ଭ୍ୟାନଗୋଗଙ୍କ ଭାଇବୋହୂ

ଭ୍ୟାନଗୋଗଙ୍କର ଅନେକ ଛବି ବିକ୍ରି ହେଲାପରେ ବି ଆହୁରି ଛବି ଥିଓ ଓ ଜୋ'ଙ୍କ ପୁଅ ଭିନସେଣ୍ଟଙ୍କ ପାଖରେ ଥିଲା । ୧୯୬୨ ମସିହାରେ ଡଚ୍ ସରକାର ଓ ଭିନସେଣ୍ଟଙ୍କ ଭିତରେ ଏକ ରାଜିନାମା ସ୍ୱାକ୍ଷରିତ ହେଇଥିଲା । ଫଳରେ ୧୯୭୩ରେ ଭ୍ୟାନଗୋଗ ମ୍ୟୁଜିୟମ୍ ଖୋଲିବାର ବାଟ ଫିଟିଥିଲା ।


ଫଟୋ - ୱିକିପିଡିଆ

ଚିତ୍ରଶିଳ୍ପୀ ଭିନସେଣ୍ଟ ଭ୍ୟାନଗୋଗଙ୍କୁ କିଏ ବା ନ ଜାଣେ ? କେହି କେହି ଭ୍ୟାନଗୋଗଙ୍କ ଭାଇ ଥିଓଙ୍କୁ ମଧ୍ୟ ଜାଣନ୍ତି । ଦୁଇ ଭାଇଙ୍କ ଅନାବିଳ ପ୍ରେମ ଆମ ଚିତ୍ରକଳା ଇତିହାସ ପାଠର ବିଷୟ ହୋଇସାରିଛି । କିନ୍ତୁ ଭ୍ୟାନଗୋଗଙ୍କୁ ବିଶ୍ୱ କଳା ଦରବାରରେ ଜଣେ ଅପ୍ରତିଦ୍ୱନ୍ଦ୍ବୀ ଚିତ୍ରଶିଳ୍ପୀ ଭାବରେ ଠିଆ କରାଇବାରେ ସବୁଠାରୁ ଅଧିକା ଭୂମିକା ନିଭାଇଥିବା ଜଣେ ମହିଳାଙ୍କ ଅବଦାନ ବିଷୟରେ ଅନେକ ଜାଣନ୍ତି ନାହିଁ । ହୁଏତ ସେ ନଥିଲେ ଭିନସେଣ୍ଟ ଭ୍ୟାନଗୋଗ ଓ ଥିଓ ଭ୍ୟାନଗୋଗଙ୍କୁ କେହି ଜାଣିନଥା'ନ୍ତେ । କେହି ଜାଣିନଥିଲେ ହୁଏତ ଏହା ଭିତରେ ଭ୍ୟାନଗୋଗଙ୍କ ଅଙ୍କିତ ଶହ ଶହ ଚିତ୍ର ଆଜି ଖତ ଖାଇ କାଳର କରାଳ ଗର୍ଭରେ ହଜିଯାଇସାରନ୍ତାଣି ।

ଭ୍ୟାନଗୋଗଙ୍କୁ ଚିହ୍ନା କରାଇଥିବା ମହିଳା ଜଣକ ହେଲେ ଭିନସେଣ୍ଟ ଭ୍ୟାନଗୋଗଙ୍କ ଭାଇବୋହୂ ତଥା ଥିଓ ଭ୍ୟାନଗୋଗଙ୍କ ପତ୍ନୀ ଜୋ ବୋଞ୍ଜେର ।

ଭ୍ୟାନଗୋଗଙ୍କୁ ପ୍ରସିଦ୍ଧ କରିବା ପଛରେ ଜୋ'ଙ୍କ ଅବଦାନ ବିଷୟରେ ବିଶ୍ୱ ପାଖରେ ଏତେଟା ଖବର ପ୍ରଥମରୁ ନଥିଲା । ଜୋ' ବୋଞ୍ଜେରଙ୍କ ଜୀବନୀ ପ୍ରଥମ ଥର ପାଇଁ ଡଚ୍ ଭାଷାରେ ପ୍ରକାଶ ପାଇଲା ପରେ ଅନ୍ୟମାନେ ଏ ବିଷୟରେ ଅବଗତ ହେଲେ । ତଥାପି ଜୋ'ଙ୍କୁ ଯେଉଁ କ୍ରେଡିଟ୍ ମିଳିବାର କଥା ତାହା ଆଜିବି ମିଳିନି । ଜଣେ ସ୍ତ୍ରୀ ଲୋକ ପାଇଁ ନା' ଆଉ କିଛି କାରଣ ତାଙ୍କୁ କଣଠେସା କରିଛି ମୁଁ କହିପାରିବିନି । ଅନେକ ଗବେଷଣା କରିଲା ପରେ Hans Luijten ନାମକ ଜଣେ ଗବେଷକ ଜୋ'ଙ୍କ ଜୀବନୀ ବହିଟି ଲେଖି ପ୍ରକାଶ କରିଥିଲେ । ପ୍ରଥମେ ଡଚ୍ ଭାଷାରେ ଜୀବନୀଟି ପ୍ରକାଶ ପାଇବାର ଦୁଇ ବର୍ଷ ପରେ ଯାଇ ‘ଜୋ ଭ୍ୟାନଗୋଗ୍ - ବୋଞ୍ଜେର: ଦି ଓମ୍ୟାନ ହୁ ମେଡ୍ ଭିନସେଣ୍ଟ ଫେମସ୍’ ନାମରେ ଏହା ଇଂରାଜୀ ଭାଷାରେ ଇଂଲଣ୍ଡ ଓ ଆମେରିକାରେ ପ୍ରକାଶ ପାଇଲା । ଇଂରାଜୀ ବହି ବାହାରିଲା ପରେ ଜୋ'ଙ୍କ ବିଷୟରେ ବେଶୀ ଲୋକ ଜାଣିଲେ । ଜୋ'ଙ୍କର ପୂରା ନାମଟି ହେଲା Johanna (Jo) Gezina van Gogh - Bonger । ଜୋ ବୋଞ୍ଜେରଙ୍କ ଜନ୍ମ ୪ ଅକ୍ଟୋବର ୧୮୬୨ରେ ଆମଷ୍ଟାରଡମ୍ ଠାରେ ହୋଇଥିଲା । ବାପା ମା'ଙ୍କର ସାତୋଟି ସନ୍ତାନ ଭିତରେ ତାଙ୍କର ସ୍ଥାନ ଥିଲା ପାଞ୍ଚ । ସେ ଭଲ ପଢୁଥିଲେ ଓ ଇଂରାଜୀ ଭାଷାରେ ବେଶ୍ ଭଲ ଦକ୍ଷତା ହାସଲ କରିଥିଲେ । ସେ କିଛିଦିନ ବ୍ରିଟିଶ ମ୍ୟୁଜିୟମର ପାଠାଗାରରେ କାମ ମଧ୍ୟ କରିଥିଲେ । ଜୋ'ଙ୍କୁ ଯେତେବେଳେ ସତର ବର୍ଷ ବୟସ ସେତେବେଳେ ସେ ଗୋଟେ ଭଲ ଅଭ୍ୟାସ ଆରମ୍ଭ କରିଥିଲେ ଓ ସାରାଜୀବନ ସେ ଅଭ୍ୟାସକୁ ବଞ୍ଚେଇ ରଖିଥିଲେ । ଅଭ୍ୟାସଟି ହେଲା ପ୍ରତିଦିନ ଦିନଲିପି ଲେଖିବା । ଖାସ୍ ସେହି ଦିିନଲିପି ଲେଖିବା ଅଭ୍ୟାସ ପାଇଁ ଆଜି ତାଙ୍କ ବିଷୟରେ ଓ ତାଙ୍କ ଅବଦାନ ବିଷୟରେ ଯାହା ଜଣାପଡୁଛି । ଜଣାପଡୁଛି ଭ୍ୟାନଗୋଗଙ୍କ ପାଇଁ ସେ କ'ଣ କ'ଣ କରିଛନ୍ତି । ଜୋ'ଙ୍କର ସେହି ମୂଳ ଦିନଲିପି ସବୁକୁ ଆମଷ୍ଟାରଡମ୍ ଭ୍ୟାନଗୋଗ ମ୍ୟୁଜିୟମରେ ସଂରକ୍ଷିତ କରି ରଖାଯାଇଛି ଓ ସେସବୁକୁ ପାଠ କରି Hans Luijten ଜୋ'ଙ୍କ ଜୀବନୀ ରଚନା କରିଛନ୍ତି ।

