
ସମୟର ପାଲଟା ଲୁଗା
ଧୋଉଛି ମୋର ଶବ୍ଦ
ତୁଠକୁ ତୁଠ ଯାଇ
ରାସ୍ତାର ଏ ଦୁର୍ନିବାର ପଦଯାତ୍ରା ତ
ଥମିବାର ନାଁ ଧରୁନାହିଁ ।
ନଦୀ ଯାର ବହିବାକୁ ଜନ୍ମ
ଅଥଚ ଶୁଖିଲା ବାଲିରେ ଗୋପ୍ୟ
ସେ ଆଡକୁ ଚାହିଁ ଧୀରେଧୀରେ
ପଥର ହେଉଛି କାହାର ଆଖି ।
ଗୁଣ୍ଡାମାନ ଅଟକିଯାଏ ଗଳା ଭିତରେ
କେଉଁ ଗଛତଳେ ରାସ୍ତାକଡ଼ରେ ଖାଲଖମାରେ
ଶୋଇପଡ଼ିଛ ତୁମେମାନେ ଉପାସରେ
ହେ ଶିଶୁମାନେ, ତୁମର ହସରେ ଏତେଦିନ
ଉଛୁଳିପଡ଼ିଛି ଘରେ ଘରେ ଚାଉଳବସ୍ତା
ଡାଲିଲୁଣର ପୀତଧବଳ ରୋଷେଇଘର ।
ଏବେ ତୁମେ କେଉଁଠି ଶୋଇଯାଇଛ
ଦିନଦିନ ନଖାଇବା ଯୋଗୁଁ
ଚିରିଯାଇଥିବା ପଣତର ଶୂନ୍ୟସ୍ଥାନରେ ।
କେତେ ମଉଜରେ ସଜାହେଉଛି ଖବରର ଫଟୋଫ୍ରେମ
କେତେ ନକ୍ସାରେ ପରସା ହେଉଛି କାରୁଣ୍ୟର ଥାଳି
ଯେମିତି ଚିତ୍ର, ଭାସ୍କର୍ଯ୍ୟର ପ୍ରଦର୍ଶନୀ ।
ତୁମେ କେଉଁଠି ଜିଭକୁ ଦାଂତ ମଝିରେ ଜାକି ଶୋଇଛ
ଆଉ ନଉଠିବାକୁ ।
ମୋ ସ୍ୱରରେ ଆଉ ଶବ୍ଦ ନୁହେଁ ଗୁଣ୍ଡାଗୁଣ୍ଡା କୋହ
ରୋକିଧରିଛି ଶ୍ୱାସଯଂତ୍ର
ତୁମେ ଗାଁ ବରଗଛର ଚଢେଇ ପରି
କିଚିରିମିଚିରି ନକଲାଯାଏ
ଶବ୍ଦ କହୁଛି ସେ ଢୋକ ଗିଳିବନି ।