ନାଟ୍ୟ କର୍ମ ଓ ନାଟ୍ୟ କର୍ମଶାଳା

ସେ ନାଟକରେ ନାଟ୍ୟକାର-ଅଭିନେତା-ନିର୍ଦ୍ଦେଶକର ସଂଗମ ଦେଖିବାକୁ ମିଳେନି । ଯାହା ଆଂଚଳିକ ନାଟକରେ ଦେଖିବାକୁ ମିଳିଥାଏ । ଅନେକ ନିର୍ଦ୍ଦେଶକ ନିଜ ନିଜର ଗୋଟିଏ ଯୋଡ଼ିଏ ନାଟକ ବହୁବାର ପରିବେଷଣ କରିଥାନ୍ତି । ଯାହା ଜାତୀୟ ସ୍ତରରେ ସଫଳତା ପାଇଥାଏ ।


ବିଗତ କିଛି ବର୍ଷ ଧରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଭୁବନେଶ୍ୱରରେ ହୋଇଆସୁଛି ଜାତୀୟ ନାଟ୍ୟ ଉତ୍ସବ । ନ ଦେଖିଲା ଓଉ ଛ’ଫଡ଼ା ପରି ଆମେ ସମସ୍ତେ ଅପେକ୍ଷା କରିଥାଉ ଜାତୀୟ ନାଟ୍ୟ ଉତ୍ସବକୁ । ନିଜ ନାଟକ ଦେଖି ଦେଖି ଆଖି ତରସୁଥାଏ କିଛି ନୂଆ ଦେଖିବାର । କିଛି ନୂଆ ଜାଣିବାର । ଅଲଗା ସବୁବେଳେ ଭଲ ଲାଗେ ।

ନିଜ ନାଟକରେ ଏହି ଅଲଗାପଣ ବାରି ହୁଏନାହିଁ ।

ପରିବେଷଣ ଦୃଷ୍ଟିରୁ ତଥା ପ୍ରଫେସନାଲ ଆଟିଚ୍ୟୁଡ୍ ଦୃଷ୍ଟିରୁ ସେମାନେ ଯେ ଆମଠାରୁ ବହୁ ଆଗରେ ଏକଥା ସ୍ୱୀକାର କରିବାରେ ଦ୍ୱିଧା ନାହିଁ । ତେବେ ଆମେ ଓ ଆମ ନାଟକ ଯେ ସେ ଜାତୀୟ ସ୍ତରର ନୁହେଁ; ସେ କଥା ନୁହେଁ । ପରିବେଷଣ କ୍ଷେତ୍ରରେ ଆମର ଉତ୍ତରଦାୟିତ୍ୱବୋଧ ନାହିଁ । ଆମେ ନିଜକୁ, ନିଜ ଅଭିନୟକୁ, ନିଜ ଚରିତ୍ରକୁ ନିଜ କାମକୁ କଷଟି ପଥରରେ ଘଷୁନା, ମାଜୁନା । ଅତଏବ୍ କିଛି କରିବା ଦାୟରେ କରିଥାଉ । ଫଳରେ ନିଜ ପ୍ରଚେଷ୍ଟା ସେହି ସ୍ତରକୁ ପହଞ୍ଚି ପାରେନା ।

ନିକଟରେ ଦେଖିଥିବା ନାଟକ ‘ଅଗରବତୀ’ ମଧ୍ୟ ଉତ୍ତରପ୍ରଦେଶର ସ୍ଥାନୀୟ ଘଟଣା ଥିଲା । ଦସ୍ୟୁରାଣୀ ଫୁଲନ ଦେବୀ ଦ୍ୱାରା ହତ୍ୟା ହୋଇଥିବା ଠାକୁରଙ୍କ ବିଧବାମାନେ ଆମର ସ୍ଥାନୀୟ ନଥିଲେ । ଥିଲେ ଉତ୍ତରପ୍ରଦେଶର ଅଧିବାସୀ । ସେଠାକାର ବୋଲି ଥିଲା ନାଟକରେ, ଭାଷାରେ । କିନ୍ତୁ ପରିବେଷଣରେ ସେମାନେ ସ୍ଥାନୀୟତାକୁ ଅତିକ୍ରମ କରି ଜାତୀୟତାରେ ପରିବର୍ତ୍ତିତ ହୋଇପାରିଥିଲେ ।

