ହାମଲିନ୍ ର ବଂଶୀବାଦକ

ଅନେକ ମନେ କରନ୍ତି ଯେ ହାମଲିନ୍ ର ବଂଶୀବାଦକର କିମ୍ବଦନ୍ତୀ ସର୍ବପ୍ରଥମେ ୧୪୪୦ ଖ୍ରୀଷ୍ଟାବ୍ଦର ଏକ ପୋଥିର ସାମାନ୍ୟତମ ସଂଯୋଜନ ଆକାରରେ ପ୍ରକାଶିତ ହୋଇଥିଲା । ମାତ୍ର ଏହି ପୋଥିଟି କାଳକ୍ରମେ ହଜିଯାଇଥିଲା ଆଉ ଏହାକୁ ୧୯୩୬ ମସିହାରେ ଉଦ୍ଧାର କରାଯାଇଥିଲା ।


ଫଟୋ - ୱିକିମିଡିଆ କମନ୍ସ

ହାମଲିନ୍ ହେଉଛି ଗୋଟିଏ ବାସ୍ତବ ସହର, ଆଦୌ କାଳ୍ପନିକ ନୁହଁ, ଯାହା ଜର୍ମାନୀର ଉତ୍ତର - କେନ୍ଦ୍ର ଅଂଚଳରେ ଅବସ୍ଥିତ, ହାନୋଭରରୁ ଦକ୍ଷିଣପଶ୍ଚିମରେ ଗଲେ ପ୍ରାୟ ଚାଳିଶ କିଲୋମିଟର ଦୂରରେ ପଡିବ । ଆଉ ହାମଲିନ୍ ର ବଂଶୀବାଦକ ଜଣକ ଆମର ଲୋକକଥାର ଜଣେ ଚର୍ଚ୍ଚିତ ଚରିତ୍ର । ତାଙ୍କୁ କେନ୍ଦ୍ର କରି ଯେଉଁ ଲୋକକାହାଣୀ ସହିତ ଆମେ ପରିଚିତ ତାହାକୁ ବିଶେଷରେ ଲୋକ - ଐତିହ୍ୟରେ ପରିଭାଷାରେ କୁହାଯାଇପାରିବ ଯେ, ଏହା ହେଉଛି ଗୋଟିଏ କିମ୍ବଦନ୍ତୀମୂଳକ କାହାଣୀ । ଆଉ କିମ୍ବଦନ୍ତୀ କହିଲେ ଆମେ ଏତିକି ବୁଝୁ ଯେ ଏକଦା ସେମାନେ ଥିଲେ ଆଉ ସେମାନଙ୍କର ରହିଥିବାର ପ୍ରଭାବ ଏହିପରି ସୁଦୃଢ ଯେ, ଏବେବି ସେଇ ନଥିବା ଚରିତ୍ରମାନଙ୍କର ଛାଇ ଆମ ଉପରେ ରହିଅଛି ।

ଏଇଠି ସେହି ଜର୍ମାନୀ ଲୋକକଥାର ବିନିର୍ମାଣ କରାଯିବ । କିମ୍ବଦନ୍ତୀକୁ ସାଧାରଣତଃ ଇତିହାସର ଅପରିପକ୍ୱତା ବୋଲି ବିଚାର କରାଯାଇଥାଏ । ତେଣୁ ଅନେକ ସମୟରେ କିମ୍ବଦନ୍ତୀର ବିନିର୍ମାଣରୁ ଆମେ ଇତିହାସର ଏକ ପ୍ରାଥମିକ ରୂପର ଉପାଦାନ ପାଇଥାଉ । ସେଇ ଉଦ୍ଦେଶ୍ୟରେ ଇତିହାସକୁ ଅର୍ଥାତ୍ ଏକ ନିର୍ଦ୍ଦିଷ୍ଟ ସମୟର ତାତ୍କାଳୀକ ସ୍ୱରୂପକୁ ବୁଝିବା ପାଇଁ ଏହିଭଳି ଏକ କାହାଣୀର ବିନିର୍ମାଣ ଆବଶ୍ୟକ । ଏହି ବିନିର୍ମାଣ ପୂର୍ବରୁ ଆମର ମନେ ରଖିବା ଉଚିତ ଯେ ହାମଲିନ୍ ର ବଂଶୀବାଦକ କାହାଣୀ ବସ୍ତୁତଃ ଗୋଟିଏ ପ୍ରକୃତ ଘଟଣା ଉପରେ ଆଧାରିତ । ବାସ୍ତବ ଘଟଣାଟି ଖୁବ୍ ସଂକ୍ଷିପ୍ତ । ୧୨୮୪ ମସିହା ଜୁନ୍ ମାସ ୨୬ ତାରିଖ ଦିନ ଜର୍ମାନୀର ସେହି ଛୋଟିଆ ହାମଲିନ୍ ସହରରୁ ୧୩୦ ଜଣ ବାଳକ ହଠାତ୍ କୁଆଡେ ନିରୁଦ୍ଦିଷ୍ଟ ହୋଇଯାଇଥିଲେ । ଘଟଣାଟି ଏତିକି । କୌଣସି କିମ୍ବଦନ୍ତୀର ସଂରଚନାରେ ଯେହେତୁ ଦୁଇଟି ଉପାଦାନ ପ୍ରମୁଖ ଅର୍ଥାତ୍ ପ୍ରତିଟି କିମ୍ବଦନ୍ତୀ କାହାଣୀ ଆକାରରେ ବିସ୍ମୟ ଏବଂ କୌତୂହଳକୁ ନିଜର ଗଢଣ ଭିତରେ ସର୍ବଦା ସଂରକ୍ଷିତ କରି ରଖିଥାଏ ସେଦୃଷ୍ଟିରୁ ସେଦିନର ସେହି ୧୩୦ ଜଣ ବାଳକଙ୍କର ସେହି ସହରରୁ ହଠାତ୍ ନିରୁଦ୍ଦିଷ୍ଟ ହୋଇଯିବା ଘଟଣା କାଳକ୍ରମରେ ଭିନ୍ନ ଭିନ୍ନ କାହାଣୀର ରୂପ ପ୍ରାପ୍ତ ହୋଇଅଛି ।

