ଛଦ୍ମବେଶୀର ଦୁଃଖ

ଶେଷ ଆଡ଼କୁ ଡକାଗଲା ଛଦ୍ମବେଶ । ଆମେ ତ ତିନିଜଣ ଥିଲୁ । ପୁରସ୍କାର ତ ଥୁଆ । କଥା ହେଲା ପ୍ରଥମ ନା ଦ୍ୱିତୀୟ । ସେ ଦିନମାନଙ୍କରେ ମୋର କନ୍‌ଫିଡେନ୍ସ ଟିକେ ଅଧିକା ଥିଲା ତ, ମୁଁ ମନେମନେ ନିଶ୍ଚିନ୍ତ ଥିଲି ପ୍ରଥମ ପୁରସ୍କାରଟା ମୋର । ହାୟ ଶେଷକୁ ଦ୍ୱିତୀୟ ବି ମିଳିଲାନି । ମିଳିଲା ତୃତୀୟ ।


ଚିତ୍ର - ରମାକାନ୍ତ ସାମନ୍ତରାୟ

ଗାଁ ପାଖ ହାଇସ୍କୁଲକୁ ବର୍ଷକୁ ଅନ୍ତତଃ ଥରେ ଆମେ ସବୁ ଅତି ସାନ ଥିବାବେଳେ ଯାଉଥିଲୁ । ସେ ସମୟ ହେଉଛି ବାର୍ଷିକ କ୍ରୀଡ଼ାର ସମୟ ।

ସେ ହାଇସ୍କୁଲ୍‌ର ନିଜର ଖେଳପଡ଼ିଆ ନଥିଲା । ହେଲେ ସ୍କୁଲ୍ ପାଖରେ ଥିବା ଶାସନୀ ବ୍ରାହ୍ମଣ ଗାଁର ମଶାଣି ପଡ଼ିଆକୁ ବର୍ଷକୁ ଥରେ ଖେଳପଡ଼ିଆ ଭାବରେ ବ୍ୟବହାର କରାଯାଉଥିଲା । ସେଠି ଗୋଟେ ଦିଇଟା ଚୁନ ଧଉଳା ସାମାଧି ବି ଥାଏ । ଦରପୋଡ଼ା କାଠ ଓ ଭଙ୍ଗା ହାଣ୍ଡି ମାଠିଆ ବି ପଡ଼ିଥାଏ । ପଡ଼ିଆର କଡ଼ରେ ଲୋକେ ପ୍ରବଳ ଝାଡ଼ା ଯାଉଥିଲେ । ଗାଈ ଗୋରୁ ଘାସ ଚରୁଥିଲେ । ଧାନ ଅମଳବେଳକୁ ସେଇଠି ଖଳା ବି ହେଉଥିଲା । ତିନିଦିନ ଧରି ପିଲାମାନଙ୍କ ଭିତରେ ଖେଳ ପ୍ରତିଯୋଗିତା ସେଇଠି ହେଉଥିଲା । ପଡ଼ିଆ ମଝିରେ ଠାଏ ସାମିଆନା ବନ୍ଧାହେଉଥିଲା । ମାଇକ୍‌ରେ ଖେଳର ଆଖୋଁଦେଖା ଧାରାବିବରଣୀର ପ୍ରଚାର କରାଯାଉଥିଲା । ମାଇକ୍ ଆମ ଗାଁ ଯାଏ ଶୁଭୁଥିଲା । ଶେଷଦିନରେ ହିଁ ଥିଲା ଅସଲ ଆକର୍ଷଣ । ସାଇକେଲ୍‌ରେ ମ୍ୟୁଜିକ୍ ଚେୟାର୍ ଓ ଛଦ୍ମବେଶ । ଛଦ୍ମବେଶ ଦେଖିବାକୁ ଆଖପାଖ ଗାଁରୁ ବେଶ୍ ଦର୍ଶକ ପହଞ୍ଚି ଯାଉଥିଲେ । ଆମପରି ପିଲାମାନଙ୍କର ତ ଖୁସି କାହିଁରେ କେତେ । ଘରୁ ନେଇଥିବା ପଇସାରେ ଆମେ ସବୁ ଦଶପଇସିଆ ଆଇସକ୍ରିମ୍, ଛଣା ପାମ୍ପଡ଼, ମଟର ଭଜା ଓ ଗୁଳି ଚୁଚୁମା ଆଦି ଖାଉଥିଲୁ ଓ ଖେଳ ଦେଖୁଥିଲୁ ।

ପଡ଼ିଆର ପୂରା ଚାରିକତି ଲୋକେ ଠିଆହେଇ ହୋ ହୋ ହେଉଥା’ନ୍ତି । ଶେଷଦିନ ଠିକ୍ ଖରା ନଇଁଲାବେଳକୁ ଚାରିପଟରୁ ପଡ଼ିଆ ଭିତରକୁ ପଶିଆସନ୍ତି ଭଜନ ଗାଇ ପଇସା ମାଗୁଥିବା ପୁଞ୍ଜାଏ କୁଷ୍ଠ ରୋଗୀ । ତା’ ପଛକୁ କେଳା କେଳୁଣୀ, କେନ୍ଦରା ଧରା ଯୋଗୀ, ଚିତା ଚଇତନ ମାରିଥିବା ଗେରୁଆ ପିନ୍ଧା ବାବାଜୀ, ଜିଅନ୍ତା ପାଣି ଧଣ୍ଡ ଚାରି ଛଅଟା ପାଛିଆରେ ପୂରେଇ ସାପୁଆ କେଳା । ଦିଇଟା ଛେଳିକୁ ଜବରଦସ୍ତ ଟାଣି ଟାଣି ଆସେ ଗୋଟେ ମିଆଁ, ଶଙ୍ଗାଡି ଉପରେ କନା ବୁଜୁଳାକୁ ମଲା ମଣିଷ ପରି ଶୁଆଇ ଆସନ୍ତି ଶବବାହକ ଓ ତାଙ୍କ ପଛରେ ଗୋବର ପାଣି ଛିଞ୍ଚି ଛିଞ୍ଚି ବାହୁନି ବାହୁନି କାନ୍ଦୁଥିବା ପଲେ ମାଇକିନା । କେବେ ନଡ଼ିଆ କାନ୍ଦିଏ ପିଠିରେ ପକେଇ ଆସେ କୋଉଗୋଟେ ଦୁମାକାଟିଆ ଚମାର, ଫୁଲ ଚାଙ୍ଗୁଡ଼ିରେ ଫୁଲ, ଚନ୍ଦନ ଓ ପୂଜା ଢାଳ ଧରି ଆସନ୍ତି ବ୍ରାହ୍ମଣ ଗୋସେଇଁ । ଦର୍ଶକଙ୍କ ହାତରେ ବେଲ ଓ ତୁଳସୀ ପତ୍ର ଧରେଇ ମଥାରେ ଚନ୍ଦନ ଟୋପା ପିନ୍ଧେଇ ହାତ ପତାନ୍ତି ଦକ୍ଷିଣା ପାଇଁ । ଏମିତି କେତେ ନୂଆ ରୂପ ନୂଆ ଭେକରେ ପିଲାଏ ଛଦ୍ମବେଶ ପ୍ରତିଯୋଗିତାରେ ଭାଗ ନିଅନ୍ତି ।

