ସେହି ଜଙ୍ଗଲର କାହାଣୀ - ୨

ଏ ଏକ ଜଙ୍ଗଲର କାହାଣୀ । ଏ କାହାଣୀର ଚରିତ୍ରମାନେ ସେ ଜଙ୍ଗଲର ଜୀବଜନ୍ତୁ । ହେଲେ ସେମାନଙ୍କ ଜୀବନ ଓ ସଂଘର୍ଷ ଆମ ଜୀବନ - ସଂଘର୍ଷ ସହିତ ତାଳ ଦେଇ ଚାଲୁଥିବାର ଦେଖିହେବ । ଏ କାହାଣୀ ଭିତରେ ରୂପାୟିତ ଆମ ସମୟ, ସମାଜ ଓ ଜୀବନ ।


ଘର ଭିତରକୁ ଗଲା ଶକ୍ତି । ପୁଣି ବାପାଙ୍କ କଥା ମନେପଡିଲା ।

'ଆମ ରାଜା ଆସିଲେ । ସ୍ବାଗତ କରାଯାଉ ଏହି କୁନି ରାଜାଙ୍କୁ ।' କହି ନିଜ ଆଡକୁ ଟାଣି ନିଅନ୍ତି ଶକ୍ତିର ବାପା ତା'କୁ ।

ଦିହେଁ ବହୁତ ଖେଳନ୍ତି । ବେଳେବେଳେ ବାପା ତା'କୁ କୁତ୍ କୁତ୍ କରନ୍ତି । ସେ ହସି ହସି ଗଡିଯାଏ । ପୁଣି ନିଜ ହାତ ସହିତ ତା' ହାତ ମିଶାଇ କୁହନ୍ତି, 'କାହା ପଞ୍ଝା ବଡ କହିଲୁ ।'

ବାପାଙ୍କ ଆସନ ପାଖେ ଠିଆହୋଇ ଶକ୍ତି ଅତୀତରେ ହଜିଯାଇଥିଲା ।

ମା' ଡାକିଲେ, 'ଶକ୍ତି ! ଆସିଲୁଣି ?'

'ହଁ, ହଁ ମା' । ଶକ୍ତି ଆଖି ପୋଛି କହିଲା ।

ମା'ଙ୍କ ପାଖେ କୋଉ କଥା ଲୁଚିରହେ ଯେ, ମା' ସବୁ ଜାଣିଦିଅନ୍ତି ।

'ଶକ୍ତି !! ଏତେ ଦୁଃଖ କରନା ରାଜା । ବାପା ତୋ ଭିତରେ ବଞ୍ଚି ରହିବେ ସବୁଦିନ ପାଇଁ ।' ମା' ଶକ୍ତିକୁ ଟାଣିନେଲେ କୋଳକୁ ।

'ମା' । ଶକ୍ତି ଡାକିଲା ।

'ହୁଁ'। ମା' କହିଲେ ।

'ମା' !! ଆଉ କେତେଦିନରେ ମୁଁ ପୂରା ବଡ ହେଇଯିବି ? ଏକଦମ୍ ବଡ । ଏତେ ବଡ ।' ଉପରକୁ ହାତ ଉଠାଇ କହିଲା ଶକ୍ତି ।

'ମାନେ ତୁ କହିବାକୁ ଚାହୁଁ, ତୋ ବାପାଙ୍କ ଭଳି । ଏଇୟା ତ ?' ମା' ହସିହସି କହିଲେ ।

'ମା, ତମେ ସବୁ ଜାଣିପାର।' ମା'ଙ୍କୁ ଭିଡିକି ଧରି ଗେଲ ହୋଇ କହିଲା ଶକ୍ତି ।

ଜଙ୍ଗଲର ସକାଳୁଆ ଦୃଶ୍ୟ ଭାରି ମନୋରମ । ସିନ୍ଦୂରା ଫାଟିନଥାଏ, ପକ୍ଷୀମାନେ ଯେଝା ଘରୁ ବାହାରି ଅନେକ ପ୍ରକାର ଶବ୍ଦରେ ଭରିଦିଅନ୍ତି ପୂରା ଜଙ୍ଗଲକୁ । ଦିଗବଳୟରେ ଆକାଶ ପ୍ରତି ମୁହୂର୍ତ୍ତରେ ରଙ୍ଗ ବଦଳାଉଥାଏ । ଅନ୍ଧାର ଭେଦି ଆଲୋକର ଧୀର ପ୍ରବେଶ କି ସୁନ୍ଦର ତାହା ଜଙ୍ଗଲ ଆକାଶ ହିଁ କହିପାରେ । ଜଙ୍ଗଲି ଫୁଲ ସବୁ ଆସ୍ତେ ଆସ୍ତେ ନିଜକୁ ଖୋଲନ୍ତି ।

ଶକ୍ତି ଭଳି ଅନେକ ପଶୁଛୁଆ ସକାଳୁ ଖେଳିବା ପାଇଁ ଏକାଠି । ଅନେକ ଶବ୍ଦର କୋଳାହଳକୁ ନେଇ ଜଙ୍ଗଲ ମୁଖରିତ । ଖେଳ ସରେନି ଏହି ଛୁଆ ପଶୁମାନଙ୍କର । କୋଉ ଗଛରେ ଚଢିଲେଣି ତ' କୋଉଠି ପାଣିରେ ପଶିଲେଣି ।

ଖୁସିରେ ଲୁଚିଲୁଚି ଖେଳୁଖେଳୁ ମିଙ୍କି ମାଙ୍କଡ ଦେଖିଲା ଗୋଟିଏ ଗାତ । ଗାତ ଭିତରେ ମାଟି ତଳୁ ଦି'ଟି ଛୋଟ ମୁଣ୍ଡ ଦେଖିବାକୁ ପାଇଲା । ମୁଣ୍ଡ ଦିଓଟି ମାତ୍ର ଆଖିଯାଏଁ ଦେଖାଯାଉଥାଏ । ଏମିତି ଦୃଶ୍ୟ ଆଗରୁ ଦେଖିନଥିଲା ମିଙ୍କି ।

ଖେଳ କଥା ଭୁଲି ଦୌଡିଲା ତା' ସାଙ୍ଗମାନଙ୍କ ପାଖକୁ ।

'ଶକ୍ତି.........ସୁମା.....ଲିମ୍ପି......'

