ନାଟକ କ’ଣ ? ନାଟକର ସଂରଚନା କ’ଣ ?

ନାଟ୍ୟକାର ନାଟକ ରଚନା କରିଥାଏ । ନାଟକ ରଂଗମଞ୍ଚରେ ମଞ୍ଚାୟନ ହେଲେ ହିଁ ନାଟକର ସଫଳତା ଜଣାପଡ଼େ । ନାଟ୍ୟକାର ମଧ୍ୟ ରଂଗମଞ୍ଚରେ ତା ନାଟକ ଅଭିନୀତ ହେବାର ଅପେକ୍ଷା ରଖିଥାଏ ।


ନାଟକ ଅତ୍ୟନ୍ତ ପ୍ରାଚୀନ ବିଦ୍ୟା । ଆମେ ହେତୁ ପାଇଲା ଦିନଠୁ ଗାଁରେ ନାଟକ ଦେଖି ଆସିଛେ । ସେ ସମୟରେ ନାଟକ ଦେଖିବାର ଏକ ଅଲଗା ସୁଆଦ ଥିଲା । ଅଭିନୀତ ନାଟକ ପ୍ରତି ଦର୍ଶକଙ୍କ ଅପେକ୍ଷା ଓ ନାଟକରେ ମଜ୍ଜି ଯିବା ଏକ ସାଧାରଣ ଘଟଣା ଥିଲା । ଚରିତ୍ର ଓ ଘଟଣାବଳୀ ସହ ଓତଃପ୍ରାେତ ହୋଇ ଯାଉଥିଲେ ଦର୍ଶକ ।

ପାଲା, ଦାସକାଠିଆ ଆଦି ଲୋକକଳାର ରସ ଆସ୍ୱାଦନ କରିଛେ । ପୌରାଣିକ ଚରିତ୍ରମାନଙ୍କର ବର୍ଣ୍ଣନାରେ ରାତି ପାହିଯାଏ । ନାଟକକୁ ଦୃଶ୍ୟ କାବ୍ୟ କୁହାଯାଇଥାଏ । ଯାହାକୁ ଦେଖିକି ଆନନ୍ଦ ନିଆଯାଇଥାଏ ।

ନାଟକରେ କ’ଣ ଆବଶ୍ୟକ ?

ଦୃଶ୍ୟ କାବ୍ୟ ହେବା ଯୋଗୁଁ ନାଟକର ବାସ୍ତବିକ ସଫଳତା ମଞ୍ଚରେ ମଞ୍ଚାୟନ ଉପରେ ନିର୍ଭର କରିଥାଏ । ଯେକୌଣସି ନାଟକ ଦେଖି ଆମକୁ ଲାଗେ କି...

୧) ଏହି ନାଟକରେ କିଛି ଘଟଣାର ଚିତ୍ରଣ କରାଯାଇଛି

୨) ଘଟୁଥିବା ଘଟଣା କୌଣସି ବ୍ୟକ୍ତିର ଜୀବନରେ ଘଟିଛି

୩) ଏହି ଘଟଣା କୌଣସି ଏକ ନିର୍ଦ୍ଦିଷ୍ଟ କାଳଖଣ୍ଡ/ସମୟରେ ଘଟିଛି

୪) ଯେଉଁ ବ୍ୟକ୍ତିମାନଙ୍କ କଥା ଏହି ନାଟକରେ ରହିିଛି; ସେହି ବ୍ୟକ୍ତିମାନେ ନିଜ ସହ କିମ୍ବା ନିଜ ଭିତରେ ବାର୍ତ୍ତାଳାପ କରୁଛନ୍ତି

୫) ନାଟକ କୌଣସି ଏକ ସ୍ଥାନ କିମ୍ବା କୌଣସି ଏକ ଦେଶର କଥା ନିଶ୍ଚିତ

୬) ନାଟକ ଲେଖିବାର କୌଣସି ନା କୌଣସି କାରଣ ରହିଛି

୭) ଲେଖାଯାଇଥିବା ନାଟକର ମଂଚାୟନ ହେଉଛି ଯାହାକୁ ଆମେ ଅଭିନୟ କହିଥାନ୍ତି

ଯେ କୌଣସି ନାଟକରେ ନାଟକର କିଛି ତତ୍ତ୍ୱ ରହିଥିବା ଆବଶ୍ୟକ

ନାଟକର ତତ୍ତ୍ୱ କିଛି ଏପରି

୧) କଥାବସ୍ତୁ
୨) ପାତ୍ର ଅର୍ଥାତ୍ ଚରିତ୍ର ଚିତ୍ରଣ
୩) ଦେଶକାଳ ଅବା ପରିବେଶ
୪) ସମ୍ବାଦ ତଥା ଭାଷା
୫) ଶୈଳୀ
୬) ଅଭିନେତା
୭) ଉଦ୍ଦେଶ୍ୟ

