ନାଟକ ଓ ସମୟର ପ୍ରତିଲିପି

ପ୍ରଖ୍ୟାତ ଓଡ଼ିଆ ନାଟ୍ୟକାର ବିଜୟ ମିଶ୍ର ମହାନଗର ସିରିଜ୍‌ରେ କିଛି ନାଟକ ରଚନା କରି ପ୍ରାଥମିକ ପର୍ଯ୍ୟାୟରେ ଉକ୍ତ ସିିରିଜ୍‌ର କିଛି ନାଟକ ନିଜେ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ । ମହାନଗର-୧ ନାଟକ ଥିଲା ଏପରି ଏକ କଥାବସ୍ତୁ ।


ଜୀବନରେ ଅନେକ ଘଟଣା ଘଟେ । ଆମ ଚାରି ପାଖରେ, ସମାଜରେ । କିଛି କିଛି ସାଧାରଣ ଘଟଣା ଆମକୁ ଅନ୍ୟମନସ୍କ କରୁଥିବାବେଳେ ଅନ୍ୟ କିଛି ଘଟଣା ତୀବ୍ର ଭାବେ ରେଖାପାତ୍ କରେ । ମୁକୁଳିବାକୁ ଚେଷ୍ଟା କଲେ ବି ମୁକୁଳି ହୁଏନା କିଛି ମଧୁର ଓ ତିକ୍ତ ମୁହୂର୍ତ୍ତର ସ୍ୱାଦରୁ ।

ଏକ ନାଟକ ଦେଖିଥିଲି ଦିଲ୍ଳୀ ଅବସ୍ଥାନବେଳେ । ‘ଘଟନାୟେଁ’ । ସୌରଭ ନାୟାର ରଚିତ ଓ ନିର୍ଦ୍ଦେଶିତ ନାଟକ । ବହୁ ଚରିତ୍ର ତଥା ଘଟଣାବଳୀକୁ ନେଇ ରଚିତ ଏହି ନାଟକରେ ଘଟୁଥାଏ ଅନେକ ଘଟଣା । ଆଉ ପ୍ରତି ଘଟଣା ଶେଷରେ ଚରିତ୍ର ଲେଖକକୁ ପ୍ରଶ୍ନ କରୁଥାଏ କି ତା ସହ ଏପରି କାହିଁକି ହେଲା ? ସେ ତ ଏପରି ଆଶା କରିନଥିଲା କି ତା ଚରିତ୍ର ଅନୁସାରେ ସେ ଏତେ ଦୁର୍ବଳ କି ସବଳ ନଥିଲା । ଆପଣ ଅଚାନକ୍ ଜଣେ ଦୁର୍ବଳ ଚରିତ୍ରକୁ ଏତେ ସବଳ ଆଉ ଜଣେ ସବଳ ଚରିତ୍ରକୁ ଏତେ ମାତ୍ରାରେ ଦୁର୍ବଳ କରିଦେଇଛନ୍ତି କିପରି ?

ନାଟ୍ୟକାର କିଛି ଉତ୍ତର ଦେଇ ପାରନ୍ତି ନାହିଁ । କହନ୍ତି କି ମୋ କଲମ ଯାହା ଯେପରି ଲେଖିଲା । ଯେଉଁ ଚରିତ୍ରକୁ ଯେପରି ଗଢ଼ିଲା । ମୁଁ ନିଜେ ତ ଅସହାୟ ।

ଏଇ ଅସହାୟ ଶବ୍ଦଟି ବଡ଼ ଦାରୁଣ । ଅଚ୍ଛା ଅଚ୍ଛା କଠୋର ମଣିଷକୁ ବି ଦୁର୍ବଳ କରିଦିଏ ।

ସାମ୍ପ୍ରତିକ ଘଟଣାବଳୀ ଉପରେ ନଜର ପକାନ୍ତୁ । ପ୍ରେମ ପାଇଁ ସମର୍ପିତ ଦୁଇଜଣ ମଣିଷ, ଅନେକ ବର୍ଷ ଧରି ଏକାଠି ରହିଆସୁଛନ୍ତି । ଝିଅଟି ପ୍ରେମ ପାଇଁ ପଛ କରି ଦେଇଛି ନିଜ ପରିବାର, ବନ୍ଧୁ ସଖା । ନିଜ ପ୍ରେମ ସହ ଏକତ୍ର ସହାବସ୍ଥାନ ପାଇଁ ଅନ୍ୟ ସମସ୍ତଙ୍କ ସହ କଟାଇ ଦେଉଛି ସମ୍ପର୍କ । ଏପରିକି ନିଜ ବାପା ମା’ଙ୍କ ସହ ମଧ୍ୟ । ହେଲେ ଶେଷରେ ?