ମୁଁ ଷଷ୍ଠ ଶ୍ରେଣୀର ଅଧାରୁ ମାମୁଁଘର ଗାଁ ସ୍କୁଲକୁ ପଳେଇଲି । ସ୍କୁଲ୍ ବହୁତ ବଡ଼ ଥିଲା । ହାଇସ୍କୁଲ୍ ଆଉ ମାଇନର୍ ସ୍କୁଲ୍ ମିଶିକରି ଥାଏ । ବହୁତ ପିଲା । ଆମ ଷଷ୍ଠ ଶ୍ରେଣୀରେ କେବଳ ଏ, ବି, ସି, ଡି କରି ଚାରିଟା ସେକ୍ସନ୍ । ସ୍କୁଲ୍‌କୁ ଲାଗି ବିରାଟ ଗୋଟେ ପଡ଼ିଆ । ସପ୍ତାହକୁ ଥରେ ଖେଳ କ୍ଲାସ୍ ଥାଏ । ଆମେ ସବୁ ହୋ ହୋ ହେଇ ପଡ଼ିଆକୁ ଧାଉଁ । କ୍ଳାସ୍‌ରେ ଆଦୌ ପାଠ ପଢୁନଥିବା ଓ ଗଣିତ ସାର୍‌ଙ୍କ ପାଖରୁ ପ୍ରବଳ ମାଡ଼ ଖାଉଥିବା ଚିତ୍ତ ବୋଲି ଗୋଟେ ପିଲା ଆମ କ୍ୟାପଟେନ୍ ଥାଏ । ଆମେ ସବୁ ପଡ଼ିଆରେ ଧାଡ଼ି ବାନ୍ଧି ଛିଡ଼ାହେଉ ଓ ଚିତ୍ତ ଆମମାନଙ୍କ ଭିତରୁ ଗଣି ଗଣି ବାଇଶିଟି ପିଲା ବାଛେ । ପିଲାଏ ଫୁଟ୍‌ବଲ୍ ଧରି ପଡ଼ିଆ ଭିତରକୁ ବାହାରି ଯାଆନ୍ତି । ବାଇଶି ଭିତରେ ନଥିବା ଅନ୍ୟମାନେ ଏଣୁତେଣୁ ମନଇଚ୍ଛା ବେମୁରିବା ହେଇ ଖେଳକୁଦ କରନ୍ତି । ଚୂଡ଼ାନ୍ତ ବାଇଶି ମଝିରେ ମଝିରେ ବଦଳନ୍ତି । ହେଲେ ଚିତ୍ତର ସେ ଚୂଡ଼ାନ୍ତ ବାଇଶିରେ ମୁଁ ଥରୁଟେ ବି ସ୍ଥାନ ପାଇନଥିଲି ।

ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାର ସମୟ ଆସିଗଲା । ବୋଧେ ଜଣେକା ଅତିବେଶୀରେ ପାଞ୍ଚଟା କରି ବିଭାଗରେ ଭାଗ ନେବାର ସୁବିଧା ଥାଏ । ମୁଁ ପୂରା ପାଞ୍ଚଟା ବିଭାଗରେ ମୋ ନାଁ ଦେଇଦେଲି ।

ପ୍ରଥମ ଦିନ ଶହେ ମିଟର ଦୌଡ଼ରେ ମୁଁ ଶେଷଆଡ଼ୁ ପ୍ରଥମ ହେଲି । ତାପରେ ପାଞ୍ଚ ଶହ ମିଟର ଦୌଡ଼ ଥାଏ । ମୁଁ ଦୌଡ଼ିବାକୁ ପ୍ରସ୍ତୁତ ହେଇ ଧାଡ଼ିରେ ଠିଆ ହେଇଥାଏ । ଜଣେ ସାର୍ ମୋର ଦୁର୍ବଳ ଶରୀର ଓ ଅଳ୍ପ ଉଚ୍ଚତା ଦେଖି ମୋ ବାହା ଧରି ଥିଇରି କରି ଧାଡ଼ିରୁ କାଢ଼ିଦେଇ ବାହାରେ ଠିଆ କରେଇ ଦେଲେ । ଲଙ୍ଗ୍‌ଜମ୍ପ୍ ଓ ହାଇଜମ୍ପ୍ କଥା ନକହିଲେ ଭଲ । ମୋର କୋଉଥିରେ କିଛି ହେଉନଥାଏ ବୋଲି ସେମିତି କିଛି ଲାଗୁନଥାଏ ଅବଶ୍ୟ । ଫାଷ୍ଟ, ସେକେଣ୍ଡ ଓ ଥାର୍ଡ ଏଇ ତିଇନି ପିଲାଙ୍କୁ ଛାଡ଼ିଦେଲେ ଆଉ ସବୁତ ଫୁସୁରି ଯାଉଥିଲେ । ମୋ ସାଙ୍ଗରେ ମୋ ପରି ଫୁସୁରି ଯାଉଥିବା ଗଣ୍ଡା ଗଣ୍ଡା ପିଲା ।

