ଆଲେକଜାଣ୍ଡରଙ୍କ ପ୍ରେମିକ

ହେପାଷ୍ଟିନ କହିବାକୁ ଗଲେ ଯୁଦ୍ଧକ୍ଷେତ୍ରରେ ସେହିଭଳି ଜଣେ ଦକ୍ଷ ଯୋଦ୍ଧା ନଥିଲେ ମାତ୍ର ଯୁଦ୍ଧକ୍ଷେତ୍ରରେ ଆନୁସଙ୍ଗିକ ପ୍ରବନ୍ଧନ ତଥା ଆବଶ୍ୟକୀୟ କୂଟନୀତିରେ ସେ ସବୁଠାରୁ ଅଧିକ ଦକ୍ଷ ଥିଲେ । ସେଇଥିପାଇଁ ଆଲେକଜାଣ୍ଡର ସବୁ କଥାରେ ତାଙ୍କ ଉପରେ ନିର୍ଭରଶୀଳ ଥିଲେ ।


ଫଟୋ - ୱିକିପିଡିଆ

ପ୍ରଖ୍ୟାତ ଗ୍ରୀକ୍ ବୀର ଆଲେକଜାଣ୍ଡର ଆଉ ତାଙ୍କର ପ୍ରେମିକ ଉଭୟଙ୍କ ମଧ୍ୟରେ ରହିଥିବା ପ୍ରେମକୁ ଦେଖିଲେ ମନେ ହେବ ଯେମିତି ଇଏ ହୋମର ବିରଚିତ ମହାପୁରାଣ ଇଲିଆଡର ଆଉ ଗୋଟିଏ ଅପହୃତ ହୋଇଯାଇଥିବା ପୃଷ୍ଠା । ଆଉ ଥରେ ଯେମିତି ପୃଥିବୀର ଏହି ଆଦ୍ୟ ପୁରାଣରୁ ସେହି ହଜିଯାଇଥିବା ପୃଷ୍ଠା ଖଣ୍ଡିକ ଭିତରେ ଥିବା କାହାଣୀଟି ଉଠିଆସି ପୃଥିବୀ ଉପରେ ଆଉ ଥରେ ଅଭିନୀତ ହେଉଛି । ଏଇଠି ଠିକ୍ ସେହିଭଳି ପୁରାଣରୁ ଆସି ରହିଛି ଏପରି ଏକ ସଂପର୍କ ଯାହା କ୍ରମଶଃ ପାଲଟିଯାଇଛି ଏକ ଗଭୀର ବନ୍ଧୁତ୍ୱରେ, ପ୍ରେମରେ ଆଉ ଯୁଦ୍ଧର ପରିପ୍ରେକ୍ଷୀରେ ଗୋଟିଏ ପୁରୁଷ ଆଉ ପୁରୁଷର ସୁଦୃଢ ଯୋଗସୂତ୍ର ଅର୍ଥାତ୍ ବଣ୍ଡିଙ୍ଗ୍ ରେ ।

ଇଲିଆଡର ସେହି କାହାଣୀଟି ହେଉଛି ଅକିଲିସ୍ ଆଉ ପେଟ୍ରୋକ୍ଲେସଙ୍କ ଅନ୍ତରଙ୍ଗ ସଂପର୍କର ଗଭୀର ଆଉ ବେଦନାବିଧୁର କଥା । ହୋମର ବିରଚିତ ଇଲିଆଡରେ କେନ୍ଦ୍ରରେ ଅଛନ୍ତି ବୀରଶ୍ରେଷ୍ଠ ଅକିଲିସ୍ । ଅକିଲିସ୍ ଙ୍କର ଅନ୍ତରଙ୍ଗ ପ୍ରେମ ସଂପର୍କ ରହିଥାଏ ଅନ୍ୟତମ ଯୋଦ୍ଧା ପେଟ୍ରୋକ୍ଲେସଙ୍କ ସହ । ଅନେକ ସମୟ ଯୁଦ୍ଧକ୍ଷେତ୍ରରେ ହେଉ କି ଗୃହକ୍ଷେତ୍ରରେ ହେଉ ବିଶ୍ରାମ ସମୟକୁ ଉଭୟେ ଏକାନ୍ତରେ ଅତିବାହିତ କରିଥାନ୍ତି । ବୀରଶ୍ରେଷ୍ଠ ଅକିଲିସ୍ ସେତେବେଳେ ପ୍ରାୟତଃ ନିଜର ପ୍ରିୟ ତାରଯୁକ୍ତ ବାଦ୍ୟଯନ୍ତ୍ର "ଲାୟାର୍"ରେ ସୁମଧୁର ସଂଗୀତମାନ ପେଟ୍ରୋକ୍ଲେସଙ୍କୁ ଶୁଣାଇଥାନ୍ତି । ପୁରାଣରେ ସେମାନଙ୍କର ସଂପର୍କର ଗଭୀରତାକୁ ନେଇ ଅନେକ ଚର୍ଚ୍ଚା । ଇଲିଆଡର ସେହି ପ୍ରଖ୍ୟାତ ଟ୍ରୋଜାନ ଯୁଦ୍ଧରେ ଗ୍ରୀକ୍ ପକ୍ଷରୁ ଅପ୍ରତିଦ୍ୱନ୍ଦ୍ବୀ ବୀର ହେଉଛନ୍ତି ଅକିଲିସ୍ । ଟ୍ରୋଜାନ ଯୁଦ୍ଧ ପୂର୍ବରୁ ଯୁଦ୍ଧର ଅନ୍ୟତମ ଚର୍ଚ୍ଚିତ ନାୟକ ରାଜା ଆଗମେନନଙ୍କ ଉପରେ କୌଣସି କାରଣରୁ କ୍ଷୁବ୍ଧ ହୋଇ ଗ୍ରୀକ୍ ମାନଙ୍କ ତରଫରୁ ଯୁଦ୍ଧରେ ଯୋଗଦାନ କରିବେ ନାହିଁ ବୋଲି ନିଷ୍ପତ୍ତି ନିଅନ୍ତି ଏଇ ବୀରଶ୍ରେଷ୍ଠ ଅକିଲିସ୍ । ରାଜା ଆଗମେନନ ଜାଣନ୍ତି ଅକିଲିସ୍ ଯୁଦ୍ଧରେ ପ୍ରତ୍ୟକ୍ଷ ଅଂଶଗ୍ରହଣ କରିବେ ନାହିଁ ଅର୍ଥ ଗ୍ରୀକ୍ ମାନଙ୍କର ପରାଜୟ । ତେଣୁ ସେ ଅକିଲିସ୍ ଙ୍କୁ ଏହି ଯୁଦ୍ଧରେ ଯୋଗ ଦେବାପାଇଁ ପ୍ରରୋଚିତ କରିବା ଉଦ୍ଦେଶ୍ୟରେ ସବାଶେଷ ବିକଳ୍ପ ଆକାରରେ ପେଟ୍ରୋକ୍ଲେସଙ୍କ ଶରଣାଗତ ହୋଇଥିଲେ । ରାଜା ଆଗମେନନ ଜାଣିଥିଲେ ଯେ, ଆଉ ଯାହା ହେଉନା କାହିଁକି ଆଲେକଜାଣ୍ଡର ନିଜର ପ୍ରେମିକ ପେଟ୍ରୋକ୍ଲେସଙ୍କ ଅନୁରୋଧକୁ ଏଡାଇ ଯାଇ ପାରିବେ ନାହିଁ । ଇଲିଆଡରେ ସେହି ଟ୍ରୋଜାନ୍ ଯୁଦ୍ଧର ଅବ୍ୟବହିତ ପୂର୍ବରୁ ପେଟ୍ରୋକ୍ଲେସଙ୍କ ବଳିଦାନର କରୁଣ ପ୍ରସଂଗଟି ରହିଅଛି । ବୀରଶ୍ରେଷ୍ଠ ଅକିଲିସ୍ ଙ୍କୁ ଗ୍ରୀକ୍ ମାନଙ୍କ ତରଫରୁ ଲଢିବା ପାଇଁ ସମ୍ମତ କରିବାର ଲକ୍ଷ୍ୟରେ ତାଙ୍କର ପ୍ରେମିକ ପେଟ୍ରୋକ୍ଲେସ ତାଙ୍କୁ ସିଧାସଳଖ ଯୁଦ୍ଧରେ ଯୋଗଦେବା ପାଇଁ ଅନୁରୋଧ କରିବା ପରିବର୍ତ୍ତେ ଏକ ଅଦ୍ଭୁତ ଉପାୟ ଅବଲମ୍ବନ କରିଥିଲେ । ସେ ନିଜେ ଅକିଲିସ୍ ଙ୍କ ଯୁଦ୍ଧ ସମୟର ବେଶପୋଷାକରେ ଅର୍ଥାତ୍ ଅକିଲିସ୍ ଙ୍କ ବ୍ୟବହୃତ ସାଞ୍ଜୁ ଇତ୍ୟାଦିରେ ସୁସଜ୍ଜିତ ହୋଇ ପ୍ରତିପକ୍ଷକୁ ଯୁଦ୍ଧକ୍ଷେତ୍ରରେ ଭେଟିଥିଲେ । ଏହି ଯୁଦ୍ଧରେ ପେଟ୍ରୋକ୍ଲେସଙ୍କ ମୃତ୍ୟୁ ହୁଏ ଆଉ ପ୍ରତିପକ୍ଷ ଅକିଲିସ୍ ଙ୍କୁ ନିହତ କରିଛନ୍ତି ଭାବି ଆନନ୍ଦରେ ଆତ୍ମହରା ହୋଇଯାଆନ୍ତି । ଅକିଲିସ୍ କିନ୍ତୁ ଯେତେବେଳେ ପେଟ୍ରୋକ୍ଲେସଙ୍କ ମୃତ୍ୟୁ ସମ୍ବାଦ ପାଆନ୍ତି ସେ ଉନ୍ମାଦପ୍ରାୟ ହୋଇ ଯୁଦ୍ଧକ୍ଷେତ୍ରକୁ ଦଉଡି ଆସନ୍ତି । ଅତ୍ୟନ୍ତ କରୁଣ ସ୍ୱରରେ ପେଟ୍ରୋକ୍ଲେସଙ୍କ ମୃତଦେହକୁ ଧରି ବିଳାପ କରିବାକୁ ଲାଗନ୍ତି । ତାହାପରେ ସେ ନିଜର ପ୍ରିୟତମର ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଗ୍ରୀକ୍ ମାନଙ୍କ ତରଫରୁ ଯୁଦ୍ଧରେ ଯୋଗ ଦିଅନ୍ତି ।

