ସୁଖଦୁଃଖ

ଏ ଗପ ଷାଠିଏ ଓ ସତୁରୀ ଦଶକର ଓଡିଆ ଗ୍ରାମ୍ୟ ଜୀବନର ବାସ୍ତବ ଘଟଣା ଉପରେ ଆଧାରିତ । ଏହି ଗପସବୁକୁ ଗାଳ୍ପିକ ଯଦୁନାଥ ପଣ୍ଡା "ମାୟାବତୀ ଗାଁର ଗପ" ଶୀର୍ଷକରେ ପ୍ରକାଶିତ କରିଥିଲେ । ଓଡିଶାର ସାମାଜିକ ଓ ସାଂସ୍କୃତିକ ଜୀବନର ବାସ୍ତବତାକୁ ନେଇ ଏ ଗପ ସବୁ ଅନନ୍ୟ; ଉଭୟ ଭାବ ଓ ଶୈଳୀ ଦୃଷ୍ଟିରୁ ।


ଉଭୟ କୋଇଲି ଆଉ ବାସନ୍ତୀ ନୂଆ’ଉଙ୍କ ଦେହ ଖରାପ, ଦିହେଁ ଶକ୍ତ ବେମାର । କି ସଂଯୋଗ ସାଙ୍ଗକୁ କି ଦୁର୍ଯୋଗ ବି ଦେଖ ।

ଚାକିରି ଜାଗାରୁ ଛ’ ମାସ ପରେ ଗାଁକୁ ଫେରିଥିଲା ମୂରଲୀ । ଘରେ ପାଦ ଦଉଦଉ କଥାଟା ତା’ କାନରେ ବାଜିଲା । ମନଟା ତା’ର ହାଇଁପାଇଁ ହେଲା । ସେମାନଙ୍କୁ ଟିକେ ଦେଖିଆସିବା ପାଇଁ ସେ ତାଙ୍କ ଘରକୁ ଦଉଡିଲା ।

ବାସନ୍ତୀ ନୂଆ’ଉ ତାଙ୍କ ଗାଁକୁ ବୋହୂ ହୋଇ ଆସିଥିଲା କାହିଁ କେତେ ବର୍ଷ ତଳୁ; ମୂରଲୀ କି ସେତେବେଳକୁ ସାତ କି ଆଠ ବର୍ଷ । ତାଙ୍କ ଜାତି, ଗୋତ୍ର କି କୁଟୁମ୍ବର ନହେଲେ ବି ତା’ ଶାଶୁଘର ସାଙ୍ଗେ ମୂରଲୀ ଘରର ପୁରୁଷ ପୁରୁଷ ଧରି ନିବିଡ଼ ସମ୍ପର୍କ, ତାଙ୍କର ପଡ଼ିଶା ସେମାନେ । ତା’ ଶଶୁର ଲେଖାଯୋଖାରେ ମୂରଲୀର ବଡ଼ବାପା, ତା’ ଗେରସ୍ତ ଗୌର ଭାଇ ମୂରଲୀର ବଡ଼ଭାଇ ଭଳି । ତା ସବା ସାନ ଦିଅର ପେଟୁ ମୂରଲୀର ଜିଗରଲଗା ଦୋସ୍ତ । ପେଟୁ ଆଉ ମୂରଲୀ କେତେବେଳେ ତାଙ୍କ ଘରେ ଖାଇଲେ ୟାଙ୍କ ଘରେ ଆସି ହାତଧୁଅନ୍ତି ତ ୟାଙ୍କ ଘରେ ଖାଇଲେ ତାଙ୍କ ଘରେ ଯାଇ ଶୁଅନ୍ତି । ସେମାନେ ଖାଆନ୍ତି ଏକାଠି, ଖେଳନ୍ତି ଏକାଠି, ପାଠ ପଢନ୍ତି ଏକାଠି ଆଉ ହଗିଯିବା ବାହାନାରେ ସ୍କୁଲରୁ ଉଭାନ ହେଇ ଯାଆନ୍ତି ବି ଏକାଠି । ବାସନ୍ତୀ ନୂଆ’ଉର ବାହାଘର ପରେ ସେମାନଙ୍କ ସାଙ୍ଗକୁ ଆସି ଜୁଟିଲା ତା’ ସାନ ଭାଇଟା, ସୁର । ସେମାନଙ୍କ ବୟସର; ବଗୁଲିଆମିରେ ଗଛ ଚଲେଇ ଦବ, ବେଧଙ୍କ ବିହନ, ପୂରା ଓଳିଆରୁ ଗଜା । ତା’ପରେ ସେ ତିନି ଜଣ ହେଲେ ଏ ସସାଗରା ଧରାର ସର୍ଜନ, ପାଳନ ଆଉ ସଂହାର କର୍ତ୍ତା । ଆକାଶ ବତାଶ ବି ସେମାନଙ୍କୁ ଦେଖି ଶଙ୍କା ପାଇଲେ, ଛାର ଧୂଳି ମାଟି କଥା ତ ଛାଡ଼; ବାସୁକି ଟଳିଲା କି ମେଦିନୀ କମ୍ପିଲା ! ପାଣିରେ ବୁଡ଼ିବା, ଗଛରେ ଚଢ଼ିବା, କେତେବେଳେ କଣ ଭାଙ୍ଗିବା ପୁଣି କେତେବେଳେ କଣ ଗଢ଼ିବା, କାହା ବାରିରୁ କଣ ଲୁଟିବା, କୋଉ ଗଛ କାଟିବା - ସବୁ କଥାରେ ସେମାନେ ହେଲେ ସେମାନଙ୍କ ମର୍ଜିର଼ ମାଲିକ ।

ବାସନ୍ତୀ ନୂଆ’ଉକୁ ନୂଆ ଭାଉଜଟେ ପାଇ ସେମାନେ ଯେମିତି ନୂଆ ଖେଳନାଟେ ପାଇଥିଲେ, ତାଙ୍କ ମନ ଇଚ୍ଛା ତାକୁ ସେମାନେ ବସେଇବେ, ଉଠେଇବେ, ନଚେଇବେ କି ଖେଳେଇବେ । ସେ ବି ସେମିତି ସେମାନଙ୍କ କଳ - କଣ୍ଢେଇ ସାଜି ହୁକୁମ ତାମିଲ କରିବାରେ ଭାରି ଖୁସି ହଉଥିଲା । ତା’ ସାଙ୍ଗେ ହସଖୁସି ଗମାତ୍ର ଏକ ମଧୁମୟ ସ୍ୱପ୍ନିଳ ଆବେଶ ଭିତରେ ମାତି ରହୁଥିଲେ ସେମାନେ । ନୂଆନୂଆ ବେଳେ ସେମାନେ ବାସନ୍ତୀ ନୂଆ’ଉକୁ ତାଙ୍କର ପାରିବା ପଣିଆ ଦେଖେଇ କେତେ ଯେ ହଇରାଣ ନକରିଛନ୍ତି ! ଗାଁ ପୋଖରୀରେ ଗାଧୋଉ ଥିଲାବେଳେ ଆରପଟରୁ ବୁଡ଼ା ପହଁରା ଦେଇ କିଏ ଗୋଟେ ପାଣି ତଳେ କୁମ୍ଭୀର ହେଇ ଆସି ତା’ ଗୋଡ଼ ଦିଟାକୁ ଘୋଷାରିବ । ସେ ହାଉଳି ଖାଇ ପାଣିରେ ପଡ଼ି ଯାଇ ପାଣି ଢୋକେ ପିଇ ଗଲା ବେଳକୁ ପାଖ ଗଛ ଉପରେ ବସିଥିବା ଆର ଜଣକ ଗଜ ଉଦ୍ଧାରଣ ଢଙ୍ଗରେ, କଣ ହେଲା କଣ ହେଲା ବୋଲି କହି ମାରିବ ଡିଆଁ ସିଧା ପୋଖରୀ ଭିତରକୁ, ତାକୁ ଉଦ୍ଧାର କରିବାକୁ । ପୋଖରୀ ଭିତରେ ଲାଗିଯିବ ପେଟୁର ଆଉ ମୂରଲୀର ଜଳ ଯୁଦ୍ଧ, ପହଁରା ପହଁରି, ବୁଡ଼ା ବୁଡ଼ି । ୟା ଭିତରେ ବାସନ୍ତୀ ନୂଆ’ଉ ଗାଧେଇ ପାଧେଇ ଘରକୁ ପଳେଇ ଆସିଥିବ । ଆକ୍ତାମାକ୍ତା ହେଇ ସେମାନେ ଘରକୁ ଫେରିଲାବେଳକୁ ବାସନ୍ତୀ ନୂଆ’ଉ ବାଢ଼ି ଦବ ପଖାଳ, ବାଇଗଣ ପୋଡ଼ା ଆଉ ସାଲମା ଚଟଣି ।

