ଯୁଦ୍ଧଗ୍ରସ୍ତ ଦୁଇଟି ଦେଶ ଓ ମଣିଷର ରଙ୍ଗମଞ୍ଚ

ରାଜନେତା ଯୁଦ୍ଧ କରନ୍ତି । ସୈନିକମାନେ ଯୁଦ୍ଧ ଲଢନ୍ତି । ହେଲେ ଯୁଗ ଯୁଗ ଧରି କଳାକାରମାନେ ମଣିଷ ଓ ଶାନ୍ତିର ରକ୍ଷା ଲାଗି ଯୁଦ୍ଧ ବିରୋଧରେ ଠିଆ ହୋଇ ଆସିଛନ୍ତି । ଋଷ - ୟୁକ୍ରେନ ଯୁଦ୍ଧର ପ୍ରେକ୍ଷାପଟରେ ଋଷ ଏବଂ ୟୁକ୍ରେନ ରଙ୍ଗକର୍ମୀଙ୍କ ଶାନ୍ତି ପ୍ରୟାସକୁ ନେଇ ଏ ରଚନା ।


ଫଟୋ - ୱିକି ମିଡିଆ କମନ୍ସ

୨୪ ଫେବୃଆରୀ ୨୦୨୨ । ଫି' ଦିନ ପରି ସକାଳୁ ଉଠି ମୋବାଇଲ ଚେକ୍ କଲାବେଳକୁ ଭରି ସାରିଥିଲା ମେସେଜ ବକ୍ସ । କିଛି ମେସେଜ ପଢିବା ପରେ ମୁଣ୍ଡ କାମ କଲାନାହିଁ । ସ୍ଥିର ହୋଇ ବସିଗଲି କିଛି ସମୟ । ଆଜି ସବୁ ବନ୍ଦ । ସକାଳ ବୁଲା ଓ ବ୍ୟାୟାମ । କଣ କରିବି କିଛି ଭାବି ପାରିଲିନାହିଁ । କିପରି, କେଉଁଠୁ ଆରମ୍ଭ କରିବି ଦିନ । କିପରି ଆଜି ମୋର ଦୈନନ୍ଦିନ କିମ୍ବା ଦିବସର କାର୍ଯ୍ୟ କରିପାରିବି ? ଯେପରି କିଛି ଘଟିନାହିଁ ! କିପରି ମୋର ନିଜପାଇଁ ଏକ ନିରାପଦ ଜୀବନ କାମନା କରିପାରିବି ଯେତେବେଳେ ମୋ ଦେଶ ଅନ୍ୟ ଏକ ଦେଶ ବିରୋଧରେ ଯୁଦ୍ଧ ଘୋଷଣା କରିଛି ?

ଏହା ଥିଲା ଏକାଟେରିନିଆ ଡୋଲୀନିନାଙ୍କ ଟ୍ୱିଟ । ବଡ଼ି ଭୋରରୁ ସେ ଉଠି ଯେତେବେଳେ ଜାତୀୟ ଚ୍ୟାନେଲରେ ଋଷ ରାଷ୍ଟ୍ରପତି ପୁଟିନଙ୍କ ଦ୍ୱାରା ଜାତି ଉଦ୍ଦେଶ୍ୟରେ ଦିଆଯାଇଥିବା ଭାଷଣରେ ପଡୋଶୀ ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା ଖବର ଶୁଣିଲେ, ତ୍ୱରିତ ପ୍ରତିକ୍ରିୟା ପ୍ରକାଶ କରିଥିଲେ ଡୋଲୀନିନା । ସେଣ୍ଟ୍ରାଲ ମସ୍କୋ ସିନେମାର ନିର୍ଦ୍ଦେଶିକା । ପରଦିନ ସେ ଯୁଦ୍ଧ ବିରୋଧୀ ଅର୍ଥାତ ଆଣ୍ଟି ୱାର ପିଟିସନରେ ଦସ୍ତଖତ କରିବା ସହ ରାଷ୍ଟ୍ରପତି ପୁଟିନଙ୍କୁ ଖୋଲା ଚିଠି ଲେଖିଥିଲେ । ଅନ୍ୟ ଋଷୀୟ କଳାକାରଙ୍କ ସହିତ ସାମିଲ ହୋଇ ।