ଅକିଲିସ୍ ଏବଂ ପେଟ୍ରୋକ୍ଲେସଙ୍କ ସଂପର୍କ କାହାଣୀ ହେଉଛି ଟ୍ରୋଜାନ ଯୁଦ୍ଧର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସବ୍ - ପ୍ଲଟ୍ । ଏଥିରେ ମୁଖ୍ୟ କଥାଟି ହେଉଛି ନିଜର ପ୍ରିୟତମର ଅପଘାତ କାରଣରୁ ନିଧନ ଜଣକୁ କେଉଁପରି ପ୍ରତିପକ୍ଷ ବିରୁଦ୍ଧରେ ଯୁଦ୍ଧ ନିମନ୍ତେ ବସ୍ତୁତଃ ଉନ୍ମାଦ କରିଦେଇପାରେ । ତେଣୁ ଏହିଭଳି ଯୁଦ୍ଧ ନିମନ୍ତେ ଉନ୍ମାଦ ହୋଇଯିବା ଭଳି ପ୍ରେମର ଏକ ପରିଭାଷା ସୃଷ୍ଟି ହେବା ପଛରେ ରହିଛି ପ୍ରିୟତମର ଶରୀରରେ କ୍ଷତ, ପ୍ରତିହିଂସା ଏବଂ ଅସାମୟିକ ମୃତ୍ୟୁ । ସେଦୃଷ୍ଟିରୁ ଇଲିଆଡରେ ଥିବା ଅକିଲିସ୍ ଏବଂ ପେଟ୍ରୋକ୍ଲେସଙ୍କ ପ୍ରେମକୁ ବୁଝିବାବେଳେ ଆମକୁ ଏହିଭଳି ଗୋଟିଏ ପରିଭାଷାକୁ ତେଣୁ ଆଧାର କରିବାକୁ ହେବ ।

ଆଲେକଜାଣ୍ଡରଙ୍କ ମାଆ ସର୍ବଦା ମନେକରୁଥିଲେ ଯେ, ଆଲେକଜାଣ୍ଡର ହେଉଛନ୍ତି ପ୍ରକୃତରେ ଅକିଲିସ୍ ଙ୍କର ଏକ ସମସାମୟିକ ଜନ୍ମ ଅର୍ଥାତ୍ ଅବତାର । ତେଣୁ ଆଲେକଜାଣ୍ଡର ଯୁଦ୍ଧକ୍ଷେତ୍ରରେ ଅବିଜିତ ଏବଂ ଅମର । ଆଲେକଜାଣ୍ଡରଙ୍କ ପିତା ମାସିଡନ୍ ର ରାଜା ଫିଲିପ୍ ଖାସ୍ ସେଇଥିପାଇଁ ତାଙ୍କୁ ଗ୍ରୀକ୍ ସୁମହାନ ଐତିହ୍ୟ ଏବଂ ଚିନ୍ତନ ଆଦିରେ ପ୍ରଶିକ୍ଷିତ କରି ଗ୍ରୀସ୍ କୁ ସର୍ବଦା ବିଶ୍ୱଶ୍ରେଷ୍ଠର ମାନ୍ୟତାରେ ପ୍ରତିଷ୍ଠିତ କରି ରଖିବା ପାଇଁ ଆଗ୍ରହୀ ଥିଲେ । ବୀରତ୍ୱ ତ ସହଜାତ ଏବଂ ତାହା ସହିତ ଦେଶାତ୍ମବୋଧକ ଚିନ୍ତନଟିଏ ରହିଲେ ତାହା ଗ୍ରୀସ୍ ପାଇଁ ଶୁଭଙ୍କରୀ ହେବାର ଦୀର୍ଘକାଳୀନ ପ୍ରଭାବ ରଖିବ, ଏକଥା ଭଲଭାବରେ ବୁଝିଥିଲେ ରାଜା ଫିଲିପ୍ ତାଙ୍କର ସନ୍ତାନ ଆଲେକଜାଣ୍ଡରର ପୃଷ୍ଠଭୂମିରେ । ସେହି ଉଦ୍ଦେଶ୍ୟରେ ସେସମୟର ସର୍ବଶ୍ରେଷ୍ଠ ଚିନ୍ତକ ମହାତ୍ମା ଆରିଷ୍ଟୋଟଲ ତାଙ୍କର ଗୃହଶିକ୍ଷକ ଥିଲେ । ଆରିଷ୍ଟୋଟଲ ମାସିଡନ୍ ରେ ରାଜପୁତ୍ର ଆଲେକଜାଣ୍ଡରଙ୍କ ବ୍ୟତୀତ ଆଉ କେତେଜଣ ସେସମୟର ସଂଭ୍ରାନ୍ତମାନଙ୍କର ସନ୍ତାନମାନଙ୍କୁ ବି ଏକାଠି ଶିକ୍ଷା ପ୍ରଦାନ କରୁଥିଲେ । ଆଲେକଜାଣ୍ଡରଙ୍କ ସହିତ ଏକାଠି ଆରିଷ୍ଟୋଟଲଙ୍କଠାରୁ ଶିକ୍ଷାଦାନ କରୁଥିବା ସଂଭ୍ରାନ୍ତ - ସଂତାନମାନଙ୍କ ଭିତରେ ଥିଲେ ବିଶେଷ ଜଣେ । ସେହି ବିଶେଷ ଜଣକ ଆଲେକଜାଣ୍ଡରଙ୍କ ସହିତ ଏକାଠି ଶିକ୍ଷା ଗ୍ରହଣ କରୁଥିଲା । ଏକାଠି ସେମାନେ ଆରିଷ୍ଟୋଟଲଙ୍କଠାରୁ ଶିକ୍ଷା ଗ୍ରହଣ କରିବା ବ୍ୟତୀତ ଘୋଡାଚଢା, ସମୁଦ୍ରଯାତ୍ରା ଏବଂ ଅସ୍ତ୍ରଶସ୍ତ୍ରର ବ୍ୟବହାରରେ କୁଶଳତା ଅର୍ଜନ କରିବାରେ ଲାଗିଥିଲେ । ଘୋଡା ପିଠିରେ ହେଉ କି ଖାଲିପାଦରେ ହେଉ ନିହାତି କମ୍ ବୟସରୁ ଉଭୟେ ଆଲେକଜାଣ୍ଡର ଓ ତାଙ୍କର ସେହି ବିଶେଷ ସାଥି ଜଣକ ଯୁଦ୍ଧକ୍ଷେତ୍ରରେ ଶିକ୍ଷାନବିଶ ହେଉଥିଲେ ।

