ସେହି ଜଙ୍ଗଲର କାହାଣୀ - ୪

ଏ ଏକ ଜଙ୍ଗଲର କାହାଣୀ । ଏ କାହାଣୀର ଚରିତ୍ରମାନେ ସେ ଜଙ୍ଗଲର ଜୀବଜନ୍ତୁ । ହେଲେ ସେମାନଙ୍କ ଜୀବନ ଓ ସଂଘର୍ଷ ଆମ ଜୀବନ - ସଂଘର୍ଷ ସହିତ ତାଳ ଦେଇ ଚାଲୁଥିବାର ଦେଖିହେବ । ଏ କାହାଣୀ ଭିତରେ ରୂପାୟିତ ଆମ ସମୟ, ସମାଜ ଓ ଜୀବନ ।


ସେଦିନ ରାତିରେ ଶକ୍ତି ମା' ଙ୍କୁ ଓଧ ମାଉସୀ କଥା କହି ବହୁତ ହସାଇଲା । ମା' ଜାଣି ଖୁସିହେଲେ ଯେ, ଶକ୍ତି ଜଙ୍ଗଲର ସୁରକ୍ଷା ପାଇଁ ତତ୍ପର । ନୂଆ ପ୍ରାଣୀମାନଙ୍କ ସହ ପରିଚିତ ହେବା, ସେମାନଙ୍କ ଜୀବନଶୈଳୀରେ ଉତ୍ସୁକତା ରଖିବା, ଏହା ଏକ ଭଲ ରାଜାର ଲକ୍ଷଣ ବୋଲି ମା' ବୁଝିପାରିଥିଲେ ।

'ଶକ୍ତି ! ତୁ କ'ଣ ଆଗରୁ ଓଧ ଦେଖିନୁ ।' ମା ପଚାରିଲେ ।

ନା, ମୁଁ ଦେଖିଥିଲେ ଭୂତ ବୋଲି ଡରିଥାଆନ୍ତି ? ଆଛା ମା' ସେମାନେ ଖାଆନ୍ତି କ'ଣ । ' ଶକ୍ତି ପଚାରିଲା ।

ଓଧମାନେ ମାଛ ଖାଆନ୍ତି । ସେମାନେ ଭଲ ପହଁରି ପାରନ୍ତି ।

ସେମାନେ କୌତୁକିଆ କାମ ସବୁ କରନ୍ତି । ମତେ ହସଲାଗେ ସେମାନଙ୍କ କାମ ସବୁ ଦେଖିଲେ ।' କହିଲେ ମା' । ମା'ଙ୍କ ପାଖେ ଖୁସିରେ ହସି ହସି ଶୋଇଗଲା ଶକ୍ତି ।

ହେଲେ ଶକ୍ତିର ସରଳତା ଦେଖି ମା' ବହୁତ ବିଚଳିତ । କେବେ ଛୁଆରୁ ବଡ ହେବ, ଦୁନିଆ ଖବର ବୁଝିବ ? ବହୁତ କିଛି ଚିନ୍ତାକରି ମା' ସୁମନାଙ୍କ ଆଖିରେ ନିଦ ନାହିଁ । ଶକ୍ତିର ବାପା ସୌରଭଙ୍କୁ ସେ ମନେ ପକାଇ ବହୁତ ଦୁଃଖ କଲେ ।

ସକାଳ ପାହିବା ଆଗରୁ ଏହି ପଶୁ ପିଲା ସବୁ ଏକାଠି ରୁଣ୍ଡ ପାହାଡ ତଳେ । ଶକ୍ତିର ଆଜି କାହିଁକି ବିଳମ୍ବ ହେଉଛି । ମିଙ୍କି ଖାଲି ଉଛନ ହେଲାଣି । ଶକ୍ତି ଆସିଲେ ଖେଳଟା ଜମିବ । ଓଧଛୁଆ ପାଞ୍ଚଟି ଆସି ହାଜର । ମିଙ୍କି, ଲିମ୍ପି, ସୁମା ସମସ୍ତେ ସେମାନଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଇ ଚାହିଁଥାଆନ୍ତି । ସେମାନଙ୍କ ଚିଁ ଚିଁ ଚିଲ୍ଲେଇବା ଶବ୍ଦରେ ସୁମା କାନରେ ହାତଦେଇ ଆଆଆଆଆ ପାଟି କରୁଥାଏ । ଆଉ ସାତ/ଆଠଟି ଛୁଆ ମାଙ୍କଡ ପାଖ ଗଛରେ ବସି ରହିଥାଆନ୍ତି ଶକ୍ତିକୁ ଅପେକ୍ଷା କରି ।

