ସମାଜ ଓ ରଙ୍ଗମଞ୍ଚ

ସମାଜ ଓ ରଙ୍ଗମଞ୍ଚର ସମ୍ପର୍କକୁ ବ୍ୟାଖ୍ୟା କଲେ ଜଣାପଡ଼େ ଯେ ଉଭୟ ଏକ ଓ ଅଭିନ୍ନ । ପୂର୍ବ ଆଧୁନିକ ସମାଜରେ ସମାଜ ଓ ରଙ୍ଗମଞ୍ଚ ମଧ୍ୟରେ ସମ୍ପର୍କ ଯାହା ଥିଲା ଯଦି ତାହା ପୁଣି ସ୍ଥାପିତ ହୋଇପାରେ; ତେବେ ସମାଜରେ ପରିବର୍ତ୍ତନ ଆସିବା ଥୟ ।


ଆମ ସମାଜ ଉପରୁ ଯେତେ ଏକାଠି ଦେଖାଯାଉଥିଲେ ମଧ୍ୟ ଭିତରେ ଭିତରେ ବହୁଧା ବିଭକ୍ତ ଥାଏ । ସ୍ୱାଭାବିକ୍ ବି । ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ଶିକ୍ଷା, ଆଚରଣ ବ୍ୟବହାର ଓ ସାମାଜିକ ପ୍ରକ୍ରିୟା ଆମ ସମାଜକୁ ବହୁଧା ବିଭକ୍ତ କରିଥାଏ । ଏବେ ତ ରାଜନୀତି ସେ ଯେତେ ସଂକୀର୍ଣ୍ଣ ହେଉ ପଛେ ପ୍ରତି କଥାରେ ପ୍ରତି ସମ୍ପର୍କରେ ଯଥାରେ ହେଉ ଅବା ଅଯଥାରେ ଆମ ସମାଜକୁ ବିଭକ୍ତ କରୁଛି । ସମାଜ ମଧ୍ୟ ଅନେକାଂଶରେ ରାଜନୀତିକୁ ଅନୁସରଣ କରିଚାଲିଛି । ଏସବୁ ମଧ୍ୟରେ ସଂସ୍କୃତି ପ୍ରତି ସମାଜ କିଛି ମାତ୍ରାରେ ବୀତସ୍ପୃହ ହୋଇଚାଲିଛି । ଲୋକପ୍ରିୟ ସଂସ୍କୃତି ଦୈନନ୍ଦିନ ସଂସ୍କୃତିକୁ ଅନେକ ପଛରେ ପକାଇ ସାରିଛି । ଟିଭି, ସିରିଏଲ, ସିନେମା, ଓଟିଟି ଆଦି ଆମ ଦୈନନ୍ଦିନ ସଂସ୍କୃତିକୁ ପଛରେ ପକାଇ ଦେଇଛି । ଆମ ସଂସ୍କୃତି ଯାହା ଦିନେ ଆମ ଦୈନନ୍ଦିନ ଜୀବନର ଚଳଣି ଥିଲା; ତାହା ଆଜି ଅପାଶୋରା ହୋଇସାରିଛି କହିଲେ ଅତ୍ୟୁକ୍ତି ହେବନାହିଁ । ଆମର ଦୈନନ୍ଦିନ ସଂସ୍କୃତି କହିଲେ ଯାହା ଆମେ ବୁଝୁ ଆମର କଳା ସାହିତ୍ୟ ପରମ୍ପରାକୁ । ଯାନି - ଯାତରାକୁ । ପାଲା - ଦାସକାଠିଆକୁ । ମେଳା - ମଉଛବକୁ । କଳା - ସାହିତ୍ୟ ଓ ରଙ୍ଗମଞ୍ଚକୁ । ଜଗତୀକରଣ ପରେ ପରେ ଅର୍ଥାତ୍ ନବେ ଦଶକର ଆର୍ଥିକ ଉଦାରୀକରଣ ପରେ ପରେ ସମାଜ ସଂସ୍କୃତିରୁ ମୁହଁ ଫେରାଇବା ଆରମ୍ଭ କଲା । ଅଲଗା ଭାଷାରେ କହିବାକୁ ଗଲେ ସମାଜ ଦ୍ରୁତ ଗତିରେ ସଂସ୍କୃତିଠାରୁ ମୁହଁ ଫେରାଇବା ଆରମ୍ଭ କଲା ।