ବାସନ୍ତୀ ନୂଆ’ଉର ରାନ୍ଧଣାଟା ମାତ୍ ଦେଲା ଭଳି । ହାତ ଚାଟି ଭାତ ଖାଇବ । ସେଇଥିପାଇଁ ସାଇପଡ଼ିଶାରେ ଅଳ୍ପ କେଇଦିନ ଭିତରେ ବାସନ୍ତୀ ନୂଆ’ଉର ନାଁ ଡାକ ହେଲା । ପୁନେଇ, ପରବ, ବାହା ପୁଆଣିରେ ସବୁ ଘରେ ଆଗ ଡାକ ବାସନ୍ତୀ ନୂଆ’ଉ ।

ପର ବର୍ଷକୁ ବାହାଘର ହେଲା ଗୌର ଭାଇର ସାନ ଭାଇ ନିତେଇ ଭାଇର । ଘରକୁ ଆସିଲା କୋଇଲି ନୂଆ’ଉ । ସେମାନଙ୍କର ଗମାତ୍ ଦି’ଗୁଣ ବଢ଼ିଲା । ବାସନ୍ତୀ ନୂଆ’ଉ ରୋଷେଇବାସ କି ଘର କାମକୁ ଧୂରନ୍ଧର ହେଲେ କୋଇଲି ନୂଆ’ଉ ବିଲବାରି, ଧାନ ଚାଉଳ ଉଁଷାଶୁଖା, ଗାଈଗୋରୁ ସମ୍ଭାଳିବାରେ ଭାରି ପାରିବାର । ଜମିବାରି କମ୍ ଥିବାରୁ ଗୌର ଆଉ ନିତେଇ ଭାଇ ପର ଘରେ ମୂଲମଜୁରୀ ଲାଗି ରୋଜଗାର କରନ୍ତି । ତାଙ୍କର ଯାହା ଜମିବାରି ସାତଆଠ ଗୁଣ୍ଠ ଥିଲା ତାକୁ ତାଙ୍କ ବାପା ଚାଷବାସ କରେ । ବୁଢ଼ାକୁ ବି ବହୁତ ବୟସ ହେଲାଣି । ଆସ୍ତେଆସ୍ତେ ବାସନ୍ତୀ ନୂଆ’ଉ, କୋଇଲି ନୂଆ’ଉ ବି ବାହାରକୁ ବାହାରି ପଡ଼ିଶା ଘରର ଧାନ ଉଁଷାଶୁଖା, ଚାଉଳ କୁଟା, ଇତ୍ୟାଦି କାମ କଲେ । ସେତେବେଳେ ତ ଆଉ ହଲର ମେସିନ ଆସି ନଥିଲା । ସବୁ ଧାନ ଢେଙ୍କିରେ କୁଟ, ଚାଉଳ ପାଛୋଡ଼, କୁଣ୍ଡା ବାହାରକର ଏମିତି କେତେ କାମ । ସେମାନଙ୍କ ସଂସାର ଏମିତି ଦୁଃଖସୁଖରେ ଚଳି ଯାଉଥିଲା । ସେତେବେଳକୁ ବାସନ୍ତୀ ନୂଆ’ଉ ଗୋଟେ ପୁଅ, ଗୋଟେ ଝିଅ ଆଉ କୋଇଲି ନୂଆ’ଉ ଦିଇଟା ପୁଅର ମାଆ ବନି ଯାଇଥିଲେ ।

ଏଇବେଳକୁ ତାଙ୍କ ଶଶୁରବୁଢ଼ା ବେମାର ପଡ଼ି ବଡ଼ ଘାଣ୍ଟି ଚକଟି ହେଇ ଚାଲିଗଲା । ପର ସନକୁ ସେମିତି ଶାଶୁବୁଢ଼ୀ ବି ବାଟ କାଟିଲା ।

ଆସ୍ତେଆସ୍ତେ ସବୁ ଘର ଭଳି ତାଙ୍କ ଘରେ ବି ମନ ଫଟାଫଟି ଆରମ୍ଭ ହେଲା । ବିଶେଷ କରି ଦି’ ବୋହୂଙ୍କ ଭିତରେ ଝିଟିମିଟିଟା ଦିନକୁ ଦିନ ବଢ଼ିବାରେ ଲାଗିଲା । କଥା ବେଳେବେଳେ ଏମିତି ଆଡ଼କୁ ଗଲା ଯେ ଦି’ ବୋହୂ ତାଙ୍କ ବାପଘରର ଗୋଇ ଖୋଳାଖୋଳି ବି ହେଲେ; କାହା ବାପ ଘରର ଖାନଦାନୀ କେତେ, ଜମିବାରି କେତେ, ନାମ - ବଦନାମ କଣ - ଏମିତି କେତେ କଥା, ମୁହେଁମୁହେଁ ନହେଲେ ବି ସାଇପଡ଼ିଶାଙ୍କ ପାଖରେ । ତିକ୍ତତାଟା ଆଗକୁ ଯିବା ପୂର୍ବରୁ ଦି’ଭାଇ ଗାଁର ମୁରବୀମାନଙ୍କୁ ବସେଇ ଭିନେ ହେଇଗଲେ । ଅବିବାହିତ ପେଟୁ କଲିକତା ପଳେଇଲା ପେଟ ପୋଷିବା ପାଇଁ ।

କିନ୍ତୁ ମୂରଲୀ ଘର ସାଙ୍ଗେ ସେମାନଙ୍କ ସମ୍ପର୍କ ପୂର୍ବ ପରି ନିବିଡ଼ ରହିଲା । ସେମାନଙ୍କ ପିଲାମାନଙ୍କର ମୂରଲୀ ଥିଲା ଆଦ୍ୟ ଅବୈତନିକ ଘରୋଇ ଶିକ୍ଷା ଗୁରୁ । ସମସ୍ତଙ୍କର ଅକ୍ଷର ଶିକ୍ଷା ତା’ରି ପାଖରୁ ହିଁ ଆରମ୍ଭ ।

ଏ ଭିତରେ ବାସନ୍ତୀ ନୂଆ’ଉର ପରିବାର ଉପରେ ପଡ଼ିଲା ଚଡ଼କ । ଗୌର ଭାଇ ପଳେଇଥିଲା କଲିକତା, ଚାଷକାମ ନଥିଲାବେଳେ ସେଠି ଜଳଭାରି କାମକରି କିଛି ଅଧିକ ରୋଜଗାର କରିବାକୁ । ପାଣିଭାର ଧରି ତିନି ମହଲାକୁ ଚଢ଼ୁଚଢ଼ୁ ଗୋଡ଼ ଖସିଗଲା ଯେ ପାହାଚତଳକୁ ଗଡ଼ିଗଡ଼ି ଆସି ଅଣ୍ଟା ଜଖମ ହେଇଗଲା । ଆଉ କାମ କରିବା ତ ଦୂରର କଥା ଚାଲିବୁଲି ବି ପାରିଲାନି, କତରାଲଗା ହେଇ ପଡ଼ି ରହିଲା । ବାସନ୍ତୀ ନୂଆ’ଉକୁ ଚାରିଆଡ଼ ଅନ୍ଧାର ଦେଖାଗଲା । ଝୁଲି ଧରି ଭିକମାଗିବା ବ୍ୟତୀତ ଅନ୍ୟ ଉପାୟ ନଥିଲା । କ଼ିନ୍ତୁ ହିମ୍ମତ ଧରି ସିଏ ବାହାରକୁ ଗୋଡ଼ କାଢ଼ିଲା । ଘର ପାଇଟି, ଛେଳିଗୋରୁ ସାମ୍ଭାଳିବା ସାଙ୍ଗକୁ ବିଲବାରିରେ ବି କାମ କରିବାକୁ ଗଲା । ପ୍ରଥମେ ନିଜ ଜମି ଦି’ଗୁଣ୍ଠରୁ ଆରମ୍ଭ କରି ପର ବିଲବାରିରେ ବି ମୂଲ ଲାଗିଆଣି ପରିବାରର ଗୁଜୁରାଣ ମେଣ୍ଟେଇଲା । ଘରେ, ବିଛଣାରୁ ଘୁଷୁରିଘୁଷୁରି ଯାଇ ପିଲା ଦିଇଟାଙ୍କୁ ନିତେଇ ଭାଇ କୌଣସି ମତେ ସମ୍ଭାଳିଲା । ବେଳେବେଳେ ସାନ ପିଲା ଦିଇଟାଙ୍କୁ ହିଡ଼ ଉପରେ ଛତା ତଳେ ଶୁଏଇ ଦେଇ ବିଲରେ କାମ କରେ ବାସନ୍ତୀ ନୂଆ’ଉ ।

