ଉଚ୍ଚତାର ମିଠା ଅଥବା ଷ୍ଟାଇଲାଇଟ୍ ପ୍ରସଂଗ

ବିଶେଷ ଧରଣର ପ୍ରସ୍ତୁତ କେକ୍ କୁ ବାତିଲ୍ କରାଯାଇନଥିଲା । ଏଭରେଷ୍ଟ ଅଭିଯାନ ପାଇଁ ଏହି ମିଠାକୁ ସଂଗ୍ରହ କରି ନିଆଯାଇଥିଲା । ଆଉ ଏଭରେଷ୍ଟ ବିଜୟ ପରେ ସେହି କମ୍ପାନୀ ଆଉ ସେହି ବିଶେଷ ମିଠାର ଚାହିଦା ଆକାଶଛୁଆଁ ହୋଇଯାଇଥିଲା ।


ଫଟୋ - ୱିକିମିଡିଆ

ଉଚ୍ଚ ସ୍ଥାନରେ ସବୁବେଳେ ନିଶ୍ଚୟ କିଛି ନା କିଛି ମିଠା ଥାଏ । ସେଇଠି ମିଠା ଆକାରରେ କ'ଣ କିଛି ଥାଏ ବୋଲି ତ ଆମେ ସବୁବେଳେ ଏମିତି ଆଣ୍ଠୁଗଣ୍ଠି ଛିଣ୍ଡାଇ ଉଚ୍ଚତାମାନଙ୍କୁ ବାରଂବାର ସିସିଫସ୍ ଭଳି ଚଢୁଥାଉ।

କିନ୍ତୁ କଥାଟିରେ ଯଦି ସେମିତି କୌଣସି ଇଙ୍ଗିତ କି ପ୍ରତୀକ ରହିବ ନାହିଁ ତାହାହେଲେ ଗୋଟିଏ ଉଚ୍ଚତାରେ ସତସତିକା ମିଠା ଆକାରରେ ଯାହାକୁ ଆମେ ଇଂରେଜୀରେ କହନ୍ତି ସୁଇଟ୍, ଯାହାପାଇଁ ଆମର ଆଗ୍ରହ ବା ଯାହାକୁ ଆମେ ଇଂରାଜୀରେ କହିବା ସୁଇଟ୍ - ଟୁଥ୍, ସେହି ମିଠାଟି ତାହାହେଲେ ହେବ କ'ଣ ?

ପ୍ରଶ୍ନଟି ଯଦି ହେବ କେଉଁ ମିଠାକୁ ଆମେ ଉଚ୍ଚ ସ୍ଥାନରେ ରଖିବା ଅର୍ଥାତ୍ ଟିକିଏ ପ୍ରାଞ୍ଜଳ କରି କହିଲେ କାହାକୁ ଆମେ ଶୀର୍ଷ ମିଠା ବୋଲି କହିବା, ତାହାହେଲେ ଆମେ ସମସ୍ତେ ଏହାର ଉତ୍ତର ନିମନ୍ତେ ପ୍ରଥମେ ପରସ୍ପରକୁ ଘଡିଏ ଚାହିଁବା ନିଶ୍ଚୟ । ଇଏ କେମିତିକା ପ୍ରଶ୍ନ, କେଉଁ ମିଠା ଶୀର୍ଷସ୍ଥ ? ଆମର ଖାଦ୍ୟଧାରାକୁ ପ୍ରୟୋଜନୀୟତା ଦୃଷ୍ଟିକୋଣରୁ ବିଚାର କରି ଦେଖିଲେ ମିଠା ସେମିତି କୌଣସି ମୌଳିକ ଏବଂ ଅପରିହାର୍ଯ୍ୟ ଆବଶ୍ୟକତା ରଖେ ନାହିଁ । ତେଣୁ ଏହା ସବୁବେଳେ ଆମର ଠାଆକୁ ଟିକିଏ ଲାଗି, ଏକଷ୍ଟ୍ରା । ନହେଲେ ଚଳିବ, ହେଲେ ଅଧିକ ଆନନ୍ଦ । ଆମେ ଜାଣୁ ଯେଉଁମାନଙ୍କର ସେମିତି ଏକଷ୍ଟ୍ରାର ଜୀବନ ସେମାନଙ୍କୁ ସବୁବେଳେ ଗାଢ ବେଶଭୂଷାରେ ନିଜକୁ ସବୁବେଳେ ସଜ୍ଜିତ କରି ରଖିବାକୁ ପଡୁଥାଏ, ସେ ଲେଖକ ହୋଇଥାଉ କି ଚୀନାମାଟିର କମକରା ପାତ୍ରରେ ପରସା ଯାଇଥିବା ଗୁଲୁଗୁଲା ଦୁଇଟି ହେଉ, ଉଭୟଙ୍କର ନିୟତି ସମାନ । ତମେ ସାଧାରଣ ବେଶରେ ଆସିଚ ମାନେ ତମକୁ କେହି ଆଡ ଆଖିରେ ଚାହିଁବେ ନାହିଁ । ତେଣୁ ତମକୁ ସବୁବେଳେ ସଜ୍ଜିତ କରି ରହିବାକୁ ହେବ, ଏଇଥିପାଇଁ ଯେ କାଳେ କେଉଁ ପରମାର୍ଥର ଦୃଷ୍ଟି ତମ ଉପରେ ପଡିଯାଇପାରେ । ବେଶଭୂଷାଟି ସେମିତି ଉଜ୍ଜଳ ଥିଲେ ସିନା କିଏ ଘଡିଏ ଅଟକି ରହିବ ।

ସେହି ଦୃଷ୍ଟିରୁ ଲେଖନକର୍ମ ଏବଂ ମିଠା ଉଭୟ ତାତ୍ତ୍ୱିକ ଦୃଷ୍ଟିରୁ ସମାନ । ଉଭୟଙ୍କୁ ସବୁ ସମୟରେ ସୁସଜ୍ଜିତ ହୋଇ ରହିବା ସହ ଅନ୍ୟର ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ କଠିନ ପରିଶ୍ରମ କରିବାକୁ ପଡିଥାଏ । ଯେଉଁମାନେ ମୌଳିକ ଲେଖକ ସେମାନଙ୍କର ଏମିତି କୌଣସି ଶ୍ରମ କରିବାର ଆବଶ୍ୟକ ନାହିଁ । ଭାତ ଆଉ ରୁଟି ଭଳି ସେମାନେ ଉପସ୍ଥିତ ହୋଇଗଲେ ମାନେ ସାହିତ୍ୟର ଠାଆ ଓଂ ଅମୃତଭୋଜନଂ ବିଧାନମସି ସ୍ୱାହା ଶୀର୍ଷକ ଚଳୁ ମନ୍ତ୍ରରେ ଆରମ୍ଭ ହେବା ଥୟ । ଅନ୍ୟପକ୍ଷରେ ଖାଦ୍ୟତତ୍ତ୍ୱକୁ ନେଇ ସାହିତ୍ୟ ଚର୍ଚ୍ଚା କରିବାକୁ ବସିଲେ ଆମେ ଦେଖିବା ଯେ, ଆମ ଖାଦ୍ୟରେ ମିଠାଟି ସବୁବେଳେ ଗୋଟିଏ ନିହାତି ବ୍ୟକ୍ତିପୂରକ ରୂପ ଧାରଣ କରିଥାଏ । ଯିଏ ମିଠା ଖାଇବାକୁ ଚାହେଁ ଏକଥା ସଂପୂର୍ଣ୍ଣ ଭାବରେ ତାହାରି ଉପରେ ନିର୍ଭର କରୁଥାଏ ଯେ ସେ ମିଠା ଆକାରରେ କ'ଣ ଖାଇବାକୁ ପସନ୍ଦ କରୁଅଛି ।

