ସହଭାଗ

ଏଇ କାଲି ରାଜାଙ୍କ ଆଡେ ଯାଇଥିଲି । ରାଜା କହିଲେ, ସୂର୍ଯ୍ୟ କିରଣରେ ଝଲମଲ କରୁଥିବା ବାଲି ଯିଏ ପାଇବ, ଆଉ ଯେତେ ପାଇବ ତାହାକୁ ଯଦି ରାଜାଙ୍କୁ ଦିଏ ସେ ତା' ବଦଳରେ ସେତେ ପଇସା ପୁଣି ତମ ରୁଚି ଅନୁଯାୟୀ ଖାଇବା ସବୁ ଦେବେ । ହେଲେ ମୋର କିଏ ଏତେ କାମ କରିବ ଯେ ।


ପିମ୍ପୁଡିଟିଏ, ଜନ୍ଦାଟିଏ ସଙ୍ଗାତ ବସିଲେ ।

ଯୋଉଠି ଦେଖ ଦିହେଁ ମିଶି ଚାଲିଥିବେ । ହେଲେ ଜନ୍ଦା ସମାଜ ଆଉ ପିମ୍ପୁଡି ସମାଜ ଏହାକୁ କେମିତି ଗ୍ରହଣ କରିବେ ?

ହଉ ହେଲା । ଗ୍ରହଣ ନ କଲେ ନାଇଁ, ସେମାନଙ୍କୁ ଛାଡିଦିଅ ।

ତାଙ୍କ ଇଚ୍ଛାରେ ସେମାନେ ଯାହା କରୁଚନ୍ତି କରନ୍ତୁ ।

ହେଃ ! ସେ କି କଥା...

ସମାଜ ଯେତେବେଳେ ଅଛି ଛଡା ଯିବନି

ତାହେଲେ,....

ତାହେଲେ କ'ଣ । ତାହେଲେ ତର୍ଜମା କରାଯିବ । ପରୀକ୍ଷା ନିରୀକ୍ଷା ହେବ । କୋଉ ପରିସ୍ଥିତିରେ ଏଭଳି ଦୁଃସାହସିକ ପଦକ୍ଷେପ ଦିହେଁ ନେଲେ, ବିଚାର କରାଯିବ । ଦୁଇ ପକ୍ଷ ଲୋକ ବସିବେ । ଖିଆପିଆ ବ୍ୟବସ୍ଥା ଗୋଟେ ହବ । କେତେକଥା, ଏମିତି କ'ଣ ସହଜ ହେଇଛି ?

ଜନ୍ଦା ଓ ପିମ୍ପୁଡି ଭୟଭୀତ ହୋଇପଡିଲେ । 'କ'ଣ ୟାର ସମାଧାନ ? ସତରେ ତା' ହେଲେ ଏତେ ସବୁ ହବ ?

ଆଉ ଯଦି ସେମାନଙ୍କୁ ଆମ ସାଙ୍ଗହେବା ପସନ୍ଦ ନ ଆସେ ତାହେଲେ ଆମେ କ'ଣ ଆଉ କେବେ ସାଙ୍ଗ ହେବାନି ?' ପିମ୍ପୁଡି କହିଲା ।

'ରହ, ଦେଖାଯାଉ କ'ଣ ହଉଚି ।' ଜନ୍ଦା ସାହସ ଦେଲା ।

'କ'ଣ ହବ !! ଆମେ ଆଉ ମିଶିବାନି, ଏଇୟା ହବ।' ଦୁଃଖରେ କହିଲା ପିମ୍ପୁଡି ।

'ଆଚ୍ଛା, ଆମେ ଆଉ କାହାକୁ କହିବା କି ? କିଛି ସାହାଯ୍ଯ, ଉପଦେଶ ନେଲେ ହୁଅନ୍ତା ।' ପୁଣି ଭାବିଚିନ୍ତି କହିଲା ପିମ୍ପୁଡି ।