ଖଣ୍ଡ ଖଣ୍ଡ ହୋଇ କଟି ଯାଉଛି ତା ହୃଦୟ, ମନ ଓ ଶରୀର ଓ ଜୀବନ । କିଏ ଏଥିପାଇଁ ଦାୟୀ ?

ପ୍ରଖ୍ୟାତ ଓଡ଼ିଆ ନାଟ୍ୟକାର ବିଜୟ ମିଶ୍ର ମହାନଗର ସିରିଜ୍‌ରେ କିଛି ନାଟକ ରଚନା କରି ପ୍ରାଥମିକ ପର୍ଯ୍ୟାୟରେ ଉକ୍ତ ସିିରିଜ୍‌ର କିଛି ନାଟକ ନିଜେ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ । ମହାନଗର-୧ ନାଟକ ଥିଲା ଏପରି ଏକ କଥାବସ୍ତୁ । ପ୍ରେମପୂର୍ଣ୍ଣ ଏକତ୍ର ସହାବସ୍ଥାନ ଅର୍ଥାତ୍ ଯାହାକୁ ଇଂରାଜୀରେ କୁହାଯାଉଛି ଲିଭଇନ୍ ରିଲେସନ୍‌ସିପ୍ । ବିବାହ ନ କରି ଜଣେ ପୁରୁଷ ଓ ସ୍ତ୍ରୀ ଏକତ୍ର ବିନା କୌଣସି ସର୍ତ୍ତରେ ରହିବେ । ଯେବେ ଆଉ ଏକାଠି ନ ରହିପାରିବା କଥା ଭାବିବେ; ସେବେ ବିନା କୌଣସି ଦାୟିତ୍ୱବୋଧରେ ଉଭୟେ ଉଭୟଙ୍କ ଜୀବନରୁ ଅପସରି ଯିବେ । ଠିକ୍ ଘର ଛାଡ଼ିବା ପରି ।

ଏଇ ଲିଭ୍‌ଇନ୍‌-ରିଲେସନ୍‌ସିପ୍ ଆମ ସଂସ୍କୃତିର ନୁହେଁ । ପାଶ୍ଚାତ୍ୟର । କେବେ ଆମ ଭାରତୀୟ ସଂସ୍କୃତିକୁ ପଶି ଆସିଲା ଜଣାନାହିଁ । ତେବେ ନବେ ଦଶକର ଶେଷାର୍ଦ୍ଧରେ ଏହା ଜଣାପଡ଼ିଲା ବିଜୟ ମିଶ୍ରଙ୍କ ନାଟକ ଦେଖିଥିଲି ପାଖାପାଖି ୨୦୧୫ବେଳକୁ । ନାଟକର କଥାବସ୍ତୁ ଥିଲା ଏପରି । ଦୁଇ ଜଣ ଯୁବକ-ଯୁବତୀ ଘରଭଡ଼ା ନେବାକୁ ଆସନ୍ତି । ଉଭୟେ ବନ୍ଧୁ । ଉଭୟେ କର୍ମଜୀବୀ । ମହାନଗରରେ ଘରଭଡ଼ା ସମସ୍ୟା ଯୋଗୁ ବିବାହିତ ପରିଚୟ ଦେଇ ଜଣେ ବୃଦ୍ଧ ଦମ୍ପତିଙ୍କ ଘରେ ରହନ୍ତି । ଭଡ଼ାରେ ।