ଉପନିବେଶୀୟ ଶାସନକାଳରେ ସମାଜର ଉଚ୍ଚବର୍ଗର ସଂତୁଷ୍ଟି ନିମନ୍ତେ ମିଠାପ୍ରସ୍ତୁତକାରୀମାନେ ନୂଆ ନୂଆ ମିଠା ପ୍ରସ୍ତୁତ କରୁଥିବା କଥା ଖାଦ୍ୟ ଐତିହାସିକମାନେ କହନ୍ତି । ଉଚ୍ଚବର୍ଗ ତଥା ସାମନ୍ତ ବର୍ଗର ରସନାତୃପ୍ତି ସାଧନ କରିପାରିବା ପରେ ତାହା ଯାହାକୁ ଆମେ ସମାଜତତ୍ତ୍ୱବିତ୍ ପ୍ରଫେସର୍ ଶ୍ରୀନିବାସଙ୍କର ସଂସ୍କୃତିକରଣ ନ୍ୟାୟରେ ଅର୍ଥାତ୍ ନିମ୍ନ ବର୍ଗମାନେ ଉଚ୍ଚ ବର୍ଗର ଆଚରଣକୁ ଅନୁକରଣ କରିବା ଭଳି ସାମାଜିକ ସଂରଚନାରେ ନୂତନ ଆବିଷ୍କୃତ ମିଠା ଉଚ୍ଚରୁ ତଳକୁ ଆସି ସମାନ୍ତରାଳ ଭାବରେ ଖେଳି ଯାଇଥାଏ । ସାହିତ୍ୟ ବି ଠିକ୍ ସେମିତି । ଜଣକ ବହିର ପଶ୍ଚାତଦେଶରେ ଅନ୍ୟମାନଙ୍କର ଯେଉଁ ଯେଉଁ ଆପ୍ତବାକ୍ୟମାନ ସ୍ଥାନିତ ହୋଇଥାଏ ତାହା ନିଶ୍ଚିତ ଭାବରେ ସାମନ୍ତର ପ୍ରଜାକୁଳକୁ ସଂବୋଧନ ବୋଲି କହିଲେ କଥାଟି ସେତେ ଭ୍ରମାତ୍ମକ ହୋଇଯିବ ନାହିଁ । ସମସ୍ତେ ତ ପ୍ରଖ୍ୟାତ କଥାକାର ଜେ ଡି ସାଲିଞ୍ଜରଙ୍କ ଭଳି ନିଜର ବହିଟିଏ ପ୍ରକାଶ ପାଇଲା ମାତ୍ରକେ ସଂପୂର୍ଣ୍ଣ ଅଜ୍ଞାତବାସରେ ନିଜକୁ ରଖିବା ଉଚିତ ବୋଲି ଆଉ ମନେ କରିବେ ନାହିଁ । ଆମର କହିବା କଥା ମିଠାର କି ସାହିତ୍ୟର ସଂସ୍କୃତିକରଣରେ ନାହିଁ । ଆମର କହିବା କଥା ହେଉଛି ମିଠା ପ୍ରସ୍ତୁତକାରୀ ଯେପରି ଉଚ୍ଚବର୍ଗକୁ ଆକୃଷ୍ଟ କରିବା ପ୍ରସ୍ତୁତ ହେଉଥିଲା ଆଉ ଜଣେ ଯେମିତି ନିଜ ମିଠା ନିଜେ ନିର୍ବାଚନ କରିଥାଏ, ସେହିଭଳି ଏଇ ଯେଉଁ ଅମୌଳିକ ମିଠା ଭଳି ଏକଷ୍ଟ୍ରା ସାହିତ୍ୟ ସୃଜନ ହେଉଛି ତାହା ସେଇଥିପାଇଁ ଅଧିକ ବ୍ୟକ୍ତିପରକ, ପରସନାଲ୍ ହେବାକୁ ବାଧ୍ୟ ।

ଉଚ୍ଚତାର ମିଠାପଣରେ ସତସତିକା ଆଗ୍ରହ ରଖିଥିବା ଜଣେ ଖ୍ରୀଷ୍ଟୀୟ ସନ୍ଥଙ୍କ କଥା ଆମର ସ୍ମରଣକୁ ଆସୁ । ତାଙ୍କର ସନ୍ଥପଣ ପରେ ଗୋଟିଏ ନିର୍ଦ୍ଦିଷ୍ଟ ପନ୍ଥା ହିସାବରେ ଚିହ୍ନିତ ହୋଇଥିଲା ।

ଏହା ହେଉଛି ୩୯୦ ଖ୍ରୀଷ୍ଟାବ୍ଦର କଥା । ସ୍ଥାନ ହେଉଛି ଇତିହାସ ପ୍ରସିଦ୍ଧ ବାଇଜାଣ୍ଟାଇନ୍ ସାମ୍ରାଜ୍ୟ । ବାଇଜାଣ୍ଟାଇନ୍ ସାମ୍ରାଜ୍ୟ କହିଲେ ଭୂମଧ୍ୟସାଗର କୂଳରେ ଅବସ୍ଥିତ ଆଜିର ଇଟାଲୀ, ତୁର୍କୀ, ଗ୍ରୀକ୍, କିଛି ଆଫ୍ରିକୀୟ ଅଂଚଳକୁ ସେତେବେଳେ ସେହି ସମୟରେ ବାଇଜାଣ୍ଟାଇନ୍ ସାମ୍ରାଜ୍ୟ ବୋଲି କୁହାଯାଉଥିଲା । ସେତେବେଳେ ତୁର୍କୀର ଏକ ଗ୍ରୀକ୍ - ସମୃଦ୍ଧ ଅଂଚଳ ଆଣ୍ଟିଓକ୍ ନାମକ ସ୍ଥାନରେ ଜନ୍ମଗ୍ରହଣ କରନ୍ତି ଏହି ଖ୍ରୀଷ୍ଟୀୟ ସନ୍ୟାସୀ । ପରେ ଅଣତିରିଶ ବର୍ଷ ବୟସରେ ସେ ସେଠିକାର ଗୋଟିଏ ମୋନାଷ୍ଟରୀ ବା ମଠର ଏକ ନିହାତି ଛୋଟ ପ୍ରକୋଷ୍ଠ ଯେଉଁଠି ଜଣେ ଲୋକ ଚିତ୍ ହୋଇ ଶୋଇବା କଷ୍ଟକର ଥିଲା ସେଇଠେ ନଅ ବର୍ଷ ଧରି ରହୁଥିଲେ ସେହି ଖ୍ରୀଷ୍ଟୀୟ ସନ୍ଥ ଜଣକ । ତାଙ୍କର ନାଆଁ ହେଉଛି ସେଣ୍ଟ ସିମିଓନ୍ । ତାଙ୍କର ଧର୍ମାଚାରଣରେ ପ୍ରଭାବିତ ହୋଇ ଆଖପାଖରୁ ଅନେକେ ତାଙ୍କଠାରୁ ଧର୍ମକଥା ଶୁଣିବା ପାଇଁ, ତାଙ୍କ ଭଳି ପୁଣ୍ୟାତ୍ମାକୁ କେବଳ ଦର୍ଶନ କରିବା ପାଇଁ ଆସୁଥିଲେ ।