ଦିହେଁ ମିଶି ଝିଣ୍ଟିକା ପାଖକୁ ଗଲେ । ଝିଣ୍ଟିକା ସବୁ ଶୁଣି ସାହସ ଦେଲା ।

ଝିଣ୍ଟିକାଟି ଅଳସୁଆ ହେଲେ ବି ବୁଦ୍ଧିମାନ । ତା, ପରଦିନ ସକାଳୁ ଝିଣ୍ଟିକାଟି ବାହାରି ଏମିତି ଗୋଟିଏ ଜାଗାରେ ବସିଲା, ଯୋଉଠି ଭୋର୍ ରୁ ସବୁ ପୋକଙ୍କ ଭିଡ ଜମେ । ଝିଣ୍ଟିକା ଚିନ୍ତିତ ମୁଦ୍ରାରେ ସେଠାରେ ବସି ରହିଲା ।

'ଆରେ ! କ'ଣ ହେଲା ?' ମୋଟା ଗୋବରା ପୋକଟି ପଚାରିଲା ।

'ଭାଇ ! ସବୁ ଭଲ ତ ?' ମାଟିଆ ଝିଣ୍ଟିକା ପଚାରିଲା ।

ତା'ପରେ ପଚାରିବା ସୁଅ ଛୁଟିଲା । ସମସ୍ତେ ଭାବିଲେ ପଚାରିବାଟା ଗୋଟିଏ ମହାନ୍ କାର୍ଯ୍ଯ । ସମସ୍ତେ ନିଜ ନିଜ ବାଗରେ ପଚାରି ଚାଲିଲେ ।

'ନା... ନା.... କଥା କ'ଣ । କିଛିନୁହେଁ । ଅବଶ୍ୟ ବହୁତ ପଇସା ମିଳିବ । ଜୀବନ ସାରା କାମ କରିବା ଦରକାର ନାଇଁ । ହେଲେ ମୋ ଦ୍ବାରା ତ' କାମ ହେଲାନି । କରିବି କ'ଣ ।' କହିଲା ଝିଣ୍ଟିକା ।

କହ କହ, ଆମକୁ ବି କହ ।' ସମସ୍ତେ ଏକାଠି କହିଲେ ।

'ସେ କିଛିନୁହଁ ମ । ଏଇ କାଲି ରାଜାଙ୍କ ଆଡେ ଯାଇଥିଲି । ରାଜା କହିଲେ, ସୂର୍ଯ୍ୟ କିରଣରେ ଝଲମଲ କରୁଥିବା ବାଲି ଯିଏ ପାଇବ, ଆଉ ଯେତେ ପାଇବ ତାହାକୁ ଯଦି ରାଜାଙ୍କୁ ଦିଏ ସେ ତା' ବଦଳରେ ସେତେ ପଇସା ପୁଣି ତମ ରୁଚି ଅନୁଯାୟୀ ଖାଇବା ସବୁ ଦେବେ । ହେଲେ ମୋର କିଏ ଏତେ କାମ କରିବ ଯେ ।

ବାସ୍ ଏତିକି କହି ଝିଣ୍ଟିକା ଦେଖେ ତା ଚାରି ପାଖ ଖାଲି ।

ସମସ୍ତେ ବାଲି ଗୋଟାଇବାରେ ବ୍ୟସ୍ତ ।

କାନରୁ କାନକୁ କଥା ହେଇ ପିମ୍ପୁଡି ଓ ଜନ୍ଦାଙ୍କ ପାଖେ ପହଞ୍ଚିବାକୁ ସମୟ ଲାଗିଲାନି ।

ଆଜିଯାଏଁ ବାକିମାନେ ଝଲମଲ ବାଲି ଏକାଠି କରିବାରେ ବ୍ୟସ୍ତ ଆଉ ଆମ ଜନ୍ଦା ଓ ପିମ୍ପୁଡି ସାଙ୍ଗ ଦିହେଁ ପୂରା ଶାନ୍ତିରେ ଅଛନ୍ତି ।

Report an Error