ନାଟକର ସାମାଜିକ ସାହସ

ତାଳି ବଜାଇବା ଦର୍ଶକଙ୍କ ଅନ୍ୟ ଏକ ଅଭ୍ୟାସ । ସେମାନେ ଦେଖନ୍ତି ନାହିଁ ଦୃଶ୍ୟର ଗଭୀରତାକୁ । ଯନ୍ତ୍ରବତ୍ ତାଳି ବଜାଇ ଚାଲିଥାନ୍ତି । ନିୟମିତ ଅନ୍ତରାଳରେ । ନାଟ୍ୟ ପ୍ରସ୍ତୁତିକୁ ତଥା ଅଭିନେତାକୁ ଉତ୍ସାହିତ କରିବାକୁ ସେମାନେ କରତାଳି ମାଧ୍ୟମରେ ନିଜ ଭାବନାର ପ୍ରଦର୍ଶନ କରିଥାନ୍ତି ।


ଉପରକୁ ସମାଜ ଏକ ଦେଖାଯାଉଥିବାବେଳେ ଭିତରେ ଭିତରେ ବହୁଦା ବିଭକ୍ତ । ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ଧନ, କ୍ଷମତା, ପ୍ରତ୍ତିପତି ସମାଜର ମୂଳଦୁଆକୁ ଅଲଗା ଅଲଗା କରିଦେଇଥାଏ । ରାଜନୀତି । ରାଜନୀତି ତ ବର୍ତ୍ତମାନ ମୁଖ୍ୟ ପ୍ରସଙ୍ଗ । ଆଗରୁ ସହରରେ ରାଜନୀତି ହେଉଥିଲା । ଏବେ ତ ଗାଁ ଗାଁରେ ରାଜନୀତି ମାଡ଼ି ବସିଛି ସମାଜର ମୂଳଦୁଆକୁ । ବର୍ତ୍ତମାନର ସମାଜ ବି ରାଜନୀତି ପ୍ରତି ଖୁବ୍ ଉତ୍ସାହିତ । ସଂସ୍କୃତି ଯାହା କେବେ ଗାଁ କିମ୍ବା ସହରର ପ୍ରାଣକେନ୍ଦ୍ର ଥିଲା; ତା ପ୍ରତି ଉଦାସୀନ । ଆଜିକାଲି ସିନେମା, ନେଟଫ୍ଲିକ୍ସ, ମୋବାଇଲ, ୟୁଟ୍ୟୁବ୍‌, ଟୁଇଟର, ଫେସବୁକ୍‌, ଇନ୍‌ଷ୍ଟା ଆଦିରେ ରୁଚି ଅଧିକ, ନିମଗ୍ନ ସମାଜ । ଏଥିରୁ ମୁକୁଳିବାର ଯୁ ନାହିଁ । କଳା, ସାହିତ୍ୟ, ସଂସ୍କୃତି ଓ ନାଟକ ପ୍ରତି ଉଦାସୀନ । ଉଦାରୀକରଣ ବିଶେଷକରି ଭୂମଣ୍ଡଳୀକରଣର ଏହି ସମୟରେ ଯେଉଁଠି ସଂସ୍କୃତିରୁ ଅଲଗା ହେବାର ପ୍ରକ୍ରିୟା ଗତି ଧରିଛି; ବିକାଶର ଆଧୁନିକ ଆଖ୍ୟାନରେ ଯେଉଁଠି ସମାଜରେ ସଂସ୍କୃତିର ଜଡ଼ ନିରନ୍ତର ଦୋହଲି ଯାଉଛି । ସେଠି ସଂସ୍କୃତିର ପ୍ରାଥମିକତା ସବୁଠୁ ତଳେ ରହିବାକୁ ବାଧ୍ୟ ହେଉଛି ।

