ସାରା ବାର୍ଟମାନ୍ ର ଦୁଃଖ

ସାରା ବାର୍ଟମାନ୍ ର କାହାଣୀ କିନ୍ତୁ ତାହାର ମୃତ୍ୟୁରେ ସମାପ୍ତ ହୋଇ ନଥିଲା । ତାହାର ଶରୀର ପ୍ରତି ଆସକ୍ତ ହୋଇ ପଡିଥିବା ଡାକ୍ତର ତଥା ନେପୋଲିଅନ୍ ବୋନାପାର୍ଟ ଙ୍କ ପ୍ରମୁଖ ଚିକିତ୍ସକ ଡାକ୍ତର ଜର୍ଜ କ୍ୟୁଭିଅର୍ ନିଜ ପକ୍ଷରୁ ସାରାର ମୃତ ଶରୀରକୁ ବ୍ୟବଚ୍ଛେଦ କରିବା ପାଇଁ ଇଚ୍ଛା କରିଥିଲେ ।


ୱିକି କମନ୍ସ

ସାରା ବାର୍ଟମାନ୍ ଇତିହାସର ଏକ ବିରଳ ଉଦାହରଣ ଆଉ ତାହାର ଦୁଃଖ ହେଉଛି ଯେ ସେ ନିଜର ଜୀବନ ଏବଂ ତାହାର ମରଣୋପରାନ୍ତ ସ୍ଥିତି ଏହି ଉଭୟ ଅବସ୍ଥାକୁ ଜଣେ ପାର୍ଥିବ ନାରୀ, ଜଣେ ମଣିଷ ହୋଇ ବି ଏକ ପ୍ରଦର୍ଶନୀ ସୁଲଭ ପଦାର୍ଥ ହିସାବରେ ବିତାଇଛି ।

ସାରା ବାର୍ଟମାନ୍ ର ଦୁଃଖ ସେଦୃଷ୍ଟିରୁ କହିବାକୁ ଗଲେ ଥିଲା କିଛି ପରିମାଣରେ ଈଶ୍ୱର ପ୍ରଦତ୍ତ ଆଉ ଅନେକ ପରିମାଣରେ ପୁରୁଷ ପ୍ରଦତ୍ତ ।

ସାରା ବାର୍ଟମାନ୍ ଭଳି ଗୋଟିଏ କୃଷ୍ଣାଙ୍ଗୀ କିଶୋରୀର ଦୁଃଖର କଥା ଲେଖିବସିବା ଜଣେ ଲେଖକ ପକ୍ଷରେ ବି ବସ୍ତୁତଃ ବଡ ଦୁଃଖର କଥା । ଏଇଭଳି ଗୋଟିଏ ଲେଖାରୁ ଆଦୌ ଆନନ୍ଦ ମିଳିବ ନାହିଁ । ଲେଖାଟିକୁ ପଢିବାପରେ ଜଣେ ମଣିଷ ତଥା ଜଣେ ପୁରୁଷ ଆକାରରେ ଆମକୁ ନିଜ ପ୍ରତି ଆଗ ଘଡିଏ ଛି ଛି କରିବାକୁ ଇଚ୍ଛା ହେବ । ଆମେ ତାହାପରେ ସବୁବେଳେ କଳ୍ପନା କରିବୁ ଯେମିତି ଏଇଭଳି ଘଟଣାମାନ ଯେତେ ସମ୍ଭବ ଆମର ଜାଣିବା ଜଗତର ବାହାରେ ରହିଥାଉ । ଚିରତର ଆପେ ଆପେ କାଳଫୋଟକା ଭଳି ହଜିଯାଉ । ଆମେ ସେଇଭଳି କିଛି ଅତୀତର ଇତିହାସକୁ ଭୁଲିଯିବା ପାଇଁ ନିଜକୁ ପ୍ରବୋଧନା ଦେବା ହିଁ ହେଉଛି ଏଇଭଳି ଗୋଟିଏ ଲେଖାର ବିଷୟବସ୍ତୁ ନିର୍ବାଚନ କରିବା ପଛର ପ୍ରଥମ କାରଣ । ଏଇଭଳି ଲେଖାପଛର ଦ୍ୱିତୀୟ କାରଣଟି ହେଉଛି ଆମର ପୃଥିବୀର ଅଧିବାସୀମାନଙ୍କ ଭିତରେ ସଂଗୁପ୍ତ ଥିବା ଯୌନ ଉତ୍ସୃଙ୍ଖଳତା ତଥା ବିଭତ୍ସ ପାଶବିକପଣକୁ ବି ଆମର ଜାଣିବା ଦରକାର । ଆମେ ଇତିହାସ ପଢିବା ପଛରେ ଗୋଟିଏ ପ୍ରମୁଖ କାରଣ ରହିଥାଏ ଯେ, ଏହା ଫଳରେ ମଣିଷ କେଉଁ ପ୍ରକାର ଅପକର୍ମ କରିବା ପାଇଁ ସମର୍ଥ ତାହାର କିଛି ଆଭାସମୂଳକ ବିବରଣୀ ଆମେ ଇତିହାସରୁ ପାଇଥାଉ ଆଉ ସେଇ ଅନୁସାରେ ଆମେ ନିଜକୁ ସାମାଜିକ ଭାବରେ ବ୍ୟବସ୍ଥିତ କରିପାରିଥାଉ ।

ସାରା ବାର୍ଟମାନ୍ ଇଂଲଣ୍ଡରେ ପହଞ୍ଚିଗଲା ପରେ ତାହାର ଖବର ଚାରିଆଡେ ବ୍ୟାପିଯାଇଥିଲା । ଯେଉଁ ପରିଚୟରେ ସେ ଇଂଲଣ୍ଡରେ ପ୍ରସିଦ୍ଧ ହୋଇଯାଇଥିଲା ତାହା ହେଉଛି, "ହଟେନଟଟ୍ ଭେନସ୍" ବା "ଖୋଇସାନ୍ ଆଦିମ ଜନଗୋଷ୍ଠୀର ସବୁଠାରୁ କାମଉତ୍ତେଜକ ରମଣୀ" ।

