ଲେଖନକର୍ମ: ଟାଇମଲାଇନ୍ ଏବଂ ପୃଷ୍ଠଭୂମି

ଆମେ ଯେଉଁ ଭାଷାକୁ ଜାଣିନାହୁଁ ତାହାର ଅକ୍ଷର ଆମ ଆଗରେ ଏକ ଚିତ୍ରରୂପ ମାତ୍ର । ସେହି କାରଣରୁ ଲେଖନ ପ୍ରକ୍ରିୟାର ଉଦ୍ଭାବନ ହେଉଛି ଏକ ଛବିଳ ସଂଜ୍ଞାନାତ୍ମକ ବା କଗନିଟିଭ୍ ଶୃଙ୍ଖଳା । ଆମେ ଚିତ୍ରକୁ ଦେଖି ସେଥିରୁ ଶବ୍ଦକୁ ସନାକ୍ତ କରୁଥିଲୁ, ଏହା ଆମର ଲେଖନକର୍ମର ଆଦ୍ୟ - ପ୍ରକ୍ରିୟା ।


ବାକ୍ୟଟି ଦୀର୍ଘ ।

ଯେହେତୁ ପ୍ରସଂଗଟି ସରଳ ନୁହଁ, ସଂକ୍ଷିପ୍ତ ନୁହଁ, ଏବଂ ତେଣୁ ବାକ୍ୟକୁ ଦୀର୍ଘ କରିବା ଉପସ୍ଥିତ ଲେଖକର ଏକ ଚପଳତା, ଅନିବାର୍ଯ୍ୟ ଅକ୍ଷମତା । କ୍ଷମାକରିବେ ।

ମଣିଷ ଯେତେବେଳଠାରୁ ନିଜ ଲେଖାକୁ ସଂରକ୍ଷଣ ଯୋଗ୍ୟ ବୋଲି ମନେକଲା ଅର୍ଥାତ୍ ନିଜର ମନରେ ସେ ଯାହା ଯାହା ରଚନା କରିଛି ତାହା ମଣିଷର ସ୍ୱାଭାବିକ ବିସ୍ମରଣ ପ୍ରକ୍ରିୟାରେ କ୍ରମଶଃ ତାହାର ମାନସ ପଟଳରୁ ଯେତେବେଳେ ଅପହୃତ ହେବାକୁ ଲାଗିଲା, ଆଉ ଆବଶ୍ୟକ ସମୟରେ ଯେତେ ଛାଟିପିଟି ହେଲେବି ସେ ଆଗରୁ କ'ଣ ମନରେ ରଚନା କରିଥିଲା ସେକଥା ଆଉ ତାହାର ଜମା ମନେ ପଡିଲା ନାହିଁ ବା ତାହାର ଆଖପାଖରେ ଥିବା ଆଉ କାହାର ସ୍ମୃତିରେ ସେକଥା ଉପଲବ୍ଧ ରହିନଥିଲା, ଆଉ ସେହି ପ୍ରକାର ବିସ୍ମରଣ ତଥା ଅପହରଣ ଯେତେବେଳେ ତାହାକୁ ଏକପ୍ରକାର ନିସ୍ୱତାର ଅବବୋଧରେ ବିଷାଦଗ୍ରସ୍ତ କରିବାକୁ ଆରମ୍ଭ କରିଥିଲା, ଠିକ୍ ସେତିକିବେଳେ ସେ ମନେ କରିଥିଲା ଯେ, ମନର କଥା ମନରେ ମରିଯିବା ପୂର୍ବରୁ ତାହାର ଉପଯୁକ୍ତ ସଂରକ୍ଷଣ ଆବଶ୍ୟକ । ମଣିଷ ସ୍ୱାଭାବିକ ଭାବରେ ଏକ ବିସ୍ମରଣଜୀବୀ ପ୍ରଜାତି । ଉଦାହରଣ ସ୍ୱରୂପ ଆମେମାନେ ଯଦି ଆମର ଜୀବନରେ ଗଲାକାଲି ଯାହା ଘଟିଯାଇଅଛି ତାହାକୁ ମନେ ପକାଇବାକୁ ଆରମ୍ଭ କରିବା ତାହାହେଲେ ଦେଖିବା ଯେ, ଗଲାକାଲି ଆମ ଜୀବନରେ ଯାହା ଯାହା ଘଟିଯାଇଛି ସେସବୁକୁ ଅବିକଳ ଆମେ ମନେ ରଖିପାରିବାକୁ ଅକ୍ଷମ । କହିବାକୁ ଗଲେ ଗଲାକାଲି ଅର୍ଥାତ୍ ଆମର ଅତ୍ୟନ୍ତ ନିକଟ ଅତୀତରୁ ଆମ ପାଖରେ ଯାହା ସ୍ମୃତିରେ ରହିଅଛି ତାହା ମୂଳ ଘଟଣାର ମାତ୍ର ଶତକଡା ପଚିଶ ଭାଗରୁ କମ୍ ହେବ । ଏହି ନିକଟ ଅତୀତଟି ଯେତିକି ଅତୀତ ଆକାରରେ ଦୂରକୁ ଦୂରକୁ ଯାଉଥିବ ଆମର ସେହି ଧାରଣ କରିଥିବା ସ୍ମୃତିମାନ ସମାନୁପାତରେ କ୍ଷୟ ହେବାକୁ ଲାଗିଥିବ । ପ୍ରଖ୍ୟାତ କଥାକାର ମିଲାନ କୁନ୍ଦେରାଙ୍କର ଗୋଟିଏ ଚର୍ଚ୍ଚିତ ଗପର ଶୀର୍ଷକକୁ ଟିକିଏ ଏପଟ ସେପଟ କରି କହିବା ଭଳି ଆମର ସବୁବେଳର ଅବସ୍ଥାନ, ପୁରାତନ ଅତୀତ, ନୂତନ ଅତୀତକୁ ବାଟ ଛାଡିଦେଇଥାଏ ।