ପରସ୍ପର ଏକତ୍ର ସହାବସ୍ଥାନରୁ ସ୍ଥାପନ ହୁଏ ସମ୍ପର୍କ । ଯୁବତୀଟି ହୁଏ ଗର୍ଭବତୀ । ମାତ୍ର କେହି ନିଜ ଭବିଷ୍ୟତର ଦ୍ୱାହି ଦେଇ ସନ୍ତାନ ଚାହାନ୍ତିନି । ଉଭୟେ ନିଷ୍ପତ୍ତି ନିଅନ୍ତି କି ଅଜନ୍ମା ସନ୍ତାନକୁ ସୃଷ୍ଟିକୁ ଆଣିବାକୁ ଦେବେନି । କେହି ବି ଦାୟିତ୍ୱ ନେବାକୁ ଚାହାନ୍ତିନି । ନିଜ କ୍ୟାରିଅରକୁ ଆଗ କରନ୍ତି । ଏକଥା ଜାଣିପାରନ୍ତି ଘରମାଲିକ ଦମ୍ପତି । ସେମାନେ ଅନୁରୋଧ କରନ୍ତି ଯୁବତୀକୁ କି ସେ ଜନ୍ମ ଦେଉ । ସନ୍ତାନକୁ ସେମାନେ କୋଳେଇ ନେବେ । ଆଉ ନିଅନ୍ତି ମଧ୍ୟ । ଯୁବତୀଟି ପୁଣି ହଜି ଯାଏ ନିଜ କ୍ୟାରିଅର ଗଢ଼ିବାରେ । ପରବର୍ତ୍ତୀ ପର୍ଯ୍ୟାୟରେ ଏହାର ପାର୍ଟ ୨ ମଧ୍ୟ ବିଜୟ ମିଶ୍ର ରଚନା କରି ମଞ୍ଚାୟନ କରିଥିଲେ । ସେ କାହାଣୀ ମନେ ନାହିଁ ।

ନିକଟରେ ଘଟିଥିବା ଘଟଣା ଛାତିକୁ କୋରି ଦିଏ । ପଚାରିବାକୁ ଇଚ୍ଛା ହୁଏ; ଏପରି କାହିଁକି ? ଜଣେ କିପରି ନିଜ ପ୍ରେମକୁ ହତ୍ୟା କରି ୩୬ ଖଣ୍ଡ କରିପାରେ ? ପାଖରେ ଯଦି କେହି ଈଶ୍ୱର ଥାନ୍ତେ; ତେବେ ତ ନିଶ୍ଚେ ପଚାରିଥାନ୍ତି । କାହିଁକି ଈଶ୍ୱର ?

ସୌରଭ ନାୟାର ରଚିତ ଓ ନିର୍ଦ୍ଦେଶିତ ନାଟକ ‘ଘଟନାୟେଁ’ରେ ଏକ ଘଟଣା ଥିଲା । କଲେଜ୍‌ରେ ରାଗିଂରେ ଅତିଷ୍ଠ ହୋଇ ଜଣେ ଦୃଢ଼ମନା ତଥା ମେଧାବୀ ଛାତ୍ରୀ ଏକ ସମ୍ବେଦନଶୀଳ ମୁହୂର୍ତ୍ତରେ ଆତ୍ମହତ୍ୟା କରିଦିଅନ୍ତି । ଠିକ୍ ସେହି ସମୟରେ ସେ ନିଜ ଚରିତ୍ରରୁ ବାହାରି ନାଟ୍ୟକାରକୁ ପ୍ରଶ୍ନ କରନ୍ତି, ମୋ ଚରିତ୍ର ସହ ଆପଣ ଏପରି କାହିଁକି କଲେ? ମୁଁ ତ ଏତେ ଦୁର୍ବଳ ନୁହେଁ କି ନିଜ ଜୀବନକୁ ହାରିଦେବି ।

ନାଟ୍ୟକାର ଉତ୍ତର ଦିଅନ୍ତି କି ସମାଜରେ ଏପରି ଘଟଣା ଘଟୁଛି । ତ ମୋ କଲମ ସେପରି ଲେଖୁଛି ।

ଅଭିନେତ୍ରୀ ପଚାରନ୍ତି । ଆପଣ ସମାଜକୁ ଦେଖନ୍ତୁନି । ସମାଜରେ ସଦାବେଳେ ସଠିକ୍ ଘଟଣା ଘଟେନି । ଏପରି ଅନେକ ଘଟଣା ଘଟେ ଯାହା ଆମକୁ ବାଧ୍ୟ କରେ ସେ ଘଟଣା ସହ ସମ୍ପୃକ୍ତି ହେବା ପାଇଁ । ଅଥଚ ଆମେ ଚାହୁଁନା ଏପରି ଘଟଣାରେ ସମ୍ପୃକ୍ତି ହେବାକୁ ।

ଲେଖକ ହସନ୍ତି । ଆଉ କହନ୍ତି ମୁଁ ତ ଠିକ୍ ସେୟା କରୁଛି । ତୋ ପରି ମେଧାବୀ, ଦୃଢ଼ମନା ଯୁବତୀକୁ କ’ଣ ମୁଁ ମାରି ଦେଇପାରିଥାନ୍ତି !