ଆମେ ଯାହାକୁ ହାମଲିନ୍ ର ବଂଶୀବାଦକ ବୋଲି ଉଲ୍ଲେଖ କରୁ ତାହାକୁ ଇଂରେଜୀରେ "ଦି ପାଏଡ୍ ପାଇପର୍ ଅଫ୍ ହାମଲିନ୍" ବୋଲି କୁହାଯାଇଛି । ଏହି ଶୀର୍ଷକରେ ପ୍ରଖ୍ୟାତ କବି ରବର୍ଟ ବ୍ରାଉନିଂ ୧୮୪୨ ଖ୍ରୀଷ୍ଟାବ୍ଦରେ ଏକ କବିତା ରଚନା କରିଛନ୍ତି । ପାଏଡ୍ ପାଇପର୍ ପ୍ରକୃତ ଅର୍ଥରେ ବଂଶୀବାଦକ ହେବନାହିଁ । "ପାଏଡ୍" ର ଅର୍ଥ ହେଉଛି ଯାହା ହଳଦୀ ଏବଂ ଲାଲ ଉଭୟ ରଂଗର ଏକ ଉଜ୍ଜଳ ମିଶ୍ରଣ ଏବଂ "ପାଇପର୍" ଶବ୍ଦର ଅର୍ଥ ହେଉଛି ଏକ ନଳୀ ବିଶିଷ୍ଟ ବାଦ୍ୟଯନ୍ତ୍ର । ମୋଟ ଉପରେ କହିଲେ ଗୋଟିଏ ଉଜ୍ଜଳ ରଂଗଯୁକ୍ତ ନଳୀ ଥିବା ବାଜା ବଜାଉଥିବା ବ୍ୟକ୍ତିବିଶେଷକୁ ଆମେ "ପାଏଡ୍ ପାଇପର୍" ବୋଲି କହିବା । ଜର୍ମାନୀର ହାମଲିନ୍ ନାମକ ସ୍ଥାନକୁ ଆଧାର କରି ସେଇଠାରୁ ଆମ ପାଖକୁ ଯେତେବେଳେ ଏଇ ଲୋକକଥାଟି ଆସିଛି ସେତେବେଳେ ତାହା ଆମ ଆଗରେ ହାମଲିନ୍ ର ବଂଶୀବାଦକ ଆକାରରେ ଅଧିକ ପରିଚିତି ଲାଭ କରିଛି । କାରଣ ଆମ ଦେଶରେ ଇଉରୋପ୍ ର ପାଇପ୍ ଭଳି ବାଦ୍ୟଯନ୍ତ୍ରର ପ୍ରଚଳନ ନାହିଁ । ତେଣୁ ସହଜରେ ସେହି ବାଦ୍ୟଯନ୍ତ୍ରକୁ ବୁଝିବା ପାଇଁ ତାହାକୁ ବଂଶୀ କରି ଦିଆଯାଇଛି । ସେଇଭଳି ସମାନ ଭାବରେ ଆଦ୍ୟକାଳର କୁଖ୍ୟାତ ରୋମାନ୍ ସମ୍ରାଟ୍ ନିରୋ ରୋମ ଜଳୁଥିବା ସମୟରେ ବଂଶୀବାଦନ କରୁଥିଲେ ବୋଲି ଯେଉଁ ଇତିହାସ ପ୍ରସିଦ୍ଧ ଘଟଣାର କଥା ଆମେ ଜାଣିଛୁ ସେଇଠି ନିରୋଙ୍କର ବାଦ୍ୟଯନ୍ତ୍ରଟି ଥିଲା ଏକ ତାରଯୁକ୍ତ ବୀଣା ଭଳି ଗୋଟିଏ ବାଦ୍ୟଯନ୍ତ୍ର ଯାହାକୁ କୁହାଯାଉଥିଲା "ଲାୟାର୍"। ଏକ ବାଦ୍ୟଯନ୍ତ୍ର ଆକାରରେ ବଂଶୀ ସେଠାରେ ବା ଏଠାରେ ବିକଶିତ ହୋଇନଥିଲା । ପୃଥିବୀରେ ଏଯାଏଁ ପ୍ରଚଳିତ ହୋଇ ଆସୁଥିବା ପ୍ରସିଦ୍ଧ ମିଛ କଥା ମଧ୍ୟରୁ ଏଇଟି ଅନ୍ୟତମ ପ୍ରମୁଖ ମିଛ କଥା ଯେ ନିରୋ ରୋମ୍ ସାମ୍ରାଜ୍ୟ ଜଳୁଥିବାବେଳେ କୌଣସି ବାଦ୍ୟଯନ୍ତ୍ର (ଏଠାରେ ଲାୟାର୍ ) ବାଦନ କରିନଥିଲେ । ସେ ଏଇଭଳି କୁଖ୍ୟାତ ଥିଲେ ଯେ ତାଙ୍କର ନିଷ୍ଠୁରତା ଆଉ ସଂପୂର୍ଣ୍ଣ ଆବେଗହୀନତାକୁ ଦେଖାଇବା ପାଇଁ ପରେ ତାଙ୍କ ସହିତ ଏଇଭଳି ମିଛ କାହାଣୀଟିଏ ଜଡିତ କରାଯାଇଛି ଏବଂ ଏହାକୁ ସତ ମଣି ଏହାର ଅସଲ ସତ୍ୟାସତ୍ୟ ବୁଝିବା ପାଇଁ କାହାର ସାମାନ୍ୟତମ ଆଗ୍ରହ ନାହିଁ ।

ହାମଲିନ୍ ର ସେଇ ପାଏଡ୍ ପାଇପର୍ କୁ ହାମଲିନ୍ ର ବଂଶୀବାଦକ ହିସାବରେ ଆମେ ଏଠାରେ ଆମର ସୁବିଧା ପାଇଁ ବ୍ୟବହାର କରୁଛୁ ।

ଏହି ଲୋକକଥାର ଭିନ୍ନ ଭିନ୍ନ ବଖାଣ ରହିଅଛି ମାତ୍ର ଯେଉଁ ବଖାଣଟି ପ୍ରମୁଖ ଭାବରେ ଦେଖାଯାଏ କାହାଣୀର ବିନିର୍ମାଣ ପୂର୍ବରୁ ତାହାକୁ ଆଗ ସ୍ମରଣ କରାଯାଉ । ଏକଦା ଜଣେ ପ୍ରଖ୍ୟାତ ବଂଶୀବାଦକ ( ପାଏଡ୍ ପାଇପର୍ ) ଥିଲା ତାହାର ସଂଗୀତର ଧ୍ୱନିରେ ଯିଏ ଶୁଣୁଥିଲା ସେ ଶୁଣିବା ମାତ୍ରକେ ମୋହିତ ହୋଇ ନିଜର ବସ୍ତୁସ୍ଥିତିକୁ ବିସ୍ମୃତ ହୋଇଯାଉଥିଲା । ଥରେ ହାମଲିନ୍ ରେ ପ୍ଲେଗ୍ ମହାମାରୀ ପରି ବ୍ୟାପିବାକୁ ଲାଗିଲା । ଏହି ମହାମାରୀ ମୂଷାମାନଙ୍କର ପ୍ରାଦୁର୍ଭାବ ଯୋଗୁ ଘଟିଥାଏ । ତେଣୁ ପ୍ଲେଗ୍ ମହାମାରୀକୁ ପ୍ରତିହତ କରିବା ପାଇଁ ଚାରିଆଡେ ମୂଷାଧରା ଅଭିଯାନ ଆରମ୍ଭ ହୋଇଥିଲା । ମୂଷାମାନଙ୍କୁ ଧରି ଏକାଠି କରି ତାହାକୁ ନେଇ ଦୂରରେ କେଉଁଠି ସେମାନଙ୍କୁ ନଷ୍ଟ କରିଦେଲେ ପ୍ଲେଗ୍ ମହାମାରୀ ବ୍ୟାପିବାରୁ ଲୋକେ ମୁକ୍ତି ପାଇବେ ବୋଲି ସେତେବେଳେ ଲୋକଙ୍କ ଚିନ୍ତା । ସେଇଥିପାଇଁ ଅର୍ଥାତ୍ ସହରର ମୂଷାଧରା କାମରେ ସେହି ବିଖ୍ୟାତ ବଂଶୀବାଦକର ସଂଗୀତର ମାଧୁର୍ଯ୍ୟକୁ ବିନିଯୋଗ କରିବା ପାଇଁ ହାମଲିନ ସହରବାସୀମାନେ ଚିନ୍ତା କରିଥିଲେ । ହାମଲିନ୍ ର ଶାସକ ସେହି ବଂଶୀବାଦକଙ୍କ ସହ ଗୋଟିଏ ଚୁକ୍ତି କରିଥିଲେ । ସେହି ଚୁକ୍ତି ଅନୁସାରେ ମୂଷାଧରା କାମ ସମାପ୍ତ ହୋଇଗଲା ପରେ ହାମଲିନ୍ ର ଶାସକ ସେହି ବଂଶୀବାଦକଙ୍କୁ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ପ୍ରଦାନ କରିବେ । ତଦନୁଯାୟୀ ବଂଶୀବାଦକ ଜଣକ ମୂଷାଧରା କାମରେ ଲାଗିପଡିଥିଲେ । ସେ ସହରସାରା ବୁଲି ନିଜର ବଂଶୀରେ ଗୋଟିଏ ନିର୍ଦ୍ଦିଷ୍ଟ ପ୍ରକାରର ଧୂନ୍ ବଜାଉ ଥିଲେ ଆଉ ସେହି ଧୂନ୍ ଟିକୁ ଶୁଣିବା ପରେ ସହରର ମୂଷାମାନେ ଯିଏ ଯେଉଁଠି ଥିଲେ ସେମାନେ ନିଜ ନିଜ ସ୍ଥାନରୁ ବାହାରି ଆସି ସେହି ବଂଶୀବାଦକଙ୍କ ପଛରେ ପଛରେ ଆକର୍ଷିତ ହୋଇ ଚାଲିଥିଲେ । ବଂଶୀବାଦକ ଜଣକ ବଂଶୀ ବଜାଇ ବଜାଇ ଆଗେ ଆଗେ ସହରର ଉପକଂଠରେ ଥିବା ଏକ ନଦୀରେ ପ୍ରବେଶ କରନ୍ତେ ତାଙ୍କର ପଛେପଛେ ଆସୁଥିବା ମୂଷାମାନେ ବି ସେହି ନଦୀ ଭିତରକୁ ପ୍ରବେଶ କରିଥିଲେ ଆଉ ପରେ ନଦୀଜଳରେ ସେମାନଙ୍କର ପ୍ରାଣନାଶ ହୋଇଥିଲା । ଏହିଭଳି ସହରରୁ ମୂଷାଧରା କାମ ସଂପନ୍ନ କରିବା ପରେ ବଂଶୀବାଦକ ଜଣକ ନିଜର ପ୍ରାପ୍ୟ ଅର୍ଥ ପାଇଁ ପୂର୍ବ ଚୁକ୍ତି ଅନୁସାରେ ସହରର ଶାସକଙ୍କ ସାମ୍ନାରେ ଉପସ୍ଥିତ ହେଲେ । ମାତ୍ର ଶାସକ ମୂଷାଧରା ନିମନ୍ତେ ସେମିତି ଅର୍ଥ ଦେବାକୁ ହୋଇଥିବା କୌଣସି ଚୁକ୍ତିକୁ ସିଧାସଳଖ ଅସ୍ୱୀକାର କରିଥିଲେ । ତାହାଫଳରେ ମନଦୁଃଖରେ ଆଉ କ୍ରୋଧରେ ସେଇଠୁ ସେ ଫେରି ଆସିଥିଲେ ସତ ମାତ୍ର ତାହାପରେ ତାଙ୍କର ପ୍ରତିଶୋଧକୁ ଏକ ଚୂଡାନ୍ତ ରୂପ ପ୍ରଦାନ କରିଥିଲେ । ତାହାପରେ ବଂଶୀବାଦକ ଜଣକ ନିଜର ବଂଶୀରେ ଏକ ଭିନ୍ନ ପ୍ରକାରର ଧୁନ୍ ବଜାଇଥିଲେ ଆଉ ତାହା ଫଳରେ ତାହାକୁ ଶୁଣିବା ମାତ୍ରକେ ସହରର ବାଳକମାନେ ଆକର୍ଷିତ ହୋଇ ତାଙ୍କ ପଛେ ପଛେ ଗୋଟିଏ ପାହାଡ ଉପରକୁ ଯାଇ ସେଇଠୁ କୁଆଡେ ନିରୁଦ୍ଦିଷ୍ଟ ହୋଇ ଯାଇଥିଲେ ।

