ଓଡିଆ ନାଟକରେ ପରମ୍ପରା ବନାମ ପ୍ରଗତି

ପ୍ରଗତିର ନାମରେ ପାଶ୍ଚାତ୍ୟ ସଂସ୍କୃତିର ଅନୁକରଣ ତ ପଚାଶ ଦଶକରୁ ଆରମ୍ଭ ହୋଇସାରିିଛି । ଆଜି ଏହି ଅନ୍ଧ ଅନୁକରଣ ସମ୍ପର୍କରେ ସ୍ୱର ଉଠାଇବ କିଏ ? ଯେଉଁମାନେ ସ୍ୱର ଉତ୍ତୋଳନ କରୁଛନ୍ତି; ସେଇମାନେ ହିଁ ତ ପାଶ୍ଚାତ୍ୟ ସଂସ୍କୃତିକୁ ଆମନ୍ତ୍ରଣ କରିଥିଲେ । ତାକୁ ବାଟ ଦେଖାଇଥିଲେ ।


ବର୍ତ୍ତମାନ ଓଡ଼ିଆ ନାଟକରେ ଏକ ଭଲ କଥା ପରିଦୃଶ୍ୟ ହେଉଛି । ଶିକ୍ଷିତ ଯୁବଗୋଷ୍ଠୀ ତଥା କିଛି ଦୀକ୍ଷିତ ଦର୍ଶକ ସିନେମାରୁ ମୁହଁ ଫେରାଇ ମଞ୍ଚ ଆଡ଼କୁ ଆକର୍ଷିତ ହେଉଛନ୍ତି । ଯଦିଓ ଏହାକୁ ସେମାନେ ସିନେମା, ଧାରାବାହିକ, କ୍ଷୁଦ୍ର ସିନେମା ତଥା ୟୁଟ୍ୟୁବ୍ ଆଦିରେ ଅଭିନୟ ସୁଯୋଗ ପାଇବାର ପ୍ରଥମ ସୋପାନ ଭାବେ ନେଉଛନ୍ତି । ତେବେ ମଞ୍ଚ ଅଭିନୟ ଶିଖିବା ତଥା ଏହାର କଳାକୌଶଳ ଯେ ସେମାନଙ୍କୁ ରୁପେଲି ପରଦାରେ ଅଭିନୟ କରିବାକୁ ପୋଖତ କରିବ ସେ ବିଶ୍ୱାସ ସେମାନଙ୍କ ନିକଟରେ ରହିଛି । ମୋ ଟିମ୍ ଉତ୍ତରପୁରୁଷ ନିକଟରେ ସେପରି କିଛି ଭଲ ଯୁବ ପ୍ରତିଭା ନିକଟରେ ଯୋଗ ଦେଇଛନ୍ତି; ଯେଉଁମାନଙ୍କ ନିକଟରେ ମଞ୍ଚ ଅଭିନୟର କଳାକୌଶଳ ଶିଖିବାରେ ପ୍ରଚୁର ଆଗ୍ରହ ରହିଛି । ଉତ୍ତରପୁରୁଷର ଦୀର୍ଘ ୫୦ ବର୍ଷର ଯାତ୍ରାରେ ଅନେକ ସ୍ୱକୀୟ ଦର୍ଶକ ତିଆରି ହୋଇଛନ୍ତି । ସେମାନେ ଉତ୍ତରପୁରୁଷର ନାଟକ ପ୍ରତି ତଥା ନାଟକ ପ୍ରତି ଉତ୍ତରପୁରୁଷର ଅଙ୍ଗୀକାରବଦ୍ଧତାକୁ ସମ୍ମାନ ଦେଇଆସୁଛନ୍ତି । କଥା ହେଉଛି ଚଳଚ୍ଚିତ୍ରରୁ ମୁହଁ ଫେରାଇଥିବା ଓ ନାଟକକୁ ଭଲ ପାଉଥିବା ଏହି ଦୀକ୍ଷିତ ଦର୍ଶକମଣ୍ଡଳୀ ଓ ନାଟକରେ ଅଭିନୟ କରିବାକୁ ଆଗ୍ରହୀ ଏହି ଯୁବଗୋଷ୍ଠୀଙ୍କୁ ଦେବା ପାଇଁ ମଞ୍ଚରେ କ’ଣ ଅଛି ?