ଏହିଭଳି ଆମର ଏକ ଚିରନ୍ତନ ଅବସ୍ଥାନରେ ଯେତେବେଳେ ଗାଢ ହେବାକୁ ଯାଉଥିବା ଅତୀତମାନ ଆମ ଆଗରେ ବିସ୍ମରଣର ପଥରେ, ସେତେବେଳେ ସମସ୍ୟା ହେଉଛି ଆମର ଅତୀତ ସ୍ମୃତିରେ ରହିବ ନାହିଁ ମାନେ ଆମେ ଆମର ଉତ୍ସମୂଳ ସହ କେତେ ସଂପୃକ୍ତ ହୋଇପାରିବା ? ମଣିଷ ହିସାବରେ ଆମର ଉତ୍ସମୂଳ ଏବଂ ତାହା ପରବର୍ତ୍ତୀ ବିବର୍ତ୍ତନକୁ ବୁଝିବା ପାଇଁ ଆମର ଅତୀତ - ସ୍ମୃତି ଏକାନ୍ତ ପ୍ରୟୋଜନ । ସେଇଥିପାଇଁ ମଣିଷ ହିସାବରେ ଆମର ମଣିଷସୁଲଭ ସମସ୍ତ ବିଭବ ତଥା ବିଭାବକୁ ପରିଭାଷିତ କରିବା ପାଇଁ ଆମର ଅତୀତକୁ ସଂରକ୍ଷଣ କରି ରଖିବା ଏକାନ୍ତ ପ୍ରୟୋଜନ । ଆମର ସ୍ମୃତି ଯେତେବେଳେ ଏହି ସବୁ ଅତୀତକୁ ଧାରଣ କରିବାକୁ ଆମର ଶରୀରଗତ ଦୃଷ୍ଟିରୁ ଅକ୍ଷମ ହୁଏ ଆମେ ସେତେବେଳେ ଏହାକୁ ସଂରକ୍ଷଣ କରି ରଖିବା ପାଇଁ ଭିନ୍ନ ବିକଳ୍ପ ଖୋଜିଥାଉ । ଆଉ ଆମର ଅତୀତ ସଂରକ୍ଷଣର ସବୁଠୁ ସହଜ ଆଉ ନିର୍ଭରଯୋଗ୍ୟ ବାଟ ହେଉଛି ଲେଖନ । ଆମେ ଲେଖୁ, ମଣିଷ ସଭ୍ୟତାର ଆଦ୍ୟକାଳରୁ ଲେଖିଆସୁଛୁ ଆଉ ସେହି ଲେଖନକର୍ମ ମାଧ୍ୟମରେ ଆମେ ଆମର ଐତିହାସିକ ଅସ୍ତିତ୍ୱକୁ ପରିଭାଷିତ କରିବା ସହିତ ସଂରକ୍ଷଣ କରି ରଖିଆସିଛୁ ପରବର୍ତ୍ତୀ କାଳଖଣ୍ଡ ପାଇଁ ।

ମଣିଷର ଲେଖନକର୍ମର ବର୍ଣ୍ଣାଢ୍ୟ ବିବର୍ତ୍ତନମୂଳକ ପ୍ରସଙ୍ଗକୁ ବୁଝିବା ପାଇଁ ମଣିଷର ଲେଖନର ଏଇ କାଳାନୁକ୍ରମିକ ଟାଇମଲାଇନ୍ କୁ ଟିକିଏ ଦେଖାଯାଉ । ଏହା ମଣିଷର ଲେଖନକର୍ମର କେତୋଟି ଆଧାରବିନ୍ଦୁ ତଥା କିଛି ପ୍ରସ୍ତାବନା ।

ଖ୍ରୀପୂ ୨୧୦୦ । ଗିଲଗାମେଶଙ୍କ ପ୍ରଥମ କାହାଣୀ ।
ସଭ୍ୟତାର ଆଦ୍ୟକାଳରେ ହେଉଥିବା କୁନେଇଫର୍ମ ଲେଖନ ପଦ୍ଧତି ଅନୁଯାୟୀ ଯାହାକୁ ଆଜି ଇରାକ୍ ବୋଲି କୁହାଯାଏ ସେହି ଅଂଚଳରେ  ଲେଖାଯାଇଥିଲା ।

ଖ୍ରୀପୂ ୧୨୦୦ ।
ଗ୍ରୀକ୍ ମାନଙ୍କ ଦ୍ୱାରା ଟ୍ରୟ ବିଧ୍ୱସ୍ତ ହେବାର କିଛି ବିବରଣୀ ।
ଏସିଆ ମାଇନର, ତୁର୍କୀ ।

