ଜାେର୍ ଲଗାକେ ହୈସା

ଫେଭିକଲ୍ କୁ ସମସ୍ତେ ଜାଣନ୍ତି, କିନ୍ତୁ ତା' ପଛରେ ଥିବା ମଣିଷଟିକୁ ଅନେକ ଚିହ୍ନନ୍ତି ନାହିଁ । ସେ ହେଲେ ଭାରତର ଫେଭିକଲ୍ ମ୍ୟାନ ବଲବନ୍ତ ପାରେଖ । ୨୦୧୩ ମସିହାର ହିସାବ ଅନୁସାରେ ସେ ଭାରତର ୪୫ତମ ଧନୀ ବ୍ୟକ୍ତି ଥିଲେ ।


ଫଟୋ - ରମାକାନ୍ତ ସାମନ୍ତରାୟ

ଗାଁରେ ପିଲାଦିନ କାଟିଥିବା ଲୋକମାନେ ଜାଣନ୍ତି ସାଧାରଣ ଯୋଗାଡ଼ଯନ୍ତ୍ରରେ କେମିତି ଜୀବନ ଚାଲେ । ପିଲାଦିନେ ଆମେ ଯାବତୀୟ ଯୋଗାଡ଼ଯନ୍ତ୍ରରେ ମାହିର୍ ଥିଲୁ । ଗୋଟେ ଛୋଟିଆ ଉଦାହରଣ ଭାବରେ ଆମେ ଅଠାକୁ ନେବା । ହଁ, ଅଠା ଗୋଟେ କି ମାତବର ଚିଜ ଯେ । କିନ୍ତୁ କ'ଣ ପାଇଁ କେଜାଣି ପିଲାଦିନେ ଅଠାର ବଡ଼ ଆବଶ୍ୟକତା ଥିଲା । ବାର ବାର ଚିରିଯାଉଥିବା ବହି ଖାତାର ମରାମତ ପାଇଁ ତ ଦରକାର ହେଉଥିଲା, ତା' ବାଆଦେ ଗୁଡ଼ି ତିଆରି କିବା ଅକସ୍ମାତ ମିଳିଥିବା କିଛି ଗୋଟେ ରଙ୍ଗୀନ ଛବିକୁ ବହି ଖାତାର ମଲାଟ ଅବା କବାଟ, ଆଲମାରି, ପେଟି - ପେଟରା କିମ୍ବା ସିନ୍ଦୁକରେ ଚିପିକେଇବାକୁ ଅଠାର ଆବଶ୍ୟକତା ପଡୁଥିଲା । ସବୁଠାରୁ ସହଜ ସରଳ ଅଠା ଥିଲା ଆପଣା ଛେପ । ଛେପ ପରେ ଅଠା ମିଳିବାର ସବୁଠାରୁ ସହଜ ପନ୍ଥା ଥିଲା ବାଡ଼ିର ସଜନା ଗଛ । ସଜନା ଗଛର ଗଣ୍ଡିକୁ ଟିକେ ଛେଲି ଦେଇ ଅଳ୍ପ ସମୟ ଅପେକ୍ଷା କଲାପରେ ସେଠୁ ଯେଉଁ ଅର୍ଦ୍ଧ ତରଳ କାଠୁଆ ସିଙ୍ଘାଣୀ ପରି ଲସା ବାହାରୁଥିଲା, ତାହାହିଁ ଚମତ୍କାର ଅଠା ଭାବରେ ବ୍ୟବହୃତ ହେଉଥିଲା । ରଜବେଳକୁ ଆମେ ଗୁଡ଼ି ତିଆରି କରୁଥିଲୁ । ଠିକ୍ ସେତିକିବେଳକୁ ଗର୍ଭଣା କୋଳି ପାଚୁଥିଲା । ଗର୍ଭଣା କୋଳିର ବହଳିଆ ରସ ଭାରି ବଢ଼ିଆ ଅଠା ଭାବରେ ବ୍ୟବହାର ହେଉଥିଲା । ଲାଳୁଆ ଲାଳୁଆ ଓ ଅଳ୍ପ ମିଠା ଲାଗୁଥିବା ଗୋରା ରଙ୍ଗର ଗର୍ଭଣା କୋଳିକୁ ଆମେ ଖାଉଥିଲୁ ଓ ଅଠା ଭାବରେ ବ୍ୟବହାର ବି କରୁଥିଲୁ । କିନ୍ତୁ ସାରା ଗାଁର ପିଲାମାନଙ୍କ ଖାଇବା ଓ ଅଠାର ଆବଶ୍ୟକତାକୁ ପୂରା କରିବାକୁ ଆମ ଗାଁରେ ମାତ୍ର ଦୁଇ ତିନୋଟି ଗର୍ଭଣା କୋଳି ଗଛ ଥିଲା । ସେଥିରୁ ଆମ ବାଡ଼ିରେ ଗୋଟେ ଥିଲା । ଗର୍ଭଣା ସଂକ୍ରାନ୍ତିରେ ସେ ଗଛରୁ ବଡ଼ମାନେ ପୂଜା ପାଇଁ ଡାଳ କାଟୁଥିଲେ ଓ ଫଳ ଫଳିଲା ମାସ ସାରା ଗାଁ'ର ପିଲାମାନେ ଡାଳ ଭାଙ୍ଗି ଅତ୍ୟାଚାର କରୁଥିଲେ । ଓଉ ଫଳିବା ମାସରେ ଓଉ ଅନ୍ତିର ଅଠା କିଛି କମି ଉପୋଯୋଗୀ ନଥିଲା । ସ୍କୁଲରେ ପାଳିତ ହେଉଥିବା ଗଣେଶ ଓ ସରସ୍ୱତୀ ପୂଜା, ଗାଁ'ର ଅଷ୍ଟପ୍ରହରୀ ନାମଯଜ୍ଞ, ଶାରଳା ପୂଜା, ଖୁଦୁରୁକୁଣୀ ଓଷାର ଉଝା ପାଳି ଓ ବାହାଘର ବ୍ରତଘର ଆଦି କାର୍ଯ୍ୟକ୍ରମରେ ରଙ୍ଗ ବେରଙ୍ଗର କଚିରିଂ କାଗଜର ଝାଲେରୀକୁ ସରୁ ସୁତୁଲୀରେ ଲଟକାଇବାକୁ ବ୍ୟବହାର କରାଯାଉଥିଲା ରନ୍ଧା ମଇଦାର ଅଠା । ମଇଦା ଗୁଣ୍ଡକୁ ଚୁଲିରେ ବସେଇ ରାନ୍ଧି ମଇଦା ଅଠା ତିଆରି ହେଉଥିଲା । ମଇଦା ଅଠା ବଡ଼ମାନଙ୍କର ଅଠା । ଆମପରି ପିଲାମାନେ ମଇଦା କୋଉଠୁ ଅବା ପାଇବୁ ? ତାପରେ ତାକୁ ଆମମାନଙ୍କ ପାଇଁ ରାନ୍ଧିବ ବା କିଏ ? ଆଉ ଏକ ଅଠା ଥିଲା ଚିନି ଓ ଚୂନ । ଡାକ ବିଭାଗର ଆକାଶୀ ରଙ୍ଗର ଇନଲ୍ୟାଣ୍ଡ ଲେଟରରେ ଯୋଉ ଅଠା ଲଗେଇ ଦେଉଥାଏ ତାହା ଅନେକ ସମୟରେ ବହଳେ ଛେପ ଲଗାଇଲା ପରେ ବି ଠିକ୍ ରେ ଲାଗେନି । ସେଥିପାଇଁ ଦରକାର ହୁଏ ରନ୍ଧା ଭାତ କିମ୍ବା ଚିନି ଓ ଚୂନର ମିଶ୍ରଣ ।

ଟିକେ ବଡ଼ ହେଲାପରେ ମାଇନର୍ ସ୍କୁଲରେ ହେଡମାଷ୍ଟର ଥିବା ମୋ କକା ତାଙ୍କ ସରକାରୀ କାଗଜପତ୍ରରେ ବ୍ୟବହାର ପାଇଁ ଏକ ନୂଆ ପ୍ରକାରର ଅଠା ଘରକୁ ଆଣିଲେ । ସିରିଶ ଅଠା । ବଢ଼ିଆ ଅଠା । ପାଣିଆ ଅଠାଟି ଛୋଟିଆ ପ୍ଲାଷ୍ଟିକ୍ ବୋତଲରେ ଥାଏ ଓ ଅଠାକୁ କାଗଜ ଉପରେ ସହଜ ସରଳରେ ଲଗେଇବାକୁ ତା' ଠିପିରେ ହିଁ ଲାଗିକି ରହିଥାଏ ଗୋଟେ ବ୍ରସ୍ ।