‘ଘଟନାୟେଁ’ରେ ଆଉ ଏକ ଘଟଣା ଘଟେ । ସେହି କଲେଜ୍‌ରେ ଅଧ୍ୟାପନାରତ ଜଣେ ବିିବାହିତ ଅଧ୍ୟାପକଙ୍କୁ ପ୍ରେମ କରିବସେ କଲେଜର ଜଣେ ଛାତ୍ରୀ । ବିଚରା ଅଧ୍ୟାପକ ବାରମ୍ବାର ନିଜ ଅସହାୟତା ବୁଝାଇବା ସତ୍ତ୍ୱେ ପ୍ରେମ ପାଗଳିନୀ ଯୁବତୀ କିଛି ବୁଝେନି ।

ଦିନେ ଏକ ସମ୍ବେଦନଶୀଳ ମୁହୂର୍ତ୍ତରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ ହୁଏ । ତ ଆତ୍ମଗ୍ଲାନିର ବଶବର୍ତ୍ତୀ ହୋଇ ଅଧ୍ୟାପକ ମଧ୍ୟ ଆତ୍ମହତ୍ୟା କରନ୍ତି । ପୁଣି ସେହି ସମାନ ପ୍ରଶ୍ନ ପଚାରନ୍ତି ନାଟ୍ୟକାରଙ୍କୁ । କାହିଁକି ଏପରି କଲେ ?

ନାଟକ ଶେଷରେ ନାଟ୍ୟକାର ଦର୍ଶକଙ୍କୁ ପ୍ରଶ୍ନ କରନ୍ତି । ଆପଣଙ୍କ ସମାଜରେ କ’ଣ ଏପରି ଘଟଣା ଘଟୁନି ?

ସବୁ ଦର୍ଶକ ମୌନରେ ସହମତି ପ୍ରକାଶ କରନ୍ତି ।

ତେବେ ମୁଁ ଆଉ କ’ଣ କରିଥାନ୍ତି ? ସମାଜରେ ଯାହା ଘଟୁଛି; ତାହା ଲେଖିବାକୁ ମୁଁ ବାଧ୍ୟ ।

ତେବେ ପ୍ରଶ୍ନ ଉଠେ; ଏହାର ଶେଷ କେଉଁଠି ?

ଏପରି ସମ୍ପର୍କରେ ଶେଷ ଅର୍ଥାତ୍ ଉପସଂହାର ରହିବା ଉଚିତ୍ । କହନ୍ତି ଭାସ୍ୱତୀ ବସୁ । ପ୍ରସିଦ୍ଧ ଲେଖିକା ଓ ଅଭିନେତ୍ରୀ । ସେ କହନ୍ତି କି ବିବାହରେ ଶେଷ ନ ଥାଏ । ଦାୟିତ୍ୱର ତାଡ଼ନାରେ ସମ୍ପର୍କ ଜାରି ରହିଥାଏ । ପ୍ରେମ ବଢ଼େ ଓ କମେ । ନିକଟତା ବଢ଼େ ଓ ପରସ୍ପରଠାରୁ ବଢ଼େ ଆଶା ଓ ଅପେକ୍ଷା । ମାତ୍ର ବିନା କୌଣସି ଦାୟିତ୍ୱବୋଧ ଥିବା ସମ୍ପର୍କରେ ଶେଷ କିଛି ନଥାଏ । ଯାହା ହେବା ଉଚିତ୍ । ସକରାତ୍ମକ ଢଙ୍ଗରେ । ଅନ୍ୟଥା ଅପେକ୍ଷା ନଥିବା ପରିଣତି ଦେଖାଯାଇଥାଏ ।