ଖ୍ରୀପୂ ୧୦୦୦ ।
ସର୍ବ ପ୍ରାଚୀନ ହିବ୍ରୁ ବାଇବେଲ୍ ର କିଛି ଉତ୍ସ ।
ଜେରୁଜେଲମ୍ ।

ଖ୍ରୀପୂ ୮୦୦ ।
ହୋମରଙ୍କ ବିରଚିତ ଟ୍ରୋଜାନ ଯୁଦ୍ଧର କାହାଣୀ । ଏହା ସର୍ବପ୍ରଥମେ ଗ୍ରୀକ୍ ଭାଷାର ଅକ୍ଷରରେ ଲେଖା ।
ଗ୍ରୀସ୍ ।

ଖ୍ରୀପୂ ୪୫୮ । ଏଜରା ହିବ୍ରୁ ଲେଖନକୁ ପବିତ୍ର ବୋଲି ଘୋଷଣା କରିଥିଲେ । ଖ୍ରୀପୂ ପଞ୍ଚମ ଶତାବ୍ଦୀରେ ଏଜରା ବୋଲି ଜଣେ ଲେଖକ ବା ସ୍କ୍ରାଇବ୍ ଥିଲେ ବୋଲି ଜଣାପଡିଛି । ଏଜରା ଜଣେ ବ୍ୟକ୍ତି ନା ଏକ ସାମୂହିକ ଲେଖନକର୍ମକୁ ଏଜରା ବୋଲି କୁହାଯାଉଥିଲା ତାହାକୁ ନେଇ ଇତିହାସକାରମାନଙ୍କ ମଧ୍ୟରେ ମତପାର୍ଥକ୍ୟ ରହିଅଛି ।
ଜେରୁଜେଲମ ।

ଖ୍ରୀପୂ ପଞ୍ଚମ ଶତାବ୍ଦୀ ।
ବୁଦ୍ଧ, କନଫୁସିଅସ୍ ଏବଂ ସକ୍ରେଟିସ୍ ଙ୍କ ସମୟ । ସେମାନେ ଏହି ସମୟରେ ନିଜର ବାଣୀ ପ୍ରଚାର କରିଛନ୍ତି । ସେମାନଙ୍କର ବାଣୀକୁ ଅମୂଲ୍ୟ ବିଚାର କରାଯାଇ ତାହାକୁ ସ୍ଥାନୀୟ ଲିପିମାନଙ୍କରେ ଲେଖିବାର ପ୍ରଚେଷ୍ଟା ହୋଇଥିଲା ।
ଏହି ଜାତୀୟ ଲେଖନ ଯଥାକ୍ରମେ ଭାରତର ଉତ୍ତର - ପୂର୍ବ, ଚାଇନାର ପୂର୍ବାଞ୍ଚଳ ତଥା ଲୁ ରାଜ୍ୟ ଏବଂ ଗ୍ରୀସ୍ ର ଏଥେନ୍ସରେ ଦେଖାଯାଇଥିଲା ।

ଖ୍ରୀପୂ ୨୯୦ ।
ଆଲେକଜାଣ୍ଡ୍ରିଆ ସହରରେ ସର୍ବପ୍ରଥମେ ପୁସ୍ତକାଗାର ନିର୍ମାଣ କରାଯାଇଥିଲା । ଆଉ ପୁସ୍ତକାଗାର ନିର୍ମାଣର ଅର୍ଥ ହେଉଛି କିଛି ପୁସ୍ତକ (ତାହା ଯେମିତି ରୂପରେ ବିଚାର କରାଯାଉ ପଛକେ) ଅର୍ଥାତ୍ କିଛି ଲେଖନକର୍ମକୁ ସଂରକ୍ଷିତ କରି ରଖିବା । ତେଣୁ ଏଥିରୁ ପ୍ରତୀୟମାନ ଯେ, ସେ ସମୟରେ କିଛି ସଂରକ୍ଷିତ ହେବା ଭଳି ଲେଖନକର୍ମ ମହଜୁଦ୍ ଥିଲା ।
ଆଲେକଜାଣ୍ଡ୍ରିଆର ଏହି ପୁସ୍ତକାଗାରର କିଛି ଅଂଶ ଖ୍ରୀପୂ ୪୮ରେ ଧ୍ୱଂସ କରିଦିଆଯାଇଥିଲା । ସେହି ଆଲେକଜାଣ୍ଡ୍ରିଆ ସହର ମିଶରରେ ଅବସ୍ଥିତ ।

ହିବ୍ରୁ ବାଇବେଲ୍ ଗ୍ରୀକ୍ ଭାଷାରେ ଅନୁବାଦ କରାଯାଇଥିଲା ।
ଆଲେକଜାଣ୍ଡ୍ରିଆ, ମିଶର ।

ଖ୍ରୀପୂ ୨୦୦ ।
କାଗଜର ଉଦ୍ଭାବନ ।
ହାନନ ପ୍ରଦେଶ,ଚାଇନା ।

୧୦

ଖ୍ରୀଷ୍ଟାବ୍ଦ ୩୦ ।
ଯୀଶୁଖ୍ରୀଷ୍ଟଙ୍କ ସମୟ । ସେ ଏହି ସମୟରେ ନିଜର ବାଣୀ ପ୍ରଚାର କରିଥିଲେ । କିଛି ଅନୁଗତମାନେ ତାଙ୍କର ବାଣୀକୁ ସ୍ଥାନୀୟ ଲିପିରେ ଲେଖି ରଖିବାକୁ ଚେଷ୍ଟା କରୁଥିଲେ ।
ସି ଅଫ୍ ଗାଲିଲି, ଇସ୍ରାଏଲ୍ ।

