ଉଡ଼ନ୍ ପକ୍ଷୀ

ଏଥର ତିନିହେ ସାଙ୍ଗ ହୋଇ ଝରଣା, ନଈ, ସମୁଦ୍ର, ପାହାଡ଼, ଜଙ୍ଗଲ ପାରହୋଇ ଉଡ଼ିଚାଲିଲେ ଉପରକୁ, ଆହୁରି ଉପରକୁ । ଏତେ ଉପରକୁ ଯେ ସେଠୁ ସବୁ ଖାଲି ଶୂନ୍ୟ ଦିଶୁଥାଏ । ସାରା ପୃଥିବୀଟା ହାଲକା ନୀଳ ରଙ୍ଗର ଚାଦର ଭିତରେ ଲୁଚି ରହିଯିବା ପରି ଦିଶୁଥାଏ । ସମସ୍ତେ ମିଶି ଆଗ ଗଲେ ଆକାଶ ପାଖକୁ ।


ଟୁକୁକୁ ସମୁଦ୍ର, ନଈ, ଜଙ୍ଗଲ ସବୁ ଭଲ ଲାଗେ । ହେଲେ ପାହାଡ଼ ଚଢ଼ିବାକୁ ତା’ର ଖୁବ୍ ବେଶୀ ଆଗ୍ରହ । ପାହାଡ଼ଟା ଖୁବ୍ ଉଚ୍ଚ ହୋଇଥିବାରୁ ଚଢ଼ିବାକୁ ବହୁତ ସମୟ ଲାଗିବ ବୋଲି ବାପା ତା’ର କୁହନ୍ତି । ମାଆ ବି ଏଡେ଼ ବଡ଼ ପାହାଡ଼ଟିରେ ଥକ୍କା ମାରିବାକୁ ଟିକେ ଛାଇ ନାହିଁ କି ଶୋଷ ମେଣ୍ଟାଇବାକୁ ଟିକେ ପାଣି ନାହିଁ ବୋଲି ପୁଅକୁ ତା’ର ଛାଡ଼ିବାକୁ ରାଜି ହୁଏନି । ଟୁକୁ କିନ୍ତୁ ସୁଯୋଗଟିଏକୁ ଅନେଇ ରହିଥାଏ । ସମୟ ଟିକେ ପାଇଲେ ପାହାଡ଼ ପାଖକୁ ଯାଇ ତା' ସହ କଥା ହୁଏ । ନଈକୁ ଆଉ ଗଛଙ୍କୁ ସେ ତା' ପାଖରେ ଆସି ଘର କରି ରହିବା ଲାଗି କାହିଁକି ଡାକୁନି ବୋଲି ପଚାରେ । କେବେକେବେ ସେ ନିଜେ ବି ଯାଇ ନଈ ଆଉ ଗଛମାନଙ୍କ ସହ କଥା ହୁଏ । ହେଲେ ସେମାନେ ନିଜେ ନିଜେ ଏତେ ଉଚ୍ଚ ପାହାଡ଼ ଉପରକୁ ଯାଇ ପାରିବେନି ବୋଲି କୁହନ୍ତି ।

ସେଦିନ ନଈ କୂଳରେ ବସି ପାହାଡ଼ ପାଦଦେଶରୁ ବାଛି ବାଛି ଆଣିଥିବା ଗୋଲ୍ ଗୋଲ୍ ମସୃଣ ପଥର ସବୁକୁ ଗୋଟିଏ ପରେ ଗୋଟିଏ ପାଣି ଭିତରକୁ ଫିଙ୍ଗୁଥାଏ ଟୁକୁ । ଗୋଟେ ହାଲକା ହଳଦୀ ରଙ୍ଗର ଚକ୍ ଚକ୍ କରୁଥିବା ପଥରଟେ ପାଣିକୁ ଯେଉଁଥର ଟୁକୁ ଫିଙ୍ଗିଲା, ସେଥର ଧଳା ଦେହରେ ଗୋଲାପି ଛିଟ ପଡ଼ିଥିବା ରଙ୍ଗୀନ ମାଛଟେ ଡଲଫିନ୍ ପରି ଉପରକୁ ଡେଇଁ ପୁଣି ବୁଡ଼ିଗଲା । ଅସ୍ତ ସୂର୍ଯ୍ୟର ରଙ୍ଗରେ ତା' ଦେହଟା କିଛି ସମୟ ପାଇଁ ଚକ୍ ଚକ୍ କରି ଉଠିଲା । ଟୁକୁ ବାଛି ବାଛି ପୁଣି ଗୋଟେ ଗାଢ଼ ନୀଳ ରଙ୍ଗର ପଥର ଗୋଟେ ପକେଇବାରୁ ମାଛଟି ପୁଣି ଥରେ ଡେଇଁ ପାଣି ଭିତରେ ଲୁଚିଗଲା । ଟୁକୁ ସେମିତି ବାଛି ବାଛି ରଙ୍ଗୀନ୍ ପଥର ସବୁ ବାରବାର ଫିଙ୍ଗୁଥାଏ ମାଛଟିକୁ ଦେଖିବ ବୋଲି ।

