ଓଡିଆ ସାହିତ୍ୟରେ ନବଦିଗନ୍ତର ସନ୍ଧାନୀ: ପ୍ରଫେସର ଗଗନେନ୍ଦ୍ର ନାଥ ଦାଶ

ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ନବଦିଗନ୍ତର ଉନ୍ମୋଚନ କରିଥିବା ଆମ ସମୟର ଅନ୍ୟତମ ପ୍ରଖର ସମାଲୋଚକ ଗଗନେନ୍ଦ୍ର ନାଥ ଦାଶଙ୍କର ଗତକାଲି ପରଲୋକ ଘଟିଛି । ୮୨ ବର୍ଷ ବୟସରେ ପରଲୋକ ଗମନ କରିଥିବା ପ୍ରଫେସର ଦାଶ ଥିଲେ ଓଡିଆ ସମାଲୋଚନା ସାହିତ୍ୟର ଅନ୍ୟତମ ମହାନାୟକ ।


ଫଟୋ - କେଦାର ମିଶ୍ର

ନାହିଁ ସ୍ଵୀକୃତି, ନାହିଁ ସମ୍ମାନ, ଶ୍ରଦ୍ଧା ବି ନାହିଁ ମିଳେ
ଅସମ୍ମାନର ପାତ୍ର ପୂରିଛି, ଉଛୁଳଇ ବାରେ ବାରେ
ଅଛି ଉପେକ୍ଷା, ଅଛି ଅବଜ୍ଞା, ଅଛି ପ୍ରତାରଣା କେତେ,
ତଥାପି ଏକା ମୁଁ ଚାଲେ ପଦାତିକ/ଗବେଷକ ସେଇ ଦୁର୍ଗମ ପଥେ ।

୨୦୧୪ ମସିହାରେ ପ୍ରକାଶିତ ପ୍ରଫେସର ଗଗନେନ୍ଦ୍ର ନାଥ ଦାଶଙ୍କର ଗବେଷଣା ପୁସ୍ତକ “ନବଦିଗନ୍ତର ଆହ୍ଵାନରେ” ଏମିତି ଏକ କବିତା ରହିଛି । ଓଡିଆ ସାହିତ୍ୟରେ ସମାଲୋଚନା ପ୍ରତି ଓଡିଆ ପାଠକ ଓ ଲେଖକଙ୍କର ନିଷ୍ପୃହତାକୁ ନେଇ ଏ କବିତା ଲେଖା ହୋଇଥିଲା । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ନବଦିଗନ୍ତର ଉନ୍ମୋଚନ କରିଥିବା ଆମ ସମୟର ଅନ୍ୟତମ ପ୍ରଖର ସମାଲୋଚକ ଗଗନେନ୍ଦ୍ର ନାଥ ଦାଶଙ୍କର ଗତକାଲି ପରଲୋକ ଘଟିଛି । ୮୨ ବର୍ଷ ବୟସରେ ପରଲୋକ ଗମନ କରିଥିବା ପ୍ରଫେସର ଦାଶ ଥିଲେ ଓଡିଆ ସମାଲୋଚନା ସାହିତ୍ୟର ଅନ୍ୟତମ ମହାନାୟକ । ଓଡିଶାର ଇତିହାସ ଓ ସଂସ୍କୃତିକୁ ନେଇ ଉଭୟ ଇଂରାଜୀ ଓ ଓଡିଆ ଭାଷାରେ ଅସଂଖ୍ୟ ଆଲୋଚନା ସେ ଲେଖିଥିଲେ । ସ୍ଵର୍ଗତ ନଟବର ସାମନ୍ତରାୟ ଏବଂ ଚିତ୍ତରଞ୍ଜନ ଦାସଙ୍କ ପରେ ଓଡିଆ ସମାଲୋଚନା ସାହିତ୍ୟର ସେ ଥିଲେ ଅନ୍ୟତମ ମୌଳିକ ଚିନ୍ତାନାୟକ ।