୧୧

ଖ୍ରୀଷ୍ଟାବ୍ଦ ୮୬୮ ।
"ଡାଇମଣ୍ଡ ସୂତ୍ର",
ସର୍ବପ୍ରାଚୀନ ଉପଲବ୍ଧ ମୁଦ୍ରିତ ଲେଖନ ।
ଦୁନହୁଆଙ୍ଗ, ଚାଇନାର ପଶ୍ଚିମାଞ୍ଚଳ ।

୧୨

ଖ୍ରୀଷ୍ଟାବ୍ଦ ୮୭୯ ।
"ଏକ ହଜାର ଏକ ରାତି" କାହାଣୀର ସର୍ବପୁରାତନ କାଗଜରେ ଲିଖିତ କିଛି ଅଂଶର ସଂଧାନ ମିଳିଅଛି ।
ଇଜିପ୍ଟ ।

୧୩

ଖ୍ରୀଷ୍ଟାବ୍ଦ ୧୦୦୦ ।
ଲେଡି ମୁରାଶାକି ଶିକାବୁ "ଦି ଟେଲ୍ ଅଫ୍ ଗେଞ୍ଜି" ଶୀର୍ଷକରେ ପୃଥିବୀର ସର୍ବପ୍ରଥମ ଉପନ୍ୟାସ ରଚନା କରିଅଛନ୍ତି ।
କୁଏଟୋ, ଜାପାନ ।

୧୪

ଖ୍ରୀଷ୍ଟାବ୍ଦ ୧୪୪୦ ।
ଗୁଟେନବର୍ଗଙ୍କ ଦ୍ୱାରା ଛାପାଯନ୍ତ୍ରର ପୁନଃ ଉଦ୍ଭାବନ । ସମ୍ଭବତଃ ଏହା ପୂର୍ବ ଏସୀୟ ଦେଶଙ୍କର ଅବଧାରଣା ଉପରେ ନିର୍ମିତ ହୋଇଥିଲା ।
ମେଇଞ୍ଜ, ଜର୍ମାନୀ ।

୧୫

ଖ୍ରୀଷ୍ଟାବ୍ଦ ୧୫୫୦ ।
ପୋପଲ ଭୁହ ରୋମାନ ବର୍ଣ୍ଣମାଳାରେ ଲେଖିବାକୁ ଆରମ୍ଭ କରିଥିଲେ ।
ଚିଆପାସ୍, ଦକ୍ଷିଣ ପଶ୍ଚିମ ମେକ୍ସିକୋ ।

୧୬

ଖ୍ରୀଷ୍ଟାବ୍ଦ ୧୬୦୫ ।
ମିଗୁଏଲ୍ ସର୍ଭାଣ୍ଟିସ୍ "ଡନ୍ କ୍ୟୁହୋତେ" ଉପନ୍ୟାସର ପ୍ରଥମ ଭାଗ ପ୍ରକାଶ କରନ୍ତି ।
ମାଦ୍ରିଦ୍, ସ୍ପେନ୍ ।

୧୭

ଖ୍ରୀଷ୍ଟାବ୍ଦ ୧୬୧୪ ।
ଲେଖକଙ୍କ ସ୍ୱୀକୃତି ନଥିବା "ଡନ୍ କ୍ୟୁହୋତେ" ର ଦ୍ୱିତୀୟ ଭାଗ ପ୍ରକାଶିତ ହୁଏ । ଏହାର ବର୍ଷକ ପରେ ଲେଖକ ସର୍ଭାଣ୍ଟିସ୍ ତାଙ୍କର ନିଜ ଲେଖା ସେଇ ଉପନ୍ୟାସର ଦ୍ୱିତୀୟ ଭାଗ ପ୍ରକାଶ କରନ୍ତି ।
ମାଦ୍ରିଦ୍, ସ୍ପେନ୍ ।

୧୮

ଖ୍ରୀଷ୍ଟାବ୍ଦ ୧୭୭୬ ।
ଫ୍ରାଙ୍କଲିନ୍ "ଡିକ୍ଲାରେସନ୍ ଅଫ୍ ଇଣ୍ଡିପେଣ୍ଡେସ୍" ରେ ସନ୍ତକ କରନ୍ତି । ଆମେରିକା ତାହା ଫଳରେ ସ୍ୱାଧୀନ ହୁଏ ।
ଫିଲାଡେଲଫିଆ, ପେନସିଲଭାନିଆ ।

୧୯

ଖ୍ରୀଷ୍ଟାବ୍ଦ ୧୮୪୯ ।
ନିନେଭହ ନାମକ ଏକ ପରିତ୍ୟକ୍ତ ଇଲାକାରୁ "ଏପିକ ଅଫ୍ ଗିଲଗାମେଶ" ଭଳି ଏକ ସର୍ବପୁରାତନ ଲେଖାର ପୂରାପୂରି ଉଦ୍ଧାର କରାଯାଏ ।
ମାସୁଲ ନିକଟବର୍ତ୍ତୀ ଅଂଚଳ, ଇରାକ ।

୨୦

ଖ୍ରୀଷ୍ଟାବ୍ଦ ୧୮୭୧ ।
ଟ୍ରୟ ଅଂଚଳରେ ଏକ୍ସାକାଭେସନ୍ ଆଉ ଥରେ ଆରମ୍ଭ ହୁଏ ।
ତୁର୍କୀ ।

୨୧

ଖ୍ରୀଷ୍ଟାବ୍ଦ ୧୮୨୭ ।
ଜୋହାନ ଗେଟେ "ବିଶ୍ୱ ସାହିତ୍ୟର ଆରମ୍ଭ" ବୋଲି ଘୋଷଣା କରନ୍ତି ।
ୱେମାର୍, ଜର୍ମାନୀ ।

