ଭଙ୍ଗା କଳସ

ସମକାଳର କଳା ଦୁନିଆରେ ଚୀନ୍ ର ଶିଳ୍ପୀ ଆଇ ୱେଇୱେଇ ବେଶ ଜଣେ ଚର୍ଚ୍ଚିତ ଓ ବିବାଦୀୟ ବ୍ୟକ୍ତିତ୍ୱ । ଏଯାଏଁ ପ୍ରାୟ ସାତ ଶହରୁ ଅଧିକ ପ୍ରଦର୍ଶନୀରେ ଭାଗ ନେଇସାରିଥିବା ୱେଇୱେଇ ନିଜ ଦେଶ ବାହାରେ ଯେତିକି ଚର୍ଚ୍ଚିତ, ନିଜ ଦେଶ ଭିତରେ ସେତିକି ବିବାଦୀୟ ।


ଫଟୋ - ୱିକିମିଡିଆ

ଏଠାରେ ଦିଆଯାଇଥିବା ଫଟୋରେ ଚୀନ୍ ର ଶିଳ୍ପୀ ଆଇ ୱେଇୱେଇ ସ୍ୱୟଂ ଏକ ପୁରୁଣା ପାରମ୍ପରିକ କଳସକୁ ହାତରୁ ତଳକୁ ଖସେଇ ଭାଙ୍ଗିବାର ଘଟଣା ରହିଛି । ଅତି ସାଧାରଣ ମନେ ହେଉଥିବା ଫଟୋଟିକୁ କିନ୍ତୁ ବିଶ୍ୱ ସମସାମୟିକ କଳା ଇତିହାସର ଅନ୍ୟତମ ଚର୍ଚ୍ଚିତ, ବିବଦମାନ ଓ ବିଖ୍ୟାତ କଳାକୃତି ଭାବରେ ଗଣାଯାଏ । କଳାକୃତିର ନାମ ହେଲା ‘ଡ୍ରପିଂ ଏ ହାନ୍ ଡାଇନାଷ୍ଟି ଅର୍ଣ୍ଣ’ । ଆଇ ୱେଇୱେଇ ହାନ୍ ରାଜତ୍ୱ (ଖ୍ରୀ.ପୂ.୨୦୬ - ଖ୍ରୀ.ଅ.୨୨୦) ସମୟର ପ୍ରାୟ ଦୁଇ ହଜାର ବର୍ଷ ତଳର କଳସକୁ ବେଶ୍ ଗୁଡେ ଦାମ୍ ଦେଇ ୧୯୯୦ରେ କିଣିଥିଲେ ଓ ତାକୁ ଠିଆ ଠିଆ ଏମିତି ତଳେ ପକେଇ ଭାଙ୍ଗିଥିଲେ । କଳସ ଭାଙ୍ଗିବା ପ୍ରକ୍ରିୟାକୁ କ୍ୟାମେରା ସହାୟତାରେ ବନ୍ଦୀ କଲାବେଳକୁ ପ୍ରଥମ ଥର ଅସଫଳ ହେଇଥିଲେ । କଳସ ଭାଙ୍ଗିଲା କିନ୍ତୁ ଫଟୋ ଠିକ୍ ରେ ଉଠିପାରିଲାନି । ସେଥିପାଇଁ ତାଙ୍କୁ ଆଉ ଗୋଟେ ସେଇ ହାନ୍ ସମୟର କଳସ ଯୋଗାଡ କରିବାକୁ ହେଇଥିଲା ଓ ଆଉଥରେ ହାତରୁ ଖସେଇ ଭାଙ୍ଗିବାକୁ ହେଇଥିଲା । ପୂରା ଘଟଣାକ୍ରମର ଫଟୋ ନେଇ ପରେ ୧୪୮ ଗୁଣନ ୧୨୧ ସେଣ୍ଟିମିଟର କଳା ଧଳା ଫଟୋ ଭାବରେ ପ୍ରଦର୍ଶନ କରିଥିଲେ । ପ୍ରକୃତରେ ଏହା ତିନୋଟି ଫଟୋର ସମାହାର । ପ୍ରଥମ ଫଟୋରେ ଆଇ ୱେଇୱେଇ କଳସକୁ ଧରିଛନ୍ତି । ଦ୍ୱିତୀୟ ଫଟୋରେ କଳସକୁ ହାତରୁ ଖସେଇ ଦେଇଛନ୍ତି, ଯେଉଁଥିରେ କଳସ ଶୂନ୍ୟରେ ଅଛି ଓ ତୃତୀୟ ଫଟୋରେ କଳସଟି ତଳେ ପଡି ଭାଙ୍ଗିଯାଇଛି ।