କୋଇଲି ନୂଆ’ଉ ବି ସେମିତି କାମଦାମ କରି, ଛେଳିଗୋରୁ କରି ନିଜ ପରିବାର ଚଳେଇ ନଉଥିଲା । ତା’ ଗେରସ୍ତ ପରଘରେ ମୂଲ ମଜୁରୀ ଲାଗେ । ଦି’ ପରିବାରଙ୍କ ଭିତରେ ଥିଲା କାମଚଳା ସମ୍ପର୍କ । ଦି’ ଯାଆଙ୍କ ଭିତରେ ଉପରେ ଉପରେ କଥାବାର୍ତ୍ତା ଥିଲେ ବି ଭିତରେ ଭିତରେ ମୁହଁ ମୋଡ଼ାମୋଡ଼ି ।

ଏ ଭିତରେ ମୂରଲୀ ପାଠ ପଢ଼ିବାକୁ ଘର ଛାଡ଼ି ଦୂର ସହରକୁ ଗଲା । ଘରକୁ ଗଲେ ସେମାନଙ୍କ ସାଙ୍ଗେ ଦେଖା ହୁଏ । ଏତେ ଦୁଃଖ, ଅଭାବ ଅନଟନ, ପରସ୍ପର ଭିତରେ ମନାନ୍ତର ଭିତରେ ବି ତାକୁ ଦେଖିଲେ ଉଭୟଙ୍କର ସେମିତି ଉଚ୍ଛଳ ଥଟ୍ଟା ତାମସା, ଗମାତ, ସତେ ଯେମିତି କିଛି ଘଟିନି ଏ ଭିତରେ, କିଛି ଫରକ ନାହିଁ କାଲି ଆଉ ଆଜି ଭିତରେ ।

ଦେଖି ପକେଇଲେ ଉଭୟ ଚିହିଁକି ଉଠିଲା ଭଳି କହି ଉଠିବେ ହେଇ ଆମର ଅପୂର୍ବ ଅଇଲେଣି, ଆଜି କୁଆଡ଼ୁ ସୁରୁଜ ଉଇଁଲା କେଜାଣି ଲୋ ମା । ସେମାନଙ୍କ ପାଖରୁ ଫେରି ଆସିଲା ପରେ ମୂରଲୀ ଭିତରେ କିନ୍ତୁ ଗୋଟେ କୋହ ଉଠେ, ସତେ ଯେମିତି ସେ ଗୋଟେ କଣ ହରେଇ ବସିଛି, ଭାରି ପାଙ୍କାଫାଙ୍କା ଲାଗେ । ହାଏ, ସେମାନଙ୍କ ପରିବାରରେ ସେ ସୁଖର ଦିନ ସବୁ ଫେରି ଆସନ୍ତାକି ! ପେଟୁ ଏବେ କେଉଁଠି କଣ କରୁଚି କେଜାଣି, ସାହସ କରି ପଚାରି ପାରେନା ମୂରଲୀ ।

ଏ ଭିତରେ ମୂରଲୀ ପାଠ ପଢ଼ା ସାରି ସେଇ ସହରରେ ଚାକିରି କଲା । ଚାକିରି ଦାୟରେ ଗାଁ କୁ ଯିବା ଆସିବା ବି ବହୁତ କମିଆସିଲା । ତେବେ ଯେତେବେଳେ ଗଲେ ବି ଦି’ ନୂଆ’ଉଙ୍କ ପାଖରେ ଟିକେ ମୁହଁମାରି, କଥାବାର୍ତ୍ତା ପଦେ ଦି’ପଦ ନ କହିଲେ ମନ ଥୟ ଧରେନି । କୌଣସି ଜରୁରୀ କାମରେ ମୂରଲୀ ସେମାନଙ୍କ ପାଖକୁ ଦିନେ ଦି’ଦିନ ଯାଇ ନ ପାରିଲେ, ତା’ ଆସିବା କଥା ଯଦି ତାଙ୍କ କାନରେ ପଡ଼ିଚି ତ ଆଗପଛ ହେଇ ଦି’ଜଣ ଯାକ ତାଙ୍କ ଘରେ ଆସି ହାଜର ହେବେ ।

"ଆଉ ଲୋ ବାବା ଆମର ଏବେ ସହରିଆ ଦିଅର । ଆଉ ଗରିବ ଭାଉଜ ଘରେ ତାଙ୍କ ପାଦ ପଡ଼ିବନା । କୋଠା ଘରେ, ଫେନ ତଳେ ବସୁଥିବ, ଆମର ଏ ଧୂଳି ମାଟିକୁ ଆଉ ପସନ୍ଦ କରିବନା । କେତେଦିନ ଆଉ ୟେ ଠେଙ୍ଗାଟା ଭଳି ବୁଲୁଥିବ, କୋଉ ନାଗରୀ ଉପରେ ଆଖି ପକେଲଣି ନା ନାହିଁ ! ଯାହା କର ସେ ସହରିଆ, ଚାକିରିଆ ଝିଅ ବାହା ହବନି, ଆମକୁ ନାକ ଟେକିବ । ଆମର ଏଇ ମଫସଲିଆ ଝିଅ ଆମେ ଠିକ୍ କରିଦବୁ, ଆମେ ଗଲେ ଆଇଲେ ସୁଖରେ ଦୁଃଖରେ ଆମକୁ ପଦେ ପଚାରିବ ।”

ଏମିତି ହସ ଖୁସି ଟାହିଟାପରା କରି ନିଜନିଜର ପାଇଟିରେ ସେମାନେ ବାହାରି ଯାଆନ୍ତି । ଗୌର ଭାଇ ଏବେ ଟିକେ ଚାଲବୁଲ କରି ପାରିଲାଣି । କିନ୍ତୁ ଗୌର ଭାଇ ଟିକେ ଭଲ ହେଇ ଆସିଲାବେଳକୁ ନିତେଇ ଭାଇକୁ ଧରି ପକେଇଲା ଅସାଧ୍ୟ ଶୂଳ ବେମାରୀ । ସବୁବେଳେ ପେଟଟାକୁ ଧରି ଗଡ଼ୁଥିବ, କେତେବେଳେ ରକ୍ତ ବାନ୍ତି ତ କେତେବେଳେ ରକ୍ତ ଝାଡ଼ା । କ଼ାମଦାମ ଛାଡ଼ି କତରାଲଗା ହେଇ ପଡ଼ିରହିଲା ଘରେ । ଭୋକ ଉପାସ ରହି, ବେଳ ଅବେଳରେ ଶାଗ ପଖାଳ ଖାଇ ଦେହଟା ବିଗିଡ଼ିଗଲା । ବାସନ୍ତୀ ନୂଆ’ଉର ଅବସ୍ଥା ଟିକେ ସୁଧୁରି ଆସିଲାବେଳକୁ କୋଇଲି ନୂଆ’ଉର ଅବସ୍ଥା ବେହାଲ । ସେ ବି ସେମିତି ବିଲବାରିକୁ ବାହାରି, କାହା ଘର ଗୁହାଳଗୋବର କାମ, ଭୁଜାଖଇ ଭାଜି ତା’ ସଂସାର ଗୁଜୁରାଣ ମେଣ୍ଟଉଥାଏ ।

