ସେ କାନ୍ଦେ ନାହିଁ

ପୁରୁଷ ନା ପିତୃସତ୍ତାର ପ୍ରତୀକ !! ପୁରୁଷର କାନ୍ଦକୁ ନେଇ ଏ କବିତା ଏକ ଆଗ୍ନେୟ ପ୍ରଶ୍ନବାଚୀ । ନାରୀର ଆଖିରେ ପୁରୁଷକୁ ପରଖିବାର ଏହା ଏକ କାବ୍ୟିକ ପ୍ରୟାସ ।


ଫଟୋ - ୱିକିମିଡିଆ କମନ୍ସ

ସେ କାନ୍ଦେ ନାହିଁ
ଯଦିବା ତାକୁ
କାନ୍ଦ ଲାଗେ
ସେ ତାର ରୁଦ୍ଧ କଣ୍ଠକୁ
ଖୁବ ଶକ୍ତଭାବେ
ଜାବୁଡ଼ି ଧରେ ।

କେହି ତାକୁ ଦେଖୁନି ତ,
ଅଜଣା ଭୟ ତା ଭିତରେ
ପୁରୁଷ ତାଲିକାରୁ
ନାଁ ତାର ଖସିଯିବ କାଳେ ।

ଏ ଅଭ୍ୟାସ ସେ,
କେବେଠୁ କରିଛି
ପିତୃସତ୍ତାର ପ୍ରତିଟି
ଫର୍ଦ୍ଦ ଫର୍ଦ୍ଦ ପଢ଼ି
ନିଜକୁ ଶକ୍ତ, କଠୋର,
ବଳୀୟାନ କରିଛି ।

ଗ୍ରନ୍ଥର ପ୍ରତିଟି ଫର୍ଦ୍ଦରେ
ସେ ପଢ଼ିଛି
ନାରୀଠାରୁ
କିଛି ଅଲଗା କରିବ
ନଚେତ ତା'ର ଆଉ
ଗରିମା କେଉଁଠି ରହିବ ।

କେହିବି ତା ଜୀବନ ଅଂଗରୁ
ଛିଡି ଯାଉପଛେ,
ସେ ତାର ବାପା ମା ସ୍ତ୍ରୀ ପିଲା
ହେଉ ଅଵା କେହି ପ୍ରିୟ
ତଥାପି ସେ ସ୍ଥାଣୁ,
ଶକ୍ତ ବୋଲି ବେଶ୍ ଅଭିନୟ ।

ହଁ, ନିବୁଜ କୋଠରୀ
ଶୁଣିଛି ତାର ଆର୍ତ୍ତନାଦ
ଓଠ ଚିପି ଚିପି ନିରଵରେ
ଚିତ୍କାର ତାର ଗଗନ ଚୁମେ
କିନ୍ତୁ ସେ ଖୁବ୍ ସାବଧାନରେ
ନିଜକୁ ସ୍ଵାଭାବିକ କରେ ।

କେଉଁ ଯୁଗରୁ ସେ କାନ୍ଦିନାହିଁ,
ନକାନ୍ଦିବାର ଗର୍ବ
ଜେଜେମା, ଵୋଉ, ଶାଶୁ
ସଭିଙ୍କର ସେଇ ଗୋଟିଏ କଥା
ସେମାନେ କାନ୍ଦନ୍ତି ନାହିଁ
କାନ୍ଦି କାନ୍ଦି ମାଇଚିଆ ଭଳି
ନାଁ ପକାନ୍ତି ନାହିଁ ।

ମୋ ପୁଅର ଧୈର୍ଯ୍ଯ ଅନେକ
ଛୋଟବେଳୁ ଶୁଣି ଶୁଣି
ମୁଁ ବି ଗର୍ବ କରେ
ଏଭଳି ପୁରୁଷଂକ ଗହଣରେ ।

ଦୁଃଖର ଯନ୍ତ୍ରଣାକୁ ଚାପି ଚାପି
ହୃଦଘାତ ହେଉ, ରକ୍ତଚାପ ବଢି ଯାଉ
ହେଉ ଅଵା ପକ୍ଷାଘାତ
ବ୍ୟବହାର କ୍ରୁରତାରେ
ଭୟଭୀତ ହୋଇ
ଦୂରେଇ ଯାଉ ପଛେ ପ୍ରିୟଜନ
କିନ୍ତୁ, ସେ କରିଛି ପଣ
ରହିବ ପିତୃସତ୍ତାର ଗ୍ରନ୍ଥର
ସେଇ ପୁରୁଷୋତ୍ତମ ହୋଇ
କିନ୍ତୁ ସେ କାନ୍ଦିବ ନାହିଁ ।

ତାକୁ ବହିବାକୁ ଦିଅ
ହଁ, ତମେ ତାକୁ ବହିବାକୁ ଦିଅ
ଭାବପ୍ରବଣତାକୁ ଛୁଇଁ
ନିଜକୁ ସ୍ବାଭାବିକ ଭାବେ
ଜୀଇଁବାକୁ ଦିଅ
ଲୁହରେ ଭିଜାଇ ଚିରି ଦେଇ,
ସେ ପାଣ୍ଡୁଲିପି
ଜୀବନର ସ୍ବାଦ ଚାଖି
ଅନ୍ୟକୁ ବି ଜୀଇଁବାକୁ ଦିଅ ।