ସେହି ଜଙ୍ଗଲର କାହାଣୀ - ୬

ଏ ଏକ ଜଙ୍ଗଲର କାହାଣୀ । ଏ କାହାଣୀର ଚରିତ୍ରମାନେ ସେ ଜଙ୍ଗଲର ଜୀବଜନ୍ତୁ । ହେଲେ ସେମାନଙ୍କ ଜୀବନ ଓ ସଂଘର୍ଷ ଆମ ଜୀବନ - ସଂଘର୍ଷ ସହିତ ତାଳ ଦେଇ ଚାଲୁଥିବାର ଦେଖିହେବ । ଏ କାହାଣୀ ଭିତରେ ରୂପାୟିତ ଆମ ସମୟ, ସମାଜ ଓ ଜୀବନ ।


ଜୀବନ ପୁଣି କ'ଣ?

ଶକ୍ତି ଚାହିଁଥାଏ ଥାନିକୁ । ଆଶ୍ଚର୍ଯ୍ୟର ସହ ଚାହିଁଥାଏ । ଏତେବଡ ସାପ କ'ଣ ଏମିତି ଭାବରେ ଗୁଡେଇ ହଉଚି । ପୁଣି ଟାଣି ହଉଚି । ଶକ୍ତି ଥାନିର ଆଖିକୁ ଚାହିଁଲା । ହଠାତ୍ ଶକ୍ତି ଭାବିଲା, ତାକୁ କିଛି ଗୋଟିଏ କରିବା ଦରକାର । ସେ ଆଗକୁ ଥାନି ଆଡକୁ ଯିବାକୁ ଗୋଟିଏ ପାଦ ବଢାଇଚି କି ନାଇଁ, ମିଙ୍କି ଶକ୍ତିକୁ ତାଗିଦ୍ କଲା ।

'ନା ! ଶକ୍ତି, ତା ପାଖକୁ ଯିବା ଠିକ୍ ହେବ ନାଇଁ ।'

'ମିଙ୍କି, ସେ ବି କିଛି କଷ୍ଟରେ ଅଛନ୍ତି ।' ଶକ୍ତି ଥାନିକୁ ଚାହିଁ କହିଲା ।

'ଆମେ କିଛି କରିପାରିବା ନାହିଁ । ମୁଁ କହୁଚି ଶକ୍ତି ପଛକୁ ଆସିଯା ।' କହିଲା ମିଙ୍କି ।

ଥାନି ସେମିତି ଭାଙ୍ଗି ମୋଡି ହଉଥାଏ । ଟାଣି ହଉଥାଏ ।

ଶକ୍ତି ପୁଣି ଦେଖିଲା ଥାନିର ଆଖିକୁ । ନା' ଆଖି ଆଗଭଳି ଭୟଙ୍କର ଲାଗୁନି ।

'ଆଚ୍ଛା ! ୟାଙ୍କୁ ବି ବୋଧେ ସେଇୟା ହେଇଛି । ଜ୍ବର ।' କହିଲା ଶକ୍ତି ।

'ତୁ କେମିତି ଜାଣିଲୁ।' ମିଙ୍କି କହିଲା ।

'ହଁ ମୁଁ ଜାଣେ । ତାଙ୍କ ଦେହ ବି ଗରମ ହେଇଥିବ ।' କହି ଶକ୍ତି ଥାନିକୁ ଛୁଇଁବାକୁ ବାହାରିଲା । କିନ୍ତୁ ଥାନି ସେଠାରୁ ଚାଲିଯାଇଥାଏ । କିଛି ଅଦ୍ଭୁତ ଜିନିଷ ସେଠାରେ ପଡିଥିବା ସମସ୍ତେ ଦେଖିଲେ ।

ଦାଦାବାବୁଙ୍କ ପାଖକୁ ସମସ୍ତେ ଯାଇ ଦେଖନ୍ତି ତ' ସେ ଏବେ ବି ଶୋଇଛନ୍ତି । ଶକ୍ତି ପାଖକୁ ଯାଇ ଡାକିଲା, ଦାଦାବାବୁ !

