ୟାନ ପସନ୍ଦ କରନ୍ତି ।' ନାକରୁ ରୁମାଲ ହଟେଇ କହିଲି ।

'ଆଜ୍ଞା' ସେ କହିଲେ ।

ତା ପରେ ଆଉ କ'ଣ କହିବି ଭାବିଲି ।

'ଆପଣ ଡ୍ରେସ୍ ଉପରେ ଧ୍ୟାନ ଦେବେ ।'

'ହଁ' ସେ ମୁଣ୍ଡ ହଲେଇ କହିଲେ ।

'ମତେ ବାନ୍ତି ମାଡିଲାଣି ।' ଶେଷରେ ବ୍ୟସ୍ତ ହେଇ କହିଲି ଡ୍ରାଇଭରକୁ ।

ଗାଡିରହିଲା । ମୁଁ ଓହ୍ଲେଇ ଖୋଲା ପବନରେ ନିଶ୍ବାସ ନେଲି ।

କିଛି ସମୟ ପରେ ସେ ବ୍ୟକ୍ତି ଜଣକ କିଛି ମେଡିସିନ୍, ଥଣ୍ଡା ପାନୀୟ ଓ ଛୋଟ ଅତର ବୋତଲଟିଏ ନେଇ ଆସିଛନ୍ତି ।

'ମ୍ୟାଡମ୍ ବୋଧେ ବହୁତ ସମୟ ଅଫିସରେ ରହି ଝାଳ ହୋଇଯାଇଛନ୍ତି ଆପଣ । ମତେ ବି ଗନ୍ଧ ଆସୁଚି । କ୍ଷମା କରିବେ, କେମିତି କହିବି ବୋଲି ସଙ୍କୋଚ କରୁଥିଲି।'

ରାଗରେ ମୁଁ ଚିଲ୍ଲେଇ କହିଲି, 'ଆପଣଙ୍କ ମୋଜା'।

ମୁଁ କହିପାରୁନି ସିଧା, ଆପଣ ମତେ କହୁଚନ୍ତି ।'

ଚେୟାରମ୍ୟାନଙ୍କ ଅଫିସରେ ପହଞ୍ଚିବା ଯାଏଁ ଆମେ ଚୁପ୍ ବସିଥାଉ । ସେ ମୋଜା ବଦଳେଇବା ପରିବର୍ତ୍ତେ ମୁହଁ ଫୁଲେଇ ବସିଲେ ।

ଚେୟାରମ୍ୟାନଙ୍କ ଚାମ୍ବରରେ ପଶିବା ମାତ୍ରେ ସେ ଚିହିଙ୍କି ଉଠି କହିଲେ, 'ହୁ ଇଜ୍ ଦିସ୍ ସ୍ମେଲି ସକ୍ସ ?'

Report an Error