
କୁନି ବାଘ ଛୁଆଟି ଭାରି ଖୁସି ଥାଏ । ଦୁଇଟି ଚିତାବାଘ ଛୁଆ, ଗୋଟିଏ ମାଙ୍କଡ ଓ ନୀଳଗାଈ ଛୁଆଙ୍କୁ ନେଇ ତା' ଦଳ ସେ ଗଢିଥାଏ । 'ଶକ୍ତି' ନାଁ ଦେଇଥିଲେ ବାପା ତାକୁ ।
'ଗନ୍ଧର୍ବ ପାହଡ' ଏହି ଜଙ୍ଗଲର ନାଁ । ଶକ୍ତିର ବାପା 'ସୌରଭ' ଥିଲେ ସେ ଜଙ୍ଗଲର ରାଜା । ସୌରଭ ଆକାରରେ ଏକ ବିରାଟ ବାଘ ଥିଲେ। ମହା ପରାକ୍ରମୀ ଓ ବୁଦ୍ଧିମାନ ସେ ଥିଲେ । ବାପା ହିସାବରେ ସେ ଜଣେ ଅତି ଉତ୍ତମ ପିତା ମଧ୍ୟ ଥିଲେ ।
ଜଙ୍ଗଲର ଭଲମନ୍ଦ ଓ ଜଣେ ରାଜାର କର୍ତ୍ତବ୍ୟ ବିଷୟଗୁଡ଼ିକ ଅତି ପ୍ରାଞ୍ଜଳ ତଥା ସହଜ ଶବ୍ଦରେ ଶକ୍ତିକୁ ବୁଝାଉଥିଲେ ।
ସେଦିନର କଥା ଆଜି ବି ମନେଅଛି ଶକ୍ତିର । ଗଧିଆମାନେ ଷଡଯନ୍ତ୍ର କରି ତା' ବାପାଙ୍କୁ ହତ୍ୟା କରିଥିଲେ । ଅବଶ୍ୟ ଗଧିଆମାନଙ୍କ ସାହସ ହେଇନଥାନ୍ତା ଯଦି ଅନ୍ୟ ଜଙ୍ଗଲର କପଟିଆ ମନ୍ତ୍ରୀ ବାରହା ଉସକେଇ ନଥାନ୍ତା । ବେଳେବେଳେ ସେ କଥା ଭାବି ଶକ୍ତିର ଆଖିରୁ ଦୁଇଟୋପା ଲୁହ ଝରିଆସେ ।
ଶକ୍ତି ଏତେ ବଡ ଜଙ୍ଗଲର ଯୁବରାଜ ହେଲେ ମଧ୍ୟ ଏକ ସାଧାରଣ ପଶୁଛୁଆଙ୍କ ଭଳି ତା' ଲାଳନପାଳନ ହେଇଥିବାରୁ ଜଙ୍ଗଲର ସମସ୍ତ ଛୋଟବଡ ପଶୁପକ୍ଷୀଙ୍କ ସାଥିରେ ସେ ମିଳାମିଶା କରେ ।
'ସମ୍ପୂର୍ଣ୍ଣ ଜଙ୍ଗଲର ପ୍ରତିଟି ଜୀବନ ଆମ ଦାୟିତ୍ବ ଶକ୍ତି ! ସେଥିରେ କୌଣସି ଭୁଲ ଆମେ ବରଦାସ୍ତ କରିପାରିବା ନାହିଁ ।' ବାପାଙ୍କ ଏହି କଥା ଶକ୍ତିକୁ ଦାୟିତ୍ବବାନ କରିବାରେ ସମର୍ଥ ହୁଏ । ମାତ୍ର ଚାରିବର୍ଷ ବୟସର ବାଘଛୁଆ ବୋଲି ଭାବେନି ବରଂ ନିଜକୁ ସେ ସମସ୍ତଙ୍କ ସୁଖଦୁଃଖର ସାଥି ବୋଲି ଭାବେ ।
ବାପାଙ୍କ ପରେ ଏବେ ତା' ମା ଜଙ୍ଗଲର ଭାର ସମ୍ଭାଳିଛନ୍ତି । ତେଣୁ ବୁଢା ସିମ୍ପାଞ୍ଜି ଯାହାକୁ ସେ ଦାଦାବାବୁ ଡାକେ, ତା' ଶିକ୍ଷକ ଓ ତା ଯତ୍ନ ନେବା ଦାୟିତ୍ବ ତୁଲାଉଛନ୍ତି ।
ଯୁଦ୍ଧବିଦ୍ୟା ସହ ବିଜ୍ଞାନ ଓ ସାମାଜିକ ଶିକ୍ଷା ସହିତ ଅନ୍ୟମାନଙ୍କ ପ୍ରତି ସମ୍ବେଦନଶୀଳ ହେବା ଶିଖେ ଶକ୍ତି ।
ଦିନ ତମାମ୍ ଖେଳକୁଦ କରେ ଶକ୍ତି । ଜଙ୍ଗଲରେ ଦିନ ଆରମ୍ଭ ହୁଏ ଭୋର ସମୟରୁ । ସୂର୍ଯ୍ୟ ମୁଣ୍ଡ ଉପରକୁ ଆସିଲେ ଶକ୍ତିର ଶିକ୍ଷକ ତାଙ୍କ ଆସନରେ ବସିଯାଆନ୍ତି । ଅନେକ ଛୁଆପଶୁ ରୁଣ୍ଡ ହୁଅନ୍ତି ପଢିବା ପାଇଁ ।
ବିଶାଳ ସର୍ପିଣୀ 'ଥାନି' କୁ ସବୁବେଳେ ସନ୍ଦେହ ଚକ୍ଷୁରେ ଦେଖାଯାଏ । ଶକ୍ତି ଆଜିଯାଏଁ ସନ୍ଦିହାନ ଯେ ଥାନି ଚାହେଁ କ'ଣ ? ଶକ୍ତିର କ୍ଷତି ? ଜଙ୍ଗଲର କ୍ଷତି ?