ହାମଲିନ୍ ର ବଂଶୀବାଦକଙ୍କ କାହାଣୀଟି ଏହିଭଳି । ମାତ୍ର ଏହାର ଶେଷ ଭାଗକୁ ନେଇ ଭିନ୍ନ ଭିନ୍ନ ବଖାଣ ଦେଖିବାକୁ ମିଳେ । ଶାସକ ଜଣକ ଏହାପରେ ନିଜର ଭୁଲ୍ ବୁଝିପାରି ବଂଶୀବାଦକଙ୍କୁ ପୂର୍ବ ଚୁକ୍ତି ଅନୁସାରେ ପ୍ରାପ୍ୟ ଅର୍ଥ ପ୍ରଦାନ କରିବାକୁ ସମ୍ମତ ହୋଇଛନ୍ତି ଆଉ ପ୍ରାପ୍ୟ ଅର୍ଥ ପାଇବା ପରେ ସଂଗୀତ ଦ୍ୱାରା ପଣବନ୍ଦୀ ଥିବା ଏଇ ପିଲାଏ ଶେଷରେ ସୁରୁଖୁରୁରେ ନିଜ ନିଜ ଘରକୁ ଫେରି ଆସିଛନ୍ତି । କାହାଣୀର ଭିନ୍ନ ଭିନ୍ନ ବଖାଣ ମଧ୍ୟରୁ ଏଇଟି ହେଉଛି ଅଧିକ ଗ୍ରାହ୍ୟ ସୁଖାନ୍ତକାରୀ ବଖାଣ । ଅବଶ୍ୟ କାହାଣୀଟିର ଯେତେସବୁ ବଖାଣ ଦେଖିବାକୁ ମିଳେ ସେଥିରେ କେବଳ ଗୋଟିଏ କଥା ଉପସଂହାରରେ ରହିଅଛି, ବଂଶୀବାଦକ ଜଣକ ନିଜର ଧ୍ୱନିରେ ଅପହରଣ କରି ନେଇଥିବା ପିଲାଏ କେମିତି ସୁରୁଖୁରୁରେ ନିଜ ନିଜର ଘରକୁ ଶେଷରେ ଫେରି ଆସିଛନ୍ତି । କାହାଣୀର ଅନ୍ୟ ଏକ ବଖାଣରେ ଦେଖାଯାଇଛି ଯେ ଗୋଟିଏ ବାଳକ ଯିଏ ଜନ୍ମରୁ ସହଜରେ ଚାଲିପାରେନାହିଁ ସେ ଅନେକ କଷ୍ଟରେ ବଂଶୀବାଦକର ବଂଶୀଧ୍ୱନିର ପଛେପଛେ ଚାଲି ଆସିଛି ସତ ମାତ୍ର ପରେ ଅନ୍ୟମାନଙ୍କ ଭଳି କାହାଣୀର ସେହି ପାହାଡକୁ ଚଢିବାକୁ ସମର୍ଥ ହୋଇ ନାହିଁ । ପାହାଡର ପାଦଦେଶରେ ସେଇ ଧ୍ୱନି ଲହରେଇ ଆସୁଥିବା ଦିଗକୁ ଚାହିଁ ସେ ଡହକବିକଳ ହୋଇ ସେଇଠି ଛିଡା ହୋଇଛି । ସହରସାରା ଲୋକେ ନିଜ ନିଜର ପିଲାଙ୍କୁ ଖୋଜିବା ପାଇଁ ଯେତେବେଳେ ସେଇଠି ପହଞ୍ଚିଛନ୍ତି ସେ ହିଁ ଦେଖାଇ ଦେଇଛି ସେହି ନିର୍ଦ୍ଦିଷ୍ଟ ଦିଗ, ଯେଉଁ ଦିଗରେ ପିଲାଏ ପାହାଡ ଉପରକୁ ବଂଶୀବାଦକର ପଛେ ପଛେ ଯାଇଛନ୍ତି । ତାହା ଫଳରେ ପିଲାମାନଙ୍କୁ ଉଦ୍ଧାର କରାଯାଇଛି । ଏହି କାହାଣୀର ଆଉ ଏକ ବଖାଣରେ ଦେଖାଯାଇଛି ଯେ ସେହି ବଂଶୀବାଦକର ଆକର୍ଷଣ ପଛରେ ଠିକ୍ ଯାଇପାରିନଥିବା ଗୋଟିଏ ଦୃଷ୍ଟିହୀନ ବାଳକର ସମସ୍ୟା, ଯିଏ ବଂଶୀବାଦନର ଆକର୍ଷଣକୁ ତେଜ୍ୟା କରି ପାରୁନାହିଁ କି ସଠିକ ଭାବରେ ତାହାର ଅନୁଧାବନ କରିପାରୁନାହିଁ । ଧ୍ୱନିର ବସ୍ତୁସ୍ଥିତି ସହ ସ୍ଥିର ଆଉ ସଂପୃକ୍ତ ରହିଥିଲେ ହେଁ ଗତିପଥର ନିର୍ଦ୍ଦିଷ୍ଟତାକୁ ନେଇ ଅସ୍ପଷ୍ଟତା ତଥା ଅସହଜ ପଣ ଭଳି ଏକ ଅତ୍ୟାଧୁନିକ ଦ୍ୱନ୍ଦ୍ୱକୁ ଭୋଗୁଥିବା ଏହି ଦୃଷ୍ଟିହୀନ ବାଳକର କକର୍ଥନାକୁ ଆପଣମାନେ ବୁଝି ପାରୁଥିବେ, ଠିକ୍ ସେତିକିବେଳେ, ନିଜର ପିଲାମାନଙ୍କର ସଂଧାନରେ ବାହାରି ଆସିଥିବା ହାମଲିନ୍ ସହରର ଲୋକେ ଯେତେବେଳେ ତାହାକୁ ପଚାରୁଛନ୍ତି, କହ, କେଉଁଟି ସେ ଦିଗ, ଯେଉଁଆଡେ ସମସ୍ତେ ଚାଲି ଯାଇଛନ୍ତି, ଟିକିଏ କିଛି ଚିହ୍ନବର୍ଣ୍ଣ ନାହିଁ ଆଖପାଖରେ ?