ସମୟ କ୍ରମେ ତାଙ୍କର ପିଲାମାନେ ବଡ଼ ହେଲେ । କିଛି କିଛି ପାଠ ପଢ଼ିଲେ । ଦୁସ୍ଥ ପାରିବାରିକ ସ୍ଥିତି ଦେଖି ଅଧାରୁ ପାଠରେ ଡୋରିବାନ୍ଧି ଗୁଜୁରାଣ ମେଣ୍ଟେଇବାକୁ କିଛିକିଛି ହାତକାମ ଶିଖିବାକୁ ଆରମ୍ଭ କଲେ । ବାସନ୍ତୀ ନୂଆ’ଉର ପୁଅ ଗିରିଧାରୀ ପାଖ ବଜାରରେ ଲୁହା ୱେଲ୍ଡିଙ୍ଗ ଦୋକାନରେ ହେଲପର ରହି କାମ କରୁକରୁ ନିଜେ କାମ ଶିଖିଲା । ଏବେ ତା’ର ନିଜର ଗୋଟେ ବଡ଼ ଗ୍ରୀଲ ତିଆରି ଦୋକାନ । ଆଠଦଶ ଲୋକ ରଖି ବହୁତ ବଡ଼ ବଡ଼ ଫେବ୍ରିକେସନ କାମର ଠିକା ନିଏ । ଭଲ ପଇସା କମଉଛି । କୋଇଲି ନୂଆ’ଉର ପୁଅ ଦି’ଜଣ ପଥର ଆଉ ମାର୍ବଲର ମୂର୍ତ୍ତି ତିଆରି କାମ ଶିଖି କଣ୍ଟ୍ରାକ୍ଟର ମାର୍ଫତରେ ଗୁଜରାଟ ପଳେଇଥିଲେ, ସେଠିକାର ମନ୍ଦିର କାମ କରିବାକୁ । ଏବେ ନିଜ ପାଖରେ କାରିଗର ରଖି ବାସନକୁସନ ଗଢ଼ିବା ସାଙ୍ଗକୁ ତାଙ୍କ ଅଞ୍ଚଳର ପଥର ଆଉ ମାର୍ବଲ କାରିଗରମାନଙ୍କଠାରୁ ବାସନ ଓ ମୂର୍ତ୍ତି ସଂଗ୍ରହ କରି ବାହାରକୁ ରପ୍ତାନୀ କରୁଛନ୍ତି । ଅଖଳମଖଳ ପଇସା କମଉଛନ୍ତି । ପାଖ ବଜାରରେ ଦି’ଖଣ୍ଡ ଜାଗା କିଣି ବଡ଼ବଡ଼ କୋଠା ତୋଲେଇଲେଣି । କିନ୍ତୁ ବାପ ମା ଗାଁ ଛାଡ଼ି ଯିବାକୁ ରାଜି ହଉ ନଥିବାରୁ ଏଯାକେ ବି ଗାଁରେ ରହିବାକୁ ବାଧ୍ୟ ହଉଛନ୍ତି ।

ଉଭୟ ବାସନ୍ତୀ ଆଉ କୋଇଲି ନୂଆ’ଉଙ୍କର ପିଲାମାନେ ବାହାସାହା ହେଇ ନିଜର ସଂସାର ପାତିଲେଣି । ଘରକୁ ଯୋଗ୍ୟ ବୋହୂମାନେ ବି ଆସିଲେଣି । ସେମାନଙ୍କର ଏବେକାର ସ୍ୱଚ୍ଛଳ ଅବସ୍ଥା ଦେଖି ପୁରୁଣା ଦିନର ସେମାନଙ୍କର ଦୁଃଖର ଦିନଗୁଡ଼ାକ ମନେ ପକେଇ ମୂରଲୀ ଆଖିରେ ଲୁହ ଆସିଯାଏ ।

ଉଭୟ ବାସନ୍ତୀ ଆଉ କୋଇଲି ନୂଆ’ଉଙ୍କ ଦେହ ଖରାପ କଥା ଶୁଣି ମୂରଲୀର ମନଟା ଅଥୟ ହେଲା । ପହିଲେ କୋଇଲି ନୂଆ’ଉ ପାଖରେ ପହଞ୍ଚିଲା ମୂରଲୀ । କୋଇଲି ନୂଆ’ଉ ବିଛଣାରୁ ଉଠି ପାରୁନି । ମୁହଁ ସେତା ପଡ଼ିଯାଇଛି । ରକ୍ତହୀନ ଦେହ । ମୂରଲିକୁ ଦେଖି କଷ୍ଟ କରି ଉଠି ବସିଲା । ଅସୁସ୍ଥତା ସତ୍ତ୍ୱେ ବି ତାର ସେଇମିତି ସରାଗମିଶା ଉଚ୍ଛଳ ଓଦାଓଦା କଥା । ମୂରଲୀର ସବୁ ଭଲ ମନ୍ଦ କଥା ଆଗେ ପଚାରି ପକେଇଲା ।

ମୂରଲୀ ପରିସ୍ଥିତିଟାକୁ ହାଲକା କରିବାକୁ ଟିକେ ଗମାତ କରି ପଚାରିଦେଲା “କିଲୋ କଣ କଥାବାର୍ତ୍ତା ହେଇ ଦି’ଟାଯାକ ବେମାର ପଡ଼ିଚ ନା, ବୋହୂ ମୋଡା଼ଘଷା ଖାଇବାକୁ ପେଖନା କାଢ଼ି ପଡ଼ିଚ ବା ?”

“ହ, ପେଖନା ! ଆଉ ତମକୁ ଦେଖିବି ବୋଲି ମନରେ ପରତେ ନଥିଲାରେ ଭାଇ । ଯାଇ ଥିଲେ ଏତେବେଳକୁ ପୋଡ଼ି ପାଉଁଶ ହୁଅନ୍ତିଣି । ମୋତେ ଯମ ଟାଣୁଚି ବାଡ଼େ ଆଉ ମୋ ପିଲାମାନେ ଟାଣୁଚନ୍ତି ବାଡ଼େ । ଆମ ଗାଁରେ କିଏକିଏ ସବୁ କହିଲେ ହେମେପାଥି ଦେଖାଅ । କିନ୍ତୁ ପିଲାମାନେ କହିଲେ ଆମର କଣ ନାହିଁକି ଯେ ଆମେ ସେ ନିକୁଚ୍ଛିଆ ଚିକିଚ୍ଛା କରେଇବୁ । ପେଟରୁ କାଟି, ନିଜେ ଉପାସ ରହି, ମୁଣ୍ଡ ଝାଳ ତୁଣ୍ଡରେ ମାରି ଆମ ମା ଆମକୁ ମଣିଷ କରିଚି । ଭଲ ନାକରା ଆମେମାନେ ତ ଆଜି ଦି’ ପଇସା ରୋଜଗାର କରୁଚୁ । ବଜାର ସହରରେ ଘର ତୋଳିଛୁ । ନହେଲେ ଯିବ ସବୁ ପଇସା ତା’ ପିଛେ, ଯାଉ, ଆମେ କଣ ତାକୁ ଡରିଯିବୁ । ରିକ୍ସାରେ ପକେଇକି ନେଇ ଗଲେ ସୋର । ସୋର ଡାକ୍ତର ପାରିଲାନି ବୋଲି ସେଠୁ ପୁଣି ନେଲେ ବାଲିଶର । କୋଉ ପ୍ରାଇଭିଟି ବଡ଼ ଡାକ୍ତରଖାନାରେ ଚିକିଚ୍ଛା କରେଇଲେ ପନ୍ଦର ଦିନ । ଇଲାଜି ଇଞ୍ଜିସିନ ଲଗେଇକି କେତେ, ଦି ଲାଖ ନା ତିନି ଲାଖ ଟଙ୍କା ଖର୍ଚ୍ଚ କଲେଣି ।. . . .ମୁଁ କହିଲି କିରେ ମୋ ବେଳକାଳ ତ ସରି ଆସିଲାଣି । ତମକୁ ତ ତମ ଗୋଡ଼ରେ ଠିଆ କରେଇଲି, ହାତକୁ ଦି’ ହାତ କରି ଘରସଂସାର କରେଇଲି; ତମ ସଂସାରକୁ ନେଇ ଏବେ ତମେ ସୁଖରେ ରୁହ । ମୋ ପିଛେ ଆଉ ଏତେ ପଇସା ବରବାଦ କରନି । ଦିନେ ଜନମିଛି ଦିନେ ମରିବି । ତମେମାନେ ଆଉ ମୋପାଇଁ ଏତେ ହୀନଛାନ ହୁଅନି ।