ଇଂଲଣ୍ଡକୁ ଆସିବା ପରେ ତାହାକୁ ଲୋକ ଗହଳିରେ ଆଣ୍ଠୁମାଡି ବସିବାକୁ ହେଉଥିଲା । ଲୋକମାନେ ଯଦି ଚାହିଁଥାନ୍ତି ତାହାହେଲେ ସେ ଛିଡାହୋଇ ନିଜର ଶରୀରର ଆଗ ଆଉ ପଛ ଭାଗକୁ ଲୋକମାନଙ୍କୁ ପ୍ରଦର୍ଶନ କରିଥାଏ । ସାରାକୁ ଦେଖିବା ପରେ ଉପସ୍ଥିତ ଲୋକମାନେ ଅତ୍ୟୁଲ୍ଲାସରେ ଚିତ୍କାର କରିଥାନ୍ତି । ସେମାନଙ୍କର ଅଙ୍ଗଭଙ୍ଗୀରେ ଏବଂ ଆଖିରେ ଭରପୂର ଅଶ୍ଳୀଳତାର ଇଶାରା । ସେମାନେ ହାତରୁ ପଇସା ଦେଇ ଟିକଟ କାଟି ଆସିଛନ୍ତି ଖାସ୍ ତାହାକୁ ଦେଖିବା ପାଇଁ ଦୂରଦୂରାନ୍ତରରୁ । ଚାରିପଟେ ଘୂରିଘୂରି ସେମାନେ ତାହାର ବର୍ଦ୍ଧିତ ନିତମ୍ବକୁ ଦେଖୁଥାନ୍ତି । ତାହାର ଗୁପ୍ତାଙ୍ଗକୁ ଦେଖିବା ପାଇଁ ପରସ୍ପର ସହିତ ଧକ୍କାମୁଖା ହେଉଥାନ୍ତି । ସମସ୍ତଙ୍କର କଥାବାର୍ତ୍ତାରେ ମଜାକଥା ଆଉ ସେହି ମଜାକଥା ସେମାନଙ୍କର ଅଶ୍ଳୀଳ କାମନାର ଚୂଡାନ୍ତ ରୂପ ।

୧୮୧୦ ଶରତଋତୁରେ ସାରା ବାର୍ଟମାନ୍ ଆଫ୍ରିକା ସହରର କେପଟାଉନ୍ ରୁ ଇଂଲଣ୍ଡକୁ ଆସେ । ଜଣେ ବ୍ରିଟିଶ ଡାକ୍ତର ଉଇଲିଅମ ଡନଲପ୍ ତାହାକୁ ସେଇଠୁ ସାଥିରେ ଧରି ଇଂଲଣ୍ଡକୁ ଫେରିଥାନ୍ତି । ଏହି ବ୍ରିଟିଶ ଡାକ୍ତର ଜଣକ ତାହାର ବୃହତ ନିତମ୍ବ ଏବଂ ବୃହତ ଗୁପ୍ତାଙ୍ଗକୁ ଦେଖି ତାହା ପ୍ରତି ବିଶେଷ ଭାବରେ ଆକର୍ଷିତ ହୋଇ ପଡିଥିଲେ । ବିଶେଷ ଭାବରେ ସେ ସମୟରେ ଆଫ୍ରିକାର ଖୋଇସାନ୍ ବୋଲି ଏକ ଆଦିମ ଜନଗୋଷ୍ଠୀର ମହିଳାମାନଙ୍କର ନିତମ୍ବମାନ ବେଶ୍ ବୃହତ ଏବଂ ସେହି କାରଣରୁ ସେମାନଙ୍କର ଗୁପ୍ତାଙ୍ଗମାନ ଆକାରରେ ବହୁତ ବଡ ବୋଲି ଏକ ଧାରଣା ସେହି ଅଂଚଳରେ ପ୍ରଚଳିତ ଥିଲା । ଡାକ୍ତର ଉଇଲିଅମ୍ ଡନଲପ୍ ଙ୍କର ସେସମୟରେ ଆଫ୍ରିକା ମହାଦେଶକୁ ଯିବା ପଛରେ ଖ୍ରୀଷ୍ଟଧର୍ମର ପ୍ରଚାର କରିବା ଯେତିକି ଗୁରୁତ୍ୱପୂର୍ଣ୍ଣ ଥିଲା ତାହା ଅପେକ୍ଷା ଅଧିକ ମହତ୍ୱପୂର୍ଣ୍ଣ କଥା ଥିଲା, ସେହି ଅଂଚଳର ଆଦିମ ଜନଗୋଷ୍ଠୀ ମଧ୍ୟରେ ବ୍ୟାପୁଥିବା ରୋଗ ଓ ତାହାର ନିଦାନ ସଂପର୍କରେ ସବିଶେଷ ଅନୁଧ୍ୟାନ । ସେଠିକାର ପ୍ରଚଳିତ ଅସୁଖ ସଂପର୍କରେ ବସ୍ତୁନିଷ୍ଠ ଅଧ୍ୟୟନ କଲାବେଳେ ଡା ଡନଲପ୍ କେପଟାଉନ୍ ର ନିକଟବର୍ତ୍ତୀ ଖୋଇସାନ୍ ଆଦିମ ଜନଗୋଷ୍ଠୀ ସଂପର୍କରେ ନାରୀମାନଙ୍କର ବୃହତ ନିତମ୍ବ ଏବଂ ଗୁପ୍ତାଙ୍ଗ ଭଳି ଶରୀରୀଗଠନର କଥା ଜାଣିବାକୁ ପାଇଥିଲେ । କୌତୂହଳବଶତଃ ସେ ସେହି ଅଂଚଳକୁ ଯାଇଥିଲେ ଏବଂ ତାଙ୍କର ଦୃଷ୍ଟି ଆଗରୁ ଉଲ୍ଲେଖ କରାଯାଇଥିବା ସାରା ବାର୍ଟମାନ୍ ଉପରେ ପଡିଥିଲା । ସାରାକୁ ଦେଖିବା ପରେ ଡାକ୍ତର ଉଇଲିଅମ୍ ଡନଲପ୍ ଙ୍କ ମନ ଭିତରେ ଗୋଟିଏ ବିଚିତ୍ର ବିଚାର ହଠାତ୍ ଖେଳିବାକୁ ଲାଗିଥିଲା ।

