ସେହି ଜଙ୍ଗଲର କାହାଣୀ - ୫

ଏ ଏକ ଜଙ୍ଗଲର କାହାଣୀ । ଏ କାହାଣୀର ଚରିତ୍ରମାନେ ସେ ଜଙ୍ଗଲର ଜୀବଜନ୍ତୁ । ହେଲେ ସେମାନଙ୍କ ଜୀବନ ଓ ସଂଘର୍ଷ ଆମ ଜୀବନ - ସଂଘର୍ଷ ସହିତ ତାଳ ଦେଇ ଚାଲୁଥିବାର ଦେଖିହେବ । ଏ କାହାଣୀ ଭିତରେ ରୂପାୟିତ ଆମ ସମୟ, ସମାଜ ଓ ଜୀବନ ।


ଦାଦାବାବୁ ପାଠ ପଢେଇବା ପାଇଁ କେବେ ବିଳମ୍ବରେ ପହଞ୍ଚିବା କେହି ଜାଣିନାହାନ୍ତି । ଆଜି କିନ୍ତୁ ପିଲାମାନେ ଅପେକ୍ଷା କରି କରି ଖେଳ ଆରମ୍ଭ କଲେଣି । କେହି ଚିତ୍ ହେଇ ଶୋଇଲାଣି । କିଏ ଡିଆଁ ଡେଇଁ କଲାଣି ।

ଶକ୍ତି ଦାଦାବାବୁଙ୍କ ଗୁମ୍ଫା ଭିତରକୁ ଗଲା । ସେ ଶୋଇଥିବା ଦେଖି ଉଠେଇବା ପାଇଁ ଦେହରେ ହାତମାରି ଚମକି ପଡିଲା ଶକ୍ତି । ଏ କ'ଣ ଏମିତି ଗରମ କାହିଁକି ଲାଗିଲା ? ପୁଣି ଛୁଇଁଲା ।

'ହଁ, ଗରମ ତ ଅଛି ।' ଏଥର ଚିନ୍ତାରେ ପଡିଲା ଶକ୍ତି । ବାହାରକୁ ଆସି ସାଙ୍ଗମାନଙ୍କୁ ଜଣାଇଲା । କେହି କିଛି ଜାଣନ୍ତି ନାହିଁ ଯେ, ଦେହ ଗରମ କାହିଁକି ଲାଗେ ।

'ବୋଧେ ଦେହ ଖରାପ ଅଛି ।' କହିଲା ଜୁକୁନ୍ ଜିରାଫ୍ ।

ଶକ୍ତି ଦୌଡିଗଲା ରାଜବୈଦ୍ୟଙ୍କ ପାଖକୁ । ସେ ଗୋଟିଏ ବିରାଟ ବଗ । ବିଦେଶରୁ ଆସି ଏହି ଜଙ୍ଗଲରେ ରହିଯାଇଥାଏ । ଚେରମୂଳ ଓ ପାଣିପାଗ ଉପରେ ଭଲ ଜ୍ଞାନ ଦେଖି ରାଜା ତାକୁ ରାଜବୈଦ୍ୟ ପଦବୀ ଦେଇଥିଲେ ।

'ବାଗୁନ୍ ବାବୁ! ବାଗୁନ୍ ବାବୁ .....' ଡାକିଡାକି ଶକ୍ତି ରାଜବୈଦ୍ୟଙ୍କ ଘରେ ପହଞ୍ଚିଲା ।

'ଶକ୍ତି ! ଆରେ ଏତେ ବ୍ୟସ୍ତ କାହିଁକି ? ମାଡ ବାଜିଛି କି ?' , ବ୍ୟସ୍ତ ହେଇ ବାଗୁନ୍ ବାବୁ କହିଲେ ।

'ନା! ନା ! ଜଲଦି ଆସନ୍ତୁ । ଦାଦାବାବୁ ଶୋଇଚନ୍ତି ଆଉ ତାଙ୍କ ଦେହ ଗରମ ହେଇଚି ।' ଶକ୍ତି କେମିତି କ'ଣ କହିବ ବୁଝି ନ ପାରି କହିଲା ।

'ଓଃ ! ବୁଢା ସିମ୍ପାଞ୍ଜିକୁ ଜ୍ବର ।' ବାଗୁନ୍ ବାବୁ କହିଲେ ।

'ନା! ନା ! ସେମିତି କୁହାଯାଏନି । ମା' ମନାକରିଛନ୍ତି । ସେ ଦାଦାବାବୁ ।' ଉପଦେଶ ଦେଲା ଶକ୍ତି ।

'ଠିକ୍ ଅଛି ଯୁବରାଜ। ' ହସି ହସି କହିଲେ ବାଗୁନ୍ ବାବୁ ଓ ଚେରମୂଳକୁ ଥଣ୍ଟରେ ଧରି ଚାଲିଲେ ଉଡି ଉଡି ।