ସେ ହାତ ହଲେଇ ଶକ୍ତିକୁ ପାଖକୁ ଡାକିଲେ । ପାଖକୁ ଯାଇ ଶକ୍ତି ଜାଣିଲା ଯେ ଦାଦାବାବୁଙ୍କ ଦେହ ଆଉ ଗରମ ନାହିଁ ।

'ତୁମେ ସବୁ ଘରକୁ ଯାଅ । ମୁଁ କାଲି ଠିକ୍ ହେଇଯାଇଥିବି ।' ନରମ ଗଳାରେ କହିଲେ ଦାଦାବାବୁ ।

ସନ୍ଧ୍ୟା ବି ହେଇସାରିଥାଏ । ସମସ୍ତେ ଘରକୁ ଫେରିଗଲେ ।

ଶକ୍ତି ଘରେ ଯାଇ ମା'ଙ୍କୁ ସବୁକଥା କହିବାକୁ ଚାହିଁଲା । ମା' ଘରେ ନଥିଲେ । ଶକ୍ତି ସବୁଠି ଖୋଜିଲା । ମା' ଙ୍କୁ ପାଇଲା ନାହିଁ ଘରେ । ଚୁପ୍ ଚାପ୍ ବସିବା ଛଡା ଅନ୍ୟ ଉପାୟ ନଥିଲା । ମା' ଘରକୁ ଆସିବା ମାତ୍ରେ ଶକ୍ତି ମା'ଙ୍କ ପାଖେ ଗେଲ ହେଇ ପଚାରିଲା, 'ମା' ତମେ କୁଆଡେ ଯାଇଥିଲ ?'

ମା କହିଲେ, 'ମୋ ଗେହ୍ଲା ପୁଅ ଘରକୁ ଆସି ନଥିଲା । ଦେଖିବାକୁ ଯାଉଥିଲି । ଆଚ୍ଛା ମୁଁ କ'ଣ ଶୁଣିଲି ତୁ' ଆଜି ବହୁତ ବଡ କାମ ସବୁ କରିଚୁ ।'

ହସି ହସି ଖୁସିରେ ଶକ୍ତି ମା'ଙ୍କ ଚାରିପଟେ ଡେଇଁଲା ।

ପଚାରିଲା, 'ମା' କୋଉ ଭଲକାମ କହିଲ ଟିକେ ।'

'ତୁ ଦାଦାବାବୁଙ୍କ ଦେହ ଖରାପ ଦେଖି ତାଙ୍କ ଚିକିତ୍ସା କଥା ଚିନ୍ତା କଲୁ ।' ଟିକିଏ ରହି ମା' ପୁଣି କହିଲେ 'ଥାନି ପାଇଁ ତୁ ବ୍ୟସ୍ତ ହେଲୁ ।'

ଶକ୍ତି ଆଶ୍ଚର୍ଯ୍ୟ ହେଇ ପଚାରିଲା, 'ହଁ, ତମେ କେମିତି ଜାଣିଲ ?'

'ମା' ମାନେ ସବୁ ଜାଣନ୍ତି ।' ମା' କହିଲେ ।

'ଏମିତି କାହିଁକି ହୁଏ ମା' ।' ଦେହ କାହିଁକି ଖରାପ ହୁଏ ? ଦେହ ଖରାପ ହେଲେ କ'ଣ ବହୁତ କଷ୍ଟ ହୁଏ ?' ଶକ୍ତି ପଚାରିଲା ।

'ଆରେ ବାପା ଜୀବନରେ ଏମିତି ସମୟ ବି ଆସେ । ଚାଲ ଖାଇକି ଶୋଇବୁ । ମୋ ଛୁଆ ବହୁତ ଭଲ । କେତେ ଦୟା ତା' ଭିତରେ ।' ମା କୋଳେଇ ନେଲେ ଶକ୍ତିକୁ ।

ସକାଳୁ ଶକ୍ତି ଖୁସି ହେଇଗଲା ଯେ ଦାଦାବାବୁଙ୍କ ଦେହ ଏବେ ଭଲ ଅଛି । ଦାଦାବାବୁ ପିଲାଙ୍କୁ ବୁଝାଇ କହିଲେ, 'କାଲି ଶକ୍ତି କେତେ ଭଲକାମ କଲା । ପିଲେ ଜୀବନରେ ଏମିତି ଅନ୍ୟ ପାଇଁ କାମ କଲେ ଆମ ଜଙ୍ଗଲରେ ସମସ୍ତେ ଖୁସିରେ ରହିବେ ।'

ପିଲେ ଖୁସିରେ ପାଟିକଲେ ଓ ଖେଳିବାକୁ ଚାଲିଲେ । କିନ୍ତୁ ଶକ୍ତିର ମନରେ ଗୋଟିଏ ଚିନ୍ତା ଚାଲିଥାଏ । ଜୀବନଟା କ'ଣ । ଏହା କୋଉଠି ଥାଏ । କାଲି ମା' ବି କହୁଥିଲେ । ଆଜି ଦାଦାବାବୁ କହିଲେ । ତା' ମାନେ ୟେ ଗୋଟିଏ ବଡ ଜିନିଷ । ଏ ଜୀବନ କୋଉଠି ରହେ ଆଉ ତା' ଘର କୋଉଠି ଜାଣିବାକୁ ହବ ।

ସେହି ଜଙ୍ଗଲର କାହାଣୀ - ୫

Report an Error