ଶେଷ ଦିନ ଥାଏ ଛଦ୍ମବେଶ । ମୁଁ ନାଁ ଦେଇଥାଏ । ହେଲେ କ’ଣ ହେବି ଠିକ୍ କରିନଥାଏ । ମାମୁଁ ଘର ଗାଁର ଗୋଟେ ପିଲା ବି ନାଁ ଦେଇଥାଏ । ମୋର ଷଷ୍ଠକୁ ତା’ର ଅଷ୍ଟମ । ଆମେ ଦୁହେଁ ସଲାସୁତୁରା କରି ବହୁତ ଭାବିଚିନ୍ତି ଠିକ୍ କଲୁ ପାଗଳା ହେବା । ଦିଇ ଜଣ ଯାକ ପାଗଳା ହେବା କଥାକୁ ମୁଁ ସହଜରେ ଗ୍ରହଣ କରୁନଥାଏ ହେଲେ ଆଉ କିଛି ହେବାକୁ ସାଜ ସାମାନର ବି ଆବଶ୍ୟକତା ଅଛି ନା ।

ସେଦିନ ଆମେ ଦୁହେଁ ସାଙ୍ଗହେଇ ସ୍କୁଲ ବାହାରିଲୁ । ମୁଁ ପାଗଳା ହେବି ବୋଲି ପୁଳେ ମଲା ଗେଣ୍ଡା ଗୋଟେଇ ସାଇତି ଥାଏ । ମାଳ କରି ପିନ୍ଧିବି । ମୁଁ ଦିହରେ ବୋଳି ହେବାକୁ ଘରୁ ଡବାଏ ରବିନ୍ ବ୍ଲୁ ଓ ଆଖିରେ ମାରୁଥିବା କଳାରଙ୍ଗ ଲୁଚେଇ ଆଣିଥାଏ ।

ଚାରିଟାବେଳକୁ ଆମେ ବେଶ ହେବାକୁ ସ୍କୁଲ୍ ପଛକୁ ଚାଲିଲୁ । ସେଠି ମୋ ସାଙ୍ଗରେ ପଢୁଥିବା ନଈ ଆରପାରିର ଡମ୍ବରୁ ନାମରେ ପିଲା ବେଶ ହେବାକୁ ପ୍ରସ୍ତୁତ ହେଉଥାଏ । ସେ ବି ଠିକ୍ କରିଥାଏ ପାଗଳା ହେବ । ତିନି ପାଗଳ । ଧେତ୍ ମଜା ଲାଗିବନି । ଅଷ୍ଟମ ଶ୍ରେଣୀ ଟୋକା କହିଲା ସେ ପାଗଳା ହେବନି । ତୁରୀ ବଜାଳୀ ହେବ କହି ତା’ ବ୍ୟାଗରୁ ତୁରୀ ଗୋଟେ ବାହାର କଲା ଓ ମୋ ରବିନ୍ ବ୍ଲୁ ଡବାର ସବୁଗୁଡା ନେଳି ଦିହ ହାତରେ ବୋଳି ପକେଇଲା । ସେ ତାଙ୍କ ଘରେ ଥିବା ଗୋଟେ ତୁରୀ ଲୁଚେଇକି ଆଣିଥାଏ ଓ ପାଗଳା ବେଶ ହେବନି ବୋଲି ମୁଁ ଜାଣିନଥାଏ ।