୨୨

ଖ୍ରୀଷ୍ଟାବ୍ଦ ୧୮୪୮ ।
ଦି କମ୍ୟୁନିଷ୍ଟ ମାନିଫେଷ୍ଟୋ ପ୍ରକାଶିତ ହୁଏ ।
ଲଣ୍ଡନ ।

୨୩

ଖ୍ରୀଷ୍ଟାବ୍ଦ ୧୯୩୦ । ଆଖମାତୋଭା ଲେଖନ୍ତି, ଜାଳିଦିଅନ୍ତି କବିତାକୁ ।
ସେଣ୍ଟ ପିଟର୍ସବର୍ଗ, ରୁଷିଆ ।

୨୪

ଖ୍ରୀଷ୍ଟାବ୍ଦ ୧୯୪୭ ।
"ଏକ ହଜାର ଏବଂ ଏକ ରାତି" ର କିଛି ଅଂଶ ଆବିଷ୍କୃତ ହୁଏ ।
ଇଜିପ୍ଟ ।

୨୫

ଖ୍ରୀଷ୍ଟାବ୍ଦ ୧୯୬୦ ।
ଏପିକ୍ ଅଫ୍ ସୁନଜାତା ଲେଖାହୁଏ ।
ଗିନିଆ, ପଶ୍ଚିମ ଆଫ୍ରିକା ।

୨୬

ଖ୍ରୀଷ୍ଟାବ୍ଦ ୧୯୬୮ ।
ଆପୋଲୋ ଅଷ୍ଟମର ଅଭିଯାତ୍ରୀ ଦଳ ଜେନେସିସ୍ ର ପ୍ରଥମ ଅଧ୍ୟାୟ ବାଇବେଲ୍ ରୁ ପାଠ କରନ୍ତି ।
ଚନ୍ଦ୍ର ଅଭିଯାନର ପଥ ।

୨୭

ଖ୍ରୀଷ୍ଟାବ୍ଦ ୧୯୯୦ ।
ଡେରିକ୍ ୱାଲକଟ୍ ଙ୍କ ରଚନା "ଓମେରସ" ପ୍ରକାଶ ପାଏ ।
ସେଣ୍ଟ ଲୁସିଆ ।

୨୮

ଖ୍ରୀଷ୍ଟାବ୍ଦ ୧୯୯୦ ଦଶକ ।
ୱେବ୍ ବ୍ରାଉଜର୍ ପ୍ରତିସ୍ଥାପିତ ହେବା କାରଣରୁ ଇଣ୍ଟରନେଟ୍ ବିପ୍ଳବର ଆରମ୍ଭ ।
ଯୁକ୍ତରାଜ୍ୟ ଆମେରିକା ।

୨୯

ଖ୍ରୀଷ୍ଟାବ୍ଦ ୨୦୦୦ଦଶକ ।
ହାରି ପୋଟର ଶୃଙ୍ଖଳା ପ୍ରକାଶିତ ହୁଏ ।
ଏଡିନବରା, ଲଣ୍ଡନ ।

ମଣିଷ ଲେଖନର ସମସ୍ତ ଗୁରୁତ୍ୱପୂର୍ଣ୍ଣ ମୋଡ ଅର୍ଥାତ୍ ଯାହାକୁ ଇଂରେଜୀରେ ଆମେ କହିବା ଲାଣ୍ଡମାର୍କସ୍ ଅଫ୍ ହ୍ୟୁମାନ ରାଇଟିଙ୍ଗ ତାହାର ଏକ କାଳପଞ୍ଜି ଏଇଠି ଉପସ୍ଥାପନା କରାଯାଇଛି ।

ମଣିଷର ଲେଖନର ବିବର୍ତ୍ତନରେ ଏହି ପ୍ରତ୍ୟେକ ମୋଡ ସ୍ୱତନ୍ତ୍ର ଏବଂ ଏହା ଦୀର୍ଘ ଆଲୋଚନାର ଅପେକ୍ଷା ରଖେ । ମାତ୍ର ଏଠାରେ ଏଇ କ୍ଷୁଦ୍ର ପରିସରରେ ସେହିଭଳି ଆଲୋଚନା ପ୍ରସ୍ତୁତ କରିବା ସମ୍ଭବପର ହେଉନାହିଁ । ତେଣୁ ଏଠାରେ କେବଳ ମଣିଷର ଲେଖନକର୍ମର ଆଦ୍ୟକାଳ, ଦାର୍ଶନିକ ପ୍ରେକ୍ଷାପଟର ଆଧାରକୁ ବୁଝିବା ପାଇଁ କିଛି ପ୍ରୟାସ ।