ପିଲାମାନେ ଶୁଣୁନାହାନ୍ତି । କେତେ ଇଲାଜ ଖଞ୍ଜେଇଛନ୍ତି । ଧିଅରେ ରକତ ନାହିଁ ବୋଲି ଡାକତର କହିଲାରୁ ଦି’ ତିନି ପ୍ରକାର ଟଣି କାଚ ଆଣିଛନ୍ତି । ହେଇ ବଇଚି ଦେଖୁନା । ପଢ଼ୁନା କି ଟଣି ସେ । ଆମ ଏଇ ବାଗୁଡ଼ି ଡାକ୍ତରଖାନା କୁମ୍ପାଣ୍ଡର ବାବୁ ପରା ଦିନି ଆସି ଇଞ୍ଜସିନି ଦଉଛି । ଦିନକୁ ନଉଛି ପଚାଶ ଟଙ୍କା । ବୋହୂମାନଙ୍କୁ ପୁଅମାନେ ସବୁ ତାଗିଦା କରି ଦେଇଚନ୍ତି ତମେ ଯୋଉଠି ଯାହା କରୁଚ କର ଆମ ମାଆର ସେବା ଯତ୍ନରେ ଯେମିତି ଟିକେ ଏପଟ ସେପଟ ନହବ । ମାନସିକ କରିଛନ୍ତି ମୋ ଧିଅ ଭଲ ହେଲେ ସାତ ଦିନ ଧରି ହରିହାଟ କରେଇବେ । ସାତ ଖଣ୍ଡ ଗାଁ ଖାଇବାକୁ ଦେବେ । ଶହେଆଠ ମୂର୍ତ୍ତି ବାହ୍ମୁଣ ଡାକି ମୋ ହାତରେ ଦାନ ଘେନେଇବେ । ....... । ଏବେ କହୁଛନ୍ତି ବାଲିଶର ଡାକତର ନପାରିଲେ ଗାଡ଼ି ରିଜର୍ପ କରିକି କଟକ ନେଇକି ଯିବେ । ଗାଡ଼ି ରିଜର୍ପ କରି କଟକ ଗଲେ କେତେ ପଇସା ପଡ଼ିବ କି ହୋ ? ଯାହା ହଉ ଭାଇ ମୋ ପିଲାମାନେ ମୋ ଋଣ ସବୁ ସୁଝି ଦେଲେ ।”

କାଗଜପତ୍ର ଦେଖି ଜାଣିଲି କୋଇଲି ନୂଆ’ଉର ଜରାୟୁ କ୍ୟାନ୍ସର, ଅପରେସନ ଦରକାର ପଡ଼ିପାରେ । ହୁଏତ ଏକଥା ସେ ନିଜେ ଜାଣିନି, ତା’ ଠାରୁ ଗୋପନ ରଖାଯାଇଥିବା ସ୍ୱାଭାବିକ ।

କିନ୍ତୁ ରକ୍ତକ୍ଷୟ ଯୋଗୁଁ ସେତା ପଡ଼ିଯାଇଥିବା ତା’ ମୁହଁରେ ଗୋଟେ ଗଭୀର ଆତ୍ମସନ୍ତୋଷର ଉଜ୍ଜ୍ୱଳତା ଲହଡ଼ି ଭାଙ୍ଗୁଥିଲା ।

ହସିହସି ମୂରଲୀ ପଚାରିଲା “ନୂଆ’ଉ ତୁ ଯେଉଁ ଶହେ ଆଠ ବ୍ରାହ୍ମଣଙ୍କୁ ଦାନ ଦବୁ ତା’ ଭିତରେ ମୁଁ ଅଛିନା ନାହିଁ ? କହିଲୁ ମୋତେ କି ଦାନ ଦବୁ ?”

ମଲା ଲୋ ମୋର । ଦେଖଲୋ ମୋର ୟେ ଛଟକା କଥା । ରଜାକୁ ଖଜା ଅପୂର୍ବ । ଆମର ୟେ ମଳିମୁଣ୍ଡିଆ ଘ, କି ଦାନ ଦେଇ ତମକୁ ସନ୍ତୁଷ୍ଟ କରିବୁ ଭାଇ । ତମେ ଆଉ କି ବାହ୍ମୁଣ ହେଇ ଅଛ ଯେ । ସହରରେ ଚାକିରି କରି ତ ପଠାଣ, କିରସ୍ତାନ ସମସ୍ତଙ୍କ ସାଙ୍ଗରେ ବସି ଖାଇ ତମ ଜାତି ପାତି ଆଉ କୋଉଠି ଅଛି ଯେ । ବାର ଜାତି ତେର ଗୋଲା ନା ସହରିଆ ହେଲେ ସବୁ ଗଲା ।”

ଅସୁସ୍ଥତା ସତ୍ତ୍ୱେ ବି କୋଇଲି ନୂଆ’ଉର କଥାକୁ ନଥା ଯାେଡ଼ି ଖଳଖଳ କଥା କହିବାର ଉଚ୍ଛଳତା ସେମିତି ଅତୁଟ ରହିଛି । ମୂରଲୀ ତା’ ଓଠରେ ମେଞ୍ଚେ ହସ ଓହଳେଇଥିବା ସତ୍ତ୍ଵେ ବି ଛାତି ଭିତରେ ତତଲା କୋହରେ ତରଳି ଯାଉଥିଲା । ହେ ଭଗବାନ, ଅଜ୍ଞତା ବି କେତେ ବଡ଼ ଆଶୀର୍ବାଦ ହେଇପାରେ ସତରେ, କୋଇଲି ନୂଆ’ଉ ଏମିତି ଅଜ୍ଞ ରହିଥାଉ ତା’ ଅସୁସ୍ଥତା ବିଷୟରେ । ମୂରଲୀକୁ ଲାଗିଲା ଆଉ କିଛି ସମୟ ସେଠି ରହିଲେ ସେ ଭୋ ଭୋ କାନ୍ଦି ପକେଇବ । ତରତରରେ ସେଠୁ ଉଠି ପଳେଇ ଆସିଲା ସେ ।

କୋଇଲି ନୂଆ’ଉ ସାଙ୍ଗେ କଥାବାର୍ତ୍ତା ସାରି ମୂରଲୀ ଏପଟକୁ ବାସନ୍ତୀ ନୂଆ’ଉକୁ ଦେଖା କରିବାକୁ ଆସିଲା । ଏ ଭିତରେ ସେମାନେ ତାଙ୍କର ପୁରୁଣା ଘର ଭାଙ୍ଗି ନିଜନିଜର ଅଲଗା ଅଲଗା ଘର କରି ନେଲେଣି ।

ଘର ଆଗ ବାରଣ୍ଡାରେ ମଶିଣାଟେ ପକେଇ ଶୋଇଥିଲା ବାସନ୍ତୀ ନୂଆ’ଉ । ମୂରଲୀକୁ ଦେଖି ସଳଖି ଉଠି ବସିଲା ।

“କଣ ଦି’ଟା ଯାକ ଏକା ସାଙ୍ଗରେ ଚାଲିଯିବକି ଲୋ । ଆମେ ଭାବୁଥିଲୁ ଆମକୁ ଦିଇଟା ଏଗାର ଦିନିଆ ଭୋଜି ମିଳିବ । ଆମକୁ ତ ଲାଗିଲାଣି ତମ ଦି ଜଣଙ୍କ ପାଇଁ ଗୋଟିଏ ଭୋଜିରେ ହିଁ ଆମକୁ ସନ୍ତୁଷ୍ଟ ହବାକୁ ପଡ଼ିବ ।”