ଏପରି ସ୍ଥିତିରେ ନାଟକ ଆମ ସମାଜରେ ସେତେ ପ୍ରଭାବୀ ହୋଇପାରୁନାହିଁ । ସେ ଲୋକନାଟକ ହେଉ ଅବା ଆଧୁନିକ ନାଟକ । ସମାଜ ଓ ରଂଗମଞ୍ଚ ଉଭୟେ ପରସ୍ପରର ଅଭିନ୍ନ ଅଂଗ । ସମାଜ ଯଦି ରଂଗମଞ୍ଚଠୁ ଦୂରେଇ ଯାଏ ତେବେ ରଂଗମଞ୍ଚ ନିଜର ଏକ ସଂକୁଚିତ ପୃଥିବୀରେ ରହିବାକୁ ବାଧ୍ୟ ହୋଇଥାଏ । ସେଠାରେ ଗତିବିଧି ହେଉଥାଏ । ଅପେକ୍ଷାରେ ଥାଏ ରଂଗମଞ୍ଚ କେବେ ଯୋଡ଼ି ହେବ ସମାଜ, ତେବେ ମିଳିବ ସଫଳତା । କିନ୍ତୁ ଏହି ପ୍ରୟାସରେ ନିରଂତରତା ଆସିବା ଦରକାର । ସମାଜ ସହ ନାଟକ ଯୋଡ଼ି ହୋଇ ରହିବାର ନିରଂତରତାରେ ହିଁ ସଫଳତା ।

ଅତଏବ ଏହାର ଅନ୍ୟ ଦିଗ ମଧ୍ୟ ରହିଛି । କେବଳ ଯେ ସମାଜ ରାଜନୀତି ଆଦି ଭିନ୍ନ ପ୍ରସଙ୍ଗରେ ଆକ୍ରାନ୍ତ ହୋଇଛି ତା ନୁହେଁ, ନାଟକ ମଧ୍ୟ ଏପରି ଅନେକ ପ୍ରସଙ୍ଗରେ ନିଜକୁ ସାମିଲ କରିଛି; ଯେଉଁ ପ୍ରସଙ୍ଗକୁ ଯିବା ଉଚିତ୍ ନୁହେଁ । ଏଠି ବି ରାଜନୀତି, ଏଠି ବି ବ୍ରାହ୍ମଣବାଦୀ ଚିନ୍ତାଧାରା, ଏଠିବି ସମାନ୍ତାବାଦୀ, ଏଠି ବି ‘ମୁଁ’ ସର୍ବସ୍ୱ । ଅତଏବ୍ ସମାଜର ଏକ ନିର୍ଦ୍ଦିଷ୍ଟ ବର୍ଗ ସେଠାକୁ ଯିବାକୁ ଦିଅନ୍ତି ପଛଘୁଞ୍ଚା ।

ବର୍ଷ ବର୍ଷ ଧରି ଆମ ନାଟକ ବିଶେଷକରି ‘ସୌଖିନ’ ହୋଇ ଚାଲିଛି । ନାଟକ ପରିବେଷଣ ସମ୍ପୂର୍ଣ୍ଣ ରୁପେ ନିର୍ଭର ସରକାରୀ ସହାୟତା ଉପରେ । କର୍ପୋରେଟ୍ ସେକ୍ଟର ନାଟକ ପ୍ରତି ଉଦାସୀନ । ଦର୍ଶକ ନାଟକ ପ୍ରତି ବିମୁଖ । ତଥାପି ଚାଲିଛି ନାଟକ । ଅନୁଦାନରେ ।

ନାଟକକୁ ନିଜ ପାଇଁ ସମାଜର ଏକ ବର୍ଗ ତିଆରି କରିବାକୁ ହେବ । ଯେଉଁମାନେ ନିୟମିତ ଦର୍ଶକ ହୋଇ ଟିକଟ କାଟି ନାଟକ ଦେଖିବାକୁ ଆସିବେ । ଏହି ପ୍ରୟାସର ଆରମ୍ଭ କରିବାକୁ ହେଲେ ପ୍ରଥମେ ମାଗଣା ନାଟକ ଦେଖାଇବା ବନ୍ଦ କରିବାକୁ ହେବ ।

