
ଚକଚକିଆ ଆଖି କାହାର
ଶକ୍ତି ସେଇ ଗଛକୁ ଠିକ୍ ରେ ଜାଣିପାରି ନଥିଲା, ଯୋଉଠି ମିଙ୍କି ଗାତ ଓ ଆଖି ଦେଖିଥିଲା । ତେଣୁ ଶକ୍ତି ସେହି ପାଖାପାଖି ସବୁ ଗଛ, ଗାତ, ଗୁମ୍ଫାରେ ଖୋଜିବାରେ ଲାଗିଲା । କିଛି ପାଇଲା ନାହିଁ । ଥକ୍କା ହୋଇ ବସିଗଲା ଗୋଟିଏ ଛୋଟ ଗୁମ୍ଫାର ଦ୍ବାର ପାଖେ । ଜଙ୍ଗଲରେ ସନ୍ଧ୍ୟା ଜଲଦି ଆସେ । ଛାଇ ଆଲୁଅ ଖେଳି ଖେଳିକା ଜଙ୍ଗଲରେ ସନ୍ଧ୍ୟା ହଠାତ୍ ଆସିଯାଏ । ସେଇ ଦିନ ବି ସେମିତି ସନ୍ଧ୍ୟା ଆସିବା ଉପରେ ହେଲାଣି ।
ଶକ୍ତି ଭାବିଲା, 'ମିଙ୍କିଟା ଡରେଇ ମାଙ୍କିଡି । କାଇଁ କୋଉଠି ତ କିଛି ନାଇଁ । ବେକାର ସମୟ ନଷ୍ଟ ହେଲା ।'
ହଠାତ୍ ସେଇ ଗୁମ୍ଫା ଭିତରୁ ଅଜବ ଶବ୍ଦ ଶୁଣାଗଲା ।
ଶକ୍ତି ଭାବିଲା, 'ଏଇଟା କ'ଣ ସେଇ ଜାଗା ?'
ସାହସ ବାନ୍ଧି ଭିତରକୁ ଗଲା ।
ଭିତରେ ଏକଦମ୍ ଅନ୍ଧାର ।
ଗୁମ୍ଫାର ତଳେ ଗୋଟିଏ ଗାତ । ଶକ୍ତି ସେଇ ଗାତ ପାଖକୁ ଗଲା ।
ଶକ୍ତି ଦେଖିଲା ଚାରି ପାଞ୍ଚଟି ଛୋଟ ଛୋଟ ମୁଣ୍ଡ ଉପରକୁ ଉଠିକି ରହିଛି । ମିଙ୍କି କହିବା ଭଳି ବଡବଡ ଆଖି ।
ଶକ୍ତି ପଛକୁ ଘୁଞ୍ଚି ଆସିଲା ।
ଗୁମ୍ଫା ଭିତରେ ଗୋଟିଏ ପ୍ରାଣୀ ପଶିବା ସେ ଦେଖିଲା । ତେବେ ସେ ଏହିଭଳି କାହାକୁ କେବେ ଦେଖି ନଥିଲା । ଶକ୍ତି ଡରିଗଲା, ତଥାପି ବି ସାହସ ନେଇ ପଚାରିଲା -
'ତମେ କ'ଣ ଭୂତ ?'
'ନା । '
ସେ ଅଜବ ପ୍ରାଣୀଟି କହିଲା ।
'ମୁଁ ତ ତୁମକୁ ଆଗରୁ ଦେଖିନି ।' ଶକ୍ତି ପ୍ରଶ୍ନ କଲା ।
'କୁହ ତୁମ ନାମ କ'ଣ ? ତୁମେ ଏଇ ଜଙ୍ଗଲର ମିତ୍ର ନା ଶତ୍ରୁ ?' ଶକ୍ତି ପୁଣି ପଚାରିଲା ।
କଥାବାର୍ତ୍ତା ଶୁଣି ପାଖ ଗଛରୁ ବୁଢା ପେଚା କୋକୁ ମଉସା ଆସିଲେ । କୋକୁ ମଉସାଙ୍କୁ ସମସ୍ତେ ମାନନ୍ତି । ସେ ବହୁତ ଜ୍ଞାନୀ । ସୁବିଧା ଅସୁବିଧାରେ ଜଙ୍ଗଲର ସବୁ ପଶୁପକ୍ଷୀ ତାଙ୍କଠାରୁ ଉପଦେଶ ନିଅନ୍ତି ।
'ଆରେ ଶକ୍ତି ! ଆମ ଜଙ୍ଗଲର ଯୁବରାଜ । କଥା କ'ଣ ?' କୋକୁ ମଉସା କହିଲେ ।
'ମଉସା, ୟେ କିଏ ? ୟେ କ'ଣ ଭୂତ ?' ପଚାରିଲା ଶକ୍ତି ।
'ହେଃ, ଭୂତ କ'ଣ ? ୟେ ହେଲେ ଓଧ । ଯେମିତି ତମେ ବାଘ, ମୁଁ ପେଚା, ସେମିତି ୟେ ହେଲେ ଓଧ ।' କୋକୁ ମଉସା ବୁଝେଇ ଦେଲେ ।