“ନାରେ ଭାଇ ସେ କାହିଁକି ଯିବ । ସେ ତ ଭାଗ୍ୟବତୀ, ତା ପିଲାମାନେ ତା’ ପାଇଁ ଯମ ସାଙ୍ଗରେ ଲଢ଼ୁଛନ୍ତି । ଏଇ ମୁଁ ହୀନିକପାଳୀ ହିଁ ଯିବି । ହେଲେ ଏ ଅଲଜ୍ଜା ଜୀବନକୁ ଯମ କୋଉ ଛୁଉଁଚି ! ଖାଲି ଘୁଷୁରି ହବା କଥା । ମଲାଠାରୁ ଏ ଘୋଷରା ବଳି ପଡ଼ୁଚି ଭାଇ । ଏଇ ପଟ ପିଣ୍ଡାରେ ଶୋଇଶୋଇ ପରା କୋଇଲି ସାଙ୍ଗେ ତମେ କଥା ହଉଥିଲ ମୁଁ ଶୁଣୁଥିଲି । ନିଜେ ତ ଶୁଣିଲ ତା’ ଛୁଆମାନେ ତା’ ପାଇଁ କେତେ କଥା ଖଞ୍ଜି ଦେଇଛନ୍ତି । ଏଇ ମୋରି ଭଳି ନିରିମାଖି ହେଇ କି ସେ ପଡ଼ିଛିନା ଆଉ !”

ବାସନ୍ତୀ ନୂଆ’ଉ ଗଳାରୁ ଗୋଟେ ଓଜନିଆ ଉଦାସ ଭାବ ସ୍ପଷ୍ଟ ବାରି ହେଇ ପଡ଼ୁ ଥିଲା । ମୂରଲୀ ଟିକେ ଦବି ଯାଇ ପ୍ରଶ୍ନିଳ ଦୃଷ୍ଟିରେ ତାକୁ ଚାହିଁଲା ।

“କଣ ଆଉ ଅନଉଛ ଭାଇ ! ମନ ଭଲ ରହିଲେ ସିନା ଧିଅଟା ଭଲ ରହିବ । ତମେ ତ ପାଠ ଶାଠ ପଢ଼ିଥିବା ମଣିଷ, ତମକୁ ମୁଁ ଆଉ କଣ ବୁଝେଇବି ।”

ତା’ପରେ ଚାରିଆଡ଼କୁ ନିଘା କରି କଣ ଗୋଟେ ଗୁପ୍ତ କଥା କହିଲା ଭଳି ମୂରଲୀ ପାଖକୁ ଲାଗି ଆସି ବାସନ୍ତୀ ନୂଆ’ଉ କହିଲା “ଅଜାଗା ଘା ଦେଖି ହଉଚିନା ଦେଖେଇ ହଉଚି । ତମେମାନେ କୁହ ମୁଁ ୟାଙ୍କ ପାଇଁ ସବୁ କିଛି କରିଛି ନା ନାହିଁ ? ଉପରେ ଧର୍ମ ଦେବତା ଆଉ ତଳେ ବସୁମାତା ସାକ୍ଷୀ । ତମେମାନେ ତ ଦେଖିଚ ମୁଁ ପରା ଢିଙ୍କିକି ଘଇତା କରି ଧାନ କୁଟି ଏମାନଙ୍କୁ ପୋଷିଥିଲି । କହିଲି ମୋତେ ଟିକେ ସୋର କି ବାଲିଶର ବଡ଼ ଡାକ୍ତରଖାନା ନେଇ ଚାଲ । ଇଞ୍ଜସିନି ଦି’ଟା କି ଟଣି କାଚ ଦି’ଟା ଆଣି କି ଦିଅ । ନା ମୋତେ ଆଣି ଧରେଇଛନ୍ତି ବାଇ ଚଢ଼େଇ ଲଣ୍ଡି । କଣ କହୁଚନ୍ତି ତାକୁ ହେମେପାଥି କି ଛେନାଗୁଡ଼ କଣ ଗୋଟେ । ଟଣି କି ଇଞ୍ଜସିନି ଆଣିଲେ ୟାଙ୍କର ପଇସା ଖର୍ଚ୍ଚ ହେଇଯିବ ତ ! ହେ ଧର୍ମଦେବତା ତୁଇ ସାକ୍ଷୀ, ତୁଇ ଦେଖୁଚୁ ଦୀନଦୁଃଖୀଙ୍କ ଦୁଃଖ….

ସବୁ ସେଇ ନିଅଂଶିଆ ଘର ଝିଅର ଭିଆଣ । କଣ କହିବି ଭାଇ ଆପଣା ସୁନା ତ ଭେଣ୍ଡି । ଆମ ଗିରିଆ ଏବେ ବୋହୂ କଥାରେ ପୂରା ବସ୍ଉଠ୍ । ତା’ ବୋପା ବି ସେଥିରେ ଏକମତ । ବୋହୂ ଆମର କି ମନ୍ତର ପଢ଼େଇଚି ୟେ ବାପପୁଅଙ୍କୁ, ସବୁ ରୋଗ କୁଆଡେ ହେମେପାଥିରେ ଭଲ ହେଇଯିବ । ପୂରା ଜଡ଼ରୁ କୁଆଡ଼େ ମାରିବ । ତା’ର ଗୋଟେ କୋଉ ଦାଦା ଅଛି ହେମେପାଥି ଡାକ୍ତର । କଲିକତାରୁ ହେମେପାଥି ପାଠ ପଢ଼ି ଆଇଚି ବୋଲି କହୁଛି । ତମେ ତ ଜାଣିଚ ତାକୁ, କ଼ଣ ତା’ ନାଆଁ ଟି, ବଡ଼ ଅଖାଡ଼ୁଆ ନାଆଁଟେ ହେ । ହଁ ରଙ୍ଗାଧର, ରଙ୍ଗାଧର ରାଉଳ । ବୋହୂ ଆମର ତାକୁ ଇ ଡାକିକି ଆଣୁଛି । ଆଉ ସେ ପୋଡ଼ାମୁହାଁ ଡାକ୍ତର ସବୁଥର ଧରେଇ ଦଉଛି ସେଇ ଏକା ବାଇ ଚଢ଼େଇ ଲଣ୍ଡି, ଗେଲେଇ ହେଇ କହୁଛି ସମୁଦୁଣୀ ! ଟିକେ ଥୟ ଧର । ଏ ରୋଗ ତମକୁ ଯମ ପୁରକୁ ନବାକୁ ବସିଥଲା । ମୁଁ ସେ ରୋଗକୁ ଯମପୁର ପଠେଇ ତମକୁ ନୂଆ ଜୀବନ ଦେବି ।. . . .ଔଷଧ ନା ନିଆଁ ପାଉଁଶ ଦଉଛି । ସେ ଡାଙ୍କୁଣିଖିଆ ଡାକ୍ତର ମୁହଁରେ ନିଆଁ । ତାକୁ ଦେଖିଲେ ମୋ ଦିହ ଜଳୁଛି ଜାଣ । ଏମାନଙ୍କୁ ଧର୍ମ ସହିବନି..ବୁଝିଲ, ଧର୍ମ ସହିବନି ।”

ରଙ୍ଗାଧର ମୂରଲୀର ଜଣାଶୁଣା । କଲେଜରେ ମୂରଲୀ ସାଙ୍ଗରେ ପାଠ ପଢ଼ୁଥିଲା । ତା’ ଜରିଆରେ ତାଙ୍କ ପରିବାରକୁ ମୂରଲୀ ଭଲ ଭାବରେ ଜାଣିଥିଲା । ବାସନ୍ତୀ ନୂଆ’ଉର ପୁଅ ଗିରିଧାରୀର ଯେତେବେଳେ ଏ ବାହାଘର ପାଇଁ କଥାବାର୍ତ୍ତା ଚାଲିଥିଲା ଆଉ ମୂରଲୀ ଗାଁକୁ ଆସିଥିଲାବେଳେ ଗୌର ଭାଇ ତା’ର ମତାମତ ଲୋଡ଼ିଥିଲେ ସେତେବେଳେ ଏଥିରେ ତୁରନ୍ତ ରାଜି ହେଇଯିବାକୁ ମୂରଲି ତାଙ୍କୁ ପରାମର୍ଶ ଦେଇଥିଲା । ସେ ଜାଣିଥିଲା ସେମାନଙ୍କର ଭାରି ସଂସ୍କାରୀ ଏବଂ ଶାନ୍ତ ସୁଧାର ପରିବାରଟେ ।