୧୮୮୮ ମସିହାରେ ଭ୍ୟାନଗୋଗ ପାଗଳାମି କରି ତାଙ୍କ ନିଜ କାନ କାଟିପକେଇଥିଲେ । ସେଇବର୍ଷ ହିଁ ଜୋ' ଓ ଥିଓଙ୍କର ଦେଖା ହୋଇଥିଲା, ସମ୍ପର୍କ ଗଢିହୋଇଥିଲା ଓ କ୍ରମେ ପ୍ରେମ ବି ହୋଇଥିଲା । ଥିଓ ହିଁ ବିବାହ ପାଇଁ ଜୋ'ଙ୍କୁ ପ୍ରଥମେ ପ୍ରେମ ନିବେଦନ କରିଥିଲେ ଓ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ । ଜୋ' ରାଜି ହେଲାପରେ ପରବର୍ଷ ଦୁହେଁ ଆମଷ୍ଟାରଡମ୍ ଠାରେ ବିବାହ କରିଥିଲେ । ଦୁହେଁ ପ୍ୟାରିସରେ ରହିବାର ଯୋଜନା କଲାପରେ ଜାନୁଆରୀ ମାସ ୧୮୯୦ରେ ସେମାନଙ୍କର ପ୍ରଥମ ସନ୍ତାନ ଜନ୍ମ ଗ୍ରହଣ କରିଥିଲା । ପୁଅଟିର ନାମ ଘରର ଚିତ୍ରଶିଳ୍ପୀ ନାମ ଅନୁସାରେ ଭିନସେଣ୍ଟ ଦେଇଥିଲେ । ସେଇ ୧୮୯୦ ମସିହାର ଜୁଲାଇ ମାସରେ ଭ୍ୟାନଗୋଗ ନିଜକୁ ଗୁଳିକରି ଆତ୍ମହତ୍ୟା କଲେ । ଭ୍ୟାନଗୋଗଙ୍କ ଆତ୍ମହତ୍ୟାର ଠିକ୍ ଛଅ ମାସ ପରେ ତାଙ୍କ ସାନଭାଇ ଥିଓ ସିଫିଲିସରେ ମୃତ୍ୟୁବରଣ କଲେ । ଥିଓ ଜଣେ ଆର୍ଟ ଡିଲର ଥିଲେ ଓ ବଡ ଭାଇ ଭ୍ୟାନଗୋଗଙ୍କ ଛବି ବିକିବାକୁ ଅନେକ ଚେଷ୍ଟା କରିଥିଲେ । ସେ ତାଙ୍କ ପାଗଳିଆ ବଡ ଭାଇଙ୍କୁ ଭୀଷଣ ଭଲ ପାଉଥିଲେ ଓ ସବୁମତେ ସାହାଯ୍ୟ କରୁଥିଲେ । ଭ୍ୟାନଗୋଗଙ୍କ ଆତ୍ମହତ୍ୟା ପରେ ଥିଓ ପ୍ୟାରିସରେ ରହୁଥିବା ଆପାର୍ଟମେଣ୍ଟରେ ଭ୍ୟାନଗୋଗଙ୍କ କିଛି ଛବିକୁ ନେଇ ଏକ ପ୍ରଦର୍ଶନୀର ଆୟୋଜନ ବି କରିଥିଲେ । ଥିଓଙ୍କ ସମସ୍ତ ଚେଷ୍ଟା ପରେ ବି ଭ୍ୟାନଗୋଗଙ୍କ ଜୀବନକାଳରେ ତାଙ୍କ ଅଙ୍କିତ ଗୋଟିଏ ମାତ୍ର ଛବି ବିକ୍ରି ହୋଇଥିଲା । ଦୁଇ ଭାଇଙ୍କ ମୃତ୍ୟୁ ପରେ ଏଥର ଭ୍ୟାନଗୋଗଙ୍କ ସବୁତକ ଛବି ଥିଓଙ୍କ ବିଧବା ପତ୍ନୀ ଜୋ' ଓ କୁନି ପୁଅ ଭିନସେଣ୍ଟଙ୍କ ମାଲିକାନାରେ ରହିଲା । ତା'ପରଠୁ ଜୋ'ଙ୍କ ଜୀବନରେ ଦୁଇ ଦୁଇ ଜଣ ଭିନସେଣ୍ଟ ରହିଲେ । ଜଣେ ତାଙ୍କ ପୁଅ ଓ ଅନ୍ୟ ଜଣକ ହେଲେ ତାଙ୍କ ଦେଢଶୁରଙ୍କ ସ୍ମୃତି ଏବଂ ତାଙ୍କ ଅଙ୍କିତ ପୁଳାଏ ଚିତ୍ର ।

ଥିଓଙ୍କର ମୃତ୍ୟୁ ପରେ ଜୋ'ଙ୍କ ପାଖରେ ତାଙ୍କ ସାନ ପୁଅ, ଗୋଟେ ଆପାର୍ଟମେଣ୍ଟ ଘର ଓ ଭ୍ୟାନଗୋଗଙ୍କ ପୁଳେ ଛବି କେବଳ ଥିଲା । ସେ ହୁଏତ ଦେଢଶୁରଙ୍କ ଛବିକୁ ପ୍ୟାରିସରେ ଛାଡିଦେଇ ଆପଣା ଦେଶ ନେଦରଲ୍ୟାଣ୍ଡକୁ ଫେରି ଆସିପାରିଥା'ନ୍ତେ । କିନ୍ତୁ ସେ ସେମିତି କରିନଥିଲେ, ବରଂ ଭ୍ୟାନଗୋଗଙ୍କ ସବୁଗୁଡା ଛବି ଓ ଚିଠିମାନଙ୍କୁ ଧରି ଦେଶକୁ ଫେରିଥିଲେ । ପ୍ୟାରିସରୁ ଫେରିଲା ପରେ ସେ ଆମଷ୍ଟାରଡମ୍ ଠାରୁ ପଚିଶ କିଲୋମିଟର ଦୂରରେ ଏକ ବୋର୍ଡିଂ ହାଉସ୍ ଖୋଲିଥିଲେ ଓ ବିବାହ ପରେ ବନ୍ଦ କରିଦେଇଥିବା ଦିନଲିପି ଲେଖାକୁ ପୁଣି ଆରମ୍ଭ କରିଥିଲେ । ସେ ଭାବୁଥିଲେ ଅନ୍ତତଃ ପକ୍ଷେ ଦିନେ ତାଙ୍କ କୁନି ପୁଅ ବଡ଼ ହୋଇ ସେସବୁ ପଢିବ । ଅନ୍ୟାନ୍ୟ କାମ ସହ ଜୋ' କିଛି ଅଧିକା ରୋଜଗାର ପାଇଁ ଫ୍ରେଞ୍ଚ ଓ ଇଂରାଜୀ ଗପ ସବୁ ଡଚ୍ ଭାଷାକୁ ଅନୁବାଦ ମଧ୍ୟ କରୁଥିଲେ । ନିଜ ଦେଶକୁ ଫେରିଲା ପରେ ଜୋ' ଅଗଷ୍ଟ ୧୯୦୧ରେ Johan Cohen Gosschalk ନାମକ ଜଣେ ଡଚ୍ ଚିତ୍ରଶିଳ୍ପୀଙ୍କୁ ବିବାହ କରିଥିଲେ । କିନ୍ତୁ ଜୋ'ଙ୍କ ଭାଗ୍ୟରେ ସ୍ୱାମୀ ସୁଖ ନଥିଲା । ୧୯୧୨ରେ Gosschalkଙ୍କର