ଏଇଠି ଉଲ୍ଲେଖଯୋଗ୍ୟ ଯେ, ସନ୍ଥ ସିମିଓନ୍ ଙ୍କ ଭଳି ଯେଉଁ ଖ୍ରୀଷ୍ଟୀୟ ସନ୍ଥମାନେ ରହିଥିଲେ ସେମାନଙ୍କର ଏକମାତ୍ର ବିଶ୍ୱାସ ଥିଲା, ସମସ୍ତ ପାର୍ଥିବ ପାପରୁ ପରିତ୍ରାଣ ନିମନ୍ତେ ନିଜର ଦେହର ଶୁଦ୍ଧିକରଣ କରିବା ଏକାନ୍ତ ପ୍ରୟୋଜନ । ଏଇ କଥାକୁ ଇଂରେଜୀରେ କୁହାଯାଏ, "ମର୍ଟିଫିକେସନ୍ ଅଫ୍ ଫ୍ଲେଶ୍" । ଖ୍ରୀଷ୍ଟୀୟ ଧର୍ମ ଇତିହାସରେ ଏହି ସନ୍ଥ ସିମିଓନ୍ ଦେହର ଶୁଦ୍ଧିକରଣକୁ ଏମିତି ଏକ ଉଚ୍ଚତାକୁ, ଆକ୍ଷରିକ ଅର୍ଥରେ ବି ଏମିତି ଏକ ଉଚ୍ଚତାକୁ ନେଇଯାଇଥିଲେ ଯାହାକୁ ତର୍ଜମା କଲେ ଆଜି ଆମକୁ ଆଶ୍ଚର୍ଯ୍ୟ ଲାଗିବ । ଆମ ଭିତରୁ କାହାକୁ କାହାକୁ ବି ଏକଥା ନିହାତି ହାସ୍ୟାସ୍ପଦ ଲାଗିପାରେ । ସନ୍ଥପଣର ଅସାଧାରଣ ବିଚ୍ଛୁରଣକୁ ଆମେ ସାଧାରଣ ମଣିଷ ଯେତେବେଳେ ଧରିବାକୁ ଅକ୍ଷମ ହେଉ, ସେତେବେଳେ ହସିବା ବ୍ୟତୀତ ଆମ ପାଖରେ ଆଉ ବିକଳ୍ପ କ'ଣ ? ସେ ଯାହାହେଉ ଆମର ଏଇଠି ମନେ ରଖିବା ଉଚିତ ହେବ ଯେ, ଆଦ୍ୟକାଳର ଖ୍ରୀଷ୍ଟୀୟ ସନ୍ଥପଣ ବିଶେଷଭାବରେ "ଯୌନତା ପ୍ରତି ଭୟ" ର ଆଧାର ଉପରେ ପର୍ଯ୍ୟବସିତ ଥିଲା । ଯୌନତାରୁ ଶରୀରକୁ ଏକପ୍ରକାର ମୁକ୍ତ କରିବା ଅନ୍ୟପକ୍ଷରେ କହିଲେ ଯୌନତା ନିମନ୍ତେ ନିଜର ଶରୀରକୁ ପୂର୍ଣ୍ଣତଃ ଅକ୍ଷମ କରିବା ହିଁ ସେମାନଙ୍କର ଶରୀର ଶୁଦ୍ଧିକରଣ ପ୍ରକ୍ରିୟାକୁ ବୁଝାଉଥିଲା । ଖ୍ରୀଷ୍ଟୀୟ ସନ୍ଥମାନେ ବିଶ୍ୱାସ କରୁଥିଲେ ଶରୀର ପରିଚ୍ଛନ୍ନ ଆଉ ସୁବାସିତ ରହିଲେ ତାହା ଯୌନ - ଆକର୍ଷଣର କାରଣ ହୋଇଥାଏ । ତେଣୁ ଏଥିରୁ ଶରୀରକୁ ନିବୃତ୍ତ କରିବା ପାଇଁ ପାର୍ଥିବ ଜୀବନରେ ଶରୀରକୁ ଯେତେ ସମ୍ଭବ ଅପରିଚ୍ଛନ୍ନ କରି ରଖିବାକୁ ପଡିବ ଯାହାଫଳରେ ଶରୀରଟି ଈଶ୍ୱରକର୍ତ୍ତୃକ ପରିତ୍ରାଣ ଲାଭ କରିବା ପାଇଁ ଯୋଗ୍ୟତର ହେବ । ସେଇଥିପାଇଁ ଅର୍ଥାତ୍ ନିଷ୍ଠାପର ଭାବରେ "ମର୍ଟିଫିକେସନ୍ ଅଫ୍ ଫ୍ଲେଶ୍" ପାଇଁ ବାଇଜାଣ୍ଟାଇନ୍ ସାମ୍ରାଜ୍ୟର ଆଣ୍ଟିଓକ୍ ର ସେଇ ସନ୍ଥ ସେଣ୍ଟ ସିମିଓନ୍ ସେଠିକାର ମୋନାଷ୍ଟରୀର ଗୋଟିଏ ଅଣବଖରିଆ ଘରେ ବସବାସ କରିବାର କୃଚ୍ଛ୍ର ସାଧନା କରୁଥିଲେ । ସେଇଠେ ସେ ନଅ ବର୍ଷ କାଳ ରହିଥିବା କଥା ଆଗରୁ କୁହାଯାଇଛି । ଖାଲି ସେତିକି ନୁହଁ ଆମକୁ ଆଜି ଏକଥା ନାପସନ୍ଦ ଲାଗିପାରେ ନିଜର ଶରୀରକୁ ଶୁଦ୍ଧି ଆଳରେ ଅତ୍ୟାଚାର କରିବାର ସବୁବେଳେ ନୂଆ ନୂଆ ବାଟ ଖୋଜୁଥିଲେ ଏହି ଜନପ୍ରିୟ ସନ୍ଥ ସିମିଓନ୍ ।