ଜନଶ୍ରୁତିମୂଳକ ବା ଲୋକକାହାଣୀର ଏଇ ଲିଜେଣ୍ଡଟିକୁ ସଂରଚନା କଲାବେଳେ ଯେଉଁମାନେ ଏହାର ସଂଗ୍ରାହକ ବା ଅନ୍ୟ ଭାବରେ କହିଲେ ଯେଉଁମାନେ ଏଇ ଲୋକକଥାକୁ ଲେଖକ ଆକାରରେ ଲିପିବଦ୍ଧ କରିଛନ୍ତି ସେମାନେ ଏହାକୁ ଲେଖିବା ସମୟରେ ସେହି ଲୋକସ୍ମୃତି କଥାରେ ନିଜ ନିଜର କିଛି କିଛି କଳ୍ପନାର ପ୍ରୟୋଗ କରିଛନ୍ତି । କିମ୍ବଦନ୍ତୀମୂଳକ କାହାଣୀରେ ବିସ୍ମୟ ଏବଂ କୌତୂହଳ ସଂରଚନା ଦୃଷ୍ଟିକୋଣରୁ ରହିଥାଏ ବୋଲି ଆଗରୁ କୁହାଯାଇଛି । ତେଣୁ ତାହାକୁ ସଂଗ୍ରହ ତଥା ଲିପିବଦ୍ଧ କଲାବେଳେ ଲେଖକର ସମସାମୟିକ ବସ୍ତୁସ୍ଥିତିର କିଛି କାଳ୍ପନିକ ଉପଯୋଗ ତଥା ପ୍ରଭାବ ସେହି ଲୋକକାହାଣୀରେ ରହିଯାଇଥାଏ । ତେଣୁ ସେଇକଥାକୁ ଏମିତି ବି କୁହାଯାଇପାରେ ଯେ, ଲୋକମୁଖରୁ ଲିଖିତ ସ୍ୱରୂପକୁ ଅବତରଣ କରାବେଳେ ଲୋକକାହାଣୀର ମୂଳ ଢାଞ୍ଚା ଅବିକୃତ ରହିଥିଲେ ହେଁ ସେଥିରେ ଭିନ୍ନ ଭିନ୍ନ ପ୍ରକ୍ଷେପମାନ ଦେଖାଯାଇଥାଏ । ସେଇଥିପାଇଁ ସେଇ ବଖାଣରେ କିଛି ଭିନ୍ନତା ଦେଖାଯାଇଥାଏ ।

ଏଇଠି ଆମକୁ ମନେରଖିବାକୁ ହେବ ଯେ, ପ୍ରାଚୀନ ଲୋକକଥାକୁ ଯେଉଁଭଳି ଉତ୍ସ ଆକାରରେ ଆମେ ଦେଖିବାକୁ ସମର୍ଥ ତାହା ମୂଳତଃ ଲିଖିତ ଉତ୍ସ । ସେଦୃଷ୍ଟିରୁ ଲୋକ - ଐତିହ୍ୟର ଲିଖିତ ଉତ୍ସର ପାରମ୍ପରିକ ଇତିହାସକୁ ବୁଝିବାକୁ ଗଲେ ଆମେ ଦେଖିବା ଯେ ଖ୍ରୀଷ୍ଟ୍ରୀୟ ଷୋଡଶ ଶତାବ୍ଦୀର ମଧ୍ୟଭାଗରୁ ଖ୍ରୀଷ୍ଟ୍ରୀୟ ସପ୍ତଦଶ ଶତାବ୍ଦୀର ମଧ୍ୟଭାଗ ଯାଏଁ ଇଉରୋପ ଦେଶ ସମୂହରୁ ଅଭିଯାତ୍ରୀ ଦଳ ଏସିଆ, ଆଫ୍ରିକା, ଅଷ୍ଟ୍ରେଲିଆ ତଥା ଲାଟିନ୍ ଆମେରିକା ଭଳି ଦେଶ ସମୂହକୁ ଆଗମନ କରିଥିଲେ । ଏହି ଆଗମନ ପଛରେ ପ୍ରାଥମିକ ଲକ୍ଷ୍ୟ ଭାବରେ ସେମାନଙ୍କର ନୌଯାତ୍ରାର ଦୁଃସାହସିକ ଅଭିଜ୍ଞତା ଅର୍ଜନ କରିବା ତଥା ନୂତନ ଦେଶ ଆବିଷ୍କାର କରିବା ଯେତିକି ପରିମାଣରେ ରହିଥିଲା ତାହାଠାରୁ ଅଧିକ ଥିଲା ସେମାନେ ପହଂଚିଥିବା ଦେଶ ସମୂହରୁ ଧନରତ୍ନ ଲୁଣ୍ଠନ । ସେହି ସମୟର ସେହି ଦେଶଗୁଡିକର ଗ୍ରାମୀଣ ସମାଜ ନୂତନ କିସମର ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଆଗନ୍ତୁକ ଇଉରୋପୀୟ ଦେଶଗୁଡିକର ବୀଭତ୍ସ ଅମାନବିକତାକୁ ସେମିତି ସକ୍ଷମ ଭାବରେ ସାମ୍ନା କରିପାରିନଥିଲେ । ବିଦେଶୀ ଆଗନ୍ତୁକଙ୍କ କୌଶଳ ଆଉ ଛଳକୁ ସେମାନେ ବୁଝିପାରିନଥିଲେ । ତାହା ଫଳରେ ଇଉରୋପ ସହିତ ଏହି ଦେଶମାନଙ୍କର ସହାବସ୍ଥାନ ତଥା ଯିବା ଆସିବା ଏକ ପ୍ରକାର ନିଷ୍କଣ୍ଟକ ହୋଇ ରହିଥିଲା । ତେଣୁ ଅଷ୍ଟାଦଶ ଶତାବ୍ଦୀର ଦ୍ୱିତୀୟ ଭାଗ ବେଳକୁ ଏଇ ସବୁ ଦେଶମାନେ ନିଜର ଅଥର୍ବତାର କାରଣରୁ ବିଧିବଦ୍ଧ ଭାବରେ ଇଉରୋପର ଉପନିବେଶ ପାଲଟି ଗଲେ । ଏଇ ସବୁ ଅଣ - ଇଉରୋପୀୟ ଦେଶମାନ ଉପନିବେଶ ପାଲଟି ଯିବା ପରେ ରାଜନୈତିକ ଅର୍ଥନୈତିକ ତଥା ସାମାଜିକ ସ୍ତରରେ ଯାହା ଯାହା ଘଟିବାରେ ଲାଗିଲା ତାହାର ଆଲୋଚନାର କ୍ଷେତ୍ର ଅଲଗା । ମାତ୍ର ସାଂସ୍କୃତିକ କ୍ଷେତ୍ରରେ କିଛି ଇଉରୋପୀୟ ନୃତତ୍ତ୍ୱବିତ୍, କିଛି ଧର୍ମଯାଜକ ଏବଂ କିଛି ଉଦାରବାଦୀ ଇଉରୋପୀୟ ପ୍ରଶାସକମାନେ ସକ୍ରିୟ ହୋଇ ଏଇ ସବୁ ଉପନିବେଶ ଅଂଚଳର ଲୋକ - ଐତିହ୍ୟକୁ ଲିପିବଦ୍ଧ କରିବାକୁ ଲାଗିଲେ । ଲୋକ - ଐତିହ୍ୟର ଏହି ଉତ୍ସ ଭିତରୁ ଇଉରୋପୀୟମାନେ ଉପନିବେଶୀୟ ଦେଶ ସମୂହର ମାନସିକତାକୁ ବୁଝିବାକୁ ଚେଷ୍ଟା କରୁଥିଲେ ଯାହା ତାଙ୍କୁ ସେମାନଙ୍କର ଶାସନ କାର୍ଯ୍ୟରେ ବିଶେଷରେ ସହାୟକ ହେବ, ସେଇଥିପାଇଁ । ଅନ୍ୟପକ୍ଷରେ ଉପନିବେଶୀୟ ଲୋକ - ଐତିହ୍ୟର ଡକ୍ୟୁମେଣ୍ଟେସନ୍ ର ପ୍ରଭାବ ମୂଳ ଦେଶ ଉପରେ ପଡିବାକୁ ଲାଗିଲା । ତାହାଫଳରେ ଇଉରୋପୀୟ ଲୋକ - ଐତିହ୍ୟର ଲିଖିତ ରୂପ ପ୍ରକାଶ ପାଇଥିଲା । ମୁଦ୍ରଣ ଶିଳ୍ପର ବିକାଶ ସହିତ ଉଭୟ ଇଉରୋପ ଆଉ ଉପନିବେଶ ଦେଶମାନଙ୍କର ଲୋକ ଐତିହ୍ୟର ଯେଉଁ ଲିଖିତ ରୂପକୁ ଆମକୁ ଦେଖିବାକୁ ମିଳିଲା ସେଥିରେ ପରସ୍ପର ପରସ୍ପରକୁ ପ୍ରଭାବିତ କରିବା (ମୂଳ ସ୍ୱରୂପ ଯାହା ହେଉନା କାହିଁକି ତାହା ଅବିକୃତ ରହିଥିଲା) ସ୍ୱାଭାବିକ ପ୍ରକ୍ରିୟା ହେବାରେ ଆଶ୍ଚର୍ଯ୍ୟ କିଛି ନାହିଁ ।