ଏହି ଦର୍ଶକମଣ୍ଡଳୀ ଓ ଯୁବ କଳାକାରମାନେ ନିଶ୍ଚିତ ଭାବେ ଅଭିନବତାର ପକ୍ଷପାତୀ । ନିକଟରେ ଭୁବନେଶ୍ୱରରେ ଅନେକ ପରରାଜ୍ୟର ନାଟକ ତଥା ଜାତୀୟସ୍ତରର ନାଟକ ପ୍ରଦର୍ଶିତ ହୋଇଆସୁଛି । ନାଟକରେ ଦୃଶ୍ୟରାଜି, ଦ୍ୱନ୍ଦ୍ୱ ଆଦି ସୃଷ୍ଟି କରିବାରେ ସେମାନେ ଧୁରନ୍ଧର । ଶବ୍ଦ ଓ ଆଲୋକର ସମ୍ପାଦନା ହେଉ ଅବା ସଂଗୀତର ପ୍ରୟୋଗ ନାଟକରେ ଅଭିନବ ଦୃଶ୍ୟରାଜି ତିଆରି କରି ଏକ ନୂତନ ସ୍ୱାଦ ଦେଇପାରୁଛନ୍ତି ।

ବର୍ତ୍ତମାନ ସମାଜର ଜୀବନଧାରାରେ ମଧ୍ୟ ପରିବର୍ତ୍ତନ ହୋଇସାରିଛି । ତ୍ୱରିତ୍ ହାସଲ ଇପ୍ସିତ ଲକ୍ଷ୍ୟ ହାସଲ କରିବାକୁ ଇଚ୍ଛିତ ଯୁବଗୋଷ୍ଠୀ ନିକଟରେ ନୂଆ କିଛି ଦେଖିବାର ନୂଆ କିଛି କରିବାର ପ୍ରଚୁର ଝୁଙ୍କ୍ ରହିଛି । ଏଇ ସମ୍ଭାବନାକୁ ସାକାର ରୂପ ଦେବାର ବେଳ ଆସିଛି । ପାରମ୍ପରିକ ଧାରାରୁ ବାହାରି କିମ୍ବା ପାରମ୍ପରିକତାରେ ନୂଆ ରଙ୍ଗ, ରୂପ ଓ ରସ ଭର୍ତ୍ତି କରି ପରିବେଷଣ କଲେ ଆମ ନାଟକ ମଧ୍ୟ ଭିନ୍ନ ପ୍ରଦେଶର ନାଟକ ପରି ତଥା ଜାତୀୟସ୍ତରର ନାଟକ ସହ ତୁଳନୀୟ ହୋଇପାରିବ ।

ଭଲ ହେଉ ଅବା ମନ୍ଦ ହେଉ; ଅନ୍ୟର ଚାକଚକ୍ୟ ସର୍ବଦା ଆକୃଷ୍ଟ କରିଥାଏ । ପ୍ରଗତିର ନାମରେ ପାଶ୍ଚାତ୍ୟ ସଂସ୍କୃତିର ଅନୁକରଣ ତ ପଚାଶ ଦଶକରୁ ଆରମ୍ଭ ହୋଇସାରିିଛି । ଆଜି ଏହି ଅନ୍ଧ ଅନୁକରଣ ସମ୍ପର୍କରେ ସ୍ୱର ଉଠାଇବ କିଏ ? ଯେଉଁମାନେ ସ୍ୱର ଉତ୍ତୋଳନ କରୁଛନ୍ତି; ସେଇମାନେ ହିଁ ତ ପାଶ୍ଚାତ୍ୟ ସଂସ୍କୃତିକୁ ଆମନ୍ତ୍ରଣ କରିଥିଲେ । ତାକୁ ବାଟ ଦେଖାଇଥିଲେ । ବର୍ତ୍ତମାନ ତ ପ୍ରଶସ୍ତ ପଥରେ ସେହି ସଂସ୍କୃତିର ସୁଅ ଛୁଟୁଛି । ଏବେ ଆଉ ପ୍ରତିବାଦର ଯଥାର୍ଥ ଅର୍ଥ ନାହିଁ ।