ଆଫ୍ରିକାର କେପଟାଉନ୍ ନିକଟବର୍ତ୍ତୀ ଖୋଇସାନ୍ ଆଦିମ ଜନଗୋଷ୍ଠୀର ଜଣେ ସାଧାରଣ ପ୍ରତିନିଧି ହୋଇଥିଲେ ବି ସାରା ବାର୍ଟମାନ୍ ବସ୍ତୁତଃ ଶରୀରୀ - ଗଠନ ଦୃଷ୍ଟିରୁ ଗୋଟିଏ ଅସ୍ୱାଭାବିକ ଆକୃତିର କିଶୋରୀ ଥିଲା । ଯାହାକୁ ଆମେ ଇଂରେଜୀରେ କହିପାରିବା, "ଫ୍ରିକ୍" ।

ମଣିଷର ଠିକ୍ ତାହା ଭଳି ଅନ୍ୟ ମଣିଷକୁ ନେଇ ଅନେକ କୌତୂହଳ । ଯଦି କାହାର ଶରୀରୀ - ଗଠନରେ କିଛି ଅସ୍ୱାଭାବିକତା ରହିଥାଏ ବା ଯାହାକୁ ଆମେ ଫ୍ରିକ୍ କହିବା ସେମାନଙ୍କୁ ଦେଖିବାରେ ଆମର ଭାରି କୌତୂହଳ । ସେଇ ତାଲିକାରେ ଭିନ୍ନକ୍ଷମମାନେ ବି ଆସିବେ । ସେସମସ୍ତଙ୍କୁ ନେଇ ଆମର କୌତୂହଳର ଏକମାତ୍ର କାରଣ ହେଉଛି ଯେ ଆମର ସାଧାରଣ ଦୃଷ୍ଟିରେ ଯାହା ଅସ୍ୱାଭାବିକ ବୋଲି ଦିଶେ ସେଇଭଳି ନିଜର ଅସ୍ୱାଭାବିକତାକୁ ନେଇ ସେମାନେ କେଉଁଭଳି ଗୋଟିଏ ସ୍ୱାଭାବିକ ଜୀବନଯାପନ କରିପାରନ୍ତି ସେଇଟି ଆମପାଖରେ ଏକ ବିସ୍ମୟ ଆଉ ସେହି କଥାଟିକୁ ଆମେ ସବୁବେଳେ ପ୍ରତ୍ୟକ୍ଷ କରିବାକୁ ଚାହୁଁ । ତାହା ଛଡା ଅନ୍ୟର ଗୋପନ ସଂଧିକୁ ଦେଖିବା ଭଳି କାମନା ବା ଭୟେରିଜମ୍ ଆମର ଏକ ସହଜାତ ଅଦମନିତ ସହଜାତ ପ୍ରବୃତ୍ତି ।

ସେ ଯାହାହେଉ ଶରୀରୀ - ଗଠନରେ ଅସ୍ୱାଭାବିକତା ବା ଫ୍ରିକ୍ ମାନଙ୍କୁ ସାଧାରଣତଃ ଆମେ ଦୁଇଟି ଭାଗରେ ବିଭକ୍ତ କରିପାରିବା । ଗୋଟିଏ ହେଉଛି ଆଦିମ ଜନଗୋଷ୍ଠୀ । ଆଦିମ ଜନଗୋଷ୍ଠୀମାନଙ୍କର ଶରୀରୀ - ଗଠନରେ ବୈଚିତ୍ର୍ୟ ରହିଛି । ସେମାନଙ୍କର ଦେହର ରଙ୍ଗ, ଶରୀର - ଗଠନ, ଉଚ୍ଚତା ଆଦିକୁ ନେଇ ଭିନ୍ନତା ଆମକୁ ଦେଖାଯାଇଥାଏ । ଏହା ବ୍ୟତୀତ ସେମାନଙ୍କର ସାମାଜିକ ଚଳଣି, ଭାଷା, ଇଂଗିତ ଏବଂ ଗୋଷ୍ଠୀବଦ୍ଧତାର ସଂରଚନା ଆମକୁ ଅସ୍ୱାଭାବିକ ଲାଗୁଥିବା କାରଣରୁ ଆମେ ସେମାନଙ୍କୁ ଫ୍ରିକ୍ ବୋଲି ମନେ କରିଥାଉ । ଏହି ପ୍ରକାର ଭିନ୍ନ ଚଳଣିର ଅସ୍ୱାଭାବିକତାକୁ ଆମ ଆଗରେ ପ୍ରକାଶ କରୁଥିବା କାରଣରୁ ଆଦିମ ଜନଗୋଷ୍ଠୀ ଭଳି ଫ୍ରିକ୍ କୁ "ପ୍ରାଚୀନ ପୁରାଣର ସମାନ୍ତରାଳ" ମଣିଷ ବୋଲି କୁହାଯାଏ । ଏବଂ ଦ୍ୱିତୀୟ ପ୍ରକାରର ଫ୍ରିକ୍ ମାନେ ହେଉଛନ୍ତି ଯେଉଁମାନେ ଚିକିତ୍ସାଶାସ୍ତ୍ର ଅନୁସାରେ ଜନ୍ମ ହେଲାପରେ ଦେଖିବାକୁ ଅନ୍ୟମାନଙ୍କଠାରୁ ଭିନ୍ନ । ସେମାନେ ଏପରି ଏକ ପାର୍ଥକ୍ୟ ସହ ଜନ୍ମଗ୍ରହଣ କରିଥାନ୍ତି ଯାହାକୁ ଅନ୍ୟମାନେ ଖୁବ୍ ସହଜରେ ଦେଖି ପାରନ୍ତି ଆଉ ନିଜଠାରୁ ସେମାନଙ୍କର ଭିନ୍ନତାକୁ ସହଜରେ ଚିହ୍ନଟ କରିପାରନ୍ତି । ଏହିଭଳି ଫ୍ରିକ୍ ବା ଅସ୍ୱାଭାବିକ ଆକୃତିକୁ "ଲୁସୁସ୍ ନେଚୁରାଇ" ବା "ଫ୍ରିକ୍ ଅଫ୍ ନେଚର୍" ବୋଲି କୁହାଯାଇଥାଏ । ଏହା ଭିତରେ ସ୍ୱାଭାବିକ ଭିନ୍ନକ୍ଷମମାନେ ଆସିବେ ।