ଆଲେକଜାଣ୍ଡରଙ୍କର ସେହି ସାଥି ବା ସେହି ବିଶେଷ ଜଣକର ନାଆଁ ହେଉଛି ହେପାଷ୍ଟିନ ।

ତାହାହେଲେ ଆମେ କ'ଣ ଏବେ କହିପାରିବା ଯେ ଆରିଷ୍ଟୋଟଲଙ୍କଠାରୁ ଶିକ୍ଷା ଗ୍ରହଣ କାଳରେ ଆମର ପୁରାଣ ବୀର ଅକିଲିସ୍ ଙ୍କ ଏହି ସମସାମୟିକ ଅବତାର ଆଲେଜାଣ୍ଡରଙ୍କୁ ତାଙ୍କର ସମସାମୟିକ ପେଟ୍ରୋକ୍ଲେସ ଆକାରରେ ହେପାଷ୍ଟିନ ଉପଲବ୍ଧ ହୋଇଗଲେ ? ଏବେ କିନ୍ତୁ ଠିକ୍ ସେମିତି ସଠିକ ଭାବରେ କହିହେବ ନାହିଁ । ଅପେକ୍ଷା କରିବାକୁ ପଡିବ । ଉଭୟେ ଆହୁରି ବଡ ହେବା ଯାଏଁ । ଆଲେକଜାଣ୍ଡର ପିତା ରାଜା ଫିଲିପ୍ ଙ୍କର ହତ୍ୟାପରେ ମାସିଡନ୍ ର ସିଂହାସନ ଆରମ୍ଭ କରିବା ଯାଏଁ । ସିଂହାସନରେ ବସିବା ପରେ ପାରସ୍ୟ ଉପକୂଳ ଦେଇ ବିଶ୍ୱବିଜୟ ପାଇଁ ବାହାରି ଆସିବା ଯାଏଁ । ଖ୍ରୀପୂ ୩୩୪ରେ ପ୍ରାଚୀନ ନଗରୀ ଟ୍ରୟରେ ପହଞ୍ଚିବା ଯାଏଁ । ଟ୍ରୟ ସହରରେ ରହିଥିବା ବୀରଶ୍ରେଷ୍ଠ ଅକିଲିସ୍ ଙ୍କ ସ୍ମୃତିସୌଧରେ ପହଞ୍ଚିବା ଯାଏଁ । ଅକିଲିସ୍ ଙ୍କ ସ୍ମୃତିସୌଧ ଉପରେ ପୁଷ୍ପମାଲ୍ୟ ଅର୍ପଣ କରି ତାହାପରେ ଏହି ବୀରଙ୍କ ସମ୍ମାନାର୍ଥେ (ଯାହା ସେ ସମୟର ଏକ ପ୍ରଚଳିତ ପ୍ରଥା ଥିଲା ) ସେହି ସ୍ମୃତିସୌଧ ନିକଟରୁ ଏକାଠି ସଂପୂର୍ଣ୍ଣ ଉଲଗ୍ନ ହୋଇ ରାଜପଥରେ କିଛି ବାଟ ଦୌଡି ଆସିବା ଯାଏଁ ।

ହେପାଷ୍ଟିନ ବୟସରେ ଆଲେକଜାଣ୍ଡରଙ୍କଠାରୁ ବର୍ଷେ ବଡ । ଆଲେକଜାଣ୍ଡରଙ୍କର ବୟସ ସେତେବେଳକୁ କୋଡିଏ, ହେପାଷ୍ଟିନଙ୍କର ଏକୋଇଶ । ସେଦିନ ପୁରାଣ ପ୍ରସିଦ୍ଧ ଟ୍ରୟ ନଗରୀରେ ଥିବା ବୀରଶ୍ରେଷ୍ଠ ଅକିଲିସ୍ ଙ୍କ ସ୍ମୃତିସୌଧ ନିକଟରୁ ବୀରଶ୍ରେଷ୍ଠଙ୍କ ସମ୍ମାନାର୍ଥେ ଏକାଠି ଉଲଗ୍ନ ହୋଇ ସେ ଆଉ ହେପାଷ୍ଟିନ ସମସ୍ତଙ୍କ ସାମ୍ନାରେ ରାସ୍ତାରେ ଦୌଡିବା ଭଳି ଘଟଣାକୁ ନେଇ ସମସ୍ତଙ୍କର ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିଥିଲା ଯେ, ଆଲେକଜାଣ୍ଡର ଏବଂ ହେପାଷ୍ଟିନ କେବଳ ଶିଶୁସାଥି ନୁହଁନ୍ତି, ସେମାନଙ୍କର ଅନ୍ତରଙ୍ଗ ସଂପର୍କ ପ୍ରେମର । ଅକିଲିସ୍ ଆଉ ପେଟ୍ରୋକ୍ଲେସ ଭଳି ସେ ସଂପର୍କ ।