କଥା କଣ କି ସେମାନେ ବି ଶକ୍ତିର ଦଳରେ ମିଶି ଖେଳିବାକୁ ଚାହୁଁଥାଆନ୍ତି । ମିଙ୍କି କହିଥାଏ ଶକ୍ତି ହିଁ ସେହି ନିଷ୍ପତ୍ତି ନେଇପାରିବ । ଗୋଟିଏ ଜିରାଫ୍ ଛୁଆ ଗଛର ପତ୍ର ଖାଉଖାଉ କହିଲା, ' କ'ଣ ଚାଲିଛି ଏଇସବୁ । ଶାନ୍ତିରେ ଖାଇପାରୁନି ଏଠି ମୁଁ ।'

'କାଇଁ ତମେ ଖାଉନ । ଆମେ କ'ଣ ମନାକଲୁ ?' କହିଲା ସୁମା ।

'ମନା କରିବ କାହିଁକି। କିନ୍ତୁ ଏତେ ଶବ୍ଦ କରିବା କଣ ଦରକାର । 'ପୁଣି କହିଲା ଜିରାଫ୍ ଛୁଆଟି । 'ତୁମେ ଠିକ୍ କହିଛ ଭାଇ । ମୁଁ ସମସ୍ତଙ୍କ ତରଫରୁ ଦୁଃଖିତ ଏବଂ କ୍ଷମା ଚାହୁଁଛି ।' ଶକ୍ତିର ଉତ୍ତରରେ ସମସ୍ତେ ଚାହିଁଲେ ସେହିଦିଗକୁ, ଯୋଉଠୁ ଶକ୍ତିର ସ୍ବର ଶୁଣାଯାଉଥାଏ ।

ପାଖ ଛୋଟିଆ ପାହାଡ ତଳକୁ ଖସି ଆସୁଆସୁ ଶକ୍ତି କହୁଥାଏ ଏହି କଥା । ସମସ୍ତଙ୍କ ମୁହଁରେ ତତ୍ପରତା ଓ ସରସତା ଉକୁଟି ଉଠିଲା । ପୁଣି ଖୁସିରେ ନିଜ ନିଜ ସ୍ବରରେ ପାଟିକରିବାରେ ଲାଗିଲେ ।

'ଶାନ୍ତି ରଖ ।' ଶକ୍ତି ଗମ୍ଭୀର ଭାବରେ କହିଲା ।

'ଆମେ ଆଜି ପୁଣି 'ଲୁଚକୁଲୁଚା' ଖେଳିବା । ଏତିକି କହିବାବେଳେ କିଛି ଗଛ ଡାଳ ଡେଇଁ ସାରିଥିଲା ମିଙ୍କି ।

'ତାହେଲେ ସେମାନଙ୍କ କଥା କ'ଣ ? ' ଓଧ ଛୁଆ ଓ ମାଙ୍କଡ ପଲଙ୍କୁ ଦେଖାଇ କହିଲା ଲିମ୍ପି ।

'ଆରେ, ସା,ରେ,ଗା,ମା,ପା ତମେ ସବୁ ଏଠି ?' ହସି ହସି କହିଲା ଶକ୍ତି ।

ଚିଁ ଚାଁ ଶବ୍ଦରେ ସେମାନେ ବୁଝେଇଦେଲେ ଯେ, ସେମାନେ ବି ଖେଳିବେ । ମାଙ୍କଡ ଛୁଆ ସବୁ ଧୁମ୍ ଧାମ୍ ଡେଇଁକି ଆସି, ଶକ୍ତି ପାଖେ ରୁଣ୍ଡ ।