ଭୁବନେଶ୍ୱର କଳା ମହାବିଦ୍ୟାଳୟରେ ପଢ଼ିବାକୁ ଆସିଲା ପରେ ମୁଁ ଯୋଉ ନୂଆ ଅଠା ସାଙ୍ଗରେ ପରିଚିତ ହେଲି ସେଇଟିର ନାମ ହେଲା ଫେଭିକଲ୍ । ପାଣିଆ ଧଳା ରଙ୍ଗର ଅଠା । ସେତେବେଳକୁ କଳା ଧଳା ଟି.ଭି ସବୁ କିଛି କିଛି ଲୋକଙ୍କ ଘରେ ଶୋଭା ବର୍ଦ୍ଧନ କଲେଣି । ସିରିଏଲ୍ ମଝିରେ କିମ୍ବା କ୍ରିକେଟ୍ ଖେଳ ମଝିରେ ଯୋଉ କମର୍ସିଆଲ୍ ବ୍ରେକ୍ ସବୁ ଆସିଲା ସେଥିରେ ଫେଭିକଲ୍ ର ଚମତ୍କାର ବିଜ୍ଞାପନ ଅନେକଙ୍କର ମନେ ଥିବ । ଗୋଟେ ଗାଡ଼ିରେ ବୋଝ ପରି ଲଦା ହୋଇ ଝୁଲି ଝୁଲି ପଲେ ଲୋକ ଚାଲିଥିବେ । ଖରାପ ରାସ୍ତାରେ ଗାଡ଼ି ସାଙ୍ଗରେ ପ୍ରବଳ ଝୁଲୁଥିବେ ସିନା କେହି କିନ୍ତୁ ତଳକୁ ଖସୁନଥିବେ । ଶେଷକୁ ଜଣା ପଡିବ ଗାଡ଼ି ପଛରେ ଲେଖାଅଛି ଫେଭିକଲ୍ । ଅନ୍ୟ ଏକ ବିଜ୍ଞାପନରେ ରାତିରେ ଯାଉଥିବା ମଣିଷର ଛାଇ ହଠାତ୍ ଦୋକାନର ବନ୍ଦ କବାଟରେ ଲେଖା ଫେଭିକଲ୍ ର ବିଜ୍ଞାପନରେ ଲାଖି ରହିଯାଇଛି । ଫେଭିକଲ୍ ର ଅତୁଟ ଯୋଡ଼କୁ ହାତୀ ଟାଣି ଟାଣି ହାଲିଆ ହେଇଯାଉଛନ୍ତି ସିନା ଯୋଡ଼େଇକୁ ଅଲଗା କରିପାରୁନାହାଁନ୍ତି । କେବେ କୁକୁଡ଼ା ଅଣ୍ଡା ଫାଟୁନି ତ କେବେ କୁନି ଝିଅର ସ୍କୁଲ୍ ଡ୍ରାମାରେ ଲଗା ନକଲି ନିଶ ସାରା ଜୀବନ ଅଲଗା ହେଉନି । ଏମିତିକି ପରଜନ୍ମରେ ବି ଝିଅଟି ସେ ନିଶ ସହ ଜନ୍ମ ନେଉଛି ।