ମଣିଷ ଯେତେବେଳେ ଆଧୁନିକତାର ଦ୍ୱାହିରେ, ବିଜ୍ଞତାର ଦ୍ୱାହିରେ, ଶିକ୍ଷିତ ହେବାର ଦ୍ୱାହିରେ ନିଜ ମାନବୀୟ ଚେତନାର ନିଜ ମଣିଷପଣିଆର ମୂଳଦୁଆକୁ ନିଜେ ଦୁର୍ବଳ କରିବା ଆରମ୍ଭ କଲା ଠିକ୍ ସେତିକିବେଳେ କଳା ଓ ସଂସ୍କୃତିକୁ ପ୍ରାଥମିକତା ଦେବା ନିଶ୍ଚିତ ଭାବେ କେଉଁ ପାହାଚରେ ରହିବ କହିବା କିମ୍ବା ସେ ଦିଗରେ ଚିନ୍ତା କରିବା ଅଯଥାର୍ଥ ।

ସଙ୍କୁଚିତ ହୋଇଚାଲିଛି ମଣିଷ । ନିଜ ଭିତରେ । ନିଜ ଜ୍ଞାନ ଓ ବୌଦ୍ଧିକତା ଭିତରେ ।

ରଙ୍ଗମଞ୍ଚ ବହୁତ କ୍ଷତି ସହିଲା । ଆଦରର ଅଭାବରେ । ସମ୍ମିଳିତ ହେବାର ଅଭାବରେ । ରଙ୍ଗମଞ୍ଚର ଅସ୍ତିତ୍ୱ ନେଇ ସମାଜ ଉଦାସୀନ ରହିଲା । ଠିକ୍ ସେହିପରି ରଙ୍ଗମଞ୍ଚ ମଧ୍ୟ ନିଜ ପରିସୀମାକୁ ସଙ୍କୁଚିତ କରିବା ଆରମ୍ଭ କଲା । ରଙ୍ଗମଞ୍ଚର ଅଧିକାଂଶ ଗତିବିଧି ସୀମିତ ରହିଲା । ନିଜ ଭିତରେ ନିଜ ତିଆରି ସମାଜ ଭିତରେ । ସେ ଆଉ ନିଜକୁ ପରିବ୍ୟାପ୍ତ କରି ପାରିଲାନି । ସମାଜର ଏକ ବୃହତ୍ ଅଂଶକୁ ନିଜ ପରିଧିରେ ସାମିଲ କରିପାରିଲାନି ।

ପ୍ରଶ୍ନ ଉଠେ, ରଙ୍ଗମଞ୍ଚ କିମ୍ବା ନାଟକ କ’ଣ ସତରେ ସମାଜରେ କିଛି ପରିବର୍ତ୍ତନ ଆଣିପାରିବ ?

କ’ଣ ପରିବର୍ତ୍ତନ ଆଣିବ କି ନ ଆଣିବ ସେ ଅଲଗା କଥା । କିନ୍ତୁ କଥା ଏୟା ଯେ ସମାଜ ଓ ରଙ୍ଗମଞ୍ଚର ସମ୍ପର୍କକୁ ବ୍ୟାଖ୍ୟା କଲେ ଜଣାପଡ଼େ ଯେ ଉଭୟ ଏକ ଓ ଅଭିନ୍ନ । ପୂର୍ବ ଆଧୁନିକ ସମାଜରେ ସମାଜ ଓ ରଙ୍ଗମଞ୍ଚ ମଧ୍ୟରେ ସମ୍ପର୍କ ଯାହା ଥିଲା ଯଦି ତାହା ପୁଣି ସ୍ଥାପିତ ହୋଇପାରେ; ତେବେ ସମାଜରେ ପରିବର୍ତ୍ତନ ଆସିବା ଥୟ ।

