ଶୋକ

ଭୁଲିଯିବା ହିଁ ବିଧି । ଭୁଲିଯିବା ହିଁ ବ୍ୟବସ୍ଥା ଓ ପରମ୍ପରା । ଭୁଲିଯିବା ଏକ ସାଧନା ।


।। ଏକ ।।

ସେ ଅଚିହ୍ନାକୁ ଚିହ୍ନି ନଥିଲା । ନ' ଚିହ୍ନିବା ହିଁ ସ୍ୱାଭାବିକ ।

ସେ ଆକାଶକୁ ଜାଣିଥିଲା । ନୀଳ, ନକ୍ଷତ୍ର, କୃଷ୍ଣଗର୍ତ୍ତ, ଉଲକା, ଆକାଶଗଙ୍ଗା, ଆଉ ଯେତେ ଯାହା ଅନ୍ୟାନ୍ୟ.. ।
ଆକାଶର ଭାଷା କିନ୍ତୁ ବୁଝି ନଥିଲା ।

ସେ ପୁରୁଣାକୁ ଚିହ୍ନିଥିଲା ଓ ପୁରୁଣା ସହ ଏମିତି ଓତପ୍ରୋତ ଜଡିତ ଥିଲା ଯେ' ନୂଆକୁ ନୂଆ ବୋଲି ଗ୍ରହଣ କରିବାକୁ ନାରାଜ ଥିଲା ।

ନୂଆ ଆତଙ୍କ ନ' ହୋଇପାରେ, କିନ୍ତୁ ଅଜଣା ହେଇ ଥିବାରୁ ଏକ ଆଶଙ୍କା ନିଶ୍ଚୟ । ତେଣୁ ସେ ନୂଆକୁ ନୂଆ ଦୃଷ୍ଟିରେ ନ'ଦେଖି ତା' ଢାଞ୍ଚାରେ ପକେଇବାକୁ ଚେଷ୍ଟା କଲା । ତା' ଆଖି କହିଲେ ତ ସମାଜ, କାରଣ ସେ ସାମାଜିକ । ଆଉ ସମାଜ ଏକ ଅଲିଖିତ ସମ୍ବିଧାନ କାହିଁ କେଉଁ କାଳରୁ ଏକଥା ପ୍ରଚଳିତ ଥିଲା ।

ସମାଜ ଜଙ୍ଗଲକୁ ଭଲ ପାଏନି, ତେଣୁ ଜଙ୍ଗଲକୁ ଜଙ୍ଗଲ ହେବାକୁ ଦିଏନି । ଗଛମାନଙ୍କୁ କାଟିକୁଟି ତିଆରି କରେ ସୁନ୍ଦର ବଗିଚା । ଗଛଟିଏ ମୁଣ୍ଡ ଉଠେଇଲାବେଳକୁ ଦିଏ ପାହାରେ । ମୁଣ୍ଡ ଟେକିବା ନିଶ୍ଚିତରୂପେ ଏକ ଅଶିଷ୍ଟତା ।

ଗଛମାନେ ଗୋଟେ ଗୋଟେ ଛୋଟ ପିଲା, ଆଉ ସମାଜ ଚାଟଶାଳୀର ଅବଧାନେ ।

ଅବଧାନେ ଗଛମାନଙ୍କୁ ଅକ୍ଷର ଶିଖାନ୍ତି, ବ୍ୟାକରଣ ଶିଖାନ୍ତି, ଶୃଙ୍ଖଳା ଶିଖାନ୍ତି, ଆଦବ କାଇଦା ଶିଖାନ୍ତି, ଗଛମାନେ ଶିକ୍ଷିତ ହୁଅନ୍ତି, ସଭ୍ୟ ହୁଅନ୍ତି, ସଙ୍କୁଚିତ ହୁଅନ୍ତି ଓ ଆସ୍ତେ ଆସ୍ତେ ଭୁଲି ଯାଆନ୍ତି ଯେ' ସେମାନେ ଗଛ ।

ଭୁଲିଯିବା ହିଁ ବିଧି । ଭୁଲିଯିବା ହିଁ ବ୍ୟବସ୍ଥା ଓ ପରମ୍ପରା । ଭୁଲିଯିବା ଏକ ସାଧନା ।

ଦିନେ କିନ୍ତୁ ଅଘଟଣଟିଏ ଘଟିଗଲା । କୌଣସି ଏକ କାର୍ଯ୍ୟାଳୟରେ ଥିବା ଏକ ମେଜ୍ ଯିଏ ତା' ପଛ ଜୀବନକୁ ବ୍ୟବସ୍ଥାନୁଯାୟୀ ଭୁଲି ସାରିଥିଲା, ଅକସ୍ମାତ ତା' ସ୍ମୃତିର ପ୍ରଦୀପ ପ୍ରଜ୍ଜ୍ୱଳିତ ହେଲା ଓ ସେ ଦେଖି ପାରିଲା ଯେ' ସେ ପୁଳାଏ କାଠ ।