ଅଠାର ଇତିହାସ ହଜାର ହଜାର ବର୍ଷର ପରୁଣା । ପ୍ରମାଣ ମିଳେ ଯେ, ପ୍ରସ୍ତର ଯୁଗର ଆଦିମଣିଷମାନେ ସେମାନଙ୍କ ପଥର ତିଆରି ହାତ ହତିଆରରେ ଅଠା ବ୍ୟବହାର କରୁଥିଲେ । ଦୁଇହଜାର ବର୍ଷ ପୁରୁଣା ସାହିତ୍ୟରେ ଅଠା ବିଷୟରେ ଉଲ୍ଲେଖ ରହିଛି । ତେବେ ଖ୍ରୀଷ୍ଟାବ୍ଦ ୧୫୦୦ - ୧୭୦୦ ପର୍ଯ୍ୟନ୍ତ ୟୁରୋପରେ ଅଠାର ଏତେଟା ପ୍ରଚଳନ ହୋଇନଥିଲା । ମାନବ ସଭ୍ୟତାର ଇତିହାସ ପରି ଅଠାର ଇତିହାସ ମଧ୍ୟ ପ୍ରାଚୀନ । ଆମର ପ୍ରାଚୀନ ସଭ୍ୟତାମାନଙ୍କରେ ଅଠାର ବ୍ୟବହାର ବେଶ୍ ପ୍ରଚଳନ ଥିଲା । ଇଜିପ୍ଟ, ଗ୍ରୀକ୍ ଓ ରୋମାନ ସଭ୍ୟତାର ଧ୍ୱଂସାବଶେଷରୁ ତା'ର ପ୍ରମାଣ ମିଳୁଛି । ଆମର ପୁରୁଣା ଦୁର୍ଗ ଓ ମନ୍ଦିରର ପଥର ବିଭିନ୍ନ ପ୍ରକାରର ଅଠାରେ ଯୋଡ଼େଇ ହେଇ ଏବେବି ଠିଆ ହୋଇ ରହିଛନ୍ତି । ଜୈବିକ ଅଠାର ବ୍ୟବହାର ଅନେକ ବର୍ଷ ଧରି ଚଳିଆସିବା ପରେ ଏଇ ବିଂଶ ଶତାବ୍ଦୀର ପ୍ରଥମ ଭାଗରେ ହିଁ ସିନ୍ଥେଟିକ୍ ଅଠାର ବ୍ୟବହାର ଆରମ୍ଭ ହେଲା ।

ଫେଭିକଲ୍ ହେଉଛି ଏକ ପ୍ରକାର ସିନ୍ଥେଟିକ୍ ଅଠା । କମ୍ପାନୀ ତରଫରୁ ତାକୁ ପଲି - ସିନ୍ଥେଟିକ୍ ରେଜିନ୍ ବୋଲି କୁହାଯାଉଛି । ଫେଭିକଲ୍, ଫେଭିକୁଇକ୍, ଫେଭିଷ୍ଟିକ୍,ଏମ୍ ସିଲ୍ ପରି କାରଖାନାରେ ତିଆରି ଅଠା ଆଜି ଆମମାନଙ୍କ ଜୀବନଚର୍ଯ୍ୟାର ଅଙ୍ଗ ପାଲଟି ସାରିଛି । ଆମକୁ ଆମ ଜୀବନରେ ସବୁବେଳେ କିଛିନା କିଛି ଯୋଡ଼ିବାକୁ ପଡ଼ିଛି ଓ ସେଥିପାଇଁ ସେମାନଙ୍କ ସହଯୋଗର ଆବଶ୍ୟକତା ପଡୁଛି । କେବଳ ଆମମାନଙ୍କ ଭଙ୍ଗା ଫଟା ମନକୁ ଛାଡ଼ିଦେଲେ ଫେଭିକଲ୍ ଓ ଫେଭିକୁଇକ୍ ଆଜି ସବୁକିଛି ଯୋଡ଼ିଦେଇପାରୁଛି । ଫେଭିକଲ୍ ଅଠା ତିଆରି କରୁଥିବା କମ୍ପାନୀ ହେଲା ପେଡିଲାଇଟସ୍ । ଆମେ ଫେଭିକଲ୍ କୁ ବିଭିନ୍ନ କାମରେ ବ୍ୟବହାର କରୁଥିଲେ ମଧ୍ୟ ୧୯୫୯ରେ ତାହା କାଠ କାମରେ ବଢ଼େଇମାନଙ୍କ ବ୍ୟବହାର ପାଇଁ ବଜାରକୁ ଆସିଥିଲା । ତେବେ ଫେଭିକଲ୍ ହିଁ ଆମର ବହୁ ପୁରାତନ ଅନେକ ପ୍ରକାରର ଅଠା ବ୍ୟବହାରର ଅନେକ ଉପାୟକୁ ବଦଳାଇ ଦେଇ ସହଜ ସରଳ ଓ ସୁଗମ କରିଦେଲା ।