ଆମର ସମସ୍ତ କୌତୂହଳର ଉତ୍ସ ଏହି ଯେଉଁ ଦୁଇ ପ୍ରକାରର ଫ୍ରିକ୍ ର କଥା କୁହାଗଲା ତାହାର ଆଧାରରେ ଆଲୋଚନା କଲେ ଆମେ ଦେଖିବା, ସାରା ବାର୍ଟମାନ୍ ହେଉଛି ମୂଳତଃ ଆଦିମ ଖୋଇସାନ୍ ଜନଗୋଷ୍ଠୀର ପ୍ରତିନିଧି ଯାହାର ମହିଳାମାନଙ୍କର ନିତମ୍ବ ଅପେକ୍ଷାକୃତ ଭାବରେ ବଡ, ତେଣୁ ସେ ଗୋଟିଏ ଫ୍ରିକ୍ । ମାତ୍ର ଡାକ୍ତର ଉଇଲିଅମ୍ ଡନଲପ୍ ଙ୍କ ଦୃଷ୍ଟିରେ ପଡିବା ପରେ ତାହାର ମୂଳ ଖୋଇସାନ୍ ଆଦିମ ଜନଗୋଷ୍ଠୀର ପରିଚିତିଟି ଅପେକ୍ଷା ତାହାର ନିତମ୍ବକୁ ନେଇ ଶରୀରୀ - ଗଠନର ଅସ୍ୱାଭାବିକତା ଇଉରୋପୀୟ ଜଗତରେ ଅଧିକ ବ୍ୟାପିବାକୁ ଲାଗିଥିଲା । ଖାଲି ବିଶାଳ ନିତମ୍ବ ନୁହଁ ତାହାର ଗୁପ୍ତାଙ୍ଗ ଯେ ବିଶାଳ ଏଇଭଳି ଗୋଟିଏ ତଥ୍ୟ ତାହାର ଫ୍ରିକ୍ ପରିଚୟକୁ ବ୍ୟାପିବାର ଅଧିକ ସହାୟତା କରିଥିଲା । ତେଣୁ ସାରା ବାର୍ଟମାନ୍ କହିବାକୁ ଗଲେ ଇଉରୋପୀୟ ଜଗତରେ ହୋଇଯାଇଥିଲା ଏକାଧାରରେ ଏକ ପ୍ରିମିଟିଭ୍ ଫ୍ରିକ୍ ଏବଂ ଏକ ନେଚୁରାଲ୍ ଫ୍ରିକ୍ ।

ଊନବିଂଶ ଶତାବ୍ଦୀର ଆଦ୍ୟକାଳରେ ଡାକ୍ତର ଉଇଲିଅମ ଡନଲପ୍ ଏବଂ ନିତମ୍ବିନୀ କିଶୋରୀ ସାରା ବାର୍ଟମାନ୍ ର ସାକ୍ଷାତ ହୋଇଥିଲା । ତାହା ହେଉଛି ଏପରି ଏକ ସମୟ ଯେତେବେଳେ ଇଉରୋପୀୟ ଜଗତରେ ମଣିଷର ଅନ୍ୟ ମଣିଷ ଅର୍ଥାତ୍ ଅସ୍ୱାଭାବିକ ଆକାରର ମଣିଷ ବା ଫ୍ରିକ୍ ପ୍ରତି ରହିଥିବା ଆଗ୍ରହକୁ ବ୍ୟବସାୟିକ ରୂପରେ ଅନୁବନ୍ଧିତ କରିବାର ପ୍ରୟାସ ଚାଲିଥିଲା । ବିଶେଷ ଭାବରେ ସର୍କସରେ, ଉଚ୍ଚବିତ୍ତଙ୍କ ପ୍ରମୋଦ - ଭୋଜିରେ, ଉତ୍ସବରେ ଏହି ଅସ୍ୱାଭାବିକ ଆକୃତି ବିଶିଷ୍ଟ ବ୍ୟକ୍ତିମାନଙ୍କୁ ପ୍ରଦର୍ଶିତ କରି ଅର୍ଥ ଉପାର୍ଜନ ହେଉଥିଲା । ଏହା ଫଳରେ ଯେଉଁମାନେ ଏହାର ପ୍ରବନ୍ଧନ କରୁଥିଲେ ଆଉ ସେହି ପ୍ରଦର୍ଶିତ ଫ୍ରିକ୍ ମାନେ ଉଭୟେ ପ୍ରଚୁର ପରିମାଣରେ ଅର୍ଥ ଉପାର୍ଜନ କରୁଥିଲେ ।

ସାରା ବାର୍ଟମାନ୍ କୁ ପ୍ରଥମେ ଦେଖିଲା ପରେ ଧର୍ମଯାଜକମାନଙ୍କର ସହାୟକ ହୋଇ ଆଫ୍ରିକା ଯାଇଥିବା ଆଉ ସେହି ଅଂଚଳର ଆଦିମ ଅଧିବାସୀଙ୍କ ଅସୁଖକୁ ଅଧ୍ୟୟନ କରିବାର ଉଦ୍ଦେଶ୍ୟ ରଖିଥିବା ଡାକ୍ତର ଉଇଲିଅମ ଡନଲପ୍ ଙ୍କ ମନରେ ଅକସ୍ମାତ୍ ଏହିଭଳି ଗୋଟିଏ "ଫ୍ରିକ୍ ସୋ" ର ପରିକଳ୍ପନା ଏବଂ ଅର୍ଥ ଉପାର୍ଜନର କଥା ଜାଗ୍ରତ ହୋଇଥିଲା । ସେ ସାରାକୁ କେପଟାଉନ୍ ରୁ ଇଂଲଣ୍ଡକୁ ଯିବା ପାଇଁ ପ୍ରରୋଚିତ କରିଥିଲେ । ଆଉ ସେଠାରେ ସେ ପ୍ରଚୁର ପରିମାଣର ଅର୍ଥ ଉପାର୍ଜନ କରି ଏକ ସ୍ୱଚ୍ଛଳ ଆରାମଦାୟକ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରିପାରିବ ତାହାର ଏକ କଳ୍ପିତ ସୁନେଲି ରୂପ ତାହା ଆଗରେ ରଖିଥିଲେ । ଡାକ୍ତରଙ୍କ କଥାରେ ପ୍ରଭାବିତ ହୋଇ ଏଇ କୃଷ୍ଣାଙ୍ଗୀ ନିତମ୍ବିନୀ କିଶୋରୀ ସାରା ବାର୍ଟମାନ୍ ଇଂଲଣ୍ଡ ଯିବାକୁ ରାଜି ହୋଇଯାଇଥିଲା ।