ଦେଖିଲା, ସେ ଗଛ । ଦେଖିଲା, ସେ ଜଙ୍ଗଲର ଏକ ଅଂଶ ।

ସେ ତା' ପଛ ସମୟକୁ ଫେରି ପୁଣି ଥରେ ନୂଆକରି ଜିଇଁବାର ସ୍ୱପ୍ନ ଦେଖିଲା ।

ସେ ଦର୍ପରେ ଘୋଷଣା କଲା - "ହେ ମୋର ପ୍ରିୟ ଗଛ ସମାଜ, ମୋର ବିଦ୍ୟାଳୟକୁ ଯିବାର ନାହିଁ, ବିଦ୍ୟାଳୟକୁ ଯାଇ ମୋର ଯାହା ଯାହା ହେବାର ସମ୍ଭାବନା ଥିଲା ମୋର ସେସବୁ ହେବାର ନାହିଁ, ସଭ୍ୟ ହେବାର ନାହିଁ, ଶୃଙ୍ଖଳିତ ହେବାର ନାହିଁ, ଶୀତତାପ ନିୟନ୍ତ୍ରିତ କକ୍ଷରେ ନିଜକୁ ପାଇବାର ସୌଭାଗ୍ୟ ପ୍ରାପ୍ତ ହେବାର ନାହିଁ । ଗଛ ଭଳି ମୋର ଗଛ ହେବାର ଅଛି । ଖୋଲା ଆକାଶ ତଳେ, ଖୋଲା ପବନରେ ମୋର ଦୋହଲିବାର ଅଛି, ଖେଳିବାର ଅଛି.. ।"

ଏବେ ଆଶାନୁରୂପଭାବେ ଗଛ ସମାଜ ତାକୁ ବିରୋଧ କରିବା କଥା । ଦେଶଦ୍ରୋହୀ, ଧର୍ମଦ୍ରୋହୀ ଆରୋପିତ କରି ଦଣ୍ଡିତ କରିବା କଥା ।

କିନ୍ତୁ ସେମିତି କିଛି ହେଲା ନାହିଁ । ଗଛ ସମାଜ ତା' କଥା ମନଧ୍ୟାନ ଦେଇ ଶୁଣିଲା ଓ ବିନମ୍ର ହେଇ କହିଲା - "ଆପଣ ତ ମହାନ ଦାର୍ଶନିକ ଓ ସର୍ବୋତ୍କୃଷ୍ଟ ବିଜ୍ଞ ବୃକ୍ଷ ! ଆପଣ ତ ପୂଜାର ଯୋଗ୍ୟ ।"

ଗଛ ସମାଜ ତା' ପାଇଁ ପୂଜାବିଧିର ବ୍ୟବସ୍ଥା କଲା । ଏଣେ ପୂଜାର ପ୍ରାବଲ୍ୟରେ ଅତିଷ୍ଠ ଓ ଅଣନିଃଶ୍ୱାସୀ ହୋଇ ଗଛଟା ଦିନେ ମରିଗଲା ।

ଗଛ ସମାଜ ସାତ ଦିନ ଶୋକ ପାଳନ କଲା ଓ ସେ ମହାନ ବୃକ୍ଷଙ୍କ ମର ଶରୀରକୁ ମେଜ୍ ତିଆରି ପାଇଁ ମଣିଷ ସମାଜକୁ ଉତ୍ସର୍ଗ କରି ଶାନ୍ତିରେ ନିଃଶ୍ୱାସ ମାରିଲା ।

।। ଦୁଇ ।।

ବିନା ଲୁହ, ବିନା ମୁହଁ, ବିନା ଶାରୀରିକ ପରିଭାଷାକୁ ନେଇ ମୋର ଶୋକର ଚିତ୍ରଟିଏ ଆଙ୍କିବାର ଅଛି ।

ଯଦି ଆଙ୍କିବି,
କାହା ପାଇଁ ଆଙ୍କିବି ?

କାହିଁକି ଆଙ୍କିବି !