ଗୁଣ୍ଡୁଚି ଓ କଜଳପାତୀ

ସାହିତ୍ୟ କେବଳ ବଡଙ୍କ ପାଇଁ ନୁହେଁ, ଏହା ପିଲାଙ୍କ ଲାଗି ମଧ୍ୟ । ସେହି ଭାବନାରୁ "ପିଲାଙ୍କ ପାଇଁ" ସ୍ତମ୍ଭର ପରିକଳ୍ପନା । ଏଥିରେ ପିଲାଙ୍କ ପାଇଁ ଓ ପିଲାଙ୍କ ବିଷୟରେ ଲେଖା ସ୍ଥାନିତ ହେଉଛି ।


କଜଳପାତୀ ଶାଳଗଛରେ ବସି ତଳକୁ ଚାହିଁଥାଏ । କୋଉଠି କିଏ ମିଳନ୍ତା କି ଖେଳିବା ମଜା ଆସନ୍ତା । ଗୁଣ୍ଡୁଚିମୂଷା ଗଛତଳେ ଖେଳୁଥାଏ । କେତେବେଳେ ଗଛ ଉପରକୁ ଚଢିଯାଉଥାଏ ପୁଣି ଦୌଡି ଆସୁଥାଏ ଗଛ ଡାଳରୁ ଡେଇଁ ଡେଇଁ ତଳକୁ । ଯାହା ମିଳେ ଦି ଗୋଡରେ ଧରି କୁଟ୍ କୁଟ୍ କରି ଟିକେ କାଟିଦିଏ । ପୁଣି ଦୌଡି ଗଛ ଚାରିଆଡେ ଘେରାଏ ବୁଲିଯାଏ ।

କଜଳପାତୀ ଡାକିଲା, "ହେ ଭାଇ ! ଗୁଣ୍ଡୁଚି, ଶୁଣୁ ।"

ଗୁଣ୍ଡୁଚିମୂଷା ଦୌଡି ଦୌଡି ଉତ୍ତର ଦେଲା, "ହଁ, କହ ।"

"ଆରେ ଟିକେ ରହ । ଏମିତି କାହିଁକି ଦୌଡୁଚୁ । ରହ ଶୁଣୁ ।" କଜଳପାତୀ କହିଲା ।

"କହ କହ ମୁଁ ଶୁଣୁଚି ।" ସେମିତି ଦୌଡ଼ାଦୌଡ଼ି କରୁ କରୁ ଗୁଣ୍ଡୁଚିମୂଷା କହିଲା ।

"ଆ' ଆମେ ମିଶିକି ଖେଳିବା ।" କଜଳପାତୀ କହିଲା ।

"ମୁଁ, ଖେଳୁଚି ପା' । ତୁ ବି ଏମିତି ଖେଳେ ।" କହିଲା ଗୁଣ୍ଡୁଚିମୂଷା ।

"କି ଖେଳ ୟେ ? କାହା ସାଥିରେ ଖେଳୁଚୁ ?" ଆଶ୍ଚର୍ଯ୍ୟର ସହିତ କହିଲା କଜଳପାତୀ ।

"ଗଛ....ଗଛ ସାଥିରେ ।" ଗଛ ଉପରେ ଚଢୁଚଢୁ କହିଲା ।

"ହେଃ, ଗଛ ସାଥିରେ କିଏ ଖେଳେ ? ଆ ....ମୋ ସାଥିରେ ଖେଳେ । କେତେ ମଜା ଦେଖିବୁ ।" କଜଳପାତୀ କହିଲା ।

"ମତେ ଏହି ଖେଳ ମଜା ଲାଗୁଚି ।" ଗୁଣ୍ଡୁଚିମୂଷା କହିଲା ।

"ହଟ୍ ! ଏ' କି ଖେଳ । ଶୁଣ ତୁ ମତେ ଗୋଟେ କୋଳି ନହେଲେ ପତ୍ର କି ଯାହା ବି କହ ମୁଁ ନେଇକି ଆସିବି । ପୁଣି ମୁଁ ଯାହା କହିବି ତୁ ନେଇକି ଆସିବୁ । ଏଇଟା ମଜା ହବ । ଆଉ ଖାଲି ଗଛ ଉପରକୁ ଦୌଡି ଯାଉଚୁ ପୁଣି ଦୌଡି ଆସୁଚୁ । ୟେ କ'ଣ ।"