ପରଦିନ ତାଙ୍କୁ କାର୍ଯ୍ୟାଳୟରେ ଜେରା କରାଗଲା । କହି ଦିଅନ୍ତୁ କି ଆପଣଙ୍କ ନାମ ଭୁଲରେ ରହିଛି ପିଟିସନରେ । ସ୍ପଷ୍ଟ ଭାବେ ମନାକଲେ ଡୋଲୀନିନା । ଫଳତଃ ହରାଇବାକୁ ପଡିଲା ଚାକିରି । ସହର୍ଷେ ଇସ୍ତଫାପତ୍ର ଦାଖଲ କରି ଫେରିଆସିଲେ ଘରକୁ ।

ଏମିତି ଘଟଣା କେବଳ ଡୋଲୀନିନାଙ୍କ କ୍ଷେତ୍ରରେ ଘଟିନାହିଁ । ହଜାର ହଜାର ଅନ୍ୟ କଳାକାର; ଯେଉଁମାନେ ସରକାରଙ୍କ ଯୁଦ୍ଧ ବିରୋଧୀ ଅଭିଯାନରେ ସାମିଲ ହୋଇଛନ୍ତି, ସେମାନେ ହରାଇଛନ୍ତି ନିଜ ଜୀବିକା ।

ଏ ତ ଗଲା ଋଷ କଥା । ଏବେ ଆସନ୍ତୁ ଜାଣିବା ୟୁକ୍ରେନ କଥା । ଋଷ ଆକ୍ରମଣରେ ଧ୍ଵସ୍ତବିଧ୍ୱସ୍ତ ୟୁକ୍ରେନ କଥା । ୟୁକ୍ରେନ ରଙ୍ଗମଞ୍ଚ କଥା । ସହରର ଭଗ୍ନସ୍ତୂପ ମଧ୍ୟରେ ତଥାପି ବଂଚି ରହିଛି ୟୁକ୍ରେନ ରଙ୍ଗମଞ୍ଚ ଓ ବଂଚି ରହିଛନ୍ତି ୟୁକ୍ରେନର ମଞ୍ଚ କଳାକାର । ଏଯାବତ ପ୍ରାୟତଃ ୨୫ ଲକ୍ଷ ୟୁକ୍ରେନବାସୀ ଦେଶତ୍ୟାଗ କରି ଅନ୍ୟ ଦେଶରେ ଶରଣାର୍ଥୀ ଭାବେ ଆଶ୍ରୟ ନେଇଥିବାବେଳେ ଦେଶର ଅଧିକାଂଶ ରଙ୍ଗମଞ୍ଚ କଳାକାର କିନ୍ତୁ ଦେଶତ୍ୟାଗ କରିନଥିବା ଜଣାପଡିଛି ।

ସେମାନେ ବାସ୍ତବ ଜୀବନରେ ନିଜ ଜୀବନର ଚରମ ଅଭିନୟ କରୁଛନ୍ତି । ହଁ, ସେମାନେ ରଙ୍ଗମଞ୍ଚ ପ୍ରେକ୍ଷାଳୟରେ ଦେଶତ୍ୟାଗ କରି ପଳାୟନ କରୁଥିବା ୟୁକ୍ରେନବାସୀଙ୍କୁ ଆଶ୍ରୟ ଦେଉଛନ୍ତି । ରଙ୍ଗମଞ୍ଚ ପ୍ରେକ୍ଷାଳୟ ପାଲଟି ଯାଇଛି ଆଶ୍ରୟସ୍ଥଳ ଭାବେ । ପାଲଟି ଯାଇଛି ଅସ୍ଥାୟୀ ଡାକ୍ତରଖାନା । ବୋମା ବର୍ଷଣରୁ ରକ୍ଷାପାଇବା ଲାଗି ନିରାପଦ ଆବାସ ଭାବେ ।

ୟୁକ୍ରେନର ପ୍ରସିଦ୍ଧ ଲିଭିବ ଥିଏଟର । ଜନ୍ମ ୧୮୯୫ ମସିହାରେ । ଊନବିଂଶ ଶତାବ୍ଦୀର ପ୍ରାକ୍ କାଳରେ । ଏହି ଥିଏଟରର ଶୁଭ ଉନ୍ମୋଚନରେ ସାମିଲ ହୋଇଥିଲେ ଅବିଭକ୍ତ ସୋଭିଏତ ଋଷ ତଥା ସାରା ୟୁରୋପର ଅନେକ ଲେଖକ, କଳାକାର, ଚିତ୍ରଶିଳ୍ପୀ ଓ ଚିତ୍ରକରମାନେ । କ୍ଲାସିକ ଟ୍ରାଡିସନ ଶୈଳୀରେ ନିର୍ମିତ ତଥା ପଲଟଭା ନଦୀ କୂଳରେ ଅବସ୍ଥିତ ଏହି ଥିଏଟର ହାଉସରେ ନିତ୍ୟ ନିୟମିତ ଭାବେ ଅନୁଷ୍ଠିତ ହୋଇ ଆସୁଥିଲା ନାଟକ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ । ପୁସ୍ତକ ଉନ୍ମୋଚନ, ସାହିତ୍ୟ ଚର୍ଚ୍ଚା ତଥା ଚିତ୍ର ପ୍ରଦର୍ଶନୀ ।

ୟୁକ୍ରେନର ପଶ୍ଚିମ ସୀମାରେ ଅବସ୍ଥିତ ଲିଭିବ ସହରର ଏହି ସାଂସ୍କୃତିକ ପେଣ୍ଠ ସମ୍ପ୍ରତି ପାଲଟିଛି ଯୁଦ୍ଧ ତ୍ରସ୍ତ ୟୁକ୍ରେନ ତଥା ବିଦେଶୀମାନଙ୍କ ନିରାପଦ ଆଶ୍ରୟସ୍ଥଳ ।

ହଜାରେ ବର୍ଷର ଏହି ସହର ଦେଖିଚି ଅନେକ ଧ୍ବଂସ ଲୀଳା । ପର୍ଯ୍ୟାୟକ୍ରମେ ଏହି ସହର ଶିକାର ହୋଇଛି ଆକ୍ରମଣର, ବନ୍ଧକର ତଥା ବିପର୍ଯ୍ୟୟର । କିନ୍ତୁ ସହରବାସୀ ହରାଇନାହାନ୍ତି ନିଜର ମାନବିକତା । ଆଜିର ଘଡ଼ିସନ୍ଧି ମୁହୂର୍ତ୍ତରେ ଯେତେବେଳେ ମାନବତା ସଂକଟରେ, ବିପଦରେ ସେତେବେଳେ ସହରବାସୀ ସମେତ ଥିଏଟର ହାଉସର ସମସ୍ତ କର୍ମଚାରୀ କଳାକାର ଓହ୍ଲାଇ ଆସିଛନ୍ତି ମନୁଷ୍ୟ ସମାଜକୁ ରକ୍ଷା କରିବା ଉଦ୍ଦେଶ୍ୟରେ ।

ଯେଉଁ ରଙ୍ଗମଞ୍ଚ ସଦା ପ୍ରସ୍ତୁତ ରହୁଥିଲା ପ୍ରଦର୍ଶନ କରିବା ପାଇଁ ଅଭିନୟର ପରାକାଷ୍ଠା ସେହି ରଙ୍ଗମଞ୍ଚ ଆଜି ପ୍ରସ୍ତୁତ ରହିଛି ଭିନ୍ନ ଏକ ପରୀକ୍ଷା ପାଇଁ । ନିଜ ଜୀବନକୁ ବାଜି ଲଗାଇ ସାରା ଥିଏଟର ହାଉସର ସଦସ୍ୟମାନେ ଆଖ ପାଖ ଯୁଦ୍ଧ ପୀଡ଼ିତାଙ୍କୁ ସହାୟତାର ହାତ ବଢ଼ାଇ ଚାଲିଛନ୍ତି ନିଜ ଜୀବନକୁ ଖାତିର ନ କରି ।