ନାଟକ ଏକ ସାମୁହିକ କଳା । ଏଥିପାଇଁ ସାମୁହିକ ପ୍ରୋତ୍ସାହନ ଆବଶ୍ୟକ । ଦର୍ଶକଙ୍କ ଏକ ନିର୍ଦ୍ଦିଷ୍ଟ ବର୍ଗ ତିଆରି କରିବାକୁ ହେବ, ଯେଉଁମାନେ ନିୟମିତ ଏକ ନିର୍ଦ୍ଦିଷ୍ଟ ଅନ୍ତରାଳରେ ନାଟକକୁ ପ୍ରୋତ୍ସାହିତ କରିବାକୁ ଆଗେଇ ଆସିବେ ।

ଅନୁଦାନ ରାଶିକୁ ଖର୍ଚ୍ଚ କରିବା ବାହାନାରେ ବିନା କୌଣସି ସୁନିୟୋଜିତ ଢଙ୍ଗରେ ଆୟୋଜିତ ହେଉଥିବା ନାଟକ ଉତ୍ସବମାନ ହିଁ ନାଟକର ଶତ୍ରୁ ।

ଓଡ଼ିଆ ନାଟକକୁ କିଛି ପରୀକ୍ଷା ନିରୀକ୍ଷା କରି ଦର୍ଶକଙ୍କ ସହଭାଗୀତା ବଢ଼ାଇବାକୁ ହେବ । ଯଦିଓ ଭୁବନେଶ୍ୱର ମହାନଗରୀୟ ସଂସ୍କୃତିରେ ଆକ୍ରାନ୍ତ । ଅପରପକ୍ଷେ ରାଜ୍ୟର ଅନେକ ଛୋଟ ସହର ଯେଉଁଠି ସାଧାରଣ ଦର୍ଶକ ସଂସ୍କୃତି ସମ୍ପନ୍ନ ଓ ମହାନଗରୀୟ ସଂସ୍କୃତି ପ୍ରଭାବହୀନ । ସେଠି ଏକ ଦର୍ଶକମଣ୍ଡଳୀ ତିଆରି କରିବାକୁ ହେବ । ଯାହାର ପ୍ରଭାବ ସାରା ରାଜ୍ୟରେ ପଡ଼ିପାରେ । ସେଠାରେ କଳାର ଆସ୍ୱାଦନ ନିମନ୍ତେ ଫୁରସତର କ୍ଷଣ ରହିଛି ଲୋକମାନଙ୍କ ନିକଟରେ । ମହାନଗରୀୟ ଜୀବନର ବ୍ୟସ୍ତତା ନାହିଁ ।

ନାଟକ ଏପରି ଏକ ମାଧ୍ୟମ, ଯେଉଁଠି ଦର୍ଶକ ହିଁ ଅଭିନ୍ନ ଅଂଗ । ଅନ୍ୟ କଳାର ରସ ଆସ୍ୱାଦନକାରୀଙ୍କ ପରି କିମ୍ବା ସାହିତ୍ୟର ଗୁଣମୁଗ୍‌ଧ ପାଠକ ପରି କବିତା ଆବୃତ୍ତିର କୋଳାହଳ ଶ୍ରୋତା ପରି ସେ ବାହାରୀ ନୁହଁନ୍ତି । ରଂଗମଞ୍ଚରେ ଦର୍ଶକ ଅଭିନ୍ନ, ଆନ୍ତରିକ ଅଂଗ ।