ଡମ୍ବରୁ ପାଗଳା ହେବ ବୋଲି କେବଳ ଛିଡା ଟ୍ରାଉଜର୍‌ଟେ ଆଣିଥାଏ । ମୋ ପାଖରେ ଥାଏ କଳା ଓ ଅଳ୍ପ ନେଳି ରଙ୍ଗ, ଗେଣ୍ଡା ମାଳ, ଗୋଟେ ପୁରୁଣା ଗାମୁଛା ଓ ଗୋଟେ ପୁରୁଣା ଛିଡ଼ା ଗଞ୍ଜି । ମୁଁ ଡମ୍ବରୁକୁ ପଟେଇ କହିଲି ତୋ ଟ୍ରାଉଜର୍‌ଟା ଦେ । ଖାଲି ଟ୍ରାଉଜର୍ କିଛି ହେବନି । ଡମ୍ବରୁ ବହୁତ ଭବିଚିନ୍ତି ଶେଷରେ ମୋ କଥାରେ ରାଜି ହେଲା । ରାଜି ହେଲା ଯେ ଗୋଟେ ସର୍ତ୍ତ କିନ୍ତୁ ରଖିଲା । ସର୍ତ୍ତ ରଖିଲା, ଯଦି ମୁଁ ପୁରସ୍କାର ପାଏ ତେବେ ପୁରସ୍କାରଟା ସେ ନେବ ଆଉ ସାର୍ଟିଫିକେଟଟା ମୁଁ ନେବି । ଆଉ ବାଟ ନଥିଲା । ମୁଁ ରାଜି ହେଲି ଓ ପାଗଳ ବେଶ ପଡିବା ଆରମ୍ଭ କଲି । ଛିଡ଼ା ଗଞ୍ଜି ଓ ଡମ୍ବରୁର ଛିଡ଼ା ଟ୍ରାଉଜର୍ ପିନ୍ଧିଲି । ଟ୍ରାଉଜର୍‌ର ଗୋଟେ ଗୋଡକୁ ଜଂଘ ଉପରକୁ ଟେକା ହେଲା । ଆର ଫାଳକ ତଳକୁ ଝୁଲି ରହିଲା । ମୁହଁରେ ଆଖିଲଗା ବିଚିକିଟିଆ କଜଳ ବୋଳିହେଇ ପଡିଲି । ଅବଶିଷ୍ଠ ନେଳି ଦେହରେ ବୋଳିହେଲି । ବେକରେ ଗେଣ୍ଡା ମାଳ ପକେଇଲି । ଡମ୍ବରୁ ସ୍କୁଲ୍ ହତାରୁ ପୁଳେ ଦେବଦାରୁ ଡାଳ ଛିଡେଇ ଆଣି ମୋ ହାତରେ ଧରେଇ ଦେଲା ।

ଆମେ ତୁରୀ ବାଦକ ଓ ପାଗଳା ଦୁହେଁ ସ୍କୁଲ ପଡିଆରେ ପହଞ୍ଚିଲାବେଳକୁ ଆଉ ଜଣେ ପିଲା ବି ରଜା ପୋଷାକ ପିନ୍ଧି ପହଞ୍ଚିଥିଲା । ଚିତ୍ରାଳୟରୁ ସେ ରଜା ପୋଷାକ ପିନ୍ଧି ସିଧା ପଡ଼ିଆକୁ ଓହ୍ଲେଇ ଥାଏ । ଚାରି ପାଖରେ ପିଲାଏ ହୋ ହୋ ଘୋ ଘୋ ହେଉଥା’ନ୍ତି । ରାଜା ବେଶ ପଡ଼ିଥିବା ପିଲା ଚିତ୍କାର କରି ବାରବାର ଅଟ୍ଟହାସ କରୁଥାଏ । ବଡ଼ ବିଚିତ୍ର ଓ ବେତାଳିଆ ବେସୁରାରେ ଆରଜଣକ ତୁରୀ ଫୁଙ୍କୁଥାଏ । ମୁଁ ପାଗଳା ହେବାକୁ ଚେଷ୍ଟାକରି ଦେବଦାରୁ ପତ୍ର ଚୋବାଉଥାଏ ଓ ପାତି ମାଙ୍କଡ଼ ପରି ପିଲାମାନଙ୍କ ଆଡ଼କୁ ଖେଁ ଖେଁ ଖିଙ୍କାରି ଧାଇଁ ଯାଉଥାଏ । ଆଉ କେହି ଆସିଲେନି । ମଞ୍ଚରେ ଆମେ ମାତ୍ର ତିନି ଜଣ । ମୁଁ ଭାବିଥିଲି କାହିଁରେ କେତେ ପିଲ ଭାଗ ନେଇଥିବେ । ମଜା ହେବ । ଧେତ୍ କିଛି ହେଲାନି ।