ରଂଗମଂଚ ସର୍ବଦା ଏକ ସ୍ଥାନୀୟ ପରିଘଟଣା ଉପରେ ପର୍ଯ୍ୟବେସିତ ହୋଇଥାଏ । ଅନିବାର୍ଯ୍ୟ ଭାବେ ନାଟକରେ ଏକ ସ୍ଥାନୀୟ ଚରିତ୍ର ଥାଏ । ଏକ ବିଶେଷ ଭୌଗୋଳିକ ତଥା ପରିସ୍ଥିତି ଅନୁସାରେ ସଂଗୀତ, ନୃତ୍ୟ, ବାକ୍ୟ, ସଂଳାପ, ଲୋକାଚାର, ଧର୍ମ, ରୀତି ରିବାଜ, ଖାନପାନ, ବେଷଭୂଷା ଆଦି ଥାଏ । କ୍ଷେତ୍ରବିଶେଷର ସାଂସ୍କୃତିକ ବିବିଧତା ମଧ୍ୟ ନାଟକରେ ଦେଖିବାକୁ ମିଳିଥାଏ ।

ହିନ୍ଦୀ ଏକ ଅଖିଳ ଭାଷା । ବହୁ ରାଜ୍ୟର ଲୋକେ ପରସ୍ପର ମଧ୍ୟରେ ଭାବର ଆଦାନପ୍ରଦାନ ପାଇଁ ହିନ୍ଦୀ ଭାଷାର ଉପଯୋଗ କରିଥାନ୍ତି । ଫଳରେ ହିନ୍ଦୀ ଭାଷାରେ ହେଉଥିବା ନାଟକରେ ନିର୍ଦ୍ଦଷ୍ଟତା ନଥାଏ ।

ମାତ୍ର ବଂଗଳା, ଓଡ଼ିଆ, ମରାଠୀ, ଗୁଜରାଟୀ, ଅବଧି ଆଦି ନାଟକରେ ସ୍ଥାନୀୟତାର ପ୍ରଭାବ ଅଧିକ ଥାଏ ।

ଓଡ଼ିଆ, ବଂଗଳା ଓ ମରାଠୀ ଆଦି ରଂଗମଂଚ ତୁଳନାରେ ହିନ୍ଦୀ ରଂଗମଂଚର ପରିଦୃଶ୍ୟ ସମ୍ପୂର୍ଣ୍ଣ ଅଲଗା । ଓଡ଼ିଆ, ବଂଗଳା ଓ ମରାଠୀ ପରି ହିନ୍ଦୀ ଏକ କ୍ଷେତ୍ରୀୟ ଭାଷା ନୁହେଁ । ହିନ୍ଦୀ ସାରା ଭାରତବର୍ଷରେ କୁହାଯାଉଥିବା ଓ ବୁଝାଯାଉଥିବା ଭାଷା । ଫଳରେ ହିନ୍ଦୀ ନାଟକରେ ସ୍ଥାନୀୟତାର ପ୍ରଭାବ କମ୍ ଯାହା ଆଂଚଳିକ ନାଟକରେ ଅଧିକ ଦେଖିବାକୁ ମିଳିଥାଏ ।

ବଂଗଳା ରଂଗମଂଚ ପରି ଓଡ଼ିଆ ରଂଗମଂଚ ନିରନ୍ତରତାରେ ଭରପୁର । ଆମ ଏଠି ନିଜ ଭାଷା, ଆଂଚଳିକତା, ନିଜ କଥା, ନିଜ ଚଳଣୀ, ନିଜ ଆଚାର ବ୍ୟବହାରକୁ ନେଇ ଅନେକ ପରୀକ୍ଷାନୀରିକ୍ଷା ହୁଏ । ଶାସ୍ତ୍ରୀୟ ମାନ୍ୟତାପ୍ରାପ୍ତ ଆମ ଭାଷା ଅନ୍ୟ ଭାଷାଠୁ ବଳିଷ୍ଠ ନିଶ୍ଚୟ । ଅଭାବ କେବଳ ନିରନ୍ତରତା । ନିଷ୍ଠା ଓ ସମର୍ପଣ । ଉପଯୁକ୍ତ ପରିବେଶର ଅଭାବ । ଉପଯୁକ୍ତ ପଠନର ଅଭାବ । ନାଟକକୁ ନେଇ ଆଲୋଚନା, ପର୍ଯ୍ୟାଲୋଚନା, ଗବେଷଣାର ଅଭାବ ।