ଅନେକ ମନେ କରନ୍ତି ଯେ ହାମଲିନ୍ ର ବଂଶୀବାଦକର କିମ୍ବଦନ୍ତୀ ସର୍ବପ୍ରଥମେ ୧୪୪୦ ଖ୍ରୀଷ୍ଟାବ୍ଦର ଏକ ପୋଥିର ସାମାନ୍ୟତମ ସଂଯୋଜନ ଆକାରରେ ପ୍ରକାଶିତ ହୋଇଥିଲା । ମାତ୍ର ଏହି ପୋଥିଟି କାଳକ୍ରମେ ହଜିଯାଇଥିଲା ଆଉ ଏହାକୁ ୧୯୩୬ ମସିହାରେ ଉଦ୍ଧାର କରାଯାଇଥିଲା । ତେଣୁ ଗୋଟିଏ ଅନାମ ପୋଥିର ଏମିତି "ଲଷ୍ଟ ଆଣ୍ଡ ଫାଉଣ୍ଡ" ଭିତରେ ଅନେକ ଅସ୍ୱାଭାବିକତାର କଥା କଳ୍ପନା କରାଯାଇପାରେ । ପ୍ରଥମରେ ୧୪୪୦ ଖ୍ରୀଷ୍ଟାବ୍ଦରେ ବର୍ଣ୍ଣନା କରାଯାଇଛି ତାହାର ପାଖାପାଖି ଦୁଇଶହ ବର୍ଷ ପୂର୍ବର ଏକ କିମ୍ବଦନ୍ତୀ ଅର୍ଥାତ୍ ୧୨୮୪ ଖ୍ରୀଷ୍ଟାବ୍ଦର ଜୁନ୍ ମାସ ୨୬ ତାରିଖର ଘଟଣା, ଯେଉଁଦିନ ଜଣେ ବଂଶୀବାଦକର ବଂଶୀସ୍ୱନରେ ମୁଗ୍ଧ ହୋଇ ୧୩୦ଜଣ ବାଳକ କୁଆଡେ ନିରୁଦ୍ଦିଷ୍ଟ ହୋଇଯାଇଥିଲେ । କିମ୍ବଦନ୍ତୀଟି ସେହି ପୋଥିରେ ଦୁଇଶହ ବର୍ଷ ପରେ ଲିପିବଦ୍ଧ ହେବା ଭଳି ମଧ୍ୟବର୍ତ୍ତୀ ସମୟକାଳରେ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଥିଲା । ତାହା ହେଉଛି ୧୩୪୬ ଖ୍ରୀଅ ରୁ ୧୩୫୩ ଖ୍ରୀଷ୍ଟାବ୍ଦ ମଧ୍ୟରେ ଆଫ୍ରିକା ତଥା ଇଉରୋପୀୟ ଦେଶମାନଙ୍କରେ ବ୍ୟାପି ଯାଇଥିବା ଏକ ମହାମାରୀ, ଯାହାକୁ ବ୍ୟୁବୋନିକ ପ୍ଲେଗ୍ ବୋଲି କୁହାଯାଉଥିଲା । ଏହି ଭୟାବହ ପ୍ଲେଗ୍ "ଫ୍ଲି" ବୋଲି ଏକ ମାଛି କାମୁଡିବା କାରଣରୁ ହୋଇଥାଏ । ମାତ୍ର ସେକଥା ସେତେବେଳେ ସେମାନଙ୍କୁ ଜଣା ନଥିଲା । ସମସ୍ତେ ମନେକରୁଥିଲେ ଯେ ଏକପ୍ରକାର ଅଦୃଶ୍ୟ ବିଷାକ୍ତ ବାୟୁ ନିଃଶ୍ୱାସ ପ୍ରଶ୍ୱାସରେ ଶରୀର ଭିତରକୁ ଯାଇ ଏହି ଭୟାବହ ଅସୁଖଟି ସୃଷ୍ଟି କରୁଅଛି । ତଥାପି ସେହି ମଧ୍ୟବର୍ତ୍ତୀ ଯୁଗରେ ଲୋକମାନେ ନିଜର ପର୍ଯ୍ୟବେକ୍ଷଣ ଶକ୍ତି ଦ୍ୱାରା ମୂଷା ଏବଂ ପ୍ଲେଗ୍ ତଥା ବ୍ଲାକ୍ - ଡେଥ୍ ଭଳି ମହାମାରୀର ଏକ ସଂପର୍କ ଥିବା କଥା ଅନୁମାନ କରିପାରୁଥିଲେ । ମୂଷାମାନଙ୍କର ବ୍ୟାପକ ମୃତ୍ୟୁ ଏବଂ ତାହା ସହିତ ପ୍ଲେଗ୍ ମହାମାରୀ ଭଳି ମାଡିଯିବା କଥାକୁ ଏକାଠି କରି ସେମାନେ ମୂଷାମାନଙ୍କୁ ପ୍ଲେଗ୍ ର ଏକ କାରଣ ବୋଲି ମନେ କରୁଥିଲେ । ସେଇଥିପାଇଁ ବଂଶୀବାଦକକୁ ମୂଷାଧରା କାମରେ ନିୟୋଜିତ କରାଯିବା କଥା ପଛରେ ପୋଥିରେ ଯୋଡାଯାଇଛି ।