ସମକାଳର କଳା ଦୁନିଆରେ ଚୀନ୍ ର ଶିଳ୍ପୀ ଆଇ ୱେଇୱେଇ ବେଶ ଜଣେ ଚର୍ଚ୍ଚିତ ଓ ବିବାଦୀୟ ବ୍ୟକ୍ତିତ୍ୱ । ଏଯାଏଁ ପ୍ରାୟ ସାତ ଶହରୁ ଅଧିକ ପ୍ରଦର୍ଶନୀରେ ଭାଗ ନେଇସାରିଥିବା ୱେଇୱେଇ ନିଜ ଦେଶ ବାହାରେ ଯେତିକି ଚର୍ଚ୍ଚିତ, ନିଜ ଦେଶ ଭିତରେ ସେତିକି ବିବାଦୀୟ । ସରକାରଙ୍କ ନୀତି ନିୟମ ଓ କାର୍ଯ୍ୟପନ୍ଥାକୁ ଖୋଲାଖୋଲି ବିରୋଧ ଓ ସମାଲୋଚନା କରିବା କାରଣରୁ ତାଙ୍କୁ ବିଭିନ୍ନ ପ୍ରକାରର ଶାରିରୀକ ଓ ମାନସିକ ଅତ୍ୟାଚାରର ସମ୍ମୁଖୀନ ହେବାକୁ ହେଇଛି । ସରକାରୀ ପୋଲିସଙ୍କ ପାଖରୁ ପିଟା ଖାଇ ମରଣ ମୁହଁରୁ ଡାକ୍ତର ଓ ଭାଗ୍ୟବଳରୁ ବଞ୍ଚି ଯାଇଥିଲେ ।

ଆଇ ୱେଇୱେଇଙ୍କ ଜନ୍ମ ବେଜିଂ ସହରରେ ୧୯୫୭ ମସିହାରେ ହେଇଥିଲା । ବାପା ତାଙ୍କର ବିଖ୍ୟାତ କବି ଆଇ କ୍ୱିଙ୍ଗ୍ । ଚୀନ୍ ରେ ମାଓସେ ତୁଂ କ୍ଷମତାକୁ ଆସିବା ପରେ ତାଙ୍କୁ ବିରୋଧ କରୁଥିବା କବି ଆଇ କ୍ୱିଙ୍ଗ୍ ଓ ତାଙ୍କ ପରିବାରକୁ ଦଣ୍ଡ ବିଧାନ ସ୍ୱରୂପ ଦେଶର ଦକ୍ଷିଣ ସୀମାନ୍ତ ଅଞ୍ଚଳକୁ ଦେଶାନ୍ତରେ ପଠାଇ ଦିଆଯାଇଥିଲା । ଆଇ ୱେଇୱେଇଙ୍କ ପିଲାଦିନ ସେଇଠି ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ବଡ କଷ୍ଟରେ କଟିଥିଲା । ୧୯୭୬ରେ ମାଓସେ ତୁଂଙ୍କ ମୃତ୍ୟୁ ପରେ ଯାଇ ସେମାନେ ନିଜ ଘରକୁ ଫେରିଥିଲେ ।