ବର୍ତ୍ତମାନ ସମାଜରେ ତଥା ପରିସ୍ଥିତିରେ ସବୁଠୁ ବଡ଼ ପ୍ରଶ୍ନ କି ରଙ୍ଗମଞ୍ଚ ତିଷ୍ଠିବ କିପରି ? ସରକାରୀ ଅନୁଦାନରେ ? ଏହା କ’ଣ ପର୍ଯ୍ୟାପ୍ତ ? ଯଦି କୌଣସି ରଙ୍ଗକର୍ମୀକୁ ଏ ପ୍ରଶ୍ନ ପଚରାଯାଏ; ତେବେ ଉତ୍ତର ନିଶ୍ଚିତ ଭାବେ ନା ହିଁ ହେବ । ଆମ ଏଠି ରଙ୍ଗମଞ୍ଚ ସହିତ କର୍ପୋରେଟର ସମ୍ପୃକ୍ତି ନାହିଁ । ରଙ୍ଗମଞ୍ଚ ପ୍ରତି ସେମାନଙ୍କର ଆଦର ନାହିଁ । ଦର୍ଶକ ଟିକେଟ କାଟି ନାଟକ ଦେଖିବାକୁ ଉଚିତ୍ ମଣୁନାହାନ୍ତି । ମାଗଣା ନାଟକ ଦେଖି ଦେଖି ସେମାନେ ଏ ଦିଗରେ ଅର୍ଥ ଖର୍ଚ୍ଚ କରିବାକୁ ଯଥାର୍ଥ ମଣୁନାହାନ୍ତି ।

ଦର୍ଶକଙ୍କ ମନରେ ଟିକଟ କାଟି ନାଟକ ଦେଖିବା ମନୋବୃତ୍ତିକୁ ବଢ଼ାଇବାକୁ ପଡ଼ିବ । କ୍ରମାଗତ ଭାବେ ଭଲ ନାଟକ ପରିବେଷଣ କରିବାକୁ ପଡ଼ିବ । ସୌଖୀନ ନୁହେଁ ଆର୍ଥିକ ନିର୍ଭରତା ଯୋଗୁଁ ଯେ ଆମେ ନାଟକ କରୁଛୁ ସେ ଭାଷା ବୁଝି ବୁଝାଇବାକୁ ପଡ଼ିବ । ଏହା ରଙ୍ଗକର୍ମୀଙ୍କ ଦାୟିତ୍ୱ । ଆଉ ସେ ଦାୟିତ୍ୱକୁ ତାକୁ ମୁଣ୍ଡାଇବାକୁ ପଡ଼ିବ ।

ଯଦିଓ ଆମ ସହରରେ ପ୍ରଶିକ୍ଷୁ ଅଭିନେତାଙ୍କର ଅଭାବ ରହିଛି । ନାଟକ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ପ୍ରଶିକ୍ଷୁ ସିରିଏଲ ତଥା ସିନେମା ପ୍ରତି ଅତିଆଗ୍ରହ ବ୍ୟକ୍ତ କରିଚାଲିଛନ୍ତି । ତଥାପି ଯେଉଁ ସୌଖୀନ ତଥା ଅଙ୍ଗୀକାରବଦ୍ଧ ନାଟ୍ୟକର୍ମୀ ଅଛନ୍ତି; ସେମାନେ ଯଦିଓ ଅଭିନୟରେ ସେତେ ଦକ୍ଷ ନୁହନ୍ତି; ଉତ୍ତମ ଶିକ୍ଷା ପାଇନାହାନ୍ତି, ତଥାପି ପରିବେଷଣରେ ଉତ୍କୃଷ୍ଟତା ତଥା ନୂଆପଣ ଆଣିବାକୁ ହେବ । କିଛି ଦର୍ଶକଙ୍କୁ ନିଜ ସହ ନିଜ ଦଳ ସହ ଯୋଡ଼ିବାକୁ ହେବ । ନୂଆ ଏକ ଦର୍ଶକମଣ୍ଡଳୀ ତିଆରି କରିବାକୁ ହେବ । ନିତ୍ୟ ନିୟମିତ ଭାବେ । ଏକ ନିରନ୍ତର ପ୍ରୟାସ କରିବାକୁ ହେବ । ଏକ ସମୁଦାୟ ତିଆରି କରିବାକୁ ହେବ; ଯେଉଁ ସମୁଦାୟ ନାଟକକୁ ସଦା ପ୍ରୋତ୍ସାହିତ କରିଚାଲିବ ।