ଯଥାର୍ଥରେ କୁହାଯାଇଥାଏ କି ରଂଗମଞ୍ଚରେ ଜଣେ ଅଭିନେତା ଓ ଜଣେ ଦର୍ଶକ ମିଳିଗଲେ ମଧ୍ୟ ନାଟକ ସମ୍ଭବ ହୋଇପାରିଥାଏ । ଗୋଟିଏ ନାଟକର ପ୍ରସ୍ତୁତିରେ ଅଭିନେତା, ନାଟ୍ୟକାର, ନିର୍ଦ୍ଦେଶକ, ସଂଗୀତ, ଆଲୋକ, ନୃତ୍ୟ ସହ ଅଭିନେତା ବି ଯୋଡ଼ି ହୋଇ ରହିଥାଏ । ଦର୍ଶକ ନିଜର ଜୀବନ୍ତ ଉପସ୍ଥିତିରେ ପ୍ରଦର୍ଶନର ସ୍ୱରୁପରେ ମଧ୍ୟ ହସ୍ତକ୍ଷେପ କରିଥାଏ ।

ଉଦାହରଣ ସ୍ୱରୁପ; ହିନ୍ଦୀ ରଂଗମଞ୍ଚରେ ଯେତେବେଳେ ସାରା ରାତି ଲୋକନାଟକ ଅଭିନୀତ ହେଉଥାଏ ବିଦଗ୍‌ଧ ଦର୍ଶକମଣ୍ଡଳୀ ଅନିଦ୍ରା ହୋଇ ଲୋକକଳା ଅଭିନୟର ରସ ଆସ୍ୱାଦନ କରୁଥାଏ ।

ଥରେ ଏହି ଲେଖକ ଏକ ନାଟକ ନେଇ ବ୍ରହ୍ମପୁର ଯାଇଥାଏ, ଠିକ୍ ସେହି ସମୟରେ ବ୍ରହ୍ମପୁର ଅଂଚଳରେ ପ୍ରତି ଗାଁରେ ଚାଲୁଥାଏ ଲୋକକଳା । ଆଉ ସେ ଲୋକକଳାର ରସ ଆସ୍ୱାଦନ କରିବାକୁ ଆତୁର ଦର୍ଶକମଣ୍ଡଳୀର ସମ୍ପୃକ୍ତି ଦେଖି ଅଭିଭୂତ ହୋଇଥିଲି ।

ଏକ ନାଟକ ଯାହାର କଥାବସ୍ତୁ ଅନୁସାରେ ନାଟକର ଗତିରେ ନୀରବତା ପ୍ରଭାବୀ ଥାଏ; ସେଠି ଦର୍ଶକ ମଧ୍ୟ ବିନା ଗହଳଚହଳରେ ଆପେକ୍ଷିକ ନୀରବତା ଅବଲଂବନ କରି ନାଟକକୁ ସଫଳ କରିଥାନ୍ତି ।

ଦୀକ୍ଷିତ ଦର୍ଶକ ଆବଶ୍ୟକ । ନାଟ୍ୟଶାସ୍ତ୍ରରରେ ସହୃଦୟ ଦର୍ଶକର ଅପେକ୍ଷା କରାଯାଇଛି । ସହୃଦୟ ଦର୍ଶକ ଯତ୍‌କିଞ୍ଚିତ୍ ଆର୍ଥିକ ସହଯୋଗ କରିବାକୁ ପଛଘୁଂଚା ଦେବେ ନାହିଁ ।

ତାଳି ବଜାଇବା ଦର୍ଶକଙ୍କ ଅନ୍ୟ ଏକ ଅଭ୍ୟାସ । ସେମାନେ ଦେଖନ୍ତି ନାହିଁ ଦୃଶ୍ୟର ଗଭୀରତାକୁ । ଯନ୍ତ୍ରବତ୍ ତାଳି ବଜାଇ ଚାଲିଥାନ୍ତି । ନିୟମିତ ଅନ୍ତରାଳରେ । ନାଟ୍ୟ ପ୍ରସ୍ତୁତିକୁ ତଥା ଅଭିନେତାକୁ ଉତ୍ସାହିତ କରିବାକୁ ସେମାନେ କରତାଳି ମାଧ୍ୟମରେ ନିଜ ଭାବନାର ପ୍ରଦର୍ଶନ କରିଥାନ୍ତି ।