ଏଠି ଖାଦ୍ୟ ଅଛି, ପିଇବାକୁ ପାଣି ଅଛି, ମୁଣ୍ଡ ଗୁଞ୍ଜିବାକୁ ଘର ଅଛି, ଅଛି ନିରାପତ୍ତା ।

ନୋଟାଳିକା ଋବିଟିକା, ସାଧାରଣତଃ ନାଚ ଗୀତ ଓ ଅଭିନୟ କରୁଥବା ଲିଭିବର ଜଣେ ଯୁବ କଳାକାର ଶରଣାର୍ଥୀଙ୍କ ଯୋଗାଇ ଦେଉଛନ୍ତି ଆବଶ୍ୟକୀୟ ସମସ୍ତ ସାମଗ୍ରୀ । କୁଣ୍ଠା ନାହିଁ ମନରେ । ଭୟ ନାହିଁ ଜୀବନର । ହୁଏତ କେତେବେଳେ ଋଷ କ୍ଷେପଣାସ୍ତ୍ର ମାଡ଼ର ଶିକାର ହୋଇପାରନ୍ତି । ଏହା ହିଁ ଜୀବନର ସର୍ବଶ୍ରେଷ୍ଠ ଅଭିନୟ ହେବ ବୋଲି ଗର୍ବର ସହିତ କୁହନ୍ତି ସେ । ବର୍ତ୍ତମାନର କଠିନ ସମୟରେ ଆମେ କାହାକୁ ନିରାପଦ ଆଶ୍ରୟ ଦେଇପାରୁଛୁ ଏହା କିଛି କମ କଥା ନୁହେଁ । ହସି ହସି କହନ୍ତି ସେ ।

ସଂସ୍କୃତି ରଙ୍ଗମଞ୍ଚ ସଦା ମଣିଷ ଜୀବନର ନିକଟତର ହେବାର ପ୍ରୟାସ କରିଆସିଛି । ଏହା କିଛି ନୂଆ କଥା ନୁହେଁ ।

ପୁଣି କେବେ ରଙ୍ଗମଞ୍ଚ ?

ଏଇ ପ୍ରଶ୍ନର ଉତ୍ତରରେ ସେ କହନ୍ତି କି ଫେରିଆସୁ ଆଗେ ଶାନ୍ତି । ଏହାହିଁ ତ ପ୍ରକୃତ ଲକ୍ଷ୍ଯ ରଙ୍ଗମଞ୍ଚର ।

କେବଳ ସେତିକି ନୁହେଁ, ରଙ୍ଗମଞ୍ଚର ମୁହଁରେ ରଙ୍ଗ ମାଖି ଅଭିନୟ କରୁଥିବା ଅନେକ କଳାକାର ୟୁକ୍ରେନ ରାଷ୍ଟ୍ରପତିଙ୍କ ଆହ୍ଵାନ କ୍ରମେ ଯୁଦ୍ଧରେ ମଧ୍ୟ ସାମିଲ ହୋଇଛନ୍ତି । ସାମିଲ ହୋଇଛନ୍ତି ନିଜ ଜୀବନକୁ ବିପନ୍ନ କରି । ପ୍ରତିଶ୍ରୁତି ଦେଇଛନ୍ତି ଋଷ ସୈନିକଙ୍କୁ ଦେଶରୁ ବିତାଡିତ କରିବା ପରେ ଫେରିବେ ରଙ୍ଗମଞ୍ଚକୁ । ହୁଏତ ଦେଶ ପାଇଁ ଚାଲିଯାଇପାରେ ଜୀବନ । ଥିଏଟର ହାଉସ ଅପେକ୍ଷା କରିଛି ସେଇମାନଙ୍କୁ ଯେଉଁମାନେ ଦେଶର ଆହ୍ୱାନରେ ଯୁଦ୍ଧରେ ନିଜ ଜୀବନକୁ ବାଜି ଲଗାଇଛନ୍ତି ।

ଏହା ହିଁ ରଙ୍ଗମଞ୍ଚ । ଏଇ ରଙ୍ଗମଞ୍ଚ ଅଭିନୟ ହୃଦୟସ୍ପର୍ଶୀ । ଏଠି ଦର୍ଶକଙ୍କ କରତାଳି ଲୋଡ଼ା ନାହିଁ, ଲୋଡା ଖାଲି ଶାନ୍ତି । ମାନବ ଜାତିର ଜୟ, ମାନବତାର ଜୟ ।