ଭାଷାବିତ, ଐତିହାସିକ, ଆଲୋଚକ ଏବଂ ଅଧ୍ୟାପକ ଭାବରେ ତାଙ୍କର ଭୂମିକା ଥିଲା ବେଶ ଗୁରୁତ୍ୱପୂର୍ଣ୍ଣ । ୧୯୪୦ରେ ତାଙ୍କର ଜନ୍ମ । ରେଭେନ୍ସା କଲେଜ ଓ ଶାନ୍ତି ନିକେତନରୁ ଓଡିଆ ସାହିତ୍ୟର ଛାତ୍ର ଭାବରେ ଉତ୍ତୀର୍ଣ୍ଣ ହେବା ପରେ ସେ ଓଡିଶାର ପ୍ରମୁଖ ଶିକ୍ଷାନୁଷ୍ଠାନଗୁଡିକରେ ଅଧ୍ୟାପକ ଭାବେ କାମ କରିଥିଲେ । ନିଜ ଆଲୋଚନାରେ ଇତିହାସ, ନୃତତ୍ତ୍ଵ ଓ ଭାଷା ବିଜ୍ଞାନର ସଫଳ ଉପଯୋଗ କରି ସେ ଆମ ସାହିତ୍ୟ ଆଲୋଚନାର ଦିଗନ୍ତକୁ ପ୍ରସାରିତ କରିଥିଲେ । ତାଙ୍କ ପ୍ରକାଶିତ ପୁସ୍ତକଗୁଡିକ ମଧ୍ୟରେ ଜନଶ୍ରୁତି କାଞ୍ଚିକାବେରୀ:, ଓଡିଆ ଭାଷାଚର୍ଚ୍ଚାର ପରମ୍ପରା, ଓଡିଆ ଭାଷା ସୁରକ୍ଷା ଆନ୍ଦୋଳନ, ସରସ୍ଵତୀ ଫକୀରମୋହନ: ସାହିତ୍ୟ ଓ ବ୍ୟକ୍ତିତ୍ବ, ପୁନଶ୍ଚ ଜନଶ୍ରୁତି କାଞ୍ଚିକାବେରୀ, ନବଦିଗନ୍ତର ସନ୍ଧାନରେ, ନବଦିଗନ୍ତର ଆହ୍ଵାନରେ, ଓଡିଶାର ଭାଷା; ବୀକ୍ଷା ଓ ସମୀକ୍ଷା, ଓଡିଶାର ସାହିତ୍ୟ ଓ ସଂସ୍କୃତି: ବୀକ୍ଷା ଓ ସମୀକ୍ଷା ଇତ୍ୟାଦି ବେଶ ଚର୍ଚ୍ଚିତ । ଇଂରାଜୀରେ ତାଙ୍କର ପୁସ୍ତକ Medieval Literature and Traditions: New Perspectives, Linguistic Glossary, Imaging Odisha, Jagannatha and Gajapati Kings of Orissa, Hindus and Tribals ଇତ୍ୟାଦି ଆମ ଇତିହାସ ଓ ସଂସ୍କୃତିରେ ନୂଆ ଅଧ୍ୟାୟ ସଂଯୋଗ କରିଥିଲା ।

ଓଡିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସାହିତ୍ୟ ପୁରସ୍କାର “ଅତିବଡ଼ୀ ପୁରସ୍କାର” ସମେତ ବହୁ ସମ୍ମାନରେ ସେ ସମ୍ମାନିତ ହୋଇଥିଲେ । ଜର୍ମାନୀ ସ୍ଥିତ ହାଇଡେଲବର୍ଗ ବିଶ୍ଵବିଦ୍ୟାଳୟ ଦ୍ଵାରା ଆରମ୍ଭ କରାଯାଇଥିବା ଓଡିଶା ଗବେଷଣା ପ୍ରକଳ୍ପର ସେ ଥିଲେ ଅନ୍ୟତମ ମାର୍ଗଦର୍ଶକ । ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସମେତ ପୃଥିବୀର ବହୁ ପ୍ରସିଦ୍ଧ ବିଶ୍ଵବିଦ୍ୟାଳୟରେ ସେ ଅଧ୍ୟାପନା କରିଥିଲେ ।

Report an Error