ପାରସୀ ରଂଗମଞ୍ଚରେ ଦର୍ଶକ ମୃତ୍ୟୁ ଦୃଶ୍ୟରେ ଖୁବ୍ କରତାଳି ଦେଇଥାନ୍ତି; ମଂଚରେ ବାରମ୍ବାର ଏହି ଦୃଶ୍ୟର ପୂନଃରାବୃତିକୁ ଅପେକ୍ଷା କରିଥାନ୍ତି ।

ରଂଗମଞ୍ଚରେ ପ୍ରସ୍ତୁତିରେ ବହୁ ବିବିଧତା ରହିଛି । ଏହି ବିିବିଧତାର ରସ ଆସ୍ୱାଦନ କରିବାକୁ ଦୀକ୍ଷିତ ଦଶର୍କମଣ୍ଡଳୀର ଆବଶ୍ୟକତା ରହିଛି । କେବେକେବେ ଦର୍ଶକ ନିଜ ରୁଚିର ପ୍ରୟୋଗ କରିନଥାନ୍ତି । ନିଜ ରୁଚି ବିପରୀତ କିଛି ଦେଖିଲେ ଅସହଜତା ଅନୁଭବ କରିଥାନ୍ତି । ଅନେକ ଦର୍ଶକ କେବଳ ସଂଳାପ ଉଚ୍ଚାରଣ ଦେଖିବାକୁ ଇଛିଥାନ୍ତି । ସଂଳାପ ବ୍ୟତୀତ ନାଟକରେ ଅନେକ ବିମ୍ବ ଓ ପ୍ରତିବିମ୍ବ, ଶୃଙ୍ଖଳା, ନୀରବତା ଓ ଗତିରେ ରହିଛି । ନାଟକ ଦେଖିଲାବେଳେ ପୁରୁଣା ଅଭ୍ୟାସ ଅବଚେତନ ମନରେ ସକ୍ରିୟ ରହିଥାଏ । ଯାହା ନୂତନତାକୁ ଗ୍ରହଣ କରିପାରେନି । ଦର୍ଶକର ଧୈର୍ଯ୍ୟର ପରୀକ୍ଷା ନେଇଥାଏ । ଏଇଠି ନିର୍ଦ୍ଦେଶକ ଓ ଅଭିନେତା ଚତୁରତାର ସହିତ ବିମ୍ବ - ପ୍ରତିବିମ୍ବ- ଗତି- ନୀରବତାର ସାର୍ଥକ ଉପଯୋଗ କରି ଦର୍ଶକକୁ ବାନ୍ଧି ରଖିବା ଜରୁରୀ ।

