ସ୍ୱପ୍ନମାତୃକା

ସ୍ୱପ୍ନଭୂମିର ଆଖି ରୁଟି ପରି ଗୋଲ ଗୋଲ - କଳ୍ପନା ଓ ବାସ୍ତବତାର ଏକ ଚମକପ୍ରଦ କବିତା ।


ଏଇ ଚାଲିବା ଯଦି ସତ
ଶହ ଶହ ମୃତ୍ୟୁରେ ଭରା ବାଟଘାଟ
କାଳରେ ନୁହେଁ ବା ରୋଗରେ ନୁହେଁ
ଭୋକଶୋଷରେ ଆଶ୍ରୟ ଛୁଇଁବା ଯାତ୍ରାରେ
ତାହେଲେ ସ୍ୱପ୍ନ ଚାଲି ଶିଖିନି ଏଯାଏ ।

ଦୁଇଶହ ଛଅଖଣ୍ଡ ହାଡ଼ କେମିତି ଉଭାନ କରାଯିବ
ଗବେଷଣା ଯୋଜନାରେ ଅପଚୟ ଶକ୍ତି
ତାହେଲେ ସ୍ୱପ୍ନ ଏଯାଏ ଫିଟାଇନି ଆଖି ।

ମୁଠାଏ ଅନ୍ନ, ପୋଷେ କ୍ଷୀର, ସ୍ୱାସ୍ଥ୍ୟ ସମ୍ମତ ଜୀବନର
ପ୍ରତିଶ୍ରୁତି ଯଦି ରଖିପାରିନି
ସ୍ୱପ୍ନ ଜନ୍ମ ହୋଇନି ଏଯାଏ ।

କାହାର ଜନ୍ମଦିନ ପାଳୁଛ ତୁମେ, କାହାର ସ୍ୱାଧୀନତା
ଯେଉଁଠି, ମାଟିର ମଣିଷ ପୋକମାଛି
ଆକାଶେ ଉଡ଼ିବା ପାଇଁ ଅନିଃଶେଷ ଜଳୁଛି
ଲାଲ ନୀଳ ହଳଦିଆରଂଗର ସୀମାରେଖା ପୋଛି
କ୍ଷମତାର ଯେତେକ ମହାବତୀ ।

ସ୍ୱପ୍ନଭୂମି କହିଲେ ଧନୁର୍ଦ୍ଧାରୀ ଶବ୍ଦ ନୁହେଁ
ନିର୍ଦ୍ଦିଷ୍ଟ ସମୟରେ ଉଡ଼ିପାରୁଥିବା ପତାକା ନୁହେଁ ।

ସ୍ୱପ୍ନଭୂମିର ଆଖି ରୁଟି ପରି ଗୋଲ ଗୋଲ
ଯାହାକୁ ସ୍ପଷ୍ଟ ଦିଶେ କେଉଁଠି ଶୋଇଛି
ଭୋକିଲା ଅଂଧାରରେ ଅବୟବ
କାହାର ନୁଖୁରା ଦେହ ।

ସ୍ୱପ୍ନମାତୃକା ତୋ ଶବ୍ଦର ଭରା ଗଣ୍ଡୁଷ ପାଇଁ
ପାତିଛି ମୋର ଓଠ ।

Report an Error