ସମ୍ପର୍କର ଦ୍ୱାହି

ବିନୋଦଙ୍କ ସହଧର୍ମିଣୀ ସଲୋନି । ସୁଖି ଜୀବନଟିଏ ବଞ୍ଚୁଛନ୍ତି । କିନ୍ତୁ ଆଜି ବି ମନରେ ପ୍ରଶ୍ନ ଉଠୁଛି ସ୍ୱାମୀ କ’ଣ କିଛି ସମ୍ପର୍କର ନାଁ ହେଇପାରେ? ସ୍ୱାମୀମାନେ ତ ମାଲିକ । ଯଦି ଅପରପକ୍ଷରେ କୁହାଯାଏ ସେ ଅମୁକର ସ୍ତ୍ରୀ । ସେଠି କାହିଁକି କୁହାଯାଏନି ସେ ଅମୁକର ମାଲିକାଣୀ ?


“ସ୍ୱାମୀ.......ହଃ ।

ସ୍ୱାମୀର ଅର୍ଥ ଜାଣିଛୁ ?

ତୋ ମାଲିକ, ମାଲିକ କ’ଣ ?

ତୁ କ’ଣ ଗାଈ ନା ଛେଳି ଯେ ସେ ହେବ ତୋର ସ୍ୱାମୀ ?

ସଲୋନି ତାଙ୍କ ଘରେ କାମ କରୁଥିବା ବାସନ୍ତୀର ଦୁଃଖକୁ ସହି ନପାରି ରାଗରେ କହୁଥିଲେ “କାମ କରୁଚୁ ତୁ । ପିଲା ଛୁଆ ଜନ୍ମ କରିବୁ, ପାଳିବୁ ତୁ ଆଉ ଗାଳି କରି ମାଡ଼ ମାରିବା ପାଇଁ ସେ ହେବ ସ୍ୱାମୀ ? କି ସ୍ୱାମୀ ଲୋ ସେ ? ପ୍ରତି ପାଞ୍ଚଦିନରେ ରାସ୍ତାକୁ ବାହାର କରିଦଉଛି । ତା’ର ଏତେ ଅଧିକାର ଆସିଲା କୋଉଠୁ ତୋ ଉପରେ ?

ତତେ ଠିକ୍ ହେଇଛି ।

ବାସନ୍ତୀ ପାଇଁ ଖାଇବା ବାଢ଼ୁ ବାଢ଼ୁ ସଲୋନି କହି ଚାଲିଥିଲେ । ଧାର ଉଧାର କରି କୋଡ଼ିଏ ହଜାର ଟଙ୍କା ଦେଇଚୁ ତାକୁ ? ତୁ ମାଡ଼ ଖାଇବୁନି ଆଉ କିଏ ଖାଇବ ? କେମିତିକା ମଣିଷ ଖଣ୍ଡେ ତୁ ?

ମୁଣ୍ଡ ତଳକୁ କରି ବସିଥାଏ ବାସନ୍ତୀ ଘରର ଗୋଟିଏ କୋଣରେ । ଆଖିରୁ ଲୁହ ଚଟାଣ ଉପରେ ଥପ୍ ଥପ୍ ପଡ଼ୁଥାଏ । ସଲୋନି ରାଗରେ ଖାଲି ଗର୍‌ଗର୍ ହୋଇ ତା ସ୍ୱାମୀକୁ ଗାଳି କରି ଚାଲିଥାଆନ୍ତି ।

“ସ୍ୱାମୀ !! ଏଇ ଶବ୍ଦ ଆସିଲା କୋଉଠୁ ? ଆମେ କ’ଣ ନିର୍ଜୀବ ପଦାର୍ଥ ? ନା କୋଠା, ବାଡ଼ି ନା ବେଜୁବାନ ଜାନୱର ? ସ୍ୱାମୀ......... ଆଉ ଆମେ କ’ଣ ? ତମ ଆଜ୍ଞାଧୀନ ଚାକର ?