ଦେହାନ୍ତ ହୋଇଥିଲା । ଏହାପରେ ଜୋ' ଆଉ ବିବାହ କରିନଥିଲେ । ଏଇ ଦ୍ୱିତୀୟ ବିବାହ ସମୟରେ ଜୋ' ଦେଶର ନାରୀମାନଙ୍କ ସମାଜବାଦୀ ଆନ୍ଦୋଳନ ସହ ଯୋଡି ହୋଇଥିଲେ । ସେମାନେ କର୍ମଜୀବୀ ମହିଳାମାନଙ୍କ ଶିକ୍ଷା ଓ କାମର ପରିବେଶର ଉନ୍ନତି ପାଇଁ କାମ କରୁଥିଲେ ।

ଏଥର ଜୋ' ଭ୍ୟାନଗୋଗଙ୍କୁ କଳା ରାଜ୍ୟରେ ଅଧିକ ପରିଚିତ କରାଇବାକୁ ତାଙ୍କ ଛବି ସବୁ ବିଭିନ୍ନ କଳା ପ୍ରଦର୍ଶନୀକୁ ପଠାଇବା ଆରମ୍ଭ କଲେ ଓ ୧୯୦୫ ମସିହାରେ ଆମଷ୍ଟାରଡମ୍ ଠାରେ ଭ୍ୟାନଗୋଗଙ୍କ ୪୪୩ଟି ଛବିକୁ ନେଇ ଏକ ବିଶାଳ ସିଂହାବଲୋକନ ଚିତ୍ରପ୍ରଦର୍ଶନୀର ଆୟୋଜନ କଲେ । ଏମିତି ଦେଖିଲେ ଆଜିର ତାରିଖ ପର୍ଯ୍ୟନ୍ତ ଭ୍ୟାନଗୋଗଙ୍କ କୌଣସି ଚିତ୍ର ପ୍ରଦର୍ଶନୀରେ ତାଙ୍କର ଏତେ ସଂଖ୍ୟକ ଚିତ୍ର ସାମିଲ୍ ହୋଇନି । ଜୋ' ବୋଞ୍ଜେର ତାଙ୍କ ଦିବଂଗତ ସ୍ୱାମୀ ଥିଓଙ୍କ ପାଖରୁ ଯାହା କିଛି ଛବି କିଣାବିକାର ଜ୍ଞାନ ଲାଭ କରିଥିଲେ ସେତିକିକୁ ସମ୍ବଳ କରି ଭ୍ୟାନଗୋଗଙ୍କ ଛବିକୁ ନେଇ ବେପାର ଆରମ୍ଭ କରିଥିଲେ । ପ୍ରଥମେ କିଛି କଳା ସଂଗ୍ରାହକ ଓ ଅଳ୍ପ କେତୋଟି ମ୍ୟୁଜିୟମକୁ ଭ୍ୟାନଗୋଗଙ୍କ ଛବି ବିକ୍ରି କରିଥିଲେ । ସେ ଜାଣିଥିଲେ ଭ୍ୟାନଗୋଗଙ୍କୁ ଠିଆ କରିବାକୁ ହେଲେ ତାଙ୍କୁ ଅନେକ କିଛି କରିବାକୁ ହେବ । ତାଙ୍କର ବ୍ୟକ୍ତିଗତ ଧାରଣା ଥିଲା କଳା ବିଷୟରେ ଜ୍ଞାନ ରଖିବା ଦ୍ୱାରା ସାଧାରଣ ଲୋକମାନଙ୍କ ଜୀବନରେ ଉନ୍ନତି ଆସିବ । ତାପରେ ସେ ତାଙ୍କ ମୃତ ସ୍ୱାମୀଙ୍କର ଭ୍ୟାନଗୋଗଙ୍କୁ ପରିଚୟ ଦେବାର ସ୍ୱପ୍ନ ବି ପୂରା କରିବାକୁ ଚାହୁଁଥିଲେ ।