ନାଟକର ଉପରୋକ୍ତ ତତ୍ତ୍ୱ ଆଧାରରେ ଯଦିଓ ଆମେ ନାଟ୍ୟବିଦ୍ୟାର ବିବେଚନା କରିଥାଉ, କିନ୍ତୁ ନାଟକର ସଂଳାପ, ଭାଷା ଓ ଶୈଳୀରୁ ହିଁ ଆମେ ନାଟକକୁ ଚିହ୍ନିଥାଉ, ଯାହାକୁ ସଂରଚନା ଅର୍ଥାତ୍ ଗଢ଼ଣ ଚାତୁରୀ କୁହାଯାଇଥାଏ ।

କଥାବସ୍ତୁ:

କଥାବସ୍ତୁର ଅର୍ଥ ଏୟା ଯେ ନାଟକରେ ପ୍ରସ୍ତୁତ କରାଯାଇଥିବା ଘଟଣାକ୍ରମର ବିସ୍ତୃତି । ଘଟଣାକ୍ରମର ସୀମାରେଖାରେ ସ୍ଥୂଳ ଘଟଣା ସହ ସମସ୍ତ ପାତ୍ରଙ୍କର ଆଚାର ବ୍ୟବହାରର ସମାବେଶ । କିଛି ନାଟକ ଘଟଣାବହୁଳ ହୋଇଥିବାବେଳେ କିଛି ନାଟକ ସ୍ୱଳ୍ପ ଘଟଣାରେ ସମ୍ପନ୍ନ ହୋଇଥାଏ । ଅନେକ ନାଟକରେ ସ୍ଥୂଳ ଓ ସୂକ୍ଷ୍ମ ଘଟଣାକ୍ରମମାନ ଥାନ୍ତି ।

ନାଟକରେ ଯେଉଁ ଘଟଣାକ୍ରମ ଦେଖା ହୋଇଥାଏ, ତାକୁ ଆମେ ଦୃଶ୍ୟ କହିବାବେଳେ ଯେଉଁ କଥାଗୁଡ଼ିକର ସୂଚନା ମାତ୍ର ଦିଆଯାଇଥାଏ ତାକୁ ଆମେ ସୂଚ୍ୟ କହିଥାନ୍ତି ।

ନାଟକରେ କଥାବସ୍ତୁ ଠୋସ ତଥା ସୁସମ୍ବନ୍ଧ ହେବା ଜରୁରୀ । ନାଟକର ଘଟଣା, ପ୍ରସଙ୍ଗ, ସ୍ଥିତି ତଥା ପରିସ୍ଥିତି ସର୍ବଦା ସୂକ୍ଷ୍ମ ଭାବେ ପରସ୍ପର ସହ ଯୋଡ଼ି ହୋଇଥିଲେ ନାଟକ ଉପଭୋଗ୍ୟ ହୋଇଥାଏ ।

ନାଟକର କଥାବସ୍ତୁର ବିକାଶ ମଧ୍ୟ ସଫଳ ନାଟକ ପାଇଁ ମୂଳଦୁଆ କହିଲେ ଅତ୍ୟୁକ୍ତି ହେବନାହିଁ ।

ନାଟକର କଥାବସ୍ତୁର ବିକାଶ ଏପରି ହୋଇପାରେ; ଯଥା ପ୍ରାରମ୍ଭ, ନାଟକୀୟ ସ୍ଥଳ, ଦ୍ୱନ୍ଦ୍ୱ, ଚରମସୀମା ତଥା ପରିଣତି ।

ପ୍ରାରମ୍ଭ:

ନାଟ୍ୟକାରଙ୍କୁ ନାଟକର ଆରମ୍ଭ ଉପରେ ବିଶେଷ ଧ୍ୟାନ ଦେବା ଜରୁରୀ । ଏହି ଭାଗରେ ହିଁ ନାଟକର କଥାବସ୍ତୁ ଜଣାପଡ଼ିଥାଏ । ଯେଉଁ ନାଟକର ପ୍ରାରମ୍ଭ କୌତୂହଳ ତଥା ଜିଜ୍ଞାସାଯୁକ୍ତ ହୋଇଥାଏ ସେହି ନାଟକକୁ ଦର୍ଶକ ଆଦରିଥାନ୍ତି । ଏହିପରି ନାଟକକୁ ପଢ଼ିବା ତଥା ଦେଖିବାକୁ ପାଠକ ଓ ଦର୍ଶକ ଆଗ୍ରହ ପ୍ରକାଶ କରିଥାନ୍ତି ।

ନାଟକୀୟ ପରିବେଶ/ସ୍ଥଳ:

କଥାବସ୍ତୁର ଏପରି ସମୟ; ଯେଉଁଠି ନାଟକ ଆଉ ଏକ ମୋଡ଼ ନେଇଥାଏ । ଏ ମୋଡ଼ର ପରିକଳ୍ପନା ମଧ୍ୟ ଦର୍ଶକ କରିନଥାଏ । ଯାହାକୁ ଦର୍ଶକ ଦେଖିବା ମାତ୍ରେ କୌତୂହଳୀ ହୋଇଥାଏ । ଏହି ସମୟକୁ ନାଟକୀୟ ସ୍ଥଳ କୁହାଯାଇଥାଏ । ଦର୍ଶକ ନାଟକର ପାତ୍ର ସହିତ ଜଡ଼ିତ ହୋଇଯାଏ ।

ଦ୍ୱନ୍ଦ୍ୱ:

ନାଟକରେ ଦ୍ୱନ୍ଦ୍ୱର ଏକ ବିଶେଷ ମହତ୍ତ୍ୱ ରହିଥାଏ । ଦ୍ୱନ୍ଦ୍ୱ ବାହ୍ୟ କିମ୍ବା ଆନ୍ତରିକ ହୋଇପାରେ । ଆନ୍ତରିକ ଦ୍ୱନ୍ଦ୍ୱରେ ପାତ୍ର ନିଜ ସହ ସଂଘର୍ଷ କରିଥାଏ । ଏ ସମୟରେ ଚରିତ୍ର ତଥା ଅଭିନୟ ଓ ଅଭିନେତା ଦର୍ଶକ ମନରେ ରେଖାପାତ କରିଥାନ୍ତି । ସେ ନାଟକର ଚରିତ୍ରର ଦ୍ୱନ୍ଦ୍ୱ ସହିତ ନିଜ ଦ୍ୱନ୍ଦ୍ୱକୁ ସାମିଲ କରି ନାଟକକୁ ସଫଳ କରିଥାନ୍ତି । ବହୁ ସମୟ ପର୍ଯ୍ୟନ୍ତ ସେହି ନାଟକ ଦର୍ଶକର ମାନସପଟଳରେ ରହିଥାଏ । ଯେଉଁ ନାଟକରେ ଦ୍ୱନ୍ଦ୍ୱକୁ ଯଥାର୍ଥ ରୂପେ ପ୍ରକାଶ କରାଯାଇଥାଏ । ନାଟକରେ ଦେଖାଯାଉଥିବା ଦ୍ୱନ୍ଦ୍ୱକୁ ଯଦି ଦର୍ଶକ ନିଜ ସହ ନେଇପାରିଲା ତେବେ ଯାଇ ସେହି ନାଟକ ଦୀର୍ଘକାଳ ଧରି ଦର୍ଶକ ହୃଦୟରେ ସ୍ଥାନିତ ହୋଇପାରେ ।

ଚରମସୀମା:

ନାଟକର ଶେଷ ପରିଣତି । ଯାହା ଦର୍ଶକ କେବେ ଚିନ୍ତା କରିନଥିବ, ସେପରି ଯଦି ପରିଣତି ହୁଏ ତେବେ ଏହି ଚରମସୀମା ନାଟକକୁ ସଫଳତାର ସୀମା ଡେଇଁବାରେ ସାହାଯ୍ୟ କରିଥାଏ ।

ପରିଣତି:

ସୁଖାନ୍ତ କିମ୍ବା ଦୁଃଖାନ୍ତ । ଆଜିକାଲି ଏହାର ଧାରା ମଧ୍ୟ ବଦଳିଲାଣି । ନାଟ୍ୟକାର ଆଉ ପରିଣତି କହିବାକୁ ପସନ୍ଦ କରୁନାହାନ୍ତି । କିଛି ଦର୍ଶକଙ୍କ ଉପରେ ଛାଡ଼ି ଦେବାକୁ ମଧ୍ୟ ପସନ୍ଦ କରୁଛନ୍ତି । ଅବା କିଛି ସାଙ୍କେତିକ ମାଧ୍ୟମରେ ପରିଣତିକୁ ଦୃଶ୍ୟାୟନ କରୁଛନ୍ତି ଯାହା ଦର୍ଶକକୁ ଚିନ୍ତା କରିବାକୁ ସୁଯୋଗ ଦେଉଛି ଓ ସେ ନାଟକ ସହ ଯୋଡ଼ି ହେଉଛି ।

ଏହା ସହ କିଛି ନାଟକ ନାୟକ ପ୍ରଧାନ ହେବା ସହ କିଛି ନାଟକ ନାୟିକା ପ୍ରଧାନ ହୋଇଥାଏ । କିଛି ନାଟକ ମଧ୍ୟ ଚରିତ୍ର ପ୍ରଧାନ ହୋଇଥାଏ । କିଛି ନାଟକରେ ଜଣେ ଦୁଇଜଣ ମୁଖ୍ୟ ଚରିତ୍ର ସହ କିଛି ସହଯୋଗୀ ଚରିତ୍ର ଥାନ୍ତି । ନାଟକ ମୁଖ୍ୟ ଚରିତ୍ରର ଚାରିପାଖେ ଘୂରୁଥାଏ । ବାକି ଚରିତ୍ରମାନେ ନିଜ ନିଜ ଚରିତ୍ର ସହ ମୁଖ୍ୟ ଚରିତ୍ରର ଚିତ୍ରାୟନରେ ଉପଯୋଗୀ ହୋଇଥାନ୍ତି । ପ୍ରକୃତରେ ଜଣେ ନିର୍ଦ୍ଦେଶକ ନିଜର ବଳିଷ୍ଠ ନିର୍ଦ୍ଦେଶନାରେ ଗୌଣ ଚରିତ୍ରମାନଙ୍କୁ ମଧ୍ୟ ଅଭିନୟର ସ୍ୱଳ୍ପ ସୁଯୋଗରେ ଭଲ କାମ ବାହାର କରିପାରିଥାନ୍ତି ।

ଶୈଳୀ:

ନାଟକର ଶୈଳୀ ମଧ୍ୟ ନାଟକର ସଫଳତା ପାଇଁ ତତୋଧିକ ଗୁରୁତ୍ୱପୂର୍ଣ୍ଣ । ଆଜିକାଲି ସମକାଳୀନ ନାଟକରେ ଦେଶୀୟ ଶୈଳୀ ସହ ପାଶ୍ଚାତ୍ୟ ଶୈଳୀର ମିଶ୍ରଣ କରାଯାଇ ଅଭୁତପୂର୍ବ ଏକ ଫ୍ୟୁଜନ୍ ସୃଷ୍ଟି କରାଯାଉଛି । ଲୋକନାଟ୍ୟ, ସଂଗୀତ, ନୃତ୍ୟ, ଲୋକକଳା ଆଦି ପ୍ରୟୋଗରେ ନାଟକର ଶୈଳୀ ସ୍ଥିର ହୋଇଥାଏ । କିଛି କିଛି ନିର୍ଦ୍ଦେଶକ ନିଜସ୍ୱ ଶୈଳୀ ମଧ୍ୟ ତିଆରିଥାନ୍ତି, ଯେଉଁଥିପାଇଁ ସେମାନେ ଅନ୍ୟଠାରୁ ସ୍ୱତନ୍ତ୍ର ଭାବେ ବାରି ହୋଇଥାନ୍ତି ।