ଲେଖନ - କର୍ମର ଉଦ୍ଭାବନ ହେବା ପୂର୍ବରୁ ଅର୍ଥାତ୍ ମଣିଷର ଭାବନାକୁ ଶବ୍ଦବଦ୍ଧ କରିବା ଉଦ୍ଦେଶ୍ୟରେ ଏକ ପ୍ରକାର ଛବିଳ - ଶୃଙ୍ଖଳା ପ୍ରଦାନ, ଏହିଭଳି ଏକ ସଂଜ୍ଞାନାତ୍ମକ ଅର୍ଥାତ୍ କଗନିଟିଭ୍ ପଦ୍ଧତି ଯେତେବେଳେ ଅନୁପସ୍ଥିତ, ସେତେବେଳେ ମଣିଷର ଭାବନା ଆଉ ଏକ ମଣିଷ ନିକଟକୁ ମୁହଁରୁ ମୁହଁକୁ ଅଥବା ଶରୀରୀ - ଭଂଗୀରୁ ଅନ୍ୟ ନିକଟକୁ ସଂପ୍ରସାରିତ ହେଉଥିଲା । ଏହିଭଳି ମୁହଁରୁ ମୁହଁକୁ ଲୋକକଥା, ଜନଶ୍ରୁତି ତଥା ମହାଗାଥା ବା ଏପିକ୍ ମାନ ଗତିଶୀଳତା ଅର୍ଜନ କରୁଥିଲା । ମୁହଁରୁ ମୁହଁକୁ ଗତି କରୁଥିବା ଏଇ ସାହିତ୍ୟ ଯାହାକୁ ଆମେ "ଓରାଚର୍ (ଓରାଲ୍ + ଲିଟେରେଚର୍) ବୋଲି କହିପାରିବା । ଏହି ଓରାଚର୍ ର ଯୁଗରେ ଗତିଶୀଳତାର ବାହକ ସାଜୁଥିବା "ମୁହଁ" ଟି ମାନ ତାହାକୁ ବିଶେଷଭାବରେ ସୁନ୍ଦର ଏବଂ ସମୃଦ୍ଧ କରିବା ଦ୍ୱାରା ସୃଜନକର୍ମରେ ନିଜର ସ୍ୱାତନ୍ତ୍ର୍ୟକୁ ପ୍ରକାଶ କରିବାର ଯଥାସମ୍ଭବ ଚେଷ୍ଟା କରୁଥିଲେ । ଓରାଚର୍ ରେ କହିସାରିବା ପରେ କହୁଥିବା ମୁହଁଟି ଯେମିତି ଅବର୍ତ୍ତମାନ ପାଲଟିଯାଏ ତେଣୁ ସେହି କାରଣରୁ ଓରାଚର୍ ର ଯୁଗରେ ନିଜର ସ୍ୱାତନ୍ତ୍ର୍ଯ ବ୍ୟକ୍ତ କରୁଥିବା ମୁହଁଟିମାନ ଅଜ୍ଞାତ ରହିଯିବା ଅବଶ୍ୟମ୍ଭାବୀ । ଲେଖନକର୍ମର ଉଦ୍ଭାବନ ହେବାର ପୂର୍ବବର୍ତ୍ତୀ କାଳର ଲେଖକମାନ ସେହି କାରଣରୁ ଅଜ୍ଞାତ । ଲେଖକ ବଂଚିଥିବା ଅଥବା କଥା କହୁଥିବା ଯାଏ ତାହାର ମୁହଁ ଅଛି ମାତ୍ର ତାହାର ଦେହାବସାନ ପରେ ତାହାର କଥା ହୁଏତ ରହିପାରୁଥିଲା ମାତ୍ର ମୁହଁଟି ନଥିବା ହେତୁ ସେ ଅଜ୍ଞାତ ରହିଯାଉଥିଲା ।

ଆମେ ଯେଉଁ ଭାଷାକୁ ଜାଣିନାହୁଁ ତାହାର ଅକ୍ଷର ଆମ ଆଗରେ ଏକ ଚିତ୍ରରୂପ ମାତ୍ର । ସେହି କାରଣରୁ ଲେଖନ ପ୍ରକ୍ରିୟାର ଉଦ୍ଭାବନ ହେଉଛି ମୁଖ୍ୟତଃ ଏକ ଛବିଳ ସଂଜ୍ଞାନାତ୍ମକ ବା କଗନିଟିଭ୍ ଶୃଙ୍ଖଳା । ଆମେ ଚିତ୍ରକୁ ଦେଖି ସେଥିରୁ ଶବ୍ଦକୁ ସନାକ୍ତ କରୁଥିଲୁ, ଏହା ଆମର ଲେଖନକର୍ମର ଆଦ୍ୟ - ପ୍ରକ୍ରିୟା । ପୃଥିବୀରେ ସୁମେରୀୟ ସଭ୍ୟତାରେ ଖ୍ରୀପୂ ୩୦୦୦ ବର୍ଷ ବେଳକୁ ଏହିଭଳି ପଦ୍ଧତିରେ ଲେଖନକର୍ମ ପ୍ରଥମେ ଉଦ୍ଭାବନ କରାଯାଇଥିଲା । ସୁମେରୀୟମାନେ ଖଣ୍ଡିଏ ଖଣ୍ଡିଏ କାଦୁଆ - ପଟା ବା କ୍ଲେ - ଟାବଲେଟ୍ ପ୍ରସ୍ତୁତ କରି ତାହା ଉପରେ ଗୋଟିଏ କଂଟା ଭଳି ପଦାର୍ଥରେ ଲେଖନକର୍ମ ସଂପାଦନ କରୁଥିଲେ । ପରେ ପ୍ରାଚୀନ ଚାଇନାରେ କାଠ ଆଉ ବାଉଁଶପତ୍ର ଉପରେ ଲେଖାଲେଖି କାମ ହେଉଥିଲା । ଇଜିପ୍ଟ ଆଉ ଗ୍ରୀସ୍ ରେ ପାପିରସ୍ ବୋଲି ଏକ ଗଛର ପତ୍ର ଉପରେ ଲେଖନ - କର୍ମ ପରିଚାଳିତ ହେଉଥିଲା । ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀରେ ରୋମାନମାନେ ମଣିଷର ଲେଖନକର୍ମରେ ଏକ ନୂତନ ବିପ୍ଳବ ସଂଯୋଜନ କରିଥିଲେ । ତାହା ଆମର ପୁସ୍ତକର ପ୍ରାକ୍ - ରୂପ, ଯାହାକୁ କୁହାଯାଉଥିଲା କୋଡେକ୍ସ । ରୋମାନମାନଙ୍କର କୋଡେକ୍ସ ହେଉଛି ପାର୍ଚମେଣ୍ଟ ଉପରେ ଲେଖନ ଆଉ ଯାହାକୁ ଗୁଡାଯାଇ (ସ୍କ୍ରଲ୍ କରି) ରଖାଯାଉଥିଲା ।