ପରମ୍ପରା ଓ ପ୍ରଗତିର ଏହି ଦ୍ୱନ୍ଦ୍ୱକୁ ଯଥାର୍ଥରେ ଧରିପାରିଥିଲେ ନାଟ୍ୟକାର ମନୋରଂଜନ ଦାସ । ମୋର ସୌଭାଗ୍ୟ ତାଙ୍କ ରଚିତ ଅନେକ ନାଟକରେ ମୁଁ ଅଭିନୟ କରିଛି । ମନୋରଂଜନ ଦାସଙ୍କ ନିକଟରେ ଯଥାର୍ଥରେ ଦୂରଦୃଷ୍ଟି ଥିଲା । ରାଜ୍ୟରେ ପାଶ୍ଚାତ୍ୟ ଶିକ୍ଷାର ପ୍ରସାର ଯେଉଁ ନୂତନ ଗୋଷ୍ଠୀ ତିଆରି କରିବ ସେ ଗୋଷ୍ଠୀ ଆଉ ପାରମ୍ପରିକ ହସ କାନ୍ଦ ଦୃଶ୍ୟ ଦେଖିବାକୁ ପସନ୍ଦ କରିବ ନାହିଁ । ମଧ୍ୟବିତ୍ତ ପରିବାରର ଅଶ୍ରୁ ଓ ପୁଲକର କାହାଣୀ କିମ୍ବା ଗରିବ ଓ କିରାଣି ପରିବାରର ଜୀବନ କାହାଣୀ ସେମାନଙ୍କୁ ଆମୋଦିତ କରିବ ନାହିଁ । ସେଥିଲାଗି ସେ ଦାରିଦ୍ର୍ଯ, କ୍ଷୁଧା, ବେକାରୀ, ଯୌତୁକ ଓ କୁସଂସ୍କାର ଅନ୍ଧବିଶ୍ୱାସ ଆଦିକୁ ନାଟକ ଲେଖିବାକୁ ପସନ୍ଦ କଲେ ନାହିଁ । ବରଂ ସେ ବାହାରିଲେ ନୂତନ ଚାରଣ ଭୂମିର ସନ୍ଧାନରେ । ଠିକଣା ମଧ୍ୟ ଶୀଘ୍ର ପାଇଗଲେ । ଯେଉଁ ସମସ୍ୟାଗୁଡ଼ିକ ନେଇ ଚିରାଚରିତ ନାଟକ ଲେଖାଯାଉଥିଲା, ତା ବାଦେ ଯେ ମଣିଷ ଜୀବନରେ ପ୍ରଚୁର ସମସ୍ୟା ରହିଛି ଏହା ପ୍ରମାଣିତ କଲେ ସେ ନିଜ ନାଟକରେ ।

ପରମ୍ପରାକୁ ଭାଙ୍ଗି ତା’ ସ୍ଥାନରେ ନୂତନ ପରମ୍ପରା ତିଆରି କରିବା ବି ଏତେ ସହଜ କଥା ନୁହଁ । ଏଥିପାଇଁ ପ୍ରଥମେ ଯେଉଁ ନିନ୍ଦା ଅପବାଦ ଉଠିବ ତାକୁ ସହ୍ୟ କରିବାର ଶକ୍ତି ଓ ସାମର୍ଥ୍ୟ ଥିବା ଦରକାର ।

ମନୋରଂଜନ ଦାସ ଓଡ଼ିଆ ନାଟକକୁ ନୂଆ ରୂପରେ ଗଢ଼ିଲେ । ତାଙ୍କ ନାଟକଗୁଡ଼ିକର ଚରିତ୍ର ନିର୍ଦ୍ଦିଷ୍ଟ ଭାବେ ଓଡ଼ିଆ ନୁହେଁ । ଏହା କୌଣସି ଭୌଗାେଳିକ ସୀମାର ହୋଇପାରେ ।