ମାସିଡନ୍ ରୁ ଏକ ବିଶାଳ ସୈନ୍ୟବାହିନୀ ସହ ସମଗ୍ର ବିଶ୍ୱକୁ ଗ୍ରୀକୀକରଣ ବା "ହେଲେନାଇଜ୍" କରିବା ଉଦ୍ଦେଶ୍ୟରେ ବାହାରି ଆସିଥିବା ଆଲେକଜାଣ୍ଡର ବାଟରେ ସମସ୍ତ ପ୍ରତିବନ୍ଧକକୁ ଅତିକ୍ରମ କରି ଆଗେଇ ଚାଲିଥିଲେ । ଖ୍ରୀପୂ ୩୩୩ରେ ସେ ତାଙ୍କର ଯାତ୍ରାପଥର ଏକ ସୁବୃହତ ଅବରୋଧ ପାରସ୍ୟର ରାଜା ଦାରିଅସ୍ ଙ୍କୁ "ଇସସ ଯୁଦ୍ଧ" ରେ ପରାସ୍ତ କରିଥିଲେ । ଏହି ଇସସ୍ ଯୁଦ୍ଧରେ ରାଜା ଦାରିଅସ୍ କେବଳ ପରାସ୍ତ ହୋଇଥିଲେ ତା ନୁହେଁ, ସେ ଏହି ଯୁଦ୍ଧରେ ମୃତ୍ୟୁବରଣ କରିଥିଲେ । ଦାରିଅସ୍ ଙ୍କ ମୃତ୍ୟୁପରେ ଦାରିଅସ୍ ଙ୍କ ପତ୍ନୀ ରାଣୀ ଷ୍ଟାଟିରା ଆତ୍ମସମର୍ପଣ କଲା ସମୟରେ ହେପାଷ୍ଟିନଙ୍କୁ ଭୁଲରେ ଆଲେକଜାଣ୍ଡର ବୋଲି ମନେ କରି ତାଙ୍କର ସାମ୍ନାରେ ପ୍ରଥମେ ନତଜାନୁ ହୋଇ ଥିଲେ । ହେପାଷ୍ଟିନ ଦେଖିବାକୁ ଆଲେକଜାଣ୍ଡରଙ୍କ ଭଳି ଆକର୍ଷଣୀୟ ମାତ୍ର ସବୁଠୁ ଉଲ୍ଲେଖଯୋଗ୍ୟ କଥା ହେଉଛି ତାଙ୍କର ଉଚ୍ଚତା ଆଲେକଜାଣ୍ଡରଙ୍କଠାରୁ ଅଧିକ । ତେଣୁ ଅଧିକ ଉଚ୍ଚତାସଂପର୍ଣ୍ଣ ହେପାଷ୍ଟିନଙ୍କୁ ଅନେକ ସମୟରେ ଲୋକେ ଆଲେକଜାଣ୍ଡର ବୋଲି ଧରିନେବାର ଭୁଲ କରିଥାନ୍ତି । ଦାରିଅସ୍ ଙ୍କ ରାଣୀ ଷ୍ଟାଟିରା ଆତ୍ମସମର୍ପଣ କଲାବେଳେ ଠିକ୍ ସେହିଭଳି ଭୁଲ୍ କରିଥିଲେ ସେଦିନ । ପରେ ରାଣୀ ଯେତେବେଳେ ନିଜର ଭୁଲ୍ ବୁଝିପାରି ଭୟାଳୁ ଚିତ୍ତରେ ଯେତେବେଳେ ଆଲେକଜାଣ୍ଡରଙ୍କୁ କ୍ଷମାପ୍ରାର୍ଥନା ନିବେଦନ କରିବାକୁ ଲାଗିଲେ, ଆଲେକଜାଣ୍ଡର ସେତେବେଳେ କହିଥିଲେ, "କିଛି ଅସୁବିଧା ନାହିଁ । ସବୁଠି ସେ ବିଦ୍ୟମାନ, ସେ ଜଣେ ଆଲେକଜାଣ୍ଡର "। ଏହି ଘଟଣାର ଉଲ୍ଲେଖ କରିବାର ଉଦ୍ଦେଶ୍ୟ ହେଉଛି ଯେ ଏହିଭଳି ଘଟଣା ଘଟିଥିବାର ସମୟ ହେଉଛି କ୍ଷମତାର ନିରଙ୍କୁଶତାର ସମୟ, ସ୍ୱୈରାଚାରିତାକୁ ଗ୍ରହଣ କରିନେବାର ସମୟ ଏବଂ ସଂପୂର୍ଣ୍ଣ ବ୍ୟକ୍ତିକୈନ୍ଦ୍ରିକ ଅହଂଗ୍ରାସର ସମୟ ଆଉ ସେହିଭଳି ସମୟ ବିଜୟୀ ବୀର ଆଲେକଜାଣ୍ଡର ଏହିଭଳି ଅନ୍ୟ ଆଉ କାହାକୁ ବନ୍ଧୁପଣରେ ସମସ୍ତଙ୍କ ସାମ୍ନାରେ ସଙ୍ଖୋଳିବା ଅତ୍ୟନ୍ତ ଅସ୍ୱାଭାବିକ ଆଉ ନିଶ୍ଚିତ ଭାବରେ ଏହା ସ୍ୱତନ୍ତ୍ର ଉଲ୍ଲେଖ ରଖେ ।