'ଓଧ । ଆଚ୍ଛା, ଏମିତି ପ୍ରାଣୀ ମଧ୍ୟ ଆମ ଜଙ୍ଗଲରେ ତେବେ ରୁହନ୍ତି ।' କହିଲା ଶକ୍ତି ।
'ହଁ, ଏମିତି ବହୁତ ପ୍ରାଣୀ ଅଛନ୍ତି ଯାହାଙ୍କୁ ତୁମେ ଜାଣନା ।' କହିଲେ କୋକୁ ମଉସା ।
'ଆଉ ଯୋଉ ସେ ତଳେ ବଡବଡ ଆଖି ଥିବା ଭୂତ ଅଛନ୍ତି, ସେ କିଏ ?' ଶକ୍ତି ସେଇ ଗାତ ଆଡେ ଦେଖାଇ ପଚାରିଲା ।
'ସେମାନେ ମୋ ଛୁଆ ଯୁବରାଜ ।' କହିଲା ଓଧ ।
'ମୋର ପାଞ୍ଚଟି ଛୁଆ । ସେମାନଙ୍କୁ ମୁଁ ମାଟିତଳେ ଲୁଚାଇ ରଖେ । ସେମାନେ ଏବେ ବଡ ହେଲେଣି । ତେଣୁ ବାହାରକୁ ଆସିବାକୁ ଚାହାନ୍ତି ।' ଆଉଥରେ ବୁଝାଇ କହିଲା ଓଧ ।
'ଓଃ ! ଏମିତି କଥା । ତାହେଲେ ଭୂତ ଏଠି କେହି ନାଇଁ ।'
ଆଚ୍ଛା, ତୁମେ ସେମାନଙ୍କୁ ବାହାରକୁ ଆସିବାକୁ କହିପାରିବ କି ?
'ମତେ ଖୁବ୍ ଇଚ୍ଛା ହେଉଛି ସେମାନଙ୍କୁ ଦେଖିବାକୁ ।' ଶକ୍ତି କହିଲା ।
'ହଁ ନିଶ୍ଚୟ । ଆସ ସା, ରେ, ଗା, ମା, ପା । ଏଥର ତୁମେ ବାହାରେ ଖେଳବୁଲ କରିପାରିବ ।'
ମା' କଥା ଶୁଣି, ପାଞ୍ଚଟି ଛୁଆ ଧୁମ୍ ଧାମ୍ ହେଇ ବାହାରି ଆସିଲେ । ଖୁସିରେ କିଏ କୋଉଠି ଗଡାତଡା ହେବାରେ ଲାଗିଲେ । ଶକ୍ତି ଟିକେ ଘୁଞ୍ଚିଗଲା । ଇତଃସ୍ତତଃ ଭାବେ ଶକ୍ତି କହିଲା, 'ହଉ, ମୁଁ ଯାଉଚି। ମୋ ସାଙ୍ଗମାନେ ବହୁତ ଖୁସି ହେବେ ଏହା ଜାଣି ଯେ ଭୂତ ବୋଲି କେହି ନାହିଁ । ଆଚ୍ଛା, ଓଧ ମାଉସୀ, ଏମାନଙ୍କ ନାଁ କ'ଣ ଏମିତି....? ନା' ଠିକ୍ ଅଛି ଯେ...।'
'ସା, ରେ, ଗା, ମା, ପା ଏମିତି ତ' ନାଁ । ଏମିତି ହେଲେ ମତେ ଲାଗୁଚି ମୁଁ ଗୀତ ଗାଉଚି । ସତରେ ଯୁବରାଜ ମୁଁ ବହୁତ ଭଲ ଗୀତ ଗାଏ । ସା.. ଆଆଆଆ ରେ..ଏଏଏଏଏ ଗା... ଆଆଆ ।
କୋକୁ ମଉସା ଧୀର ସ୍ବରରେ କହିଲେ, 'ଶକ୍ତି ଆଉଦିନେ ଗୀତ ଶୁଣିବ । ଚାଲ ଘରକୁ ଯିବା ।'
ଶକ୍ତି ଗୁମ୍ଫା ବାହାରକୁ ଆସି କୋକୁ ମଉସାଙ୍କୁ ପୁଣି ଆସିବ କହି ଘର ଅଭିମୁଖେ ଚାଲିଲା । ତା' ମନ ଆଜି ବହୁତ ଖୁସି । ଘରେ ମା'ଙ୍କୁ କେତେକଥା କହିବାର ଅଛି । ପୁଣି ଏଇ ଯୋଉ ନୂଆ ପ୍ରାଣୀ ଓଧ ତାକୁ ଭାରି କୌତୁକିଆ ମନେହେଲେ । ଓଧ ମାଉସୀର ଗୀତ କଥା ମନେପଡିଲା । ତେଣୁ ହସିହସି ଶକ୍ତି ଘର ରାସ୍ତାକୁ ମୁହାଁଇଲା ।