ଓରାଚର୍ ଯୁଗରେ ଲେଖକ ଯେଉଁଭଳି ଅଜ୍ଞାତ ରହୁଥିଲା ଅର୍ଥାତ୍ ସେସମୟର କୌଣସି ନିର୍ଦ୍ଦିଷ୍ଟ ଲେଖକର ନାଆଁ ଆମ ଆଗରେ ଆଜି ଯେଉଁଭଳି ଅଜ୍ଞାତ, ଠିକ୍ ସେହିଭଳି ଲେଖନ - କର୍ମର ଉଦ୍ଭାବନ ହେବା ପରେ ବି ଲେଖକ ଅଜ୍ଞାତ ହୋଇ ରହୁଥିଲା । ଏହାର କାରଣ ହେଉଛି ଉଦ୍ଭାବନ ହେବାପରେ ସେତେବେଳର ଲେଖନ - କର୍ମ ଏକ ସ୍ୱତନ୍ତ୍ର ଏବଂ ବିଧିବଦ୍ଧ ପ୍ରଯୁକ୍ତିଗତ ପଦ୍ଧତି ଥିଲା । ଜଣକୁ ତେଣୁ ସେତେବେଳର ଲେଖନ - କର୍ମ ଭଳି ପ୍ରଯୁକ୍ତିରେ ପ୍ରଶିକ୍ଷିତ ହେବାକୁ ପଡୁଥିଲା । ତେଣୁ ଜଣେ ଲେଖକ ସେତେବେଳେ ନିଜର ମନରେ କିଛି ହୁଏତ ଲେଖିଦେଇପାରେ ମାତ୍ର ତାହାକୁ ବ୍ୟକ୍ତିପରକ ଭାବରେ ଲେଖନ - କର୍ମ ଭିତରକୁ ଆଣିବା ପାଇଁ ତାହା ନିକଟରେ ଲେଖନ - କର୍ମର ପ୍ରଯୁକ୍ତିଗତ ଦକ୍ଷତା ରହିଥିବା ଆବଶ୍ୟକ । କହିବା କଥା ହେଉଛି ସେତେବେଳର ଲେଖକ ସେତେବେଳର "ସ୍ପେସିଆଲାଇଜଡ୍" ଲେଖନ - କର୍ମ ବିଷୟରେ ଅନଭିଜ୍ଞ ଥିବା କାରଣରୁ ଜନସମକ୍ଷରେ ଅଜ୍ଞାତ ହୋଇ ରହିଯାଉଥିଲା । କେଉଁ ବାଟରେ ଲେଖାଟିଏ କାଦୁଅ - ପଟା ଆଉ କୀଳକ - ଲିପିରେ ଲେଖାଯିବ ସେ ବିଷୟରେ ଅଜ୍ଞ ରହିଥିବା କାରଣରୁ ଜଣେ ସେତେବେଳର ଲେଖକ ଯେ ଅଜ୍ଞାତ ରହିଯାଉଥିଲା, ଏକଥା ନୁହଁ । ଏହାର ମଧ୍ୟ ଅନ୍ୟ କିଛି କାରଣ ରହିଛି । ଲେଖନ - କର୍ମର ଉଦ୍ଭାବନ ପରେ ସୁମେରୀୟ ଓ ଅନ୍ୟାନ୍ୟ ସଭ୍ୟତାରେ ଯେଉଁମାନେ ଲେଖନ - କର୍ମରେ ଦକ୍ଷତା ଅର୍ଜନ କରୁଥିଲେ, ସେମାନେ ବୃତ୍ତିଗତ ଭାବରେ ଲେଖନକର୍ମୀ ବା ସ୍କ୍ରାଇବ୍ ଥିଲେ । ଏହି ସ୍କ୍ରାଇବ୍ ବା ବୃତ୍ତିଗତ ଲେଖନକର୍ମୀମାନଙ୍କର ଆଧିପତ୍ୟ ପୃଥିବୀର ଆଦ୍ୟ ସଭ୍ୟତାର ସାମାଜିକ ପରିସରରେ ଯଥେଷ୍ଟ ବୃଦ୍ଧି ପାଇବାକୁ ଲାଗିଥିଲା । ତେଣୁ ଶାସକ ବର୍ଗ ଏବଂ ଧର୍ମଧାରକ ବର୍ଗ ସେହି ଲେଖନକର୍ମୀ ବର୍ଗ ବା ସ୍କ୍ରାଇବ୍ ବର୍ଗକୁ ନିଜର କ୍ଷମତାକୁ ବିସ୍ତାର କରିବା ପାଇଁ ନିଜ ନିଜର କରାୟତ୍ତ କରିନେଇ ନିଜନିଜର ପ୍ରଭୁଗୋଷ୍ଠୀ ଭିତରେ ସଂକୁଚିତ କରି ରଖୁଥିଲେ ।