ହେପାଷ୍ଟିନ କହିବାକୁ ଗଲେ ଯୁଦ୍ଧକ୍ଷେତ୍ରରେ ସେହିଭଳି ଜଣେ ଦକ୍ଷ ଯୋଦ୍ଧା ନଥିଲେ ମାତ୍ର ଯୁଦ୍ଧକ୍ଷେତ୍ରରେ ଆନୁସଙ୍ଗିକ ପ୍ରବନ୍ଧନ ତଥା ଆବଶ୍ୟକୀୟ କୂଟନୀତିରେ ସେ ସବୁଠାରୁ ଅଧିକ ଦକ୍ଷ ଥିଲେ । ସେଇଥିପାଇଁ ଆଲେକଜାଣ୍ଡର ସବୁ କଥାରେ ତାଙ୍କ ଉପରେ ନିର୍ଭରଶୀଳ ଥିଲେ । ଆଲେକଜାଣ୍ଡରଙ୍କର ହେପାଷ୍ଟିନଙ୍କ ଉପରେ ରହିଥିବା ନିର୍ଭରତା ସେ ସମୟରେ କାହାକୁ ଅଜଣା ନଥିଲା । ଏବଂ ଅନ୍ୟପକ୍ଷରେ ହେପାଷ୍ଟିନ ଆଲେକଜାଣ୍ଡର ଯେପରି ସବୁବେଳେ ସୁରକ୍ଷିତ ଏବଂ ଶକ୍ତିବାନ ହୋଇ ରହିଥିବେ, ସେଥିପ୍ରତି ସେ ସବୁବେଳେ ସତର୍କ ଦୃଷ୍ଟି ରଖିଥିଲେ । ନିଜର ଜୀବଦ୍ଦଶାରେ ସେ ଥରଟିଏ ଆଲେକଜାଣ୍ଡରଙ୍କର ବିରାଗଭାଜନ ହେବା ଭଳି ଏମିତି କିଛି କରିନାହାଁନ୍ତି । ବିଶେଷରେ ଆଲେକଜାଣ୍ଡରଙ୍କ ପ୍ରାଣନାଶ ନିମନ୍ତେ ଖ୍ରୀପୂ ୩୩୦ରେ ଯେଉଁ ବଡ ଷଡଯନ୍ତ୍ର ହୋଇଥିଲା ତାହାକୁ ଏକା ହେପାଷ୍ଟିନ ହିଁ ପଣ୍ଡ କରିଦେଇଥିଲେ । ଆଲେକଜାଣ୍ଡରଙ୍କ ବିଶ୍ୱବିଜୟ ପାଇଁ ବାହାରି ଆସିଥିବା ସୈନ୍ୟବାହିନୀ ମୁଖ୍ୟତଃ ଚାରି ଭାଗରେ ବିଭକ୍ତ ଥିଲା । ସେହି ଚାରିଭାଗରୁ ଦୁଇଭାଗ ଆଲେକଜାଣ୍ଡରଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଥିଲା । ଅନ୍ୟ ଦୁଇଭାଗ ଭିତରୁ ଗୋଟିଏ ଭାଗ ହେପାଷ୍ଟିନଙ୍କ ହାତରେ ରହିଥିଲା । ଏହା କହିବାକୁ ଗଲେ ସବୁବେଳେ ସଂରକ୍ଷିତ ବାହିନୀ ବା ରିଜର୍ଭ ଫୋର୍ସ ଆକାରରେ ପ୍ରସ୍ତୁତ ହୋଇ ରହିଥିଲା । ଆଉ ସୈନ୍ୟବାହିନୀର ଅନ୍ୟ ଯେଉଁ ଭାଗଟି ରହିଥିଲା ତାହା ବିଶେଷ ଭାବରେ ଆଲେକଜାଣ୍ଡରଙ୍କ ସହିତ ସେହି ବିଶ୍ୱବିଜୟ ସମୟରେ ଆସିଥିବା ଦାର୍ଶନିକ, ବୈଜ୍ଞାନିକ, ସାହିତ୍ୟିକ ତଥା ଐତିହାସିକମାନଙ୍କର ତତ୍ତ୍ବାବଧାନରେ ରହିଥିଲା । ଏଇଠି ଉଲ୍ଲେଖଯୋଗ୍ୟ ଯେ ଆଲେକଜାଣ୍ଡର ଏବଂ ଅନ୍ୟାନ୍ୟ ବିଶ୍ୱ ବିଖ୍ୟାତ ଆକ୍ରମଣକାରୀମାନଙ୍କ ମଧ୍ୟରେ ପାର୍ଥକ୍ୟ ହେଉଛି ଯେ ଅନ୍ୟମାନେ ଯୁଦ୍ଧକ୍ଷେତ୍ରକୁ କେବଳ ସୈନ୍ୟବାହିନୀଙ୍କୁ ସାଥିରେ ଧରି ଓହ୍ଲାଇଥାନ୍ତି ମାତ୍ର ଆଲେକଜାଣ୍ଡର ସୈନ୍ୟବାହିନୀ ସହ ଏକ ବିଦ୍ୱାନ ମଣ୍ଡଳୀକୁ ସାଥିରେ ଧରି ଆସିଥିଲେ ଏବଂ ଯୁଦ୍ଧ ଜୟ ପରେ ସେହି ବିଦ୍ୱାନ ମଣ୍ଡଳୀ ବିଜିତ ଅଂଚଳର ଇତିହାସ, ଭୂଗୋଳ ସମେତ ସମସ୍ତ ବସ୍ତୁସ୍ଥିତିକୁ ଅଧ୍ୟୟନ କରୁଥିଲେ । ଏହାଫଳରେ ଆଲେକଜାଣ୍ଡରଙ୍କ ନିକଟରେ ସେ ଯେଉଁ ରାଜ୍ୟଜୟ କରିଅଛନ୍ତି ତାହାର ସବିଶେଷ ବିବରଣୀ ଉପଲବ୍ଧ ରହୁଥିଲା ।

ପାରସ୍ୟରୁ ଭାରତ ଆଉ ଭାରତରେ ତତକାଳୀନ ସମ୍ରାଟ ପୁରୁଙ୍କୁ ଖ୍ରୀପୂ ୩୨୬ର "ହାଇଡାସପସ୍ ଯୁଦ୍ଧ"ରେ ପରାସ୍ତ କରିବା ପରେ ଆଲେକଜାଣ୍ଡର ନିଜଦେଶକୁ ମାସିଡନ୍ କୁ ପ୍ରତ୍ୟାବର୍ତ୍ତନ କରିବାକୁ ଚାହିଁଥିଲେ । ଭାରତର ସେଇ ଅଂଚଳର ରାଜା ପୁରୁଙ୍କୁ ତାଙ୍କର ରାଜ୍ୟଭାର ଅର୍ପଣ କରି ଅର୍ଥାତ୍ ଭାରତର ଉତ୍ତର - ପଶ୍ଚିମ ଅଂଚଳକୁ ଗ୍ରୀକ୍ ଶାସନାଧୀନ କରି ସେ ଫେରିବାକୁ ଚାହିଁଥିଲେ । ଭାରତ ଯୁଦ୍ଧ ପରେ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରିବା ପଛରେ ଆଲେକଜାଣ୍ଡରଙ୍କର ଏକମାତ୍ର କାରଣ ଥିଲା ଯୁଦ୍ଧକ୍ଲାନ୍ତି । ଆଲେକଜାଣ୍ଡର ଏବଂ ତାଙ୍କର ବିଶାଳ ସୈନ୍ୟବାହିନୀ ଖ୍ରୀପୂ ୩୩୪ରେ ମାସିଡନ୍ ରୁ ବାହାରିଥିଲେ । ଏହା ଭିତରେ କେବଳ ଯୁଦ୍ଧ ଆଉ ରାଜ୍ୟ ଜୟ କରିବା ଭଳି ଏକମାତ୍ର କାର୍ଯ୍ୟରେ ସେମାନଙ୍କର ପ୍ରାୟ ଦଶ ବର୍ଷ ସମୟ ଅତିବାହିତ ହୋଇଗଲାଣି । ତେଣୁ ସେମାନେ ଉଭୟ ଶାରିରୀକ ଆଉ ମାନସିକ ଭାବରେ କ୍ଲାନ୍ତ । ଭାରତରୁ ଫେରିବା ବାଟରେ ଅର୍ଥାତ୍ ଖ୍ରୀପୂ ୩୨୫ରେ ଆଲେକଜାଣ୍ଡର ତାଙ୍କର ସୈନ୍ୟବାହିନୀ ସହ ଏସିଆର ଦକ୍ଷିଣପଶ୍ଚିମ ଅଞ୍ଚଳରେ ଅବସ୍ଥିତ "ଚାରମାନିଆ" ଅର୍ଥାତ୍ ଆଧୁନିକ ଇରାନର ଏକ ଅଂଚଳରେ କିଛିଦିନ ବିଶ୍ରାମ ନେଇଥିଲେ । ଏହି ବିଶ୍ରାମକାଳକୁ ଆଲେକଜାଣ୍ଡର ଏକ ଅଭିନବ ଉପାୟରେ ପାଳନ କରିଥିଲେ । ଏହି ଉତ୍ସବରେ ସୈନ୍ୟବାହିନୀର ପ୍ରମୁଖ ସଦସ୍ୟମାନଙ୍କୁ ସମ୍ମାନିତ କରାଯାଇଥିଲା । ଏହି ସମ୍ମାନ ଉତ୍ସବଟି ଅସଲରେ ଥିଲା ଏକ ଗଣବିବାହ । ସେଇଠି ଅଶି ଜଣ ପାରସ୍ୟର ରାଜକନ୍ୟା ଅଶିଜଣ ଆଲେକଜାଣ୍ଡରଙ୍କ ସେନାଧ୍ୟକ୍ଷଙ୍କୁ ବିବାହ କରିଥିଲେ ଆଉ ତାଙ୍କର ସୈନ୍ୟବାହିନୀକୁ ନିଜର ଇଚ୍ଛା ମତେ ନିଜର ଯୌନସଂଗୀ ଖୋଜିବାକୁ କୁହାଯାଇଥିଲା । ଏହି ଗଣବିବାହରେ ସ୍ୱୟଂ ଆଲେକଜାଣ୍ଡର ଜଣେ ପାରସ୍ୟର ରାଜକନ୍ୟାକୁ ବିବାହ କରିଥିଲେ କିନ୍ତୁ ଉଲ୍ଲେଖଯୋଗ୍ୟ ଯେ ସେତେବେଳେ ହେପାଷ୍ଟିନ ମୃତ ପାରସ୍ୟ ସମ୍ରାଟ ଦାରିଅସ୍ ଙ୍କ ଆତ୍ମଜା କନ୍ୟାକୁ ବିବାହ କରିଥିଲେ ।