ରଙ୍ଗମଞ୍ଚ ସଦା ଏକ ସୁନିୟୋଜିତ ଉତ୍ସବର ସମାହାର । ଏଠି ଗୋଟିଏ ନାଟକ କେବଳ ପରିବେଷିତ ହୁଏନି, ନାଟକର ପ୍ରସ୍ତୁତି ଏକ ଉତ୍ସବ ପରି ପ୍ରତୀୟମାନ ହୋଇଥାଏ । ଏହି ଉତ୍ସବରେ ସାମିଲ୍ କରିବାକୁ ହେବ । ଏ ପ୍ରୟାସ ଆରମ୍ଭ କରିବାକୁ ହେବ । ବିଭିନ୍ନ ବର୍ଗର ଲୋକଙ୍କୁ ସାମିଲ କରିବାକୁ ହେବ । ବିଭିନ୍ନ ବର୍ଗର ଲୋକଙ୍କୁ ନାଟକରେ ସାମିଲ କରିପାରିଲେ ହିଁ ନାଟକର ଦର୍ଶକ ବଢ଼ିବେ । ଯେଉଁମାନେ ନାଟକର ପୃଷ୍ଠପୋଷକ କରିବେ ।

ଆମ ସହର ମେଟ୍ରୋ ପରି ବ୍ୟସ୍ତବହୁଳ ସହର ନୁହେଁ; ଏଠିକାର ବାସିନ୍ଦା ସନ୍ଧ୍ୟାରେ ମନୋରଂଜନ ପାଇଁ ମଣ୍ଡପ ଦିଗକୁ ମୁହାଁନ୍ତି । ପାରମ୍ପରିକ କଳା ଆଜି ମୃତପ୍ରାୟ । ଏପରିସ୍ଥିତିରେ ନାଟକ ନିଜ ସ୍ଥିତି ରଖିପାରିଛି ଏତିକି ଯଥେଷ୍ଟ । ନାଟ୍ୟକର୍ମୀଙ୍କୁ ଏ ସୁଯୋଗକୁ ଉପଲବ୍ଧିରେ ପରିଣତ କରିବାକୁ ହେବ ।