ପରେ ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀରେ ଚାଇନାରେ କାଗଜର ଉଦ୍ଭାବନ ହେଲା । ତାହା ପରେ କାଳି ଏବଂ ଏହା ସହିତ ଲେଖନକର୍ମର ଯେଉଁ ସଂଜ୍ଞାନାତ୍ମକ ଛବିଳ ଚିତ୍ରରୂପ ତଥା ଶୃଙ୍ଖଳାର ପ୍ରଯୁକ୍ତିଗତ ଦିଗଟି ଯେତେବେଳେ ସହଜ ହେବାକୁ ଆରମ୍ଭ କଲା ସେତେବେଳେ ଲେଖନ - କର୍ମ ଆଉ ଲେଖନକର୍ମୀ ବା ସ୍କ୍ରାଇବ୍ ଏବଂ ପ୍ରଭୁବର୍ଗମାନଙ୍କର ନିୟନ୍ତ୍ରଣରେ ରହିଲା ନାହିଁ । ଅନ୍ୟ ଭାବରେ କହିଲେ ଲେଖନ - କର୍ମ ଗଣତାନ୍ତ୍ରିକ ହେବାକୁ ଲାଗିଲା । ସମସ୍ତେ କେଉଁଭଳି ଲେଖାଯାଇପାରିବ ସେକଥା ଅତି ସହଜରେ ଜାଣିପାରିଲେ ଏବଂ ସେହିକାରଣରୁ ଲେଖକର ପରିଚୟ ଆମ ସମକ୍ଷକୁ ଆସିପାରିଲା । ଯଦିଓ ଲେଖନ - କର୍ମର ଟାଇମଲାଇନ୍ କୁ ଅନୁଧ୍ୟାନ କଲେ ଆମେ ଜାଣିପାରିବା ଯେ, ଯେତେବେଳେ ଲେଖନ - କର୍ମ ଗଣତାନ୍ତ୍ରିକ ହେବାକୁ ଆରମ୍ଭ କରିଛି ଅର୍ଥାତ୍ ଲେଖନ - କର୍ମ ସମାଜର ଅଧିକ ବ୍ୟକ୍ତିଙ୍କ ଅଭ୍ୟାସର ପରିସରକୁ ଆସିବାକୁ ଆରମ୍ଭ କରିଛି, ସେତେବେଳେ ଆମର ସୃଜନ ସାହିତ୍ୟରେ ବୀରଗାଥା ଆଉ ଧାର୍ମିକ ଗତିବିଧି ତଥା ପୁରାଣର ପ୍ରାଧାନ୍ୟ ଦେଖିବାକୁ ମିଳିଛି । ଏହିଭଳି ହେବାର କାରଣ ମଣିଷର ନିର୍ଭରଶୀଳତା । ଦେବତା ଆଉ ରାଜା ଉପରେ ରହିଥିବା ମଣିଷର ଆସ୍ଥା ଆଉ ବିଶ୍ୱାସ ତାହାର ନିଜ ଭଳି ମଣିଷ ଉପରକୁ ଆସିବା ପାଇଁ ଆଉ କିଛି ବର୍ଷ ଲାଗିଛି । ଲେଖନ - କର୍ମ ଯେତେବେଳେ ଛାପାଖାନା ଆଉ ମୁଦ୍ରଣଯନ୍ତ୍ରର ପରିସରକୁ ଆସିଛି, ସେତେବେଳେ ମଣିଷର ନିଜ ଉପରର ଆତ୍ମବିଶ୍ୱାସ ଅଧିକ ଦୃଢ ହୋଇଥିବା ଦେଖାଯାଇଛି ।

ଅତି ସଂକ୍ଷେପରେ କହିଲେ ମଣିଷର ଲେଖନ - କର୍ମର ସ୍ୱରୂପର ଫର୍ମୁଲାଟି ଏହିଭଳି:

ସାମୂହିକତା - ବ୍ୟକ୍ତିପରକତା - ସାମୂହିକତା ।

ଗୋଟିଏ ଉଦ୍ଧୃତି ସହ ଏଇ ଲେଖାର ସମାପ୍ତି । ଅକସ୍ମାତ ସମାପ୍ତି କହିଲେ ଠିକ୍ ହେବ ।

ମଣିଷର ଲେଖନ - କର୍ମର ସର୍ବୋତ୍ତମ ରୂପ ହେଉଛି ବହି । ଇଂରେଜୀରେ ବହି ହେଉଛି ବୁକ୍ ଆଉ ପ୍ରାଚୀନ ଇଂରେଜୀରେ ବୁକ୍ ଶବ୍ଦର ଅର୍ଥ ହେଉଛି, ନଥି ଅଥବା ନିର୍ଦ୍ଦେଶନାମା । ସେଇଥିପାଇଁ ପ୍ରଖ୍ୟାତ ଲେଖକ ହର୍ହେ ଲୁଇସ୍ ବର୍ହେସ କହିଛନ୍ତି:

ବହି ଭିତରକୁ ଆସିବାପରେ ସବୁବେଳେ ମୁଁ ଜୀବନ୍ତ ।

Report an Error