ଓଡ଼ିଆ ରଂଗମଞ୍ଚରେ ପେସାଦାର ଅଭିନେତାର ଅଭାବ । ଓଡ଼ିଆ ରଂଗମଞ୍ଚରେ ଜଣେ ଅଭିନେତା ଅଭିନୟକୁ ପେସା କରି ଜୀବନଯାପନ କରିବା ଦୂରୁହ ବ୍ୟାପାର । ଆଜିର ଓଡ଼ିଆ ରଂଗମଞ୍ଚରେ ୫୦ ବର୍ଷରୁ ଊର୍ଦ୍ଧ୍ୱ ଅଭିନେତା ଖୁବ୍ କମ୍ । କେବଳ ଯୁବବର୍ଗଙ୍କୁ ନେଇ ନାଟକ କରି ହେବନାହିଁ । ଯୁବବର୍ଗ ମଧ୍ୟ କିଛି ଦିନ ପାଇଁ ସୌଖିନର ବଶବର୍ତ୍ତୀ ହୋଇ ନାଟକକୁ ଆସନ୍ତି, ପୁଣି ଆର୍ଥିକ ତାଡ଼ନାରେ ପଛଘୁଂଚା ଦେଇଥାନ୍ତି । ଓଡ଼ିଆ ରଂଗମଂଚରେ ପ୍ରତିଷ୍ଠିତ ତଥା ଆର୍ଥିକ ରୂପେ ସକ୍ଷମ ନାଟକମଣ୍ଡଳୀ ମଧ୍ୟ ଅଭିନେତାଙ୍କୁ ପାରିଶ୍ରମିକ ଦେଇନଥାନ୍ତି । ନିର୍ଦ୍ଦେଶକ ତଥା ନାଟ୍ୟଦଳ ନିକଟରେ ଅଭିନେତାର ପାରିଶ୍ରମିକ ସର୍ବଦା ଗୌଣସ୍ଥାନରେ ରହିଥାଏ । ପ୍ରାଥମିକ ଅବସ୍ଥାରେ ଅଭିନେତାକୁ ପ୍ରଶିକ୍ଷଣ ଦେବାର ବାହାନା କରାଯାଇ ଏକ ପ୍ରକାର ଶୋଷଣ କରାଯାଇଥାଏ; ପରେ କୁଶଳୀ ହେବା ପରେ ପାରିଶ୍ରମିକ ମାଗିଲେ ପରିବେଷଣ କରିବାର ସୁଯୋଗ ଦିଆଯାଇ ନଥାଏ । ଏପରି ସ୍ଥିତିରେ କେହି ଅଭିନେତା ହୋଇ ରହିବାକୁ ଇଛା କରିବା ସମ୍ଭବ ନୁହେଁ । ମରାଠୀ ଓ ବଙ୍ଗଳା ରଂଗମଂଚରେ ଟିଭି ଓ ସିନେ ପରଦାର ଅଭିନେତା ସମୟେ ସମୟେ ନାଟକରେ କଳା ନିପୁଣତା ଦେଖାଇଥାନ୍ତି; ମାତ୍ର ଏଠାରେ ଥରେ ଟିଭି କିମ୍ବା ସିନେମାରେ ବାହାରିଲା ପରେ ଆଉ ନାଟକକୁ ଫେରିନଥାନ୍ତି ।

ମୋତେ ଲାଗେ ଓଡ଼ିଆ ରଂଗମଞ୍ଚରେ ଡରୁଆ, ଲାଜକୁଳା, ଭୀରୁ, ସ୍ୱାର୍ଥୀ, ପରଶ୍ରୀକାତରତା ତଥା ଘଂଚୁ କିସମର ଲୋକ ଭରିରହିଛନ୍ତି । ଯେଉଁମାନେ କେବଳ ନିଜ ସ୍ୱାର୍ଥ ଦେଖିବା ଅତିରିକ୍ତ ଓଡ଼ିଆ ନାଟକର ଉତ୍ତରଣ ଦିଗରେ ଧାରଣା ଦିଅନ୍ତିନି କିମ୍ବା ସେମାନଙ୍କ ନିକଟରେ ନ ଥାଏ । ଯେଉଁମାନଙ୍କ ନିକଟରେ ନିଜ କଳାନିପୁଣତା ବ୍ୟତୀତ ଚାଟୁକାରିତା, ଚପଳତା, କାନ୍‌ଭାସିଂ ଗୁଣ ଭରି ରହିଛି, ସେମାନେ ସେଇ ଢଙ୍ଗରେ ନିଜ ରାସ୍ତା ତିଆରି କରିଥାନ୍ତି ଓ ଅନ୍ୟକୁ ରାସ୍ତା ଦେଖାନ୍ତି । ବୃହତ୍ତର ଲାଭ ଅଣଦେଖା ହୋଇ ରହିଯାଏ ।