ଘରକୁ ଫେରି ସେଦିନ ଆଈ ପାଖରୁ ବହେ ଗାଳି ଖାଇଲି । ତେଲିଆ କଳା ସହଜରେ ମୁହଁରୁ ଛାଡ଼ିଲାନି । ଦି’ ଚାରି ଦିନ ହନୁମାଙ୍କଡ଼ ପରି ମୁହଁ କଳା କରି ବୁଲିଲି ।

କିଛିଦିନ ପରେ ସ୍କୁଲ୍‌ରେ ପୁରସ୍କାର ବିତରଣୀ ଉତ୍ସବ ହେବ ବୋଲି ଘୋଷଣା ହେଲା । ଡମ୍ବରୁ ସେଦିନ ଖେଳ ଛୁଟିରେ ମୋତେ ମନେ ପକେଇଦେଲା ପୁରସ୍କାର ମିଳିଲେ ସେ ନେବ ଆଉ ସାର୍ଟିଫିକେଟ୍‌ଟା ମୁଁ ନେବି । ମୁଁ ବଡ଼ ଅନିଚ୍ଛାରେ ହଁ ମାରିଲି । ମୋର ଇଚ୍ଛା ନଥାଏ ପୁରସ୍କାର ମିଳିଲେ ତା’ ହାତକୁ ଟେକିଦେବାକୁ । ମୁଁ ମନେ ମନେ ଠାକୁରଙ୍କୁ ଡାକୁଥାଏ ପୁରସ୍କାର ଦିନ ଡମ୍ବରକୁ ଜ୍ୱର ହେଉ ନହେଲେ ପତଳା ଝାଡ଼ା ହେଉ କି ତା’ ପେଟ କାଟୁ । ସେ ସେଇ ଦିନକ ସ୍କୁଲ୍ ନଆସୁ ।

ଫଙ୍କସନ୍ ଆଉ ଦି’ଦିନ ଥାଏ ଦେଖିଲି ଡମ୍ବରୁ ଆସିନି । ମୁଁ ଖୁସି ହେଲି ମୋ ଡାକ ଠାକୁରେ ଶୁଣିଲେ ବୋଧେ । ତା’ପରଦିନ ବି ଡମ୍ବରୁ ଆସିଲାନି । ମୁଁ ନିଶ୍ଚିନ୍ତ ହେଇଗଲି ଠାକୁର ମୋ ପଟରେ ଠିଆ ହେଇଛନ୍ତି । ଖୁସିରେ ସେଦିନ ଅନ୍ୟମାନଙ୍କ ସାଙ୍ଗରେ ସ୍କୁଲ୍ ଷ୍ଟେଜ୍ ପାଖରୁ ଦି’ଘେରା ବୁଲି ଆସିଲି । ବାଉଁଶ ପୋତାପୋତି ଚାଲିଛି । ପିଲାଏ ଡ୍ରାମା ପାଇଁ ରିହରସେଲ୍ କରୁଛନ୍ତି । ଗୀତ ନାଚ ଶିଖୁଛନ୍ତି । ପାଲ ବନ୍ଧା ହେଉଛି । ପୁରସ୍କାର ବିତରଣ ପରେ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବାର୍ଷିକ ଡ୍ରାମା ବି ହେବ । ଡ୍ରାମାରେ ଭାଗ ନେବାକୁ ନାଁ ବି ଦେଇଥିଲି । ହେଲେ କ’ଣ ପାଇଁ କେଜାଣି ମୋ ଆବେଦନ କାଟ ଖାଇଯାଇଥିଲା ।