ସମକାଳର ଏକ ବିବରଣୀ ଅନୁସାରେ ୧୮୧୦ ମସିହାର ଶରତ କାଳରେ ସାରା ବାର୍ଟମାନ୍ ଲଣ୍ଡନରେ ପହଞ୍ଚିବା ପୂର୍ବରୁ ଆୟୋଜକମାନେ ସମସ୍ତ ପ୍ରକାରର ପ୍ରସ୍ତୁତି କରିସାରିଥିଲେ । ସହରର ଚର୍ଚ୍ଚିତ ପିକାଡେଲି ଇଲାକାରେ ଗୋଟିଏ ଦୁଇ ଫୁଟ ଉଚ୍ଚତାର ଷ୍ଟେଜ୍ କରାଯାଇଥିଲା ଆଉ ତାହାର ଚାରିପଟେ ତାରବାଡ ଘେରାଇ ଦିଆଯାଇଥିଲା । ବାହାରେ ଗୋଟିଏ ସଂଖ୍ୟା ଲେଖାଯାଇଥିଲା, ୨୨୫ । ଇଉରୋପୀୟ ପ୍ରମୋଦ ଜଗତରେ ସାରା ବାର୍ଟମାନ୍ ର ସେଇଟି ଥିଲା ଚିହ୍ନଟ ନମ୍ବର । ବାହାରୁ ଦଳ ଦଳ ଲୋକ ଟିକେଟ କାଟି ସେହି ତାରବାଡ ବାହାର ଇଲାକାରେ ପହଞ୍ଚିଯାଉଥିଲେ । ଯେଉଁମାନେ ସାରାର କୌଣସି କୌଣସି ଅଂଗକୁ ଛୁଇଁବା ପାଇଁ ବାଜି ରଖିଥିଲେ ଯଦି ସେମାନେ ସେହି ଲଟେରୀରେ ଜିତୁଥିଲେ ତେବେ ସେମାନଙ୍କୁ ତାରବାଡ ଭିତରକୁ ନିଆଯାଉଥିଲା । ଭିତରକୁ ଯାଇ ସେମାନେ ଅର୍ଥାତ୍ ସେହି "ପଣ୍ଟର" ମାନେ ସାରାର ନିର୍ଦ୍ଦିଷ୍ଟ ଅଂଗପ୍ରତ୍ୟଙ୍ଗ ଯାହା ଉପରେ ସେମାନେ ବାଜି ଲଗାଇଥିଲେ ତାହାକୁ ଛୁଇଁବା ଭଳି ବିଜୟର ଆମୋଦ ପ୍ରମୋଦ କରୁଥିଲେ । ସମକାଳର ବିବରଣୀରେ ଲେଖାଥିଲା, "ସେ ଅର୍ଥାତ୍ ସାରା ବାର୍ଟମାନ୍ ତାରବାଡ ଭିତରେ ରହିଥିଲା ଯେମିତି ଗୋଟିଏ ପୋଷା ବଣୁଆ ଜନ୍ତୁ, ନିର୍ଦ୍ଦେଶ ଦେବା ମାତ୍ରକେ ଛିଡା ହେଉଥିଲା, ବୁଲୁଥିଲା, ବସୁଥିଲା ଆଉ କହିବା ମାତ୍ରକେ ଚିତ୍ ହୋଇ ଭୂଇଁରେ ଶୋଇ ପଡୁଥିଲା ।"