କିମ୍ବଦନ୍ତୀରୁ ଅନେକ ସମୟରେ ଇତିହାସର ପ୍ରାମାଣିକତା ଖୋଜିବାର କିଛି ପ୍ରାୟତଃ ଅର୍ଥ ନଥାଏ । ଏହା କହିବାକୁ ଗଲେ ଇତିହାସକୁ ନେଇ ଯେଉଁ କାଳର କଳନା କରାଯାଇଥାଏ ତାହାର ଏକ ପ୍ରାକ୍ ଅବସ୍ଥା, ଯାହାକୁ ଆମେ ଇଂରେଜୀରେ କହିପାରିବା "ଏ ପ୍ରାୟୋରି" । ଆମେ କାଳର ଆରମ୍ଭଟି ପାଇଗଲେ ସିନା ମାତ୍ର ଏହା ପରେ ଇତିହାସର ଅଧ୍ୟୟନରେ ଯେଉଁ ସମୟର ବିବର୍ତ୍ତନଟି ରହିବା ଆବଶ୍ୟକ ତାହା ଯଦି ନଥିବ ତାହାହେଲେ ସେଥିରେ ଇତିହାସ କାହିଁ ? ଅତି ସରଳରେ କହିଲେ କେବଳ କୌଣସି ଆରମ୍ଭକୁ ନେଇ ଇତିହାସ ରଚିତ ହୁଏ ନାହିଁ । ଆରମ୍ଭର ପରବର୍ତ୍ତୀ ପର୍ଯ୍ୟାୟରେ ଇତିହାସ ରହିଥାଏ । ଇତିହାସ ପାଇଁ ଆମେ ଯେଉଁ ଉତ୍ସକୁ ବାଛିଥାଉ ତଥା ପ୍ରତ୍ୟେକ ଉତ୍ସରେ ଦୁଇଟି ଇତିହାସ କଥା ଆକାରରେ ସଂଗୁପ୍ତ ହୋଇ ରହିଥାଏ, ଇତିହାସ ଯେଉଁଠି ହେଉଛି ଏକ ତଥ୍ୟ, ଏବଂ ଇତିହାସ ଯେଉଁଠି ହେଉଛି ଏକ ଘଟଣା । ପ୍ରତ୍ୟେକ ଉତ୍ସରୁ ଗୋଟିଏ ଘଟଣାକୁ ସନାକ୍ତ କରିପାରିବା ହିଁ ହେଉଛି ଇତିହାସର ଅଧ୍ୟୟନ ।

ହାମଲିନ୍ ର ବଂଶୀବାଦକ କିମ୍ବଦନ୍ତୀରେ ସେଦିନ ଅର୍ଥାତ୍ ୨୬ ଜୁନ୍ ୧୨୮୪ ଦିନ ୧୩୦ ଜଣ ବାଳକ ହଠାତ୍ ନିରୁଦ୍ଦିଷ୍ଟ ହୋଇଯାଇଥିଲେ । ସେମାନେ ଅସଲରେ ସେଦିନ ଏକାଠି କୌଣସି କାରଣବଶତଃ ଗୋଟିଏ ପାହାଡର ସଂକୀର୍ଣ୍ଣ ରାସ୍ତା ଦେଇ ହାମଲିନ୍ ରୁ ଇଉରୋପ୍ ର ଟ୍ରାନସିଲଭାନିଆ ଆଡକୁ ପ୍ରାୟ କେତେଶହ ମାଇଲ ଯିବା ବାଟରେ କୁଆଡେ ନିରୁଦ୍ଦିଷ୍ଟ ହୋଇଯାଇଥିଲେ । ସେଇ କଥାଟି ହେଉଛି ପ୍ରକୃତ ଐତିହାସିକ ଆଧାର ବିନ୍ଦୁ । ଆଉ ତାହାପରେ ଯାହା ଯାହା ଏଇ କିମ୍ବଦନ୍ତୀ ସହ ଜଡିତ ହୋଇଛି ତାହା କହିବାକୁ ଗଲେ ବସ୍ତୁସ୍ଥିତି ଅଥବା ପ୍ରତୀକାର୍ଥକ ସଂଯୋଜନ ।

ଏହି କିମ୍ବଦନ୍ତୀକୁ ସତ୍ୟ ଆକାରରେ ବଳିଷ୍ଠ କରିବା ପାଇଁ ଏଥିରେ ଗୋଟିଏ ପାରଂପରିକତାର କାଳକ୍ରମେ ସଂଯୋଜନ ହୋଇଛି ଯେଉଁଥିରୁ ଏହାର ଅସ୍ତିତ୍ୱ ପ୍ରତି ସନ୍ଦେହ ପ୍ରକଟ କରିବା ଅନ୍ୟ କାହା ପ୍ରତି କଷ୍ଟକର ହେବ । ଖ୍ରୀଷ୍ଟଧର୍ମରେ ସାଧାରଣତଃ ବିଭିନ୍ନ ଦିନମାନଙ୍କରେ ଭିନ୍ନ ଭିନ୍ନ ସନ୍ଥମାନଙ୍କର ସମ୍ମାନାର୍ଥେ ଭୋଜିମାନ ଆୟୋଜନ କରାଯାଇଥାଏ । ଏହିଭଳି ସମ୍ମାନ - ଭୋଜିର କାରଣ ହେଉଛି ଏହାଫଳରେ ନିର୍ଦ୍ଦିଷ୍ଟ ସନ୍ଥ ଜଣକ ପ୍ରୀତ ହୋଇ ସେମାନଙ୍କୁ ନିର୍ଦ୍ଦିଷ୍ଟ ବିପଦରୁ ରକ୍ଷା କରିବେ । ଖ୍ରୀଷ୍ଟାନମାନେ ଏଇଭଳି ପ୍ରତିବର୍ଷ ଜୁନ ମାସ ୨୬ ତାରିଖ ଦିନ ସେଣ୍ଟ ଜନ୍ ଏବଂ ସେଣ୍ଟ ପଲ୍ ଙ୍କ ସମ୍ମାନାର୍ଥେ ପ୍ରାର୍ଥନା - ଭୋଜିମାନ ଆୟୋଜନ କରିଥାଆନ୍ତି । ଏହି ଦିନ ହାମଲିନ୍ ର କୌଣସି ସ୍କୁଲ୍ କୁ କୌଣସି ପିଲା ଯାଆନ୍ତି ନାହିଁ । ଆଉ ଏହା ସହିତ ସେଣ୍ଟ ଜନ୍ ଏବଂ ସେଣ୍ଟ ପଲ୍ ପିଲାମାନଙ୍କର ରକ୍ଷାକର୍ତ୍ତା ଆକାରରେ ବିଦିତ । ତେଣୁ ସେଣ୍ଟ ଜନ୍ ଆଉ ସେଣ୍ଟ ପଲ୍ ଙ୍କ ଭୋଜି ଏବଂ ହାମଲିନ୍ ର ପିଲାଏ ସ୍କୁଲକୁ ନଯିବା ଭଳି ଦୁଇଟି କଥାକୁ ଏକାଠି ମିଶାଇ ପଢିଲେ ସେକାଳରେ ଏଇଦିନ ଘଟିଥିବା ଅଘଟଣକୁ କିଛି ପରିମାଣରେ ବୁଝି ହୁଏ ।