ଗଜର ଗଜର ହୋଇ ସଲୋନି ବାସନ୍ତୀ ଆଗରେ ଖାଇବାତକ ରଖି ଦେଇ ବାଲକୋନିକୁ ଆସିଗଲେ ।

ଯୋଉ ନାରୀଠୁ ତୁମେ ସୃଷ୍ଟି ଯାହାର ପଣତ ତଳେ ତୁମର ସମସ୍ତ ସ୍ୱପ୍ନ ପୂର୍ଣ୍ଣ ହୁଏ ତାକୁ ତୁମ ସ୍ୱାମୀତ୍ୱ ଦରକାର ? ନା ଦରକାର ତୁମ ସ୍ନେହ ଓ ସମ୍ମାନ ?

ଆଖି ସଜଳ ହୋଇ ଆସିଲା । ରାଗ ଓ ଦୁଃଖ ସଲୋନିଙ୍କ ଗୋରା ମୁହଁଟିକୁ ଲାଲ କରିଦେଇଥାଏ । “ବୋଉ” ର ହସ ହସ ମୁହଁ, ବଡ଼ ସିନ୍ଦୁର ଟୋପା ଥିବା ମଥା, ସିନ୍ଥିରେ ଏତେ ବଡ଼ ସିନ୍ଦୁର ଗାର ଓ ଓଢ଼ଣା । ଓଢ଼ଣା ତଳେ ବୋଉର ହଳଦୀମଖା ମୁହଁଟି ମନେ ପଡ଼ିଲା । ଯେତେବେଳେ ଦେଖ ଚୁଲି ମୁଣ୍ଡରେ ବସିଥିବ, କାହା ନା କାହା ପାଇଁ ରୋଷେଇ କରୁଥିବ ? ଡ଼ାକି ଡ଼ାକି ସମସ୍ତଙ୍କୁ ପାଖରେ ବସେଇ ଖୋଇବ । ନିଜେ ଖାଇବାବେଳେ ବଳକା ଭାତ, ଆଚାର ଆଉ ଯଦି ଆମ ହାବୁଡ଼ରୁ କିଛି ବାକିଥିବ ତା ହେଲେ ସେଇତକ ଲଗେଇ ଚୁପ୍‌ଚାପ୍ ଖାଇ ଦେଇଥିବ ? ଏମିତି କେବେ ହେଇନି ଡ଼ାଇନିଂ ଟେବୁଲରେ ସେ ବସି ଖାଇଥିବ, ସେଇ ଚୁଲି ମୁଣ୍ଡେ ତା’ର ସକାଳ, ସଞ୍ଜ, ରାତି ।

ବାପା ଖାଇବାକୁ ବସି ଅର୍ଡ଼ର ଦେବେ, ‘କନକ ବାଇଗଣ ଭଜା ହଉ ।’

ବୋଉର କି ଖୁସି, ସତେ ଯେପରି ସେ ପାଇଛି ଗୋଟିଏ କୋଟିନିଧି, କେବେ କହିବନି ଚାରିଟା ଆଇଟମ୍ କରି ରଖିଛି ତଥାପି ଦରକାର ହେଉଛି ?”

ଯଦି ଡାଲିରେ ଲୁଣ ଅଧିକା ହେଇଗଲା ବା ମାଛ ବେସରରେ ସ୍ୱାଦ କିଛି ଅଲଗା ଲାଗିଲା, ବାପାଙ୍କ ହାତ ଛିଞ୍ଚାଡ଼ା ଖାଇବା ଷ୍ଟାଇଲ ଏବେ ବି ମନେ ପକାଇ ହସନ୍ତି ସଲୋନି । କିନ୍ତୁ ଆଜି ଖୁବ୍ କାନ୍ଦିବାକୁ ଇଚ୍ଛା ହଉଥିଲା ବୋଉ ପାଇଁ ।