ଭ୍ୟାନଗୋଗ ଓ ତାଙ୍କ ସାନଭାଇ ଥିଓଙ୍କ ଭିତରେ ଅନେକଗୁଡେ଼ ଚିଠିର ଆଦାନ ପ୍ରଦାନ ହୋଇଥିଲା । ତା'ଛଡା ଅନ୍ୟମାନଙ୍କ ଚିଠି ବି ଥିଲା । ସେଇ ସବୁ ଚିଠିରେ ଭ୍ୟାନଗୋଗ୍ ତାଙ୍କ ଜୀବନ, କଳା ଦର୍ଶନ, ସେ ପଢୁଥିବା ବହି ସମ୍ପର୍କରେ ତାଙ୍କ ବକ୍ତବ୍ୟ ଓ ଅନ୍ୟ ସମସାମୟିକ କଳାକାରମାନଙ୍କ ସମ୍ପର୍କରେ ଅନେକ କଥା ସହ ଆହୁରି ଅନେକ କଥା ଲେଖିଛନ୍ତି । ଗୋଟେ ଦିଗରୁ କହିଲେ ଏ ଚିଠି ସବୁ ତାଙ୍କ ଆତ୍ମଜୀବନୀ ପରି ହିଁ ଥିଲା । ଭ୍ୟାନଗୋଗଙ୍କ ଚିଠି ମିଳିନଥିଲେ କିମ୍ବା ସେ ଏତେ ଭଲବାଗରେ ଚିଠି ଲେଖିନଥିଲେ ଆଜି ତାଙ୍କୁ ଯେତେ ପ୍ରାଞ୍ଜଳ ଭାବରେ ବୁଝିହେଉଛି ତାହା ହୁଏତ ଏତେ ସହଜ ହେଇନଥା'ନ୍ତା । ବଡ ଭାଇ ଭ୍ୟାନଗୋଗଙ୍କ ସବୁଗୁଡା ଚିଠି ଓ ଛୋଟିଆ ଚିଠାକୁ ବି ଥିଓ ବଡ ଯତ୍ନ ସହକାରେ ସାଇତି କରି ରଖୁଥିଲେ । କିନ୍ତୁ ବିଭିନ୍ନ ସୂତ୍ରରୁ ପାଇଥିବା ଚିଠିସବୁ ଭ୍ୟାନଗୋଗ ସାଇତି ରଖିନଥିଲେ । ତାଙ୍କ ପାଖରେ ମାତ୍ର ୮୪ଟି ଚିଠି ବଞ୍ଚିକି ଥିଲା । ସେଥିରୁ ୩୯ଟି ଚିଠି ଥିଓଙ୍କର ଥିଲା । ଜୋ' ଏକଦା ସେ ପ୍ୟାରିସରେ ରହୁଥିବା ଫ୍ଲାଟରୁ ଗୋଟେ ଟେବୁଲ ଡ୍ରୟାରରୁ ସେ ଚିଠି ସବୁ ଆବିଷ୍କାର କରିଥିଲେ । ସେତେବେଳକୁ ଭ୍ୟାନଗୋଗ ଦୁଇ ଭାଇଙ୍କର ଦେହାନ୍ତ ହୋଇସାରିଲାଣି । ଜୋ'ଙ୍କୁ ମିଳିଥିବା ସମୁଦାୟ ୮୪୪ ଚିିଠିରୁ କେବଳ ୬୬୩ଟି ଚିଠି ହେଉଛି ଭ୍ୟାନଗୋଗ୍ ସାନ ଭାଇ ଥିଓଙ୍କୁ ଲେଖିଥିବା ଚିଠି । ଭ୍ୟାନଗୋଗ ତାଙ୍କ ହାତଲେଖା ଚିଠିରେ କେବଳ ନିରୋଳା ଅକ୍ଷର ଲେଖୁନଥିଲେ ତା' ପାଖକୁ ଚିତ୍ର ବି କରୁଥିଲେ । ସେଇଥିରୁ ତାଙ୍କର ଅନେକ ପରବର୍ତ୍ତୀ ଚିତ୍ରର ପ୍ରାରମ୍ଭିକ ଖସଡା ବି ଦେଖିବାକୁ ମିଳେ । ଜୋ' ସେ ଚିଠିଗୁଡିକୁ ଅନେକ କଷ୍ଟ ସ୍ୱୀକାର କରି ଏକାଠି କରି ୧୯୧୪ ମସିହାରେ ତିନିଖଣ୍ଡରେ ପ୍ରକାଶ କରାଇଥିଲେ । ବହି ପ୍ରକାଶ ପାଇସାରିଲା ପରେ ଜୋ' ଏଥର ଭ୍ୟାନଗୋଗଙ୍କ ଚିତ୍ର ସବୁକୁ ଆମେରିକା ଓ ବ୍ରିଟେନରେ ପହଞ୍ଚାଇବାକୁ ଚେଷ୍ଟା କଲେ ଓ ସେ ଚିଠି ସବୁର ଇଂରାଜୀ ଅନୁବାଦ କରି ବହି କରି ଛପାଇବାକୁ ନିଷ୍ପତ୍ତି ବି ନେଲେ ।

ଭ୍ୟାନଗୋଗଙ୍କ ଅନ୍ୟତମ ପ୍ରସିଦ୍ଧ ଛବିଟି ହେଲା ସୂର୍ଯ୍ୟମୁଖୀ ଫୁଲର ଛବି । ଭ୍ୟାନଗୋଗ ଅନେକଗୁଡେ ସୂର୍ଯ୍ୟମୁଖୀ ଫୁଲର ଛବି ଆଙ୍କିଥିଲେ । କୁହାଯାଏ ସେ ତାଙ୍କ ଜୀବନକାଳରେ ସମୁଦାୟ ଏଗାରଟି ସୂର୍ଯ୍ୟମୁଖୀ ଫୁଲର ଛବି ଆଙ୍କିଛନ୍ତି । ସେଥିରୁ ଚାରୋଟି ପ୍ୟାରିସରେ ଓ ସାତୋଟି ଆରଲେସ୍ ରେ ଆଙ୍କିଥିଲେ । ତେବେ ଫୁଲଦାନୀରେ ଥିବା ସୂର୍ଯ୍ୟମୁଖୀ ଫୁଲର ଛବି ସେ ପାଞ୍ଚଟି ଆଙ୍କିଥିଲେ । ସେସବୁ ଆଜି ପୃଥିବୀର ବିଭିନ୍ନ ମ୍ୟୁଜିୟମରେ ରହିଛି । ଏହାପରେ ବି ସେ ଆହୁରି ଦୁଇଟି କପି ଆଙ୍କିଥିଲେ । ଗୋଟେ ଦ୍ୱିତୀୟ ବିଶ୍ୱଯୁଦ୍ଧବେଳେ ନଷ୍ଟ ହୋଇଯାଇଛି ଓ ଅନ୍ୟଟି ବ୍ୟକ୍ତିଗତ ମାଲିକାନାରେ ରହିଛି । ସେ ସବୁ ସୂର୍ଯ୍ୟମୁଖୀ ଫୁଲର ଛବି ସବୁ ଜୋ'ଙ୍କର ମଧ୍ୟ ପ୍ରିୟ ଛବି ଥିଲେ । ସେଥିରୁ କେତୋଟି ଜୋ'ଙ୍କ ହେପାଜତକୁ ଆସିଲା ପରେ ସେ ତାକୁ ଆପଣା ଘରେ ଟଙ୍ଗାଇ ରଖିଥିଲେ ଓ ସବୁଦିନ ଦେଖୁଥିଲେ । ଭ୍ୟାନଗୋଗ ଫୁଲଦାନୀରେ ଥିବା ତାଙ୍କର ସେଇ ସୂର୍ଯ୍ୟମୁଖୀ ଫୁଲର ଦୁଇଟି ଛବି ପଲ୍ ଗଗାଁଙ୍କ ଶୋଇବାଘର ପାଇଁ ଅଗଷ୍ଟ ୧୮୮୮ ରେ ଆଙ୍କିଥିଲେ । ତାପରେ ୧୮୮୯ରେ ସେଇ ଏକା ଛବିର କପି ଦୁଇଟି ବି ଆଙ୍କିଥିଲେ । ଜୋ' ଏଇଠି ଗୋଟେ ନିଷ୍ପତ୍ତି ନେଲେ ଯେ ସେ ମୂଳ ଛବିଟିକୁ ଲଣ୍ଡନର ନ୍ୟାସନାଲ୍ ଗ୍ୟାଲେରୀକୁ ବିକ୍ରି କରିବେ । କାରଣ ସେ ଭାବୁଥିଲେ ଲଣ୍ଡନର ବିଖ୍ୟାତ ଗ୍ୟାଲେରୀରେ ଭ୍ୟାନଗୋଗଙ୍କ ଛବି ଗୋଟେ ସ୍ଥାନ ପାଇଲେ ସେ ଯେଉଁ ଚିଠିମାନଙ୍କର ବହିକୁ ଛପାଇବା ପାଇଁ ଭଲ ପ୍ରକାଶକ ଖୋଜୁଛନ୍ତି ତାହା ପାଇଯିବେ । ଭ୍ୟାନଗୋଗଙ୍କ ଦ୍ୱାରା କପି କରାଯାଇଥିବା ସୂର୍ଯ୍ୟମୁଖୀ ଫୁଲର ଛବିରୁ ଗୋଟେ ଏବେ ଆମଷ୍ଟାରଡମ୍ ରେ ଥିବା ଭ୍ୟାନଗୋଗ ମ୍ୟୁଜିୟମରେ ଅଛି । ଜୋ'ଙ୍କର ଶତଚେଷ୍ଟା ପରେ ବି ସେ ତାଙ୍କ ଜୀବଦଶାରେ ଭ୍ୟାନଗୋଗଙ୍କ ଚିଠିମାନଙ୍କର ଇଂରାଜୀ ଅନୁବାଦ ସଂକଳନ ପାଇଁ ପ୍ରକାଶକ ଯୋଗାଡ଼ କରିପାରିନଥିଲେ । ଜୋ'ଙ୍କର ବାଷଠି ବର୍ଷ ବୟସରେ ୧୯୨୫ ମସିହାରେ ଦେହାନ୍ତ ହୋଇଥିଲା । ସେତେବେଳକୁ ସେ ପାର୍କିଂନସନ୍ ଅସୁଖରେ ପୀଡିତା ଥିଲେ । ତାଙ୍କ ମୃତ୍ୟୁପରେ ଯାଇଁ ସେ ଅନୁବାଦ କରିଥିବା ଚିଠି ସବୁ ପ୍ରକାଶ ପାଇଥିଲା ।

ଭ୍ୟାନଗୋଗଙ୍କର ଅନେକ ଛବି ବିକ୍ରି ହେଲାପରେ ବି ଆହୁରି ଛବି ଥିଓ ଓ ଜୋ'ଙ୍କ ପୁଅ ଭିନସେଣ୍ଟଙ୍କ ପାଖରେ ଥିଲା । ୧୯୬୨ ମସିହାରେ ଡଚ୍ ସରକାର ଓ ଭିନସେଣ୍ଟଙ୍କ ଭିତରେ ଏକ ରାଜିନାମା ସ୍ୱାକ୍ଷରିତ ହେଇଥିଲା । ଫଳରେ ୧୯୭୩ରେ ଭ୍ୟାନଗୋଗ ମ୍ୟୁଜିୟମ୍ ଖୋଲିବାର ବାଟ ଫିଟିଥିଲା । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଥିଲା ଯେ, ନିଜର ପୂରା ଜୀବନ ଭ୍ୟାନଗୋଗଙ୍କ ପାଇଁ ଉତ୍ସର୍ଗ କରିଦେଇଥିଲେ ବି ଭିନସେଣ୍ଟ ଭ୍ୟାନଗୋଗ୍ ମ୍ୟୁଜିୟମର ଉଦ୍ଘାଟନ ଉତ୍ସବରେ ନିଜର ଭାଷଣରେ ଭିନସେଣ୍ଟ ତାଙ୍କ ମା ଜୋ'ଙ୍କର ନାମ ଆଦୌ ଉଲ୍ଲେଖ କରିନଥିଲେ ।

Report an Error