ଲଣ୍ଡନରେ ଏହିଭଳି ଆୟୋଜନ ହେଉଥିବା ସମୟରେ ଦର୍ଶକମାନଙ୍କଠାରୁ ବିଶେଷ ଭାବରେ ଦାବି ରହୁଥିଲା ଯେପରି ସାରାର ଶରୀରରେ ଟିକିଏ ବୋଲି ସୂତା ନଥାଏ । ତାହାର ବୃହତ ନିତମ୍ବ ସହିତ ବୃହତ ଗୁପ୍ତାଙ୍ଗର କଥା ସେତେବେଳକୁ ବିଜୁଳି ବେଗରେ ଚାରିଆଡେ ବ୍ୟାପିଯାଇଥାଏ । ଏହିଭଳି ପୃଥିବୀର ଏକ ସର୍ବ ବୃହତ ଗୁପ୍ତାଙ୍ଗକୁ ଦେଖିବା ପାଇଁ ଚାରି ଆଡୁ ଦଳକୁ ଦଳ ପୁରୁଷ ପିକାଡେଲିର ସେହି ଫେସନବହୁଳ ଇଲାକା ଆଡକୁ ଆସିବାରେ ଲାଗିଥାନ୍ତି । ଦର୍ଶକ ଆଉ ପୁରୁଷ - ସ୍ପର୍ଶକମାନଙ୍କ ଦାବି ଅନୁସାରେ ସାରାକୁ ତାରବାଡ ଭିତରେ ସଂପୂର୍ଣ୍ଣ ବିବସନା ରୂପରେ ପ୍ରଦର୍ଶନ କରିବା କାମଟି କିନ୍ତୁ ସମ୍ଭବପର ହୋଇନଥିଲା । ଯଦିଓ ପ୍ରଦର୍ଶନର ଆୟୋଜକମାନଙ୍କର ଏହିଭଳି ଗୋଟିଏ ନଗ୍ନ କୃଷ୍ଣାଙ୍ଗୀ ନାରୀକୁ ସର୍ବସମକ୍ଷରେ ଉପସ୍ଥାପିତ କରିବାରେ ସାମାନ୍ୟତମ ଦ୍ୱିଧା ନଥିଲା ମାତ୍ର ସେମାନେ ଏହିଭଳି ଏକ ରିସ୍କ ସର୍ବସାଧାରଣ ନେବାକୁ ଉଚିତ ମଣୁନଥିଲେ । ଧର୍ମପ୍ରଚାରକ ଏବଂ ରେସନାଲିଷ୍ଟମାନେ ଏହିଭଳି ସର୍ବସାଧାରଣସ୍ଥଳରେ ଯୌନତାର ଅଶୋଭନୀୟତାକୁ ନିଶ୍ଚୟ ବିରୋଧ କରିବେ ସେଇଥିପାଇଁ ସେମାନେ ସାରାକୁ ସର୍ବସାଧାରଣରେ ଉଲଗ୍ନ କରିବା ବଦଳରେ ଏକ ବିକଳ୍ପର ଆୟୋଜନ କରିଥିଲେ । ସମକାଳର ପତ୍ରିକା "ଟାଇମ୍ସ" ଅନୁସାରେ ବିକଳ୍ପ ଆକାରରେ ସେମାନେ ସାରା ବାର୍ଟମାନ୍ ର ଶରୀରକୁ ଏମିତି ସ୍ୱଳ୍ପବାସର କପଡା ଚିପା ଭାବରେ ପିନ୍ଧାଇଥିଲେ ଯାହା ତାହାର ଦେହର ରଂଗ ସହିତ ସଂପୂର୍ଣ୍ଣ ଭାବରେ ମିଶିଯାଉଥିଲା । ଟାଇମ୍ସ ଅନୁସାରେ, ସେଇ ପୋଷାକ ତାହାର ଦେହର ସଂପୂର୍ଣ୍ଣ ଆକୃତିକୁ ତଥା ସଂପୂର୍ଣ୍ଣ ଭାବରେ ଉଜାଗର କରିବାରେ ଯେମିତି ସମର୍ଥ ହୋଇଥିଲା । ଆୟୋଜକମାନେ ଜାଣନ୍ତି ଯେ ପଣ୍ଟରମାନେ ସାରାର କେଉଁ ଅଂଗକୁ ଛୁଇଁବାରେ ଅଧିକ ଆଗ୍ରହୀ । ସେଇଥିପାଇଁ ସେମାନେ ତାହାର ଗୋପନାଙ୍ଗକୁ ଶରୀରୀ - ରଂଗର ପିନ୍ଧା କପଡାର ଠିକ୍ ବାହାରେ ଏକ ଆକୃତି ଆକାରରେ ଯେମିତି ଦେଖାଯାଇପାରିବ ସେମିତି ଚିହ୍ନ ସୂତାରେ ବୁଣିଦେଇଥିଲେ ।