ହାମଲିନ୍ ରେ ସେଦିନ ପିଲାଏ କାହିଁକି ନିରୁଦ୍ଦିଷ୍ଟ ହୋଇଗଲେ ସେଇ କଥାକୁ ନେଇ ଅନ୍ତତଃ ତିନୋଟି କାରଣ ତର୍ଜମା ଆକାରରେ ରହିଅଛି । ପ୍ରଥମରେ ଯେଉଁ ସମ୍ଭାବନାର କଥା ଉଠେ ତାହା ହେଉଛି ସେହି ବଂଶୀବାଦକ ବା ପାଇପର୍ ଜଣକ ହେଉଛି ଗୋଟିଏ ରିକ୍ରୃଟିଙ୍ଗ ଏଜେଣ୍ଟ । ସେ ଅନ୍ୟ କୌଣସି ସଂସ୍ଥା ଦ୍ୱାରା ନିୟୋଜିତ ହୋଇ ଶସ୍ତା ଶ୍ରମିକଙ୍କୁ ସଂଗ୍ରହ କରିବା ଆଶାରେ ହାମଲିନ୍ ଭଳି ଏକ ପଡାଗାଆଁକୁ ଆସିଛି । ପ୍ରାକ୍ - ପୁଞ୍ଜିବାଦୀ ଯୁଗର କର୍ମ ନିଯୁକ୍ତି ତଥା ନିଜର ଶ୍ରମକୁ ବିକିବା ପାଇଁ ଏଇ ବିସ୍ଥାପନ ବଂଶୀବାଦକର ବଂଶୀ ସ୍ୱନରେ ଆକର୍ଷିତ ହୋଇ ଆସିବା ଭଳି କଥାରେ ପ୍ରତିଷ୍ଠିତ ହୋଇଅଛି । ଶିଶୁ ଶ୍ରମିକ ସବୁବେଳେ ସବୁଠୁ ଶସ୍ତାରେ ନିଜ ଶ୍ରମକୁ ବିକ୍ରି କରିଥାଏ । ପୁଞ୍ଜିବାଦର ବଳୟରେ ତେଣୁ ସେମାନେ ଅତି ସହଜରେ ନିରୁଦ୍ଦିଷ୍ଟ ହୋଇ ଯାଇଥାନ୍ତି ।

ଦ୍ୱିତୀୟ ତର୍ଜମାଟି ଗୋଟିଏ ଭୁଲ୍ ଅନୁବାଦ ଉପରେ ଆଧାରିତ । ରାଜାଙ୍କ ତରଫରୁ ଯେମିତି ଡେଙ୍ଗୁରା ଦିଆଯାଉଛି ସେମିତି ବଂଶୀବାଦକ ଜଣକ ନିଜର ବଂଶୀ ସ୍ୱନରେ ସର୍ବସାଧାରଣଙ୍କୁ ନିର୍ଦ୍ଦେଶ ଦେଇଛି ଯେ, କୌଣସି ନିର୍ଦ୍ଦିଷ୍ଟ କାମ ପାଇଁ ରାଜା ଏହି ଗ୍ରାମବାସୀମାନଙ୍କର ସେବାକୁ ଚାହୁଁଛନ୍ତି । ତାହାଫଳରେ ସେମାନଙ୍କୁ ସେହି ବଂଶୀବାଦକର ପଛରେ ପଛରେ ଆଉ କୌଣସି ବିଳମ୍ବ ନକରି ଯିବାକୁ ହେବ ।

ବଂଶୀ ବାଦକ ନିଜର ବଂଶୀସ୍ୱନରେ ନିର୍ଦ୍ଦେଶ ଦେଲାବେଳେ ଗୋଟିଏ ଅନୁବାଦ ଜନିତ ତ୍ରୁଟି କରି ଦେଇଛି । ରାଜାମାନେ ପ୍ରଜାମାନଙ୍କୁ ସବୁବେଳେ ନିଜର ସନ୍ତାନ ବୋଲି ଉଲ୍ଲେଖ କରିଥାନ୍ତି । ବଂଶୀବାଦକ ରାଜାଙ୍କ କଥାକୁ ଆକ୍ଷରିକ ଭାବରେ କହିଥିବା କାରଣରୁ ତାହାର ପଛେପଛେ ସନ୍ତାନମାନେ ଗାଆଁରୁ ବାହାରି ଆସିଛନ୍ତି । ଏବଂ ସ୍ୱାଭାବିକ ଭାବରେ ନିରୁଦ୍ଦିଷ୍ଟ ହୋଇଯାଇଛନ୍ତି ।

ଗୋଟିଏ ଦିନରେ ଏହିପରି ଏତେ ଅର୍ଥାତ୍ ୧୩୦ ଜଣ ବାଳକ ହଠାତ୍ ନିରୁଦ୍ଦିଷ୍ଟ ହୋଇଯିବା ଭଳି ଅସ୍ୱାଭାବିକ ଘଟଣା ପଛରେ ଯେଉଁ ତୃତୀୟ ତର୍ଜମାଟି ଉପଲବ୍ଧ ରହିଛି ତାହା ହେଉଛି ଏହି ପିଲାମାନେ ଏକ ଚିର ଯୌବନର ରାଜ୍ୟକୁ ପ୍ରବେଶ କରିଯାଇଛନ୍ତି ଆଉ ଚିର ଯୌବନର ରାଜ୍ୟରୁ କେହି ଆଉ କେଉଁଠିକୁ ଯାଇ ପାରିବା ସମ୍ଭବ ନୁହଁ । ଚିର ଯୌବନର ରାଜ୍ୟ କହିଲେ ଏଠାରେ ଆମେ ମୃତ୍ୟୁକୁ ବୁଝିବା ନାହିଁ । ମୃତ୍ୟୁ ପରେ ଜଣକର ଆଉ କୌଣସି କ୍ଷୟବୃଦ୍ଧି ହୁଏ ନାହିଁ । ସେଇଠି ଜଣେ ତେଣୁ ଏକ ଚିର ସ୍ଥିରତାରେ ବସବାସ କରି ରହିଥାଏ । ସେଦିନ ସେହି ୨୬ ଜୁନ୍ ୧୨୮୪ ଦିନ ୧୩୦ ଜଣ ବାଳକ ମୃତ୍ୟୁଲୋକକୁ ଯାଇଥିବା କଥା ସହଜରେ କୁହାଯାଇପାରେ । ମାତ୍ର ଗୋଟିଏ ତର୍ଜମା ଅନୁସାରେ ସେଦିନ ହାମଲିନ୍ ର ସେହି ବାଳକମାନେ ଗୋଟିଏ ଚିର ଯୌବନର ରାଜ୍ୟକୁ ଯାତ୍ରା କରିଥିଲେ । ଜର୍ମାନୀର ସେହି ଚିର ଯୌବନର ଗଣରାଜ୍ୟର ନାଆଁ ଥିଲା ଟ୍ରୋପାନ । ଏବେ ଏଇ ସ୍ଥାନଟି ଚେକ୍ - ଗଣରାଜ୍ୟର ଅଧୀନରେ ଅବସ୍ଥିତ । ଜଣେ ଜର୍ମାନ ଧର୍ମଯାଜକ ବ୍ରୁନୋ ଗୋଟିଏ ଚିରଯୌବନର ରାଜ୍ୟ ପ୍ରତିଷ୍ଠା କରିବା ପାଇଁ ଚାହୁଁଥିଲେ । ତାହାର ନାଆଁ ସେ ରଖିଥିଲେ ଟ୍ରୋପାନ । ତାହାର ଅଧିବାସୀ ହିସାବରେ ରହିବା ପାଇଁ ଗୋଟିଏ ସର୍ତ୍ତ ରହିଥିଲା, ଯେଉଁମାନେ ବାଳକ ସେମାନେ କେବଳ ଏହିଭଳି ଚିର ଯୌବନର ରାଜ୍ୟ ଟ୍ରୋପାନ୍ ରେ ବସବାସ କରିପାରିବେ । ସେହି ଉଦ୍ଦେଶ୍ୟରେ ଅଧିବାସୀ ସଂଗ୍ରହ କରିବା ପାଇଁ ବିଶପ୍ ବ୍ରୁନୋଙ୍କର ଜଣେ ଏଜେଣ୍ଟ ହିସାବରେ ହାମଲିନ୍ ରେ ନିଜର ଆକର୍ଷଣକୁ ଜାହିର୍ କରିଥିଲେ ସେହି ବଂଶୀବାଦକ ।