ଫେଭିକଲ୍ କୁ ସମସ୍ତେ ଜାଣନ୍ତି, କିନ୍ତୁ ତା' ପଛରେ ଥିବା ମଣିଷଟିକୁ ଅନେକ ଚିହ୍ନନ୍ତି ନାହିଁ । ସେ ହେଲେ ଭାରତର ଫେଭିକଲ୍ ମ୍ୟାନ ବଲବନ୍ତ ପାରେଖ । ୨୦୧୩ ମସିହାର ହିସାବ ଅନୁସାରେ ସେ ଭାରତର ୪୫ତମ ଧନୀ ବ୍ୟକ୍ତି ଥିଲେ । ବଲବନ୍ତ ପାରେଖଙ୍କ ଜନ୍ମ ଗୁଜରାଟର ଭାବନଗର ଜିଲ୍ଲାର ମହୁଭାଠାରେ ହୋଇଥିଲା । ପିଲାଦିନରୁ ତାଙ୍କର ବେପାର ବଣିଜ କରିବାକୁ ବଡ଼ ଇଚ୍ଛା ଥିଲା । କିନ୍ତୁ ବାପା ଚାହୁଁଥିଲେ ସେ ପାଠଶାଠ ପଢ଼ି ଓକିଲ ହୁଅନ୍ତୁ । ବାପାଙ୍କ ଇଚ୍ଛାକୁ ସମ୍ମାନ ଦେଇ ବଲବନ୍ତ ମୁମ୍ବାଇ ବାହାରିଗଲେ ଓ ସେଠାର ସରକାରୀ ଆଇନ ବିଦ୍ୟାଳୟରେ ଆଇନ ପଢ଼ିଲେ । ସେଇଠି ପାଠ ପଢ଼ିଲାବେଳକୁ ମହାତ୍ମା ଗାନ୍ଧିଙ୍କ ଡାକରାରେ ଭାରତ ଛାଡ଼ ଆନ୍ଦୋଳନ ଆରମ୍ଭ ହେଲା ଓ ବଲବନ୍ତ ଭାଇ ପାଠ ପଢ଼ା ଛାଡ଼ି ସେଇଥିରେ ମାତିଗଲେ । କିଛିଦିନ ପରେ ଅବଶ୍ୟ ସେ ପୁଣି ପାଠ ପଢ଼ାକୁ ଫେରିଲେ ଓ ପାଠ ପଢ଼ା ଶେଷ କଲେ । ବଲବନ୍ତଙ୍କ ଜେଜେ ଓକିଲ ଥିଲେ ତେଣୁ ବାପା ତାଙ୍କୁ ଓକିଲ କରିବାକୁ ଚାହୁଁଥିଲେ । ସେ ଆଇନ ପାଠ ପଢ଼ିସାରି ବାର୍ କାଉନସିଲ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲାପରେ ବି ମିଛକୁ ସତ ଓ ସତକୁ ମିଛ କରୁଥିବା ଓକିଲ ହେବାକୁ ପସନ୍ଦ କରିନଥିଲେ । କିଛି ରୋଜଗାରପତ୍ର କରୁନଥିବା ସମୟରେ ତାଙ୍କର ବିବାହ ହୋଇଗଲା ଓ ବୈବାହିକ ଜୀବନରେ ବୋଝ ହଠାତ୍ ଆସି ମୁଣ୍ଡ ଉପରେ ବସିପଡ଼ିଲା । ପରିବାର ଚଳାଇବାକୁ କିଛି ତ ରୋଜଗାର କରିବାକୁ ହେବ । ବଲବନ୍ତ ଭାଇ ବମ୍ବେର ଏକ ଛାପାଖାନାରେ କାମ କଲେ ଓ ପରେ ଗୋଟେ କାଠ ବ୍ୟବସାୟୀଙ୍କ ଅଫିସରେ ପିଅନ ଭାବରେ ଯୋଗ ଦେଲେ ।

ପାଖରେ ପାଇସାପତ୍ର ନଥାଏ । ତେଣୁ ନବବିବାହିତା ପତ୍ନୀଙ୍କୁ ଧରି ବମ୍ବେର ଜଣେ ବନ୍ଧୁଙ୍କ ଓୟାର ହାଉସ୍ ରେ ରହୁଥାନ୍ତି ସେ । ପିଅନ ଚାକିରିରେ ସେ ସନ୍ତୁଷ୍ଟ ନଥା'ନ୍ତି । କିଛି ଗୋଟେ ବଡ଼ କରି ଦେଖାଇବାକୁ ଚେଷ୍ଟା କରୁଥାନ୍ତି । ନା' ରାସ୍ତା ମିଳୁଥାଏ ନା' ହାତରେ ମୂଳଧନ ଥାଏ । ସେଇଥିପାଇଁ କିଛି ଚିହ୍ନା ଜଣା ଲୋକଙ୍କୁ ଧିରେ ଧିରେ ସେ ବିଦେଶକୁ ଆମଦାନୀ ଓ ରତ୍ପାନୀ ହେଉଥିବା ଜିନିଷପତ୍ର ଦବା ନବା କଲେ । ସେଇ ସମ୍ପର୍କ ଭିତରୁ ଥରେ ତାଙ୍କୁ ଜର୍ମାନୀ ଯିବାର ସୁଯୋଗ ମିଳିଲା । ସେଇ ବିଦେଶ ମାଟିରେ ହିଁ ବଲବନ୍ତ ଭାଇ ବେପାର ବଣିଜର ଅ ଆ ପାଠ ପଢ଼ିଲେ ଜାଣ ।

ବିଦେଶରୁ ଫେରି କିଛିଦିନ ଅନ୍ୟମାନଙ୍କ ପାଖରେ କାମ କଲାପରେ ବଲବନ୍ତ ଭାଇ ୧୯୫୪ରେ ଲୁଗାପଟା ଛାପାରେ ବ୍ୟବହୃତ ରଙ୍ଗ ତିଆରି ଆରମ୍ଭ କଲେ । ପରେ ସେ କମ୍ପାନୀର ନାମକରଣ ହେଲା ପିଡିଲାଇଟ୍ । ତାପରେ ସେଇଠି ଫେଭିକଲ୍ ତିଆରି ଆରମ୍ଭ ହେଲା । ବିନା ବ୍ରାଣ୍ଡରେ ବଜାରରେ ମିଳୁଥିବା କିଛି ଅଠାମାନଙ୍କୁ ପଛରେ ପକେଇ ଫେଭିକଲ୍ ଖୁବଶୀଘ୍ର ଏକ ନମ୍ବର ହୋଇଗଲା । ଫେଭିକଲ୍ ର ସଫଳତା ପରେ କମ୍ପାନୀ ଫେଭିକୁଇକ୍ ଓ ଏମ୍ ସିଲ୍ ନାମରେ ଆଉ ଦୁଇଟି ଅଠା ବଜାରକୁ ଛାଡ଼ିଲା । ଭାରତର ଅଠା ବଜାରର ଶତକଡ଼ା ସତୁରୀ ଭାଗ ବଜାର ଆଜି ପିଡିଲାଇଟ୍ ଅଠା ସବୁ ମାଡ଼ି ବସିଛନ୍ତି । କେବଳ ଫେଭିକଲ୍ ତିଆରିରୁ ଆରମ୍ଭ ହୋଇଥିବା କମ୍ପାନୀ ଆଜି ପ୍ରାୟ ଦୁଇ ଶହ ଦ୍ରବ୍ୟ ତିଆରି କରୁଛି । ଆଜି ଫେଭିକଲ୍ କେବଳ ଭାରତରେ ନୁହେଁ ପାଖାପାଖି ଚଉବନଟି ଦେଶରେ ନିଜ ପାଇଁ ବଜାର ଖୋଜି ସାରିଛି ।

ଫେଭିକଲ୍ କଥା ମନକୁ ଆସିଲେ "ଦବଙ୍ଗ" ସିନେମାରେ କରିନା କପୁର ନାଚୁଥିବା ଗୀତ କଥା ମନେ ପଡ଼ିଯାଏ;

"ମେରୀ ଫୋଟୋ କୋ ସିନେ ସେ ୟାର୍, ଚିପକାଲେ ସୈୟାଁ ଫେଭିକଲ୍ ସେ... "

Report an Error