ଭାରତରୁ ରଣକ୍ଲାନ୍ତ ହୋଇ ଫେରିବା ବାଟରେ ଆଲେକଜାଣ୍ଡରଙ୍କ ଦ୍ୱାରା ଆୟୋଜିତ ଏହିଭଳି ଗଣବିବାହରୁ ଆମକୁ ଗୋଟିଏ କଥା ପରିଷ୍କାର ଦିଶେ । ଶରୀରର କ୍ଷୁଧା ଅସଲରେ ହେଉଛି ଏମିତି ଏକ ଆବଶ୍ୟକତା ଯାହା ସମସ୍ତ ଯୁଦ୍ଧଗତ ଶରୀରୀ - ସାମର୍ଥ୍ୟକୁ କ୍ଲାନ୍ତ କରିଦେବାକୁ ସକ୍ଷମ ।

ଇରାନର ସେହି ଗଣବିବାହ ଭଳି ଉତ୍ସବ ପରେ ଆଲେକଜାଣ୍ଡର ଏବଂ ତାଙ୍କର ଯୁଦ୍ଧର ସହଯୋଗୀମାନଙ୍କର ପରବର୍ତ୍ତୀ ଯୁଦ୍ଧସ୍ଥଳ ରହିଥିଲା ଆରବ ଦେଶ ।

ଏଇଠି ଆମକୁ ସ୍ମରଣ ରଖିବାକୁ ହେବ ଯେ, ଆଲେକଜାଣ୍ଡର ଏବଂ ହେପାଷ୍ଟିନ ଉଭୟେ ଯୌନାଚାରଣରେ ଉଭୟଲିଙ୍ଗୀ । ଆଲେକଜାଣ୍ଡର ତାଙ୍କର ପିତା ମାସିଡନ୍ ର ରାଜା ଫିଲିପ୍ ଜଣେ ଉଭୟଲିଙ୍ଗୀ ଥିଲେ । ତାଙ୍କର ଶରୀରର ପ୍ରୟୋଜନ ପାଇଁ ତାଙ୍କର ପ୍ରାସାଦରେ ସବୁବେଳେ ଉଭୟ ନାରୀ ଆଉ ପୁରୁଷ ମହଜୁଦ ରହୁଥିଲେ । ଆଲେକଜାଣ୍ଡର ଏହି ଶରୀରୀ ଆଚରଣରେ ପିତାଙ୍କର ପଦାନୁସରଣ କରୁଥିଲେ । ବିଶେଷଭାବରେ ପାରସ୍ୟର ଇସସ୍ ଯୁଦ୍ଧ ପରେ ଆଲେକଜାଣ୍ଡରଙ୍କ ଘନିଷ୍ଠତା ଜଣେ ପାରସ୍ୟର "ଖୋଜା" ବା ନପୁଂସକ ଅର୍ଥାତ୍ "କାଷ୍ଟ୍ରାଟେଡ୍ ମେଲ୍ ସର୍ଭାଣ୍ଟ" ସହ ଅଧିକ ହୋଇଯାଇଥିଲା । ସବୁ ସମୟରେ ସେହି ଅପରୂପ "ଖୋଜା" ସହିତ ଆଲେକଜାଣ୍ଡରଙ୍କୁ ଦେଖିବାକୁ ମିଳୁଥିଲା । ସେହି "ଖୋଜା" ର ନାଆଁ ଥିଲା ବାଗୁଆସ୍ । କିନ୍ତୁ ବାଗୁଆସ୍ ର ଉପସ୍ଥିତି ସତ୍ତ୍ୱେ ଆଲେକଜାଣ୍ଡର ଏବଂ ହେପାଷ୍ଟିନଙ୍କ ମଧ୍ୟରେ ଥିବା ସଂପର୍କରେ ସାମାନ୍ୟ ଫାଟ ଦେଖାଯାଇନଥିଲା ।

ଆଲେକଜାଣ୍ଡର ଆଉ ହେପାଷ୍ଟିନ ନିଜ ନିଜର ରୁଚି ଆଉ ପ୍ରୟୋଜନ ଅନୁସାରେ ନିଜ ନିଜର ଯୌନସଙ୍ଗୀମାନଙ୍କ ସହିତ ନିଜ ନିଜର ସମୟ ଅତିବାହିତ କରିବାକୁ ସ୍ୱତନ୍ତ୍ର ଥିଲେ, ମାତ୍ର ଉଭୟେ ଯେତେବେଳେ ପରସ୍ପର ପାଇଁ ଶାରିରୀକ ଏକାନ୍ତ ଚାହୁଁଥିଲେ ସେତେବେଳେ ତାହା ଭିତରକୁ ଆଉ କାହାର ପ୍ରବେଶ ଅଧିକାର ନଥିଲା ।

ଆଲେକଜାଣ୍ଡର ଆଉ ହେପାସ୍ତିଅନଙ୍କ ଅନ୍ତରଙ୍ଗ ହେବାର ସମୟ କୌଣସି ଗୃହାଙ୍ଗନରେ ଘଟିତ ହୋଇନାହିଁ । ଏହା ଘଟିତ ହୋଇଛି ଯୁଦ୍ଧକ୍ଷେତ୍ରରେ, ଯୁଦ୍ଧକ୍ଷେତ୍ରରେ ବିଶ୍ରାମ ନେବା ସମୟରେ । ତେଣୁ ତାଙ୍କର ଅନ୍ତରଙ୍ଗତା ବିଷୟ ସମସ୍ତଙ୍କୁ ପ୍ରତ୍ୟକ୍ଷ ଭାବରେ ଗୋଚର । ସମକାଳୀନ ଐତିହାସିକ ଆରିଆନ୍ ଆଲେକଜାଣ୍ଡର ଏବଂ ହେପାଷ୍ଟିନଙ୍କ ଅନ୍ତରଙ୍ଗ ସଂପର୍କ ବିଷୟରେ ନିଜ ବିବରଣୀରେ ଲିପିବଦ୍ଧ କରିଯାଇଛନ୍ତି ।