ଏହି ତର୍ଜମାମାନଙ୍କରୁ ଲୋକ ଐତିହ୍ୟର ଲିଖିତ ଏକ କିମ୍ବଦନ୍ତୀର କାହାଣୀରୁ ଆମେ ଗୋଟିଏ ଘଟଣା ପଛରେ ସାମାଜିକ, ରାଜନୈତିକ, ଅର୍ଥନୈତିକ ତଥା ପାରଂପାରିକ ବିଶ୍ୱାସ ଅନୁଯାୟୀ ଗୋଷ୍ଠୀବଦ୍ଧତାର ସଂରଚନାକୁ ଆମେ ଦେଖିପାରିବା । ଲୋକକଥାକୁ ଇଂଗିତରେ ତଥା ପ୍ରତୀକରେ ପ୍ରକାଶ କରି ଆମେ ପ୍ରାଚୀନପଣ ଆଉ ସମକାଳ ଭିତରେ ଯୋଗସୂତ୍ର ସ୍ଥାପନ କରିବା ସମୟରେ ଆମର ଚିରାଚରିତ ଉତ୍ସବୋଧକୁ ପ୍ରାପ୍ତ ହୋଇଥାଉ । ସେଇଥିପାଇଁ ଏହି ହାମଲିନ୍ ର ବଂଶୀବାଦକ କାହାଣୀକୁ ନେଇ ଅନେକ ସାହିତ୍ୟ ସୃଜନ ହୋଇଛି । ୧୮୦୩ ମସିହାରେ ପ୍ରସିଦ୍ଧ ଜର୍ମାନୀର ମହାକବି ଗେଟେ ଏହି କାହାଣୀକୁ ଆଧାର କରି ଗୋଟିଏ କବିତା ରଚନା କରିଥିଲେ ପରେ ୧୮୧୫ ମସିହାରେ ଯାହାକୁ ସ୍ୱରାନୁବନ୍ଧିତ କରିଥିଲେ ସୁବେର୍ଟ , ୧୮୪୨ ମସିହାରେ ରବର୍ଟ ବ୍ରାଉନିଂ ଏବଂ ପରେ ପ୍ରଖ୍ୟାତ ବେରଟୋଲ୍ଟ ବ୍ରେଖଟ୍ ଏହାକୁ ନେଇ ନିଜର ସାହିତ୍ୟ ସୃଜନ କରିଛନ୍ତି । କହିବାକୁ ଗଲେ ଏହି କାହାଣୀ ଆଜି ଯାଏଁ ନିରବଚ୍ଛିନ୍ନ ଭାବରେ ବିଭିନ୍ନ ଉପନ୍ୟାସରେ, କବିତାରେ, ନାଟକରେ ଉଲ୍ଲେଖ ଲାଭ କରି ଆସୁଛି । ଏହା କେବଳ ଜର୍ମାନୀରେ ନୁହଁ ବିଶ୍ୱର ଅନ୍ୟତ୍ର ବି ସମାନ ଭାବରେ ଆଦୃତ । ଏହା ଉପରେ ଅନେକ ଚଳଚ୍ଚିତ୍ର ହୋଇଛି । ସେଥିମଧ୍ୟରୁ ଗୋଟିଏ ଉଲ୍ଲେଖଯୋଗ୍ୟ ନାଆଁ ହେଉଛି, ଦି ପାଏଡ୍ ପାଇପର୍ ଅଫ୍ କ୍ଲେଭଲାଣ୍ଡ । ହାମଲିନ୍ ରୁ ବଂଶୀବାଦକର ଯାତ୍ରା କ୍ଲେଭଲାଣ୍ଡକୁ । ଆଉ ଗୋଟିଏ ଚଳଚ୍ଚିତ୍ରରେ ଏମିତି ଗୋଟିଏ ତର୍ଜମା ରହିଛି ଯେଉଁଠି ଶାସକ ବଂଶୀବାଦକକୁ ସହରରୁ ମୂଷା ଧରିବା କାମକୁ ତାହାର ନାଗରିକ କର୍ତ୍ତବ୍ୟ ବୋଲି ବିଚାର କରି ତାହାକୁ ତାହାର କୌଣସି ପ୍ରାପ୍ୟ ନଦେଇ ସମସ୍ତଙ୍କର ସୁବିଧା ପାଇଁ ସହରର କେନ୍ଦ୍ରସ୍ଥଳରେ ସେଇ ପଇସାରେ ଗୋଟିଏ କ୍ଲକ୍ - ଟାୱାର୍ ନିର୍ମାଣ କରିଛନ୍ତି ।

ହାମଲିନ୍ ର ବଂଶୀବାଦକ ଭଳି ଏକ କିମ୍ବଦନ୍ତୀ ସଂପର୍କରେ ସବୁଠୁ ଶେଷ କଥା ହେଉଛି ଯେ, ସମ୍ଭବତଃ ଏହି କିମ୍ବଦନ୍ତୀଟି ହାମଲିନ୍ ଙ୍କର ଅଧିବାସୀଙ୍କ ଦ୍ୱାରା ସୃଷ୍ଟି । ସେମାନେ କେବେହେଲେ ବିଶ୍ୱାସ କରିପାରୁନଥିଲେ ଯେ ତାଙ୍କର ଜନ୍ମସ୍ଥାନ ହାମଲିନ୍ ଭଳି ଏକ ଅଦ୍ୱିତୀୟ ନୈସର୍ଗିକ ସ୍ଥାନକୁ ଛାଡି କିଏ ସାମୟିକ ଆକର୍ଷଣରେ ଆଉ କେଉଁ ଆଡେ କିଛି ସମୟ ପାଇଁ ନିରୁଦ୍ଦିଷ୍ଟ ହୋଇଯାଇପାରେ ମାତ୍ର ଶେଷରେ ସେ ଏଠିକୁ ନିଶ୍ଚୟ ଫେରିଆସିବ । ଏହା ହାମଲିନ୍ ପାଇଁ ଯେତିକି ପ୍ରଯୁଜ୍ୟ ସମାନ ଭାବରେ ତାହା ଅନ୍ୟ କୌଣସି କ୍ଷେତ୍ର ପାଇଁ ବି ସେତିକି ପ୍ରଯୁଜ୍ୟ । ସେଇଥିପାଇଁ ଏଇ କିମ୍ବଦନ୍ତୀଟି ସମସ୍ତଙ୍କର ଅତ୍ୟନ୍ତ ପ୍ରିୟ ।

ଲୋକ ଐତିହ୍ୟର ଏହି ଲିଖିତ ସ୍ୱରୂପର ଆଧାରରେ ଉପସଂହାରରେ କୁହାଯାଇପାରିବ ଯେ, ଏହା ଆମର ଗୋଷ୍ଠୀବଦ୍ଧ ସ୍ମୃତିର ବାହକ, ତେଣୁ କୌଣସି ନଥିବା ଗଛର ଛାଇ ଭଳି ଏହା ଆମର ସହଜାତ ବିଶ୍ୱାସଠାରୁ ଆହୁରି ଦୀର୍ଘ ।

Report an Error