ତାଙ୍କ ସୃଷ୍ଟ ଚରିତ୍ର ଭଗବାନଙ୍କୁ ବିଶ୍ୱାସ କରେନା ତଥାପି ତାଙ୍କୁ ଡାକେ । ତାଙ୍କୁ ଅର୍ଥାତ ଭଗବାନଙ୍କ ଉପସ୍ଥିତିକୁ ଅବିଶ୍ୱାସ କରେନା । ସଂଶୟ ଓ ଦ୍ୱନ୍ଦ୍ୱ ହିଁ ରହିଥିଲା ମନୋରଂଜନ ଦାସଙ୍କ ନାଟକର ଚରିତ୍ରଗୁଡ଼ିକରେ । ସେ ପାପରେ ବିଶ୍ୱାସ କରନ୍ତି ନାହିଁ; ନା କି ପୁଣ୍ୟରେ । କାରଣ ପାପ - ପୁଣ୍ୟ ତ ମଣିଷ ହିଁ ଗଢ଼ିଛି, ତେବେ ଆବଶ୍ୟକ ସ୍ଥଳେ ତାକୁ ଭାଙ୍ଗି ଦେଇପାରେ । ମନୋରଂଜନ ଦାସଙ୍କ ଭାଷାରେ ପାପ - ପୁଣ୍ୟ ମଣିଷ ମନର କଳ୍ପନା ହୋଇପାରେ କିନ୍ତୁ ମଣିଷର ମନ ? ମନକୁ ଫାଙ୍କି ଦେବାର ଯୁ ନାହିଁ । ସେଇଠି ହିଁ ଧରା ପଡେ, ପାପପୁଣ୍ୟ, ନ୍ୟାୟ ଅନ୍ୟାୟ ଓ ନୀତି - ଅନୀତିର ପାର୍ଥକ୍ୟ ।

ମନୋରଂଜନ ଦାସଙ୍କ ରଚିତ ଐତିହାସିକ ନାଟକ 'ବକ୍ସି ଜଗବନ୍ଧୁ'ରେ ମୁଁ ଅଭିନୟ କରିିଛି । ଅଭିନୟ କରିଛି ତାଙ୍କ ଅନୂଦିତ ନାଟକ 'ସାଗର ମନ୍ଥନ'ରେ ।

୧୯୫୬ରେ ରଚିତ 'ସାଗର ମନ୍ଥନ' ପରିବର୍ତ୍ତିତ ନାଟ୍ୟାଦର୍ଶର ଆଦ୍ୟ ରୂପ । ଇଂରାଜୀ ନାଟକ 'ଆନ୍ ଇନ୍ସପେକ୍ଟର କଲ୍ସ' ର ଓଡ଼ିଆ ଅନୁବାଦ 'ସାଗର ମନ୍ଥନ'ରେ ସେ ସ୍ଥାନୀୟ ରଙ୍ଗ ଦେବାର ଭରପୂର ପ୍ରୟାସ କରିଛନ୍ତି । ଉତ୍ତରପୁରୁଷ ଦ୍ୱାରା ପରିବେଷିତ ତଥା ପ୍ରସନ୍ନ ମିଶ୍ର ନିର୍ଦ୍ଦେଶିତ ଏହି ନାଟକ ପୂର୍ବରୁ ଅନେକ ଥର ପରିବେଷିତ ହେବା ସତ୍ତ୍ୱେ ରବୀନ୍ଦ୍ରମଣ୍ଡପରେ ଭରପୂର ଦର୍ଶକମଣ୍ଡଳୀ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ଏହି ନାଟକକୁ ଉପଭୋଗ କରିଥିଲେ ।