ସତକୁ ସତ ବାସନ୍ତୀ ନୂଆ’ଉର ବୋହୂଟି ବି ଭାରି ସମଝଦାର ପିଲାଟିଏ । ଘରକରଣା, ଶାଶୁଶଶୁର, ବନ୍ଧୁଘର, ସାଇପଡ଼ିଶା ସମସ୍ତଙ୍କୁ ଭେଳେଇ ଚଳେଇ ନେବାରେ ସେ ଭାରି ପାରିବାର । ଚାରିଆଡ଼କୁ ତା’ର ନଜର । ବାସନ୍ତୀ ନୂଆ’ଉ ବି ତା’ ଉପରେ ଭାରି ସନ୍ତୁଷ୍ଟ ଥିଲା । ଏବେ କଣ ବୋହୂଟା ତାକୁ ଅଣଦେଖଣ କରୁଛି ବୋଲି ଶୁଣି ମୂରଲୀର ମନଟା ଟିକେ ଦବିଗଲା । ତା’ ଦାଦାର ବନ୍ଧୁ ବୋଲି ବୋହୂଟା ତାକୁ ଭାରି ସମ୍ମାନ କଲେ ବି ନିଜର ଲୋକ ଭଳି ସରମ ନ କରି ତା’ ସାଙ୍ଗରେ ସହଜରେ କଥାବାର୍ତ୍ତା କରେ, ଭଲମନ୍ଦ ଜଣାଏ । ତା’ ଶାଶୁଘର ଆଡ଼ର ଲୋକ ବୋଲି ଆଡ଼ ନରହି ବାପ ଘର ଆଡ଼ର ଲୋକ ବୋଲି ଭାବି ମିଳାମିଶା କରେ ।

ବୋହୂଟାକୁ ଟିକେ ତାଗିଦ୍ କରି ଦବ ବୋଲି ନଜର ପକେଇ ମୂରଲୀ ତାକୁ ଖୋଜିଲାବେଳକୁ ପାଇଲା ନାହିଁ । ହୁଏତ କୋଉ କାମରେ ଗାଡ଼ିଆ ପୋଖରୀ କି ବାରିପଟକୁ ଯାଇଥିବ ।

ବାସନ୍ତୀ ନୂଆ’ଉ ସାଙ୍ଗେ ଦୁଃଖସୁଖ ହେଇ ଫେରୁଫେରୁ ବାଟରେ ବୋହୂଟା ମୂରଲୀକୁ ଦେଖି ଓଳଗି ହେଲା । ତା’ ଛୋଟ ପୁଅଟାକୁ ଗାଁର କୋଉ ଟିଉସନ ମାଷ୍ଟର ପାଖକୁ ନେଇ ଛାଡ଼ିବାକୁ ଯାଇଥିଲା ବୋଲି କହିଲା । ମୂରଲୀ ଟିକେ ଚଢ଼ା ଗଳାରେ ତା’ ଶାଶୁ ପ୍ରତି ତା’ର ଅଣଦେଖଣକୁ ନେଇ ତାକୁ ଚେତେଇ ଦେଲା - ସେ କେବଳ ତା’ ବାପଦାଦାଙ୍କର ବଦନାମ କରୁନି ତା’ର ବି ବଦନାମ କରୁଛି ।

ବୋହୂଟା ଦବି ନଯାଇ ବରଂ ଟିକେ ହସିଲା “ଆପଣ ଜାଣି ନଥିବେ ଦାଦା ମୋତେ ଅସାଧ୍ୟ ରୋଗରୁ ହୋମିଓପାଥି ଦେଇ ଭଲ କରିଥିଲେ । କ଼ଟକ ବଡ଼ ଡାକ୍ତରଖାନାର ଡାକ୍ତରମାନେ ବି ହାର ମାନିଥିଲେ । ନହେଲେ ତ ମୋର ବାହା ସାହା ହେଇ ଘରସଂସାର କରିବାର ପ୍ରଶ୍ନ ବି ଉଠୁ ନ ଥିଲା । ବାପା ମା ତ ମୁଣ୍ଡରେ ହାତ ଦେଇ ବସି ଥିଲେ । ସେଇଦିନ ଠୁଁ ହୋମିଓପାଥି ଉପରେ ମୋର ବଡ଼ ବିଶ୍ୱାସ ।

ବୋଉଙ୍କର ଆମର କିନ୍ତୁ ଏକା ଜିଦ୍ ବାଲେଶ୍ୱର ଯାଇ ଚିକିତ୍ସା ହେବେ । ଏଠିକା ଡାକ୍ତର ତାଙ୍କ ରୋଗ ଧରି ପାରିବେନି ବୋଲି ତାଙ୍କ ମୁଣ୍ଡରେ ପଶିଛି । ଦାଦା ଦେଖି କହିଲେ ତୋ ଶାଶୁଙ୍କର କଲିକ ବେମାର । ଆପଣ ତ ଜାଣିଛନ୍ତି ଜୁଆନ ବୟସରେ ସେ ବହୁତ ଭୋକ ଉପାସ ରହିଛନ୍ତି, କେତେ ଅଭାବ ଅନଟନରେ ଦିନ କଟିଛି । ସେଇଠୁ ଆରମ୍ଭ ହେଇଛି ଏ ଦୋଷ । ଏବେ ବଳବୟସ ହଟିବାରୁ ମାଡ଼ି ବସୁଛି । ଦାଦାଙ୍କ ଔଷଧ ଖାଇ ଶହେରୁ ଅଶି ଭାଗ ରୋଗ କମିଲାଣି । ଆଉ ଅଳ୍ପ ଟିକେ ଅଛି । ଦାଦା କଥା ଦେଇଛନ୍ତି, ମୋ ଶାଶୁକୁ ସେ ଭଲ କରି ଛାଡ଼ିବେ । ସତକି ମିଛ ଆପଣ ଟିକେ ଦାଦାଙ୍କ ସାଙ୍ଗରେ କଥା ହଉ ନାହାନ୍ତି । ଦାଦା ଏଥର ଆସିଥିଲାବେଳେ ଆପଣଙ୍କ କଥା ପଚାରୁଥିଲେ ।

ମାସେ ତଳେ ତାଙ୍କ ଅବସ୍ଥା ଆପଣ ଦେଖିଥିଲେ ଜାଣିଥାଆନ୍ତେ । ଝାଡ଼ାବାନ୍ତିରେ କତରାଲଗା ହେଇ ପଡ଼ିଥିଲେ । କିଛି ଏଲୋପାଥି ଔଷଧ କାମ ଦେଲାନି । ଆମେ ତ ଆଶା ଛାଡ଼ି ଦେଇଥିଲୁ । ୟେ କହୁଥିଲେ ବଡ଼ ଡାକ୍ତରଖାନା ନେବେ । ମୁଁ ଡରିଡରି ୟାଙ୍କୁ କହିଲି ଥରେ ହୋମିଓପାଥି ଦେଇ ଦେଖିବା, ନ ହେଲେ ସୋର ନବା । ଆପଣ ବିଶ୍ୱାସ କରିବେନି ଦାଦା ଆସି ଦେଖି ଔଷଧ ଦେଲେ । ଦି ପାନ ରୁ ତିନି ପାନ ହେଇନି ନିଆଁରେ ପାଣି ପକେଇଲା ଭଳି ଝାଡ଼ା ବାନ୍ତି ସବୁ ବନ୍ଦ ।

ବୋଉଙ୍କର ଆମର କିନ୍ତୁ ମୁଣ୍ଡରେ ପଶିଛି ଯେ ଇଞ୍ଜେକସନ ନ ନବା ପର୍ଯ୍ୟନ୍ତ କି ଟନିକ ନ ଖାଇଲେ ତାଙ୍କର ଦେହ ଭଲ ହବନି । ଆପଣ କହୁ ନାହାନ୍ତି ପେଟ ବେମାରୀକୁ କି ଇଞ୍ଜେକସନ ଦେବେ । ଦାଦା କହୁଛନ୍ତି ଏବେ ଟନିକ ଖାଇଲେ ହଜମ କରି ପାରିବେନି, ଆହୁରି ଅଧିକ ଝାଡ଼ା ହବ ।