ଜଣେ କୃଷ୍ଣାଙ୍ଗୀ କିଶୋରୀର ଏହିଭଳି ଭବ୍ୟ ନଗ୍ନ ପ୍ରଦର୍ଶନର ଅବଶେଷରେ ବିରୋଧ କରାଯାଇଥିଲା । କୌଣସି କିଶୋରୀର ଏହିଭଳି କ୍ରୀତଦାସ ସୁଲଭ ଆୟୋଜନକୁ ପ୍ରତିବାଦ କରିବା କଥାଟି କୌଣସି ସଭ୍ୟ ଚିନ୍ତାଶୀଳ ଜଗତରୁ ଆସିନଥିଲା । ଆମ ପାଇଁ ଆଉ ବାହାରର କେହି ନୁହଁ ଆମେ କେବଳ ହିଁ ପ୍ରତିବାଦ କରିବା ଭଳି ସାରା ବାର୍ଟମାନ୍ ର ଏହିଭଳି ନିର୍ଲଜ ସର୍ବସାଧାରଣରେ ପ୍ରଦର୍ଶନକୁ ନିଷିଦ୍ଧ କରିବା ଦାବିରେ ଆଗକୁ ଯିଏ ସର୍ବପ୍ରଥମେ ଆସିଥିଲା ତାହାର ନାଁ ହେଉଛି ରବର୍ଟ ୱେଡରବର୍ଣ୍ଣ । ସେ ନିଜେ ଜଣେ କ୍ରୀତଦାସୀର ସନ୍ତାନ । ତାହାର ଗର୍ଭବତୀ ମାଆକୁ ଆଉ ଜଣେ ସଂଭ୍ରାନ୍ତଙ୍କୁ ବିକ୍ରି କରିଦେବାବେଳେ ମାଲିକ ୱେଡରବର୍ଣ୍ଣ ସର୍ତ୍ତ ରଖିଥିଲେ ଯେ, ଯେମିତି ତାଙ୍କର ଏହି କ୍ରୀତଦାସୀର ସଂତାନକୁ ଜନ୍ମ ପରେ ଦାସତ୍ୱରୁ ମୁକ୍ତ କରିଦିଆଯାଏ । ସେଇ ସର୍ତ୍ତ ଅନୁସାରେ ରବର୍ଟ ଏବେ ମୁକ୍ତ । ରବର୍ଟ ସାରାର ଏହିଭଳି ସର୍ବସାଧାରଣ ପ୍ରଦର୍ଶନର କଥା ଯେତେବେଳେ ଜାଣିବାକୁ ପାଇଥିଲେ ସେ ଆଉ କାଳବିଳମ୍ବ ନକରି ଲଣ୍ଡନର କୋର୍ଟରେ ସାରାର ମୁକ୍ତି ପ୍ରାର୍ଥନା କରି ଆବେଦନ କରିଥିଲେ । କୋର୍ଟରେ ବିଚାର କେବଳ ଗୋଟିଏ ଦିଗକୁ ନେଇ ଚାଲିଥିଲା । ସେଇ ଗୋଟିକ ଦିଗ ହେଉଛି, ଏହି ଆୟୋଜନରେ ସାରା ବାର୍ଟମାନ ନିଜେ ସ୍ୱତଃ ପ୍ରବୃତ୍ତ ହୋଇ ଅଂଶଗ୍ରହଣ କରିଛି କି କୌଣସି ବାଧ୍ୟବାଧକତାରେ ଏପରି କରିବାକୁ ବାଧ୍ୟ ହୋଇଛି ? ଗୋଟିଏ ଆଫିଡେଭିଟ୍ ରେ ଜଣାଯାଇଥିଲା ଯେ, ସାରା ଆୟୋଜକମାନଙ୍କ ଦ୍ୱାରା ଏଠିକୁ ଆସିଛି ଆଉ ସେହି ଆୟୋଜକମାନେ ତାହାକୁ ନିଜର ବ୍ୟକ୍ତିଗତ ସଂପତ୍ତି ବୋଲି ବିଚାର କରନ୍ତି । ଆଉ ଗୋଟିଏ ଆଫିଡେଭିଟ୍ ରେ କୁହାଯାଇଥିଲା ଯେ, ଏହିଭଳି କାର୍ଯ୍ୟରେ, ତାହାକୁ ଯେମିତି ସର୍ବ ସମକ୍ଷରେ ପ୍ରଦର୍ଶନ କରାଯାଉଛି ସେଥିରେ ମଣିଷପଣର ଯଥେଷ୍ଟ ଅବମୂଲ୍ୟାୟନ କରାଯାଉଛି । କୋର୍ଟ ଯେତେବେଳେ ସାରାର ଜମାନବନ୍ଦୀ ନେଇଥିଲେ ସେଥିରେ ସାରା କହିଥିଲା ଯେ, ଏପରି କରିବା ପାଇଁ ତାହା ଉପରେ କୌଣସି ବାହାରର ଚାପ ପ୍ରୟୋଗ କରାଯାଉନାହିଁ । ତାହାକୁ ଏହିଭଳି ଆୟୋଜନରୁ ହେଉଥିବା ଲାଭର ଶତକଡା ପଚାଶ ଭାଗ ପ୍ରଦାନ କରିବା ପାଇଁ ସର୍ତ୍ତ ରଖାଯାଇଅଛି । ଯଦିଓ ଅନେକେ ଜାଣିଥିଲେ ଯେ, ସାରା ଏହିଭଳି ଏକ ଜମାନବନ୍ଦୀ ଦେବା ପଛରେ ବେଶ୍ ଚାପ ରହିଛି ଆଉ ଏହିଭଳି ବ୍ୟବସ୍ଥାପନା ତ୍ରୁଟିପୂର୍ଣ୍ଣ, ତଥାପି କାହାର କିଛି କରିବାର ନଥିଲା । ଆଟର୍ଣ୍ଣି ଜେନେରାଲ୍ ସାରାକୁ ନେଇ ହେଉଥିବା ଏହି "ଫ୍ରିକ୍ ସୋ" କୁ ସ୍ଥଗିତ ରଖିବା ପାଇଁ ଅନେକ ପ୍ରଚେଷ୍ଟା କରିଥିଲେ ମାତ୍ର ଲଣ୍ଡନର କୋର୍ଟ ସାରା ସ୍ୱଇଚ୍ଛାରେ ଆୟୋଜକମାନଙ୍କ ସହିତ ଏପରି ଏକ ପ୍ରଦର୍ଶନ ନିମନ୍ତେ ସଂପାଦନ କରିଥିବା ଆଧାରରେ ରବର୍ଟଙ୍କର ସାରାକୁ ମୁକ୍ତ କରିବାର ଏହିଭଳି ଏକ ଆବେଦନକୁ ଖାରଜ କରିଦେଇଥିଲେ ।

ତାହାପରେ ସାରା ବାର୍ଟମାନ୍ ର ତାରବାଡ ଘେରା ଭିତରେ ଶରୀର - ପ୍ରଦର୍ଶନ ଅବ୍ୟାହତ ରହିଥିଲା । ଦୀର୍ଘ ଚାରିବର୍ଷ ଧରି ଇଂଲଣ୍ଡର ରାସ୍ତାରେ ଏହିଭଳି ପ୍ରଦର୍ଶନୀ ପରେ ଆୟୋଜକମାନେ ସାରାକୁ ଗୋଟିଏ ସର୍କସ ଦଳକୁ ବିକ୍ରି କରିଦେଇଥିଲେ । ସେହି ସର୍କସ ଦଳଟି ଫ୍ରାନ୍ସର । ୧୮୧୪ ମସିହାରେ ଫ୍ରାନ୍ସ ର ସେହି ସର୍କସ ଦଳ ସହିତ ସାରା ବାର୍ଟମାନ୍ ଚାଲିଲା ପ୍ଯାରିସ୍ ସହରକୁ ।