ସଭ୍ୟତାର ଶୀର୍ଷ ମଣ୍ଡନ କରିଥିବା ଏକ ପରିବାରର ସମସ୍ତ ସଦସ୍ୟ ଏକ ହତ୍ୟା ଅପରାଧରେ ଅଭିଯୁକ୍ତ ହୋଇଥିବାର ଏହି ନାଟକର କଥାବସ୍ତୁ । ସ୍ଥାନୀୟ ଇନ୍ସପେକ୍ଟର ଅବଧୂତ ଏଇ ଚରିତ୍ରଗୁଡ଼ିକର ମନକୁ ମନ୍ଥନ କରୁଛନ୍ତି । ଧୀରେଧୀରେ ସମସ୍ତ ଚରିତ୍ରଙ୍କ ମଧ୍ୟରୁ ବାହରି ଆସୁଛି ହିଂସା, ଦ୍ୱେଷ, ଈର୍ଷା, ଅସୂୟା । ତାରି ଭିତରୁ ଶୁଭାଯାଏ ହତଭାଗ୍ୟ ମଣିଷର ଅଶାନ୍ତ ଚିତ୍କାର । ନାଟକରେ ମନୋରଂଜନ ଦାସ ପ୍ରିଷ୍ଟ୍‌ଲୀଙ୍କ ନାଟକର ସାମାନ୍ୟ ଇନ୍ସପେକ୍ଟର ଚରିତ୍ରରୁ ଅବଧୂତକୁ ଟିକେ ଉନ୍ନୀତ କରି ଏକ ସର୍ବଜ୍ଞାନୀ ଇନ୍ସପେକ୍ଟରରେ ପରିବର୍ତ୍ତିତ କରିଛନ୍ତି । ନାଟକ ମାଧ୍ୟମରେ ନାଟ୍ୟକାର ନଷ୍ଟ ମୂଲ୍ୟବୋଧର ପୁନରୁଦ୍ଧାର ନିମନ୍ତେ ସୂଚନା ମଧ୍ୟ ଦେଇଛନ୍ତି । ସଂଳାପଗୁଡ଼ିକ ଅତ୍ୟନ୍ତ ମନଛୁଆଁ ହୋଇଛି । ପ୍ରଥମେ ସେ ସମୟରେ ସୃଜନୀ ନାଟ୍ୟସଂସ୍ଥା ଏହି ନାଟକକୁ ପରିବେଷଣ କରି ବେଶ ଚର୍ଚ୍ଚାର ବିଷୟ ପାଲଟି ଥିଲା । ୨୦୧୭ରେ ଉତ୍ତରପୁରୁଷ ଏହି ନାଟକକୁ ପୁଣି ଥରେ ପରିବେଷଣ କରି ସମାନ ଚର୍ଚ୍ଚା ସାଉଁଟି ପାରିଥିଲା । ନାଟକ ଶେଷରେ ମନୋରଂଜନ ଦାସଙ୍କ କନ୍ୟା ଓ ଜାମାତା ଗ୍ରୀନ୍‌ରୁମ୍ ଭିତରକୁ ଆସି ଭାବବିହ୍ୱଳ ହେବା ତଥା ଘରକୁ ଡାକି ପରିଚର୍ଯ୍ୟା କରିବା ଜୀବନରେ ଅବିସ୍ମରଣୀୟ ଅନୁଭୂତି । ମନୋରଂଜନ ଦାସଙ୍କ ନାଟକରେ ସମ୍ପର୍କଗତ ଜଟିଳତା ପରିଲକ୍ଷିତ ହୋଇଥାଏ । 'ଅରଣ୍ୟ ଫସଲ'ରେ ବିବାହର ପବିତ୍ରତାକୁ ଅସ୍ୱୀକାର କରାଯାଇଥିଲା । ମାତ୍ର ମୁକ୍ତ ଜୀବନକୁ ସ୍ୱୀକୃତି ମଧ୍ୟ ଦିଆଯାଇନଥିଲା । ବୈବାହିକ ଜୀବନରେ ପ୍ରେମ ନଥାଏ; ସେଠି ଯନ୍ତ୍ରଣା ଦିଏ ଓ ଆନନ୍ଦ ପାଏ । ସୁଖ ପଛରେ ଧାଉଁଥିବା ୪ଟି ଚରିତ୍ର ସୁଖଠାରୁ ଚିରକାଳ ଦୂରରେ ରହିଯାନ୍ତି । ସୁଖ ଧରା ଦିଏ ନାହିଁ । ସୁନାର ହରିଣ ପରି ସେ କେବଳ ଦୂରକୁ ଦୂରକୁ ଚାଲିଯାଇଥାଏ ।