୧୯୮୧ରେ ଆଇ ୱେଇୱେଇ ନ୍ୟୁୟର୍କ ବାହାରି ଯାଇଥିଲେ ଓ ବାପାଙ୍କ ଦେହ ଖରାପ ଖବର ପାଇଲା ପରେ ୧୯୯୩ରେ ଯାଇ ଦେଶକୁ ଫେରିଥିଲେ । କମ୍ୟୁନିଷ୍ଟ ଚୀନ୍ ରେ ମାନବାଧିକାର ଉଲ୍ଲଂଘନ ବିରୋଧରେ ଓ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ସ୍ୱର ଉଠାଉଥିବାରୁ ତାଙ୍କୁ ବାରବାର ରାଜଦ୍ୱେଷର ଶିକାର ହେବାକୁ ପଡିଛି । ୨୦୦୮ ମସିହାରେ ଚୀନ୍ ରେ ହେଇଥିବା ପ୍ରଳୟଙ୍କରୀ ଭୂମିକମ୍ପରେ ଗୋଟେ ସ୍କୁଲ୍ ଘର ଭାଙ୍ଗି ଯିବାରୁ ଶହ ଶହ କୁନି କୁନି ପିଲା ମୃତ୍ୟୁମୁଖରେ ପଡିଥିଲେ । ସରକାର ସମବେଦନା ଦେବା ଓ ନିମ୍ନ ମାନର ସ୍କୁଲ୍ ଘର ତିଆରିର ତଦନ୍ତ ବଦଳରେ ପ୍ରକୃତ ମୃତ୍ୟୁ ସଂଖ୍ୟା ଲୁଚେଇବାରେ ଲାଗିପଡିଥିଲା । ଆଇ ୱେଇୱେଇ ବ୍ୟକ୍ତିଗତ ଭାବରେ ଘଟଣାର ଅନୁସନ୍ଧାନ କରି ପ୍ରକୃତ ସଂଖ୍ୟା ପ୍ରକାଶ କରି ସରକାରଙ୍କ ଚାଲାକି ଧରାପକେଇଥିଲେ । ଯେମିତି ଆମର ଦେଶର ସରକାର ଏଠି କରୋନା ସମୟରେ କରୋନା ମୃତ୍ୟୁର ପ୍ରକୃତ ସଂଖ୍ୟାକୁ ଲୁଚେଇ ଡବ୍ଲ୍ୟୁ.ଏଚ୍.ଓ ଦ୍ୱାରା ଧରାପଡି ବିଶ୍ୱ ଦରବାର ଆଗରେ ଅପଦସ୍ଥ ହେଇଥିଲେ । ସେଥିପାଇଁ ସରକାର ତାଙ୍କୁ ଗିରଫ କରି ଏକାଅଶୀ ଦିନ ଜେଲରେ ରଖିଥିଲା ଓ ଅନ୍ୟ ଦେଶମାନଙ୍କ ଚାପ ପରେ ମୁକ୍ତ କରିଥିଲା ।

ଆଗରୁ ୧୯୯୪ରେ ଆଇ ୱେଇୱେଇ ହାନ୍ ସମୟର ଏକ କଳସରେ କୋକାକୋଲା ଲେଖି ଚର୍ଚ୍ଚାକୁ ଆସିଥିଲେ । ସେ ଯେବେ ନ୍ୟୁୟର୍କରେ ଥିଲେ ସେବେ ଡାଡା ଶିଳ୍ପୀ ମାର୍ସଲ ଦୁସଁଙ୍କ ରେଡିମେଡ୍ ଦର୍ଶନ ଦ୍ୱାରା ପ୍ରଭାବିତ ହେଇଯାଇଥିଲେ । ସବୁଦିନିଆ ସାଧାରଣ ଚିଜକୁ ନେଇ ଅର୍ଥପୂର୍ଣ୍ଣ କଳାକୃତି ତିଆରି କରାଯାଇପାରେ ଏନେଇ ଚିନ୍ତା କରିଥିଲେ । ପରେ ଏମିତି ଏକ ପ୍ରାଚୀନ କଳସ ବା ଜାର୍ କୁ ଆଣି ଭାଙ୍ଗିବା କାମକୁ ସେ କଲଚରାଲ୍ ରେଡିମେଡ୍ କହିଥିଲେ । ଚୀନ୍ ଇତିହାସରେ ହାନ୍ ରାଜତ୍ୱ ସମୟକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଏ । ତେଣୁ ସେହି ସମୟର ପ୍ରତୀକ ଭାବରେ ସେଇ ସମୟର ପୁରୁଣା କଳସକୁ ନିଜ ପାଦ ପାଖରେ ପକେଇ ଭାଙ୍ଗିଦେବା ଏକ ଦେଶର ସାଂସ୍କୃତିକ ଉତ୍ତରାଧିକାରକୁ ସ୍ୱୀକାର ନକରିବାର ପ୍ରକ୍ରିୟା ଭାବରେ ଗ୍ରହଣ କରାଯାଇପାରେ । ଏଠାରେ ସଂସ୍କୃତି, ସାଂସ୍କୃତିକ ମୂଲ୍ୟବୋଧର ନିର୍ମାଣ ଓ ମୂଲ୍ୟାୟନ କିଏ କରୁଛି ଓ କେମିତି ଧାର୍ଯ୍ୟ କରାଯାଉଛି ସେ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଶିଳ୍ପୀ ।