ଏହାପରେ ସେ ସତସତିକା ଏକ ଉଚ୍ଚତାରେ ବାସ କଲେ । ତାଙ୍କର ନିର୍ଦ୍ଦେଶ ଅନୁସାରେ ତାଙ୍କର ନିଜ ସହର ସିରିଆ ନିକଟସ୍ଥ ଆଲିପିଓସ୍ ପୋ ବୋଲି ଗୋଟିଏ ନିରୋଳା ସ୍ଥାନରେ ଗୋଟିଏ ବାସ୍ତରୀ ଫୁଟ୍ ଉଚ୍ଚତା ବିଶିଷ୍ଟ ଗୋଟିଏ ଖମ୍ବ ନିର୍ମାଣ କରାଯାଇଥିଲା । ୧୦୦୦ ଖ୍ରୀଷ୍ଟାବ୍ଦରେ ସେଠିକାର ସମ୍ରାଟ ବାସିଲ୍ ଦ୍ୱିତୀୟ ଏହିଭଳି ଗୋଟିଏ ଖମ୍ବ ଏବଂ ତାହା ଉପରେ ଗୋଟିଏ ପିଢି ନିର୍ମାଣ କରିଥିଲେ । ସନ୍ଥ ସିମିଓନ୍ ତାହାପରେ ଯାଇ ସେ ଖମ୍ବ ଉପରେ ଥିବା ପିଢି ଉପରେ ମୁକ୍ତ ଆକାଶ ତଳେ ମହାଆନନ୍ଦରେ ବସବାସ କରିବାକୁ ଲାଗିଲେ । ସନ୍ଥ ସିମିଓନ୍ ଙ୍କ ସଂପର୍କରେ ବିସ୍ତୃତ ତଥ୍ୟ ସମ୍ରାଟ ବାସିଲ୍ ଦ୍ୱିତୀୟଙ୍କ ଦ୍ୱାରା ପ୍ରସ୍ତୁତ ସନ୍ଥ - ଜୀବନୀରେ ରହିଅଛି । ସେ ସମୟର ବାଇଜାଣ୍ଟାଇନ୍ ସମ୍ରାଟମାନେ ଖ୍ରୀଷ୍ଟ ଧର୍ମର ମହାନତାର ପ୍ରସାର ନିମନ୍ତେ ନିଜ ରାଜତ୍ୱ ସମୟର ଖ୍ରୀଷ୍ଟୀୟ ସନ୍ଥମାନଙ୍କର ଜୀବନୀକୁ ଲିପିବଦ୍ଧ କରି ରଖୁଥିଲେ । ଏହିଭଳି ସନ୍ଥ - ଜୀବନୀକୁ "ମେନୋଲୋଜିଅନ୍" ବୋଲି କୁହାଯାଉଥିଲା ।

ସେ ଯାହା ହେଉ ଖମ୍ବ ଉପରେ ରହିବା ସମୟରେ ତାଙ୍କର ଜଣେ ସହଯୋଗୀ ଥିଲା । ସେ ସହଯୋଗୀ ଜଣକ ସନ୍ଥ ସିମିଓନ୍ ଙ୍କ ଶରୀରକୁ ସେଇଠି ଗୋଟିଏ ମୋଟା ଦଉଡିରେ ଖୁବ୍ ଜୋର୍ ରେ ବାନ୍ଧି ଦେଇଥିଲା । ଯାହାଫଳରେ କି ସେ ଆଉ ଖମ୍ବ ଉପରୁ ତଳକୁ ଖସି ପଡିବେ ନାହିଁ । ଏହିଭଳି ଭାବରେ ଦଉଡି ବନ୍ଧା ଅବସ୍ଥାରେ ଦୀର୍ଘ ଦିନ ରହିବା ଫଳରେ ତାଙ୍କର ଶରୀରରେ ଘାଆ ହେଲା, ବନ୍ଧା ହେବା ଯାଗାରେ ପୂଜ, ପୋକ ସାଲୁବାଲୁ । ମାଛି ଭଣଭଣ । ତାଙ୍କର ସହଯୋଗୀ ଜଣକ ସେଇଥିପାଇଁ ମଝିରେ ମଝିରେ ତାଙ୍କ ନିକଟକୁ ଯାଉଥିଲେ । ସେହି ସହଯୋଗୀଙ୍କର କାମ କେବଳ ଏତିକି ଯେ ସେ ଖମ୍ବ ଉପରକୁ ଚଢି ସନ୍ଥ ସିମିଅନ୍ ଙ୍କୁ ଯତକିଞ୍ଚିତ ଖାଦ୍ୟ ଦେବା ସହିତ ତାଙ୍କର ପାଦତଳେ ପଡିରହିଥିବା ପୋକମାନଙ୍କୁ ନିଜ ହାତରେ ସଂଗ୍ରହ କରି ପୁନର୍ବାର ତାହାକୁ ସନ୍ଥଙ୍କ ଘାଆ ଥିବା ସ୍ଥାନରେ ଲେପି ଦେବାକୁ ହେଉଥିଲା । ସନ୍ଥ ସିମିଓନ୍ ସେତେବେଳେ ପରମ ଆତ୍ମୀୟମାନଙ୍କୁ ଆପ୍ୟାୟନ କରିବା ଭଳି କହୁଥିଲେ, ଆସ, ଈଶ୍ୱର ଯେଉଁ ଦେହକୁ ପ୍ରଦାନ କରିଛନ୍ତି ତାହାକୁ ଆନନ୍ଦର ସହ ଭକ୍ଷଣ କର ।

ସନ୍ଥ ସିମିଓନ୍ ଙ୍କର ସେଇ ଖମ୍ବବାସ ସମୟରେ ତାଙ୍କର ଆଣ୍ଠୁଗଣ୍ଠି ଅଚଳ ହୋଇଗଲା । ତାଙ୍କର ମେରୁଦଣ୍ଡର ତିନୋଟି ଖଞ୍ଜା ଆଉ କାମ କରିଲା ନାହିଁ । ପ୍ରାର୍ଥନା କରିବା ପାଇଁ ତଳକୁ ନଇଁବା ଆଉ ତାହାପରେ ସିଧା ଠିଆହେବା ଆଦି ନିତ୍ୟକର୍ମ କରିବା ତାଙ୍କ ପକ୍ଷରେ ଆଉ ସମ୍ଭବ ହେଲା ନାହିଁ । ଏହା ସହିତ ତାଙ୍କର ଶରୀର କୁପୋଷଣ ଭୋଗୁଥିଲା ଏବଂ ଶେଷରେ ତାଙ୍କର ଦୃଷ୍ଟିଶକ୍ତି ବି ଚାଲିଗଲା ।