ସମ୍ବାଦ ଓ ଭାଷା

ନାଟକରେ ପାତ୍ର ଯେଉଁ ସଂଳାପ କହିଥାଏ ତାକୁ ସଂବାଦ କୁହାଯାଇଥାଏ । ସଂଳାପ ଯାହା ଆମେ ଶୁଣିଥାଉ ଓ ସଂଳାପ ଅନୁସାରେ ଅଭିନୟ ଦେଖିଥାଉ । ଫଳରେ ନାଟକରେ ଶ୍ରୁତି ଓ ଦୃଷ୍ଟି ଉଭୟ ଚରିତାର୍ଥ ହୋଇଥାଏ । ଉପଯୁକ୍ତ ତଥା ବିନା ପ୍ରଭାବୀ ସଂଳାପରେ ନାଟକ ସଫଳ ହୋଇପାରେ ନାହିଁ । ଭାଷା ମଧ୍ୟ ଚରିତ୍ର ଉପଯୋଗୀ ହେବା ଜରୁରୀ । କେଉଁ ପାତ୍ର ମୁହଁରେ କି ପ୍ରକାର ଭାଷା ସଂଳାପ ଦିଆଯିବ ସେ ଦିଗରେ ଉଭୟ ନାଟ୍ୟକାର ଓ ନିର୍ଦ୍ଦେଶକ ଚିନ୍ତା କରିବା ଦରକାର ।

ଅଭିନେତା

ନାଟ୍ୟକାର ନାଟକ ରଚନା କରିଥାଏ । ନାଟକ ରଂଗମଞ୍ଚରେ ମଞ୍ଚାୟନ ହେଲେ ହିଁ ନାଟକର ସଫଳତା ଜଣାପଡ଼େ । ନାଟ୍ୟକାର ମଧ୍ୟ ରଂଗମଞ୍ଚରେ ତା ନାଟକ ଅଭିନୀତ ହେବାର ଅପେକ୍ଷା ରଖିଥାଏ । ସେ ଲେଖିଥିବା ସଂବାଦ ଓ ସଂଳାପ ଚରିତ୍ରମାନଙ୍କୁ ଦେଇଥିବା ଭାଷା ରଂଗମଂଚରେ ଅଭିନେତା ମୁହଁରୁ ଶୁଣି ଓ ଅଭିନୟ ଦେଖି ନାଟ୍ୟକାର ଉଲ୍ଲସିତ ହୁଏ । ଅଭିନେତାର ଅଭିନୟତା ହିଁ ନାଟକର ପ୍ରାଣ ହୋଇଥାଏ ।

ନିର୍ଦ୍ଦେଶକ ନାଟକକୁ ୫୦ଥର ପଢ଼ିବା ଉଚିତ୍ । ନାଟକ ଆରମ୍ଭ କରିବା ପୂର୍ବରୁ କାହିଁକି ସେ ନାଟକ କରିବ ସେ ନେଇ ନିଜକୁ ୫୦ ପ୍ରଶ୍ନ ପଚାରିବା ଉଚିତ୍ । ନିର୍ଦ୍ଦେଶକ ହିଁ ନାଟକର ମଙ୍ଗୁଆଳ । ସେ ଚରିତ୍ରମାନଙ୍କୁ ସାଉଁଟି, ସେମାନଙ୍କୁ ସଜାଡ଼ି ଓ ସଜେଇ ଆମ ନିକଟରେ ପରସି ଦେଇଥାଏ ପରିବେଷଣ ମାଧ୍ୟମରେ । ନିର୍ଦ୍ଦେଶକ ହିଁ ନାଟକର ମେରୁଦଣ୍ଡ । ସେ ନିଜ କଥାକୁ ନାଟ୍ୟକାରର ଭାଷାରେ କହିଥାଏ । ନାଟକର ସଫଳ ମଂଚାୟନ ପରେ ହିଁ ନାଟକ ନିଜର ସାହିତ୍ୟିକ ତଥା ସମାଜିକ ମୂଲ୍ୟ ନିର୍ଦ୍ଧାରଣ କରିଥାଏ । ନାଟକରେ ନାଟ୍ୟକାର କ’ଣ କହିବାକୁ ଚାହୁଁଛି, ନିର୍ଦ୍ଦେଶକ କ’ଣ ଦେଖାଇବାକୁ ଚାହୁଁଛି ଓ ଉଭୟ ନାଟ୍ୟକାର - ନିର୍ଦ୍ଦେଶକଙ୍କ କଥାକୁ କିପରି ଅଭିନେତା ଦେଖାଇପାରୁଛି/ଫୁଟାଇପାରୁଛି ତା ଉପରେ ନାଟକର ସଫଳତା ନିର୍ଭର କରିଥାଏ ।

Report an Error