ମାଛ ଆଉ ଟୁକୁ ଭିତରେ ଏମିତି ଲୁଚକାଳି ଖେଳ ଚାଲିବା ଭିତରେ ସଞ୍ଜ ନଇଁ ଆସିଲା । ଏଥର ଆଉ ମାଛ ନୁହେଁ ଓଦା ଜୁଡୁବୁଡ଼ୁ ହୋଇ ଉଜ୍ଜ୍ୱଳ ଧଳା ରଙ୍ଗ ଉପରେ ଗାଢ଼ ଗୋଲାପି ରଙ୍ଗର ଛିଟ ପଡ଼ିଥିବା ପୋଷାକ ପିନ୍ଧି ଦେଖାଦେଲା କୁନି ପରୀ । କୁନି ପରୀ ଆସି ଟୁକୁ ପାଖେ ବସିଲା । ତା ସହ ଗଭୀର ନଈର ତଳେ ଥିବା ତାଙ୍କ ଜଳ ଦେଶ କଥା କହୁ କହୁ ଓ ଟୁକୁର ପାହାଡ଼ ଚଢ଼ା ଇଚ୍ଛା ଶୁଣୁ ଶୁଣୁ ଦୁହେଁ ସାଙ୍ଗ ହୋଇଗଲେ ।

ସାଙ୍ଗ ହେବା ପରେ ଟୁକୁର ଇଚ୍ଛା ପୂରଣ କରିବାକୁ କୁନି ପରୀ ‘ଉଡ଼ନ୍’ ଚଢେ଼ଇକୁ ଡାକିଲା । ‘ଉଡ଼ନ୍’ ଚଢେ଼ଇ ଭାରି ଅଜୀବ । ଏଇଲେ ଏଇଠି ଥାଏ ତ ଆଖି ପିଛୁଳାକେ କୁଆଡେ଼ ଉଭେଇ ଯାଏ । ସେ କୁନି ପରୀର ଡାକରା ଶୁଣି ତରତର ହୋଇ କେଉଁ ଦୂର ଦେଶରୁ ଆସି ପହଞ୍ଚିଲା । ସବୁ କଥା ଦୁହିଁଙ୍କଠାରୁ ଶୁଣିସାରି ‘ଉଡ଼ନ୍’ ଗଲା ଆକାଶ ପାଖକୁ, ଗଲା ବି ଦିଗବଳୟ ପାଖକୁ । ବରଫ ଦେଶକୁ ଗଲା ତ ବର୍ଷା ପାଖକୁ ବି ଗଲା । ହେଲେ ସେମାନଙ୍କ ଭିତରୁ କେହି ଜଣେ ବି ଆସି ପାହାଡଟା ଉପରେ ପାଣି ହୋଇ ବୋହିଯିବାକୁ ରାଜି ହେଲେନି । ଏଥର ଉଡ଼ନ୍ ଉଦାସ ମନରେ ଫେରି ଆସି କୁନି ପରୀ ପାଖରେ ପୁଣି ହାଜର୍ ହେଲା । କହିଲା; “ମୁଁ ଏକୁଟିଆଟା ଯାଇ କହୁଛି ବୋଲି ବୋଧେ କେହି ରାଜି ହେଉନାହାନ୍ତି ମୋ କଥାରେ । ଏଥର ତୁମେ ଦୁହେଁ ବି ଚାଲ ମୋ ସାଥିରେ ।”