ଏଇଠି ଆମେ ଏଇ କଥାକୁ ପ୍ରକୃତିର ମଣିଷର ନିରନ୍ତର କଲ୍ୟାଣ ଉଦ୍ଦେଶ୍ୟରେ ବିସ୍ତାର କରି ରଖିଥିବା ସ୍ୱାଭାବିକ ନିଜସ୍ୱ ସମ୍ବାଦର ପ୍ରବନ୍ଧନ ବୋଲି କହିବା, ନା ଏହା ଏକ ଧର୍ମଗତ ମହିମାମଣ୍ଡନ କରୁଥିବା ଅଲୌକିକତା କହିବା, ଏଇଭଳି ଦୁଇଟି ଦ୍ୱନ୍ଦ୍ୱ ଆମ ସମ୍ମୁଖରେ ରହିବ । କାରଣ ରାଜା ବାସିଲ୍ ଦ୍ୱିତୀୟଙ୍କ ନିର୍ମିତ ବାସ୍ତରୀ ଫୁଟ ଉଚ୍ଚତାରେ ଥିବା ପିଢି ଉପରେ ସନ୍ଥ ସିମିଓନ୍ ବସବାସ କରି ରହିଥିଲେ ଦୀର୍ଘ ତିରିଶ ବର୍ଷ । ଖମ୍ବକୁ ଚଢିବା ପରେ ସେ ଆଉ ସେଇଠୁ ତଳକୁ ଓହ୍ଲାଇ ନାହାଁନ୍ତି । ଖମ୍ବବାସୀ ସିମିଓନ୍ ଙ୍କୁ ଦର୍ଶନ କରିବା ସହିତ ତାଙ୍କର ପୁଣ୍ୟବାଚନକୁ ଶୁଣିବା ପାଇଁ ଆଖପାଖରୁ ଲୋକମାନଙ୍କର ନିୟମିତ ପ୍ରବଳ ଭିଡ ଲାଗି ରହୁଥିଲା । ଏବଂ ବିଶେଷତଃ ଅନେକ ଖ୍ରୀଷ୍ଟୀୟ ଅନୁଗାମୀମାନେ ତାଙ୍କର ଅନୁକରଣ କରିବାକୁ ଲାଗିଲେ । ତାହା ଫଳରେ କିଛି ଖ୍ରୀଷ୍ଟ୍ରୀୟ ସନ୍ୟାସୀ ଖମ୍ବ ଉପରେ ବସବାସ କରିବା କାମକୁ ଅଭ୍ୟାସ କରିବାକୁ ଆରମ୍ଭ କରିଥିଲେ । ଏହିଭଳି ଅଭ୍ୟାସ ଅନୁସାରେ ଭିନ୍ନ ଭିନ୍ନ ସହରରେ ପିଢି ସହିତ ଛୋଟ ଛୋଟ ଖମ୍ବ ମାନ ତିଆରି ହୋଇଥିଲା । ତାହାପରେ ନିଜର ଅଭ୍ୟାସ ଅନୁସାରେ ଖ୍ରୀଷ୍ଟୀୟ ସନ୍ଥମାନେ ଛୋଟରୁ କ୍ରମଶଃ ବଡ ବଡ ଖମ୍ବ ଉପରେ ନିରବଚ୍ଛିନ୍ନ ବସବାସ କରିବାର ପ୍ରୟାସରେ ରତ ରହୁଥିଲେ । ସନ୍ଥ ସିମିଓନ୍ ଙ୍କ ଖମ୍ବବାସ ଦ୍ୱାରା ପ୍ରଭାବିତ ଏହିଭଳି ଖ୍ରୀଷ୍ଟୀୟ ସନ୍ୟାସୀମାନଙ୍କୁ କ୍ରମଶଃ "ଷ୍ଟାଇଲାଇଟ୍" ବୋଲି କୁହାଗଲା । ୪୫୯ ଖ୍ରୀଷ୍ଟାବ୍ଦରେ ଖମ୍ବ ଉପରେ ସନ୍ଥ ସିମିଓନ୍ ଙ୍କ ମାତ୍ର ଅଣସ୍ତରୀ ବର୍ଷ ବୟସରେ ପରଲୋକ ଘଟେ । ଆଉ ତାଙ୍କର ଦେହାବସାନ ପରେ ତାଙ୍କର ପରିଚୟ ହୋଇଯାଏ ସନ୍ଥ ସିମିଓନ ଷ୍ଟାଇଲାଇଟ୍ ।

ଖମ୍ବବାସ ବା ଷ୍ଟାଇଲାଇଟ୍ ତାହାପରଠାରୁ ଖ୍ରୀଷ୍ଟୀୟ ସନ୍ୟାସୀମାନଙ୍କ ମଧ୍ୟରେ ଲୋକପ୍ରିୟ ହୋଇଥିଲା । ଏକ ଐତିହାସିକ ଆକଳନ ଅନୁସାରେ ଊନବିଂଶ ଶତାବ୍ଦୀ ବେଳକୁ ଏହିଭଳି ଷ୍ଟାଇଲାଇଟ୍ ମାନଙ୍କ ସଂଖ୍ୟା ଥିଲା ୧୨୪ । ସନ୍ଥ ସିମିଓନ୍ ଙ୍କ ପରବର୍ତ୍ତୀ ପାଖାପାଖି ଦୀର୍ଘ ଚଉଦଶହ ବର୍ଷ ଧରି ଏଇ ପନ୍ଥାଟି ସନ୍ୟାସୀମାନଙ୍କର ଆଗ୍ରହର ଆଚରଣ ହୋଇ ରହିବା ନିଶ୍ଚିନ୍ତ ଗୁରୁତ୍ୱପୂର୍ଣ୍ଣ ।

ସନ୍ଥ ସିମିଓନ୍ ଷ୍ଟାଇଲାଇଟ୍ ଙ୍କ ଭଳି ଆଉଜଣେ ଉଚ୍ଚତାବାସୀ ସନ୍ଥଙ୍କ କଥା ସଂକ୍ଷେପରେ । ତାଙ୍କର ନାଆଁ ହେଉଛି ସେଣ୍ଟ ଦାନିଏଲ୍ ଷ୍ଟାଇଲାଇଟ୍ । ତାଙ୍କର ମୃତ୍ୟୁ ୪୯୩ ଖ୍ରୀଷ୍ଟାବ୍ଦରେ ଘଟିଥିଲା । କହିବାକୁ ଗଲେ ସେ ହେଉଛନ୍ତି ସନ୍ଥ ସାଇମନ୍ ଙ୍କ ଠିକ୍ ପରବର୍ତ୍ତୀ ଜଣେ ଖମ୍ବବାସୀ । ତାଙ୍କ ପାଇଁ କନଷ୍ଟାଣ୍ଟିନୋପଲ୍ ର ରାଜା ( କାରଣ ସନ୍ଥ ଦାନିଏଲ୍ ସେଠିକାର ସନ୍ଥ ) ସମ୍ରାଟ ଲିଓନ୍ ପ୍ରଥମ ( ୪୫୭ - ୪୭୪ ଖ୍ରୀଅ) ଦୁଇଟି ସମାନ ଉଚ୍ଚତା ବିଶିଷ୍ଟ ଖମ୍ବ ନିର୍ମାଣ କରିଥିଲେ । ପରସ୍ପରଠାରୁ ଦୂରରେ ଥିବା ସେଇ ଦୁଇଟି ଖମ୍ବର ଉପରେ ଥିବା ପିଢି ଭିତରେ ଗୋଟିକରୁ ଅନ୍ୟ ପିଢି ଯାଏଁ ଯିବା ପାଇଁ ଛୋଟ ସେତୁ ଆକାରରେ ସରୁ ବ୍ୟବସ୍ଥା ଥିଲା । ସନ୍ଥ ଦାନିଏଲ୍ ଗୋଟିଏ ଖମ୍ବରୁ ଆଉ ଗୋଟିଏ ଖମ୍ବକୁ ବେଳେବେଳେ ମନ ହେଲେ ଯାଆନ୍ତି । ଥରେ ବଜ୍ରପାତ ଯୋଗୁଁ ସେହି ଦୁଇଟିରୁ ଗୋଟିଏ ଖମ୍ବ ଦୋହଲି ଯାଇଥିଲା । ସନ୍ଥ ଦାନିଏଲ୍ କିନ୍ତୁ ଗୋଟିକରୁ ଆର ଖମ୍ବକୁ ଯିବା ଆସିବା କରୁଥିଲେ । ସେହିଭଳି ଦୁଇ ଖମ୍ବ ଭିତରେ ଯିବା ଆସିବା ସମୟରେ ପ୍ରବଳ ପବନ ଯୋଗୁଁ ତାଙ୍କର ଶରୀରରୁ ଲୁଗାପଟାମାନ ଉଡିଯାଇଥିଲା । ତାହାଫଳରେ ସେ ଖମ୍ବ ଉପରେ ନିର୍ବାସନ ହୋଇ ବସବାସ କରୁଥିଲେ । ଥରେ ଦେଖାଗଲା ଯେ ସେ ଗୋଟିଏ ଖମ୍ବ ଉପରେ ବସିଛନ୍ତି ଆଉ ତାଙ୍କର ଚାରିପଟ ବରଫରେ ଆଚ୍ଛାଦିତ । ତାଙ୍କୁ ସେଦିନ ବରଫର ଆସ୍ତରଣରୁ ଉଦ୍ଧାର କରିବା ପାଇଁ ତାଙ୍କ ଉପରେ ଗରମ ପାଣି ଢଳାଯାଇଥିଲା ।