ଏହା ଭିତରେ ଆଧୁନିକତାର ସ୍ପର୍ଶ ସାରାକୁ ଅନେକ ପରିବର୍ତ୍ତନ କରିଦେଇଥିଲା । ସର୍ବସାଧାରଣରେ ପ୍ରଦର୍ଶନ ବ୍ୟତୀତ ସାରାକୁ ଆୟୋଜନକାରୀମାନେ ଭିନ୍ନ ଭିନ୍ନ ସଂଭ୍ରାନ୍ତଙ୍କର ସଂକ୍ଷିପ୍ତ ଆୟୋଜନକୁ ପଠାଉଥିଲେ । ସର୍ବବୃହତ ନିତମ୍ବ ତଥା ସର୍ବବୃହତ୍ ଗୁପ୍ତାଙ୍ଗର ଅଧିକାରିଣୀର ଏକାନ୍ତ ସାନ୍ନିଧ୍ୟ ପାଇବା ପାଇଁ ଫରାସୀ ସଂଭ୍ରାନ୍ତଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଦ୍ୱନ୍ଦ୍ବିତା ଲାଗି ରହୁଥିଲା । ସେ ସମୟ ଫରାସୀ ଇତିହାସରେ ନେପୋଲିଅନ୍ ବୋନାପାର୍ଟଙ୍କ ଅସ୍ତକାଳର ସମୟ । ନେପୋଲିଅନ୍ ଙ୍କର ପ୍ରମୁଖ ଚିକିତ୍ସକ ଜର୍ଜ କୁଭିଏର୍ ସାରା ବାର୍ଟମାନ୍ ପ୍ରତି ଆସକ୍ତ ହୋଇପଡିବା ଘଟଣାରୁ ସାରାର ସମକାଳର ପ୍ରସିଦ୍ଧିକୁ ଅନେକ ପରିମାଣରେ ବୁଝାଯାଇପାରିବ । ଏହିଭଳି ସବୁ ଆଭିଜାତ୍ୟ - ସଂଗର ପ୍ରଭାବ ସ୍ୱୟଂ ସାରା ଉପରେ ଅଧିକ ପଡୁଥିଲା । ଖୋଇସାନ୍ ଆଦିମ ଜନଗୋଷ୍ଠୀର ଏହି କୃଷ୍ଣାଙ୍ଗୀ କ୍ରମଶଃ ଆଧୁନିକତାର ଅଂଧାରରେ ଅଧିକ କୃଷ୍ଣକାୟା ହେବାକୁ ଲାଗିଲା । ସେ ପାନାସକ୍ତ ହୋଇପଡିଲା, ଅନେକ ପୁରୁଷରେ ଆସକ୍ତ ହୋଇପଡିଥିଲା । ସେହି କାରଣରୁ ସେ ସିଫିଲିସ୍ ଭଳି ଦୂରାରୋଗ୍ୟରେ ଆକ୍ରାନ୍ତ ହୋଇ ୧୮୧୫ ମସିହାରେ ମାତ୍ର ପଚିଶ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲା ।

ସାରା ବାର୍ଟମାନ୍ ର କାହାଣୀ କିନ୍ତୁ ତାହାର ମୃତ୍ୟୁରେ ସମାପ୍ତ ହୋଇ ନଥିଲା । ତାହାର ଶରୀର ପ୍ରତି ଆସକ୍ତ ହୋଇ ପଡିଥିବା ଡାକ୍ତର ତଥା ନେପୋଲିଅନ୍ ବୋନାପାର୍ଟ ଙ୍କ ପ୍ରମୁଖ ଚିକିତ୍ସକ ଡାକ୍ତର ଜର୍ଜ କ୍ୟୁଭିଅର୍ ନିଜ ପକ୍ଷରୁ ସାରାର ମୃତ ଶରୀରକୁ ବ୍ୟବଚ୍ଛେଦ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ତାହା ଫଳରେ ସାରାର ମୃତ ଶରୀରକୁ ସେ ବ୍ୟବଚ୍ଛେଦ କରିଥିଲେ । ଶବ ବ୍ୟବଚ୍ଛେଦ କରିବା ସମୟରେ ଡା କ୍ୟୁଭିଅର୍ ସାରାର ଶରୀରରୁ ତାହାର ମସ୍ତିଷ୍କ ଏବଂ ତାହାର ଗୁପ୍ତାଙ୍ଗକୁ କାଟି ଗୋଟିଏ ସଂରକ୍ଷିତ ଦ୍ରବଣ ଥିବା ଗୋଟିଏ ଜାର୍ ରେ ରଖି ନିଜ ସହିତ ନେଇଯାଇଥିଲେ ।

ତାହା ପରଠାରୁ ସାରା ବାର୍ଟମାନ୍ ର ସର୍ବବୃହତ୍ ଗୁପ୍ତାଙ୍ଗ ତଥା ତାହାର ମସ୍ତିଷ୍କ ପାରିସ୍ ର ମ୍ୟୁଜି - ଦି - ଲା ହୋମ୍ ଠାରେ ରହିଆସିଥିଲା । ୧୯୭୪ ଖ୍ରୀଷ୍ଟାବ୍ଦରେ ଗୋଟିଏ ପ୍ରତିବାଦ ଉଠିଥିଲା, ସର୍ବ ବୃହତ ଗୁପ୍ତାଙ୍ଗ ଆକାରରେ ସାରା ବାର୍ଟମାନ୍ ର ଅବଶେଷକୁ ପାରିସ୍ ର ଏହିଭଳି ଏକ ପ୍ରତିଷ୍ଠାନରେ ରଖିବାର ଅର୍ଥ କ'ଣ ? ଏହାକୁ ଏଠାରୁ ଯଥାଶୀଘ୍ର ଅନ୍ୟତ୍ର ନିଆଯାଉ ।

କେଉଁଠିକୁ ଏହାପରେ ସାରାର ଅବଶେଷ ଯିବ ତାହାକୁ ନେଇ ଦ୍ୱନ୍ଦ୍ୱ ଚାଲି ରହିଥିଲା । ଅସମାହିତ ।

୨୦୦୨ ମସିହାରେ ସେ ସାରାକୁ ତାହାର ଅବଶେଷ ସହିତ ନିଜମାଟି କେପଟାଉନ୍ କୁ ଫେରାଇ ନେଇଥିଲେ । ନିଜ ଲୋକଙ୍କ ଗହଳିରେ ନିଜ ଖୋଇସାନ୍ ଅଧିବାସୀଙ୍କ ଗହଳିରେ ତାହାକୁ ମହାସମାରୋହରେ ଭୂସମାହିତ କରାଯାଇଥିଲା ।

କେହି ଫ୍ରିକ୍ ନୁହଁ । ସବାଶେଷ କଥା। ।

ଏହିଭଳି ଗୋଟିଏ ବିଚାରକୁ ପ୍ରତିସ୍ଥାପନା କରିବା ଆଳରେ ନିଜକୁ ନିଜଭଳି ଅନ୍ୟମାନଙ୍କ ସହିତ ଯୋଡିବାର ବିଶ୍ୱର ଅନ୍ୟତମ ଚର୍ଚ୍ଚିତ ନାୟକ ସେ । ସାରା ବାର୍ଟମାନ୍ କୁ ଅବଶେଷରେ ନିଜ ଗହଳିକୁ ନିଜ ଆୟୋଜନକୁ ଫେରାଇ ନେଇଥିବା ସେ ଜଣକ ହେଉଛନ୍ତି, ନେଲସନ୍ ମାଣ୍ଡେଲା ।

Report an Error