ଆଲେକଜାଣ୍ଡର ଆଉ ହେପାଷ୍ଟିନଙ୍କ ଭିତରେ ରହିଥିବା ଗୋଟିଏ ସଂପର୍କ ଯେଉଁଠି ଉଭୟେ ଯୌନାଚାରଣ ଦୃଷ୍ଟିରୁ ସ୍ୱତନ୍ତ୍ର ଏବଂ ଏକତ୍ର ସେଇଠି ଆଜିକାଲି ଭଳି ଯୌନଗତ କ୍ଷୋଭ, ପ୍ରତିହିଂସା ଆଦିର ସୃଷ୍ଟି ହୋଇନାହିଁ କାହିଁକି ? ଆଲେକଜାଣ୍ଡର ଯେତେବେଳେ ହେଉଛନ୍ତି ଜଣେ ବିଶ୍ୱବିଜୟୀ ପରାକ୍ରମଶାଳୀ ସୌମ୍ୟଦର୍ଶନ ଶାସକ ସେତେବେଳେ ତାଙ୍କର ସାନ୍ନିଧ୍ୟକୁ ସମସ୍ତେ କାମନା କରିବେ ଅଥବା ତାଙ୍କର ସାନ୍ନିଧ୍ୟରେ ରହିଥିଲେ କେହି ସେଇ ଭିତରକୁ ଆଉ କାହାର ଅନୁପ୍ରବେଶ ଚାହିଁବ ନାହିଁ । ମାତ୍ର ଆଲେକଜାଣ୍ଡର ଏବଂ ହେପାଷ୍ଟିନ ଉଭୟେ ନିଜର ଜୀବନସାରା ଏହାକୁ ନେଇ ସ୍ୱାଭାବିକ ଏବଂ ନିର୍ବିକାର ଆଚରଣ କରି ଆସିଛନ୍ତି । ଉଭୟଙ୍କର ଏହିଭଳି ସ୍ୱଭାବିକ ଆଚରଣର କାରଣ ଖୋଜିବାକୁ ଗଲାବେଳେ ସମ୍ଭବତଃ ଉଭୟେ ଯୌନାଚାରଣରେ ଉଭୟଲିଙ୍ଗୀ ହୋଇଥିବା କାରଣରୁ ଅଧିକ ପରିମାଣରେ ଯୌନସହିଷ୍ଣୁ, ଏକଲିଙ୍ଗୀ ସଂପର୍କ ତୁଳନାରେ ତେଣୁ ଅଧିକ ଯୌନସହିଷ୍ଣୁ ,ନିଜ ନିଜର ସଂପର୍କକୁ ପାଳନ କରିବା କ୍ଷେତ୍ରରେ ଉଭୟେ ନିଷ୍ଠାପର ।

ଇରାନରେ ହୋଇଥିବା ଗଣବିବାହ ଉତ୍ସବର ଅଳ୍ପ କେତେଦିନ ପରେ ସେହି ଅଭାବିତ ଘଟଣା ଘଟିଥିଲା । ଫେରିବା ବାଟରେ ଖ୍ରୀପୂ ୩୨୪ର ଶୀତକାଳରେ ଇକବାତନା ନାମକ ସ୍ଥାନରେ ସମସ୍ତେ କିଛି ଦିନ ଅଟକି ରହିଥିଲା । ମଦ୍ୟପାନର ଉତ୍ସବ ଚାଲିଥିଲା । ମାତ୍ର ସେହି ଉତ୍ସବ ପରେ ହେପାଷ୍ଟିନଙ୍କ ଶରୀର ଅସୁସ୍ଥ ହୋଇ ପଡିଥିଲା । ଏହାର ସାତ ଦିନ ପରେ ହେପାଷ୍ଟିନଙ୍କର ମୃତ୍ୟୁ ଘଟିଥିଲା । ଗୁଞ୍ଜରଣ ହେଉଥାଏ ଯେ ହେପାଷ୍ଟିନଙ୍କ ମୃତ୍ୟୁ ବିଷ ପ୍ରୟୋଗ କାରଣରୁ ଘଟିଅଛି ।

ହେପାଷ୍ଟିନଙ୍କ ମୃତ୍ୟୁ ସମ୍ବାଦ ପାଇବା ପରେ ଆଲେକଜାଣ୍ଡର ଅସମ୍ଭାଳ ହୋଇ ଦୌଡି ଆସିଥିଲେ ଏବଂ ନିଜର ପ୍ରିୟତମର ଶରୀରକୁ ଜାବୁଡି ଧରି ଅତ୍ୟନ୍ତ କରୁଣ ସ୍ୱରରେ ବିଳାପ କରିବାକୁ ଲାଗିଥିଲେ । ଆଖିରୁ ତାଙ୍କର ଅନର୍ଗଳ ଅଶ୍ରୁଧାର ବୋହି ଚାଲିଥାଏ । ସେ ହେପାଷ୍ଟିନଙ୍କ ପ୍ରାଣହୀନ ଶରୀରକୁ ଏଇଭଳି ଜାବୁଡି ଧରିଥାନ୍ତି ଯେମିତି ଆଉ କିଏ ତାଙ୍କଠାରୁ ସେହି ପ୍ରିୟ ଶରୀରକୁ ଯେତେ ଚେଷ୍ଟା କଲେ ବି ଆଉ ଛଡାଇନେଇ ପାରିବ ନାହିଁ ।

ଉପସ୍ଥିତ ସହଯୋଗୀଙ୍କ ଆଖିରେ ଅଶ୍ରୁଧାର ।

ହୋମରକୃତ ଇଲିଆଡ ମହାପୁରାଣରୁ ଯେମିତି ସେହି ହଜିଯାଇଥିବା ପୃଷ୍ଠାଟି ଆଉ ଥରେ ପୃଥିବୀପୃଷ୍ଠରେ ଅଭିନୀତ ହେଲା, ବୀର ଶ୍ରେଷ୍ଠ ଅକିଲିସ୍ ଯୁଦ୍ଧକ୍ଷେତ୍ରରେ ଯେମିତି ଜାବୁଡି ଧରିଛନ୍ତି ନିଜର ପ୍ରିୟତମ ପେଟ୍ରୋକ୍ଲେସର ନିସ୍ପନ୍ଦ ଶରୀର, ଆଉ ଥରେ, ଏତେଦିନ ପରେ ।

ବହୁତ କଷ୍ଟରେ ଆଲେକଜାଣ୍ଡରଙ୍କ ଆଲିଙ୍ଗନରୁ ମୁକୁଳାଇ ନିଆଯାଇଥିଲା ସେଦିନ ତାଙ୍କର ପ୍ରିୟତମ ହେପାଷ୍ଟିନଙ୍କ ଶରୀର । ଜଣେ ସେନାଧ୍ୟକ୍ଷଙ୍କୁ ସେଇଥିପାଇଁ ଆଲେକଜାଣ୍ଡରଙ୍କର ରୋଷଚକ୍ଷୁରେ ପଡିବାକୁ ହୋଇଥିଲା । ଆଲେକଜାଣ୍ଡରଙ୍କ ବିରାଗଭାଜନ ହେବାର ମାତ୍ରା ଏଇଭଳି ଉଗ୍ର ଥିଲା ଯେ, ପରେ ଅନ୍ୟ କୌଣସି ଉପାୟ ନଦେଖି ସେହି ସେନାଧ୍ୟକ୍ଷଙ୍କୁ ଆତ୍ମହନନର ପଥ ବାଛି ନେବାକୁ ହୋଇଥିଲା ।