ନିଜର ଶରୀରକୁ ଶୁଦ୍ଧ ଏବଂ ପବିତ୍ର କରିବା ପାଇଁ ଏବଂ ତାହାଫଳରେ ଈଶ୍ୱରଙ୍କ କୃପାରୁ ପରିତ୍ରାଣ ପାଇଁ ଏହି ଖ୍ରୀଷ୍ଟୀୟ ସନ୍ନ୍ୟାସୀ "ଷ୍ଟାଇଲାଇଟସ୍ " ମାନଙ୍କର କୃଚ୍ଛ୍ର ସାଧନାକୁ ସହଜରେ ବୁଝାଯାଇପାରିବ । ସେମାନଙ୍କ ପାଇଁ ଦୈବିକ ଅନୁଗ୍ରହଟି ମିଠା ରୂପରେ ଏହିଭଳି ଏକ ଉଚ୍ଚତାରେ ଖମ୍ବବାସ କରୁଛି । ସେମାନେ ନିଜର ସନ୍ଥପଣର ଧାର୍ମିକ ବିଶ୍ୱାସରେ ଏହାକୁ ଯେତେ ସ୍ୱାଭାବିକ ମନେକରୁଥିଲେ ମଧ୍ୟ ଆମ ଭଳି ତଳେ ଯେତେ ଲୋକ ସାଧାରଣ ଦେହ ସର୍ବସ୍ୱ ହୋଇ ବସବାସ କରୁଛୁ ସେମାନଙ୍କୁ ଏହା ଅନେକ ସମୟରେ ବାଉଁଶରାଣୀ ଖେଳ ଭଳି ଲାଗେ, ଅସ୍ୱାଭାବିକ ଲାଗେ । ଏହାର ସଠିକ କାରଣ କ'ଣ ସେକଥାକୁ ଆମେ ସଠିକ ଭାବରେ ବୁଝାଇପାରିବୁ ନାହିଁ । ପାର୍ଥିବ ମଣିଷ ତାହାର ଲୋଭ, ମୋହ ଆଉ ଆନନ୍ଦରେ ଅଛି ଆଉ ସେମିତି ରହିବାକୁ ଚାହିଁଥାଏ । ଖାସ୍ ସେଇଥିପାଇଁ ତ ଆମର ପ୍ରାତଃସ୍ମରଣୀୟ ଲେଖକ ଜଣକ ଦୃପ୍ତ ଭାବରେ କହିପାରେ ସବୁଠୁ କୋମଳ ମାଆର କଣ୍ଠରେ, ଫେରିଯାଅ ଭିକ୍ଷୁ, ମୁଁ ଜୀବନ ଚାହେଁ, ନିର୍ବାଣ ନୁହଁ ।

ସେଇଥିପାଇଁ ତ ଉଚ୍ଚତାରେ ଯେଉଁ ମିଠା ରହିଛି ତାହା ଅନ୍ୟ ସବୁ ମିଠା ପରି ବ୍ୟକ୍ତିପରକ । ଜଣକୁ ତାହା ମିଠା ଲାଗିପାରେ, ଆଉ କାହାକୁ ତାହା ସିଠା ଲାଗିପାରେ । ସେଥିକୁ ଆମ୍ଭର ଯାହା ଯାହା ପ୍ରତେ ହୁଅଇ ସେସବୁ କେବଳ ଘଟଣ, ଏହା ବ୍ୟତୀତ ଆନ କିଛି ନଯୋଗାଇ !

ମିଠାକୁ ନେଇ, ବିଶେଷରେ ଉଚ୍ଚତାରେ ଥିବା ମିଠାକୁ ନେଇ, ତେଣୁ ଯଦି ଏତେ ଜଟିଳ କଥା ରହିଅଛି, ତାହାହେଲେ ସେତିକିବେଳେ ଆରମ୍ଭରୁ ଯେଉଁ ପ୍ରଶ୍ନଟି ଉଠାଯାଇଥିଲା ଅର୍ଥାତ୍ କେଉଁ ମିଠାକୁ ଆମେ ଉଚ୍ଚସ୍ଥାନରେ ରଖିବା, ସେହି ପ୍ରଶ୍ନଟି କହିବାକୁ ଗଲେ ଏକ ପ୍ରକାର ଦିଶାହୀନ ଦିଶିବ। ଶିକ୍ଷକମାନେ ଯେତେବେଳେ କୌଣସି ପରୀକ୍ଷା ନିମନ୍ତେ ପ୍ରଶ୍ନ ପ୍ରସ୍ତୁତ କରିଥାନ୍ତି ସେମାନେ ସର୍ବପ୍ରଥମେ ଏହି ଗୋଟିଏ ଦିଗ ପ୍ରତି ଦୃଷ୍ଟି ଦେବା କଥା, ଅର୍ଥାତ୍ ପ୍ରଶ୍ନର ସଂଭାବ୍ୟ ଉତ୍ତରରେ ଯେମିତି ଏକ ବିହିତ ସ୍ପଷ୍ଟତା ଥାଏ । ଏକ ନିର୍ଦ୍ଦିଷ୍ଟ ପ୍ରବିଧିକୁ ତାହା ଯେମିତି ଉତ୍ତରକର୍ତ୍ତାକୁ ନେବାକୁ ଚେଷ୍ଟା କରିବା ଉଚିତ । ସେଇଭଳି କୌଣସି ନିର୍ଦ୍ଦିଷ୍ଟ ବିନ୍ଦୁର ଲକ୍ଷ୍ୟ ନଥିଲେ, ପ୍ରଶ୍ନଟି ଯାହା ହେଉନା କାହିଁକି ଉତ୍ତରଟି "ଜଣେ ଯାହା ଜାଣିଛି ତାହା ହିଁ ଲେଖିଥାଏ" ଠିକ୍ ସେହିଭଳି ହୋଇଥାଏ । ଉପସ୍ଥିତ ଲେଖକ ଯେତେବେଳେ ଶିକ୍ଷାଦାନ କ୍ଷେତ୍ରରେ ସକ୍ରିୟ ଥିଲା ସେତେବେଳେ ସେ ଚତୁରତାର ସହ ଏହି ସବୁ ଜଞ୍ଜାଳରୁ ନିଜକୁ ଆଢୁଆଳରେ ରଖିବା ପାଇଁ ପିଲାଙ୍କ ପାଇଁ ପରୀକ୍ଷାରେ ପ୍ରଶ୍ନ ପ୍ରସ୍ତୁତ କରୁଥିଲା, ସିଧାସଳଖ, ଅମୁକଙ୍କ ବିଷୟରେ ଯାହା ଜାଣ ଲେଖ । ଏହିଭଳି ପ୍ରଶ୍ନ ନିର୍ମାଣ ଯେତିକି ସହଜ, ତାହାର ଉତ୍ତର ନିର୍ମାଣ ତାହାଠାରୁ ଅଧିକ ସହଜ ଏବଂ ଏହିଭଳି ପ୍ରଶ୍ନର ଉତ୍ତରର ମୂଲ୍ୟାୟନ କରିବା ତାହାଠାରୁ ଅଧିକରୁ ଅଧିକ ସହଜ ।

