ବରିଷ୍ଠ ଗବେଷକ ଦେବେନ୍ଦ୍ର କୁମାର ଦାଶଙ୍କ ପରଲୋକ

ଆଜି ଓଡିଆ ସାହିତ୍ୟର ଅନ୍ୟତମ ବରିଷ୍ଠ ଗବେଷକ ଏବଂ ସମାଲୋଚନା ସାହିତ୍ୟର ଅନ୍ୟତମ ସାର୍ଥକ ସ୍ଵର ଡକ୍ଟର ଦେବେନ୍ଦ୍ର କୁମାର ଦାଶଙ୍କର ୬୮ ବର୍ଷ ବୟସରେ ବିୟୋଗ ଘଟିଛି ।


ଆଜି ଓଡିଆ ସାହିତ୍ୟର ଅନ୍ୟତମ ବରିଷ୍ଠ ଗବେଷକ ଏବଂ ସମାଲୋଚନା ସାହିତ୍ୟର ଅନ୍ୟତମ ସାର୍ଥକ ସ୍ଵର ଡକ୍ଟର ଦେବେନ୍ଦ୍ର କୁମାର ଦାଶଙ୍କର ୬୮ ବର୍ଷ ବୟସରେ ବିୟୋଗ ଘଟିଛି । ଓଡିଆ ସମାଲୋଚନାରେ ନବ ପ୍ରଜନ୍ମର ସବୁଠୁ ଶକ୍ତିଶାଳୀ ଏବଂ ପ୍ରଭାବଶାଳୀ ଗବେଷକ ଭାବେ ପ୍ରତିଷ୍ଠା ଅର୍ଜନ କରିଥିବା ଡକ୍ଟର ଦାଶ ଓଡିଆ ସାହିତ୍ୟ କ୍ଷେତ୍ରରେ ଅନେକ ନୂଆ ତଥ୍ୟ ଉନ୍ମୋଚନ କରିଥିଲେ । ବସ୍ତୁନିଷ୍ଠ ଏବଂ ତଥ୍ୟନିଷ୍ଠ ଆଲୋଚନାର ଧାରାରେ ତାଙ୍କର ବିଶେଷ ଅବଦାନ ରହିଥିଲା । "ଗଙ୍ଗାଧର କବିତା ଓ କବିଆତ୍ମା", "ମଧୁସୂଦନ ଦାସ – ହିଜ୍ ଲାଇଫ୍ ଏଣ୍ଡ ଆଚିଭ୍‌ମେଣ୍ଟସ୍", "ମଧୁସୂଦନ ଦାସ – ଦି ମ୍ୟାନ୍ ଆଣ୍ଡ୍ ହିଜ୍ ମିସନ୍‌ସ୍", "ଗାନ୍ଧିଜୀଙ୍କ ଦୃଷ୍ଟିରେ ମଧୁସୂଦନ", "ଉତ୍କଳ ଗୌରବ ମଧୁସୂଦନଙ୍କ ଓଡ଼ିଆ ରଚନାବଳୀ" ଇତ୍ୟାଦି ପୁସ୍ତକ ତାଙ୍କ ଗବେଷଣାର ଉତ୍କର୍ଷ ପ୍ରମାଣିତ କରିଥାଏ ।

ଫକୀରମୋହନ ସେନାପତିଙ୍କ ରଚନା ସମଗ୍ର ସଂକଳନ, ଉତ୍କଳ ସମ୍ମିଳନୀର ବିବରଣୀ ସଂଗ୍ରହ ଏବଂ ମଧୁସୂଦନ ଦାସଙ୍କ ରଚନା ସଂକଳନ କ୍ଷେତ୍ରରେ ଡକ୍ଟର ଦାଶଙ୍କର ବିଶେଷ ଉଦ୍ୟମ ରହିଥିଲା । ଓଡିଆ ସମାଲୋଚନା କ୍ଷେତ୍ରରେ ଅନେକ ନୂତନ ତଥ୍ୟ ଏବଂ ବିଚାରକୁ ସେ ବୌଦ୍ଧିକ ପ୍ରତିଷ୍ଠା ଦେଇଥିଲେ । ତାଙ୍କ ଗବେଷଣାର ଧାରା ଥିଲା ଅତ୍ୟନ୍ତ ସ୍ପଷ୍ଟ, ଶାଣିତ ଓ ତଥ୍ୟପୂର୍ଣ୍ଣ । ଓଡିଆ ସାହିତ୍ୟର ଅଧ୍ୟାପକ ଭାବରେ ସେ ଦୀର୍ଘ ବର୍ଷ ଅଧ୍ୟାପନା କରି ଅବସର ନେଇଥିଲେ ।

Report an Error