'ଚାଲ ସମସ୍ତେ ତା'ହେଲେ ମିଶିକି ଖେଳିବା ।' ଶକ୍ତି ଖୁସିରେ କହିଲା ।

'ଆଛ୍ଛା, ମୋ ନାଁ ଜୁକୁନ୍ । ମୁଁ ବି କ'ଣ ଖେଳି ପାରିବି ତମ ସହିତ ?' କହିଲା ଛୁଆ ଜିରାଫ୍ ଟି ।

'ଆମେ ସମସ୍ତେ ଏକାଠି ଖେଳିବା ।' ହସି ହସି କହିଲା ଶକ୍ତି ।

'ହଁ, ହେଲେ ଶବ୍ଦ ହବ ଖେଳିବାବେଳେ ।" ସୁମା ଗମ୍ଭୀର ସ୍ବରରେ କହିଲା ।

ଏହି କଥାରେ ସମସ୍ତେ ଠୋ ଠୋ ହସିଲେ ।

ଖେଳ ଆରମ୍ଭ ହେଲା । କିଏ କୋଉଠି ଲୁଚିଲେଣି । ହେଲେ ମାଙ୍କଡପଲ ଗଛ ଉପରୁ ସବୁ ଦେଖିପାରୁଥିଲେ କିଏ କୋଉଠି ଲୁଚିଚି । ଜିରାଫ୍ ବି ଲମ୍ବା ବେକ ନେଇ ସବୁ ଦେଖିପାରୁଥାଏ । ଶେରୁ ଓ ଶିବା ଦୁଇଟି ଚିତାବାଘ ଛୁଆ ସବୁବେଳେ ଶକ୍ତି ସାଥିରେ ରହିଥାଆନ୍ତି । ଗୁମ୍ଫାରେ ପଶିଲେ ବି କେହି ଦେଖିପାରୁଛି, ଗଛରେ ବୁଦାରେ, ଯୋଉଠି ଲୁଚିଲେ କେହି ନା କେହି ଦେଖୁଚି । ସମସ୍ତେ ଲୁଚିବାକୁ ଖୋଜୁଛନ୍ତି କିନ୍ତୁ କିଛି ମିଳୁନି ସେହିଭଳି ସ୍ଥାନ । ବେଶ୍ କିଛି ସମୟ ସେମିତି ଦୌଡ଼ାଦୌଡ଼ି ପରେ ଥକିଯାଇ ସବୁ ଗୋଟିଏ ଜାଗାରେ ବସିଗଲେ ।

'ଏଥର ଲୁଚକାଲୁଚି ଖେଳିବାକୁ ହେଲେ ଆମକୁ ପୁରା ଜଙ୍ଗଲରେ ଲୁଚିବାକୁ ହବ ।' ଶକ୍ତି କହିଲା ।

'ଦାଦାବାବୁ ତ' ମନା କରିଚନ୍ତି ନା ଶକ୍ତି ! ଆମକୁ ଏହି ଅଞ୍ଚଳରୁ ଅନ୍ୟ କୁଆଡେ ଯିବା ପାଇଁ ।' ଶେରୁର କଥାରେ ଶକ୍ତି ଦ୍ବିଧାରେ ଦେଖିଲା ଚାରିଆଡେ ।

ହଠାତ୍ ଘଞ୍ଚ ଗଛର ମଝିରେ, ପୁଣି ସେହି ବୁଢା ମାଙ୍କଡର ଉପସ୍ଥିତି ଶକ୍ତିକୁ ଚିନ୍ତିତ କରିଦେଲା । ବୁଢାମାଙ୍କଡକୁ ବାସ୍ ଥରେ ଦେଖିଚି ଶକ୍ତି । ସେ କୋଉଠି ଲୁଚିଗଲା । ପୁଣି ସେହି ଗଛକୁ ଭଲଭାବେ ନିରେଖି ଦେଖିଲା ଶକ୍ତି, ନା.... କେହି ନାହିଁ ।

ଉପରକୁ ଚାହିଁ ଶକ୍ତି କହିଲା, 'ସୂର୍ଯ୍ୟ ମୁଣ୍ଡ ଉପରେ । ଚାଲ ପାଠ ପଢିବା ସମୟ ହେଲାଣି ।'

ଲୁଚକାଲୁଚି ସେତିକି ରହିଲା । ସମସ୍ତେ ଚାଲିଲେ ପାଠ ପଢିବାକୁ ।

ସେହି ଜଙ୍ଗଲର କାହାଣୀ - ୩

Report an Error