ଶେଷରେ ଉତ୍ସବ ଦିନ ଆସିଗଲା । ଆମେ ସବୁ ସଜବାଜ ହେଇ ସ୍କୁଲ୍‌ରେ ପହଞ୍ଚିଗଲୁ । ମୁଁ ପହଞ୍ଚୁ ପହଞ୍ଚୁ ଚାରିଆଡ଼େ ଆଖିପକେଇ ପ୍ରଥମେ ଡମ୍ବରକୁ ଖୋଜିଲି । ଡମ୍ବରୁ କେଉଁଠି ବି ନଥିଲା । ପ୍ରଥମେ ମିଟିଂ । ତାପରେ ପୁରସ୍କାର ଉତ୍ସବ । ଜଣ ଜଣ କରି ନାଁ ଡକାହେଲା । କିଛିଟାର ଫଳ ଆଗରୁ ଜଣା ଥିଲା, କିଛିଟାର ଜଣା ନଥିଲା । ଶେଷ ଆଡ଼କୁ ଡକାଗଲା ଛଦ୍ମବେଶ । ଆମେ ତ ତିନିଜଣ ଥିଲୁ । ପୁରସ୍କାର ତ ଥୁଆ । କଥା ହେଲା ପ୍ରଥମ ନା ଦ୍ୱିତୀୟ । ସେ ଦିନମାନଙ୍କରେ ମୋର କନ୍‌ଫିଡେନ୍ସ ଟିକେ ଅଧିକା ଥିଲା ତ, ମୁଁ ମନେମନେ ନିଶ୍ଚିନ୍ତ ଥିଲି ପ୍ରଥମ ପୁରସ୍କାରଟା ମୋର । ହାୟ ଶେଷକୁ ଦ୍ୱିତୀୟ ବି ମିଳିଲାନି । ମିଳିଲା ତୃତୀୟ । ପ୍ରଥମ ହେଲା ମହୁରିଆ ଓ ଦ୍ୱିତୀୟରେ ରହିଲା ଯାତ୍ରାପାଟିଆ ରଜା । ମୁଁ ବଡ଼ ଖୁସିରେ ଜୀବନରେ ପ୍ରଥମ ଥର ପାଇଁ କିଛିଗୋଟେ ପୁରସ୍କାର ପାଇଁ ମଞ୍ଚକୁ ଉଠିଲି । ପୁରସ୍କାର ଭାବରେ ମିଳିଲା ଗୋଟେ ଗାରପକା ଚଟି ଖାତା ଓ ମୋ ନାଁ ଲେଖାଥିବା ସାର୍ଟିଫିକେଟ । ଜୀବନର ପ୍ରଥମ ପୁରସ୍କାର । ଖୁସିରେ ମଞ୍ଚତଳକୁ ଓହ୍ଲାଇ ଆସିଲାବେଳକୁ ମୋ ସାମ୍ନାରେ ଠିଆ ହେଇଛି ଡମ୍ବରୁ । ଆଖି ପିଛୁଡ଼ାକରେ ଡମ୍ବରୁ ମୋ ହାତରୁ ସେ ଖାତାକୁ ଝାମ୍ପିନେଲା । ମୁଁ ପ୍ରକୃତିସ୍ଥ ହେଲାବେଳକୁ ସେ ମୋ ସାମ୍ନାରୁ ସେ ଗାୟବ୍ ହେଇସାରିଲାଣି ।

ଅନେକ ବର୍ଷ ତଳର କଥା । ସେ ସାର୍ଟିଫିକେଟ ଆଳିମାଳିକା ଭିତରେ ଅଛି କି ହଜିଗଲାଣି ଜାଣିନି । ଡମ୍ବରୁର କିଛି ବି ଖବର ମୁଁ ଜାଣିନି । ସେଦିନ ମୋ ସାଙ୍ଗରେ ପାଠ ପଢୁଥିବା ଅନେକଙ୍କ ନାମ ଓ ଚେହେରା ଆଉ ମନେନାହିଁ । ଡମ୍ବରୁ ମୋତେ ମନେରଥିବ କି ନା ଜାଣିନି । ଡମ୍ବରୁ କିନ୍ତୁ ମୋର ମନେଅଛି । ବେଶ୍ ଭଲରେ ମନେ ଅଛି ।

Report an Error