ପ୍ରିୟତମ ବନ୍ଧୁ ହେପାଷ୍ଟିନର ପାର୍ଥିବ ଶରୀରକୁ ଦାହ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ସେ । ସମଗ୍ର ରାଜ୍ୟରେ ଶୋକପାଳନର ନିର୍ଦ୍ଦେଶ ଦେଇଥିଲେ ସେ । ଐତିହାସିକ ପ୍ଲୁଟାର୍କ ଙ୍କ ଅନୁସାରେ ଆଲେକଜାଣ୍ଡର ଇଜିପ୍ଟର ସିୱାଠାରେ ହେଉଥିବା ଦୈବବାଣୀ ବା ଓରାକ୍ଲର କାମନା କରିଥିଲେ । ତାଙ୍କର ନିର୍ଦ୍ଦେଶ ମତେ ଦେବତା "ଆମୋନ"ଙ୍କ ନିର୍ଦ୍ଦେଶ କାମନା କରାଯାଇଥିଲା ଏଇଥିପାଇଁ ଯେ, ହେପାଷ୍ଟିନଙ୍କୁ ଜଣେ ଦେବତା ଭାବରେ ସର୍ବସାଧାରଣ ଏହାପରେ ପୂଜା କରିପାରିବେ ନା ନାହିଁ ? ଆମୋନଙ୍କ ଦୈବବାଣୀ ଏକଥାକୁ ନିଷେଧ କରିଥିଲା । ଜଣେ ଦେବତା ଆକାରରେ ହେପାଷ୍ଟିନଙ୍କୁ ପୂଜା କରିବା ପାଇଁ ନାସ୍ତିବାଚକ ମନ୍ତବ୍ୟ ଦେଇଥିଲେ ବି ଆମୋନଙ୍କ ଦେବବାଣୀ ଆଲେକଜାଣ୍ଡରଙ୍କ ଏହି ପ୍ରେମିକକୁ ଜଣେ ସର୍ବକାଳର ଦେବ - ବୀର ଆକାରରେ ସମ୍ମାନ ପ୍ରଦାନ କରିବାକୁ ସ୍ପଷ୍ଟ କହିଥିଲା ।

ପ୍ରେମ ପ୍ରଦର୍ଶନରେ ଭବ୍ୟତା ହେଉଛି ଏକ ସ୍ୱାଭାବିକ ଉପଚାର । ସବୁକାଳରେ ।

ଆଲେକଜାଣ୍ଡରଙ୍କ ନିର୍ଦ୍ଦେଶ ମତେ ହେପାଷ୍ଟିନଙ୍କ ଚିତାର ଏକ ଅଦ୍ଭୂତପୂର୍ବ ଭବ୍ୟ ପ୍ରସ୍ତୁତି ହୋଇଥିଲା । ପ୍ରଚୁର ଅର୍ଥ ବ୍ୟୟରେ ହେପାଷ୍ଟିନଙ୍କ ଅନ୍ତିମ ସଂସ୍କାର ପାଇଁ ଇଜିପ୍ଟର ଜିଗୁରାତ ଭଳି ଏକ ନିର୍ମାଣ କରାଯାଇଥିଲା । ଅସଲରେ ଜିଗୁରାତ ହେଉଛି ଏପରି ଏକ ନିର୍ମାଣ ଯାହା ଉପରକୁ ସିଡିରେ ଚଢି ଯାଇ ତମେ ସ୍ୱାଗତ ଦେଖିପାରିବ । ଅନ୍ୟ ଭାବରେ କହିଲେ ଜିଗୁରାତ ହେଉଛି ପୃଥିବୀ ଆଉ ସ୍ୱର୍ଗର ମୂଳଦୁଆ ସଦୃଶ ଏକ ନିର୍ମାଣ । ହେପାଷ୍ଟିନଙ୍କ ଅନ୍ତିମ ସଂସ୍କାର ପାଇଁ ଏହିଭଳି ଗୋଟିଏ ସାତମହଲା ବିଶିଷ୍ଟ ଜିଗୁରାତ ଗଢା ଯାଇଥିଲା । ଏଥିରେ ୨୪୦ ଟି ଜାହାଜ, ସୁନାରେ ଖଚିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଯୁଦ୍ଧର ଛବି, ସିଂହ ଆଉ ବୃଷଭ ରହିଥିଲା । ଏହିଭଳି ଚିତାଧାରଟିଏ ଗଢିବା ପାଇଁ ବେବିଲୋନ ସହରର ସୁରକ୍ଷାପ୍ରାଚୀରର କିଛି ଅଂଶର ଉପଯୋଗ କରାଯାଇଥିଲା ।

ଐତିହାସିକ ଷ୍ଟ୍ରାବୋଙ୍କ ଅନୁସାରେ ହେପାଷ୍ଟିନଙ୍କ ଅନ୍ତିମ ସଂସ୍କାର ପରେ ସଂପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଥିବା ଏଇ ନିର୍ମାଣର ଧ୍ୱଂସାବଶେଷକୁ ସଫା କରିବା ପାଇଁ ପ୍ରାୟ ଦଶହଜାରରୁ ଅଧିକ ଶ୍ରମିକ ନିୟୋଜିତ ହୋଇଥିଲେ ଆଉ ସଫାକାମ ଶେଷ ହେବା ପାଇଁ ପ୍ରାୟ ଅଢେଇମାସରୁ ଅଧିକ ସମୟ ଲାଗିଥିଲା ।

ଏଥିରୁ ଏହି ପ୍ରେମକାହାଣୀର ଭବ୍ୟତାକୁ ତାହାର ଅନ୍ତିମ କ୍ଷଣରୁ ସହଜରେ ବୁଝିହେବ ।

ପ୍ରିୟତମ ହେପାଷ୍ଟିନଙ୍କ ମୃତ୍ୟୁ ପରେ ଟିକିଏ ପ୍ରକୃତିସ୍ଥ ହେବାପରେ ଆଲେକଜାଣ୍ଡର ଐତିହାସିକ ଆରିଆନ୍ ଙ୍କୁ ତାଙ୍କର ଏହି ଅନ୍ତରଂଗ ବନ୍ଧୁର ବିଚ୍ଛେଦ ସଂପର୍କରେ କହିଛନ୍ତି ଯେ, "ସେ ମୋର ଏମିତି ଏକ ବନ୍ଧୁ ଯାହାକୁ ମୁଁ ମୋର ପ୍ରାଣ ବୋଲି ମନେକରୁଥିଲି"।

ଆଲେକଜାଣ୍ଡରଙ୍କର ଏହି ପ୍ରେମିକ ହେପାଷ୍ଟିନଙ୍କ ସଂପର୍କରେ ଶେଷ କଥା ହେଉଛି, ପ୍ରେମିକର ବିୟୋଗ ପରେ ସ୍ୱୟଂ ଆଲେକଜାଣ୍ଡର ଆଉ ଅଧିକ ଦିନ ପୃଥିବୀରେ ଏକେଲା ରହିନାହାଁନ୍ତି । ପ୍ରେମୀର ଡାକରା ପରଲୋକରୁ ଆସେ ଆଉ ପରବର୍ତ୍ତୀ ଜୁନ୍ ମାସରେ ଅର୍ଥାତ୍ ଖ୍ରୀପୂ ୩୨୩ରେ ଫେରିବା ବାଟରେ ଆଲେକଜାଣ୍ଡରଙ୍କର କୌଣସି ରହସ୍ୟମୟ ଜ୍ୱର କାରଣରୁ ଅକସ୍ମାତ ବିୟୋଗ ଘଟେ । ଆଉ ଅକସ୍ମାତ ବିୟୋଗ କାରଣରୁ ନିଜର ପ୍ରିୟତମ ହେପାଷ୍ଟିନର ଉଦ୍ଦେଶ୍ୟରେ ଆଲେକଜାଣ୍ଡର ଯେଉଁ ଭବ୍ୟ ସ୍ମୃତିସୌଧର ନିର୍ମାଣର ପରିକକ୍ପନା କରିଥିଲେ ତାହା ଚିରତର ଅଂଧାରରେ ରହିଯାଏ ।

Report an Error