ୱେଇୱେଇଙ୍କ କାମଟି କିନ୍ତୁ ଅନେକଙ୍କୁ ପସନ୍ଦ ହେଲାନି । ସେମାନେ ଏହାକୁ ଏକ ଧ୍ୱଂସାତ୍ମକ କାର୍ଯ୍ୟ ଭାବରେ ଗ୍ରହଣ କରି ଶିଳ୍ପୀଙ୍କୁ ସମାଲୋଚନା କଲେ । ୱେଇୱେଇ ସମାଲୋଚକମାନଙ୍କୁ ଉତ୍ତରରେ ୧୯୬୬ - ୭୬ରେ ଚୀନର ମାଓଙ୍କ ସାଂସ୍କୃତିକ ବିପ୍ଳବ କଥା ମନେପକେଇଦେଲେ । ସେତେବେଳେ କୁହାଯାଇଥିଲା ନୂଆ ସମାଜ ଗଠନ କରିବାକୁ ହେଲେ ପୁରୁଣା ରୀତିନୀତି, ପୁରୁଣା ଅଭ୍ୟାସ ଓ ପୁରୁଣା ସାଂସ୍କୃତିକ ଓ ପୁରୁଣାକାଳିଆ ବିଚାରକୁ ଛାଡିଦେବାକୁ ହେବ । କମ୍ୟୁନିଷ୍ଟ ଚୀନ୍ ଓ ମାଓଙ୍କୁ ଏତେ ଚମତ୍କାର ଓ କଳାତ୍ମକ ଭାବରେ ଆଗରୁ କେହି ସମାଲୋଚନା କରିନଥିଲେ । ମାଓଙ୍କ ନିର୍ଦ୍ଦେଶରେ କମ୍ୟୁନିଷ୍ଟ ଚୀନ୍ ରେ କିଛି କମ୍ ପୁରୁଣା ଜିନିଷକୁ ନଷ୍ଟ କରାଯାଇନି ।

ଆଇ ୱେଇୱେଇ ଏଇଠି ଦୁଇହଜାର ବର୍ଷ ତଳର ଜଣେ କଳାକାରଙ୍କ ସହ ଏକାବେଳେ ସମ୍ପର୍କ ଯୋଡିଛନ୍ତି ଓ ସମ୍ପର୍କ ଛିଡାଇଛନ୍ତି । ସେମିତି ଦେଖିଲେ ଆଇ ୱେଇୱେଇ ତାଙ୍କର ଏହି କଳାକର୍ମରେ, ପୁରୁଣା କଳସଟି ପୁରୁଣା ବୋଲି ପ୍ରକୃତରେ ଯେତିକି ଗୁରୁତ୍ୱପୂର୍ଣ୍ଣ ଥିଲା ତାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ , ବିଖ୍ୟାତ ଓ ଅର୍ଥପୂର୍ଣ୍ଣ କରିଦେଇଛନ୍ତି । ସତକଥା ଯେ, ଯେତେ ଭଲରେ ସେ କଳସକୁ ସଂରକ୍ଷଣ କରିଥିଲେ ମଧ୍ୟ ତାହା ଏତେ ଆଲୋଚିତ ହେଇନଥା'ନ୍ତା । ଆଇ ୱେଇୱେଇ ନିଜକୁ ଜଣେ ଶିଳ୍ପୀ ଅପେକ୍ଷା ଜଣେ ଜନପକ୍ଷରେ ଛିଡା ହୋଇଥିବା ରାଜନୈତିକ କର୍ମୀ ଭାବରେ ପରିଚିତ ହେବାକୁ ଅଧିକ ପସନ୍ଦ କରନ୍ତି ।