ଆଜିର ଦିନରେ ଆମ ସହିତ ଏପରି ଘଟୁ ନାହିଁକି ? ଆମେ କ’ଣ ସୁଖକୁ ଆମ ଜୀବନରେ ଧରି ରଖିପାରୁଛୁ ? ସୁନାର ହରିଣ ପରି ଆମକୁ ଝଲକେ ଦେଖାଦେଇ ସେ ଘଣ୍ଟା ଘଣ୍ଟା କାଳ ଅଦୃଶ୍ୟ ହୋଇ ଯାଉନାହିଁ କି ? ଚାହିଁବା ଓ ପାଇବା ମଧ୍ୟରେ କାହିଁ କେତେ ଦୂରତା । ଏହାକୁ ଅତିକ୍ରମ କରିବା ଆମ ପାଇଁ ଦୂରୁହ ବ୍ୟାପାର । ଯନ୍ତ୍ରଣାକୁ କେନ୍ଦ୍ରରେ ରଖି ଘୂରିବୁଲିବା ତ ଯେପରି ଆମର ନିୟତି ।

ଏ ସବୁକୁ ମନୋରଂଜନ ଦାସ ନିଜ ନାଟକରେ ଧରିପାରିଥିଲେ । ସେ ଯଥାର୍ଥରେ ଓଡ଼ିଆ ଭାଷାର ଜଣେ ଶକ୍ତିଶାଳୀ ନାଟ୍ୟକାର । ପଚାଶ ଦଶକରେ ସେ ଓଡ଼ିଆ ଦର୍ଶକଙ୍କ ରୁଚି ପରିବର୍ତ୍ତନ କରିପାରିଥିଲେ । ନାଟକର ଆଙ୍ଗିକ ବାଚିକ ଆଦର୍ଶକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଥିଲେ । ଓଡ଼ିଶାରେ ନବନାଟ୍ୟଧାରାର ସେ ହିଁ ହେଉଛନ୍ତି ଯଥାର୍ଥ ଭାଗୀରଥ । 'ବନହଂସୀ', 'ଅରଣ୍ୟ ଫସଲ', 'କାଠଘୋଡ଼ା', 'ମହୋଦଧି', 'ଅମୃତସ୍ୟ ପୁତ୍ର' ଆଦି ଅନେକ ସଫଳ ନାଟକ ରଚନା କରି ସେ ଓଡ଼ିଆ ନାଟକକୁ ରୁଦ୍ଧିମନ୍ତ କରିଛନ୍ତି । ମନଗହନର ଅକୁହା କାହାଣୀର ଯଥାର୍ଥ ବିଶ୍ଳେଷଣ ହେଉଛି ତାଙ୍କ ନାଟ୍ୟଶୈଳୀ । ଓଡ଼ିଆ ନାଟକରୁ ଫର୍ମୂଲାକୁ ବିତାଡ଼ିତ କରି ସେ ତା ଶରୀରରେ ନୂତନ ରକ୍ତର ସଂଚାର କରିଥିଲେ । ମନୋରଂଜନ ଦାସ ଆଧୁନିକ ଓଡ଼ିଆ ନାଟକକୁ ବିଶ୍ୱ ନାଟ୍ୟଧାରାର ନିକଟବର୍ତ୍ତୀ କରିବା ନିମନ୍ତେ ଯାହା କରିଛନ୍ତି; ସେଥିଲାଗି ପ୍ରତ୍ୟେକ ଓଡ଼ିଆ ନାଟ୍ୟପ୍ରେମୀ ହୃଦୟରେ ତାଙ୍କ ପାଇଁ ଉଚ୍ଛ୍ୱାସପୂର୍ଣ୍ଣ ଦୁର୍ବଳତା ନିଶ୍ଚୟ ରହିବ । ଆଜିର ଯୁବବର୍ଗଙ୍କ ପାଇଁ ଆଉ ଜଣେ ମନୋରଂଜନ ଦାସ ଲୋଡ଼ା । ଆଉ କିଛି ନୂଆ କରିବା ପାଇଁ ।

Report an Error