କିନ୍ତୁ ଉଚ୍ଚତାରେ କେଉଁ ମିଠା ଅଛି, ଯାହା କୌଣସି ଇଙ୍ଗିତ ନୁହଁ, ଯାହା କୌଣସି ପ୍ରତୀକ ନୁହଁ ସେଇଭଳି ପ୍ରଶ୍ନ ପଚାରିବା ପୂର୍ବରୁ ଯଦି ଆମ ଆଗରେ ଗୋଟିଏ ନିର୍ଦ୍ଦିଷ୍ଟ ଉଚ୍ଚତାର କଥା ରଖାଯାଇଥାଏ, ତାହାହେଲେ ଆମକୁ କୌଣସି ନିର୍ଦ୍ଦିଷ୍ଟ ମିଠାକୁ ବି ଚିହ୍ନଟ କରିବାକୁ ପଡିବ । ଆମକୁ ସେଇଠୁ ଆଉ ତାହାପରେ ଖସିବାର ବାଟ ନଥିବ।

ଉଚ୍ଚତାଟି ଏବେ ପୃଥିବୀର ସର୍ବୋଚ୍ଚ ଉଚ୍ଚତା ହେଉ । ଅର୍ଥାତ୍ ମାଉଣ୍ଟ ଏଭରେଷ୍ଟ ।

ଦେଖିବାକୁ ଗଲେ ୨୯ ମେ ୧୯୫୩ର ପ୍ରଥମ ଏଭରେଷ୍ଟ ବିଜୟ ଘଟଣାର ସତୁରି ବର୍ଷ ପରେ ଆଜି ଅର୍ଥାତ୍ ଆଜି ୨୯ ମେ ୨୦୨୨ରେ ସେହି ଉଚ୍ଚତାକୁ ସ୍ପର୍ଶ କରିବା ପାଇଁ ଯେମିତି ଗୋଟିଏ ଲମ୍ବା ଲାଇନ୍ ଲାଗିଥିଲା । ଲାଇନ୍ ଟି ଏହିଭଳି ଲମ୍ବା ଥିଲା ଯେ ମନେ ହେଉଥିଲା ଯେମିତି ସେହି ଉଚ୍ଚତାକୁ ସ୍ପର୍ଶ କରିବା ପାଇଁ ଏକପ୍ରକାର ଟ୍ରାଫିକ୍ ଜାମ୍ ଘଟିଛି । ଗୁଡ ପାଖକୁ ପିମ୍ପୁଡି ଧାଇଁବା ଭଳି ପର୍ବତାରୋହୀମାନେ ନେପାଳ ପଟରୁ ସେଇ ଗୋଟିଏ ରାସ୍ତାରେ ଅଗ୍ରସର ହୋଇ ଶୀର୍ଷକୁ ଛୁଇଁବାର ପ୍ରଚେଷ୍ଟାରେ ସଫଳ ହେଉଛନ୍ତି । ଏଭରେଷ୍ଟର ଶୀର୍ଷରେ ପହଞ୍ଚିବା ପାଇଁ ଯେଉଁ ଶେଷ ତୀଖଟି ରହିଅଛି ଯାହା "ହିଲାରୀ'ସ୍ ଷ୍ଟେପ୍" ବୋଲି ପ୍ରଥମ ଏଭରେଷ୍ଟ ବିଜୟୀଙ୍କ ନାମରେ ନାମିତ ସେଇଠି ଏତେ ପର୍ବତାରୋହୀ ଆଜି ସମବେତ ହୋଇ ଯାଇଥିବା ଭଳି ଛବିକୁ ଦେଖିଲେ ମନେହେବ ଯେମିତି ମାଉଣ୍ଟ ଏଭରେଷ୍ଟ ଆଉ ଅପରାଜେୟ କୌତୂହଳ ହୋଇ ରହିନାହିଁ, ଏହା ଯେମିତି ପାଲଟି ଯାଇଛି ଆମ ଗାଆଁ ପାଖର ଯେମିତି ଗୋଟିଏ ମୁଣ୍ଡିଆ ଯେଉଁଠିକୁ ଜଣେ ତରୁଣ ବଂଶୀବାଦକ ନିଛାଟିଆରେ ଯାଏ ଆଉ ନିଛାଟିଆରେ ଓହ୍ଲାଇ ଆସେ । ତାହାର ସ୍ୱର କେତେ ମଧୁର ତାହା କେବଳ ତାହାକୁ ଜଣା ।

ଏବେ ପ୍ରଶ୍ନଟିକୁ ନିର୍ଦ୍ଦିଷ୍ଟ ଆଉ ସ୍ପଷ୍ଟ କରାଯାଉ । ମାଉଣ୍ଟ ଏଭରେଷ୍ଟ ନିଶ୍ଚିତ ଭାବରେ ପୃଥିବୀର ସର୍ବୋତ୍ତମ ଉଚ୍ଚତା । ପର୍ବତାରୋହୀମାନଙ୍କର ଦୃଷ୍ଟିକଟୁ ଗହଳି ସତ୍ତ୍ୱେ, ତାହାକୁ ଆଉ ପାଞ୍ଚଟା ପାହାଡ ସହ ନିଜର ଆରୋହଣ ଦକ୍ଷତାରେ ସମାନ ପ୍ରତିପାଦନ କରିବା ଭଳି ନିରବଚ୍ଛିନ୍ନ ପ୍ରୟାସ ସତ୍ତ୍ୱେ ଏଭରେଷ୍ଟ ତଥାପି ରହସ୍ୟାଚ୍ଛନ୍ନ, ମଣିଷର ଦୁଃସାହସ ତଥା ତାହାର ଶାରୀରିକ ଧୈର୍ଯ୍ୟ ଏବଂ ସାମର୍ଥ୍ୟକୁ ମୁକାବିଲା କରିବାର ସୁଦୃଢ ପ୍ରତୀକ ହିସାବରେ ଆମ ସାମ୍ନାରେ ତଥାପି ସେ ଉପସ୍ଥିତ । ତାହାହେଲେ ପ୍ରଶ୍ନଟି ହେଉ, ସର୍ବ ପ୍ରଥମେ କେଉଁ ମିଠା ସେହି ଉଚ୍ଚତା ଅର୍ଥାତ୍ ମାଉଣ୍ଟ ଏଭରେଷ୍ଟର ଶୀର୍ଷକୁ ସ୍ପର୍ଶ କରିଥିଲା ? ଆରମ୍ଭକୁ ଆମର ସବୁବେଳେ ବୁଝିବା ଉଚିତ୍ ।