ସାଙ୍ଗମାନଙ୍କୁ ଡାକି ଡାକି ମିଙ୍କି ଧଇଁସଇଁ ହୋଇ ଦୌଡିଲା ।

'ହେ ମିଙ୍କି ତୁ ଧରାପଡିଲୁ ।' କହିଲା ଶକ୍ତି ।

'ହାଁ....ହାଁ..... ହାଁ' ଖାଲି ହାଲିଆ ହୋଇ ବଡ ବଡ ନିଃଶ୍ବାସ ମାରୁଥାଏ ମିଙ୍କି ।

'କ'ଣ ହେଲା ?' ପଚାରିଲା ଶକ୍ତି ।

'ହେ ମିଙ୍କି !! ତୁ କ'ଣ ଭୂତ ଦେଖିଲୁ ।' କହିଲା ନୀଳଗାଈ ଛୁଆ ସୁମା ।

'ନା, ମ ଏଇସବୁ ବାହାନା । ଧରାପଡିଗଲା ତ' ସେଥିପାଇଁ । କହିଲା ବାରହା ଛୁଆ ଲିମ୍ପି ।

ନିଃଶ୍ବାସ ନେଇ ଦଣ୍ଡେ ରହି କହିଲା ମିଙ୍କି, 'ହଁ !! ଭୂତର ଆଖି ଦେଖିଲି । ବଡବଡ ଆଉ ଚକ୍ ଚକ୍ । ସେ ଗାତ ଭିତରେ ଅଛି ଭୂତ । ଭୂତିଆ ଗାତ ସେଇଟା । ଆଆଆଆଆ.... ଚାଲ ଚାଲ ପଳେଇବା ।' ଏତିକି କହିବାବେଳେ ମିଙ୍କି ଡେଇଁକି ଗଛ ଉପରେ ।

'ଭୂତଅଅଅଅଅଅଅ'

ସମସ୍ତେ ଚିତ୍କାର କରି ପଡି ଉଠି ଧାଇଁଲେ ।

ସେଇ ଜାଗାରୁ ବହୁତ ଦୂରକୁ ଯାଇ ଠିଆ ହେଲେ ସମସ୍ତେ ।

ପୋଖରୀରୁ ପାଣି ପିଇଲେ ।

ପାଣି ପିଇବାବେଳେ ନିଜ ପ୍ରତିବିମ୍ବକୁ ଦେଖି ଶକ୍ତି ମିଙ୍କିକୁ ପଚାରିଲା, 'କ'ଣ ଏମିତି ଆଖି ଥିଲା କି ?'

'ହଁ, ଏମିତି । ନା ନା ୟାଠୁ ବଡ ।' ଭାବି ଭାବି କହିଲା ମିଙ୍କି ।

ଶକ୍ତିର ମନ ଆଉ ଖେଳରେ ଲାଗିଲା ନାହିଁ । ଖାଇସାରି ସମସ୍ତେ ହାଲିଆ ହୋଇ ଶୋଇଗଲେଣି । ଏଇ ସମୟରେ ଛୁଆପଶୁ ସବୁ ଶୋଇଯାଆନ୍ତି । କେତେବେଳେ ଗଛତଳେ ତ' କେତେବେଳେ ପାହାଡ ସନ୍ଧିରେ । ଶକ୍ତି ବି ଶୋଇଗଲା । ମାତ୍ର କିଛିକ୍ଷଣରେ ତା' ନିଦ ଭାଙ୍ଗିଗଲା ।

'ଏହି ଜଙ୍ଗଲର ଦାୟିତ୍ବ ତୋ ହାତରେ ରାଜା ।'

ତା ବାପାଙ୍କ କଥା ମନେପଡିଲା ।

'ସତରେ କ'ଣ ଭୂତ ?' ଭାବିଲା ଶକ୍ତି ।

ସନ୍ତର୍ପଣରେ ଉଠି ଚାଲିଲା ସେହି ଗାତ ପାଖକୁ । ମନରେ ଡର ବି ଥାଏ । ଶକ୍ତି ଭାବୁଥାଏ, 'ଭୂତ କ'ଣ ବହୁତ ବଡ ?'

'ଭୂତ କ'ଣ ମତେ ଧରିଦବ ?'

'ଭୂତ କ'ଣ ମତେ ମାରିଦେବ ?'

ପୁଣି ନିଜକୁ ବୁଝାଏ, 'ତୁ ତ' ରାଜପୁତ୍ର । ତୁ କ'ଣ ଡରୁଚୁ ।'

ଡର, ଭୟ, ସାହସ, ଶଙ୍କା ସବୁ ନେଇ ଚାଲିଲା ଶକ୍ତି ସେଇ ଗାତ ଆଡକୁ ।

ବୁଢା ମାଙ୍କଡଟି ସବୁ ଦେଖୁଥାଏ । ଶକ୍ତିର ପ୍ରତି ଗତିବିଧି ଉପରେ ନଜର ରଖିଥାଏ ।

(କ୍ରମଶଃ)

ସେହି ଜଙ୍ଗଲର କାହାଣୀ - ୧

Report an Error