ସେ ଯେବେ ପିଲାଙ୍କ ପାଇଁ କାନ୍ଦେ

ଶିକ୍ଷକ ଯୋଗୀ/ସାଧକ ହେବା ଦରକାର କି ସବୁ ଭଲଗୁଣର ଅଧିକାରୀ ହେବା ଦରକାର ବୋଲି ଯେଉଁମାନେ କୁହନ୍ତି ସେମାନେ ହୁଏତ ଆଉ କେଉଁ ପୃଥିବୀର କଥା କୁହନ୍ତି, ନହେଲେ ଭିନ୍ନ କେଉଁ ମଣିଷ ପ୍ରଜାତିର କଥା କୁହନ୍ତି । ଅବା କୁହନ୍ତି ନିଜ ସ୍ୱପ୍ନର ପୃଥିବୀର କଥା ।


ଫଟୋ - ସୁମିତ୍ରା ପାଢୀ

ସେ କାନ୍ଦେ । ସେ କାନ୍ଦେ ଏକ ଏକା I ନିରୋଳାରେ । ଆଖିରୁ ତାର ଠପ୍ ଠପ୍ ଲୁହ ଝରେ । ହୃଦୟରୁ ଝରେ ରକ୍ତ । ଆଖିର ଲୁହ ଠପ୍ କରି ପଡେ ତା ଦିନଲିପିର ପୃଷ୍ଠାରେ । ଏ ନିରବ କାନ୍ଦ ଆଉ କାହା ପାଇଁ ନୁହେଁ । ଏ ଲୁହ ତା'ର ଛାତ୍ରଛାତ୍ରୀଙ୍କ ପାଇଁ । ଯେଉଁମାନଙ୍କ ପାଇଁ ସେ ତା'ର ପୂରା ଦିନକୁ ଶେଷକରି ଅଳ୍ପ ସମୟର ବିରତି ପାଇଁ ଫେରି ଆସିଥାଏ ତା' କୋଠରୀକୁ ।

ମୁଁ କାଲି ଅନାଧୁନିଆ ଭାବେ ୨୦୧୩ ମସିହା ଡାଏରୀର ପୃଷ୍ଠା ଖୋଲିଦେଲି ତ ଆଖିରେ ପଡିଲା କେଇ ଧାଡ଼ି । ଘଡ଼ିଏ ଅଟକି ଗଲି । ଲେଖା ଥିଲା; ମାଆଲୋ ! ପିଲାମାନଙ୍କୁ ଏତେ ଆଡୁ ଏତେ ଦୃଷ୍ଟିରୁ ଆକ୍ରମଣ ହେଉଛି ଯେ ମୋତେ ପୂରା ଅଣନିଶ୍ୱାସୀ ଲାଗୁଛି । ମୁଁ ସହିପାରୁନି । କ’ଣ କେମିତି କରି ତାଙ୍କ ପ୍ରତି ଏ ଅନ୍ୟାୟକୁ ରୋକିବି ବୁଝିପାରୁନି । ଆମର ଦୃଷ୍ଟିକୋଣ ଟିକେ ବଦଳେଇ ଦେ ମା ! ଅନ୍ତତଃ ଏଇ ପିଲାମାନଙ୍କ ପାଇଁ । ଆପେ ବଦଳିଲେ ପରା ଜଗତଟା ବଦଳିଯିବ ? ଆମେ ଆମର ସମସ୍ତ ଶକ୍ତି ଖଟାଇ କେବଳ ନିଜକୁ ଜାଣିବା ଓ ବୁଝିବାରେ ଆନନ୍ଦ ବିଭୋର ହୋଇ ଉଠୁ ନାହୁଁ କାହିଁକି ? କାହିଁକି ଆମେ ଆମ ପିଲାମାନଙ୍କୁ ଦେଖିବାରେ ଓ ଦୋଷ ବାଛିବାରେ ଯେତିକି ସମୟ ଦେଉଛୁ, ସେତିକି ସମୟ ଦେଇ ନିଜକୁ ତାଙ୍କ ସହ ତୁଳନା କରି ନିଜ ଅଗ୍ରଗତି ଓ ଜ୍ଞାନର ହାର ଖୋଜୁନୁ ? ଆମ ପରୀକ୍ଷାର ଫୁଲ୍ ମାର୍କ କେତେ ? ଓ ଆମେ କେତେ ନମ୍ବର ପାଉଛୁ ସେଥିରେ ? ସେତକ ଦେଖିଲେ ତ ଆମ ବଡ଼ମାନଙ୍କୁ ନିଶ୍ଚୟ ଲାଜ ଲାଗନ୍ତା ନା ? କାରଣ, ଆମର ନମ୍ବର ଯେ ଏତେ କମ୍ ସେଇଟା ଖୁବ୍ ସ୍ପଷ୍ଟ ଦିଶନ୍ତା ।