ଏକଥା ଶୁଣି ‘ତିନିହେଁ କେମିତି ଆକାଶକୁ ଯାଇ ପାରିବା ବୋଲି ପ୍ରଶ୍ନ କରନ୍ତେ ଉଡ଼ନ୍ ଟିକେ ହସିଲା ଆଉ କହିଲା; “ମୁଁ ତ ତୁମ ଦୁହିଁଙ୍କୁ ମୋ ଉପରେ ବସାଇ ଆରାମରେ ଉଡେ଼ଇ ନେଇଯିବି ।”

ଏଥର ତିନିହେ ସାଙ୍ଗ ହୋଇ ଝରଣା, ନଈ, ସମୁଦ୍ର, ପାହାଡ଼, ଜଙ୍ଗଲ ପାର ହାେଇ ଉଡ଼ିଚାଲିଲେ ଉପରକୁ, ଆହୁରି ଉପରକୁ । ଏତେ ଉପରକୁ ଯେ ସେଠୁ ସବୁ ଖାଲି ଶୂନ୍ୟ ଦିଶୁଥାଏ । ସାରା ପୃଥିବୀଟା ହାଲକା ନୀଳ ରଙ୍ଗର ଚାଦର ଭିତରେ ଲୁଚି ରହିଯିବା ପରି ଦିଶୁଥାଏ । ସମସ୍ତେ ମିଶି ଆଗ ଗଲେ ଆକାଶ ପାଖକୁ । ଆକାଶ କହିଲା, “ବାଦଲ ପାଖକୁ ଯାଇ କୁହ ।”

ବାଦଲ କହିଲା; “ମୁଁ ସିନା ବର୍ଷା ହୋଇ ବହିଯିବି, ହେଲେ ତାକୁ ଧରି ରଖିବାକୁ ହେବ ମାଟିକୁ । ତୁମେ ଯାଇ ଟିକେ ମାଟିକୁ କୁହ ।” ତିନିହେଁ ପୁଣି ଗଲେ ମାଟି ପାଖକୁ । ମାଟି କହିଲା; “ମୁଁ ପାଣିକୁ ଧରି ରଖିବାକୁ ରାଜି ଯେ, ହେଲେ ସେମାନେ ଭୂଇଁ ଉପରକୁ ଉଠିବେ କେମିତି ? ତୁମେ ଟିକେ ଯାଇ ପାହାଡ଼କୁ କୁହ; ସେ ଯଦି ଟିକେ ହଲିଯିବ ତା' ଭିତରେ କିଛି ଜାଗା ଖାଲି ହୋଇଯିବ, ଆଉ ପାଣି ସବୁ ସେଇ ଫାଙ୍କ ଦେଇ ଉଠିଯିବେ ଉପରକୁ ।”

ଟୁକୁ ଏଥର ଖୁବ୍ ଖୁସିରେ ଦଉଡ଼ିଗଲା ପାହାଡ଼ ପାଖକୁ, ଆଉ କହିଲା ଟିକେ ହଲିଯିବାକୁ । ପାହାଡ଼ ମୁହଁ ଶୁଖେଇ କହିଲା; ମୋ ଶରୀରଟା ତ ଖୁବ୍ ବଡ଼ । ମୁଁ ଚାହିଁଲେ ବି ହଲି ପାରୁନି । କୁନି ପରୀ ଯଦି ଚେଷ୍ଟା କରନ୍ତା ତେବେ ହୁଏତ ମୁଁ ହଲି ପାରନ୍ତି ।

ଏକଥା ଶୁଣି କୁନି ପରୀ ତା' କୋମଳ ହାତଟାକୁ ଟିକେ ଛୁଏଁଇ ଦେଇଛି କି ନାହିଁ ପାହାଡ଼ ଭିତରୁ କଡ଼ମଡ଼ ଶବ୍ଦ ସବୁ ଶୁଭିଲା । ତା' ଦେହ ଭିତରେ ଭର୍ତ୍ତି ଥିବା ପଥରମାନଙ୍କ ଭିତରେ ଫାଙ୍କ ସବୁ ହୋଇଗଲା । ସେଦିନ ରାତି ଯାକ କୁନି ପରୀ ଓ ଟୁକୁ ଜଗି ରହିଲେ ପାହାଡ଼ ପାଖରେ ।