ଦାଦାବାବୁ କହନ୍ତି, 'ନିଜ ବୁଦ୍ଧି ବଳରେ ତୁମକୁ ତୁମ ଆପଣା ଓ ପର ସବୁ ବୁଝିବାକୁ ପଡିବ ରାଜକୁମାର।'
ବୁଢା ମାଙ୍କଡଟିଏ ସବୁବେଳେ ଶକ୍ତି ଉପରେ ନଜର ରଖି ବସିଥାଏ । ଶକ୍ତି ବେଳେବେଳେ ଡରେ ତା ଉପସ୍ଥିତିକୁ ନେଇ ।
ବାପାଙ୍କ ମୃତ୍ୟୁ ପରେ, ସରଳ ହେଇପାରୁନି ଶକ୍ତି । ସମସ୍ତଙ୍କୁ ସେ ଟିକେ ଟିକେ ସନ୍ଦେହ କରେ ଓ ନିଜ ସନ୍ଦେହକୁ ନେଇ ଦ୍ଵିଧାରେ ମଧ୍ୟ ଥାଏ ।
ପାହାଡର ଉପର ମୁଣ୍ଡକୁ ଯାଇ ତଳକୁ ଚାହିଁଲା ଶକ୍ତି ।
ବିପାସା ନଦୀର ଅଙ୍କାବଙ୍କା ଗତିପଥ, ଉପରେ ଜହ୍ନ, ଭସା ମେଘ ସବୁ ସହିତ ସୁଲୁସୁଲିଆ ପବନରେ ଉତଫୁଲ୍ଲିତ ହେଲା । କିନ୍ତୁ କିଛି କ୍ଷଣ ପାଇଁ । କେଉଁଠୁ ତା' ବାପାଙ୍କ ସ୍ବର ଶୁଭିଲା, 'କାହାକୁ ସହଜରେ ବିଶ୍ବାସ କରିବୁନି ରାଜା । ମା'ଙ୍କ ଯତ୍ନ ନେବୁ ।'
ଏଇୟା ଥିଲା ମହାରାଜ ସୌରଭଙ୍କ ଶେଷ କଥା । ସେ ଶକ୍ତିକୁ ରାଜା ଡାକନ୍ତି । ଅବଶ୍ୟ ଅତି ଗୁରୁତ୍ବପୂର୍ଣ୍ଣ ସମୟରେ ।
ଦୀର୍ଘନିଃଶ୍ବାସ ମାରିଲା ଶକ୍ତି । ମା'ଙ୍କୁ ଖୋଜିବା ଉଦ୍ଦେଶ୍ୟରେ ପାହାଡରୁ ତଳକୁ ଖସିଲା ।
ଠାଏଁ ଠାଏଁ ଜହ୍ନ ଆଲୁଅରେ ଜଙ୍ଗଲଟି ସୁନ୍ଦର ଦେଖାଯାଉଥାଏ । ଅନ୍ଧାରରେ ଖସ୍ ଖସ୍ ଶବ୍ଦ ସହିତ ପେଚା ଓ ଉଲ୍ଲୁକଙ୍କ କୁହାଟ ଚମକେଇ ଦଉଥାଏ । ଚେମେଣିମାନେ ଉଡାଉଡି କରୁଚନ୍ତି । ଗମ୍ଭୀର ମନରେ ଶକ୍ତି ଫେରିଲା ଘରକୁ । ବୁଢା ମାଙ୍କଡଟି, ପୁଣି ଦେଖାଗଲା ଗଛ ଭିତରୁ ।