ଏ ଥିଲା ନିଜ ଡାଏରୀରେ ରାତି ୧.୧୫ରେ ବସି ପିଲାଙ୍କ ବିଷୟରେ ଲେଖୁଥିବା ଜଣେ ଶିକ୍ଷକର ପ୍ରତିକ୍ରିୟା । ନାଁ ତାଙ୍କର ପ୍ରତିମା । ପିଲାଏ ଡାକନ୍ତି ମୀରା ଅପା । କାଗଜ ଉପରେ ଠାଏ ଠାଏ ଲୁହ ବୁନ୍ଦା ସବୁ ପଡ଼ି ତିନିଟଙ୍କିଆ ଲିଙ୍କ୍ ଷ୍ଟାରଲିନ୍ ଡଟ୍‌ପେନ୍‌ରେ ଲେଖାଥିବା ଅକ୍ଷର ଝାପ୍‌ସା ହେଇଯାଇଛି । ଲେଖାଯାଇଛି ଆହୁରି ଅନେକ କଥା । ପଛ ଆଡୁ ଦୁଇ ତିନି ପୃଷ୍ଠା ପଢ଼ିବା ପରେ ଯାଇ ଶିକ୍ଷକଙ୍କର ଏ କଷ୍ଟ କ’ଣ ପାଇଁ ବୁଝି ପାରିଲି । କଥା କ’ଣ କି, ସେଦିନ ତିନି ଜଣ ଶିକ୍ଷକ ନିଜ ନିଜ ଶ୍ରେଣୀରେ ପିଲାଙ୍କୁ ଗାଳି ଦେଇଥାନ୍ତି ଓ କ୍ଲାସ୍‌ରୁମ୍‌ରୁ ବାହାର କରି ଦେଇଥା’ନ୍ତି । କିନ୍ତୁ ‘ସ’ ନାମକ ଆଉ ଜଣେ ଶିକ୍ଷକ କେବଳ ସଂସ୍କୃତ ପଢ଼ା ଦେଇପାରି ନଥିବାରୁ ଷଷ୍ଠ ଶ୍ରେଣୀର ସବୁ ପିଲାଙ୍କୁ କାଠରେ ତିଆରି ପଏଣ୍ଟର୍ ବାଡିରେ ମାରିଥାଆନ୍ତି । ସବୁ ପିଲାଙ୍କ ଦେହରେ ମାଡ଼ର ଦାଗ ପଡ଼ି ଚିହ୍ନ ହୋଇଯାଇଥାଏ । କାହାର କାହାର କିଛି ଜାଗା ଫୁଲିଯାଇଥାଏ ଅବା ନେଳି ପଡ଼ିଯାଇଥାଏ ମଳେ ଜାଗା । ହେଲେ ଗୌତମ ବୋଲି ଗୋଟେ ପିଲାର ଆଣ୍ଠୁ ଛିଡ଼ି ରକ୍ତ ବୋହୁଥାଏ । ପିଲାଙ୍କୁ ନ ମାରିବା ପାଇଁ ପ୍ରତିମା ବାରମ୍ବାର ମନା କରିବା ପରେ ବି ଘଟିଥାଏ ଏମିତି ଘଟଣା । ଏମିତି ଅନେକ ଥର ଘଟିଛି । ପ୍ରତିମା ସବୁଥର ପିଲାଙ୍କ ପାଇଁ ଓ ପିଲାଙ୍କ ଆଗରେ କାନ୍ଥ ହୋଇ ଠିଆ ହୋଇଛନ୍ତି । ଅନ୍ୟମାନଙ୍କ ଲାଗି ଛଅଘଣ୍ଟିଆ ଡ୍ୟୁଟି ଆଓ୍ୱାର୍‌ଟା ପ୍ରତିମାଙ୍କ ପାଇଁ ଦଶ, ବାର ରୁ ଆରମ୍ଭ ହୋଇ ଷୋହଳ, ଅଠର ଘଣ୍ଟାରେ ପହଞ୍ଚିଛି । କଟିଛି କେତେ ବିନିଦ୍ର ରଜନୀ । କେତେବେଳେ ପିଲାଙ୍କୁ ବୁଝେଇବାରେ ତ କେତେବେଳେ ପିଲାଙ୍କୁ ଖୁସି ରଖିବା ପାଇଁ ଯୋଜନା କରିବାରେ ।