ଆଗରୁ ନାଟକରେ ସମାଜ ପାଇଁ ରହୁଥିଲା ବାର୍ତ୍ତା । ସୁଖାନ୍ତ ଶେଷ ଦେଖାଯାଉଥିଲା ନାଟକରେ । ଆଜି ବଦଳି ଯାଇଛି ଅନେକ କିଛି । ବାର୍ତ୍ତା ଦେବା ପାଇଁ ନାଟକ କରିବା ଅପରିହାର୍ଯ୍ୟ ନୁହେଁ । ନାଟକର ଥିମ୍ ନାଟକର ଶୈଳୀ ଗୁରୁତ୍ୱପୂର୍ଣ୍ଣ ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବିଶ୍ୱ ନାଟକ ରଚନାଶୈଳୀରେ ପରିବର୍ତ୍ତନ ହୋଇଛି । ଯୁଦ୍ଧାକ୍ରାନ୍ତ ସମାଜ ଅଲଗା କିଛି ଦେଖାଯାଉଛି । ଯୁଦ୍ଧତ୍ରସ୍ତ ପ୍ରାଣୀ ଅଲଗା ସ୍ୱରରେ କଥା କହୁଛନ୍ତି । ପରେ ପୁଣି ଜଗତୀକରଣ, ଆଧୁନିକତା ଓ ଉତ୍ତର ଆଧୁନିକତା ଧସେଇ ପଶିଛି ସମାଜକୁ ଓ ନାଟକକୁ । ବିଶ୍ୱ ନାଟକଶୈଳୀର ପ୍ରଭାବ ଦେଖିବାକୁ ମିଳିଛି ଭାରତୀୟ ନାଟକରେ । ମୃତ୍ୟୁ ଦୃଶ୍ୟରେ ଦର୍ଶକ ତାଳି ମାରୁଛନ୍ତି । ଅପହରଣ, ହତ୍ୟା ଦୃଶ୍ୟରେ ଦର୍ଶକ ଆମୋଦିତ ହେଉଛନ୍ତି ।

ନିଜ ଜୀବନକୁ ନିଜ ସର୍ତ୍ତ କୁହାଯାଇପାରେ ବିନା ସର୍ତ୍ତରେ ବଞ୍ଚୁଥିବା ଶ୍ରଦ୍ଧା, ଦୁନିଆର ନିୟମକୁ ଅଣଦେଖା କରୁଥିବା ଶ୍ରଦ୍ଧା, ବାପା-ମା’ଙ୍କ ବନ୍ଧନକୁ ଛିନ୍ନ କରିଥିବା ଶ୍ରଦ୍ଧା, ସ୍ୱପ୍ନ ଦେଖୁଥିବା, ପ୍ରେମ କରୁଥିବା ଓ ଖୁସ ରହୁଥିବା ଶ୍ରଦ୍ଧା ଏ ସମାଜରେ ବଞ୍ଚି ପାରୁନି ।

ଏହା ସତ ନୁହଁକି ଶ୍ରଦ୍ଧା ଏପରି ଏକ ଝିଅ; ନିଶ୍ଚିତ ଭାବେ ତା ପରି ହେବାକୁ ଅନେକ ଝିଅ ଚାହୁଁଥିବେ ! ହୁଏତ ସାମ୍ନାରେ କେହି ସ୍ୱୀକାର କର ନପାରନ୍ତି ।

କେହି କିନ୍ତୁ ଭାବି ନଥିଲେ କି ସେ ନିଜ ଘରେ ଫ୍ରିଜ୍‌ରେ ଖଣ୍ଡ ଖଣ୍ଡ ହୋଇ ମିଳିବ । ଗୋଟେ ଦିନ ଆସିବ ଶ୍ରଦ୍ଧା ଦୁନିଆରୁ ଚାଲିଯିବ । ଯାହା ପାଇଁ ସେ ସବୁ କିଛି ଛାଡ଼ି ଦେଇଥିଲା, ଯାହାକୁ ସେ ସବୁଠୁ ଅଧିକ ଭଲ ପାଉଥିଲା, ଯାହାକୁ ସେ ସବୁଠୁ ଅଧିକ ବିଶ୍ୱାସ କରୁଥିଲା, ଯାହା ପାଇଁ ସେ ଦୁନିଆ ସହ ଲଢ଼ିଗଲା, ପରିବାର ସହ ବିଦ୍ରୋହ କଲା ଶେଷରେ......

ସମସ୍ତେ ଏଠି କିଛି କିଛି ଦ୍ରୋହୀ । ନାଟକ ତ ନିଜେ ବିଦ୍ରୋହ କରେ ନିଜ ବିରୋଧରେ । ଆଉ କିଛି ସମ୍ଭାବନା ସୃଷ୍ଟି କରିବାକୁ ।

ନାଟକ ସେ ସମ୍ଭାବନା ସୃଷ୍ଟି କରେ । ସାହିତ୍ୟ ତ ଅନେକ ସମୟରେ ଏକପାଖିଆ ନିଷ୍ପତ୍ତି ନେଇ ରଚନା କରେ । ଗଣମାଧ୍ୟମ ମଧ୍ୟ ନିଜ ହିସାବରେ ଟିଆରପି ସହ ତାଳ ଦେଇ ଖବର ପରୋଷେ ।

ନାଟକ ଚିନ୍ତା କରେ । କିଏ ଦୋଷୀ ?