ଭଲ ନାଟକ ଲେଖାର ଅଭାବ । ପରିବେଷଣର ଅଭାବ ।

ହିନ୍ଦୀ ରଂଗମଂଚରେ ବାରମ୍ବାର ଟ୍ରେଣ୍ଡ୍ ବଦଳିଥାଏ । ଜାତୀୟ ସ୍ତରରେ ସାଧନର ଉପଲବ୍‌ଧତା ହେଉ ଅବା ବିଭିନ୍ନ ଅନ୍ତର୍ଜାତୀୟ ସ୍ତରର ନାଟକର ପ୍ରଭାବ ହେଉ ଅଥବା ପ୍ରାନ୍ତୀୟ ପ୍ରଭାବରୁ ବାରମ୍ବାର ଟ୍ରେଣ୍ଡ ବଦଳିଥାଏ । ହିନ୍ଦୀରେ ମୁଖ୍ୟଧାରାର ରଂଗମଂଚ ନାହିଁ । ଓଡ଼ିଆ ତଥା ବଂଗଳାରେ ମୁଖ୍ୟଧାରାର ରଂଗମଂଚ ରହିଛି । ଆମର କଳା ପ୍ରାୟୋଗିକ । ମୁଖ୍ୟଧାରାର କଳାକୁ ସଂରକ୍ଷଣ ଲୋଡ଼ା ନାହିଁ ମାତ୍ର ପ୍ରାୟୋଗିକ କଳାକୁ ସଂରକ୍ଷଣର ଆବଶ୍ୟକତା ରହିଛି । ପ୍ରାୟୋଗିକ କଳାକୁ ସର୍ବଦା କମ୍ ଦର୍ଶକ ମିଳିଥାନ୍ତି । ସେଥିଲାଗି ପ୍ରାୟୋଗିକ କଳା ସର୍ବଦା ସଂରକ୍ଷକ ଲୋଡିଥାଏ ।

ଏହା ସତ୍ତ୍ୱେ ଏକଥା ଅନେକ ସ୍ୱୀକାର କରିଥାନ୍ତି କି ହିନ୍ଦୀ ରଂଗମଂଚ ହେଉଛି ରାଷ୍ଟ୍ରୀୟ ରଂଗମଂଚ । ଯାହା ସର୍ବଦା ଠିକ୍ ନୁହେଁ । ଭୁବନେଶ୍ୱରରେ ପରିବେଷଣ ହେଉଥିବା ନାଟକ ଅଥବା ଏଠିକାର ନାଟ୍ୟଦଳ ଯେ କେବଳ ଓଡ଼ିଶା ନାଟକର ପରିଚୟ ତା’ ନୁହେଁ । ସମ୍ବଲପୁର, ରାଉରକେଲା, ବାଲେଶ୍ୱର, ପାରାଦୀପ, ଢେଂକାନାଳ ଆଦି ସହରରେ ଭୁବନେଶ୍ୱର ଅତିରିକ୍ତ ଭଲ ନାଟକ ପରିବେଷଣ ହୁଏ । ସେ ନାଟକ କ’ଣ ଓଡ଼ିଆ ନାଟକ ନୁହେଁ । ଠିକ୍ ସେପରି ବଂଗଳା, ଓଡ଼ିଆ, ଭୋଜପୁରୀ, ମରାଠୀ, ଗୁଜରାଟୀ, ତାମିଲ, କନ୍ନଡ ଆଦି ନାଟକ ରାଷ୍ଟ୍ରୀୟ ନାଟକର ମର୍ଯ୍ୟାଦା ପାଇବନାହିଁ କିପରି ?