ଏମାନେ ରଂଗମଞ୍ଚରେ ଯଦିଓ ସାମାନ୍ୟ ମୁଖର ଥାନ୍ତି, ମାତ୍ର ଅନ୍ୟ କ୍ଷେତ୍ରରେ କମ୍ କହନ୍ତି । ଯେଉଁଠି ସେମାନଙ୍କ ହସ୍ତକ୍ଷେପର ଆବଶ୍ୟକତା ଥାଏ ସେଠି ଏମାନେ ଚୁପ୍ ରହନ୍ତି । ରଂଗମଞ୍ଚକୁ ଚଳାଉଥିବା ପ୍ରଶାସକ ପାଖରେ ଏମାନେ ନତମସ୍ତକ ଥାନ୍ତି । ମନ୍ତ୍ରାଳୟ, ବିଭାଗ ଅବା ଏକାଡେମି ଏଠାରେ ହାଜିରା ଲଗାଇ ନିଜ ସ୍ୱାର୍ଥ ସାଫଲ୍ୟ କରିବା ଅତିରିକ୍ତ ସାମୁହିକ ସ୍ୱାର୍ଥ ପ୍ରତି ବିମୁଖ ରହିଥାନ୍ତି । ଫଳରେ ସାମୁହିକ କଳାର ନାଟକ ଅଣଦେଖା ହୋଇ ରହିଯାଏ । ଏହା ହିଁ ବିଡ଼ମ୍ବନା ।

ରଂଗମଞ୍ଚର ମୂଳ ହେଉଛି ସଂଘର୍ଷ । ପରିସ୍ଥିତି ବିରୋଧରେ, ପ୍ରତିକୂଳ ବିରୋଧରେ, ଗତି ବିରୋଧରେ, ନୀରବତା ବିରୋଧରେ, କୋଳାହଳ ବିରୋଧରେ, ବିଚାର ବିରୋଧରେ କିମ୍ବା ଠିକ୍ ଓ ଭୁଲ ବିରୋଧରେ । ଶାସକ ଖୋଲା ମନରେ ରଂଗମଂଚକୁ ସମର୍ଥନ କରି ପାରିନଥାନ୍ତି; ସେମାନଙ୍କୁ ଭୟ ଥାଏ । କାଳେ ରଂଗମଞ୍ଚ ଅସଲି ସତ୍ୟ ସହ ଠିଆ ହୋଇ ଅସତ୍ୟକୁ ଉଜାଗର କରିଦେବ!!!

ରଂଗମଂଚ କେବେ କେବେ ନିଜ ବିରୋଧରେ ମଧ୍ୟ ଠିଆ ହୋଇଥାଏ ।

ଆମ ଓଡ଼ିଆ ରଂଗମଞ୍ଚରେ ସେହି ସମୟ ଉପନୀତ । ନିଜ ବିରୋଧରେ ଠିଆ ହେବାକୁ ପଡ଼ିବ । ବିଦ୍ରୋହ କରିବାକୁ ହେବ ନିଜ ବିରୋଧରେ । ଏକ ଜଡ଼ରୁପୀ ଦେଶକାଳ ବିରୋଧରେ ଜୀବନ୍ତ ହସ୍ତକ୍ଷେପ କରିବାର ସମୟ ।

କାହାରିକୁ ବାହାରି ଆସିବାକୁ ପଡ଼ିବ, ଶାସନର ଦଳଦଳରୁ । ଉତ୍ସବୀ ତମାଶାରୁ । ହବିବ୍ ତନଭୀରଙ୍କ ସଂଳାପ ପରି ‘ଦୋ ପୈସା ଲୁଁଗା ଔର ଚାର ଗାଲିଆଁ ଦୁଁଗା’ ପରି ଶାସକକୁ ସତ୍ୟ କହିବାର ସାହସ ରଖିବ । ମୁଖ୍ୟଧାରାରୁ ଦୁରରେ ରହି ରଂଗମଞ୍ଚର ପରିବେଶ ତିଆରି କରିବ । ଶାସକକୁ କହିବ ‘ନୋ’ ।

Report an Error