ଗୁଣ୍ଡୁଚିମୂଷା ଘଡିଏ ଭାବିଲା ।

ପୁଣି ଗଛକୁ ଚାହିଁଲା । କଜଳପାତୀକୁ ବି ଚାହିଁଲା ।

"ହଉ ଚାଲ୍ । ତୋ ସାଥିରେ ଖେଳିବି ତା' ପରେ ଗଛ ସାଥିରେ ଖେଳିବି ।" ଗୁଣ୍ଡୁଚିମୂଷା କହିଲା କଜଳପାତୀକୁ ।

'ଆରେ.....ଏବେ ତ' ମଜା ଆସିବ ।' କହି କଜଳପାତୀ ଉପର ତଳ ଏକ କରି ଉଡିବାରେ ଲାଗିଲା ।

"ଯା, ମୋ ପାଇଁ ଜାମୁକୋଳି ଆଣେ । ମିଠାଟେ ଆଣିବୁ ।" କହିଲା ଗୁଣୁଚିମୂଷା ।

"ହେଇ ଗଲି...." କହି ଫୁର୍ ଫୁର୍ ଉଡି ଚାଲିଲା କଜଳପାତୀ ।

କଜଳପାତୀ ଯାଇ ଦେଖିଲା ଯେ, ଜାମୁକୋଳି ଗଛରେ କୋଳି ଭର୍ତ୍ତି । ପକ୍ଷୀ ବି ।

କଜଳପାତୀ ଗୁଡେ ଖାଇଲା କୋଳି । ସମସ୍ତଙ୍କ ସହ ଗପସପରେ ଭୁଲିଗଲା ଖେଳ କଥା ।

ମନେପଡିବାବେଳେ ସୂର୍ଯ୍ୟ ଆସି ମୁଣ୍ଡ ଉପରେ ହେଲେଣି ।

କୋଳିଟିଏ ଧରି ଗୁଣ୍ଡୁଚିମୂଷା ପାଖେ ପହଞ୍ଚିଲା କଜଳପାତୀ ।

ଦେଖେ ତ, ଗୁଣ୍ଡୁଚିମୂଷା ପୁଣି ସେଇ ତଳ ଉପର ହଉଚି ଆଉ କେତେବେଳେ କେମିତି ଘେରାଏ ବୁଲିଯାଉଚି ।

"ଓହୋ ! ମୁଁ ଭୁଲିଗଲି । ବଣି ସାଥିରେ ଗପିକି ।" କଜଳପାତୀର ଏଇ କଥାରେ ଗୁଣ୍ଡୁଚିମୂଷା କହିଲା, "ହଉ ଠିକ୍ ଅଛି ।"

"ଆଚ୍ଛା ! ମତେ କହ ତୁ ଦିନସାରା ଏଇ ଯୋଉ ଖେଳୁଚୁ, କୋଉ ଖେଳ ?" କଜଳପାତୀ ଆଶ୍ଚର୍ଯ୍ୟ ହେଇ ପଚାରିଲା ।

"ମୁଁ ଗଛରେ ଜନ୍ମ ହାେଇଛି । ଗଛରେ ରହେ । ଗଛ ମତେ ଖାଇବାକୁ ଦିଏ । ବର୍ଷା ଆଉ ଖରାରେ ଗଛ ହିଁ ବଞ୍ଚାଏ । ମତେ ତ ଦେଖୁଚୁ । ମୁଁ କେତେ ଛୋଟିଆଟେ । ମୁଁ ଗଛର କୋଉ କାମରେ ଭଲା ଆସିବି । ସେଥିପାଇଁ ଗଛର ସବୁ ପତ୍ରକୁ ଥରେ ଥରେ ଛୁଇଁ ଧନ୍ୟବାଦ ଜଣାଏ । ଆଉ ଗଛର ଛାଇ ମାପି ଗଛକୁ କୁହେ ସେ କେତେ ବଢିଚି । କାଲିଠୁ ଆଜି ତା ଛାଇ ଟିକେ ଲମ୍ବା ହେଇଚି । ଏଇକଥା ଶୁଣି ଗଛ ବହୁତ ଖୁସି ହୁଏ ।"

କଜଳପାତୀ ଗୁଣ୍ଡୁଚିମୂଷାର କଥାରେ ବହୁତ ଖୁସି ହେଇ ଗୀତ ଗାଇ ଗାଇ ଆଗକୁ ଚାଲିଲା । ସେଦିନୁ କଜଳପାତୀ ଯୋଉଠିକି ଯାଇଛି ସମସ୍ତେ ଗଛ ଓ ଗୁଣ୍ଡୁଚିମୂଷାର କାହାଣୀ ଶୁଣିଛନ୍ତି ।

Report an Error