ରାତି ସାରା ଆକାଶରୁ ଝରୁଥିବା ବାଦଲ ଫଟା ବର୍ଷାକୁ ଏକଲୟରେ ଦେଖୁଥା'ନ୍ତି ଦୁହେଁ । ସକାଳୁ ସକାଳୁ ପାହାଡ଼ର କେଉଁ ସୁଡ଼ଙ୍ଗ ଦେଇ ମାଟି ତଳୁ ପାଣି ସବୁ ଫୁତ୍କାର କରି ଉପରକୁ ଉଠି ଝରଝର ହୋଇ ତଳକୁ ବୋହି ଯିବାର ଦେଖିଲା ଟୁକୁ ।

ପାଣି ସବୁ ଝରି ଯାଉଥାନ୍ତି ବୋଲି ତା' ନାଁ ଝରଣା ଦେଲେ କେମିତି ହୁଅନ୍ତା ବୋଲି ଟୁକୁ ପଚାରିଲା କୁନି ପରୀକୁ । କୁନି ପରୀକୁ ବି ନୂଆ ନାଁ ଟି ଭଲ ଲାଗିଲା । ଏଥର ଖୁସି ହୋଇ ଝରଣାର ପାଣି ପିଇବାକୁ ଟୁକୁ ହାତ ବଢ଼ାଇଲାବେଳକୁ କ୍ଷଣଟେ ଲାଗି ଅଟକିବାକୁ କହିଲା କୁନି ପରୀ । ଟୁକୁ ତାକୁ ପ୍ରଶ୍ନ ପଚାରିବା ଭଙ୍ଗୀରେ ଠିଆ ହୋଇଥିବାବେଳେ ସେ ନିଜ ହାତରେ ପିନ୍ଧିଥିବା ବରଫ ପରି ଥଣ୍ଡା ଓ ଧଳା ଫିନ୍ ଫିନ୍ କୁନି କୁନି ପାଖୁଡ଼ାରେ ଭର୍ତ୍ତି ଥିବା ଫୁଲର ମାଳଟିକୁ ଖୋଲି ପାଣିରେ ପକାଇ ଦେଇ ନିଜେ ଥରେ ପାଣି ଉପରେ ହାତ ବୁଲେଇ ଦେଲା ପରେ ଟୁକୁକୁ ପାଣି ପିଇବାକୁ କହିଲା ।

ସେ ମାଳରେ କ’ଣ ଥିଲା କେଜାଣି ଝରଣା ପାଣି ପୂରା ଥଣ୍ଡା ଓ ମିଠା ହୋଇଗଲା । ଟୁକୁ ମନ ଭରି ସେ ପାଣିକୁ ପିଇଲା ।

ପାହାଡ଼ ଉପରେ ପାଣିର ଅଭାବ ମେଣ୍ଟିଗଲା ପରେ ‘ଉଡ଼ନ୍’ ଚଢେ଼ଇ ଉଡ଼ି ଉଡ଼ି ଦୁନିଆ ଯାକ ବ୍ୟାପିଥିବା ଫୁଲ ଓ ଫଳର ମଞ୍ଜି ଆଣି ପାହାଡ଼ ସାରା ବିଛାଡ଼ି ଦେଲା ଯେ ଅଳ୍ପ ଦିନରେ ପାହାଡ଼ଟା ଗଛଲତାରେ ଭର୍ତ୍ତି ହୋଇଗଲା ।

ଟୁକୁକୁ ଆଉ ପାହାଡ଼ ଚଢ଼ିବାକୁ କେହି ଅଟକାଇଲେନି । ସେ ଖୁବ୍ ଖୁସିରେ ସବୁଦିନ ପାହାଡ଼ ଚଢ଼ିବାକୁ ଗଲା । କୁନି ପରୀର କଥା ରଖି ‘ଉଡ଼ନ୍’ ପକ୍ଷୀ ବି ପୃଥିବୀ ସାରାର ଲଣ୍ଡା ପାହାଡ଼ ସବୁକୁ ସବୁଜ କରିବା ଅଭିଯାନରେ ବାହାରିଗଲା ।

Report an Error