ପରେ ନିଜର ୧୯୫୩ ମସିହା ମେ ୨୯ ତାରିଖର ସେହି ଏଭରେଷ୍ଟ ବିଜୟର ସ୍ମୃତିଚାରଣ କରିବାକୁ ଯାଇ ପ୍ରଥମ ବିଜୟୀ ସାର୍ ଏଡମଣ୍ଡ ହିଲାରୀ ତାଙ୍କର ଏକ ସ୍ମୃତିଲେଖରେ ଲେଖିଥିଲେ, "ଆମେ ସେଇଠି ପହଞ୍ଚିଗଲା ପରେ ଆଗ ସେଇ ବରଫ ଭିତରେ ଆମର ବସିବା ପାଇଁ ଖଣ୍ଡିଏ ଖଣ୍ଡିଏ ଜାଗା ପ୍ରସ୍ତୁତ କରିନେଲୁ ଆଉ ସେଇଠି ବସି ବେଶ୍ ଆରାମରେ ତାହାପରେ ଆମପାଖରେ ଥିବା ମିଣ୍ଟ କେକ୍ ବାର୍ କୁ ଆନନ୍ଦର ସହ ଖାଇଥିଲୁ ।"

କିମ୍ବଦନ୍ତୀ ଉଚ୍ଚତାର ବିଜୟ ପାଳନ ସମୟରେ ଏଭରେଷ୍ଟ ଶୀର୍ଷରେ ସାର୍ ଏଡମଣ୍ଡ ଯେଉଁ ମିଠାର ଉଲ୍ଲେଖ କରିଛନ୍ତି ଅର୍ଥାତ୍ ମିଣ୍ଟ କେକ୍ ବାର୍ ତାହା ଅସଲରେ ହେଉଛି ଇଂଲଣ୍ଡର ଲେକ୍ - ଡିଷ୍ଟ୍ରିକ୍ଟ ଅଂଚଳରେ ପ୍ରସ୍ତୁତ ହେଉଥିବା ଏକ ବିଶେଷ ଧରଣର ମିଠା, ଯାହାକୁ କେଣ୍ଡଲ ମିଣ୍ଟ କେକ୍ ବୋଲି କୁହାଯାଉଥିଲା । ଆମର ଯେମିତି କିଛି ମିଠା ହଠାତ୍ ପ୍ରସ୍ତୁତ ହୋଇଯାଏ ଅର୍ଥାତ୍ ଚୁଲିମୁଣ୍ଡରେ କିଛି ବଳକା ମୂଳ ପଦାର୍ଥ ରହି ଯାଇଥିଲା ଆଉ ତାହାପରେ ସକାଳରେ ଦେଖିଲାବେଳକୁ ନିଆଁ ଧାସରେ ତାହା ଏକ ନୂତନ ମିଠା ଆକାରରେ ରୂପାନ୍ତର ହୋଇଯାଇଛି, ଠିକ୍ ସେହିଭଳି ଗୋଟିଏ ଆକସ୍ମିକତା ଏଇ ମିଣ୍ଟ କେକ୍ ସହିତ ଜଡିତ ।

ଜଣେ ସ୍ଥାନୀୟ ମିଠା ପ୍ରସ୍ତୁତକାରୀ ଏହି ମିଠାକୁ ପ୍ରସ୍ତୁତ କରିବା ପାଇଁ ଚୁଲିରେ ସୁଗାର ସିରପ୍ ଦେଇ "ବେକ୍" କରିବାବେଳେ ତାହାକୁ ମିଠା ଉପରେ ଏକ ଦାନାଦାର ସ୍ୱରୂପ ଦେବାକୁ ଚେଷ୍ଟା କରୁଥିଲା ମାତ୍ର ଏହା ତରଳି ବୋହି ଯାଇ ସେଥିରୁ ପୁଣି ଦାନା ବାନ୍ଧିବାକୁ ଆରମ୍ଭ କରିଥିଲା । ଏହି ବିଶେଷ ଧରଣର ପ୍ରସ୍ତୁତ କେକ୍ କୁ ବାତିଲ୍ କରାଯାଇ ନଥିଲା । ଏଭରେଷ୍ଟ ଅଭିଯାନ ପାଇଁ ଏହି ମିଠାକୁ ସଂଗ୍ରହ କରି ନିଆଯାଇଥିଲା । ଆଉ ଏଭରେଷ୍ଟ ବିଜୟ ପରେ ସେହି କମ୍ପାନୀ ଆଉ ସେହି ବିଶେଷ ମିଠାର ଚାହିଦା ଆକାଶଛୁଆଁ ହୋଇଯାଇଥିଲା ।

ଉଚ୍ଚତାରେ ପହଞ୍ଚିଥିବା ଏଇଭଳି ମିଠା ଏମିତି ବି ଏକ ଆକସ୍ମିକତା ହୋଇପାରେ ତାହା ସହିତ ଆଜିର ଏଇ ଉଚ୍ଚତାର ମିଠା ପ୍ରସଂଗର ଉପସଂହାର । ତାହାପୂର୍ବରୁ ଆମକୁ ଏତିକି ମନେ ରଖିବାକୁ ହେବ ଯେ ବାସ୍ତବରେ ହେଉ ବା ପ୍ରତୀକରେ ହେଉ, ହଁ ସାହିତ୍ୟରେ ବି, ଉଚ୍ଚତା ରହିଥାଏ, ମିଠା ବି ସ୍ୱାଦ ନିର୍ବାଚନରେ ସେଇଠେ ଥାଏ ଆଉ ଷ୍ଟାଇଲାଇଟସ୍ ମାନେ ଗୋଟିଏ ଖମ୍ବରୁ ଆଉ ଗୋଟିଏ ଖମ୍ବକୁ ଅଳସ ଭଙ୍ଗୀରେ ଯାତ୍ରା କରୁଥାନ୍ତି ।

ତଳୁ ଆମେ ମୁଣ୍ଡ ଟେକି ସେମାନଙ୍କୁ ଦେଖୁ ଆଉ ଆମ ସହିତ ସେ ବି ଥାଏ, ସେ ମାନେ ସେ, ଯାହାକୁ ପୋଷାକ ଦେଖାଯାଏ ନାହିଁ ।

Report an Error