କଲେଜରୁ ଫେରି ବୋଉ ପାଖେ ଘଡ଼ିଏ ବସନ୍ତି ସଲୋନି ।

“ବୋଉ ତୋ ଚେନ୍ କାଇଁ ? ପୁଣି ବାପାଙ୍କୁ ଦେଇଛୁ ନା” । ବାପା ତାଙ୍କ ଦରମା କ’ଣ କରିଛନ୍ତି ପଚାରିଚୁ ? ଭାଇ କଥାରେ ସଲୋନି ବୋଉର ଖାଲି ବେକକୁ ଦେଖୁଥିଲେ ଯାହାକୁ ବୋଉ ଲୁଗା କାନିରେ ଲୁଚାଇବା ଅଯଥା ପ୍ରୟାସ କରୁଥିଲା ।

ବାପାଙ୍କ ଅଫିସ୍‌ରେ ଅସୁବିଧା ଅଛିରେ, ମୁଁ ଚେନ୍ ପିନ୍ଧି କ’ଣ କରିବି ? ପୁଣିଥରେ କରେଇ ଦେବେନି ? ସଙ୍କଟଟା ଟଳିଯାଉ ।

“ତୁ ଜାଣିନୁ ବୋଉ, ବାପା କୋଉଠି ଖର୍ଚ୍ଚ କରୁଛନ୍ତି ? ସବୁ ଜାଣି ବି......? ତୋ ସୁନା ବୋଲି ଆଉ କିଛି ଅଛି ? ସଲୋନି ବାହାଘରବେଳେ ମୋ ବେକରେ ସବୁ ଝୁଲିବ । ଏତେ ତ୍ୟାଗୀପଣିଆ ଧରି ତୁ ବସିଥିବୁ । ମତେ କିଛି କହିବୁନି । ଭାଇ ବୋଉ ଉପରର ରାଗକୁ ବାସନକୁ ଗୋଇଠା ମାରି ଶୁଝାଇଥିଲେ । ସଲୋନି ଜାଣିଥିଲେ ତାଙ୍କ ଆଈଘର ବହୁତ ଧନୀ, ଜମିଦାର ଲୋକ । ‘କନକ ମଞ୍ଜରୀ ନାଁ ଦେଇଥିଲେ ଅଜା ତାଙ୍କର ଗୋଟିଏ ବୋଲି ଗେହ୍ଲୀ ଝିଅକୁ’ । ବୋଉ ଭଳି ସୁନ୍ଦର ଚେହେରା ସେ ଦ୍ୱିତୀୟ କୋଉଠି ଦେଖି ନାହାଁନ୍ତି ।

ଗୁରୁବାର ପୂଜାରେ ଲକ୍ଷ୍ମୀ ମାତାଙ୍କୁ ପାଟ ଓଢ଼ଣୀରେ ଘୋଡେଇ ଫୁଲରେ ସଜେଇବା ପରେ ସେ ବୋଉ ଭଳି ଦେଖାଯାଆନ୍ତି ।

ନାଁ କେବେ ଭଲ ଖାଇବା, ନାଁ କେବେ ଭଲ ପିନ୍ଧିବା ପାଇଁ, ନାଁ କେବେ କୋଉଠିକୁ ବୁଲିଯିବାର ଇଚ୍ଛା । ବୋଉ କ’ଣ ଗୋଟିଏ ଚଳନ୍ତି ମୂର୍ତ୍ତି ?

‘ମା’ ଜାେରରେ ହସିବୁନି । ଝିଅମାନେ ଜାେରରେ ସେ ହସନ୍ତିନି’, କହେ ବୋଉ ।

ମୁଁ ହସିବି, ହାଃ! ହାଃ! ହାଃ ! କଣ ହେବ ଦେଖ ସଲୋନି କହନ୍ତି ଓ ବୋଉକୁ ଚୁପ୍ ଚୁପ୍ ପଣତ ଘୋଡେଇ ହସିବା ଦେଖି ଖୁସି ହୁଅନ୍ତି ।