ଉପରେ ପଡ଼ି ଦାଦାଙ୍କୁ ନେଇ ଆମ କୋଇଲି ଖୁଡ଼ୀଙ୍କୁ ବି ଦେଖେଇଲି । ଦାଦା କହିଲେ ଶକ୍ତ ବେମାର ଧରିଚି, କିନ୍ତୁ ଆଶା ଦେଲେ ତାଙ୍କ ଚିକିତ୍ସା ପାଇଁ ଚେଷ୍ଟା କରିବେ । କିନ୍ତୁ ବହୁତ ସମୟ ଲାଗିପାରେ । ହଠାତ ଏଲୋପାଥି ବନ୍ଦ ନକରି, ଆସ୍ତେ ଆସ୍ତେ କମେଇ ପରେ ପୂରା ହୋମିଓପାଥି ଦେଲେ ବି ହବ । ତାଙ୍କ ପୁଅମାନେ କିନ୍ତୁ ରାଜି ହେଲେନି, କହିଲେ ଏଇଟା ଦରିଦ୍ରମାନଙ୍କ ଚିକିତ୍ସା । ଦେଖୁ ନାହାନ୍ତି ଲୋକଟାକୁ କେମିତି ମାଛ ଶୁଖୁଆ ଭଳି ଖିନଭିନ୍ କରୁଛନ୍ତି । ଡାକ୍ତର ଏବେ କହୁଛନ୍ତି ଅପରେସନ କରି କଣ ସବୁ କାଟିକି ଫୋପାଡ଼ି ଦେବେ । ଆହା ମୋ ଦେହ ସହୁନି, ବିଚାରୀ ଖୁଡ଼ୀ ଆମର କେଡ଼େ ହସଖୁସିଆ ମଣିଷୁଟେ, କେତେ ହଇରାଣ ହଉଛନ୍ତି । ଆହା ଭଗବାନ ତାଙ୍କ ଦେହ ଭଲ କରିଦିଅନ୍ତୁ । ଆପଣ ଟିକେ ତାଙ୍କ ପୁଅମାନଙ୍କୁ କୁହନ୍ତେନି ହୋମିଓପାଥି ଦେଇ ଟିକେ ଦେଖିବାକୁ ?”

ବୋହୂଟିର ନିଷ୍କପଟ ଅନ୍ତରଙ୍ଗତାରେ ଭିଜି ଯାଇଥିଲା ମୂରଲୀ, ତାକୁ ସମର୍ଥନ ଦେଲା ଭଳି ଓଠରେ ହସର ଝଲକଟିଏ ଖେଳେଇଲେବି ଭିତରେ ମୁଠେ ଆତଙ୍କ ଆବୋରି ବସିଥିଲା ମୂରଲୀକୁ, କୋଇଲି ନୂଆ’ଉର ଅନିଶ୍ଚିତ ଭବିତବ୍ୟକୁ ନେଇ ।

ମୂରଲୀ ଗ୍ରୀଷ୍ମ ଛୁଟିରେ ଗାଁରେ ଥିବାବେଳେ କୋଇଲି ନୂଆ’ଉର ଦେହ ଆହୁରି ବିଗିଡ଼ିଲା । ତା’ ପୁଅମାନେ ସ୍ଥିର କଲେ ତାକୁ କଟକ ନେବେ, ଯିବେ କାର୍ ରେ । ସୋରର ମାରୱାଡ଼ୀ ଘର ଗୋଟେ କାର୍ ଅଛି, କଥାବାର୍ତ୍ତା ହେଇଛି ସେଇ କାରଟାକୁ ରିଜର୍ଭ କରି ନେବେ । ସେତେବେଳେ କେତେ ଥିଲାବାଲା ଘର ପାଇଁ ବି କାର ରିଜର୍ଭ କରି ଯିବା ସ୍ୱର୍ଗସୁଖ ସମାନ ସାତ ସପନ ଥିଲା ।

ସେଦିନ ବାସନ୍ତୀ ନୂଆ’ଉ ବିଲରୁ ଘାସ ଦି’ ବିଡ଼ା ଧରି ମୂରଲୀଘର ଦେଇ ଫେରୁଥିଲାବେଳେ ମୂରଲୀକୁ ଦେଖି କହିଲା - ଏଇ ଘରେ ପଡ଼ିପଡ଼ି ବିରକ୍ତିଆ ଲାଗିଲା । ଭାବିଲି ଗାଈଟା ପାଇଁ ଘାସ ଦି’ କେରା କାଟିକି ଆଣେ ।

କୋଇଲି ନୂଆ’ଉ ଦିହର ହାଲ ବିଷୟ ତାକୁ ପଚାରିଲା ମୂରଲୀ, କଣ ତା’ ଦେହ ଆହୁରି ଖରାପ ହେଲାଣି, ତାକୁ କଣ କଟକ ନଉଛନ୍ତି ଅପରେସନ କରିବାକୁ ?

ଲମ୍ବ ନିଃଶ୍ୱାସଟେ ପକେଇ ସେ କହିଲା - ଯାହାର ଯେତେ ପୂଣ୍ୟରେ ଭାଇ, ବିଧାତା ଯାହା ଭାଗ୍ୟରେ ଯାହା ଗାର ମାରିଦେଇଚି । ତା’ ଛୁଆମାନଙ୍କୁ ସେ ସେମିତି ମଣିଷ କରିଛି । ସେମାନେ ତାକୁ କାର୍ ରିଜର୍ପ କରି କଟକ ନଉଛନ୍ତି । ଆମର ତ ରିକ୍ସାରେ ଟିକିଏ ଏଇ ସୋର ନେଇକି ଯିବାକୁ କୁନ୍ଥୁକୁନ୍ଥୁ….ନିଜ କର୍ମ ଆଦରି ପଡ଼ି ରହିବା କଥା, କାହା ଭାଗ୍ୟ ଦେଖିକି ଆଉ ହାଇସାଇ କାହିଁକି ହେବିରେ ଭାଇ….ୟେ ବେଲଜ୍ଜା ଯମକୁ ତ ସରମ ଛାଡ଼ି ଯାଇଚି ମୋ ଆଡ଼କୁ ଟିକେ ନଜର ପକେଇବାକୁ ।”

ଆଗ ଅପେକ୍ଷା ଅନେକ ସୁସ୍ଥ ଜଣା ପଡ଼ୁଥିବା ବାସନ୍ତୀ ନୂଆ’ଉର ଦିହ ପା କଥା ବି ପଚାରିଲା ମୂରଲୀ । ବଡ଼ ଅବସୋସ ମିଶା କଣ୍ଠରେ ସେ କହିଲା “ହ . . ଅ. .ଅ । ରଙ୍ଗା ଡାକ୍ତରର ଚଢ଼େଇ ଲଣ୍ଡି ହେମେପାଥି ଗୋଲି ଖାଇ କିଏ କୋଉଠି ଭଲ ହେଲାଣି ନା ହବ ! ପାଗଯୋଗକୁ ଟିକେ କଣ ଭଲ ହେଇ ଯାଇଛି ସିନା । ଟିକେ ବିଗିଡ଼ିଲେ ପୁଣି କେତେବେଳେ ଭଲକି ବାହାରିବ ଯେ ମୋତେ ଏକାଥରେ ଆରପାରିକି ନେଇକି ଯିବ । ସେତେବେଳେ ଯାଇ ଠିକ୍ ବୁଝିବେ ଏମାନେ, ତାଙ୍କ ମନସାଦ ମେଣ୍ଟିଯିବ । ମୁଁ ତ ନଥିବି ଦେଖିବାକୁ, ତଳେ ତମେମାନେ ଆଉ ଉପରେ ଧର୍ମଦେବତା ଦେଖୁଥିବ, ଏମାନେ ସେତେବେଳେ କେମିତି ଖାଲି ଆଖିରୁ ଲୁହ ପୋଛି ସକେଇ ହଉଥିବେ ।

……ଆ… ଉ.. ସେ ଡଙ୍କୁଣିଖିଆ ରଙ୍ଗା ଡାକ୍ତର……. ”

Report an Error