ହିନ୍ଦୀ ଆମର ରାଜଭାଷା ହୋଇପାରେ, କିନ୍ତୁ ହିନ୍ଦୀ ରଂଗମଂଚ ରାଷ୍ଟ୍ରୀୟ ରଂଗମଂଚ ନୁହେଁ । ଅନେକ ଆଂଚଳିକ ରଂଗମଂଚକୁ ନେଇ ହିଁ ରାଷ୍ଟ୍ରୀୟ ରଂଗମଂଚ ସମୃଦ୍ଧ । ହିନ୍ଦୀ କ୍ଷେତ୍ରର ରଂଗମଂଚରେ ପରିବେଷିତ ନାଟକ ମଧ୍ୟରୁ ମାତ୍ର ୪୦ରୁ ୫୦ ପ୍ରତିଶତ ନାଟକ ହିନ୍ଦୀ ଭାଷାର । ବାକି ଅନ୍ୟ ଭାଷାରୁ ଅନୁଦିତ ନାଟକ ପରିବେଷିତ ହୋଇଥାଏ ।

ମାତ୍ର ଆମ ଓଡ଼ିଆ ଓ ବଂଗଳା ରଂଗମଂଚରେ ଅଧିକରୁ ଅଧିକ ନାଟକ ନିଜ ଭାଷାର ପରିବେଷିତ ହୋଇଥାଏ । ଅଳ୍ପ ପ୍ରତିଶତ ଅନୁଦିତ ଥାଏ ।

ସ୍ଥାନୀୟ ଭାଷାରେ ଓ ସ୍ଥାନୀୟ କଳାକାରମାନଙ୍କ ଆଂଚଳିକ ନାଟକରେ ଥାନ୍ତି । ହିନ୍ଦୀ ନାଟକରେ ଯାହାର ଅଭାବ ଥାଏ । ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଅଭିନେତାମାନ ପ୍ରାୟତଃ ହିନ୍ଦୀ ନାଟକରେ ଅଭିନୟ କରିଥାନ୍ତି ।

ରଂଗମଂଚ ଅଭିନେତାର ମାଧ୍ୟମ । ମାତ୍ର ହିନ୍ଦୀ ରଂଗମଂଚରେ ଅଭିନେତା ସ୍ଥାୟୀ ନଥାନ୍ତି । ମାତ୍ର ଆମ ଆଂଚଳିକ ନାଟକରେ ଅଭିନେତା ସ୍ଥାୟୀ ଥାନ୍ତି । ଉତ୍ତରପୁରୁଷରେ କେବଳ ସେହି ଅଭିନେତାଂକୁ ସୁଯୋଗ ଦିଆଯାଏ; ଯେଉଁମାନେ ଦଳ ସହ ସ୍ଥାୟୀ ଭାବେ ଯୋଡ଼ି ହୋଇଥାନ୍ତି । ଅନ୍ୟ କେଉଁ ଦଳରେ ଅଭିନୟ ନକରିବାର ପ୍ରତିଶ୍ରୁତି ଦେଇଥାନ୍ତି । ହିନ୍ଦୀ କ୍ଷେତ୍ରରେ ସ୍ଥାୟୀ ଥାନ୍ତି ତ କେବଳ ନିର୍ଦ୍ଦେଶକ । ହିନ୍ଦୀ ନାଟକରେ ଦର୍ଶକ ନିଷ୍କ୍ରିୟ ହୋଇଥାନ୍ତି । ଦର୍ଶକଙ୍କ ଅନ୍ତରଂଗତା ନଥାଏ । ଆମ ନାଟକରେ ଦର୍ଶକୀୟ ଅନ୍ତରଂଗତା ଥାଏ । ହିନ୍ଦୀ ନାଟକ ପରିବେଷଣ କରୁଥିବା ନାଟ୍ୟଦଳ କେବଳ ନାଟକ ପରିବେଷଣ ଉପରେ ଗୁରୁତ୍ୱ ଦେଇଥାନ୍ତି । ଯାହା ସେମାନଙ୍କ ନାଟକ ପରିବେଷଣକୁ ଉଚ୍ଚସ୍ତରକୁ ନେଇଥାଏ ।