ଶକ୍ତି ତଥାପି ଚିନ୍ତିତ ଥାଏ ।

ଦାଦାବାବୁ କ'ଣ ଖରାରେ ବସିଥିଲେ ? ଗରମ କାହିଁକି ହେଲା ତାଙ୍କ ଦେହ ? ଏମିତି ବହୁତ ଚିନ୍ତା ତା' ଭିତରେ ଚାଲିଥାଏ ।

ଶକ୍ତିର ସାଙ୍ଗସାଥୀ ମିଶି ଖେଳରେ ମାତିଥିଲେ । ଖେଳଟା ଠିକ୍ ଭାବେ ହେଇପାରୁନଥାଏ । କିଏ ଶୋଇଲାଣି ତ' କିଏ ଗଛ ଡାଳ ଟାଣିଓଟାରି ଖାଇଲାଣି । ମାଙ୍କଡ ସବୁ ଗଛ ଉପରେ ଶୋଇଲେଣି । ମିଙ୍କି ନିଦରେ ଗଛ ଡାଳରେ ଶୋଇକି ଝୁଲୁଥାଏ ।
ଖସ୍ ଖସ୍ ଶବ୍ଦ ରେ ଉଠିକି ଚାହିଁଲା । ନା' କାଇଁ କୋଉଠି କିଛି ତ ନାହିଁ । ପୁଣି ଶୋଇଲା । ଆରେ, ଏ କ'ଣ ଯେ ?

ବାରମ୍ବାର ସେଇ ଶବ୍ଦ । ମିଙ୍କି ଉଠି ବସିଲା । ଦେଖିଲା, ତା' ସାଙ୍ଗମାନେ ଆଗରୁ ଉଠିଯାଇଛନ୍ତି ସେହି ଶବ୍ଦରେ । ସମସ୍ତଙ୍କ ନଜର ଗଛ ତଳକୁ । ମିଙ୍କି କ'ଣ କହିବାକୁ ଯାଉଛି, ଅନ୍ୟ ମାଙ୍କଡମାନେ ଇସାରାରେ ତାକୁ ଚୁପ୍ ରହିବାକୁ କହିଲେ ।

ମିଙ୍କି ବି ସେମାନଙ୍କ ଭଳି ଝୁଙ୍କିକି ଦେଖିବାକୁ ଚେଷ୍ଟା କଲା ।

ୟେ ତ' ସେହି ବିଶାଳ ସାପ ଥାନି । ବୋଧେ ତା' ର ବି ଦେହଖରାପ । ଏମିତି ଛଟପଟ ହେଉଛି କାହିଁକି ନହେଲେ ?

ଡରରେ ସମସ୍ତେ ଚୁପ୍ । କୌତୁହଳ ବି । କ'ଣ ହଉଚି ? ଥାନି ବିଷଧର ତେଣୁ ତା ସହିତ କେହି କଥା ହୁଅନ୍ତି ନାହିଁ । ତେଣୁ କେହି ତାକୁ ପଚାରିବା ପାଇଁ ବି ଡରିଲେ ।

ବାଗୁନ୍ ବାବୁ ଔଷଧ ଦେଇ ସବୁ ଠିକ୍ ହବା ଆଶ୍ବାସନା ଦେଇ ଚାଲିଗଲେଣି । ଶକ୍ତି ତା ସାଙ୍ଗମାନଙ୍କୁ ଖୋଜିଲାଗିଲା ।

କେହି ଦେଖାଯାଉନାହାନ୍ତି । ସମସ୍ତଙ୍କୁ ଜୋର୍ ପାଟିରେ ଡାକି ସେଇ ଗଛତଳେ ପହଞ୍ଚିଲା, ଯୋଉଠି ଥାନି ଛଟପଟ୍ ହେଉଥାଏ । ଶକ୍ତି କ୍ଷଣେ ରହିଗଲା । ସହଜେ ଶକ୍ତି ଥାନି କୁ ଡରେ । ପୁଣି ତାକୁ ଏଭଳି ଅବସ୍ଥାରେ ଦେଖି ଆହୁରି ଡରିଯାଇ ଦୂରେଇ ଠିଆହେଲା । ଶକ୍ତି କୁ ପାଖରେ ପାଇ ସାହସ ବାନ୍ଧିଲେ ମାଙ୍କଡମାନେ, ଗୋଟିଏ ଗୋଟିଏ ହୋଇ ଶକ୍ତି ପାଖରେ ଆସି ଠିଆ ହେଲେ ।

ସେହି ଜଙ୍ଗଲର କାହାଣୀ - ୪

Report an Error