ଶିକ୍ଷକ ଯୋଗୀ/ସାଧକ ହେବା ଦରକାର କି ସବୁ ଭଲଗୁଣର ଅଧିକାରୀ ହେବା ଦରକାର ବୋଲି ଯେଉଁମାନେ କୁହନ୍ତି ସେମାନେ ହୁଏତ ଆଉ କେଉଁ ପୃଥିବୀର କଥା କୁହନ୍ତି, ନହେଲେ ଭିନ୍ନ କେଉଁ ମଣିଷ ପ୍ରଜାତିର କଥା କୁହନ୍ତି । ଅବା କୁହନ୍ତି ନିଜ ସ୍ୱପ୍ନର ପୃଥିବୀର କଥା । ଯେଉଁମାନେ ଏମିତି କଥା କୁହନ୍ତି ମୋର ମନେହୁଏ, ସେମାନେ ଜାଣତରେ ହିଁ ଶିକ୍ଷକ ଉପରେ ବୋଝଟିଏ ଲଦି ଦିଅନ୍ତି । ଆଉ ଅଦୃଶ୍ୟରେ ସେଇ ବୋଝ ବୋହି ଚାଲୁଥିବା ଶିକ୍ଷକ ବେଶୀ ବେଶୀ ମଣିଷର ଗୁଣବତ୍ତା ଭୁଲି ଭୁଲି ଯାଏ । ତେବେ ‘ସ’ ପରି ଶିକ୍ଷକଙ୍କ କଥା ଅଲଗା । ସେମାନେ ଅନ୍ୟକୁ ହଇରାଣ କରି, ଯନ୍ତ୍ରଣା ଦେଇ ଆନନ୍ଦ ପାଉଥିବା ପୃଥିବୀର ଯେଉଁ ଚାରି ପ୍ରତିଶତ ଲୋକ ଅଛନ୍ତି, ତାଙ୍କରି ଭିତରେ ଆସନ୍ତି ।

ମଣିଷ ମାତ୍ରକେ ଭୁଲ୍ ବୋଲି ଜାଣିଥିବା କେହି ବି ଶିକ୍ଷକଟେ ଠାରୁ ଏତେ ବଡ଼ କଥା ଅପେକ୍ଷା କରିବେନି । ମୋର କହିବାର କଥା, ଶିକ୍ଷକ କିଛି ହେଉ ବା ନହେଉ ଅନ୍ତତଃପକ୍ଷେ ସହାନୁଭୂତିଶୀଳ, ସମ୍ବେଦନଶୀଳ ମଣିଷଟିଏ ହେଉ । ଉଦାର ହୃଦୟର ମଣିଷଟିଏ ଖାଲି ହେଉ । ଏହା ହେବ ପିଲାଟେ ଲାଗି ଶ୍ରେଷ୍ଠ ଉପହାର । ଏତକ ହେଲେ ସମ୍ଭାବନାରେ ଭର୍ତ୍ତି ଆମ ପିଲାଏ କେତେନା କେତେ ରାସ୍ତା ନିଜେ ବାଛି ପକେଇବେ, ଆଗକୁ ମାଡ଼ିଯିବେ ।

ପ୍ରତିମା ସେମିତି ହୃଦୟ ଥିବା ଜଣେ ଶିକ୍ଷକ ଥିଲେ । ଯାହାର ହୃଦୟ ପ୍ରତି ମୁହୂର୍ତ୍ତରେ ନିଜ ପିଲାମାନଙ୍କ ପାଇଁ ବ୍ୟସ୍ତ ହେଉଥିଲା ।

Report an Error