ବନ୍ଦେ ମାତରମ

ମୋ ଦେଶ ନିଜ ଭାଷାରେ ଶୁଣେ ବନ୍ଦେ ମାତରମ ।


ଦେଶ ଖଣ୍ଡେ କନା ନୁହେଁ
ଦେଶ କେଇଟି ରଂଗ ନୁହେଁ
ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଗୀତ ହେଉଥିବା
କିଛି ଶବ୍ଦର ନୁହେଁ ସଂଗମ
ମୋର ଦେଶ ।

ହଁ ତେବେ ମୁଁ ସେଇ କନା ବୁଣେ
କାର୍ପାସ ମାଟିରେ କଳାମଂଜିର ସ୍ୱପ୍ନରୁ ଉଧେଇଥିବା ସୂତାରେ
ହଁ ମୁଁ ରଂଗ ସିଂଚେ
ବଢି ମରୁଡି ଦଂଗା ମହାମାରୀ ଅତିକ୍ରମ କରି
ତଥାପି ବଂଚିଥିବା ଆଲିଂଗନ ଓ ବିଶ୍ୱାସର ଲୁହରେ
ହଁ ମୁଁ ଶବ୍ଦଂକୁ ଏକାଠି କରେ
ବାୟାବସାର କୁଟାକାଠି ଭଳି
ଚିତ୍କାର, ନୀରବତା, ଅସହାୟତା
ଯୂଥ, ପଲ, ଏକାକୀତ୍ୱରୁ ।

ହାତୀର ରାସ୍ତା ରୋକିଥିବା ମଣିଷ
ମଣିଷର ରାସ୍ତା ରୋକିଥିବା ଚୌକି
ଚୌକି ତଳେ ଗାତ ଖୋଳୁଥିବା ମୂଷା
ସଭିଂକୁ ନିଦରୁ ଉଠେଇ ଦେଇଥିବା ଏଇ ସକାଳ
ଚିକଚିକ ଦିଶେ ମୋ ଦେଶର କପାଳରେ ।

କଳାମଂଜିରୁ ଉତୁରିଥିବା ଧଳାବସ୍ତ୍ର ପରି
ଆଜି ଭୋରର ଆକାଶ
ଗୁଡ଼ି ବେଲୁନରୁ ରଂଗ ନିଗିଡ଼େଇ ଶିଶୁ
ଭୋର ସୂର୍ଯ୍ୟକୁ ପଢାଉଥାଏ ବର୍ଣ୍ଣବୋଧ
ରଂଗ ରଂଗୋତ୍ତର ରଂଗୋତ୍ତମ
ମୋ ଦେଶ ନିଜ ଭାଷାରେ ଶୁଣେ
ବନ୍ଦେ ମାତରମ ।

Report an Error