ଅନେକ ବିଶ୍ୱାସ କରନ୍ତି ଯେ, ଆଇ ସତସତିକା ଦୁଇ ହଜାର ବର୍ଷ ତଳର ପୁରୁଣା କଳସକୁ ଭାଙ୍ଗିନାହାନ୍ତି । ଅବିକଳ ସେମିତିକା ଦିଶୁଥିବା ଏକ ନକଲି କଳସ ଭାଙ୍ଗିଛନ୍ତି । ବିଦେଶରେ ଅନେକ ଦିନ ରହିଲା ପରେ ସେ ଚୀନ୍ ଫେରି ଏମିତି କିଛି କଳା ସୃଷ୍ଟି କରିଥିଲେ ଯାହା ପୁରାତତ୍ତ୍ୱର ଧ୍ୱଂସ ଓ ପୁରାତତ୍ତ୍ୱର ସଂରକ୍ଷଣ ବିଷୟରେ ଚିନ୍ତା କରିବାକୁ ବାଧ୍ୟ କରୁଥିଲା । ତା ସହ ସେ ଏନେଇ କଳାକାରର ଭୂମିକା ଓ ପୁରାତନ କଳାକୃତିର ଚୋରୀ ବିଷୟରେ ମଧ୍ୟ ସଚେତନ କରାଇଥିଲେ ।

ଭାରତର ଆଜିର ରାଜନୈତିକ ଓ ସାଂସ୍କୃତିକ ପରିସ୍ଥିତି ଓ ପ୍ରସଙ୍ଗରେ ଆଇ ୱେଇୱେଇଙ୍କ ଏଇ କାମଟିକୁ ସହଜରେ ବୁଝିହେବ । ଯଦିଓ ଭାରତରେ ସରକାରଙ୍କୁ ସମାଲୋଚନା କରିବା ଓ ସରକାରଙ୍କ ଭୁଲ୍ କୁ ଭୁଲ୍ ବୋଲି କହିବା ପାଇଁ ଆମ ଚିତ୍ରଶିଳ୍ପୀମାନେ ପସନ୍ଦ କରନ୍ତିନି । ସେମାନେ ସରକାରଙ୍କ ପକ୍ଷ ନିଅନ୍ତି ଅବା ନିରାପଦ ଦୂରରେ ରହି ନୀରବ ରହିବାକୁ ଅଧିକ ପସନ୍ଦ କରନ୍ତି । ଆମର ଆଜିର ଭାରତରେ ପୁରାଣ, ପୁରାତତ୍ତ୍ୱ, ସଂସ୍କୃତି, ଧର୍ମ ଓ ନବ୍ୟ ଜାତୀୟତାବୋଧର ଯେଉଁ ଅର୍ଥ ଅର୍ଥାନ୍ତର ଚାଲିଛି ସେଠି ସବୁକିଛି ଗୋଳିଆମିଶା ହେଇସାରିଛି । ଇତିହାସକୁ ବଦଳାଇ ଦିଆଯାଉଛି । କରିଡର ତିଆରି ନାମରେ ପୁରୁଣା ଘରମାନଙ୍କୁ ଭାଙ୍ଗିପକାଯାଇଛି । କିନ୍ତୁ ଏସବୁ ଘଟଣା ଆମ କଳାକାର ଓ କଳାରାଜ୍ୟ ପାଇଁ କୌଣସି ଆଲୋଡନ ତିଆରି କରିପାରୁନି ।

୨୦୧୫ରେ ଚୀନ୍ ରୁ ବିଦେଶ ଯିବା ପାଇଁ ଅନୁମତି ପାଇଲା ପରେ ଆଇ ୱେଇୱେଇ ଜର୍ମାନୀର ବର୍ଲିନରେ ରହୁଥିଲେ, ତାପରେ ଇଂଲଣ୍ଡରେ ଓ ଏବେ ୨୦୨୧ରୁ ସପରିବାର ପର୍ତ୍ତୁଗାଲ୍ ରେ ରହୁଛନ୍ତି ।

Report an Error