ନାଟକ ଏପରି ଏକ ମାଧ୍ୟମ ଯେଉଁଠି ଦର୍ଶକ ଏକ ଅଭିନ୍ନ ଓ ଆନ୍ତରିକ ଅଙ୍ଗ । ଦର୍ଶକ ଏଠି ନାଟକ ସହିତ ସିଧାସଳଖ ଯୋଡ଼ି ହୋଇଥାଏ । ଭାବର ଆଦାନପ୍ରଦାନ କରିଥାଏ । ଗୋଟିଏ ଅଭିନେତା ଓ ଗୋଟିଏ ଦର୍ଶକ ଯୋଡ଼ିଗଲେ ଅଭିନୟ ସମ୍ଭବ ହୋଇପାରେ । ସହୃଦୟ ଦର୍ଶକର ଆବଶ୍ୟକତା ରହିଛି । ସେହି ସହୃଦୟ ଦର୍ଶକଙ୍କୁ ଖୋଜିବା ଆମର ଦାୟିତ୍ୱ । ରଙ୍ଗକର୍ମୀଙ୍କ ଦାୟିତ୍ୱ କେବଳ ନାଟକ ପରିବେଷଣ କରିବା ନୁହେଁ; ସହୃଦୟ ଦର୍ଶକ ଖୋଜିବା ମଧ୍ୟ ନାଟ୍ୟକର୍ମୀଙ୍କ ପ୍ରମୁଖ ଦାୟିତ୍ୱ ହେବା ଉଚିତ୍ । ନାଟକରେ କଥାତ୍ମକ ପ୍ରୟୋଗ ଅତିରିକ୍ତ ଦୃଶ୍ୟାତ୍ମକ ଆଖ୍ୟାନ ହିଁ ଦର୍ଶକ ଆସ୍ୱାଦନ ଅଧିକ କରିଥାଏ । ଦଶର୍କଙ୍କୁ ଇନ୍ଦ୍ରିୟ ସହିତ ବାର୍ତ୍ତାଳାପ କରାଇବା ଜରୁରୀ । ଏପରି ନାଟକ ପ୍ରଦର୍ଶନ ବାରମ୍ବାର ହେଲେ କିଛି ସହୃଦୟ ଦର୍ଶକମଣ୍ଡଳୀ ତିଆରି ହେବା ନିଶ୍ଚିତ । ଭୟାତୁର ଓ ଲାଜକୁଳା ନୁହେଁ ରଙ୍ଗକର୍ମୀଙ୍କୁ ସାହସ ଦେଖାଇବା ଜରୁରୀ । ନିରାଶାର ସ୍ଥାନ ନାହିଁ । ଏଠି ପ୍ରଚୁର ଆଶାବାଦୀ ହେବା ଜରୁରୀ । ଅବଶ୍ୟ ଏଠି ଅଯଥା ହସ୍ତକ୍ଷେପ ବହୁତ । ସାରା ବିଶ୍ୱରେ, ଭାରତରେ ଓ ଆମ ଏଠି ସବୁଠି ହସ୍ତକ୍ଷେପ ରହିଛି ଓ ରହିଥିବ ସଦା । ଅସହଜ କରିଦେବା ପରି ପ୍ରଶ୍ନ ପଚାରିବା ସହିତ ସହିବାର ସାହସ ଜରୁରୀ ।

ନିକଟରେ ମୋ ନିର୍ଦ୍ଦେଶିତ ନାଟକ ‘ନାରୀର କଙ୍କାଳ’ ପରିବେଷିତ ହୋଇଥିଲା । ସହୃଦୟ ଦର୍ଶକ ଟିକଟ କାଟି ଓ ଅନେକ ସହୃଦୟ ଦର୍ଶକ ଯତ୍କିଞ୍ଚିତ୍ ସହଯୋଗ ଦେଇ ନାଟକକୁ ପ୍ରୋତ୍ସାହିତ କରିଥିଲେ । ଭରସା ଦେଖାଇଥିଲେ । ସେମାନଙ୍କ ଭରସାକୁ ଆଗାମୀ ସମୟରେ ରଖିବାକୁ ହେବ । ନିରବଚ୍ଛିନ୍ନ ଭାବେ ଦର୍ଶକଙ୍କ ମନ ଜିଣି ନାଟକ ପରିବେଷଣ କରିବାକୁ ହେବ । ଯାହା ପୁଣିଥରେ ନାଟକକୁ ଚଳନ୍ତି ସମାଜ ସହିତ ଯୋଡ଼ିବାରେ ସାହାଯ୍ୟ କରିବ । ଏହାହିଁ ପ୍ରତ୍ୟେକ ନାଟ୍ୟକର୍ମୀର ଆଦର୍ଶ ହେଉ । ସମ୍ଭାବନା ଜାରିରହୁ ।

Report an Error