ଘରକୁ ଯଦି ଅଫିସର କେହି ଆସନ୍ତି ବୋଉ ସେଠିକି ଯାଏନି । ଥରେ ବାପାଙ୍କ ସହକର୍ମୀ ଜଣେ ଆସିଥିଲେ । ଖୁବ୍ ମଡ଼ର୍ଣ୍ଣ ଟାଇପ୍ । ଭାଉଜ ଭାଉଜ କହି ଡ଼ାଇନିଂରେ ଆସି ହାଜର । ସେଇ ବାଧ୍ୟ ବାଧକତାରେ ଯାହା ବୋଉ ପଦେ ଦି ପଦ କଥା କହିଛି । ବାପା ସେଇଦିନ ରାତିରେ ବାଡ଼ି କିମ୍ବା କିଛି ଅସ୍ତ୍ର ନଧରି ମଧ୍ୟ ତୀବ୍ର ଅପମାନ ଦେଇଥିଲେ । ତା'ପରଠାରୁ ବୋଧେ ସଲୋନି ତାଙ୍କ ବାପାଙ୍କୁ ଆଉ ସେ ସମ୍ମାନ ଦେଇ ପାରି ନଥିଲେ, ଯାହା ଆଗରୁ ଦେଇ ଆସୁଥିଲେ ।

ଆଜି ବାପା, ବୋଉ ଦୁହେଁ ଆରପାରିରେ । ସଲୋନି ରିଡ଼ର ଅଛନ୍ତି । ବିନୋଦଙ୍କ ସହଧର୍ମିଣୀ ସଲୋନି । ସୁଖି ଜୀବନଟିଏ ବଞ୍ଚୁଛନ୍ତି । କିନ୍ତୁ ଆଜି ବି ମନରେ ପ୍ରଶ୍ନ ଉଠୁଛି ସ୍ୱାମୀ କ’ଣ କିଛି ସମ୍ପର୍କର ନାଁ ହେଇପାରେ ? ସ୍ୱାମୀମାନେ ତ ମାଲିକ । ଯଦି ଅପରପକ୍ଷରେ କୁହାଯାଏ ସେ ଅମୁକର ସ୍ତ୍ରୀ । ସେଠି କାହିଁକି କୁହାଯାଏନି ସେ ଅମୁକର ମାଲିକାଣୀ ?

କାହିଁକି କୁହାଯାଏନି ସେ ତାର ପୁରୁଷ ? ଯଦି କୁହାଯାଇପାରୁଛି ସେ ତାର ସ୍ତ୍ରୀ । ବୋଉ କଥା ସବୁବେଳେ ମନେପଡ଼େ, ‘ତୁ ଯାହା କହ ସଲୋନି, ବାହା ହେଲା ପରେ ପୁରୁଷ ହୋଇଯାଏ ସ୍ୱାମୀ !! ସ୍ତ୍ରୀ ମୁଣ୍ଡପୋତି ସହି ନେଲେ ସବୁଠିକ୍ । ନାରୀ ଜନ୍ମ ନେଇ ପଥର ପଡ଼ିଲେ ପରା ସହି ।’

ବିନୋଦଙ୍କ ଆସିବା ସମୟ ହେଲାଣି ଭାବି ଦୀର୍ଘ ନିଶ୍ୱାସ ନେଇ ଉଠିଗଲେ ସଲୋନି । ସନ୍ଧ୍ୟା ନଇଁ ଆସୁଥାଏ । ଇଲେକ୍ଟ୍ରି ତାରରେ ପକ୍ଷୀ ଦୁଇଟି ବସିଥାଆନ୍ତି । ସଲୋନି ଭାବିଲେ କ’ଣ ସେମାନେ ବି ସ୍ୱାମୀ, ସ୍ତ୍ରୀ ହେଇଥିବେ ? ନା ହୋଇଥିବେ ଜୀବନସାଥୀ ? ନା ଭଲ ସାଙ୍ଗ ଦିଓଟି ?

Report an Error