‘ଘଟାନାୟେଁ’ ନାଟକର ନାଟ୍ୟକାର ଶେଷରେ କହନ୍ତି; ଦୋଷୀ ପୁଅ କି ଝିଅ ନୁହେଁ, ଏଠିତ ପ୍ରେମ କଲେ ନିଜ ବାପା-ଭାଇ, ମା’ ହିଁ ମାରି ଦିଅନ୍ତି । ମୃତଦେହକୁ ନିଜ ଘରେ ପୋତି ଦେଇ ଉପରେ ତୁଳସୀ ଚାରା ରୋପି ଦିଅନ୍ତି । ପୁରୁଷ ହାତରେ ଅତ୍ୟାଚାରିତା ହେବା ନାରୀ ପାଇଁ କିଛି ନୂଆ କଥା ନୁହେଁ । ମହିଳାଙ୍କ ସହ ହୋଇଆସୁଥିବା ଅତ୍ୟାଚାରର ୭୦% ପରିବାର ଦ୍ୱାରା ହୋଇଥାଏ ।

ବାପା-ମା, ଭାଇ-ଭଉଣୀ, ସମ୍ପର୍କୀୟ କିମ୍ବା ଘନିଷ୍ଠ ଅନ୍ତରଙ୍ଗ । ଏ କାମ ସେହି କରିଥାଏ; ନାରୀ ଯାହା ଉପରେ ଅଧିକ ବିଶ୍ୱାସ କରିଥାଏ । କେହି ଅଜଣା ଆସିକି ଗୋଟିଏ ଦିନରେ କାହାରିକୁ କାଟି କାଟି ଖଣ୍ଡ ଖଣ୍ଡ କରି ଦିଏନା ।

ନାରୀକୁ ସାହାଯ୍ୟ କରିବାକୁ କେହି ନଥାଏ । କେବଳ ନାରୀ ନୁହେଁ ଦୁର୍ବଳ ପୁରୁଷକୁ ମଧ୍ୟ । ଦୁର୍ବଳକୁ ସବଳ ସାହାଯ୍ୟ କରେନା । ଯେତେବେଳ ସାହାଯ୍ୟ, ପ୍ରେମ, ଭଲପାଇବା, ଅନ୍ତରଂଗତା ଅତି ଆବଶ୍ୟକ ହୋଇପଡ଼ିଥାଏ, ସେତେବେଳେ ନିଜର ହିଁ ନଜର ଫେରାଇ ନେଇଥାନ୍ତି ।

ଆଜି ଗୋଟିଏ ଶ୍ରଦ୍ଧା ମରି ଯାଇନି । ହଜାର ହଜାର ଶ୍ରଦ୍ଧା ଆମ ଚାରିପାଖରେ ଅସହାୟତାରେ ଘୁରି ବୁଲୁଛନ୍ତି । ମରୁଛନ୍ତି । କାହିଁକି ନା ସେପରି ମରିବା ଛଡ଼ା ସେମାନଙ୍କ ନିକଟରେ ଆଉ କୌଣସି ଚାରା ନାହିଁ । କୌଣସି ସାହାଯ୍ୟ ନାହିଁ, ଭରସା ନାହିଁ, ପ୍ରେମ ନାହିଁ, ସୁରକ୍ଷା ନାହିଁ ।

ସଂସ୍କୃତି ବଞ୍ଚାଇ ରଖିବା ନ୍ୟାୟରେ ଶେଷକୁ ଆମେ ଏପରି ସ୍ଥାନରେ ଠିଆ ହେବାନାହିଁ ଯେଉଁଠି ଭୂଇଁ ତଳେ ଆମରି ଝିଅମାନଙ୍କ ମରଶରୀର ଥିବ । ପାଉଁଶ ଅବସ୍ଥାରେ କିମ୍ବା ମାଟି ହୋଇ । ଗୋଟିଏ କଥା ନା ଏପରି ହେବାକୁ ଦେବାନି ।

Report an Error