ସେ ନାଟକରେ ନାଟ୍ୟକାର-ଅଭିନେତା-ନିର୍ଦ୍ଦେଶକର ସଂଗମ ଦେଖିବାକୁ ମିଳେନି । ଯାହା ଆଂଚଳିକ ନାଟକରେ ଦେଖିବାକୁ ମିଳିଥାଏ । ଅନେକ ନିର୍ଦ୍ଦେଶକ ନିଜ ନିଜର ଗୋଟିଏ ଯୋଡ଼ିଏ ନାଟକ ବହୁବାର ପରିବେଷଣ କରିଥାନ୍ତି । ଯାହା ଜାତୀୟ ସ୍ତରରେ ସଫଳତା ପାଇଥାଏ । ଏପରି ଘଟିଥାଏ କି ଜଣେ ନାଟ୍ୟ ନିର୍ଦ୍ଦେଶକ ନିଜ ନାଟ୍ୟ ଜୀବନରେ ମାତ୍ର ୧୦ରୁ ୧୫ଟି ନାଟକ ପରିବେଷଣ କରିଥାନ୍ତି । ଯାହା ୧୦ରୁ ୧୫ ବର୍ଷ ପର୍ଯ୍ୟନ୍ତ ଶତାଧିକ ସୋ’ ପରିବେଷଣ ହୋଇଥାଏ ।

ମାତ୍ର ଆଂଚଳିକ ସ୍ତରରେ ଜଣେ ଜଣେ ନିର୍ଦ୍ଦେଶକ ଶତାଧିକ ନାଟକ ନିର୍ଦ୍ଦେଶନା ଦେବା ସହ ତତୋଧିକ ନାଟକରେ ଅଭିନୟ କରିବାର ସୁଯୋଗ ସୃଷ୍ଟି କରିଥାନ୍ତି ।

ଆମ ନାଟକକୁ ଆହୁରି ସଜାଡ଼ିବାକୁ ପଡ଼ିବ । ଆମ ନାଟ୍ୟଦଳ, ନାଟ୍ୟ ପ୍ରଶିକ୍ଷଣ କେନ୍ଦ୍ର, ସେ ରାଜ୍ୟର ସଂଗୀତ ନାଟକ ବିଦ୍ୟାଳୟ ହେଉ ଅଥବା ଏନଏସଡି । ସବୁଠି ନାଟକ ଶିକ୍ଷା କମ୍ ଚଳଚ୍ଚିତ୍ର ଓ ଧାରାବାହିକରେ ପ୍ରବେଶ ଲକ୍ଷ୍ୟ ଅଧିକ । ଏହି ସମସ୍ତ ସଂସ୍ଥା ସତେ ଯେପରି ଟିଭି ଓ ସିନେମା ପାଇଁ ମାନବସମ୍ବଳ ଯୋଗାଡ଼ କରିବାରେ ଅଧିକ ବ୍ୟସ୍ତ ।

ଫି ବର୍ଷ ଉତ୍ତରପୁରଷ ତରଫରୁ ଆମେ ଏକ ନାଟ୍ୟ କର୍ମଶାଳାର ଆୟୋଜନ କରିଥାଉ । ଦୀର୍ଘ ଦଶବର୍ଷରୁ ଊର୍ଦ୍ଧ୍ୱ କାଳ ମୁଁ ଏହି ସଂସ୍ଥା ସହ ଜଡ଼ିତ । ଆଜକୁ ଦଶବର୍ଷ ତଳେ ପ୍ରଶିକ୍ଷୁ ଭାବେ ଯୋଗଦାନ କରିଥିବା ଏହି ଦଳରେ ଅଧୁନା ସମ୍ପାଦକ ।

ତେବେ କଥା ହେଉଛି ଏଇ ଦଶବର୍ଷର ଅବଧିରେ ଦେଖିଛି କି କର୍ମଶାଳାରେ ଯୋଗଦେଉଥିବା ପିଲାମାନଙ୍କ ନାଟକ ମୁଖ୍ୟ ନୁହେଁ; ନାଟକ ମାଧ୍ୟମରେ ଚଳଚ୍ଚିତ୍ର କିମ୍ବା ଧାରାବାହିକରେ ପ୍ରବେଶ ଏକମାତ୍ର ଲକ୍ଷ୍ୟ । ନାଟକ ଏକ ମାଧ୍ୟମ, ଶିଡ଼ି ସଦୃଶ । ନାଟକ ମାଧ୍ୟମ ନହେଉ ।

Report an Error